Unknown

 

 

 

 

 

 

 

 

 

 

ଲାବଣ୍ୟବତୀ

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ

 

ପ୍ରଥମ ଛାନ୍ଦ

ଲାବଣ୍ୟବତୀ ଓ ଚନ୍ଦ୍ରଭାନୁର ପୂବର୍ଜନ୍ମ ବୃତ୍ତାନ୍ତ

(ରାଗ-ନଳିନୀ ଗୌଡ଼ା, ରାମବିଭା ପ୍ରଥମ ବାଣୀରେ)

 

ଜୟ ଜୟ ଜୟ ରାମ ଜନକ ସୁଖଦ ।

ଭୀମ ହରଷ ଦାନରେ ସଦା ବିଶାରଦ ହେ ।୧ ।

 

ଚନ୍ଦ୍ରହାସେ ଶୋଭାକର ସମସ୍ତ କାଳର ।

ଲକ୍ଷଣବନ୍ତ ଅଲକ୍ଷ୍ୟ ମୁଖ ମନୋହର ଯେ ।୨ ।

 

କବି ଭାରତୀକି ଅଗୋଚର ଛବି ଯାର ।

ସୁମନାବୃନ୍ଦ ବନ୍ଦନ ଏଣୁ ନିରନ୍ତରଯେ ।୩ ।

 

ମହାଶୟ ବଳିରିପୁ ପରେ ତାପକର ।

ଛତ୍ରଭଙ୍ଗ କୃତରୁ କାତର ଅରିପୁର ହେ ।୪ ।

 

ସସ୍ରକର ଉନ୍ନତହରତେଜୋବାନ ।

ହରିପକ୍ଷ ସଦାନନ୍ଦ ତୋଷ ବିବର୍ଦ୍ଧନ ।୫ ।

 

ସେ ପ୍ରଭୁ କଞ୍ଜଚରଣେ କରି ତତପର ।

ଭଞ୍ଜ ବୀରବର କପି ମାନସ ଭ୍ରମର ହେ ।୬ ।

 

ମୂର୍ତ୍ତିମନ୍ତ କରି ମୃଦୁଗୀତ ବିଚାରଇ ।

ଏଣୁକରି ଥିବ ଅଳଙ୍କାର ଯୁକ୍ତ ହୋଇ ଯେ ।୭ ।

 

ପଦ ସରଳ ଧ୍ୱନିରେ ମାନସ ମୋହିବ ।

ଅର୍ଥୀଜନ ପ୍ରବରକୁ ଆନନ୍ଦ କରିବ ହେ ।୮ ।

 

ଡ, ର, ଳ ରେ ସାବର୍ଣ୍ଣ୍ୟ ଯା ବ୍ୟାକରଣେ ଲିହି ।

ସୁଚିରେ କରଇ ଏହି ଗୀତ ହିତ ପାଇଁ ଯେ ।୯ ।

 

ବୁଝାଇଲେ ଜଡ଼ଜନ ଭାବକୁ ପାଇବ ।

ଖଳ ଖର ଚୂତାଙ୍କୁର ପ୍ରାୟେ ନ ଗ୍ରାସିବ ହେ ।୧୦ ।

 

ମଧୁମକ୍ଷି ଉଚ୍ଛିଷ୍ଟେ ଅମୃତାଦର ସୁରେ ।

କରନ୍ତି ଯେମନ୍ତ ସାଧୁଜନେ ସେ ପ୍ରକାରେ ହେ ।୧୧ ।

 

ଦୋଷ ଥିଲେ ରସ ବଶୁଁ କରିବେ ଆଦର ।

ଏଣୁ ଅତିଶୟ ସଂଶୟକୁ କରି ଦୂର ହେ ।୧୨ ।

 

ଏ ବିଚିତ୍ର ଚରିତ ରଚିତ ସୁମଧୁର ।

ଶ୍ରୁତି ବଦନରେ ପାନ କର ବୁଧ ନର ହେ ।୧୩ ।

 

ଦିନେ କଇଳାସେ ବସି ଏକାନ୍ତେ ଗଉରୀ ।

ପଶାରଙ୍ଗେ ରସିବାକୁ ସ୍ୱସଙ୍ଗେ ବିଚାରି ହେ ।୧୪ ।

 

ଏକ କନ୍ୟାଏ ଅଦ୍ଭୁତେ ମନୁ ଜାତ ହେଉ ।

ସୁଷମାରେ ସମରେ ତ୍ରିଲୋକରେ ନ ଥାଉ ଯେ ।୧୫ ।

 

ଯେ ଜଗତଜନନୀ ସେ କଲା ମନୋରଥ ।

ଜାତ ଦିବ୍ୟ ସୁନ୍ଦରୀ କାହିଁକି ହେବ ବ୍ୟର୍ଥ ହେ ।୧୬ ।

 

ଆଉ କି ପ୍ରଶଂସିବା ଉମାରୁ ଜନ୍ମ ଯାର ।

ଶାମୁକୁଁ ମୁକୁତା ଜାତ ହୋଇଲା ପ୍ରକାର ଯେ ।୧୭ ।

 

ବାଞ୍ଚାରୁ ଉତ୍ପତ୍ତି ବାଞ୍ଛାବତୀ ନାମ ଦେଇ ।

ଖେଳେ ବଳାଇଲେ ମତି ଦୁହେଁ ବସି ତହିଁ ଯେ ।୧୮ ।

 

ଏ ସମୟେ ଶୁଭିଲା ଡମ୍ବରୁ ଘୋର ନାଦ ।

ପାର୍ବତୀ ମତିରେ ଜାତ ଏମନ୍ତ ବିଷାଦ ଯେ ।୧୯ ।

 

ହର ନେତ୍ର ଗତ ଯେବେ ହେବ ଏ ଶୋଭାଙ୍ଗୀ ।

ଯିବ ସିନା ମୋହର ସୁଭାଗୀପଣ ଭାଙ୍ଗି ଯେ ।୨୦ ।

 

ବିଷବୃକ୍ଷ ସ୍ଥାପି ନାଶ କରିବାର ଦୋଷ ।

ଏ ସଂସାର ଆମ୍ଭ ଖେଳଘରର ସଦୃଶ ଯେ ।୨୧ ।

 

କିଛିକାଳ ଅଗମ୍ୟ ଅରଣ୍ୟେ ଏହି ଥାଉ ।

ଜନ୍ମାନ୍ତେ ପୁରୁଷ ସଙ୍ଗ ବିଳାସକୁ ପାଉ ଯେ ।୨୨ ।

 

ବଣଦେବୀ ଜଣକୁ ଏକାନ୍ତ ଆଜ୍ଞାଦେଲେ ।

ସେ ନେଇ ଘୋର କାନନେ ପୁରେକ ରଚିଲେ ଯେ ।୨୩ ।

 

ତହିଁ ରଖି କହିଲେ ଲଂଘିବୁ ଯେବେ ଦ୍ୱାର ।

କିଛିକାଳେ ପ୍ରାଣ ହତ ହୋଇବ ତୋହର ଯେ ।୨୪ ।

 

ଯେବଣ ପୁରୁଷ କର ଗ୍ରହଣ କରିବ ।

ଆନ ତନୁ ପ୍ରାପତିରେ ସେ ପତି ହୋଇବ ଯେ ।୨୫ ।

 

ଏତେ କହି ସେ ଦେବୀ ହୋଇଲା ତିରୋହିତ ।

ଗହନରେ ବାଞ୍ଛାବତୀ ଦିବ୍ୟପୁରେ ସ୍ଥିତ ଯେ ।୨୬ ।

 

ଏମନ୍ତରେ ଗଲା ତହିଁ କେତେ ସମ୍ବତ୍ସର ।

ପ୍ରଭାକର ନାମେ ଏକ କ୍ଷତ୍ରିୟ କୁମାର ଯେ ।୨୭ ।

 

ତପ ତା ଅକଥନୀୟ ଦିବ୍ୟନାରୀ ଶ୍ରଦ୍ଧେ ।

ପଞ୍ଚାଗ୍ନି ସ୍ଥାପନ କରେ ତପଋତୁ ମଧ୍ୟେ ଯେ ।୨୮ ।

 

ପ୍ରାବୃଟ କାଳରେ ଗୃହୋଦରକୁ ନ ଯାଇ ।

ଝଞ୍ଜାବାତ ଜଳାଘାତ କରକା ସହଇ ଯେ ।୨୯ ।

 

ଶୀତେ ଜଳଶାୟୀ ଭୂମିଶଯ୍ୟା ବସ୍ତ୍ରହୀନ ।

ମୃତ୍ତିକା ଶଙ୍କର ପୂଜା କରେ ପ୍ରତିଦିନ ଯେ ।୩୦ ।

 

ସେ ସୁକୃତରାଶି ଆସି ଠୁଳ ହୋଇ ତାର ।

କେଦାରେଶ୍ୱର ଦର୍ଶନେ କଲା ବଳାତ୍କାର ହେ ।୩୧ ।

 

ଯାଉଁ ଯାଉଁ ସେ ଅଗମ୍ୟ ଅରଣ୍ୟେ ମିଳିଲା ।

ରତ୍ନମୟ ପୁରୁଚାହିଁ ଚିତ୍ତରେ ଭାଲିଲା ସେ ।୩୨ ।

 

କିନ୍ନର କିନ୍ନରୀ ବା କାହାର ଏଥିସ୍ଥିତି ।

ଦେଖିବା ବିଚାରୁଁ ଦେବେ ପ୍ରାଙ୍ଗଣେ ଯୁବତୀ ସେ ।୩୩ ।

 

ଚନ୍ଦ୍ରକୁ ନିନ୍ଦା କରୁଛି ମୁଖହାସ କାନ୍ତି ।

ସାରଙ୍ଗକୁ ନିନ୍ଦୁଛି ନୟନ ଭୂରୁପନ୍ତି ଯେ ।୩୪ ।

 

ନାସା ଓଷ୍ଠ ମଧ୍ୟ ନିନ୍ଦେ ତରୁଣ ହରିକି ।

ଅପବାଦ ଅପସରି ଲକ୍ଷ୍ୟ ଯେ ନାରୀକି ଯେ ।୩୫ ।

 

ଅମର ସମ୍ପତ୍ତି ଲଭି ବିଲୋଚନ ମାତ୍ରେ ।

ନାରୀ ରୂପ ପିତୁଲା ଲେଖନ ହେଲା ନେତ୍ରେ ତା ।୩୬ ।

 

ସେ ପ୍ରେମମଞ୍ଜରୀ ଶୋଭାପଞ୍ଜରୀ ହୋଇଲା ।

ପୁଂସ ନେତ୍ରେ ଖଞ୍ଜରୀଟ ତହିଁରେ ରହିଲା ଯେ ।୩୭ ।

 

ରାମ ଶବ୍ଦ ବହୁ ବଚନରେ କଲା ଜପ ।

ରମା ବିପରୀତ ସେହିକାଳେ ବହି କୋପ ଯେ ।୩୮ ।

 

ଶରୀର ମଧ୍ୟ ଲୋପକୁ ଶରୀର ମଧ୍ୟକୁ ।

ଯୋଖି ପ୍ରହାରିଲା ବିଚାରିଣ ତା ବଧକୁ ଯେ ।୩୯ ।

 

ତାକୁ ସ୍ତୁତି କଲା ତୋ ନାରୀରେ ଇଚ୍ଛା ମୋର ।

ଭାବି କି ହେଉଛ ପର ଏ ଆନ ପ୍ରକାର ଯେ ।୪୦ ।

 

ଜାଣ ନାହିଁ ଅଭିମାନ ବିଧାନମାନଙ୍କୁ ।

କହନ୍ତି ବିଧୁ ଚନ୍ଦ୍ରମା ବିଷ୍ଣୁ କର୍ପୁରକୁ ଯେ ।୪୧ ।

 

ଏକାଳରେ ପୁଂସଠାରେ ରାମା ଦୃଷ୍ଟିପାତ ।

ଜନ୍ମ ଅନ୍ଧ ନୟନକୁ ଲଭିଲେ ଯେମନ୍ତ ଯେ ।୪୨ ।

 

ମନମଥ ମଥନେ ଥରିଲା ହେଲା ଜାନୁ ।

କଦମ୍ବକୋରକ ଶୋଭା ଲୁଟିକଲା ତନୁ ଯେ ।୪୩ ।

 

ନେତ୍ର ବଡ଼ଶୀରେ ସେ ଧଡ଼ସି ଅନୁରାଗେ ।

ପୁରୁଷ ମନ ମୀନକୁ ଧରି ନେଲା ବେଗେ ଯେ ।୪୪ ।

 

ସେକାଳେ ସୁବେଣୀମଣି ଧୀବର ହୋଇଲା ।

ଉରଜ କୁବେଣୀ ସଂପୁଟରେ ପକାଇଲା ଯେ ।୪୫ ।

 

ସେ ସମୟେ ପୁରୁଷ କହିଲା ଯୋଡ଼ି କର ।

ହେ ରସ ଉଦୟା ସୃହୃଦୟା ଦୟା କର ହେ ।୪୬ ।

 

ତପତ ତପନୀୟାଙ୍ଗୀ ତପଫଳ ମୋର ।

ଦ୍ରହସିତେ ଈଷିତେ ସଫଳ କରିକର ଯେ ।୪୭ ।

 

ଅତି ଦୀନ କ୍ଷୀଣ ହୀନ ମୁ ମଦନ ଶରେ ।

ରକ୍ଷା କର କକ୍ଷ କରି କୁଟିଳାକ୍ଷାବକ୍ଷରେ ।୪୮ ।

 

ଏ ବଚନେ ସୀଉକାର କଟାକ୍ଷେ ଆଣିଲା ।

ରସିକା ଭଜିଲା ଭାବ ରସିକ ଜାଣିଲା ।୪୯ ।

 

ଏକେ ତ ଏକାନ୍ତ ଦୁଜେ ତରୁଣ ତରୁଣୀ ।

ଭେଟ ଯାହା ଲୋଡ଼ୁଥାଇ ଫୁଲ ତ ।୫୧ ।

 

ଏକାନ୍ତ ଦୁଜେ ତରୁଣ ତରୁଣୀ । ଭେଟ ଯାହା

ଲୋଡ଼ୁଥାଇ ଫୁଲ ଧନୁପାଣି ଯେ ।୫୨ ।

 

ପଞ୍ଚବିଶିଖକୁ କେତେ ଲକ୍ଷ୍ୟ ଅବା କଲା ।

ଭଲା ଲକ୍ଷ୍ୟ ନାଗର ନାଗରୀ ହୃଦ ହେଲା ।୫୩ ।

 

ପୁରୁଷ ନିକଟ ଲଭିବାକୁ କୃଶକଟୀ ।

ଭାବବତୀ ମନେ କରି ଅଇଲା ପାଛୋଟି ।୫୪ ।

 

ଯୁବା ଦେହ ବହି ଏ ଉତ୍ସକୁ ବଡ଼ କରି ।

ଉତ୍ସବ ଭୋଗ କାହିଁଛି କେ କହୁ ବିଚାରି ।୫୫ ।

 

ଦଇବେ ଦେହଲା ବଳି ତ୍ରିବଳୀ ଶୋଭିତା ।

ଆଲିଙ୍ଗନ କଲା ପୁଂସ ହୋଇଣ ଲୋଭିତା ।୫୬ ।

 

ଚୁମ୍ବିବାବେଳକୁ ମୁଖରାଜୀବ ତାହାର ।

ଜୀବହୀନ ହୋଇ ତାହା ରହିଲା କଳେବର ।୫୭ ।

 

ଚାହିଁ ତରୁଣ ଅରୁଣ ଓଷ୍ଠୀର ଏ ରୀତି ।

ବଦନ ପବନ କେତେ ଦତ୍ତ କଲା ଶ୍ରୁତି ଯେ ।୫୮ ।

 

ଲୋତକ ଜଳରେ ଆଗ ଧୋଇ ଦେଲା ମୁଖ ।

ବୋଇଲା ମୁଁ ମରି ଦେଖିଲି ଏତେ ଦୁଃଖ ।୫୯ ।

 

ଏ ସମୟେ ଶୁଭିଲା ଅମ୍ବରୁ ଏହି ବାଣୀ ।

ଗଙ୍ଗା ସାଗର ସଙ୍ଗମେ ଝାସ ପୁଂସମଣି ।୬୦ ।

 

ଏ ବଲ୍ଲଭୀକୁ ଲଭିବୁ ନୃପସୁତ ହୋଇ ।

ଅନଳରେ ନ ଦହି ସେଠାରେ ଯାଅ ଥୋଇ ।୬୧ ।

 

ଏ ବଚନେ ସନ୍ତାପକୁ କିଛି ଶାନ୍ତି କଲା ।

ବଙ୍ଗଦେଶେ ଯାଇ ଗଙ୍ଗା ସାଗରେ ଝାସିଲ ।୬୦ ।

 

କର୍ଣ୍ଣାଟ ଦେଶରେ କାଞ୍ଚିନାମେ ନଗ୍ରସର ।

ଶଶିଶେଖର ନାମରେ ତହିଁ ନରେଶ୍ୱର ।୬୧ ।

 

ଶଶିରେଖା ନାମେ ତାର ଯେ ପଟ୍ଟମହିଷୀ ।

ପୁତ୍ରାର୍ଥେ ଅନେକ ବ୍ରତେ ତୋଷି କାଶୀବାସୀ ।୬୨ ।

 

ତା ଉଦର ଆକାଶରେ ପ୍ରକାଶ ହୋଇଲା ।

ଅକଳଙ୍କ କଳାନିଧି ପରାୟେ ଶୋହିଲା ।୬୩ ।

 

ଆହାଲାଦେ ଚନ୍ଦ୍ରଭାନୁ ତେଜ ଭାବିକରି ।

ଚନ୍ଦଭାନୁ ନାମ ଦେଲେ ବିଚାରି ବିଚାରି ।୬୪ ।

 

ବେଦ ବେଦାନ୍ତେ ବିଧାତା ବ୍ୟାକରଣେ ହର ।

ସଙ୍ଗୀତରେ ନାରଦ ଶୃଙ୍ଗାର ଶାସ୍ତ୍ର ମାର ।୬୫ ।

 

କବିପଣେ ଗଣେଶ ଜ୍ୟୋତିଷ ବୃହସ୍ପତି ।

ଅଶ୍ୱାରୋହେ ମିହିର ଭୈରବୀ ପରାଗତି ।୬୬ ।

 

ଧନୁର୍ଦ୍ଧରେ ଅର୍ଜୁନ ଗଦାରେ ବୃକୋଦର ।

ଦାନୀରେ କର୍ଣ୍ଣର୍ ମାନୀରେ କୁରୁ ଦଣ୍ଡଧର ।୬୭ ।

 

ବଳିଷ୍ଠରେ ବାଳୀଧାର୍ମିକରେ ଯୁଧିଷ୍ଠିର ।

ସୁନ୍ଦର ପଣରେ ତାକୁ ସେହି ପଟାନ୍ତର ।୬୮ ।

 

ମନ୍ତ୍ରୀ ଜ୍ୟୋତିଷ ସାଧୁତ ପୁରଧା କୁମର ।

ନାମ ଗୁଣନିଧି ବସନ୍ତକ ପୁରନ୍ଦର ।୬୯ ।

 

ଋତୁଧ୍ୱଜ ସହିତ ଏ ଚାରି ମିତ୍ର ହିତ ।

ନିଶି ଦିନ ଭିନ୍ନ ନୋହେ ଏହାଙ୍କ ସଙ୍ଗତ ।୭୦ ।

 

ହେ ରାମକୃଷ୍ଣ ସୁନ୍ଦର କଳାପ ମଦନ ।

ରାଧାପତି ରୁଚିହାସ ଅଘ ବିନାଶନ ।୭୧ ।

 

ଉପଇନ୍ଦ୍ର ଭଞ୍ଜ ବୀରବର ମନୋରଥ ।

ଏ ଗୀତ ପୂର୍ଣ୍ଣ ହେବାରେ କର ଏହା ସାର୍ଥ ଯେ ।୭୨ ।

 

ଦ୍ୱିତୀୟ ଛାନ୍ଦ

ଲାବଣ୍ୟବତୀର ଜନ୍ମ ବୃତ୍ତାନ୍ତ

(ରାଗ- ପଟ୍ଟହ ମଞ୍ଜରୀ)

 

ଶୁଣ ହେ ସୁଜନେ ରସ କର୍ଣ୍ଣ ମନ ଲୋଭା ।

ରତ୍ନାକର ମଧ୍ୟରେ ସିଂହଳ ଦ୍ୱୀପ ଶୋଭା ଯେ ।୧ ।

 

କହିବାର ନୋହେ ସେ କଟକ ଛଟକକୁ ।

ରତନ ଝଟକ ହସେ ଆନ କଟକକୁ ।୨ ।

 

ଅଛନ୍ତି ଧନଦ ସମ ଧନବନ୍ତମାନେ ।

କର୍ଣ୍ଣେ ଶୁଣାଅଛି ସମାନକୁ ଏକା ଦାନେ ଯେ ।୩ ।

 

ଯେତେ କୋଟି ସୁବର୍ଣ୍ଣ ଯାହାକୁ ମିଳେ ତହିଁ ।

ତେତେ ଗୋଟି କଳସ ସେ ମନ୍ଦିରେ ବସାଇ ଯେ ।୪ ।

 

ଗୋରୋଚନା ପ୍ରକାରେ ଯହିଁରେ ମୃଗମଦ ।

ନିତି ଜୀର୍ଣ୍ଣବସନକୁ ବିକନ୍ତି ପୁଳିନ୍ଦ ଯେ ।୫ ।

 

କୁଙ୍କୁମ ଉକୁଟାଇ ହୁଅନ୍ତି ନାରୀ ଯହିଁ ।

ହରିଦ୍ରାରେ ଆଦର କରିବେ କାହିଁପାଇଁ ଯେ ।୬ ।

 

ମାର୍ଗ ମାର୍ଜନେ ରଜନିକର ଆଣି ଯାଇ ।

ରଜନୀକର ଆଣନ୍ତି ଶକଟରେ ବହି ଯେ ।୭ ।

 

ହରିତକୀ ପାଇଁ ତିଆରିଲେ ବୈଦ୍ୟକୁଳ ।

ଭାରବାହେ ଭାରରେ ଆଣନ୍ତି ଜାତିଫଳ ଯେ ।୮ ।

 

ଶବରୀ ଶର୍ବରୀ ଶେଷୁଁ ଅରଣ୍ୟକୁ ଯାଇ ।

ହରି ବିଦାରିତ-କରି ମୋତି ପଡ଼ିଥାଇ ଯେ ।୯ ।

 

ବଦରୀ ଆଦରି ନେଇ ସରୋବରେ ଧୋଇ ।

ବିକା ତା ନଯିବ ବୋଲି ଆସନ୍ତି ପକାଇ ଯେ ।୧୦ ।

 

ଖଣ୍ଡପରଶୁ-ଧାରଣପୁର ପରିଷ୍କାରେ ।

ନ ଦହନ୍ତି ଶାମୁକ ମୁକତା ବିହୀନରେ ଯେ ।୧୧ ।

 

ଯେଉଁ ହେମ କମନୀୟ କାମକରେ ହୋଇ ।

ସେ ଗ୍ରହଣୁ ବାରବାନେ ଦୃକପାତ ନାହିଁ ଯେ ।୧୨ ।

 

ଶିଶୁକାଳୁ ମୋଧାବିନୀ ମଦନ ଶଳାକା ।

ଭକ୍ଷନ୍ତି ଲବଙ୍ଗ ନାଗବଲ୍ଲୀ ଦଳ ଏକା ଯେ ।୧୩ ।

 

ଏଣୁ କଣ୍ଠରୋଧ ବାଧାହୀନ ଦିବ୍ୟ ତାନ ।

ଶିଖି ବିଷ୍ଣୁ ଚରିତ କରନ୍ତି ଭ୍ରମିଗାନ ଯେ ।୧୪ ।

 

ଗଜ ହୟ ଉପଜୀବୀ ଭ୍ରମନ୍ତି କେଦାରେ ।

ମାରାଗ ଜ୍ୟୋତିକି କରି ଜବସ ମନରେ ଯେ ।୧୫ ।

 

ବାସକରେ ଗ୍ରହଣ କରନ୍ତି ଯହିଁ ମଚ୍ଛ ।

ଭାବନ୍ତି ଏହି ପଥରେ ପଥରେକ ସ୍ୱଚ୍ଛ ଯେ ।୧୬ ।

 

ବଜ୍ର ଜାତି ବିନା ଗଜ ନ ଆଣନ୍ତି ବିନୁ ।

ଅଶ୍ୱଶାଳେ ବନ୍ଧା ନୋହେ ସିନ୍ଧୁଜାତ ବିନୁ ଯେ ।୧୭ ।

 

ମୂଷିକରେ ନେପାଳୀ ପାଳନା ସୁଆଦରେ ।

ଗନ୍ଧମାର୍ଜ୍ଜାର ପୋଷିତ ବିଡ଼ାଳ ପଦରେ ଯେ ।୧୮ ।

 

ମାଳିଆଳି-ଦକ୍ଷିଣାବର୍ତ୍ତକ ବିନା କମ୍ଭୁ ।

ନ ଘେନନ୍ତି ଦେବାକୁ ହର ଚରଣେ ଅମ୍ବୁ ଯେ ।୧୯ ।

 

ଏକ ମୁଖୀ ରୁଦ୍ରାକ୍ଷ ଗ୍ରହଣ ଯୋଗୀକରେ ।

ବାଳକେ କିଣନ୍ତି ଦ୍ରାକ୍ଷା କେବଳ କୋଳିରେ ଯେ ।୨୦ ।

 

ଖଡ୍‌ଗ ଚର୍ମ ଆଢ଼େଣୀ ଧାରଣ ନପାଇ ।

ଖଡ଼ଗ ଚର୍ମରୁ ଆନ ଚର୍ମ ନ ଯୋଗାଇ ଯେ ।୨୧ ।

 

ଯହିଁ ବ୍ରହ୍ମଜାତି ବଜ୍ର କବଚ ମିଳଇ ।

ବଜ୍ର କବଚରେ ଅନୁରାଗ ଥିବ କାହିଁ ଯେ ।୨୨ ।

 

ପଦ୍ମିନୀ ଜନମ ସ୍ଥାନ ପଦ୍ମାକର ପୁରୀ ।

ଆନ ଜାତି ନାରୀଏ ଯହିଁରେ ପରିଚାରୀ ଯେ ।୨୩ ।

 

କିନ୍ନରୀ ଗୀତ ଶ୍ରବଣ ଯହିଁ ନିତି ନିତି ।

ମହୀ ମଧ୍ୟେ ସ୍ୱର୍ଗ ଯେ ହୋଇଛି ଉତପତ୍ତି ଯେ ।୨୪ ।

 

ସେ ନଗର ନରବର ନାମ ରତ୍ନେଶ୍ୱର ।

ବିଦ୍ୟୁଲତା ନାମେ ପଟ୍ଟମହିଷୀ ତାହାର ଯେ ।୨୫ ।

 

ପଞ୍ଚଶର ସମେ ପଞ୍ଚସୁତ କଲାଜାତ ।

ଦିବ୍ୟକୁମାରୀ ପ୍ରାପତେ କରେ ନାନା ବ୍ରତ ଯେ ।୨୬ ।

 

ଚୈତ୍ର ମଙ୍ଗଳବାରରେ ଆରମ୍ଭି ପୂଜାକୁ ।

ପଞ୍ଚମ ପାଳିରେ ତୋଷ କଲେ ଗିରିଜାଙ୍କୁ ସେ ।୨୭ ।

 

ବାଞ୍ଛାବତୀ ପିଣ୍ଡ ଥିଲା ଅଗମ୍ୟ କାନନ ।

ଆପଣେ ଅମ୍ବିକା ଯାଇ କଲେ ସଜୀବନ ଯେ ।୨୮ ।

 

ବୋଇଲେ ସୁନ୍ଦରୀ ହୁଅ ତୁ ରସାଳ ଫଳ ।

ଆଜ୍ଞା ଅବଧାରିଲା ସେ ରାମା ତତକାଳ ଯେ ।

 

କରେ ଘେନି ସ୍ୱପ୍ନାଦେଶେ ମହୀଦେବୀ କରେ ।

ଦେଇଗଲେ ସେ ଆମ୍ବକୁ ପାର୍ବତୀ ସତ୍ୱରେ ଯେ ।୩୦ ।

 

ଚେତୁ ଯୁବତୀ ଦେଖିତ ହସ୍ତେ ଅଛି ଚୂତ ।

ଭକ୍ଷ ମୃଗାକ୍ଷୀ ନାୟକ ସଙ୍ଗେହେଲା ରତ ଯେ ।୩୧ ।

 

ଶୁଭବେଳେ ଗର୍ଭ ଦର୍ଭହାସୀ ଶୁଭ୍ରକେଶୀ ।

କେତେ ଦିନେ ଶୋଭାତାର ଆନ ଆନ ଦିଶି ଯେ ।୩୨ ।

 

କାନ୍ତି ସୁବର୍ଣ୍ଣେ ଦୋହଦ ପାରଦ ମିଶିଲା ।

ରଜତ ପିତୁଳା ତୁଲ୍ୟ ଅବଳା ଦିଶିଲା ଯେ ।୩୩ ।

 

କ୍ଷୀଣ ପାଇଁ ପୀନ ହେଲା ରେକସଂଖ୍ୟା କଟୀ ।

ଖସି ନିତମ୍ବ-ବିମ୍ବକୁ ଆଶ୍ରେ କଲା ଶାଟୀ ଯେ ।୩୪ ।

 

ବେଶରେ ଆବେଶ ହେବା କ୍ରମଶେ ତୁଟିଲା ।

ଆହାରେ ବିମନା ହୋଇ ଗମନେ ଫୁଟିଲା ଯେ ।୩୫ ।

 

ବାହାରେ ହୋଇଲା ପତି ବିହାରରୁ ମତି ।

ମହିଳା ମହୀ ଶୟନେ ବଳାଇଲା ପ୍ରୀତି ଯେ ।୩୬ ।

 

ଦିବ୍ୟ ରୁଚିକି ରୁଚିଲା ମୃତ୍ତିକା ଭକ୍ଷଣ ।

ଚଞ୍ଚଳ ଚଳନମାନ ଛାଡ଼ିଲା ଈକ୍ଷଣ ଯେ ।୩୭ ।

 

ପୃଥୁରୋମା ନୟନୀ ଉଦର ପୃଥୁତର ।

ଅତି ଶୋଭା ନାଭି ଲେଉଟିଲା ପରକାର ।୩୮ ।

 

ନିଷ୍ଠୁର ଦିଶିଲା ଓଷ୍ଠ ତୁଟି ଯାଇ ରଙ୍ଗ ।

ଘନ ଘନ ଜୃମ୍ଭା ପୁନଃ ପୁନଃ ମୋଡ଼େ ଅଙ୍ଗଯେ ।୩୯ ।

 

ଶ୍ୟାମଳ କୋମଳ ଅଙ୍ଗା ସ୍ତନଅଗ୍ର ବହି ।

ହରଧର ଶୃଙ୍ଗେ ଜଳଧର ପରା ଶୋହି ଯେ ।୪୦ ।

 

ଦଶମାସ ଶେଷ ରସବତୀ ଅଶକତ ।

ଉତ୍ତମ ଲଗ୍ନ ମଗ୍ନରେ ସୁତା ପ୍ରସବିତ ଯେ । ୪୧ ।

 

କବି ବିଚାରି କି ଚାରିମୁଖ ସଙ୍ଗେ ବାଦ ।

ଆଚରି ମଦନମହୀପତି ବହି ମଦ ଯେ ।୪୨ ।

 

ଉଦର ଶୋଭା ଉଦଧି ମନ୍ଥିଲା ଉଦ୍‌ବେଗ ।

ଉରଜ ମନ୍ଦରୁ ବଳି ସର୍ପରଜ୍ଜୁ ଯୋଗେ ଯେ ।୪୩ ।

 

ତହିଁରୁ ଜାତ ଜଗତମୋହିନୀ ସ୍ୱଭାବେ ।

ଅବଶ୍ୟ ହୋଇବେ ହର ତପେ ଭଙ୍ଗ ଏବେ ଯେ ।୪୪ ।

 

ଧାତ୍ରୀ ଧରିତ୍ରୀଭୂଷାକୁ ନାଭିଚ୍ଛେଦ କରି ।

ଗଣକଗଣେ ବସିଣ ଜାତକ ବିଚାରି ଯେ ।୪୫ ।

 

ସୂତିକା ଗୃହରେ ଯେତେ ବିଧି ଶେଷ କଲେ ।

ଏକବିଂଶ ଦିନେ ଦୋଳିଶୟନ ବିହିଲେ ଯେ ।୪୬ ।

 

ଆସିଥିଲେ ବ୍ରହ୍ମଋଷି ଶୋଭାରାଶି ଚାହିଁ ।

ବିଚାରିଲେ କେତେ କଳ୍ପଶ୍ରମ କଲା ବିହିଯେ ।୪୬ ।

 

ଆସିଥିଲେ ବ୍ରହ୍ମଋଷି ଶୋଭାରାଶି ଚାହିଁ ।

ବିଚାରିଲେ କେତେ କଳ୍ପଶ୍ରମ କଲା ବିହି ଯେ ।୪୭ ।

 

ମୁଖ ହେବ ଏମନ୍ତ ବିଚାରି ପଦ୍ମବିଧୁ ।

ହସ୍ତବାଳା କରି ଆଗୁ ବଢ଼ିଗଲା ସାଧୁ ଯେ ।୪୮ ।

 

ତହୁଁ ବାସ ଆହାଲାଦ ଦର୍ପଣରୁ ଝଳି ।

ଲହରୀରୁ କୁଟିଳ ଅଞ୍ଜନପୁଞ୍ଜ କାଳୀ ଯେ ।୪୯ ।

 

କୁରଙ୍ଗରୁ ତରଙ୍ଗ ବିଦ୍ରୁମ ରଙ୍ଗ ହରି ।

ଲବଣୀ ଶିରୀଷରୁ କୋମଳ ବଳେ ତୁଳି ଯେ ।୫୦ ।

 

ସୁବର୍ଣ୍ଣର ବର୍ଣ୍ଣ ଗତି ହଂସଠାରୁ ଗତି ।

ଏ ରୂପେ ଉପମାବର୍ଗ ଯେତେକ ଅଛନ୍ତି ଯେ ।୫୧ ।

 

ବିହି ସବୁଠାରୁ ସାର ସାର ଭାଗ ଆଣି ।

ପୁରଟ ପ୍ରତିମା ପରି ରଚିଲା ରମଣୀ ଯେ ।୫୨ ।

 

କବି ଯେତେ ଥିଲେ ସୀଉକାର ତା ନ କଲେ ।

ବିଧାତା ବିଧାନୀ କାହୁଁ ଏ ହେବ ବୋଇଲେ ଯେ ।୫୩ ।

 

ଦେଖ ପଦ୍ମ ଲପନ ଶୋଭାକୁ ଯାର ହାରି ।

ଚରଣ ତଳେ ଶରଣ ପଶିଅଛି ଡରି ଯେ ।୫୪ ।

 

ପଦ୍ମଜାତ ସିନା ବିଧି ବିହିଲା କେମନ୍ତେ ।

ଏମନ୍ତ ସମ୍ମତ ହେଲା ସମସ୍ତଙ୍କ ଚିତ୍ତେ ଯେ ।୫୫ ।

 

ସର୍ବ ମତେ ସର୍ବ ଶୋଭାସ୍ଥାନ ବୋଲି ବାଳୀ ।

ଲାବଣ୍ୟବତୀ ନାମକୁ ଦେଲେ ଭାଳି ଭାଳି ଯେ ।୫୬ ।

 

ବଳକ୍ଷ ପକ୍ଷର କଳାକର କଳା ପରି ।

ଦିନୁ ଦିନୁ ଶୋଭା ବୃଦ୍ଧି ନରେନ୍ଦ୍ର କୁମାରୀ ଯେ ।୫୭ ।

 

କେତେଦିନ ଉଭା ଭିତ୍ତି ଧରି ବିମ୍ବାଧରୀ ।

କରୀ ଗମନରେ ପୁଣି ମହୀ ଶୋଭା କରି ଯେ । ୫୮ ।

 

ରଜନୀକର ବଦନା ରଜନିକରରେ ।

କରଇ ଖେଳା ରଚନା ଶିଶୁଙ୍କ ସଙ୍ଗରେ ଯେ ।୫୯ ।

 

ରବି ରଥ ରଖେ ବଶ ହୋଇ ତା ସୁଷମେ ।

ଏଣୁ କରି ଦୀର୍ଘଦିନ ଜାଣିଲି ଗ୍ରୀଷମେ ଯେ ।୬୦ ।

 

ବିଶ୍ୱସୃକ ବିଶ୍ୱକର୍ମା ଶିଳ୍ପୀ ହୋଇ ଗୋପ୍ୟେ ।

ନିର୍ମାଣ ବାରଣଦନ୍ତ ପିତୁଳା ତା ରୂପେ ଯେ ।୬୧ ।

 

ଉପି ଲେପି କୁଙ୍କମ ଦିଅନ୍ତି ନେଇ କରେ ।

ହେବ କି ନୋହିବ ସମ ଏମନ୍ତ ଶଙ୍କାରେ ଯେ ।୬୨ ।

 

ମନକୁ ନ ଆସି ଆରଦିନ ଚିତ୍ରକର ।

ହୋଇ ଚିତ୍ତେ ବିଚିତ୍ର ଲେଖନ୍ତେ ଶୋଭା ତାର ଯେ ।୬୩ ।

 

ତଥାପି ସୁଷମା ସମା ପ୍ରତିମା ନୋହିଁ ।

ଶୋଭାକୁ ବର୍ଣ୍ଣନ୍ତି କବି ବୃତ୍ତ କରି ତହିଁ ଯେ ।୬୪ ।

 

ଏମନ୍ତ ଯଶ ଜେମାର ଜଗତେ ଶୁଭିଲା ।

ଯୋଗୀଜନ ମୋହନାସ୍ତ୍ର ମାର ଭିଆଇଲା ଯେ ।୬୫ ।

 

ଏ ବିଚାରେ ମହେଶ ପାଷାଣ ହେଲେ କିବା ।

ଯୁବା ହେବାଯାଏ ଆଉ ଶରୀରେ ନଥିବା ଯେ ।୬୬ ।

 

ପଢ଼ାଶୁକେ ଶିଳା ଧୂପ କୋକିଳେ ବରଷା ।

ହୋଇଲା ପାଠ ପଠନ କାଳ ମୃଦୁଭାଷା ଯେ ।୬୭ ।

 

ସରସ୍ୱତୀ ଗୋଚରରେ ବିଦ୍ୟା ଥିଲା ଯେତେ ।

ଦେଲେ କହି ସେ ଦ୍ୱନ୍ଦ୍ୱ ତୁ ନ କରିବୁ ମୋତେ ଯେ ।୬୮ ।

 

ଲଜ୍ଜା ପଟ୍ଟମହିଷୀକି ଘେନି ଯଉବନ ।

ରାଜା ଆସି ଆକର୍ଷିଲା ଅଙ୍ଗ ଦେଶମାନ ଯେ ।୬୯ ।

 

ପାତ୍ର ମନ୍ତ୍ରୀ ନିତମ୍ବ ଜଘନ ଉରୁସତ୍ୟ ।

ଶାଢ଼ି ପାଇ ଏମାନେ ହୋଇଲେ କୃତକୃତ୍ୟ ଯେ ।୭୦ ।

 

କୁଚଅଙ୍କୁରିବାରେ ବସନ ଉଠିଦିଶେ ।

ହୃଦୟବେଦୀରେ ଅଭିଷେକ କୁମ୍ଭ କି ସେ ଯେ । ୭୧ ।

 

ଏ ସମୟେ ମାହୁନ୍ତ ସୁନ୍ଦରୀ ମତ୍ତକରୀ ।

ଅନ୍ତଃପୁର ଟୋପରେ ରଖିଲା ବେଳେ ଧରି ସେ ।୭୨ ।

 

ନେତ୍ରାଞ୍ଚଳରେ ଚଳ ପରକାଶ ହେଲାଆସି ।

ଚତୁରୀ ବଳି ଚାତୁରୀମାନଙ୍କୁ ପ୍ରକାଶି ଯେ ।୭୩ ।

 

ଏ ପ୍ରତୀତ ଯୁବାଜିତ ଇଚ୍ଛାକରୀ ଭାରୁ ।

ଶରବିନ୍ଧି ଶିଖେ କି ସଂସାର ଗୁରୁଠାରୁ ଯୋ ।୭୪ ।

 

ସୁନ୍ଦରୀ ସଂସାରେ ସେ ହେବାରୁ ଚକ୍ରବର୍ତ୍ତୀ ।

ଦେଲା କି ପତି ଅଙ୍ଗରେ ଭୂପତି ସମ୍ପତ୍ତି ଯେ ।୭୫ ।

କୁନ୍ତଳ ଦେଶରେ ଚୂଡ଼ା ଶୋଭା କରାଇଲା ।

ବିଦର୍ଭରେ ହାସକୁ ପ୍ରଭୁତ୍ୱ ପଣ ଦେଲା ଯେ ।୭୬ ।

 

ମାଳବରେ କଣ୍ଠକୁ ଭୂଷଣ କଲା ନେଇ ।

ଚୋଳରେ ଶୋଭିତ କଲା ଉରଜକୁ ତହିଁ ଯେ ।୭୭ ।

 

କାଞ୍ଚିରେ ରଞ୍ଜନ କଲା ମଧ୍ୟକୁ ନିରତ ।

କନକକଟକେ କଲା ପାଦକୁ ପୂଜିତ ଯେ ।୭୮ ।

 

ମଣିରମଣୀ ମଣିକିଶାଣ ଯଉବନ ।

ବହୁମୂଲ୍ୟ ପ୍ରଭାକୁ ବଢ଼ାଇ ଦିନୁ ଦିନ ଯେ ।୭୯ ।

 

ଉପମା ଆଣିବା କାହୁଁ ମହାକବି ହେଲେ ।

ସୁନ୍ଦରେ ଯାହାର ଅଙ୍ଗେ ସୁନ୍ଦରୀ ହୋଇଲେ ଯେ ।୮୦ ।

 

ଜୟ ଜଗନ୍ନାଥ ରାମ ଶ୍ରେୟର ନିଳୟ ।

ମୁନିଗଣ କାମଦାୟ ପଦ୍ମବାସୀ ପ୍ରିୟ ହେ । ।୮୧ ।

 

ଉପଇନ୍ଦ୍ରଭଞ୍ଜ ବୀରବରର ଭାବିତ ।

ନିର୍ଦ୍ଦୋଷରେ ଏହୁ ଗୀତ ହେଉ ସମାପତ ହେ ।୮୨ ।

 

ତୃତୀୟ ଛାନ୍ଦ

ଲାବଣ୍ୟବତୀ ପ୍ରଥମେ ଋତୁମତୀ ହେବା

(ରାଗ-କେଦାର, ଚକ୍ରକେଳି ବାଣୀ)

 

ଶୁଣ ରସିକେ ନବ ଯଉବନୀ ।

ହୋଇ ବନିତା ମଣ୍ଡିଲା ଅବନୀ ।୧ ।

 

ଏଣୁ ଉପମାଗଣ ନିରନ୍ତର ।

କି କରିବା ଭାବି ହେଲେ କାତର ।୨ ।

 

ଝଳି କାନ୍ତିରେ ଲଭିଣ ଭୀତିକି ।

କଲା କଣ୍ଟକ ଦୁର୍ଗକୁ କେତକୀ ।୩ ।

 

ପାଞ୍ଚେ ମନ୍ଦର କୁଚ ବଢ଼ିବାରେ ।

କିମ୍ପା ବୁଡ଼ି ନ ମଲି ପାରାବାରେ ।୪ ।

 

ନାସା ପୁଡ଼ା ଫୁଲିବାର ଅନାଇ ।

ଭାଷାବନ୍ଧେ ଶୁକ ମନ ମନାଇ ।୫ ।

 

ମୁଖେ ପ୍ରଚାର ପରିଚାରିପଣ ।

ସୁଖେ ଦର୍ପ ହାତୁଁ କଳାଦର୍ପଣ ।୬ ।

 

କମ୍ବୁ କଣ୍ଠ ଦେଖି ଅତି ଆର୍ତ୍ତରୁ ।

ସମ ନୋହେ ବୋଲି ଡାକେ ପ୍ରାତରୁ ।୭ ।

 

ନେତ୍ର ସଙ୍ଗେ ଳକ୍ଷିବେ କି ସୁମରି ।

ମୀନ ଜଳ ହୀନରେ ଯାଏ ମରି ।୮

 

ହୋଇ ହାସରେ କୁସୁମ ବିଜିତ ।

ମକରନ୍ଦ ଛଳେ ଅଶ୍ରୁ ତେଜିତ ।୯ ।

 

ରମ୍ଭା ଉପମା ପଦ ପ୍ରଦେଶକେ ।

ଆଉ କେହୁ ସମ ହେବ ଅଂଶକେ ।୧୦ ।

 

କୁନ୍ଦୁକରୋକ ହୀରକ-ରଦନା ।

ସୁଧାକର ସରସିଜ ବଦନା ।୧୧ ।

 

ଏ ପ୍ରୟୋଗ ପରମ୍ପରା ଅଛିତ ।

ବାଳାଠାରେ ବର୍ଣ୍ଣିବାରେ କୁତ୍ସିତ ।୧୨ ।

 

କଞ୍ଜ ଖଞ୍ଜନ ଗଞ୍ଜନ ଲୋଚନା ।

ମତ୍ତ ପରଭୃତ ଜିତ ବଚନା ।୧୩ ।

 

ଏ ବିଧିରେ ବର୍ଣ୍ଣିଲେ ସେ ଚତୁରୀ ।

କେତେ ହୋଇବ କବିତା ଚାତୁରି ।୧୪ ।

 

ଯହିଁ କୃଶ କଲା ମଧ୍ୟ ଶୋଭିତ ।

ତହିଁ ଚାହିଁ ହେଉଥାଇ ଲୋଭିତ ।୧୫ ।

 

ତହିଁ ସୁନ୍ଦରେ ସୁନ୍ଦର ହୋଇଲେ ।

କିସ ଅଧିକ ହୋଇବ ବୋଇଲେ ।୧୬ ।

 

ଏ ପ୍ରକାର ସୁନ୍ଦରୀ କୃଶୋଦରୀ ।

ଅଛି ଦିନେ ସେ ଶୟନ ଆଦରି ।୧୭ ।

 

ନିଦ୍ରା ନାଶ ଅବକାଶ ଆଶାରେ ।

ଜଗିଛନ୍ତି ଏତେ ସଖୀ ଆଶାରେ ।୧୮ ।

 

ନିଜ ଧାତ୍ରୀ ପୁତ୍ରୀ ହେବ ମଞ୍ଜରୀ ।

ଆକ୍ଷପକ୍ଷ ବନ୍ଦିକି ସେ ପଞ୍ଜରୀ ।୧୯ ।

 

କାମକଳା ନାମ ମନ୍ତ୍ରୀ ଦୁହିତା ।

ବିହି ବିନ୍ଧାଣୀ ବୋଲଇ ବିହିତା ।୨୦ ।

 

ରସଲେଖା ସୁରେଖା ଚିତ୍ରଲେଖା ।

ହାରାବଳୀ ଚନ୍ଦ୍ରାବଳି ଏ ଲେଖା । ୨୧ ।

 

ରତ୍ନମାଳା ହେମମାଳା ବିମଳା ।

ପ୍ରେମଶୀଳା ସୁଶୀଳା ପରିମାଳା ।୨୨ ।

 

କଳ୍ପଲତା ମଦାଳସା ମଞ୍ଜୁଳା ।

ପ୍ରେମ ସୁଧାନିଧି ପ୍ରଭାମଞ୍ଜୁଳା ।୨୩ ।

 

ଷୋଳ ସମାନ୍ତସୁତା ରୂପେ ସରି ।

କାହୁଁ ହୋଇବ ସ୍ୱର୍ଗ ଅପସରୀ ।୨୪ ।

 

ଅଙ୍ଗ ସ୍ୱେଦ ନୋହିବାକୁ ଜନିତା ।

ଚାଳେ ଫୁଲବ୍ୟଞ୍ଜନ ଯେ ବିନତା । ୨୫ ।

 

ଖଦି ଚାମର ରାଜ ଉପଚାର ।

ଭାଳି କେହି କେହି କରେ ପ୍ରଚାର ।୨୬ ।

 

କରି ଚରଣେ କର ନିବେଶନ ।

ଧୀରେଧୀରେ କେ କରେ ଆଶ୍ୱାସନ ।୨୭ ।

 

ପୁଗ ଖଦିର ଚୂର୍ଣ୍ଣ କେ ଶୋଭାଙ୍ଗୀ ।

ଦିବ୍ୟପଳିତା ନାକ ବଲ୍ଲୀ ଭାଙ୍ଗି ।୨୮ ।

 

ବାଛି ଝୀନବାସ କୁଞ୍ଚି ସତ୍ୱରେ ।

ଉଞ୍ଚି ରଖିଛି କେ ଚୂନା ଅତରେ ।୨୯ ।

 

ଦଳମାନ ହରି କରି ସେବତୀ ।

ଗୁନ୍ଥି ଅଛି କେ ମାନିଆ ଯୁବତୀ ।୩୦ ।

 

ଝରା ଶିକଳୀ ଗଳାକୁ ମାଳିକା ।

କରୁଛନ୍ତି କେହି କେହି ବାଳିକା ।୩୧ ।

 

ଭରି ଲବଣୀ ସୁନ୍ଦୂର ଦଳନା ।

କରୁଅଛି ବସି କେଉଁ ଲଳନା ।୩୨ ।

 

ମୃଗମଦ ଗୋଳୁଚି କେଉଁ ମିତ ।

କୁଚ ବିଚିତ୍ର ଚିତ୍ରର ନିମିତ୍ତ ।୩୩ ।

 

ଫେଡ଼ା ଫେଡ଼ି କେ ବାଜୁଛି ରତନ ।

ଅଳଙ୍କାରେ ଯେଉଁମାନେ ଯତନ ।୩୪ ।

 

ଘନସାର ମିଶାଇ ଚନ୍ଦନରେ ।

କେହୁ ଥୋଇଛି ହରଷ ମନରେ ।୩୫ ।

 

ସଖୀମାନଙ୍କର ଏହି ବ୍ୟପାର ।

ପରିଚାରିକା ଅଛନ୍ତି ଅପାର ।୩୬ ।

 

ଫୁଲ ଫଳଙ୍କର ନାମ ଉଦିତ ।

ଧରି ଝରୀ ପରିଖାକେ ମୋଦିତ ।୩୭ ।

 

କେହି କରୁଛି ମୁକୁର ମାର୍ଜନ ।

କେ ଖରଡ଼ ସାରିବାରେ ରଞ୍ଜନ ।୩୮ ।

 

ଅପସର କେ ଦେଉଛି ସତ୍ୱରେ ।

ପୀଠ ପକାଉଛି କେହୁ ଚତ୍ୱରେ । ୩୯ ।

 

ଜଳ ଆଣୁଛି କେ ହେମ କୁମ୍ଭରେ ।

ନାହିଁ ଅସର ଏହି ଆରମ୍ଭରେ ।୪୦ ।

 

ଶୁକ୍ଲପକ୍ଷ ଦଶମୀ ବୁଧବାରେ ।

ସିଦ୍ଧ ସାଧ୍ୟ ଯୋଗ ଦେବାରେ ।୪୧ ।

 

ଦିନ ଅଷ୍ଟଦଣ୍ଡ ଭୋଗ ଆଦିତ୍ୟ ।

ଶୁକ୍ରବେଳା ତୁଳଲଗ୍ନ ବିଦିତ ।୪୨ ।

 

ପୁଷ୍ୟାନକ୍ଷତ୍ରେ କକଡ଼ା ଚନ୍ଦ୍ରରେ ।

ବୃହସ୍ପତି ଛନ୍ତି ଉଚ୍ଚ କେନ୍ଦ୍ରରେ ।୪୩ ।

 

ସ୍ଥିତି ଶଉରୀ ମଙ୍ଗଳ ମକରେ ।

ମେଷେ ଅସୁରଗୁରୁ ଲୀଳା କରେ ।୪୫ ।

 

ଧନ୍ୟ ହୋଇଅଛି ରାହୁ କନ୍ୟାରେ ।

ବୁଧ ମିଥୁନରେ କେତୁ ମୀନରେ ।୪୬ ।

 

ଏ ସମୟରେ ରମଣୀ ରତନ ।

ଋତୁ ଲଭିଣ ଭଜିଲା ଚେତନ ।୪୭ ।

 

ନିଦ୍ରାଗିରି ହତେ ପବି ପତନ ।

ଯାହା ଚଳିଲାଟି କାମକେତନ ।୪୮ ।

 

ଜାତି ମାଳାକୁ ଠାରି ନେତ୍ରାନ୍ତରେ ।

ଗଲା ଗୋପ୍ୟମନ୍ଦିରେ ତରତରେ ।୪୯ ।

 

ଘନ ଲେଖା ସେ କେଡ଼େ ବିବେକରେ ।

ରଙ୍ଗପାଟ ଦୁକୂଳେ ନେଇ କରେ ।୫୦ ।

 

ଯାଇଁ ଏକାନ୍ତେ ଯତ୍ନେ ରତ୍ନବେଶୀ ।

ଜଙ୍ଘସନ୍ଧିପାଶେ ଦୃଷ୍ଟି ନିବେଶି ।୫୧ ।

 

ବିମ୍ବ ସ୍ଫଟିକ ବାଡ଼ରେ ଯେସନ ।

ଫୁଲ ମନ୍ଦାର ତେମନ୍ତ ପ୍ରସନ୍ନ ।୫୨ ।

 

ଚୂର୍ଣ୍ଣ ଭୂମିରେ ମଣ୍ଡଳ ଆକାରେ ।

ଦ୍ରବ ହିଙ୍ଗୁଳ ଢାଳିଲା ପ୍ରକାରେ ।୫୩ ।

 

ଦେଖି ସୁଖୀ ହୋଇ ଆନ ବସନ ।

ପିନ୍ଧିହେଲା ସ୍ମରପୁର ଦର୍ଶନ ।୫୪ ।

 

ହେମ ପଦକରେ କାମ ବଣିକ ।

କଲା ନାୟକ କି ଦିବ୍ୟ ମାଣିକ ।୫୫ ।

 

ଯୁବାଜୟକୁ ପାତ୍ରିର ସଂକଳ୍ପ ।

କରେ ବିମ୍ବଫଳେ ନାହିଁ ବିକଳ୍ପ ।୫୬ ।

 

ଯଉବନମାଳୀ ସ୍ତନଶମ୍ଭୁରେ ।

ପୂଜା ବିହି ସାରି ସ୍ୱର୍ଣ୍ଣକମ୍ବୁରେ ।୫୭ ।

 

ପାରିଜାତ ପ୍ରସାଦ କି ଥୋଇଛି ।

ସେହି ପ୍ରକାରେ ରୁଚିର ହୋଇଛି ।୫୮ ।

 

ବାଳଭାନୁ ଜାନୁଗିରି ଗୁହାରେ ।

ସ୍ଥିତ ଆଭାସୁଛି ଆଗ ବାହାରେ ।୫୯ ।

 

ବାଳଭାନୁ ଜାନୁଗିରି ଗୁହାରେ ।

ସ୍ଥିତ ଆଭାସୁଛି ଆଗ ବାହାରେ ।୫୯ ।

 

ଅଧୋମୁଖରେ ଶୋଣିତ ବମନ ।

କଚ୍ଛପ କି କରଇ ଘେନ ମନ ।୬୦ ।

 

ଚିତ୍ର ଘେନିବା କରି ମାନସରେ ।

ରତି କି ଜଘନ-ପେଡ଼ି ଶେଷରେ ।୬୧ ।

 

ନବନୀତରେ ସିନ୍ଦୂର ଗୋଳିଲା ।

ଏହି ଉପମାରେ ଚିତ୍ତ ବଳିଲା ।୬୨ ।

 

ମୋହ ସଙ୍ଗେ ପରା ହେଉ ସମାନ ।

କରି ମାରପୁର ଏହି ଗୁମାନ ।୬୩ ।

 

ଉଡ଼ାଇଲାଣି ସୁରଙ୍ଗ ପତାକା ।

ଏଣୁ ପଡ଼ିଲା ଚଳଦଳେ ଡକା ।୬୪ ।

 

ଧାତା କୋମଳେ ଏ ତନୁ ରଚିଲା ।

ଅନୁରାଗେ ପୂର୍ଣ୍ଣ କରି ସଞ୍ଚିଲା ।୬୫ ।

 

ଭଲା ମଧ୍ୟ ଚିରିଥିଲା ନଖରେ ।

ବ୍ୟକ୍ତ ହୋଇଛି କି ଇଚ୍ଛାସୁଖରେ ।୬୬ ।

 

ଗୋରୋଚନା ଲକ୍ଷ ବଡ଼ ଲକ୍ଷଣ ।

କେହି ଯେହୁ ହୁଅନ୍ତି ବିଚକ୍ଷଣ ।୬୭ ।

 

ତାଙ୍କ ଉପରେ କିବା ସକ୍ରୋଧରେ ।

ମହା ଆରକ୍ତିମାକୁ ମୁଖେ ଧରେ ।୬୮ ।

 

ଦେଖି ଏମନ୍ତ ଶୋଭା ତାମରସ ।

ଫୁଲ ବାସିନୀର ଜାତ ହରଷ ।୬୯ ।

 

ଊରୁସନ୍ଧି ରୁନ୍ଧି ରଙ୍ଗ ଦୁକୂଳ ।

ପିନ୍ଧି ସଖ୍ୟ ଜାଣିବାକୁ ଆକୁଳ ।୭୦ ।

 

ନିଦ୍ରା ଭାଜି ଜେମା ଯିବା ବିଧାନ ।

ସଖୀମାନେ କଲେ ଅନୁସନ୍ଧାନ ।୭୧ ।

 

କିମ୍ପା ନୋଇଲା ମର୍ଦ୍ଦନ ମାର୍ଜଣା ।

ବେଗେ ଗଳାତ ନ ଯାଇ ଏ ଜଣା ।୭୨ ।

 

କେ ବୋଇଲା ଅତ୍ୟନ୍ତ ରସମୟ ।

ପ୍ରକଟିଲା କି କୁସୁମ ସମୟ ।୭୩ ।

 

କେ ବୋଇଲା ସେ ପୀରତି ଲମ୍ପଟ ।

ଆମ୍ଭଠାରେ କରନ୍ତା କି କପଟ ।୭୪ ।

 

କେ ବୋଇଲା ଛଳି ଏ ଭାରତୀକି ।

ଲାଜ ବଳିଆଇଁ ଥିବ ପ୍ରୀତିକି ।୭୫ ।

 

ଏହି ସମୟକୁ ହୋଇ ସୁବେଶ ।

ପାଟ ଜଉତିଷ ସୁତା ପ୍ରେବଶ ।୭୬ ।

 

ଛାଇ ମପାଇ ମୂଳକରି କାଳ ।

ଜେମା ପାଶକୁ ଚଳିଲେ ତତ୍କାଳ ।୭୭ ।

 

ଯାଉଁ ପଥରେ ଦେଖିଲେ ଚେଟିକି ।

ଘେନି ଆସୁଅଛି ନାଟଶାଟୀକି ।୭୮ ।

 

ବାସେ ଗୋଡ଼ାଇ ଅଛନ୍ତି ଅଳିଏ ।

ଏ ସଙ୍କେତୁ ସତ କରି ଆଳିଏ ।୭୯ ।

 

ଯାଇଁ ନୃପସୁତା ପାଶେ ମିଳିଲେ ।

ହାସ ରହସ ଭାବରେ ଛଳିଲେ ।୮୦ ।

 

ତୁମ୍ଭ ଆମ୍ଭ ପ୍ରୀତି ନୁହେଁ ଆଜର ।

ଯଉବନ ସଙ୍ଗୁ ସଙ୍ଗ ଲାଜର ।୮୧ ।

 

ତାହା ସଙ୍ଗୁ କଲୁ ଏତେ ଅନ୍ତର ।

କି କରିବୁ ସଙ୍ଗ ହେଲେ କାନ୍ତର ।୮୨ ।

 

ବାଣୀ କୋକିଳୁ ମଧୁର ହେବାରୁ ।

ନଖ ନିଆଳୀ ଛବି ବହିବାକୁ ।୮୩ ।

 

ହୃଦନଦରେ ଚିତ୍ତରଞ୍ଜିବାରେ ।

ସ୍ତନ-କମଳ କଳା ବଢ଼ିବାରେ ।୮୪

 

କାନ୍ତି କେତକୀଦିନୁ ଦିନ ଚାରୁ ।

ଚାହିଁ ଆମ୍ଭେମାନେ ମନେ ବିଚାରୁ ।୮୫ ।

 

ପୁଷ୍ପ ସମୟ ହେଲାଣି ନିକଟ ।

ସତ କହ ହୋଇଲା କି ପ୍ରକଟ ।୮୬ ।

 

ଶୁଣି ସଖୀଏ କହିଲା ଏସନ ।

ନ କହିଲେ କହିଲାନି ବସନ ।୮୭ ।

 

ବନେ ବିକଶିତ ହେଲେ ମାଧବୀ ।

ମଧୁପେ କି ନ ଜାଣନ୍ତି ବାନ୍ଧବୀ ।୮୮ ।

 

ପାଟସୂତ୍ରରେ ଗୁନ୍ଥିଣ ମୋତିକି ।

ଜେମା ଲୁଚାଇ ଲୋଡ଼ୁଛି ଜ୍ୟୋତିକି ।୮୯ ।

 

କେତେବେଳଯାଏ ସୂର୍ଯ୍ୟ ଉଦିତ ।

କରିପାରେ କୁଜ୍‌ଝଟିକା ଆଚ୍ଛାଦିତ ।୯୦ ।

 

କେତେବେଳେ ଲୁଚନ୍ତା ପଦ୍ମଳାକ୍ଷା ।

ଦିନାନ୍ତରେଣ ଘେନି କାହିଁ ଲାକ୍ଷା ।୯୧ ।

 

ଅବା ସିନ୍ଦୂର ପୋଛିଲି କହିବ ।

ଆଗ ଅଞ୍ଚଳେ ନୋହେ ସେ ନୋହିବ ।୯୨ ।

 

ସହଚରୀ ପରିହାସ ସରିତେ ।

ମୃଦୁଭାଷୀ ଭାସିଗଲା ତ୍ୱରିତେ ।୯୩ ।

 

ମୁଖ ନିବେଶିଲା ନିଜ ଉରଜେ ।

କ୍ଷିତି ଠୁଙ୍କି ଆରମ୍ଭିଲା କରଜେ ।୯୪ ।

 

ପ୍ରେମଶୀଳା ମାତା ପାଶେ ଜଣାଇ ।

ଶର-ମନ୍ଦିର ସମ୍ଭାର ଅଣାଇ ।୯୫ ।

 

ମାଷ ତଣ୍ଡୁଳରେ ଗୃହ ଗଢ଼ାଇ ।

ବାସ ପ୍ରାକରେ ପ୍ରକାରେ ବେଢ଼ାଇ ।୯୬ ।

 

ଚାରିପାଶେ ଚାରିଗୋଟି ମାର୍ଗଣ ।

ଅବିଳମ୍ବେ ପୋତିଲେ ସଖୀଗଣ ।୯୭ ।

 

ନାରିକେଳ ଚେଳ ଦୂର୍ବାରୋପକୁ ।

ଭରି ସମୀପେ ଥୋଇଲେ ସୂର୍ପକୁ ।୯୮ ।

 

ମଧ୍ୟେ ବସାଇଲେ ଯେ ନବବାଳୀ ।

ଶୁଭ ଅର୍ଥରେ ଦେଲେ ହୁଳହୁଳି ।୯୯ ।

 

ସେହି ଶବଦ ଜନକ ଶୁଣିଲେ ।

ଜୀର୍ଣ୍ଣମୁଦୁସୁଲି ଠାରୁ ଜାଣିଲେ ।୧୦୦ ।

 

ଉଛୁଳିଲା ପୁରଦ୍ୱାର ବାଦ୍ୟରେ ।

ବାଦ୍ୟ ଏମନ୍ତ କହେ କି ନାଦରେ ।୧୦୧ ।

 

ଯୁବା ହୋଇ ସାହା ହେଲା ଜଗତେ ।

ମଦନକୁ ଶୁଭିଲା ଏ ଯୁଗତେ ।୧୦୨ ।

 

ଯୋଗୀଜୟ ମୂଳ ମନମଥର ।

ଲଭି ଏ ଭୟ ମହେଶ ପଥର ।୧୦୩ ।

 

ଆମ୍ଭ ଦମ୍ଭ କେତେ ଭାବି ବହନେ ।

ଋଷି ପଶିଲେ ନୈମିଷା ଗହନେ ।୧୦୪ ।

 

କାଣ୍ଡ ଗୃହେ ଶୋହେ ବାଳା ଉଚିତ ।

ଏହି ଉପମା ଜାତ ହୋଏ ଚିତ୍ତ ।୧୦୫ ।

 

କରି ସଂକଳ୍ପ ସେ ସାତଦିନକୁ ।

କରେ କି ରତିଦେବୀ ପୂଜନକୁ ।୧୦୬ ।

 

ସାତଦାପ ହିଁ ହୋଇଛି ଦୀପିତ ।

ସାତକୁମ୍ଭ କୁମ୍ଭ କୁଚ ସ୍ଥାପିତ ।୧୦୭ ।

 

ଶ୍ରୁଚ ଶ୍ରୁବ ରୋମାବଳୀ ନାଭି ତା ।

ଜଘନ ତା ହେମଦେବୀ ଶୋଭିତା ।୧୦୮ ।

 

ଉରୁ ସୁଚାରୁ କଦଳୀ କାଣ୍ଡରେ ।

ଶୋଭା ବରାଙ୍ଗୀ ଆହୁତି କୁଣ୍ଡରେ ।୧୦୯ ।

 

ଦୀପ୍ତ ଶ୍ରବଣ ତାଟଙ୍କ ଆଳତୀ ।

ବକ୍‌ତ୍ର ବିକାରକୁ କରି ଚଳନ୍ତି ।୧୧୦ ।

 

ଯହିଁ ବରଣ ବ୍ରାହ୍ମଣ ସଂଚାରୀ ।

ମନ୍ତ୍ର ମଙ୍ଗଳଗୀତକୁ ଉଚ୍ଚାରି ।୧୧୧ ।

 

ନିଃସଂଶୟରେ ଏ କଥା ଉଦୟ ।

ପଶୁ ହୋଇବେ ଯୁବା ସମୁଦାୟ ।୧୧୨ ।

 

ସିଦ୍ଧ ହେବ ଏହି ବାଞ୍ଛା ତାହାର ।

ଆଉ ବଲ୍ଲଭୀ ନୋହିବ ନାହାର ।୧୧୩ ।

 

ଭିକ୍ଷୁ ନାପିତ ରଜକ ଉଲ୍ଲାସେ ।

ପୂର୍ଣ୍ଣସ୍ନାନ ସାରି ଦାନ କଲା ସେ ।୧୧୪ ।

 

ଦିବ୍ୟ ତଇଳ ତଣ୍ଡୁଳ ଅମ୍ବର ।

ଅବଶେଷେ ପକାଇଲେ ସମ୍ବର ।୧୧୫ ।

 

ବେଶ କରି ସାରି ନୃପନନ୍ଦନନା ।

କରାଇଲେ ରବି ଅର୍ଘ୍ୟ ବନ୍ଦନା ।୧୧୬ ।

 

ବେଶ କହିବାକୁ ଆଗ ଦିଶିଲା ।

ନେତ୍ରାଞ୍ଜନ ବିବେକକୁ ଧ୍ୱଂସିଲା ।୧୧୭ ।

 

ଏଣୁ ଉପମାଗଣ ଅନୁକୂଳ ।

ଅଭଦ୍ରତା ଭଜି ହେଲେ ଆକୁଳ ।୧୧୮ ।

 

ପୁଣି ଇଷ୍ଟଦେବୀ ନିଜ ମାତାଙ୍କୁ ।

ନିଉଛାଳି ଯେ କରାଇଲେ ତାଙ୍କୁ ।୧୧୯ ।

 

ଏଥି ଉତ୍ତାରେ ଜ୍ୟୋତିଷ କୁମାରୀ ।

କରଯୋଡ଼ି କହେ ଭୋ ସୁକୁମାରୀ ।୧୨୦ ।

 

ହେଲି ମେଲାଣି ବରଭୁବନରେ ।

ଏକା ଥିବା ଦିବ୍ୟ ଅବଧାନରେ ।୧୨୧ ।

 

ଜେମା ବାସ ଅଳଙ୍କାର ଅପାର ।

ସ୍ନେହବାଣୀ କହି ଦେଲା କୃପାର ।୧୨୨ ।

 

ପଢ଼ା ଶୁକ ଗୋଟିଏ ସେହୁ ମାଗି ।

ସ୍ନେହେ ଦତ୍ତ କଲା ତାହା ହେମାଙ୍ଗୀ ।୧୨୩ ।

 

ଗଲା ସେ ନାରୀ କର୍ଣ୍ଣାଟ ଦେଶକୁ ।

ଶୁକ ଆସିବ କର୍ମ ଉଦ୍ଦେଶ୍ୟକୁ ।୧୨୪ ।

 

କାନ୍ତି ଗନ୍ଧଫଳୀ ବଳି ଝଳିତ ।

ଯେ କର୍ବୁରକାନ୍ତି ଗର୍ବ ଦଳିତ ।୧୨୫ ।

 

ଭାବି ସୀତା ରାମ ପାଦସାରସ ।

ଉପଇନ୍ଦ୍ର ବୀରବର ହରଷ ।୧୨୬ ।

 

ଚତୁର୍ଥ ଛାନ୍ଦ

ଲାବଣ୍ୟବତୀକୁ ବେଶ କରିବା

(ରାଗ-ଚିନ୍ତା ଦେଶାକ୍ଷ-ରସକୋଇଲା ବାଣୀ)

 

ଏଥୁଅନ୍ତେ ଶୁଣ ରସିକ ଜନେ । ଦିନେ ବିଚାର କଲେ ସଖୀମାନେ ।

ଆମ୍ଭ ସଜନୀ ଯେ ସୁନ୍ଦରୀସାର । ନାହିଁ ନଥିଲା ନୋହିବ ସଂସାର ।

ପୁଣି ତ ଶୋଭା ବୟସେ ଯେ ।

ଆମ୍ଭ ଲୋଚନକୁ କବି ବଚନକୁ ପବିତ୍ର କରିବା ବେଶେ ଯେ ।୧ ।

 

ଏମନ୍ତ ଭାବି ଜଣାଇଲେ ଯାଇଁ । ଜନନୀ ତର୍ଜିଲେ ଆଜ ଡକାଇ ।

କି କର ତୁମ୍ଭେ ଜେମା ପାଶେ ଥାଇ । ସୁବେଶ ନୀତି ନ କର କିମ୍ପାଇ ଗୋ ।

କେ ଜାଣେ କାହା ମାନସ ଗୋ ।

ତୁ ମନେ କରିଛୁ ଭୂଷଣ ଭୂଷା ମୁଁ କାହିଁକି ହୋଇବି ବେଶ ଗୋ ।୨ ।

 

ରସ ବିଷୟ ଶ୍ରବଣ କରିବା । ବନ୍ଧ ପଟଳ ପଟକୁ ଚାହିଁବ ।

ଦିବ୍ୟ ଅଳଙ୍କାରେ ମଣ୍ଡନ ହେବା । ଏବେ କଥାରେ ବଶ୍ୟହୋନ୍ତି ଯୁବା ।

ଶୁଣି ସୀଉକାର କରି ଯେ ।

ବ୍ୟାଧିବନ୍ତର ବାଞ୍ଛିତ ଉପଚାର ବୈଦ୍ୟ ବିହିଲାର ପରି ଯେ ।୩ ।

 

ଭଙ୍ଗୀରୁ ଜାଣିଲେ ସଙ୍ଗିନୀବ୍ରାତ । ହେଲା କୋମଳ ଅଙ୍ଗୀ ଅଙ୍ଗୀକୃତ ।

ତାଙ୍କ ନୟନ ବିକାରରୁ ଜାଣି । ଚତୁରୀ ପରିବାରୀମାନେ ଆଣି ଯେ ।

ଚାଙ୍ଗୁଡ଼ି ଭୂଷଣ ପେଡ଼ି ଯେ ।

ଯତନ ରତନ ମଣ୍ଡନ ବସନ ବାଛିଲେ ସଜନୀ ଫେଡ଼ି ଯେ ।୪ ।

 

ମଞ୍ଜୁବିଦ୍ୟୁରାଜି ପରାୟେ ରାଜି । ଚାହିଁଲେ ନୟନ ହୋଇବ ବୁଜି ।

ଅଳକାକୋଷେ ଥିବା ଅବା ତୁଲ୍ୟ । ହେଜି କରିବ ଧାତା ଅବା ମୂଲ୍ୟ ସେ ।

ଏ କାଳେ ସଜାଡ଼ି ଆଣି ଯେ ।

ଫୁଲ ଚାଙ୍ଗୁଡ଼ି ଚିତ୍ରକ ପେଡ଼ି ଫେଡ଼ି ସୁବାସ ତଇଳ ପୁଣି ଯେ ।୫ ।

 

ସଜବିଧି ସଜ ସଜନୀ ଦେଖି । ଆସନେ ବସାଇ ପ୍ରସନ୍ନମୁଖୀ ।

ଆଗ ଦେଖାଇଲେ ମୁକୁର ମାଜି । ହାରି ନିର୍ମଳେ କି ଶରଣ ଭଳି ସେ ।

ଫେଡ଼ିଲେ କୋମଳ ବାଳ ଯେ ।

ବେଗରେ ତଇଳ ଯୋଗରେ ଶଇଳସ୍ତନୀୟେ କଲେ କୋମଳ ଯେ ।୬ ।

 

ଚରମେ ପଡ଼ି ମନୋରମ ଦିଶେ । ମଧ୍ୟେ କି ନିଶି ଦିନ ଦୁଇପାଶେ ।

ପ୍ରଭା ବୃଦ୍ଧି ଦେଖି ମୁଖଚନ୍ଦ୍ରର । ପଳାଇ ଯାଉଛି କି ଅନ୍ଧକାର ସେ ।

ସଖୀଏ ଜାଣନ୍ତି ବିଷେ ଯେ ।

ଚାମର ମୟୂର ପୁଚ୍ଛ ଯା ଚାଲନ୍ତି ନିଉଛାଳୁଛନ୍ତି କେଶେ ଯେ ।୭ ।

 

ମର୍ଦ୍ଦଳାକାର କଙ୍କତିକା ଝଳି । କାଙ୍ଗୁଲା କମ ସୁଷମା ପିତୁଳି ।

ସୁସଞ୍ଚ ଘଞ୍ଚ ଦଶନ ଆବଳି । ଗଳିବ କି ନାହିଁ କୁନ୍ତଳ ଭାଳି ସେ ।

ଆଳି ଖଡ଼ିକା ଗଳାଇ ଯେ, ।

ନଖେ ଟଙ୍କାରି ଦେଲେ ବେଶକାରୀକି ଦେଲା କେଶ କୁଣ୍ଡିଆଇ ଯେ ।୮ ।

 

ମାଙ୍ଗ ଭାଙ୍ଗ ରଖି ଉତ୍ତମାଙ୍ଗରେ । ଆୟତ୍ତ କରି ସାମଳିଲା ଧୀରେ ।

କରେ ଧରି ମୂଳେ ଭିଡ଼ା ଭିଡ଼ନ୍ତେ । ଅଦ୍ଭୂତ ଉପମା ଜନ୍ମିଲା ଚିତ୍ତେ ସେ ।

କି କୋକନଦ ମଧ୍ୟରୁ ଯେ ।

ସ୍ରବୁଛି କାଳିନ୍ଦୀ ଦ୍ରବୁଛି ଶୃଙ୍ଗାର ହା ହା ସେ ଅତ୍ୟନ୍ତ ଚାରୁ ଯେ ।୯ ।

 

ରଙ୍ଗଭଣ୍ଡି ଭରି ଦିବ୍ୟ ଜୁଡ଼ାକୁ । ସଜାଡ଼ିଲେ ଯୁବା ଜ୍ଞାନବୁଡ଼ାକୁ ।

ତମ ବିଦାରି କି ହୋୟେ ବାହାର । ପ୍ରଭାତେ ପ୍ରଭାବନ୍ତ ପ୍ରଭାକର ସେ ।

ବେନି ବିଧି ପାଶ ସିଦ୍ଧି ଯେ ।

ଯୋଗୀଜନ ମନ ମୃଗ ବନ୍ଧନେ କି କଲେ କିଆପତ୍ରୀ ବାନ୍ଧି ଯେ ।୧୦ ।

 

ସିନ୍ଦୂର ଗାର ସୀମନ୍ତରେ ଦେଲେ । ବିଧୁନ୍ତୁଦକୁ ବିଧୁ ହାଣିଥିଲେ ।

ଶୁଖି ନାହିଁ କି ସେ ରଥାଙ୍ଗ ଘାତ । ଆଜ ହୋଇଛି ରକତ ବ୍ୟକତ ସେ ।

ସେ କ୍ଷତ କ୍ଷତଜ ଚାହିଁ ଯେ, ।

ଲାଳସେ ଆଶେ ବଦନ ବିଧୁ ପାଶେ ନ ଗରାସେ ଭୟ ପାଇ ଯେ ।୧୧ ।

 

ଜ୍ୟୋତି ମୋତି ମଥା ଜାଲି ମଣ୍ଡିଲେ । ମଣ୍ଡିଲେ ନାହିଁ ଧଇର୍ଯ୍ୟ ଖଣ୍ଡିଲେ ।

କି ନୀଳମଣି ଧରଣୀରେ ଆସି । ଗବାକ୍ଷେ ଗଳି ପ୍ରକାଶିତ ଶଶୀ ଯେ ।

ଜୁଡ଼ା ଜାଲି ଏ ସଦୃଶ ଯେ ।

ଶ୍ୟାମଳ କମଳ କଳୀରେ କଲା କି ସେ କ୍ଷଣ ସୁଧା ବରଷା ଯେ ।୧୨ ।

 

ତାରତରେ ଚନ୍ଦ୍ରଝୁମ୍ପି ଖଞ୍ଜିଲେ । ଖଞ୍ଜିଲେ କି ଅବା ମନ ରଞ୍ଜିଲେ ।

ନବଘନରେ କି ଯାଉଛି ପଶି । ଏଣୁ ଅର୍ଦ୍ଧଚନ୍ଦ୍ର ରୁଚିର ଦିଶି ସେ ।

ନୀଳ ପୀତରଙ୍ଗ ଫୁଲେ ଯେ ।

ଗଭା କଲେ ଶୋଭା ଇନ୍ଦ୍ରଧନୁ ପ୍ରଭା ଉପମେୟ ତାହା ତୁଲେ ଯେ ।୧୩ ।

 

ବକ୍ର ଡଉଁରା ହେମ ଦୁବଝରା । ଦେବାର ଦିଶିଲା ଏମନ୍ତ ପରା ।

କାମ ଯମୁନା ଜଳକେଳି ଇଚ୍ଛି । ସୁବର୍ଣ୍ଣନାବ କ୍ଷେପଣୀ କରିଛି ସେ ।

ଦୁବ ଯା କମ୍ପିଲା ହୋଇ ସେ ।

ଠାରେ କି ନାକ ନାଗ ନଗରେ ଏ ସମାନେ ଶୋଭା ନାହିଁ ଯେ ।୧୪ ।

 

ସହଜେ ତ କର୍ବୁରିତ ଅଳକା । ପକାଇଲେ ଭୃଙ୍ଗ ଶ୍ରେଣୀରେ ଡକା ।

ଦମ୍ଭ ଆରମ୍ଭ ବିନାଶ ଆମେ । ମଞ୍ଜୁଳ କଲେ ଅବତଂସ ଶେଷେ ।

ଏମନ୍ତ ଚିତ୍ତରେ ଭାଳି ଯେ ।

ମର୍କତ ନଳୀରୁ ବାହାରି ଯାଉଛି କି ଅତି ଜ୍ୱଳିତ ଗୁଳି ଯେ ।୧୫ ।

 

ଅଳକା ଉର୍ଦ୍ଧ୍ୱେ ଝିଲିମିଲି ମାଳୀ । ଝଟକେ ଛଟକେ ଖଞ୍ଜିଲେ ଆଳୀ ।

ଏମନ୍ତ ଅଦ୍ଭୁତ ନ ଥିଲା ଦେଖା । ବିନା ମେଘରେ ସ୍ଥିର ବିଦ୍ୟୁରେଖା ।

ପାଶରେ ଧାଡ଼ିଏ ତାହାଯେ ।

ଇଚ୍ଛାରେ ନେତ୍ର ବନ୍ଦୀ ହେବ ମଣ୍ଡିଲା ଅନଙ୍ଗ ବିଚିତ୍ର କାରା ଯେ ।୧୬ ।

 

ଲଲାଟପଟ ଅର୍ଦ୍ଧଚନ୍ଦ୍ର ପରି । ମୃଗମଦ ତହିଁ ତିଳକ କରି ।

ରାହୁ ବାଦ ଇଚ୍ଛି ନିଶାନାୟକ । ଭିଆଇ ଆଣି ଆଢ଼େଣୀ ସାୟକ ସେ ।

ରହିଛି ସଂଯତ ହୋଇ ଯେ ।

ଅଳକା ନିୟମ ସୀମାକୁ ଲଂଘିଲେ ହାଣିମ ସଂଶୟ ନାହିଁ ଯେ ।୧୭ ।

 

କର୍ଣ୍ଣେ ତାଟଙ୍କ ମଣ୍ଡଳେ ବିଚାରି । କବି ଗୀଷ୍ପତି ନାମୁଁ ଆଣି ଧରି ।

ଜୀବ ଭାର୍ଗବକୁ ବାନ୍ଧିଲା କି ସେ । ଆନନ ବେନିପାଶେ ବେନି କି ସେ ।

ନେତ୍ରାନ୍ତେ କରେ ତର୍ଜନ ଯେ ।

ଶ୍ରୁତିରେ ଉପମା ନାହିଁତ ବୋଲନ୍ତି ତୁମ୍ଭେ କର କି ବର୍ଣ୍ଣନ ହେ ।୧୮ ।

 

ରତନ ଫୁଲ ଅତିହିଁ ଯତନ । ଝଲକେ ଝଲକାଏ ଅନୁମାନ

ହର ମାରକୁ ଭସ୍ମ କରିଦେଲା । ଏ ତା ଛତ୍ରକ ରତିଠାରେ ଥିଲା ସେ ।

କିଣି ଶୋଭାରେ ତାହାକୁ ଯେ ।

ଲୋକେ ବଡ଼ାଇ ଜାଣିବାକୁ ଛଡ଼ାଇ ମଣ୍ଡନ କଲେ ଏହାକୁ ଯେ ।୧୯ ।

 

ମଲ୍ଲୀକଢ଼ିତ ପରଂପରା କହି । ମଣ୍ଡିଲେନି ଖଞ୍ଜା ପରା ସେହି ।

ଖଞ୍ଜିଲେ ସଜନୀ ଏହି ବିବେକେ । ଭୁଲନ୍ତୁ ପୁଂସ ମନ ଚଞ୍ଚରୀକେ ଯେ ।

ତହିଁ କେ ପଡ଼ିବ ପୁଣି ଯେ ।

ବାଳୀ ବୋଲି ବାଳୀ ଗୁପତ ଶାଙ୍କୋଳି ପାଶରେ ରଖିଲା ଆଣି ଯେ ।୨୦ ।

 

ନେତ୍ର ବାଣ ଭୂରୁ କମାଣ ଯୋଗେ । ମରମକୁ ଭେଦେ ବିନା ପ୍ରୟୋଗେ ।

ଯାହା କଜ୍ୱଳ ଶାଣ ତହିଁ ଦେଲେ । ଆଉ କି ସଖୀ ସୃଷ୍ଟି ରଖିଥିଲେ ଯେ ।

ବଡ଼ ବିଜ୍ଞା ସୁକୁମାରୀ ଯେ ।

କୁତ୍ସିତ ଜନକୁ ଏ ଶସ୍ତ୍ରେ ମାରିବି ନ ବିନ୍ଧେ ଏହା ବିଚାରି ଯେ ।୨୧ ।

 

ଶ୍ରାବଣକୁ ଯାହା ଲାଞ୍ଜଲାଗିଛି । ସେ କି ଆଖିକି ଡାକି ଶିଖାଉଛି ।

ବ୍ରହ୍ମହତ୍ୟା ହେବ ଧାତା ବଧରେ । ତୋ ଅରି କୁରଙ୍ଗ ହରତ ଧରେ ସେ ।

ପାରିଲେ ତାହାକୁ ମାର ଯେ ।

କାହିଁଛି କାହିଁଛି ବୋଲି ଖୋଜିବାରେ ଚଞ୍ଚଳ ଗତିକି ତାରେ ଯେ ।୨୨ ।

 

ଘୋଣାରେ ଦେଲେ ମୋତି ନାକଚଣା । ଠିକଣା କଲି ଏ ଉପଲକ୍ଷଣା ।

ମାରିନେବ ମନ ମୀନ ଓଟାରି । ଥୋପ ଲଗାଇ କି ବଡ଼ଶୀ ଧରି ସେ ।

ପୁଟକେ ମାଣିକ୍ୟ ଗୁଣା ଯେ ।

ଝଟକେ କି ଦେଶେ ଅନଳ ଜ୍ୟୋତି ସେ ଛଟକେ କରୁଛି ବଣା ଯେ ।୨୩ ।

 

ଗଣ୍ଡେ ଚାଣ୍ଡେ କରି ମକରୀ ଝଳି । ମୁକୁରେ ବିମ୍ବେ କି ତମାଳବଲ୍ଲୀ ।

ଚିବୁକେ ଭ୍ରମରୀ ଓଷ୍ଠ ବନ୍ଧକୁ । ମଧୁ ନ ପିଏ କି ଏହି ବିବେକୁ ସେ ।

ନାସା କୀର ଅଛି ଝାମ୍ପି ଯେ ।

ବିମ୍ବ ହୋଉଥିଲେ ଜମ୍ବୁ ଭାବି ମୋତେ ନ ପୁଣ ଚଞ୍ଚୁରେ ଚାପି ଯେ ।୨୪ ।

 

କଣ୍ଠେ ଦିଅନ୍ତେ ମୋତି ଚାପସରି । ରହିଲେ ଉପମାଏ ଅପସରି ।

କି କମ୍ବୁ ଜିଣିଲା ଯଶ ପ୍ରକାଶ । ମତ୍ତ କପୋତେ କି କରୁଛି ହାସ ସେ ।

ଯୋଡ଼ି-ମାଳି କାଚମାଳିରେ ।

ଆଉ ମାଳିଆଳି କେତେକ କହିବା ଯେତେକ ମଣ୍ଡିଲେ ଆଳି ଯେ ।୨୫ ।

 

ଫୁଲ ଲମ୍ବି କଲା ଚରମ ଶୋଭା । ଖେଳାଇବା ପାଇଁ ଭରମ ପ୍ରଭା ।

ଶରମେ କାମ କି ମଣ୍ଡନ କଲା । ନୀଳରଙ୍ଗ ପୀତବର୍ଣ୍ଣ ଶୋଭିଲା ସେ ।

ବିଚିତ୍ର ଦୃଷ୍ଟି ପ୍ରକଟି ଯେ ।

କି ଇନ୍ଦୀବର ଶୋଣକଞ୍ଚ କୁମୁଦ ନିର୍ଜନ ନଦୀରେ ଫୁଟି ଯେ ।୨୬ ।

 

ରୋମାବଳି କର ଅଛି ପ୍ରସାରି । ଯଉବନ ଗଜ କୁଚ ଅମାରୀ ।

ଚୋଳ ଘୋଡ଼ଣୀ କି ମଣ୍ଡିଣ ଦ୍ୱାରା । ପ୍ରବାଳମାଳା କି ବଉଳଝରା ସେ ।

ପଦକ ମାହୁନ୍ତ ସ୍ଥାନୀ ଯେ ।

ଧନ୍ୟ ଧନ୍ୟ ରାମା ସୁଷାମା କଲେ ତା ଏଡ଼ି ଉପମାକୁ ଘେନି ଯେ ।୨୭ ।

 

ବାହୁଟିସାର ଭାବି ଦେଲେ ତହିଁ । ଜ୍ଞାନ ତାଡ଼ନକୁ ତାଡ଼କୁ ବିହି ।

ଅତୁଲ୍ୟ ଠାରେ ମଣିବନ୍ଧ ପଛେ । ଅତୁଲ୍ୟ ମଣ୍ଡିଲେ ଅତ୍ୟନ୍ତ ସ୍ୱଚ୍ଛେ ସେ ।

ଦେଲେ ମରକତ ଚୁଡ଼ି ଯେ ।

କରଚମ୍ପା ଦାମ ଭ୍ରମରେ ଭ୍ରମରେ କି ଅବା ଜଡ଼ି ଯେ ।୨୮ ।

 

ସଖୀମାନେ ପାଞ୍ଚ ଅଙ୍ଗୁଳ ଚାହିଁ । କଲେ ପାଞ୍ଚ ପାଞ୍ଚ ନାରାଚ ଏହି ।

ପଞ୍ଚ ନାରାଚ ଭସ୍ମ ହେଲା ଦିନ । ଥୋଇଲା କି ଦେଖି ଏ ରମ୍ୟସ୍ଥାନ ଯେ ।

ଭେଦିବ ପଞ୍ଚ ମନକୁ ଯେ ।

ପଞ୍ଚରତ୍ନ ଦେଇ ପୂଜା କରିବା କି ବୋଲି ମୁଦି ଦେଲେ ତାକୁ ଯେ ।୨୯ ।

 

ହରିତାଳି କାଳୀ ଘେନି ବନିତା । ପଦ ଉପରେ ଉକୁଟିଲେ ଚିତା ।

ସୁନା କଚ୍ଛପ ବିଧି ବିରଚିତା । ଫୁଙ୍କିଲେ ତହିଁ ମରକତ ମୀନା ସେ ।

ବେଢ଼ରେ ସରୁ ଅଳତା ଯେ ।

ପାଟସୂତ୍ର ଫାନ୍ଦେ ଫାନ୍ଦିଲା ତାହାକୁ କିବା କଉତୁକୀ ଧାତା ଯେ ।୩୦ ।

 

ହଂସକ ଯାହାକୁ ଖଞ୍ଜିଳେ ପାଦେ । ହଂସକୁ ଏମନ୍ତ କହିବ ନାଦେ ।

ଇଚ୍ଛାରେ ତ ସମ ନୋହି ଗତିକି । ଭୀତି ତ ଲଭିବ କିଛି ଏଥିକି ସେ ।

ତୁମ୍ଭେ ତ ପୋଷିଲା ପକ୍ଷୀ ଯେ ।

ଅକ୍ଷି ନଥିବାର ମିତ୍ରେ ଲକ୍ଷିବାକୁ ତୁମ୍ଭର କି ଦୋଷ ଅଛି ଯେ ।୩୧ ।

 

ବଳା ପାଦେ କିଛି ଅବଳା କେହି । ଏହି ବିଚାରେ କି ଖଞ୍ଜିଲେ ସହୀ ।

ହୋଇଅଛି ପୁଣି ଅତି ଝମକ । ଯୁବା ଚେତନା ଚମକ ଟମକ ସେ ।

ମଞ୍ଜିରେ ମଞ୍ଜୁ ମଞ୍ଜୀର ଯେ ।

ତ୍ରିପୁର ତ୍ରିପୁରପର ଆତୁରକୁ ସ୍ମର କି ସାଜିଲା ତର ଯେ ।୩୨ ।

 

ଛଡ଼ାଇବ ସେ ଝିଙ୍କାରୀ ଝଙ୍କାର । ବଢ଼ାଇବ ପୁଣି କାମ ବିକାର ।

ପ୍ରପଦେ ଦେଲେ ଝୁଣ୍ଟିଆ ବାଜେଣୀ । ନ ଜାଣି କାହିଁକି ଏଡ଼େ ସାଜେଣୀ ସେ ।

ସହଚରୀ ହୋଇ ଲୋଭା ଯେ ।

ଶାଢ଼ି ପାଲଟିବା ପାଇଁ ସେ ଅବନୀ ଶୋଭା କରାଇଲେ ଉଭା ଯେ ।୩୩ ।

 

ବାହାର କଲେ ନୀଳ ଝୀନ ଶାଢ଼ି । ସିନ୍ଦୂର ଧଡ଼ି ଫୁଲ ଲିଙ୍ଗ ପଡ଼ି ।

ରଖିଲେ ରହିବ ମୁଠା ଭିତରେ । ସତେ ରଖିଲେ ବଂଶ ନଳୀରେ ସେ ।

ଉଞ୍ଚିଲେ କୁଞ୍ଚିଲେ ସଖୀ ଯେ ।

ବାଳା ବଳା ଆଞ୍ଚି କାଛି ପିନ୍ଧାଇଲେ ଉପମାଏ ରୁଣ୍ଡ ଦେଖି ଯେ ।୩୪ ।

 

ଉରଜେ ପଡ଼ି ମୋହିଲା ନେତ୍ରକୁ । ମୁଦି ଥୋଇଲା କି କଳାଛତ୍ରକୁ ।

ସ୍ପୀତ ଦୁଇ ଲୁଚି ରୁଚି ଦିଶିଲା । ଯନ୍ତ୍ରତୁମ୍ବୀକି ନୀଳକସ କଲା ସେ ।

ତ୍ରିକୋଣ ଚେଳ ଜଘନେ ଯେ ।

ରୋମାବାଳୀଦଣ୍ଡ ମଣ୍ଡନ ଚିରାଳ ପରାୟ ପରତେ ମନେ ଯେ ।୩୫ ।

 

ନିବିଡ଼ ନୀବୀ ଛବି ଗଲା ଜଣା । କାମ ମନ୍ଦିର ଜାଗ୍ରତକୁ ଠଣା ।

ରଞ୍ଚିଲେ କୁଞ୍ଚା ଆଗେ ଲମ୍ବିପଡ଼ି । ଜାଣେ ମଦନ ଯାଉଥିଲା ପୋଡ଼ି ସେ ।

ଜୀବ ଦେବ କରେ ଶାନ୍ତି ଯେ ।

ଯୁବାଙ୍କ ଅଧୋଗତିକି ବିଚାରି ତେମନ୍ତ ଏ ଧୂମପନ୍ତି ଯେ ।୩୬ ।

 

ବାଜିବା ବେଳକୁ ଯେଉଁ ରସନା । ଯୋଗୀକି ବୋଲିବ ଯୋଗେ ରସନା ।

ଯୋଗୀଙ୍କି ବୋଲିବ ଯୋଗୀରେ ରସ । କଳା କେଳିରେ ନ ଲଭି ବିରସ ସେ ।

ଭାବି କେଶରୀ କଟୀକି ଯେ ।

ଅତି ହରଷରେ ବାନ୍ଧିଲେ ବାନ୍ଧବୀ ବାଜେଣୀ କ୍ଷୁଦ୍ର ଘଣ୍ଟିକି ଯେ ।୩୭ ।

 

ଭୁଞ୍ଜାଇଲେ ତହିଁ ଉତ୍ତାରୁ ପାନ । ଏକେ ଅଧର ଦୂଜେ ପରସନ୍ନ ।

ବିଦ୍ରୂମ ଉପି ରଙ୍ଗାଇଲେ ପୁନ । ଅରୁଣ କଲା କି ସିନ୍ଦୂର ସ୍ନାନ ସେ ।

ଶ୍ରୀକରେ ମୁକୁର ଦେଇ ଯେ ।

ହେଲା କି ନୋହିଲା ବୋଲି ପଚାରିଲେ ରମଣୀ ହସିଲା ହୋଇ ଯେ ।୩୮ ।

 

ଘୋଡ଼ାଇଦେଲେ ଯେ ଜରି ଘୋଡ଼ଣୀ । ଶମ୍ପାରେ ଆଚ୍ଛାଦିତ ନୀଳମଣି ।

ରୋପଣ ଚିତ୍ର ଅତୁଳ ପିତୁଳା । କେ କଲା କର କେହି ସ୍ଥିରହେଲା ସେ ।

ଅକ୍ଷୀ ପକ୍ଷୀ ଅଠାକାଠି ହେ ।

ଘୋଡ଼ାଇ ଦେଲେ କି ଏହି ଭାବନାରେ ଦିନା କେତେ ଆଉ ସୃଷ୍ଟି ଯେ ।୩୯ ।

 

ହିରଣ୍ୟ ତନୁରେ ଯେ କ୍ଷତକାରୀ । ଦାସବତ୍ସଳ ରାମ ନରହରି ।

ଧନେ ଅର୍ଜିତ ଅଘ କରି ହତ । ଉପଇନ୍ଦ୍ର ବୀରବର ରଚିତ ଯେ ।

ରସିକ ସିନ୍ଧୁକୁ ଛାନ୍ଦ ଯେ ।

କବି ସେ ଜାଣିମେ ଯେତେ ଶ୍ରମ ଏଥି ଏ ବେଶପେଶଳ ଛାନ୍ଦ ଯେ ।୪୦ ।

 

ପଞ୍ଚମ ଛାନ୍ଦ

ଲାବଣ୍ୟବତୀର ପୁଷ୍ପବାଟିକା ଭ୍ରମଣ

(ରାଗ-ବସନ୍ତ)

 

ଏହି ସମୟରେ ସୁନ୍ଦରୀ ଛାମୁରେ ପ୍ରଭାମଞ୍ଜୁଳା ଜଣାଇଲା ।

ଅତି ମଧୁର ମଧୁଋତୁ ପ୍ରବେଶ କିଛିଦିନ ହେଲା ହୋଇଲା ।

ଶ୍ରବଣ, କରିନାହୁଁ ନବକାମିନୀ ।

ପିକବଚନେ ପୁନଃ ପୁନଃ ପ୍ରକାଶ କଲାଣି ଅନ୍ଧାର ଯାମିନୀ ।୧ ।

 

ମଳୟ ଶିଖରୀ ଶିରୀ ଚୋରିକରି ବହିଲାଣି ମନ୍ଦସମୀର ।

ସୁମନାକୁ ବାସ ଚୋରାଇ ନେବଟି ବୋଲି କହିଲାଣି ଭ୍ରମର ।

କେଶର, କେଶରେ ହେଲାଣି ମଞ୍ଜୁଳ ।

କେଶରେ ମଣ୍ଡନ କରିବା ଭଳିରେ ଫୁଟିଲେଣି କେତେ ବଞ୍ଜୁଳ ।୨ ।

 

ମଲ୍ଲୀ ମାଧବୀ ମକରନ୍ଦ ସାଧବୀ ହେଲେଣି ବାନ୍ଧବୀ କାନନେ ।

ତୁଷାର ନାଶ ଚାହିଁ ହାସ ପ୍ରକାଶ କଲେଣି ପଙ୍କଜ ଆନନେ ।

ହେଲାଣି, ଚଚ୍ଚର୍ରୀ ପ୍ରକଟ କଟକେ ।

ଅତନୁ ଫୁଲର ବିଶିଖ କାର୍ମୁକ ଘେନି ତର୍କିଲାନି କାମୁକେ ।୩ ।

 

ଦୋଳା ଲୀଳା ସରିଗଲାଣି ହରିର ଶରୀର ହେଲାଣି ସ୍ୱେଦକୁ ।

ଚନ୍ଦନ କର୍ପୂର ସୁଧାଲେପ ପୁର ବ୍ୟଜନ ବଢ଼ାଇ ମୁଦକୁ ।

ଚତୁରି, ଜାଣି ନଥିବୁ ତୁ କିପାଇଁ ।

ଅଭି ଅଭିରାମ ଆରାମ ଦେଖିବା ବିଜେ କରିବାକୁ ଜଣାଇଁ ।୪ ।

 

ସଜନୀ ନିକର ଜାଣି ସୀଉକାର ମାର୍ଗ ପରିଷ୍କାର ରଚିଲେ ।

ଅମଳ କମଳ କୋମଳ ଚରଣ ପୀଡ଼ା ନୋହିବାକୁ ପାଞ୍ଚିଲେ ।

ପନିରେ, ଗନ୍ଧସାର ଗୋଳି ସିଞ୍ଚିଲେ ।

ଯୁବତୀ ସେବତୀ ପାଖୁଡ଼ା ମିଶାଇ ଘନସାର ଚୁରି ବିଞ୍ଚିଲେ ।୫ ।

 

ଝିରି ପରିଖ ବିଞ୍ଚଣା ପାନମୁଣା ସଜନୀ ସଜାଡ଼ିଲେ ତହିଁ ।

ମନ୍ତ୍ରୀନନ୍ଦନା ଜଗତବନ୍ଦନାକୁ କରଭର ଦେଇ ଉଠାଇ ।

ସୁନ୍ଦରୀ, ସୃଷ୍ଟି ରାଜା ରାଜକୁମାରୀ ।

ବିଚାରି ଶ୍ୱେତ ଆତପତ୍ର ଟେକିଲେ ଚାମର ଚାଳନ ପ୍ରଚାରି ।୬ ।

 

କେଉଁ ପ୍ରବୀଣା ବୀଣାକୁ ବଜାଉଛି ଯାଉଛି ପ୍ରତୀତ ହେଉଛି ।

ବନ୍ଧନେ ବନ୍ଧୁର ବୀଥିଟି ଏଥିରେ ସାବଧାନ ଥାଇ କହୁଛି ।

ଗଗନେ, ଜେମାର ମୁଁ ମନେ କରଇଁ ।

ମନମଥର ରଥ ଯାତ୍ରା କି କରୁଛି ପଥ ମନୋରଥ ପରାଇ ।୭ ।

 

ଲଲାଟ ଲପନ ଚାନ୍ଦ ଦରପଣ ଚିକୁର ଚାମର ଯହିଁରେ ।

ତରଙ୍ଗ କୁରଙ୍ଗନୟନ ତୁରଙ୍ଗ କି ରଙ୍ଗ କରଇଁ ତହିଁରେ ।

କଳଶ, ଚକ୍ର କୁଚଶ୍ରେଣୀ ଚଟୁଳ ।

କଟୀମେଖଳା ଘଣ୍ଟି ଯହିଁ ପ୍ରକଟି ଅଞ୍ଚଳ ପତାକା ଚଞ୍ଚଳ ।୮ ।

 

ଶୋଭା ଏ ବିଧିରେପ୍ରବେଶ ସଧୀରେ ପୀନ ସ୍ଥନା ଏ ବିପିନରେ ।

ବୁଲିବା ଖେଳିବା କୁସୁମ ତୋଳିବା ଆରମ୍ଭିଲେ ତୋଷମନରେ ।

ତହିଁରେ,ଛଳ ଉକ୍ତିମାନ କହିଲେ ।

ଶୁଣି ପରଭୃତ ଚକିତ ସ୍ଥକିତ ମୁନିବିଭୁତିକି ବହିଲେ ।୯ ।

 

କହେ ଏକ ନାରୀ ବିଶେଷ ସୁନାରୀ ଏ ଦେଶରେ ବାସ କରିଛି ।

ଭୃଙ୍ଗ କିଂପୁରୁଷ ଚଞ୍ଚଳମାନସ ଏଥି ଥଥି ପୁଣି ଯାଉଛି ।

ତହିଁକି, ଝଳି, କହିଲା କେଉଁ ଭୀର ।

ମହା ବିବେକୀ ହୋଇ ତୁହି କିମ୍ପାଇ ମଧୁପ ନାମକୁ ବିସ୍ମରୁ ।୧୦ ।

 

ଏକକୁ ଚାହିଁ ଆରେକ ସଖୀ କହି ନିକଟେ ନାଗେଶ୍ୱର ମୋର ।

ବୋଇଲା ହୋଇ ଥାଇଟି ନାଗେଶ୍ୱର ସୁଚପର୍ଣ୍ଣରେ କର ଆଦର ।

ସେ ଛଳେ, ଚିହ୍ନିଲା ନାଗେଶ୍ୱର କହ ।

ସୁମନାଭୂଷଣ ଦମ୍ପତି ପାଇବ ତାପରେ ଯାଇଣ ଆରୋହ ।୧୧ ।

 

କେ କାହାକୁ କହେ ମୋଠାଇଁ ସଖୀ ରଖିଥିବ ଏକା କରୁଣା ।

ଦେବବଲ୍ଲଭକୁ ଲଭିବାରୁ ତୋତେ ବିଧାତା କଲାଣି ଫୁରୁଣା ।

ସେ ଶୁଣି, ବୋଇଲା ଏକଥା ଛାଡ଼ରେ ।

ଖୋଜିଲେ ନ ପାଇ ମୁଁ ବନ୍ଧୁଜୀବକୁ ପଡ଼ିଲି ବରାହ ଦାଢ଼ରେ ।୧୨ ।

 

କେଡ଼େ ଚାତୁରୀରେ କହେ ସହଚରୀ ମୁଖକୁ ତାହାର ଅନାଇ ।

ବଶ କରବୀରେ ହୋଇଲା ଉତ୍ତାରେ ମଲ୍ଲି ମଲ୍ଲି ହେଉ କିପାଇଁ ।

ସେ ବୋଲେ, ଭଙ୍ଗିରେ ଆଳିକୀ ଚେତାଇ ।

ନିଆଳୀ ହେଲାଣି ଦେଖିଲା ଉତ୍ତାରୁ ପଳାଶ ପାଶେ ଯା ଗମଇଁ ।୧୩ ।

 

କେ କହେ ଅଶୋକ ଲଭିଲୁ ସୁନ୍ଦରୀ କେତକୀ ହେଲାଟି ମୋହର ।

ସେ କହେ ସୁବର୍ଣ୍ଣ କାନ୍ତିହର ସେହି ଘୋଡ଼ାଇ ଯିବୁଟି ଶରୀର ।

ଏ କାଳେ, ଆଉ ଜଣେ ଛଳ ପ୍ରଚାରି ।

ଦେଖାଇ ତରୁ ଛୁରିଅନା ପାଶକୁ ଯିବି କି ନ ଯିବି ପଚାରି ।୧୪ ।

 

ଦେଖରେ ରସାଳ ବିଟପୀ ପ୍ରବାଳ ବକୁଳମାଳରେ ଶୋହିଛି ।

ଶେଭା ବନପ୍ରିୟ ଅବଲମ୍ବନ ଥିଲେ ବହୁତ ରୋଲମ୍ବ ମୋହିଛି ।

ଏମନ୍ତ, ଭବି ବନେ କରୁ ବିଳାସ ।

ଘେନିଣ ଚଚ୍ଚର୍ରୀ ବିଧି ସହଚରୀ ପାରିବାରିକାଏ ପ୍ରବେଶ ।୧୫ ।

 

ଦେଖି ହରଷ ଦୃଷ୍ଟିପାତେ ସାରସଜ୍ଜିତ-ଗତ ରସପଣ୍ଡିତ

କମନୀୟକମ ଚଉତନା ଘେନି କାଞ୍ଚଲାରେ ହେଲା ଶୋଭିତା ।

ବାନ୍ଧିଲା, ଭିଡ଼ି ମଧ୍ୟେ ଶାଢ଼ି ପଣନ୍ତ ।ଫଗୁମୁଣ ।

ଖୋସି ହସିବାର ଚାହିଁ ସଖୀଏ ସାଜିଲେ ତୁରିତ ।୧୬ ।

 

ଉନ୍ମତ୍ତ ମତ୍ତକାଶିନୀ ସଙ୍ଗେ ସଙ୍ଗେ ତରଙ୍ଗେ ଖେଳିଲେ କାମିନୀ ।

ମହୀ ଆକାଶ ଏକ ବେଳେ ପ୍ରକାଶେ କି ଅବା ଅନେକ ଦାମିନୀ ।

କି ଅବା, ତିଳ ପୁଷ୍ପ ଲତା ହେମର ।

ମହା ଅନୁରାଗ ପରାଗବୃଷ୍ଟିରେ ହୋଇ ଅଛନ୍ତି ତତ୍‌ପରେ । ୧୭ ।

 

କଞ୍ଚନ ଖଞ୍ଜନ ଗଞ୍ଜନ- ନେତ୍ରୀକି କେଉଁ ସୁହାଇ ସୁଧାଇଛି ।

ଆଉ ଅସାଧ୍ୟହୋଇ । କେଉଁ ସୃଷ୍ଟିକି ରହିଛି ଧ୍ୟାଇଛି ।

ନାହିଁକି, ଏତକ ବିବେକ ତାହାର ।

କୋଟିଏ ବ୍ରହ୍ମାଣ୍ଡ ଗୋଟିଏ ଭଙ୍ଗୀରେ ଜିଣିବା ଗୁମାନ ଯାହାର ।୧୮ ।

 

ମୁଠାରୁ ଫିଟି ଯିବାର ଏ ପ୍ରତୀତ ଫଗୁ ଖମେଳିବାରେ ଲଳନା ।

ବସନ୍ତରାଜ ବଶକୁ କି କରନ୍ତି ରଙ୍ଗପାଟ ଚେଳ ଚାଳନା ।

ସେ ରଜ, ଯାଇଁ ଶୂନ୍ୟେ ରୁଣ୍ଡ ହୋଇଲା ।

ଅତ୍ୟନ୍ତ ଗୁତିକ ଦିଗପରିବାର ମାଣିକ୍ୟଛତ୍ର କି ଧଇଲା ।୧୯ ।

 

କଙ୍କଣ କ୍ୱଣିତ ଧ୍ୱନିରୁ ମଣ୍ଡିତ ଭୁଜ ଡିଣ୍ଡିମ କି ବୋଇଲା ।

ସ୍ୱଭାବେ, କୁଚ ପୂର୍ଣ୍ଣକୁମ୍ଭ ରାଜିଛି ।

ଚାରୁ ରମଣୀୟ କଲେ ଅବିରଗୁଣ୍ଡରେ ସେ ବନସରଣୀ । ।୨୦ ।

 

ମହୀମହିଳା ଋତୁକାଳ ଲଭିଲା ଏସନ ମାନସକୁ ଆଣି ।

ସେ ଧୂଳି, କାହିଁ ପବନ ଯୋଗେ ଉଡ଼ି ।

ଶୁଭ ସୂଚକ କହି ଜଉତିଷ କି ଯାଉଛି ଶିରେ ବାନ୍ଧି ଶାଢ଼ି ।୨୧ ।

 

ପନର ନୀରେ ନରନ୍ତର ପିଚିକା ଖେଳନ୍ତେ ନୀରରୁହଦୃଶା ।

ମଞ୍ଜୁ ମଞ୍ଜରୀ ଘନରବ ମଧୁର ବସନ୍ତେ କରେ କି ବରଷା ।

ବିଜୁଳି, ପରି ଝଳି ଭୂଷା ରତନ ।

ଅଙ୍ଗରାଗେ ଅନ୍ଧଭୃଙ୍ଗ ଉଡ଼ିପଡ଼େ ହୋଏକି କରକା ପତନ ।୨୨ ।

 

କୁଙ୍କୁମ ପିଚିକା ବାଜି ଜର ଜର ସୁନ୍ଦର ଉରଜ କାହାର ।

କନକାଚଳରୁ କିବା ହରିତାଳ ପ୍ରବାହ ହେଉଛି ବାହାର ।

କର୍ପୂର, ଗୁଣ୍ଡି ମଣ୍ଡିତ କାହାସ୍ତନ ।

ସୁବର୍ଣ୍ଣ ସ୍ୱୟମ୍ଭୁ ଶମ୍ଭୁଯୁଗଳ କି ହୋଇଲେ ଭସ୍ମ ବିଲେପନ ।୨୩ ।

 

କାହା କୁଚ ଫଗୁ ସଙ୍ଗରୁ ସୁସଞ୍ଚ ଏହି ପାଞ୍ଚ ହୋଇ ମାନସେ ।

ହୃଦୟ ସେରାବର ମଧ୍ୟେ ଉଦୟ କୋକନଦ କଢ଼ଯୁଗ ସେ ।

କାହାର ଛିଡ଼ି ହାର ଖସେ ମୁକୁତା ।

ପୟୋଧର ଛଳେ କ୍ଷୀରବିନ୍ଦୁ ବୃଷ୍ଟି କରିବାରେ କି ଶୋଭିତା ।୨୪ ।

 

କାଶ୍ମୀରରଜ କେ ମାରନ୍ତେ ପାଲଟି ଗ୍ରୀବା ବକ୍ର କରି ଚାହିଁଲା ।

ମନ୍ଦମରୁତେ କି ଉଲଟି ନଳିନ ଅଳି ସଂଯୁକ୍ତରେ ରହିଲା ।

କେ କାହା, ମୁଖେ କସ୍ତୁରୀ ପଙ୍କ ଢାଳି ।

ମୃଗାଙ୍କ କଳଙ୍କ ଛଡ଼ାଇ ହେବାରୁ ବହିଯାଉଛି କିବା କାଳି ।୨୫ ।

 

କାହା ଲଲାଟ ସିନ୍ଦୂର ବହିପଡ଼େ ସ୍ୱେଦ ହୋଇବାରୁ ଜନିତ ।

କେଶରାହୁ ଦନ୍ତ ଘାତରୁ ବ୍ୟକତ ଇନ୍ଦୁ ଦେହରୁ କି ରକତ ।

ସେକାଳେ, ଅତି ଚଞ୍ଚଳ ନେତ୍ରଗତି ।

ଦିଗଧାରାକୁ କି ଶ୍ୟମାଳ କୋମଳ କମଳେ ମଣ୍ଡନ୍ତି ଯୁବତୀ ।୨୬ ।

 

ରତ୍ନକିରଣେ ଭାନୁପ୍ରଭା ପ୍ରକାଶି ଶ୍ରବଣେ ତାଟକ ଚଳନ୍ତି ।

ପ୍ରମଦା ପ୍ରମାଦଭରେ କି କରନ୍ତେ ଶ୍ରୀଅଙ୍ଗେ ମଙ୍ଗଳ ଆଳତି ।

ଚଳିତ, ନାସିକା ମୋତି ଉରହାର ।

ବାଦେ ନୂପୁର ନାଦେ କି ନାଚୁଛନ୍ତି ନର୍ତ୍ତକୀଗଣେ ଅହଙ୍କାର ।୨୭ ।

 

କେଉଁ ଲତାରୁ ଖସିବାରୁ ଏମନ୍ତ ହେଉଛ ପରତେ ।

ଧନ୍ୟ ଧନ୍ୟ ବୋଲି ପ୍ରଶଂସା କରି କି ରତ୍ନ ବିଞ୍ଚୁଛନ୍ତି ।

ନିରନ୍ତେ ।ପରାଗ, ଛଳେ ସିଞ୍ଚଛନ୍ତି କର୍ପୂର ।

ପଲ୍ଲବ ଛଳେ ପଣନ୍ତେ ବିଞ୍ଚୁଛନ୍ତି ଉପକାର ଭୂତେ ତାଙ୍କର ।୨୮ ।

 

କେଉଁ କେଉଁ ତରୁ କରୁଣୀମାନଙ୍କୁ ପକ୍ଷୀ ନିନାଦରେ କହନ୍ତି ।

ଏପରି ଉତ୍ସବ କେବେ ନୋହିଥିଲା ଦେଖି ନଥିବ ସୁରପତି ।

କେ ତରୁ, ଶାଖା ଲୋଟନ୍ତି ଫଳଭରେ ।

କି ପରିରମ୍ଭ ଆରମ୍ଭ କରୁଛନ୍ତି ରମ୍ଭୋରୁ ପାଦ ଲାଗି ଶିରେ ।୨୯ ।

 

ଏମନ୍ତ ବେଳେ ଏକ ସଖୀ କହିଲା ତିନି ପ୍ରହର ହେଲା ବେଳ ।

ସ୍ନାନ ମାତ୍ରକୁ ଅବଧାନ ନୋହିଲା ଏତକ ରହୁ କୁତୂହଳ ।

ପୁଣି ସେ, ସେ କଥା କଲା ଅଙ୍ଗୀକାର ।

ଏହି ସମୟେ ଥୋକାଏ ଦାସୀ ଆସି ଘେନିଣ ମାର୍ଜନା ସମ୍ଭାର ।୩୦ ।

 

ସେରାବରେ ତୀରେ ପ୍ରବେଶ ସୁବେଶ ଲାଗି ସମ୍ପୂର୍ଣ୍ଣ ଏ ଛାନ୍ଦ ।

କବି ଚାତୁରୀ ଅନେକ ଅଛି ପୂରି ଘେନିଲେ ଜନ୍ମିବ ଆନନ୍ଦ ।

ଜାଣିଲା, ଜନମକୁ ଏ ତୋଷିବ ।

ମୂର୍ଖ ସ୍ୱଭାବ ଅଦୃଷ୍ଟରଜାପରି ସେ କାହୁଁ ରତି ପ୍ରକାଶିତ ।୩୧ ।

 

ଅନନ୍ତଭୂଷଣ ବୃଷଧନୁ ଯୁତ ସହୃଦ ଭବତାପ ନାଶି ।

ଶ୍ରୀନିଳୟ ଦ୍ୱିଜରାଜ ବନ୍ଦନୀୟ ଜନକସୁଖକୁ ପ୍ରକାଶି ।

ସୁମରି, ମନେ ସେ ରାମଚନ୍ଦ୍ର ଶିବ ।

କହେ ଉପଇନ୍ଦ୍ର ଭଞ୍ଜ ବୀରବର ଯୁବଜନ କର୍ଣ୍ଣ ଉତ୍ସବ ।୩୨ ।

 

Unknown

ଷଷ୍ଠ ଛାନ୍ଦ

ଲାବଣ୍ୟବତୀର ଉପବନ ବିହାର ସମୟେ ଜଳକେଳି

(ରାଗ-ରାମକେରୀ)

 

ମନଦେଇ ଶୁଣ କୋବିଦେ ନୃପସୁତା ସୁକେଶୀ ।

କୂଳରେ ବକୁଳ ମୂଳରେ ପୀଠ ଉପରେ ବସି ।୧ ।

 

ସରସୀଶୋଭିତ ଅନାଇଁ ମନ ନେତ୍ର ଲୋଭିତ ।

ତଟ ଘଟଣ ବିଦ୍ରୁମରେ ପକ୍ଷିପନ୍ତି ବିମ୍ବିତ ।୨ ।

 

କି ନୀଳଶାଢ଼ି ହଂସାବଳୀ ରଙ୍ଗ ଧଡ଼ି ହୋଇଛି ।

ଅବନୀ ବନିତା ବିସ୍ତାରେ କିବା ଜିଣିବା ଇଚ୍ଛି ।୩ ।

 

ପାବଚ୍ଛ ସ୍ୱଚ୍ଛ ସ୍ପଟିକରେ ନୀରତୀର ପ୍ରତୀତ ।

ସୁବେଣୀ ପରଶ ଭାବି କି ତହିଁ ତ୍ରିବେଣୀ ଖ୍ୟାତ ।୪ ।

 

ଦୀପଦଣ୍ଡି ଲଭି ମରାଳପନ୍ତି ଦିଏ ଭଉଁରୀ ।

ବଡ଼ ବଡ଼ଭୀକି ବେଢ଼ିକି ଶୋଭା ଚୂର୍ଣ୍ଣ ଚଉଁରୀ ।୫ ।

 

ଜଳ ଜମ୍ବାଳ ଆବିଳରେ ଜନମନ ହରୁଛି ।

ଜଳ ନିର୍ମଳରେ ଆଦର ଆଦରଶୁଁ ସାରୁଛି ।୬ ।

 

ଗଭୀର ଗୁଣକୁ ପଣ୍ଡିତ ଠାରୁ ଗୃହୀତ କରି ।

ନର୍ତ୍ତକୀଠାରୁ ଭଉଁରୀ ଶିକ୍ଷା ପରା ଏହାରି ।୭ ।

 

ଅମୃତ ସଙ୍ଗତେ ହୋଇଛି ମିତ ମଧୁର ଗୁଣେ ।

ବିଧୁର ସ୍ନେହକୁ ବିଧୁର କରେ ଶୀତଳ ପଣେ ।୮ ।

 

କାମ ମରାଳୀରେ ପ୍ରକାଶମାନ ସୁଖଦାନରେ ।

କୁମୁଦରେ ଯେଣୁ ବିଦିତ ତେଣୁ ହରିପ୍ରକାରେ ।୯ ।

 

ସର ଶୋଭା ଦେଖୁ ଦେଖୁ ସେ ସରେ ମର୍ଦ୍ଦନ ବିଧି ।

ବକ୍ଷ ପ୍ରମାଣେ ଜଳେ ଯାଇଁ ବିଜେ ଲାବଣ୍ୟନିଧି ।୧୦ ।

 

କବି ବିଚାରିଲେ ବିଚିତ୍ର ହେଲା ତୁମ୍ବୀ ବୁଡ଼ିଲା ।

ନ ବୁଡ଼ି ଶଇଳ ସଲିଳ ଉପରରେ ରହିଲା ।୧୧ ।

 

କିସ ପୁଣି ଦେଖା ନ ଯାଇ ଯେବେ ଥାଇ ଜୀବରେ ।

ବିଷମ ସମସ୍ୟା ପୂରଣ ହେଲା ଏହି ଠାବରେ ।୧୨ ।

 

ଅପୂର୍ବ ଅମ୍ବୁଜ ମୁଖକୁ ଚାହିଁ ଭୃଙ୍ଗ ଚକୋର ।

ଚୁମ୍ବିବା ଲୋଭରେ ଧାଇଁଲେ ଶ୍ରୁତି ଚାହିଁ କାତର ।୧୩ ।

 

କେଶ ଦରଶନେ ରଥାଙ୍ଗ ଧାଇଁ ଆହାର ବଶେ ।

ବିଚ୍ଛେଦ ଭୟରୁ ପଳାଇ ଗଲେ ନ ରହି ପାଶେ ।୧୪ ।

 

ନୟନ ଉଜ୍ୱଳ କଜ୍ଜ୍ୱଳଲାଞ୍ଜି ଅନାଇଁ ଦେଇ ।

ଗଭୀର ଜଳରେ ପଶିଲେ ମୀନ ଭୟକୁ ପାଇ ।୧୫ ।

 

ଭୂରୁ ନୟନ ଆନନକୁ ଚାହିଁ ଖଞ୍ଜନମାନେ ।

କୁରଙ୍ଗ ହେ ଆମ୍ଭେ ମଲାଇଁ ବୋଲି ଡାକିଲେ ସ୍ୱନେ ।୧୬ ।

 

ଶମ୍ବର ଜନନୀ ଅମ୍ବୁରେ ସେହିକାଳେ ପଶିଲେ ।

ହାସପରିହାସ ସରସ-ଉକ୍ତିମାନ ଭାଷିଲେ ।୧୭ ।

 

ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ ।

ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରରେ ଶୋଭିତ ।୧୮ ।

 

ବି-ରାଜି ବିରାଜି ଅଛନ୍ତି ମୀନ ଭକ୍ଷଣ ପାଇଁ ।

ରାଜୀବ ରାଜୀବନୟନା ଏଥି ଖେଳା କରଇ ।୧୯ ।

 

ସଲିଳେ ଉଡୁପେ ଦେଖରେ ହୋଇଅଛି ଶୋଭନ ।

ସଲିଳେ ଉଡୁପବଦନୀ ଖେଳିବାକୁ ମୋ ମନ ।୨୦ ।

 

ନବୀନଜୀମୂତ ଜୀମୂତସ୍ତନା କିଏ ଉଦିତ ।

ଏ ନୀଳକମଳ କମଳ ବିନ୍ଦୁ ବହି ତେମନ୍ତ ।୨୧ ।

 

ଭୁବନ ଏଥିରେ ପୂରିତ ମୋହେ ସର୍ବ ଭୁବନ ।

ଜୀବନବନ୍ଧୁ ଏ ନିଶ୍ଚୟ ପ୍ରାଣୀଙ୍କର ଜୀବନ । ୨୨ ।

 

ଅହିମକର ତାପ ନାଶେ ଶୋଭା ସାରସ ଚକ୍ର ।୨୩ ।

 

ବଶ ପ୍ରକାଶିବ ସୁମନ-ସର ସୁମନସର ।

ମହିକୀ ଆଣିଲା ସୁମନ-ସର ସୁମନଶର ।୨୪ ।

 

ମନ୍ତ୍ରିଜା ପୁଚ୍ଛିଲା ଜେମାକୁ ଚାରିବର୍ଣ୍ଣେ ଏସନେ ।

ଏକାକ୍ଷରେ ଖ୍ୟାତ ଧରଣୀ କରଭୂଷା ତ୍ରିବର୍ଣ୍ଣେ ।୨୫ ।

 

ବୟସ ନାମ ଖ୍ୟାତ ମୁନି ଯାହା କରେ ସେ ହେବ ।

ପ୍ରାକର୍ମ ଦ୍ୱିବର୍ଣ୍ଣେ ବିଲୋମେ ରାମକୁମର ହେବ ।୨୬ ।

 

ବ୍ୟସ୍ତେ ବସନ୍ତାଦି ଫୁଲେକ ତହିଁ ତଟର ନାମ ।

ସମସ୍ତ ପଢ଼ିଲେ ହୋଇବ ଜଳେ ଥିଲା କୁସୁମ ।୨୭ ।

 

ଚତୁରୀ ତୁରିତେ ଜାଣିଲା ହସି କହିଲା ତହିଁ ।

କଂସ କରୀବର ପରାୟେ ମୋତେ ପରତେ ହୋଇ ।୨୮ ।

 

ଫଳ ବେନିବର୍ଣ୍ଣ ପ୍ରାନ୍ତରେ ଦେଲେ ମୁକୁତା ନାମା ।

ଶୁଣି ଧନ୍ୟ ବୋଲି ପ୍ରଶଂସା କେଲ ସକଳ ବାମା ।୨୯ ।

 

ଏ ବିଧିରେ ଭାଷି ଭାରତୀ ଜଳ କ୍ଷେପଣ କରି ।

ଦେଖିଲା ନଥିଲା ଚଞ୍ଚଳା ବରଷିବାର ବାରି ।୩୦ ।

 

ଉତ୍ତାନ ପ୍ଲାବନେ ଉରଜମାନେ କି ମନୋହର ।

ନଳଦୀକ୍ଷା ପାଇଁ ନାରୀକି ଭେଳା କଲେ ଭୂଧର ।୩୧ ।

 

ଆଜ କି କୁସୁମନାରାଚ ରାଜ ବହିତ୍ର ଲୀଳା ।

କରୁଛି ତେମନ୍ତ ଶୋଭାକୁ ପୁଣି ବହିଲେ ବାଳା ।୩୨ ।

 

ବୁଡ଼ି କେ କାହାର ଚରଣ ଧରୁ ସେ ଜାଣି ଭାଷି ।

ଗତିରେ ଗଜ ଅଛି ବୋଲି ମୋତେ କୁମ୍ଭୀର ଗ୍ରାସି ।୩୩ ।

 

ନାରୀ ବାରି ବାରି ନୋହିଲେ ତହିଁ ଘଡ଼ିଏ ଯାଏ ।

ହାସ କୁମୁଦ ନେତ୍ର ମୀନ ମୁଖ କମଳ ପ୍ରାୟେ ।୩୪ ।

 

ଜଘନ ପୁଳିନ ଉରଜ ଚକ୍ରବାକ ମିଥୁନ ।

ରୋମାବଳୀ ଆଳିଆବଳୀ ଗତି ହଂସ ସମାନ ।୩୫ ।

 

ଉଦର କମଳ ପଳାଶ ନାଭି ଜଳଭଉଁରୀ ।

କର କୋକନାଦ ସୁବାହୁ ଯହିଁ ମୃଣାଳ ସରି ।୩୬ ।

 

ବାଳୀ ଜଳେ ମିଳି କରନ୍ତି କେଳି ଏ ହୋଏ ଜଣା ।

ସଖୀ ସଙ୍ଗେ ମିଶି କ୍ରୀଡ଼ଇ ଯହିଁ ଚଞ୍ଚଳେକ୍ଷଣା ।୩୭ ।

 

କାହିଁକି ଏମନ୍ତ ବୋଇଲେ ବୋଲି କେ ବା ବୋଲିବ ।

ସୁଲକ୍ଷଣାକୁ ଏ ଲକ୍ଷଣା କାହୁଁ ସମାନ ହେବ ।୩୮ ।

 

ସ୍ନାନ ଅବଶେଷେ କୂଳକୁ କୁଳପାଳିକା ଆସି ।

ଗଉର ଅଙ୍ଗରେ ଜଡ଼ି ସେ ଶାଢ଼ି ଏମନ୍ତେ ଦିଶି ।୩୯ ।

 

ସ୍ପଟିକବାଡ଼ ଫୁଟି ଦିଶେ କି ସେ ହେମପିତୁଳା ।

ସ୍ତନସଂପୁଟେ କି ବାରଣଦନ୍ତ ପିଧାନ କଲା ।୪୦ ।

 

ଅତି ଜର ଜର ନୀରରେ ଯହୁଁ ଏମନ୍ତ ଭାବି ।

ସେ ଚନ୍ଦ୍ରଶିଳ ଶଇଳ କି ହାସଚନ୍ଦ୍ରରେ ଦ୍ରବି ।୪୧

 

ବିନ୍ଦୁ ବିନ୍ଦୁ ଜଳ ରହିଛି ଚାରୁ କୁଟିଳବାଳେ ।

ତୁଷାର ବୃଷ୍ଟି କି ହୋଇଛି ନବତମାଳଦଳେ ।୪୨ ।

 

ନବଘନେ କିବା ଉଇଁଛି ତାର ତାରକାଶ୍ରେଣୀ ।

ମୋତି ପତନ କି ହୋଇଛି ନୀଳମଣି ଧରଣୀ ।୪୩ ।

 

ଅଙ୍ଗ ଅଙ୍ଗନାର ପୋଛିଲେ ସଖୀମାନେ ସତ୍ୱରେ ।

କେଶ ପୋଛିଦେଇ ଗଣ୍ଠିକି ଦେଲେ ଅଗ୍ରଭାଗରେ ।୪୪ ।

 

ଉଞ୍ଚିଦେଲେ ପୀତମ୍ବରକୁ ଊରୁସନ୍ଧିକି ରୁନ୍ଧି ।

ପିନ୍ଧି ନିତମ୍ବିନୀ ନିବିଡ଼େ ନୀବୀବନ୍ଧକୁ ବାନ୍ଧି ।୪୫ ।

 

ତୋରା ହୋଇଲା ଗୋରାଦେହ ଆଲିଙ୍ଗନକୁ ପାଇ ।

ଧଡ଼ି ନଥିଲେ ଶାଢ଼ି ଥିଲା ପରା ଦିଶନ୍ତା ନାହିଁ ।୪୬ ।

 

ଜଣାଇଲେ ଏବେ ମନ୍ଦିରରେ ଯିବା ଅସ୍ତ ଦିନେଶ ।

ଜଗତମୋହିନୀ ଜଗତୀ ପରେ ହେବୁ ସୁବେଶ ।୪୭ ।

 

ଶୁଣିକରି କରପଇଠ ଦେଇ ବିଜେ ସୁନ୍ଦରୀ ।

କାମକଳାକୁ ସେ ଆକ୍ଷେପି ସଜନୀକି ପଚାରି ।୪୮ ।

 

ହରି କରେ କିସ ଶୋଭିତ, ରାତ୍ରେ କେ ହୋଏ ଭିନ୍ନ?

କାମେ କାମୁକ କି କରନ୍ତି, ଭୀମ କାହିଁ ଶୋଭନ ।୪୯ ।

 

କେ ବରଜ-ରାଜ, ସଂସାର କରତା କେ ଅଟଇ?

ନୃପତ ଆଗରେ କି ବୋଲି ପ୍ରତିହାରୀ ଡାକଇ? ।୫୦ ।

 

କି ଶୋଭା କରେ ଚନ୍ଦ୍ର କରେ, ତାରା କାହିଁ ଉଦିତ?

ବିଷ୍ଣୁର ସର୍ବଦା ମଣ୍ଡନ କି କି କହ ତ୍ୱରିତ? ।୫୧ ।

 

ସେ କହେ କମଳ, ରଥାଙ୍ଗ, ଦର, ଗଦା ନନ୍ଦକ ।

ମଣିମା, ହରିତ ଅମ୍ବର ବୋଲି ହୋଏ ବିବେକ ।୫୨ ।

 

ଶ୍ରବଣେ ପ୍ରଶଂସା ସଂସାର ସାର-ରମଣୀ କଲା ।

ସଦନେ ପ୍ରବେଶ ହୋଇ ସେ ପୁଣି ସୁବେଶ ହେଲା ।୫୩ ।

 

ଏଠାରୁ ଏ ଛାନ୍ଦ ସମ୍ପୂର୍ଣ୍ଣଏତେ ଲକ୍ଷଣଯୁକ୍ତ ।

ଶ୍ଲେଷରେ ଅଭଙ୍ଗ ସଭଙ୍ଗ ଭଙ୍ଗାଭଙ୍ଗିହିଁ ବ୍ୟକ୍ତ ।୫୪ ।

 

ଛବିଧି ଯମକ ରୂପକ ଆଶ୍ରୟରେ ଦୀପକ ।

ବହିର୍ଲିପି ଅନ୍ତର୍ଲିପିକା ଘେନି କର୍ଣ୍ଣରୋଚକ ।୫୫ ।

 

ବଳି ଛଳି ରାମ ବାମନମୂର୍ତ୍ତି ମନରେ ଧ୍ୟାୟୀ ।

ଉପଇନ୍ଦ୍ର ବୀରବର ଯେ ଏହୁ ରସ କହଇ ।୫୬ ।

 

ସପ୍ତମ ଛାନ୍ଦ

ବାଜିକର ସିଂହଳକୁ ଯାଇ ଭୋଜବିଦ୍ୟା ଦେଖାଇବା

(ରାଗ-ଭୂପାଳ)

 

ଏତୁଅନ୍ତେ ଶୁଣ ଜନେ ମନ ଦେଇ ।

ମନୋହର ବସନ୍ତ ଋତୁକୁ ଚାହିଁ ।୧ ।

 

ବିଜେ ଆରାମେ କର୍ଣ୍ଣାଟକ ରାଜସୁତ ।

ସମୀପରେ ବସିଛନ୍ତି ଚାରି ମିତ୍ର ।୨ ।

 

ସାବଧାନେ ମଣିମା ଖୁଣ୍ଟିଆ ଡାକେ ।

ସେବାନିପୁଣ ତହିଁ ଖଟଣୀ ଲୋକେ ।୩ ।

 

ଯଶ ବର୍ଣ୍ଣନା କରନ୍ତି ଭାଟେ ଶ୍ଳେଷେ ।

ଏକ ପଦରେ ଗୀତ କବିତ୍ୱ ବଶେ ।୪ ।

 

ଚନ୍ଦ୍ର ସେହି ଭାଷ ପରି ବୀର ଦାନୀ ।

କୀର୍ତ୍ତି ନିଶ୍ଚେ ତାର ହାର ଧୀର ମାନୀ ।୫ ।

 

ଯାନ ଜବ ଦେଖି ପର ଦର୍ପ ହୀନେ ।

ପାଏ ସୁଖଭାବନୀୟ ପ୍ରତିଦିନେ ।୬ ।

 

ଭେଟେ କବି ଗୀତ କରି ତ୍ରିବିଧିରେ ।

ପ୍ରାନ୍ତ ଯମକ ଶୃଙ୍ଖଳ ଗୋମୂତ୍ରରେ ।୭ ।

 

ଦରଚୟ ହର ଧୀର ପ୍ରଶଂସାର ।

ସାର ସୟକର କର ଏ ସଂସାର ।୮ ।

 

ସାର ସାର ଜିତ ଗତି ହେ କୁମାର ।

ମାର ପରଶତ ଅତି ସୁକୁମାର ।୯ ।

 

ହଟ ଦେଖାଉ ଅଛନ୍ତି ନଟ ତହିଁ ।

ଚଢ଼ିବଂଶ ଶଳାକାରେ ଢୋଳବାଇ ।୧୦ ।

 

ନାଟ କରୁଅଛନ୍ତି ଗଣିକା ଆଳୀ ।

ଗୀତ ଗାଉଅଛନ୍ତି ଗୁଣିକେ ମିଳି ।୧୧ ।

 

ଗଜ ଅଶ୍ୱ ରତନ ବସନ ମାନ ।

ମୂଲ୍ୟ କରୁଛନ୍ତିଜ୍ଞାନଶୀଳଜଳନ ।୧୨ ।

 

ରାଜାମାନେ ଗତ ଯୁଦ୍ଧକଥା ଭାଷି ।

କରୁଛନ୍ତି ସାଧନ ପଦାତି ଆସି ।୧୩ ।

 

ବସନ୍ତକା ମୁଖ ଚାହିଁ ପରିହାସେ ।

ଏହି ସମୟେର ଗୁଣନିଧି ଭାଷେ ।୧୪ ।

 

ତୁମ୍ଭ କନ୍ୟା ଲାଭ ହେଲା ଦ୍ୱୀପାନ୍ତରେ ।

କିଛି ଅପୂର୍ବ ପଦାର୍ଥ ଏ ଉତ୍ତାରେ ।୧୫ ।

 

ଯୁବରାଜ ଛାମୁରେ ନ କଲ ଭେଟି ।

ଶୁଣି ସଲ୍ଲଜ ହୋଇ ସେ ବେଗେ ଉଠି ।୧୬ ।

 

ନିଜ ରମଣୀ ପାଶର ନେଇ କୀର ।

ଦେଲା ପଢ଼ା ଶୁଣି ସର୍ବେ ତୋଷଭର ।୧୭ ।

 

ଏହିକାଳେ ଜଣାଇଲା ବେତ୍ରକକର ।

ଆସି ବୋଇତିଆଳେକ ଅଛି ଦ୍ୱାର ।୧୮ ।

 

ବୋଲି ସିଂହଳଦୀପୁ ଆସିଛି ମୁହିଁ ।

ଇଚ୍ଛା ମୋର ଯୁବରାଜ ଭେଟ ପାଇଁ ।୧୯ ।

 

ଶୁଣି ନୃପସୁତ କଲା ସୀଉକାର ।

ଆଣି ଛାମୁରେ ଭେଟାଇ ପ୍ରତିହାର ।୨୦ ।

 

ଶିରେ କର ଦେଇ ଭେଟି ଏତେ ଦ୍ରବ୍ୟ ।

ଦେଲା ପ୍ରମୋଦ ଚିତ୍ତରେ ସେ ସାଧବ ।୨୧ ।

 

ମେଷଚକ୍ଷୁ ନୀଳା ବ୍ରହ୍ମଜାତି ହୀରା ।

ତାର ମୁକୁତା କୁକୁଟ ଡିମ୍ବ ପରା ।୨୨ ।

 

ଅଛି ସୁମାଣିକ୍ୟ ପଦ୍ମରା ଜାତି ।

ଅଷ୍ଟବକ୍ର ପ୍ରବାଳ ହିଁ ପନ୍ତି ପନ୍ତି ।୨୩ ।

 

ଚନ୍ଦ୍ରକାନ୍ତ ପାଷାଣ ନୀଳେନ୍ଦ୍ରି ମଣି ।

ଲକ୍ଷ୍ମୀ ନାରାୟଣ ଶିଳା ନୋହେ ଗଣି ।୨୪ ।

 

ଅଗ୍ରୁ ଚନ୍ଦନ ଅତର ଶ୍ରୀକର୍ପୂର ।

ଜଳୁ ପାତାଳ ଚୂଆ ପନିରନୀର ।୨୫ ।

 

ସମରାଜି ଜୁଆଦ ଜାହ୍ନବୀ ଜଳ ।

ମନୋହର ବଂଶପତ୍ର ହରିତାଳ ।୨୬ ।

 

ରୌପ୍ୟ ଇଚ୍ଛାକୁ ଫୁଲ ତୁଲରେ ଦେଇ ।

ଜମ୍ଭୁନଦ ବିନା ଆନ ହେମ ନାହିଁ ।୨୭ ।

 

ମଣି ପଦରେ ମିହିରମଣି ଲେଖ ।

ଦନ୍ତେ ଦନ୍ତିଦନ୍ତ ନଖେ ବ୍ର୍ୟାଘ୍ରନଖ ।୨୮ ।

 

ଚର୍ମ ଆସନରେ ସାର ବୋଲିବାର ।

ଚର୍ମ ଆଢ଼େଣୀ ଖଡଗଚର୍ମ ସାର ।୨୯ ।

 

ଉନା ତରବାରୀ ବୁନ୍ଦି ଯମଦର ।

ଶଙ୍ଖ ଦକ୍ଷିଣାବର୍ତ୍ତକ ଶୁଦ୍ଧତର ।୩୦ ।

 

ଏକମୁଖୀ ରୁଦ୍ରାକ୍ଷରେ ସୁଶୋଭନ ।

ଚାରୁ କନକମୃଗ ଚଉଁରୀମାନ ।୩୧ ।

 

ଶୁଭ୍ର କାଗଜ ଲହୁରୀ ଦେଶଜାତ ।

କାମ କାଞ୍ଚନ ନୀଳା ଅପ୍ରମିତ ।୩୨ ।

 

ସିନ୍ଧୁଜାତି ହୟ ଭାରବାହ ଖର ।

ବଜ୍ରଜାତି ଗଜ ପାଟଭାଲି କୀର ।୩୩ ।

 

ନେପାଳିକା ମୂଷିକା ସାଳିଆ ଚାରୁ ।

ଲବଙ୍ଗର ଲାଲ ଜାତିଫଳ ତରୁ ।୩୪ ।

 

ଚକୋରକ ଦିନଜ୍ଞାତା ପାରାବତ ।

କଳପନ ଶୂନ୍ୟଖୁରୀ ସୁରଞ୍ଜତ ।୩୫ ।

 

ଲୋହ ଚୁମ୍ବକ ପରଶୁଗ୍ରୀବ ଯହିଁ ।

ଦାସୀନେତ୍ର ଗଉରୀବେତ୍ରରେ ଶୋହି ।୩୬ ।

 

ଶୃଙ୍ଗ କମାଣ ତୀର ଚାତକପତ୍ର ।

ଲାଗିକି ବିଚିତ୍ର ବଶ କରେ ନେତ୍ର ।୩୭ ।

 

ମାନଦରୀଶାୟକ ଉତ୍ତମ ଫରୀ ।

ଅଛି ରୋପଣ ବନରେ ଚିତ୍ର କରି ।୩୮ ।

 

ଦେଖି ଦିବ୍ୟ ପଦାର୍ଥ ସମ୍ମୋହନରେ ।

କରେ ସାଧୁକୁ ପ୍ରଶଂସା ସୁମନରେ ।୩୯ ।

 

ଏକ ଦେଶେ ଏ ନ ମିଳେ ବିଚାରିଲେ ।

କେଉଁ ଦେଶରୁ ଆଗତ ପଚାରିଲେ ।୪୦ ।

 

ସେ ବୋଇଲା ସଂହଳ ଦ୍ୱୀପର ମୁହିଁ ।

ଏ ଦେଶକୁ ଆସିଛି ବାଣିଜ୍ୟ ପାଇଁ ।୪୧ ।

 

ଯେହୁ ଲାବଣ୍ୟବତୀ ସମ୍ଭବସ୍ଥାନ ।

ତହିଁ ଅପୂରୁବ କେଉଁ ଦ୍ରବ୍ୟମାନ ।୪୨ ।

 

ଲକ୍ଷ୍ମୀ ପରିପୂରିତ ସେ ସବୁକାଳେ ।

ଏବେ ଅଧିକ ରାଜକୁମାରୀ ବଳେ ।୪୩ ।

 

ହେଉଁନାହିଁ ଯେ ଭରସା ତାହାଙ୍କରି ।

ଏହା କହିବାକୁ ଛନ୍ତି ଅନୁସରି ।୪୪ ।

 

ହରି ଉତ୍ସଙ୍ଗସଦନ ମୋର ଭ୍ରଷ୍ଟ ।

ନୋହୁ ତାକୁ ନ କରିବୁ ଏ ମୋ ପୃଷ୍ଟ ।୪୫ ।

 

ଏ ବଚନ ଶ୍ରବଣେ ସେ ଚାରିମିତ୍ରେ ।

ପରସ୍ପରେ ଠରାଠରି ହେଲେ ନେତ୍ରେ ।୪୬ ।

 

ମନ୍ତ୍ରୀ ସୁତ ବୋଇଲେ ଭୃତ୍ୟକୁ ଚାହିଁ ।

ଦିନ କେତେ ଭୋଗ ହେ ପଚାର ଯାଇ ।୪୭ ।

 

ଏ ବଚନକୁ ଡାକିଲା ପ୍ରତିହାରୀ ।

ହୁଅ ସମସ୍ତେ ମେଲାଣି ନିଜ ପୁରୀ ।୪୮ ।

 

ତାହା ଡାକ ପ୍ରମାଣେ ନିର୍ଜ୍ଜନ ସଭା

ପୁଚ୍ଛେ ସାଧୁକୁ ନୃପଜ ହୋଇ ଲୋଭା ।୪୯ ।

 

ତୁମ୍ଭେ ଯାହା କହିଲ ହେ ଆଲୋକିତ ।

ସତେ ଏମନ୍ତ ସୁନ୍ଦରୀ ମଞ୍ଚେ ଜାତ ।୫୦ ।

 

ସେ ବୋଇଲା ଆମ୍ଭ ପରେ ଏତେ କଥା ।

ଘେନ ପ୍ରଥମ ପଦରେ ନାହିଁ ମିଥ୍ୟା ।୫୧ ।

 

ପରଦ୍ରବ୍ୟ ପରସ୍ତିରୀ ହରଣକୁ ।

ଲେଖୁଁ ଶୁଭ କରି ତହୁଁ ମରଣକୁ ।୫୨ ।

 

ନାହିଁ ଖଳ ଦୁର୍ଜ୍ଜନ ନିର୍ଦ୍ଧନ ଜନ ।

ଶୁଣିଲାର ପ୍ରସଙ୍ଗ ନ କହୁଁ ପୁନଃ ।୫୩ ।

 

ଦୂତ କବି ଭାଟ ତିନି ଜଣେ ଜଣେ ।

ନୋହୁଁ ଅଧିକ କହିବୁ କି କାରଣେ ।୫୪ ।

 

ଯାହା ସମେ ବ୍ରହ୍ମାଣ୍ଡ ଉଦରେ ବର ।

ନାହିଁ ଜଳିଗଲା ଦିନୁ ପଞ୍ଚଶର ।୫୫ ।

 

ତାକୁ ସମାନ ହେବାକୁ ଅଛି ଏହି ।

ଯାହା ଦର୍ପଣ ମଧ୍ୟର ଦିଶେ ସେହି ।୫୬ ।

 

ତାକୁ ଏ ରୂପେ ନିର୍ମାଣ କଲା ବିହି ।

କୀଟ କାଟୁ ଅକ୍ଷର ଯେମନ୍ତ ହୋଇ ।୫୭ ।

 

ଯେତେ କବି ବର୍ଣ୍ଣିଛନ୍ତି ଯେତେ ନାରୀ ।

ଠିକେ କହି ରମ୍ଭାରତି ନୋହେ ସରି ।୫୮ ।

 

ବଡ଼ କରି ବୋଲନ୍ତି ଲାବଣ୍ୟବତୀ ।

ସେହି ଜନମ ହୋଇଣ ଅଛି କ୍ଷିତି ।୫୯ ।

 

ଯଥା ନ ଦେଖି ନ ଖାଇ ସୁଧା ନାମ ।

ସର୍ବମତେ କହି ସ୍ୱାଦୁ ମନୋରମା ।୬୦ ।

 

ତଥା ଆଗୁ ଜାତ ହେବେ ବୋଲି ବାମା ।

ଖ୍ୟାତ ହୋଇଲା ଲାବଣ୍ୟବତୀନାମା ।୬୧ ।

 

ହାସ ଅଧର ଚାହିଁଲେ ଏ ସଂଶୟ ।

କରିଅଛି କାହା ଶୋଭା କେ ଉଦୟ ।୬୨ ।

 

ବାଳ ଅରୁଣ କି ସୁଧାସ୍ନାନ କରି ।

ଅନୁରାଗ ହରଷ ମିଶିଲାପରି ।୬୩ ।

 

କିବା ମାଣିକ୍ୟ କୁହରୁ ମେଳି ଜ୍ୟୋତି ।

ଦିଶେ ତାହା ଝଟକଇ ଦନ୍ତପନ୍ତି ।

 

ସେ ଅଧରେ ଶୋଭା ତାମ୍ବୁଳ ବୋଳ ।

କେ କାହାକୁ ରଙ୍ଗ କଲା ହୋଏ ଗୋଳ ।୬୫ ।

 

କାହା ରଦନେ ସେ କାଳେ କି ସୁନ୍ଦର ।

ସିନ୍ଦୂରରେ ମାଜିଲା କି ଘନସାର ।୬୬ ।

 

ବୋଳଢୋକିବା ବେଳେ ଦିଶଇ ଗଳେ ।

ଫଗୁପିଚିକା ଯେମନ୍ତେ କାଚନଳେ ।୬୭ ।

 

କଳେ ଥାଇ ପାନ ପିକ କି ମଞ୍ଜୁଳ ।

ପକ୍ୱ ନାରଙ୍ଗ ପ୍ରାୟ ଗଣ୍ଡସ୍ଥଳ ।୬୮ ।

 

ଅଙ୍ଗେ ଅଛି ନବପୁଷ୍ପ ନବପକ୍ଷୀ ।

ଏକ ଏକ ଅଙ୍ଗେ ଲାଖି ରହେ ଆଖି ।୬୯ ।

 

ଭିଆଇଛି ଛାଣି ଆଣି ଶୋଭାସାର ।

ଜଗଜ୍ଜୟ ଜଙ୍ଗମମୂରତି ସାର ।୭୦ ।

 

ଅଥ ମନ୍ମଥର ମନଭେଦୀ ଶର ।

ମରମକୁ ଭେଦିବାରେ ମନୋହର ।୭୧ ।

 

ହର ପଥର ହେଲେ କାତର ଘୋଟି ।

ଘେନ ଏଥର ଯିବ ହୃଦୟ ଫୁଟି ।୭୨ ।

 

ରୂପ ଚୁମ୍ବକଶିଳର ମିତ୍ର କିଏ ।

ହୃଦୁଁ କାଢ଼ିନେବ ମନ ଲୋଭ ପ୍ରାୟେ ।୭୩ ।

 

ବରବର୍ଣ୍ଣନା ବର୍ଣ୍ଣନା କରି ଯେତେ ।

ଉପମାଙ୍କ ଲାଭ ତାହା ହାନି ତେତେ ।୭୪ ।

 

ଭାବ ହାବଲୀଳା ବିଳସାଦି ଚିନ୍ତ ।

ଯାହା ଅଙ୍ଗେ ହୋଇଅଛି ମୂର୍ତ୍ତିମନ୍ତ ।୭୫ ।

 

ତାହା ଶୋଭା କହିଲେ ସରିବ ନାହିଁ ।

ପୂର୍ବେ ନଥିଲା ନୋହିବ ଏବେ ନାହିଁ ।୭୬ ।

 

ରାଜା କହିଛି ଜେମାକୁ କର ବର ।

ମୋର ମିତ୍ର ମନ୍ତ୍ରୀକି ହୋଇଛି ଭାର ।୭୭ ।

 

କନ୍ୟା ଅନୁରୂପେ ଆଉ ବର ନାହିଁ ।

ମନ ପ୍ରଧାନ ବିଭାକୁ ଅଛି ତହିଁ ।୭୮ ।

 

ଶୁଣି ମନ୍ତ୍ରୀସୁତ କଲା ଏ ଉତ୍ତର ।

ଆମ୍ଭ ନୃପତି ସୁତ ନୂତନ ମାର ।୭୯ ।

 

ହୋଇବ କି କାର୍ଯ୍ୟ ଉଦେଯାଗ କଲେ ।

ଶୁଣି ଶୁକ ପଢ଼ିଦେଲା ସେହିକାଳେ ।୮୦ ।

 

ସୁଧାପାନ କଲା ରାହୁ ଉପାୟରେ ।

ପ୍ରୀତ ହୋଇଅଛଇ ଚନ୍ଦ୍ର କୁମୁଦରେ ।୮୧ ।

 

ଗୁଞ୍ଜ ତୁଳା ହୋଇଛି ସୁବର୍ଣ୍ଣ ତୁଲେ ।

କର୍ମସବୁ ଉଚ୍ଚ ନୀଚ ପାଞ୍ଚ ବଳେ ।୮୨ ।

 

ଶୁଣି କୁମାରବର ଆଶ୍ଚର୍ଯ୍ୟ ଘେନି ।

ବୋଲେ ତୁହି ଦେଖିଛୁ କି ମେଧାବିନୀ ।୮୩ ।

 

କୀର କହିଲା ସେ ରସାଭୂଷା ଯୋଷା ।

ଶିଶୁ କାଳରୁ ମୁହିଁ ତାହାଙ୍କ ପୋଷା ।୮୪ ।

 

ଶୁଣି ଚଞ୍ଚୁ ଚରଣକୁ ଧରି ତାର ।

ପୁଣି ଧରିଲା ବୋଇତିଆଳ କର ।୮୫ ।

 

ରାମାନାମେ ମୋହନ ଉଚ୍ଚାଟଘର ।

ରୂପେ କି ଥିବ ନୋହିଛି ସେ ଗୋଚର ।୮୬ ।

 

ତୁମ୍ଭ ବଚନ ବସନ୍ତଋତୁ ହେଲା ।

ତାହା ଯୋଗୁଁ ଆଶାତରୁ ପଲ୍ଲବିଲା ।୮୭ ।

 

କଲେ ନିରାଶ ହୋଇ ଗ୍ରୀଷମ କାଳ ।

ତାକୁ ଜାଳିଦେବଟି ବିରହ ନଳ ।୮୮ ।

 

ଶୁଣି ସେ ବୋଇଲେ ବୀର ହୁଅ ସ୍ଥିର ।

ଆମ୍ଭମାନଙ୍କୁ ଘେନି ଉପାୟ କର ।୮୯ ।

ପରିବେଶ ହେଲେ ପୁଷ୍ପକାଳ ସାର ।

ପିକ ନ ଲଭଇ ନିକି ସହକାର ।୯୦ ।

ଏ ବଚନେ ଶାନ୍ତି ଲଭି ସେହୁ ପୁନଃ

ଖଡ଼ି ପକାଇ କଲେ ଶକୁନମାନ ।୯୧ ।

ସାଧୁତାକୁ ତହିଁ ଅନୁକୂଳ ଦେଲେ ।

ବିଜ୍ଞ ବ୍ରହ୍ମଚାରୀ ଜଣେ ସଙ୍ଗ କଲେ ।୯୨ ।

ଶୁଭେ ସେ କାଳେ ଆତାୟୀବାଣୀ ଭ୍ରମେ ।

ଗଲା ଦକ୍ଷିଣେ ଦ୍ୱିଜ ଗୋମାୟୁ ବାମେ ।୯୩ ।

ପଛୁଁ ପବନ ବହିଲା ହୋଇ ସ୍ୱଚ୍ଛ ।

ଗୋପୀ ଧାବରୀ ଡାକିଲେ ଦଧିମାଛ ।୯୪ ।

ଆଶା ବଢ଼ିଲା ଶୁଭସୂଚକ ଜାଣି ।

ଛାନ୍ଦ ସମାପତ ତୋଷ ପୁଂସମଣି ।୯୫ ।

ନୀଳ ରୋହିତଶରୀର ଦରହାରୀ ।

ଶ୍ରୁତି ନିସ୍ତାରକ କୀର୍ତ୍ତି ଖ୍ୟାତକାରୀ ।୯୬ ।

ମୀନମୂର୍ତ୍ତି ରଘୁପତି ଶ୍ରୀପୟର ।

ଭାବେ ଉପଇନ୍ଦ୍ର ଭଞ୍ଜ ବୀରବର ।୯୭ ।

 

ଅଷ୍ଟମ ଛାନ୍ଦ

ଲାବଣ୍ୟବତୀର ଚିତ୍ରପଟ ଘେନି

ସନ୍ୟାସୀ ଚନ୍ଦ୍ରଭାନୁ ପାଶେ ପ୍ରବେଶ

(ରାଗ-ମଙ୍ଗଳଗୁଜ୍ଜରୀ)

 

ଏଥୁ ଅନନ୍ତରେ ରସ ଶୁଣ ସୁଜନ ।

ମନ୍ତ୍ରୀକି ଡାକି ସଂହଳଦ୍ୱୀପ ରାଜନ ।୧ ।

 

ବୋଇଲା କିଶୋରଦଶା ପ୍ରାପ୍ତ କୁମାରୀ ।

କର ବେଗେ ବର ଦେବା ବିବାହକରି ।୨ ।

 

ଶୁଣିଲେ ସୁନ୍ଦରୀ ଶୋଭା ହରିତୋଷରେ ।

ହରି ଘେନି ଯିବେ ଅବା ବିଧି ବଶରେ ।୩ ।

 

ନୃପତି ହୋଇ ପ୍ରମାଦ ସମ୍ପତ୍ତି ବାଧ ।

ଶିରୀସ୍ନେହ ତୁଟିଗଲେ ସେ ହେବେ କ୍ରୋଧ ।୪ ।

 

ଶୁଣି କରଯୋଡ଼ି କହେ ସଚିବ ତହିଁ ।

ମୋର ବିଚାରକୁ ବର ଦିଶୁତ ନାହିଁ ।୫ ।

 

ଶିବଙ୍କୁ ଦେଲେ ପାର୍ବତୀ ଶାପ ପଡ଼ିବ ।

ଭସ୍ମ ଭୂଷଣ ଅଙ୍ଗେ ଏ କେହି ଜଡ଼ିବ ।୬ ।

 

ଚନ୍ଦ୍ର ତା କ୍ଷୀଣ କଳଙ୍କୀ ତହିଁକି ସୁଖ ।

ଅଶ୍ୱିନୀ କୁମାର ହେଲେ କୁରଙ୍ଗ ମୁଖ ।୭ ।

 

କୁସୁମଧନୁ ଅତନୁ ଅଛି ଆଉ କେ ।

ଚିତ୍ରପଟ ଦେଖାଇବା ମାନବଲୋକେ ।୮ ।

 

ରୁଣ୍ଡ ନରବରପନ୍ତି କରିବା ଆଣି ।

ଇଚ୍ଛାବର ବରୁ ପଛେ ରମଣୀମଣି ।୯ ।

 

ଭୂପତିବର ତହିଁକି ହେଲେ ସମ୍ମତ ।

ମାନବେ ଲେଖା ନ ଗଲା ସୁନ୍ଦରୀ ଚିତ୍ର ।୧୦ ।

 

ଜ୍ଞାନାନନ୍ଦ ନାମେ ଏକ ସନ୍ୟାସୀ ଥିଲା ।

ସଚିବ ପ୍ରତିଭୂମାୟା ସମୀପେ ଗଲା ।୧୧ ।

 

ସେକାଳେ ସେ ବିଶ୍ୱକର୍ମା ଏକତ୍ୱମନେ ।

ନିର୍ମାଣୁଛନ୍ତି ପ୍ରତିମା ଜେମା ସମାନେ ।୧୨ ।

 

ଜଗତ ମଞ୍ଜୁ ମଞ୍ଜୁଷା ମଧ୍ୟେ ପ୍ରତିମା ।

ଦର୍ପଣ ଫୁଟି ଦିଶୁଛି ବାଳା ସୁଷମା ।୧୩ ।

 

ଏକାଳେ ସନ୍ୟାସୀ କରି ସାମ ଗାୟନ ।

ଲାବଣ୍ୟବତୀ ସ୍ୱରୂପ ଘେନିଲାଦାନ ।୧୪ ।

 

ଦାନକଲାବେଳେ ମାତ୍ର କହିଲେ ଏତେ ।

ଆମ୍ଭ ବିନ୍ଧାଣିତ୍ୱ ଖ୍ୟାତ କର ଜଗତେ ।୧୫ ।

 

ସୀଉକାର କଲା ଯୋଗୀ ବାହୁଡ଼ି ଆସି ।

ଦେଖାଇ ସ୍ୱରୂପ ମନ୍ତ୍ରୀ ମତିକି ତୋଷି ।୧୬ ।

 

ସେ ବୋଇଲେ ଧର୍ମତାତ ଆମ୍ଭେ ତୁମ୍ଭର ।

ଆମ୍ଭବୋଲେ ଏହା ଘେନି ଭ୍ରମ ସଂସାର ।୧୭ ।

 

ଦେଖାଇ ଭୂପତିଗଣେ ବଶ କରିବ ।

ଦୋଷ ଗୁଣସୁନ୍ଦର ପଣକୁ ବୁଝିବ       ।୧୮ ।

 

ଏ ବଚନେ ଶିଷ୍ୟକରେ ପେଡ଼ା ବୁହାଇ ।

ଏଣୁ ଏବେ ଏତେ ଦେଶ ଭ୍ରମିଲା ସେହି       ।୧୯ ।

 

ଯେଉଁ ଦେଶେ ଯେଉଁ ରୂପ କଲେ ଆଦର ।

କହୁଥାଇ ଚାହିଁ ମହୀପତ ନିକର       ।୨୦ ।

 

କୁନ୍ତଳ କୁନ୍ତଳବର୍ଣ୍ଣ ସାରିଲେ ଦିନ ।

ମତ୍ସ୍ୟଜନ ମତ୍ସ୍ୟପରି ନିମିଷ ହୀନ       ।୨୧ ।

 

ନିଷିଧେ ନିଷେଧି ଆନ ଲୋକ ନ କଲେ ।

ମାଳବରେ ମାଳା କରି ତାହା ଜପିଲେ       ।୨୨ ।

 

ମଘରେ ମଘବାପଦ ପାଇଲା ପରି ।

ବିହେହ ବିଦେହଶରେ ହୋଇଲେ ଘାରି       ।୨୩ ।

 

କନାଉଜ କନ୍ୟାଉଚ୍ଚ ଶୁଭିଲା ବାଣୀ ।

ମରୁଦେଶ ମରୁ ରମ୍ଭା ଏମନ୍ତେ ଭଣି       ।୨୪ ।

 

ଅଙ୍ଗରେ ଅଙ୍ଗନା ଅଙ୍ଗ ପ୍ରଶଂସା କଲେ ।

ଏହି ରମ୍ଭା ବୋଲି କଳିକଳିଙ୍ଗେ ହେଲେ       ।୨୫ ।

 

ଧାତା ହଟ୍ଟ ଏହି ମରହଟା ବିଚାର ।

ସଉରାଷ୍ଟ୍ରେ ଭାଷି ସଉଦାମିନୀ ସ୍ଥିର       ।୨୬ ।

 

ଚୋଳେ ନିଚୋଳେଘୋଡ଼ାଇ ରଖିବା ଚିନ୍ତା ।

ଦ୍ରାବିଡ଼େ ନିବିଡ଼େ ଆଲିଙ୍ଗନେ ମମତା ।୨୭ ।

 

ଗୁଜୁରାତି ରାତି ଦିନେ ଦେଖିବା ଇଚ୍ଛା

ବିଦର୍ଭରେ ଦର୍ଭହାସୀ ଦର୍ଶନ ବାଞ୍ଛା ।୨୮ ।

 

ଉତ୍କଳେ ଉତ୍କଳା ହୋଇ ବରହେ ଭାରୀ ।

ଗଉରୀଏ ଗଉରବ ଗଉଡ଼େ କରି ।୨୯ ।

 

ନେପାଳେ କପାଳଥିଲେ ପାଇବା ଭାବି ।

ମାଗଧେ ମାଗଧମୁଖେ ବର୍ଣ୍ଣାଇ ଛବି ।୩୦ ।

 

କୁଞ୍ଜଗଳେ ଗଳେ ବାନ୍ଧି ବୁଲିବା ସ୍ନେହୀ ।

ବଙ୍ଗାଳି ଗାଳି ଉପମାବଳୀକି ଦେଇ ।୩୧ ।

 

ଲୋମ ଲୋମହର୍ଷିତା ଦେଖି ତ୍ୱରିତ ।

କଳେବର କଳେବରେ ଆନନ୍ଦଜାତ ।୩୨ ।

 

କେରଳେ ଭାବେ କେରମାଳୟା ହୋଇବ ।

ଯମନ ମନକୁ ଭିନ୍ନ ନୋହେ ଏ ଭାବ ।୩୩ ।

 

ସିନ୍ଧୁରେ ଭାଷିଲେ ସିନ୍ଧୁରେ ଯେ ଝାସିବ ।

ସିନ୍ଧୁର ଗମନା ପ୍ରତିଅଙ୍ଗେ ମିଶିବ ।୩୪ ।

 

ବାଳା ତୁଳାପିତୁଳାକୁ ଚାହିଁ ସରାଗେ ।

ପିତୁଳା କରି ରଖିଲେ ନୟନ ଯୁଗେ ।୩୫ ।

 

ବିଦଗଧେ ବିଦଗଧ କାମ ଦହନେ ।

ସେ ଭାବନା ନ ଛାଡ଼ିଲେ ରଜନୀ ଦିନେ ।୩୬ ।

 

କେ ବୋଲେ ପଟ କିଏ କାହାର କପଟ ।

ଦେଖିଲେ କିଞ୍ଚିତ ଚିତ୍ତ ହୋଏ ଲମ୍ପଟ ।୩୭ ।

 

କେ ବୋଲେ ଏ କେହି ହେଲା ଦମ୍ଭ ରହିଲା ।

ସାତକୁମ୍ଭ କୁମ୍ଭଉରଜାକୁ ବିହିଲା ।୩୮ ।

 

କେ ବୋଲେ ସତେ କାମିନୀ ଅଛି ଏମନ୍ତେ ।

କେମନ୍ତେ ଗଢ଼ିଲା ବିହି ଆୟୂଷକେତେ ।୩୯ ।

 

କେ ବୋଲେ ସତେ ଏରୂପ ଥିଲେ ତରୁଣୀ ।

ଏତେକାଳେ ଅଳଙ୍କୃତା ହେଲା ଧରଣୀ ।୪୦ ।

 

କେ ବୋଲେ ମୋହନ ମୂର୍ତ୍ତିମନ୍ତ ହୋଇଲା ।

ସକଳ ସୁନ୍ଦର ଅଙ୍ଗେ ଘେନି ଅଇଲା ।୪୧ ।

 

କେ ବୋଲେ ଆନନୋହ ନେତ୍ର ସୁକୃତି ।

ଦେଖିଲାଇ ଲାବଣ୍ୟବତୀର ଆକୃତି ।୪୨ ।

 

ବିଚାରିଲେ ଯୁବା ସୃଷ୍ଟକିବା ପ୍ରଳୟ ।

ହୋଇଲା ହୋଇଛି ଉତପାତ ଉଦୟ ।୪୩ ।

 

ବିଦ୍ୟୁସ୍ଥିର ଇନ୍ଦୁ ଚିର ନିଶି ଦିବସ ।

ଅମଳିନ ହୋଇ ତ ନଳିନ ବିକାଶ ।୪୪ ।

 

ପୁଣି ବିଚାରିଲେ ବଳଭୂମୀ ବିଚାରି ।

ଅଙ୍ଗେ ଅଙ୍ଗେ ରହିଲା କି ଦୁର୍ଗକରି ।୪୫ ।

 

ଦେଖ ଏ ପ୍ରତ୍ୟକ୍ଷ କଥା କରୀକି ହରି ।

ମାରେ ଏବେ ଆରୋହିଛି ହରିକି କରୀ ।୪୬ ।

 

ଦର୍ଶନେ ରାଜନ ଯୋଗ ଆଗେ ଦେଇଛି ।

କଞ୍ଜପରେ ରଞ୍ଜନ ଖଞ୍ଜନ ହୋଇଛି ।୪୭ ।

 

ଯେ ନିର୍ମାଣ କେତେ ଅନୁମାନ କି ତାର ।

ନୋହେ ସେ ପୁରୁଷ କେଡ଼େ ଥୟତା କର ।୪୮ ।

 

ହେଲେ ହୋଇଥିବା ଅବା ବିଧାତା ମାତା ।

ମନେ ମନାସିବା କଥା ହୁଅଇ କି ତା ।୪୯ ।

 

ପ୍ରୟୋଗେ ଅସୁରୀ ସୀତା ସଦୃଶ ପରି ।

ଏରୂପକୁ ଅଛି କି ସେ ନିର୍ମାଣ କରି ।୫୦ ।

 

ଏମନ୍ତେ ରାମାପ୍ରଶଂସା ସଂସାରେ ଖ୍ୟାତ ।

ନୃପତି ସମୂହ ହେଲେ ଉଚ୍ଛନ୍ନ ଚିତ୍ତ ।୫୧ ।

 

ମନକୁ ପେକ୍ଷିତ କଲେ ସିଂହଳ ଦ୍ୱୀପ ।

ଶୟନେ ଦେଖିଲେ ସ୍ୱପ୍ନେ ବାଳା ସ୍ୱରୂପ ।୫୨ ।

 

ଅସର ପାଇ ବିନ୍ଧିଲା କୁସୁମ ଶର ।

ସାରିଲେ ଉଷୀର ବାଟି ଶଶିର କର ।୫୩ ।

 

ଶିଶିର କରର ରବି ଛବି ପାଇଲେ ।

ନବପଲ୍ଲବ ଶୟନ କରି ଶୋଇଲେ ।୫୪ ।

 

ଦ୍ୱିଜ ରୁଣ୍ଡୀଭୂତକରି ଚଣ୍ଡୀ ବରଣ ।

ପ୍ରତିଦିନ କରିବାରେ ହେଲେ ନିପୁଣ ।୫୫ ।

 

ଶମ୍ପାଗୋରୀ ଅନୁକମ୍ପା କରିବା ପାଇଁ ।

ଶିବେ ଗୋଦୋହନ କରି ଚମ୍ପାଚଢ଼ାଇ ।୫୬ ।

 

ଆଜନ୍ମସୁଖୀ ନୟନେ ଦେଖିବା ପାଇଁ ।

ଗଣେଶଙ୍କୁ ଲଡ଼ୁ ଦେବା ଗଣନା ନାହିଁ ।୫୭ ।

 

କରେ ଛୁଇଁବାକୁ ତାର କୁଚ କଳସୀ ।

ରମାବଲ୍ଲଭଙ୍କୁ ଦେଲେ ଲକ୍ଷେ ତୁଳସୀ ।୫୮ ।

 

କାମଶାସ୍ତ୍ର ଦେଖି ସ୍ତିରୀ ବଶୀକରଣ ।

କଲେ ମନ୍ତ୍ର ଅଉଷଧିମଣି ଭିଆଣ ।୫୯ ।

 

ଶୋଭାଅର୍ଥେ ମଣ୍ଡିହେଲେ ରତ୍ନାଳଙ୍କାରେ ।

ପଉଣ୍ଡ୍ରିକ ବାସୁଦେବ ହେଲା ପ୍ରକାରେ ।୬୦ ।

 

କେତକୀ ଫୁଲ ବଞ୍ଚିତ ଯଥା ମଧୁପ ।

ତଥା ନୃପମଣ୍ଡଳ ବାଳାରେ ଲୋଲୁପ ।୬୧ ।

 

ନ ତୁଟିଲା ପୁଣି ଆଶା କେବେ ତାଙ୍କର ।

ବିରହିଣୀ ନାୟିକା ତ୍ରିବଳୀ ପ୍ରକାର ।୬୨ ।

 

ଉଚ୍ଚତରୁ ଫଳେ ଖର୍ବେ ଆଶାୟୀ ପରି ।

ଲାବଣ୍ୟବତୀ ନାମକୁ ମନ୍ତର କରି ।୬୩ ।

 

ବାଳା ପ୍ରତିଅଙ୍ଗ ଶୋଭା ମାନସେ ଥୋଇ ।

ଅପଣା ଶୋଭାକୁ ଆଦରଶରେ ଚାହିଁ ।୬୪ ।

 

ବାହ୍ୟରେ ଆରମ୍ଭ ସେ ଅନ୍ତରେ ବ୍ୟାକୁଳ ।

ଭସ୍ମ ଆଚ୍ଛନ୍ନରେ ଥାଇ ଯଥା ଅନଳ ।୬୫ ।

 

ବିଚକ୍ଷଣ ଜନ ପେଷି ସିଂହଳ ଦ୍ୱୀପେ ।

ପ୍ରୀତି ଲଗାଇଲେ ରତ୍ନେଶ୍ୱର ମହୀପେ ।୬୬ ।

 

ଲାବଣ୍ୟବତୀ ସ୍ୱରୂପ ଆସିବା ଘୋଷ ।

ଆଗୁଁ ପ୍ରକଟ ହୋଇଲା କର୍ଣ୍ଣାଟଦେଶ ।୬୭ ।

 

ଚନ୍ଦ୍ରଭାନୁ ଭାବି ଯାହା ସାଧୁତ କହି ।ତା

କୁ କେ ନିର୍ମାଣି ରୂପପଟେ କେ ଲିହି ।୬୮ ।

 

ରୂପକାର ରଙ୍ଗାଜୀବ ମର୍ତ୍ତ୍ୟେରେ କାହିଁ ।

ମନକୁ ଆସେ ମଘବା ଭୁବନେ ନାହିଁ ।୬୯ ।

 

ହୋଇଥିଲା ମୋ ନେତ୍ରର ବିଧାତା ଋଣୀ ।

ଶୁଝିବ ବୋଲି କି ଆଣେ ପ୍ରତିତରୁଣୀ ।୭୦ ।

 

ଗୁରୁଦ୍ରୋହୀ ପୁଣି ସ୍ୱର୍ଗଭୋଗ ପାଇଛି ।

ସାତସିନ୍ଧୁ ଚଳୁ ଭିତରେ ରହିଛି ।୭୧ ।

 

ପକ୍ଷ ବିନା ହୋଇଅଛି ଗଗନଗତି ।

ଜଳ ଉପରେ ଶଇଳ ଭାସି ଅଛନ୍ତି ।୭୨ ।

 

ଯେଉଁ ଦଇବେ ହୋଉଛି ଏତେ ବିଧାତା ।

ସେହି ଦଇବେ ହେଲାକି ବାଳା ରତନ ।୭୩ ।

 

ଜ୍ୟେଷ୍ଠ ତୃଷିତ ଚାତକ ଯେମନ୍ତ ହୋଇ ।

ଜଳଦ ଦର୍ଶନେ ତନମନ କରଇ ।୭୪ ।

 

ଆଷାଢ଼େ ଘନ ଦୁର୍ଦ୍ଦିନ ଚକୋରପନ୍ତି ।

ଆଶା ଯେହ୍ନେ ଶରଦ ଆଗମେ କରନ୍ତି ।୭୫ ।

 

ସ୍ୱରୂପ ପ୍ରେବଶ ତଥା ଟେକିଲା ଆଶା ।

ଅସର ହୋଇଲା ତେଣୁ ବାସର ନିଶା ।୭୬ ।

 

ପାଛୋଟାଇ ପିଠିଆଇ ମନକୁ ମୃଦେ ।

କର୍ଣ୍ଣ ଡେରେ ଯଥା ମୃଗ ଘଣ୍ଟି ଶବଦେ ।୭୭ ।

 

ସପ୍ରେମେ ନୟନ ସେହି ଦିଗକୁ ଟେକି ।

ନିରେଖ କାଗଜ ଚକି ଯଥା କୁତୁକୀ ।୭୮ ।

 

ନିଦ୍ରା କ୍ଷୁଧା ବାଧା କରି ପାରିଲେ ନାହିଁ ।

ଅଳପ ଅନୁରାଗ କି ହୋଇବ କହି ।୭୯ ।

 

ବିନାୟକ ପୂଜ୍ୟ ସଦାଶିବ ତୋଷଦ ।

ସୁମନସଗଣର ଯେ ହରେ ବିଷାଦ ।୮୦ ।

 

ଉପେନ୍ଦ୍ର ଭଞ୍ଜ ବୀରବର ବିଚାରେ ।

ଗୀତ ଶେଷ କରିବି ତାଙ୍କ କୃପାରେ ।୮୧ ।

 

 

ନବମ ଛାନ୍ଦ

ଚନ୍ଦ୍ରଭାନୁ ପାଖରେ ଲାବଣ୍ୟବତୀର

ଚିତ୍ରପଟ ନେଇ ସନ୍ନ୍ୟାସୀ ପ୍ରବେଶ

(ରାଗ-ସାମଗୁଜ୍ଜରୀ)

 

ହୋଇଲା ପ୍ରବେଶ ଗ୍ରୀଷମ ସମୟ ସୁଷମା ପ୍ରୌଢ଼ା ଯୁବତୀକି ।

ରଜନୀ ମନୋହର କରି ବହିଲା ପକ୍ୱତରୁଫଳ କାନ୍ତିକି ।

ପ୍ରଫୁଲ୍ଲ, ମଲ୍ଲିକା ହାସ ବିକାଶି ।

ରସିକ ଭ୍ରମଣ ଚାଟୂକୁ ନିରତ ପାଟଳି ଶ୍ରବଣ ନିବେଶି ।୧ ।

 

ଝିଙ୍କାରୀ ଝଙ୍କାର ଝୁଣ୍ଟିଆ ଝମକେ ଚମକ ପକାଇ ଯୁବାରେ ।

ରଖିଲା ମନକୁ ଘନରସେ ନେଇ ଚନ୍ଦ୍ର କିରଣେ ଶୋଇବାରେ ।

ଶାଳ୍ମଳୀ, ରଙ୍ଗେ ଅନୁରାଗ ଦେଖାଇ ।

ନବ ବିଟପକୁ ବିରହ ଦାବାଗ୍ନି ସଂଯୋଗରେ ଦହି ପକାଇ ।୨ ।

 

କେତେ ରଞ୍ଜନ ବ୍ୟଜନ ପ୍ରଭଞ୍ଜନ ପରଶେ ଶାନ୍ତିକି ବିହିଲା ।

ଜଳଯନ୍ତ୍ରପୁର କର୍ପୂର ଚନ୍ଦନ ମଣ୍ଡନରେ ଚିତ୍ତ ରହିଲା ।

ଜାଣିଲି, ଶୁଚି ମୁର୍ତ୍ତିମନ୍ତ ହୋଇଲା ।

ବିଦେଶ ନ ଯାଅ ବୋଲି ଜନଙ୍କୁ କି ରଜେ ତୁଷାନଳ ଥୋଇଲା ।୩ ।

 

ଏମନ୍ତ କାଳେ କାନନେ ନୃପସୁତ ପୁଷ୍କରିଣୀ ମଧ୍ୟ ମଣ୍ଡପେ ।

ହୋଇ ମିତ୍ରସଙ୍ଗ ବାଳାର ପ୍ରସଙ୍ଗ ପକାଇ ତାହା ନାମ ଜପେ ।

ପ୍ରକାଶେ, ବେଳୁଁ ବେଳ ଏହି ଭାଷାକୁ ।

ସାଧୁ କହିଲା ପରା ବିଧୁବଦନା ଆସୁଛି ମାନସକୁ ।୪ ।

 

କହିଲ ମିତେ ନ ଘେନ ଏତେ ଚିତ୍ତେ ନ ଥିଲାକୁ ନିକି ଜଗତ ।

ଘଟଣ ଘଟସ୍ତନା ସମେ ଘଟଣା ପିତୁଳା ହୋଇଛି ଆଗତ ।

ଏକାଳେ, ମାଳିକ କହେ ସନ୍ନିଧାନେ ।

ମହ୍ଲାରୁ ଆସିଛି ନାମ ମଦନିକା ଗଣିକା ତବ ଦରଶନେ ।୫ ।

 

ପଚାରେ କୁମାର ପ୍ରଶଂସା ଯାହାର ଶୁଣୁଥିଲାଇଁ ଏ ସେ ନାରୀ ।

ଯାହା ଜନମକାଳୁ ମର୍ତ୍ତ୍ୟମଣ୍ଡଳେ ଆସିଲେ ନାହିଁ ଅପସରୀ ।

ତହିଁକି, ହୋଇ କଲା ମନ୍ତ୍ରୀ ନନ୍ଦନ ।

ଜାଣି ସୀଉକାର ଆଣି କାଳାକାର ଭେଟାଇଲା ରାମାରତନ ।୬ ।

 

ନବଯଉବନ ଶଣରେ ଶାଣିତ କାହା ମନ ବଶ ନୋହିବ ।

ସ୍ତମ୍ଭନ ମୋହନ ବଶ୍ୟ ଉଚ୍ଚାଟନ ମୂର୍ତ୍ତିମନ୍ତ କଲା ଦଇବ ।

ଦେଖିଲା, ମାତ୍ରେ ଗାତ୍ରେ ଆଖି ଲାଖିଲା ।

ଚାପରେ ରୋପ ବସାଇ କୋପଭରେ ମାର ମରମରେ ଯୋଖିଲା ।୭ ।

 

ସୁବର୍ଣ୍ଣ ସୁବର୍ଣ୍ଣବଳୟ ଯାହାର ଏ ସଂଶୟକୁ କରାଉଛି ।

କାହାକୁ କେ ବଡ଼ ତାରତମ୍ୟ ଆଉ କାରଣ ହିଁ ଯହିଁ ନୋହୁଛି ।

ଚିକୁର, ଲୋଟଣୀ ଜୁଡ଼ାରେ ଶୋଭନ ।

ଏ ଭାବେ ବାନ୍ଧବୀ ପୁରୁଷଙ୍କ ମନ ବୋଲି କେ କରିଛି ବନ୍ଧନ ।୮ ।

 

ମୋତିଜାଲି ଝଳି ତାରତାରକା କି ଉଦୟ ହେଲେ ନବଘନେ ।

କିବା ଇନ୍ଦ୍ରକୁ ଗ୍ରାସୁ ସୁଧାବିନ୍ଦୁକୁ ରହିଛି ରାହୁ ଅପଘନେ ।

ତଳକୁ, ଦିବ୍ୟ ଚନ୍ଦ୍ରଝୁମ୍ପା ଲମ୍ବିତ ।

ଅର୍ଦ୍ଧେନ୍ଦୁ ଅଧୋଭାଗେ ଲଭି ଉଦୟ ସପ୍ତଋଷି କିବା ଜଡ଼ିତ ।୯ ।

 

ଚାରୁ ଅଳକା ଝିଲିମିଲି ମାଳିକା ଅଗ୍ରେ ଲମ୍ବିତ କ୍ଷୁଦ୍ର ମୋତି ।

ହେମଲତା ଶିଖେ ମଧୁକରପନ୍ତି ମଧୁ କିବା ସଞ୍ଚୁଅଛନ୍ତି ।

କସ୍ତୁରୀ, ଉର୍ଦ୍ଧ୍ୱତିଳକ ଭାଲଦେଶେ ।

ବିକାଶ ସାରଣ ମଧୁ ଅଳିବଂଶ ଗମନ କି ତମାଳ ପାଶେ ।୧୦ ।

 

ତାଟଙ୍କ ହୀରାରେ ହସୁଛି ଶ୍ରବଣ ପାଶାଦି ଉପମାମାନଙ୍କୁ ।

ଆହୁରି ବଜ୍ର ମଲ୍ଲୀକଢ଼ ଧରିଛି ଧଇର୍ଯ୍ୟ-ଧର ଧ୍ୱଂସନକୁ ।

ବଦନ, ବିକାରେ କମ୍ପକୁ ବହିଛି ।

ହା ହା ବାଳୀ ପୁର ଝଲକାଝଲକ ପଲକ ଘଉଡ଼ି ଦେଉଛି ।୧୧ ।

 

ଲଳିତ ଜ୍ୟୋତି ଜ୍ୱଳିତ ମୋତିବର ଜ୍ଞାନ ନାଶେ ନାସେ ତାହାର ।

ନିର୍ମଳ ଭାବରେ ବିମ୍ବ ଓଷ୍ଠ ଧର ଅର୍ଦ୍ଧ ଅରୁଣତର ।

ଆରଦ୍ରା, ରୋହିଣୀକି ଘେନି କୋଳରେ ।

କଳଙ୍କ ହୀନ ପର୍ବଶର୍ବରୀଶ କି ଉଦିତ ଶରଦ କାଳରେ ।୧୨ ।

 

ବଶୀକରଣ ତ୍ରିବିଧ ମଣି ଔଷଧ ଯେଉଁ ନେତ୍ରେ ଅଛି ।

ଶୂଳି ଭଳି ଯତି ଢାଳି ଅନାଇଲେ ଢଳିବେ ମନକୁ ପାଉଛି ।

ଯହିଁର, ଅଞ୍ଜନ ଦମ୍ଭକୁ ତରାସେ ।

ଭାଲ ଗଣ୍ଡ ଖଣ୍ଡଚନ୍ଦ୍ରମା ସୁଷମା ସୀମାବାରବାର ପରା ସେ ।୧୩ ।

 

ରୋମାବଳୀ ଝଳି ମର୍କତ ପ୍ରବାଳ କଟୀ ଘଣ୍ଟିରେ ସଂଯୁତ ।

ଉରଜଯୁଗ ତୁମ୍ବି ସାର ତ୍ରିବଳୀ ଚିତ୍ର ବଲକୀ କଲା ଜାତ ।

ବିଧିରେ, ବିଧିର ବୁଦ୍ଧି ଭ୍ରମ ହେଲା

ମନ୍ଦ ମଧୁର ଘନସାର ହାସଟି ଜାଣିଲି ଏତେ, ଦୂର କଲା ।୧୪ ।

 

ଜରି କାଞ୍ଚଲା ପାଟଡୋର ଚରମେ ଭିଡ଼ି ଆଚ୍ଛାଦିଛି ଯତନେ ।

ହିରଣ୍ୟଗର୍ଭ ହୁଡ଼ ବ୍ୟକ୍ତ ନୋହିବ ଏହି କାମନା କରି ମନେ ।

ତାହାର, ଖୋଳ ପରାୟେ ସେ ଦିଶଇ

ଉଚ୍ଚ ପୃଥୁଳ ଗୋପିତ ନୋହେ କଦା ନେତ୍ରେ ଅବନୀ ନ ଦେଖାଇ ।୧୫ ।

 

ଏମନ୍ତ ମଣୁଛି ଅଙ୍ଗରାଜ ପଦ ଅଙ୍ଗନାଠାରେ ସମ୍ଭାବିତ ।

ମହାଉତପାତ ମନ୍ଦ ବୋଲି ତାକୁ କରୁଅଛି ଯେଣୁ ଗୋପିତ ।

ସେ କଥା, ଯୁକ୍ତ ନୁହଇ ଦେଖିବାର

ଚୀର ଆଚ୍ଛାଦିତ ଏଥକୁ କରିଛି ଫଳ ଚମ୍ବୁଛି ମଧୁକର ।୧୬ ।

 

କରସନାଳ କୋକନଦ ବାହାର କି ତନୁ ଶୋଭା ସରସୀରୁ ।

ଅତୁଲ୍ୟ ପଛେ ଆନ ଭୂଷା ଧରିଛି ରୂପଗର୍ବିତା ଲକ୍ଷଣାରୁ ।

ରଣିତ, କିଙ୍କିଣୀ କଟୀରେ ଖଞ୍ଜିଛି ।

କାମିନୀକି କାମରଥ ବୋଲିବାର ଶତ ଘଣ୍ଟିଚୟ ସାଜିଛି ।୧୭ ।

 

ନାହିଁ ତୁଳା କୋଟି ଜଗତରେ ବୋଲି ଘେନିଛି ପାଦରେ ଆଦରେ ।

କ୍ଷୁରୀ ନାରୀ ଧନ୍ୟ ବୋଲାଇ ଅଲକ୍ତ ପଦରାଗ ବ୍ୟକ୍ତ ହେବାରେ ।

ଦିଶୁଛି, ଏପରିରେ ତନୁ ଗଉର ।

ଚମ୍ପକ ଗଭା ପତନୀ ଶାଢ଼ି ଥିବା ଚିକୁର ଧଡ଼ିରୁ ଗୋଚର ।୧୮ ।

 

କାର୍ଯ୍ୟକୁ କାରଣ କରି କହିଲଇଁ ମଦନିକାର ଶୋଭା କିଛି ।

ବିଚାରି କହି ବସିଲେ ଏହି ଶଙ୍କା ବହୁତ ଛାନ୍ଦ ହେବା ଅଛି ।

ଶୋଭାକୁ, ଚାହିଁ ସ୍ଥଗିତ ନେତ୍ରପୁଂସ ।

ଜଣେ ଜଣାଉ ସିଂହଳପତି ଜେମା ସ୍ୱରୂପ ହୋଇଲା ପ୍ରବେଶ ।୧୯ ।

 

ସମ୍ଭ୍ରମେ ଉଠି ପାଛୋଟି ଯିବା ମନଜାଣି ନିଷେଧ କଲେ ମିତ ।

ଆସ ଆସ ବୋଲି ସନ୍ନ୍ୟାସୀ ପାଶକୁ ଦୂତ ଉପରେ ଗଲେ ଦୂତ ।

ପ୍ରବେଶ, ଆସନ ଦେଇ ବସାଇଲେ ।

ଚତୁର ମିତ୍ରେଚତୁର ବାରବଧୂ ପ୍ରଶଂସାଦିରେ କଥା ହେଲେ ।୨୦ ।

 

କେ ବୋଲେ ଚାହିଁ ଚଞ୍ଚଳ ଚକ୍ଷୁପକ୍ଷ୍ମ ପତନ ବୁଦ୍ଧି କରେ ବଣା ।

ଚନ୍ଦ୍ରେ ଚକୋର ବସି ସୁଧା ପିଇବା ମର୍ତ୍ତ୍ୟେ କି କମ୍ପାଉଛି ଡେଣା ।

କେ ବୋଲେ, ଚାହିଁ ନାସାଫୁଲା ପଣକୁ ।

ଏ ଚାତୁରୀର ଚାତୁରୀ କରିଛିଟି ବିଜୟ ଏ ଫୁଲବାଣକୁ ।୨୧ ।

 

କେ ବୋଲେ ଚାହିଁ ଚାହିଁ ଦେଇ ନୟନ ଉରଜପରେ ଯା ନିଅଇ ।

ଏହି ଶିବସେବା କାମ ପରାଭବ ନ କରିବ ଏହା କହଇ ।

କେ ବୋଲେ, ଚାହିଁ ତା ମଧୁର ହାସକୁ ।

ଅଧର ଦେଖାଇ ଦେଉଛି ତରୁଣ ଅରୁଣ ଜିଣିଲା ଯଶକୁ ।୨୨ ।

 

ସନ୍ନ୍ୟାସୀ ଭାସି ଯାହା ପ୍ରତି ପ୍ରତିମା ଆରିଛି ଦର୍ଶନ ଦେବାକୁ

ଏ ଯୋଷା ଯୋଗ୍ୟ ନୋହେ ତା ପଦଘଷା-ଉପଳ ଉପମା ହେବାକୁ ।

ଭୋ ଯତି, କି କହ ମନ୍ତ୍ରୀଜ ବୋଇଲେ

ପ୍ରତ୍ୟକ୍ଷ କଥାରେ କେଉଁ ଅନୁମାନ ବୋଲି ସେ ପେଡ଼ାକୁ ଫେଇଲେ ।୨୩ ।

 

ଏ ବାମାକୁ ବାସ ଉପହାର ଦିଅ ଅଧିକାରୀକି ଆଜ୍ଞା ଦେଇ ।

ତନ୍ମନା ହେଲା ରାମା ରୂପ ଲୋକେନ ବିଷୟ ପଛକୁ ପକାଇ ।

ସମ୍ପୂର୍ଣ୍ଣ, ଏ ଛାନ୍ଦ ଚତୁର୍ବିଂଶ ପଦ ।

ଅଯୋଧ୍ୟାଇନ୍ଦ୍ର ଧ୍ୟାନରେ ଉପଇନ୍ଦ୍ର ନାଶିବ ଅର୍ଜିତ ଆପଦ ।୨୪ ।

 

ଦଶମ ଛାନ୍ଦ

ଚନ୍ଦ୍ରଭାନୁ ଲାବଣ୍ୟବତୀର ଚିତ୍ରପଟ ଦର୍ଶନ

(ରାଗ-ଦେଶାକ୍ଷ)

 

ଏଥୁ ଅନନ୍ତରେ ରସିକସାର ।

କର୍ଣ୍ଣମୁଖରେ ସୁଧାପାନ କର ।

ନୃପସୁତ ଆଗେ ପେଡ଼ି ଫେଡ଼ିଲା ।

ସେ ରୂପ ଉପରେ ନେତ୍ର ପଡ଼ିଲା ।

କି ପଡ଼ିଲା ନାହିଁ ଜଡ଼ିଲା ଘେନ ।

ଜଡ଼ିଲା ନାହିଁଟି ବୁଡ଼ିଲା ଜ୍ଞାନ ।୧ ।

 

ମୂର୍ତ୍ତିମନ୍ତ କଲା ମଦନ କଳା ।

କନକନିଭ ମଦନ ପିତୁଳା ।

କାଚବାଡ଼ପୁରେ ବସିଲା ପରି ।

ମୁକୁରେ ଫିଟି ଦିଶୁଛି ମାଧୁରୀ ।

କି ସୁନ୍ଦର ସମେ ଆଉ କାହିଁକି ।

ସଚିତ୍ର ହୋଇ ବିଚିତ୍ର ହୋଇଛି ।୨ ।

 

ସରସିଜେ ଶିଶୁ ଆଳିଆବଳୀ ।

ବସିଥିଲା ପରା ଅଳକା ଝଳି ।

ଅଧରେତ ଅଛି ହାସ ଝଲକ ।

କର୍ପୂରେ ମାଜିଲା ପରା ମାଣିକ୍ୟ ।

କି ସୁନ୍ଦର । ପୁଣି ପକ୍ଷ୍ମ ଚାତୁରୀ ।

ଚାଳିଦେବ ପରା ଧୈର୍ଯ୍ୟକତୁରୀ ।୩ ।

 

ଆଗ ଅନୁରାଗ ଭ୍ରମ ଉପୁଜି ।

ରାମା କି ପ୍ରତିମା ପାରେ ହେଜି ।

ଚକିତ ସ୍ଥକିତ ଦଣ୍ଡେ ହୋଇଲା ।

ମନେ ମନେ ଲକ୍ଷେ ଚୁମ୍ବନଦେଲା ।

କି ସୁନ୍ଦର ମନ ନୟନ ପ୍ରାଣ ।

ସେହି ଶୋଭାରେ କଲା ସମର୍ପଣ ।୪ ।

 

ଏଣୁ ସେ ସୁତନୁ ତନୁତନୁକୁ ।

ଆସେ ଅନୁମାନ ଅନୁମାନକୁ ।

ଆଲୋକିତ ହେଲା ଲୋକିତ କରି ।

କରଇ ଉପମା ନୁହଇ ସରି ।

କି ସୁନ୍ଦର । କବି ବଚନ ପଥ ।

କୃତାର୍ଥ କରଣେ ହେଲା ସମର୍ଥ ।୫ ।

 

ବେଣୀ ଶୋଭା ଅବା ସାଧିବା ପାଇଁ ।

ରତୀଶ ପଟ୍ଟୀଶ ଅଛି ଭିଆଇ ।

କନକ ପିଆଣିଆକୁ ଅସମ ।

ମୁକୁତାଜାଲି ମୁଠାଜାଲି କମ ।

କି ସୁନ୍ଦର । ପୁଣି ଦିଶେ କୁସୁମ ।

ପୂଜା କରେ କି ଜଗଜ୍ଜୟକାମେ ।୬ ।

 

ଦ୍ୱିତୀୟାତିଥି ଭ୍ରମ ସେହିଠାରେ ।

ଅବତଂସ ଚନ୍ଦ୍ର ଝୁମ୍ପି ଥିବାରେ ।

ଜାଜ୍ଜ୍ୱଲ୍ୟ ତାରକା ଚାନ୍ଦ ଦୀଧିତି ।

ସୁଧାବିନ୍ଦୁ ସ୍ରବ ପରାୟ ମୋତି ।

କି ସୁନ୍ଦର । କାମ ରତ୍ନତୋରଣା ।

ଝିଲିମିଲି ମାଳୀ ସେହି ଲକ୍ଷଣା ।୭ ।

 

କର୍ଣ୍ଣ ହୋଇଅଛି ବନ୍ଦି ଆବାସ ।

ଏଥିକି ଉପମା କରିବା କିସ ।

ଭାଳୁ ଭାଳୁ ଦୃଷ୍ଟି ପତନ ହେଲା ।

ବାଳି ବୋଲି ମନେ ଯତନେ କଲା ।

କି ସୁନ୍ଦର । ଫୁଲ ସୁମଲ୍ଲୀ କଢ଼ି ।

ଝଲକ ଉପମାକୁ ଗଲା ହୁଡ଼ି ।୮ ।

 

ଭାଲ ଚାହିଁ କଲା ଭାଲ ବିଚାର ।

ଏ ହେମ କାପ ତରାସ ଧାତାର ।

ଲେଖିଛି ଚିତ୍ର କବିତ୍ୱ ଏଥିରେ ।

ଏ ବାଳା ସମାନ ନାହିଁ ପୃଥ୍ୱୀରେ ।

କି ସୁନ୍ଦର । ଗୁଣେ ନାଗଭୁବନେ ।

ସ୍ୱର୍ଗପୁରେ ଆଉ ନାହିଁ ସମାନେ ।୯ ।

 

ବଡ଼ କି ଚତୁର ପାଞ୍ଚିବା ଏହା ।

ବଡ଼ କରି ଜଡ଼ ଘେନିମେ ଯାହା ।

ରଙ୍ଗ ଶୁକଳ କଳା ତିନିଜାତି ।

ଟୋପିଛଳେ ଅଛି ଅକ୍ଷରପନ୍ତି ।

କି ସୁନ୍ଦର । ଦୃଷ୍ଟି ଚଳିବ ନାହିଁ ।

ଦେଉଥିଲେ ତାର ଚିତାକୁ ଚାହିଁ ।୧୦ ।

 

ଅତି ବିଚିତ୍ର ଛୁରିକା ନୟନ ।

ଅଞ୍ଜନଲାଞ୍ଜି ବ୍ୟାଜେ ମହାମୁନ ।

ଶିବ ଶିର କଳାକର କଳାଏ ।

କଳା ହୋଇ ବିଷଜ୍ୱଳାର ଭୟେ ।

ଭୂରୁ ଠାରେ ଭୀରୁ ପକାଇ ଆସି ।

ଲକ୍ଷ୍ୟ ପ୍ରକାରେ ଏହି ଲକ୍ଷ୍ୟ ଦିଶି ।

କି ସୁନ୍ଦର । ପର୍ଶୁରାମ ପରଶୁ ।

ବାମା କହେ ରାମା ଶବଦବଶୁ ।୧୧ ।

 

ନ ମାରୁ ଚାହାଣି ଛଟକ କରି ।

ମରମକୁ ଭେଦି ଯାଏ ବାହାରି ।

କି ସୁନ୍ଦର । ଦୃଷ୍ଟି କରାଇ ସତ ।

ଅନ୍ତେ ରକତ ହେବାରୁ ବ୍ୟକତ ।୧୨ ।

 

ଏ ପାଞ୍ଚେ ଚାହିଁଲା ଅନେକ ବାର ।

ଆପଣା ଗାତ୍ରକୁ ନେତ୍ରକୁ ତାର ।

କ୍ଷତ ନ ଦେଖି ଲଭିଲା ତତ୍ପର ।

ଚମତକାରରେ ଚମକତାର ।

କି ସୁନ୍ଦର । ସମେ ଆନ ଦିଶି ।

ଏହି ପଦକ ସେ ହୋଇଲା ଘୋଷି ।୧୩ ।

 

ଯେଉଁ ନୟନରେ ଏଡ଼େ ବଡ଼ାଇ ।

ମୃଗକୁ ଦେଲା ନଗର ଛଡ଼ାଇ ।

ବୁଡ଼ା କରିଦେଲା ମୀନକମଳ ।

ମୋ ସଙ୍ଗେ ହେଉଥାଅ ବୋଲି ତୁଳ ।

କି ସୁନ୍ଦର । ପଦ୍ମ ଥିଲାକୁ ଦୋଷେ ।

ଦଣ୍ଡ ଦିଆଇଲା ତୁହିନ ବଶେ ।୧୪ ।

 

ଗଣ୍ଡେ ଚିତ୍ରିତା ପ୍ରକାର ମକରୀ ।

ଏ ଅନୁମାନରୁ ଆନ ନ କରି ।

ନାରୀରଥ ସଜ ହେବା ହେତୁରେ ।

ମଣ୍ଡିଲା କନ୍ଦର୍ପ ନିଜ କେତୁରେ ।

କି ସୁନ୍ଦର । ନାସାପୁଟ ଭେସର ।

ତୂଣୀର ସ୍ଥିତି ରତ୍ନପୁଙ୍ଖଶର ।୧୫ ।

 

ଏମନ୍ତ ସାଜେଣି ଚାହିଁ କି ଡରି ।

ସ୍ୱୟମ୍ଭୁ ଶମ୍ଭୁ କୁଚ ରୂପ ଧରି ।

ଆଚ୍ଛାଦିତ ହୋଇ ଚେଳ-କବଚେ ।

ବାଳାରେ ଶରଣ ଉତ୍ତମ ପାଞ୍ଚେ ।

କି ସୁନ୍ଦର । ହାର ଜାହ୍ନବୀ ଦିଶେ ।

ରୋମାବଳୀକାଳ ଭୁଜଙ୍ଗପାଶେ ।୧୬ ।

 

ସଂପଟୁ ଉପମା ଉରଜେ ମଞ୍ଜୁ ।

ମୁକୁତାମାଳା କୁନ୍ଦ କାଳରଜ୍ଜୁ ।

ଯଉବନ ରାଜା ସର୍ବସ୍ୱ ତହିଁ ।

ପ୍ରେମାଳଙ୍କାର ସହିତ ପୂରାଇ ।

କି ସୁନ୍ଦର । କରି ଘୋଡ଼ାଇଛି ।

ଜାଗ୍ରତପଣ ଲଜ୍ଜାକୁ ଦେଇଛି ।୧୭ ।

 

ନୀଳ ଜଳଦ ବିଜୁଳିକି ଭିଡ଼ି ।

ଥିଲା ପରା କରେ ମର୍କତ ଚୁଡ଼ି ।

ଭୁଜେ ବାଜବନ୍ଧ ରତ୍ନ ମାଧୁରୀ ।

ନଦୀ ଲହରୀରେ କହ୍ଲାର ପରି ।

କି ସୁନ୍ଦର । ଜିଣି ଅଶୋକ କଳି ।

ମାଣିକ୍ୟ ମୁଦିରେ ଝଳି ଅଙ୍ଗୁଳି ।୧୮ ।

 

ଚିବୁକ ଚତୁର୍ଥୀଚନ୍ଦ୍ର ଭ୍ରମରୀ ।

କଳଙ୍କ ଆସିଲା ପରି ଅଙ୍କୁରି ।

ଚାପସରିରେ ମନୋରମ ଗଳା ।

ବ୍ୟାଧି ବୁଦ୍ଧି କି ବ୍ୟାଧି ଏବେ କଲା ।

କି ସୁନ୍ଦର । ମତ୍ତକପୋତ ପାଶେ ।

ବାନ୍ଧି ଥୋଇଛି ଗିରିପରେ କିସେ ।୧୯ ।

 

ସୁନ୍ଦରୀ ଅବଳା ପଦକୁ ଛଳି ।

ତ୍ରିବିଧେ ବନ୍ଧନ ହୋଇଚି ବଳୀ ।

ଆସିନାହିଁ ଏ ସଂଶୟ ମଧ୍ୟେ ।

ଭାଙ୍ଗିପଡ଼ିବାକୁ ସେ ଗୁଣେ ବାନ୍ଧେ ।

କି ସୁନ୍ଦର । ତହିଁ ଖଞ୍ଜି କିଙ୍କିଣୀ ।

ଏଣୁ କଟୀ ଥିବା ହେଉଛି ଜାଣି ।୨୦ ।

 

ପିନ୍ଧାଇ ଅଛି ବାସ କୁଞ୍ଚା ଦେଇ ।

ଗଢ଼ିଛି ପୁଣି ପିତୁଳା ବସାଇ ।

ନାଭି ଆଦି ତନୁମାନେ ତାହାର ।

ଗୁଲଫ ପର୍ଯ୍ୟନ୍ତ ନୋହିଲା ଗୋଚର ।

କି ସୁନ୍ଦର । ତହିଁ ଦିଶୁଛି ପାଦେ ।

ସ୍ଥଳ ସରସିଜ ଶୋଭାରେ ନିନ୍ଦେ ।୨୧ ।

 

ତୋଡ଼ର ଚୂଳୀ ମୃଗମଦଚିତା ।

ପଶ୍ଚିମାଣୀ ଝୁଣ୍ଟିଆରେ ରଞ୍ଜିତା ।

ହୋଇଛି ବ୍ୟକ୍ତ ଅଲକ୍ତ ରଙ୍ଗରେ ।

ଶରଣ ରକ୍ଷଣ ଅନୁରାଗରେ ।

କି ସୁନ୍ଦର । ଚରଣକୁ ବାଳାର ।

ଶରଣ ଅର୍ଥରେ ପ୍ରସାରୁ କର ।୨୨ ।

 

ମିତ୍ରକହେ ନୋହେ ଲାବଣ୍ୟଧାମା ।

ଆସିଅଛି ସିନା ପ୍ରତିପ୍ରତିମା ।

ସନ୍ୟାସୀ ଭାଷିଲା ସେହି କାଳକୁ ।

ଜେମା ସୁନ୍ଦରୀମା ତୁଲ ତିଳକୁ ।

ହେ ସୁନ୍ଦର । ଅଙ୍ଗେ ଅଙ୍ଗେ ଏହାର ।

ନିର୍ମାଣ ସିନା ଅଛି ରୂପକାର ।୨୩ ।

 

କୁମାର ଦମ୍ଭକୁ ଉଣା ଦିଶିଲା

ବିଚାରି ସଚିବ ସୁତ ଭାଷିଲା ।

ସୁବର୍ଣ୍ଣ ସୀତାରେ ବଶ ଶ୍ରୀରାମ ।

ଯାହାର ଯହିଁରେ ବଳଇ ପ୍ରେମ ।

କି ଗୋସାଇଁ । ଏଥୁ ଅଧିକ ବୋଲ ।

ଆମ୍ଭ ବିଚାରେ ନାହିଁ ଏହା ତୁଲ୍ୟ ।୨୪ ।

 

ନୃପଜ ବୋଲେ କିମ୍ପା ନୋହିଥିବ ।

ଅଜୀବେ କଲା ଯେ କଲା ସଜୀବ ।

ସଜୀବ ବିଶେଷ ଚାତୁରୀ ଘେନି ।

ଶୋଭା ହୋଇଥିବ ନବଯୌବନୀ ।

କି ସଙ୍ଗୀତ । ନୟନର କି ତପ ।

ଦେଖିଲା ଟିକି ସେ ବାଳୀ ସ୍ୱରୂପ ।୨୫ ।

 

ଏରୂପେ ବୋଲି କରିବାକୁ ଧ୍ୟାନ ।

ଦ୍ୱାର ହେଲା ଗତି ଦେବାକୁ ଘେନ ।

ପ୍ରାଣେତ ଆଉ ନ ରଖିବ ମାର ।

ଏହି କଥା ହେଲା ଏଥିର ସାର ।

କି ସଙ୍ଗାତ । ଆମ୍ଭ ସୁକୃତରାଶି ।

ପିତୁଳା ଆଣିଲା ହୋଇ ତପସ୍ୱୀ ।୨୬ ।

 

ବୀର ଉଚ୍ଚାଟ କରି ସନ୍ୟାସୀ ।

ଚକ୍ଷୁ ବନ୍ଧନ ମାୟାକୁ ପ୍ରକାଶି ।

ଶିଷ୍ୟ ସଙ୍ଗେ ସେହିକ୍ଷଣି ଅନ୍ତର ।

ପ୍ରତେ ଅନ୍ତର୍ଦ୍ଧାନ ହେଲା ପ୍ରକାର ।

କି ସୁନ୍ଦର । ମନେ ହେଲା ଏ ଧାତା ।

ନୋହିଲେ ଗଢ଼ନ୍ତା କିଏ ବନିତା ।୨୭ ।

 

ଚିତ୍ତୁ ନ ଛାଡ଼ିଲା ଏହି କାତର ।

ମାଗନ୍ତି ସୁଗତି ସଙ୍ଗତି ବର ।

ଦମ୍ଭକୁ ହେଲା ତାହାର କାରଣ ।

ସ୍ୱରୁପକୁ ଛାଡ଼ିଯିବାରୁ ଜାଣ ।

ସେ ସୁନ୍ଦର । କଲା ଏହି ଭରସା ।

ପ୍ରାପତ ମୋତେ ହୋଇବ ସୁଦୃଶା ।୨୮ ।

 

ଚାହୁଁ ପ୍ରତିମା ଚକ୍ଷୁ ନ ପିଛାଡ଼ି ।

ତାତ ହକରା ପ୍ରତିବନ୍ଧ ପଡ଼ି ।

ପ୍ରତିବନ୍ଧ ପଡ଼ି ହୋଇବ କିସ ।

ଲେଖା ହେଲା ସେ ରୂପ ପ୍ରତିଦିଶ ।

କି ସୁନ୍ଦର । ଚିତ୍ରପଟ ତା କଲା ।

ସଭାରେ ବସିବା କାଳ ହରିଲା ।୨୯ ।

 

ଯୋଗୀନ୍ଦ୍ର ପ୍ରବେଶ ସିଂହଳ ଦ୍ୱୀପେ ।

ଏକାନ୍ତେ କହିଲେ ମନ୍ତ୍ରୀ ସମୀପେ ।

କର୍ଣ୍ଣାଟଦେଶେ ମହୀପତି ସୁତ ।

କନ୍ୟାର ଅନୁରୂପେ ବର ସତ ।

କି ସୁନ୍ଦର । ଗୁଣ ମନ୍ଦିର ସେହି ।

ବୀର ତୁଲ୍ୟ ହୋଇ ଜଗତେ ନାହିଁ ।୩୦ ।

 

ତାକୁ ଯେ ଦେଲା ଯୁବରାଜ ପଦ ।

ଜାଣିଲା ବିଧାତା ଅତି କୋବିଦ ।

ଆନ ରାଜପୁତ୍ରେ କୁଳ ବେଭାର ।

ଯୁବତୀ ରତନ ଚିତ୍ତ ତତ୍ପର ।

କି ସୁନ୍ଦର । ଜାତ କାମ ମହୀରେ ।

କୁମାର ଏଣୁ କହେ ବିଜ୍ଞ ନରେ ।୩୧ ।

 

ତାତ ବିବେକ ପଣେ ରାଜପଣ ।

ଜାଣି କରନ୍ତି ତାକୁ ସମର୍ପଣ ।

ଉଚ୍ଚାଟ ହୋଇ ସ୍ୱରୂପ ଦେଖି ।

ତାକୁ ପ୍ରଦାନ କରିବା ସୁମୁଖୀ ।

କି ସୁନ୍ଦର । କଥା ସଚିବ ଶୁଣି ।

ନୃପତି ଆଗେ ଜଣାଇଲା ପୁଣି ।୩୨ ।

 

କାହିଁକି ସଦୃଶ ରାଜା ବୋଇଲା ।

ମନ୍ତ୍ରୀ କହେ କେବେ ଦେଖା ନଗଲା ।

ଭୂପତି କହେ ତାକୁ କି ପ୍ରକାରେ ।

ଦୂତ ନ ପେଷି ଆଣିବା ଏ ପୁରେ ।

କି ସୁନ୍ଦର । ପାଞ୍ଚ ମନ୍ତ୍ରୀ କଥନ ।

କରିବା ଅପୂର୍ବ ଯାତ୍ରା ରଚନ ।୩୩ ।

 

ବଶ ହୋଇଛି ଘୋଷ ଶୁଣି ଆସୁ ।

ଆମ୍ଭର କନ୍ୟା ଯାଚିବା ନ ଦିଶୁ ।

ସର୍ବ ସମ୍ମତେ ଏ ବିଚାର ମୂଳ ।

ଦୀର୍ଘ ଦିନରେ କଲେ ଯାତ୍ରା ଗୋଳ ।

କି ସୁନ୍ଦର । ଛାନ୍ଦ ହୋଇଲା ଶେଷ ।

ରାମ ରାମ ପ୍ରତି ଅଭଙ୍ଗ ଶ୍ଲେଷ ।୩୪ ।

 

ତାତବତ୍ସଳ ମୁନି ବେଶଧାରୀ ।

ଅଧିକଭୁଜ ଦର୍ପହତକାରୀ ।

ଉପଇନ୍ଦ୍ର ବୀରବର ଭାବଇ ।

ଏ ଗୀତ ଶୁଭେ ଶେଷ ହେବା ପାଇଁ

ହେ ସୁମନ । ଶୁଣି ହୁଅ ସନ୍ତୋଷ ।

ଖଳ କର୍ଣ୍ଣବିଳେ ନୋହୁ ପ୍ରବେଶ ।୩୫ ।

 

ଏକାଦଶ ଛାନ୍ଦ

ଲାବଣ୍ୟବତୀର ସ୍ୱପ୍ନ ଦର୍ଶନ

(ରାଗ-ଚୋଖି)

 

ଏଥୁଅନ୍ତେ ଶୁଣ ରସ ।

ଗ୍ରୀଷମେ ନିଶି ପ୍ରବେଶ

ଉଦୟ ତାରା ଜୀବେଶ ହେଲେ ଆକାଶେ ।

ଚକ୍ର ସୁଖଚକ୍ର-ନକ୍ର

ଛେଦନେ ହୀରକଚକ୍ର

ଫିଙ୍ଗିଛି ତାତ ସିଦ୍ଧିରେ କାମ କି ରୋଷେ ।

ବେଶ ହେବ କି ରାତ୍ର ବାଳୀ ।

ଛେଦନେ ହୀରକଚକ୍ର

ଫିଙ୍ଗିଛି ତାତ ସିଦ୍ଧିରେ କାମ କି ରୋଷ

ବେଶ ହେବ କି ରାତ୍ର ବାଳୀ

ସ୍ପଟିକ ପେଟୀରେ କିବା କସ୍ତୁରୀ ଦଳି ।୧ ।

 

 

ଆଜି କି ବିଭାବରୀକି

ହୋଇବ ବିଭା ବରିକି

ମଲ୍ଲୀମାଳା ଦେଇ ବିଧୁ କିରଣେ ମଣି ।

ବିଚିତ୍ର ଏ ସ୍ୱୟମ୍ବର

ନାରୀକି ବରିଲା ବର

ଏତେକାଳେ ଦେଖାଗଲା ଏ କଥା ପୁଣି ।

ରବିକରେ ମହୀମହିଳା

ତାପି ହୋଇଥିଲା କି ଚନ୍ଦନ ଲେପି ।୨ ।

 

 

ଶୀତଳ ଯାହା କିରଣ

ପରଶରେ ସମୀରଣ

ରଣରଣ ମିତ୍ରପଣ ଘେନିକି ଏବେ ।

ବିରହୀଗୁଣ ବରହୀ

ଠାରେ ଆଦରିଲା ସେହି

ସେ ଅଛି ଯା ଗର୍ଭେ ତହୁଁ ଜାତ ସ୍ୱଭାବେ ।

ପୁଂସ ଶୋଇ ସୁଧାଚତ୍ୱର

ଚନ୍ଦ୍ର ଚାହିଁ ହୋଇଲା ଅଧିକେ କାତର ।୩ ।

 

 

ହାସ ନାସା ଗତି ରୀତି ।

ବଚନ ରମ୍ୟତା ପ୍ରୀତି

ଏକାନ୍ତ ହେବାଦି ଯେତେ କଥା ସୁମରେ ।

ସ୍ୱରଭଙ୍ଗ ପ୍ରବଳରେ

ଭାଷା କେ ବର୍ଣ୍ଣେ ଉଚ୍ଚରେ

ତଥାପି ବାଳା ଭାବନା ଥାଇ ତହିଁରେ

ସବର୍ଣ୍ଣାଦି ଶବଦ ଶୁଣି

ସାଧୁ ଶୁକ ଅଇଲେକି ହୁଅଇ ଗୁଣି ।୪ ।

 

 

ଯେମନ୍ତ ଦେଖିଛି ଚିତ୍ରେ

ତେମନ୍ତ ଦିଶଇ ନେତ୍ରେ

କେମନ୍ତେ ଲଭିବି ମୂଳ ବିଚାର ଏହି ।

ଯେବେ ଏ ଯୁବା ବୟସେ

ଦିବ୍ୟରାମା ନାହିଁ ପାଶେ

କି ଲାଭ ତହୁ ନୃପ ସମ୍ପତ୍ତି ଥାଇ

ଆରତେ ଯେ ଚିନ୍ତିଲା ଶିବ ।

ତାକୁ ଦେଖାଅ ନୋହିଲେ ଯାଉ ଏ ଜୀବ ।୫ ।

 

 

ତେଣେ ନୃପତିନନ୍ଦିନୀ

ରୁଚିରତର ଚାନ୍ଦିନୀ

ରାତ୍ରିରେ ମଣ୍ଡି ଚାନ୍ଦିନୀ ଚନ୍ଦ୍ରକୁ ଚାହିଁ ।

ପଦ୍ମିନୀ ହୋଇ କାତର

ଭଜି ମଦନ ବିକାର

କରଇ ଚିତ୍ତେ ବିଚାର ଶ୍ୱାସ ପକାଇ ।

ମୋହ ସମ କରମହୀନ

କାହିଁ ପତିସଙ୍ଗ ନାହିଁ ଲଭି ଯୌବନ ।୬ ।

 

 

ସୁବର୍ଣ୍ଣ ସମାନ ନାରୀ

ବିନୟା ଟାଙ୍ଗଣା ପରି

ବିରହ ଅନଳେ ହୋଇଥାଇ ଯେ ଦହି

ଭାବଜଳଯୁକ୍ତ ଦିଶେ

କୋଳ କଷଟିରେ କଷେ

ପରଶ ରସାଣ ପ୍ରୀତି ବାନ ବଢ଼ାଇ ।

କମ କରି କରଇ ଭୋଗ ।

ବଣିକ ଗୁଣିକ ପ୍ରିୟ ବହି ସରାଗ ।୭ ।

 

 

ଦୁର୍ଗା ମୋ ଦୁର୍ଗତି ହର

ଏମନ୍ତ ବ୍ୟାକୁଳ ତାର

ହରଉମା ଦୟାକଲେ ସେ ନାରୀ ପୁଂସେ ।

ନିଦ୍ରାବଶରେ ସ୍ୱପନ

ଦେଖିଲେ ସତ ବିଧାନ

ଏକ ଯୋଗିନୀ ପ୍ରବେଶ କୁମାର ପାଶେ ।

କର ଧରି ନିଦ୍ରା ଭାଙ୍ଗିଲା ।

ଗଗନମାର୍ଗେ କୁମାରୀ ପୁରକୁ ନେଲା ।୮ ।

 

 

ବୋଇଲା ଲାବଣ୍ୟବତୀ

ଅଟଇ ଏହି ଯୁବତୀ

ଚାନ୍ଦନୀରେ ଶୋଇଛି ଯେ ପଲ୍ୟଙ୍କ ପର ।

ସଖୀ ବେଢ଼ି ଚାରିପାଶେ

ଜ୍ଞାନହୀନ ନିଦ୍ରାବଶେ

ମନାଇ ପାରିଲେ ଭୋଗ କର ନାଗର ।

ଏତେ କହି ହେଲା ଅନ୍ତର

ଶୋଭା ଚାହିଁ ଲୋଭା ହୋଇ ଉଭା କୁମର ।୯ ।

 

 

ମନେ ପାଞ୍ଚେ ମଞ୍ଚେ ଜାତ

କାହିଁକି ଏ ଅଦଭୁତ

ଏବେ ଜାଣିଲି ମୋର ନୟନ ଭାଗ୍ୟେ ।

ଏ ବର୍ଣ୍ଣ ସୁବର୍ଣ୍ଣକମ

ହୁଅନ୍ତା କି ତାରତମ

ଭିନ୍ନ ଜାଣି ହେଲା ସିନା ରତନ ଯୋଗେ ।

ହରଷ ଏମନ୍ତ ସ୍ୱରୂପ

ଏତେକାଳଯାଏ ହୋଇଥିଲା ଏ ଗୋପ୍ୟ ।୧୦ ।

 

 

ଏକା ଏ ନୋହେ ହରଷ

ପୁଣି ମିଶିଛି ସରସ

ମିଳିଛି ଶୋଭା ବିଶେଷ ଦୀପ୍ତିକି ଘେନି ।

ସୁବାସ ମନ୍ଦିର ଏହି

ଦିଶୁଅଛି ବ୍ୟକ୍ତ ହୋଇ

ବହିଲା ସୁକୃତ କରିଥିଲା ଅବନୀ

ଭାବ ହାବଲୀଳା ପ୍ରସନ୍ନ

ହୁଅନ୍ତି ଯାହା ପ୍ରସାଦେ ସେ କି ସମାନ ।୧୧ ।

 

 

ଅଣିମାଦି ସୁଖଦାୟୀ

ଶୋଇଅଛି ଅଣିଆଇଁ

ପଲ୍ୟଙ୍କ ଅଙ୍କରେ ଦିଶେ ଏମନ୍ତ ଶୋଭା ।

ରସାଣ ରଜତବାଡ଼େ

କନକଲତା କି ଜଡ଼େ

ବିଶଦ ଘନରେ କି ସେ ଚପଳା ପ୍ରଭା

ବାମାକର କପୋଳତଳ

କେନ୍ଦୁ ପଲ୍ଲବେ ଥୁଆ କି ଫୁଲ କମଳ ।୧୨ ।

 

 

ବୁଜିବାରୁ ଶୋଭାନେତ୍ର

କି ନୀଳେନ୍ଦ୍ରି ବରପତ୍ର

ଉଲଟାଇ ଦର୍ପଣେ ଥୋଇଛି କୁତୁକେ ।

କି ଅବା ଖଞ୍ଜନ ଯୁଗ

ନିଶ୍ଚଳେ ହେବାରୁ ଯୋଗ

ଅଞ୍ଜନା ଅଠା କାଠିରେ ଏକାବେଳକେ ।

ମୀନରାଶି ଉଦୟ ଆସି

ମୃଗାଙ୍କ ଅଙ୍କରେ ହେଲା ପରାୟ ଦିଶି ।୧୩ ।

 

 

ବାମା ବାମଦେବ ଦୁଇ

ଯେଣୁ ତ୍ରିପୁର ବିଜୟୀ

ଦ୍ୱନ୍ଦକରି ପୂର୍ଣ୍ଣଚନ୍ଦ୍ର ଦ୍ୱିଭାଗ କଲେ ।

ଖଣ୍ଡେ ଖଣ୍ଡେ ଭାଲ ଦେଶେ

କୀରତି ପ୍ରକାଶ ଆଶେ

ନିଶ୍ଚେ ପ୍ରମୋଦ ମାନସେ ଆଣି ବହିଲେ

ଘେନିଅଛି ଚନ୍ଦନପାଟୀ

ଲୋକନେ ଏହି ଉପମା ମନେ ପ୍ରକଟି ।୧୪ ।

 

 

ଝିଲି ମିଲି ମାଳି ପାନ

ପତ୍ରରେ ଅତି ଶୋଭନ

ମାର ମଙ୍ଗଳ ପଲ୍ଲବ ତୋରଣ ପରା ।

କତୁରୀ କୁରୁଳୀ ଝଳି

ବାତେବେଳେ ଅଳିଆଳି

ପକ୍ଷ ଚାଳି କିବା ଉଡ଼ିଯିବାକୁ ତ୍ୱରା

ମୁକୁତା ସୀମନ୍ତ ଉପରେ

କାଳିନ୍ଦୀ ମଧ୍ୟେ କି ବହେ ଜାହ୍ନବୀ ଧାରେ ।୧୫ ।

 

 

ଶ୍ରଦ୍ଧାରୁ କରିଛି ଯୋଷା

ଚୂର୍ଣ୍ଣ ଚିକୁରକୁ ଖୋଷା

ଦିଶୁଛି ଯତ୍ନ ଚଉଁରୀ ରତ୍ନ ଭଉଁରୀ

କେତୁମୁଣ୍ଡ ତୁଣ୍ଡେ ପଶି

ଗଲାଣି ଶରଦ ଶଶୀ

କେବଳ କିରଣ ଦିଶୁଅଛି ମାଧୁରୀ ।

ଆଡ଼ଖୋଷା କୁସୁମ ତୋରା

ହାହାକାର ପରି ରୁଣ୍ଡୀଭୂତ କି ତାରା ।୧୬ ।

 

 

ଗଣ୍ଡଖଣ୍ଡ ପରେ ପଦ୍ମ-

ରାଗତାଟଙ୍କର ସଦ୍ମ ।

ଚନ୍ଦ୍ରଠାରେ ସାନ୍ଦ୍ର ସ୍ନେହୀ ଆରଦ୍ରା କି ସେ ।

କରେ ବିପରୀତ ରତି

ସେପରି ହୋଏ ପ୍ରତୀତି

ମିଶି ଶଶୀ ଜ୍ୟୋତି ଆସି ଫୁଲେ କି ଦିଶେ ।

ଜଣାଉଛି ରସିକା କର୍ଣ୍ଣ

ତୋ ଶୋଭା ଯଶ ହେଲାଣି ମହୀରେ ପୂର୍ଣ୍ଣ

 

 

ଅଛି ବଜ୍ରମଲ୍ଲୀ କଢ଼ି

ବିଧାତା କି ବଜ୍ରେ ଗଢ଼ି

ସୁନ୍ଦରୀ ସଂସାରେ ଇନ୍ଦ୍ର କରି ଦେଇଛି ।

ଧଇର୍ଯ୍ୟ ବୃତ୍ରଅସୁର

ନାଶ କରିଣ ଏଥିର

ଥିରଗମନା କି ଥିର ହୋଇ ରହିଛି ।

କହୁଛି ଝଲକା ଝଲକ

ମୁହିଁ ରଖିନାହିଁ ସୁର ନେତ୍ର ପଲକ ।୧୮ ।

 

 

ପାନ କଳ ପୁରି ତୁଣ୍ଡେ

ଫୁଟି ଦିଶୁଅଛି ଗଣ୍ଡେ

ମୁକୁରେ ଜବାକୁସୁମ ପ୍ରତିବିମ୍ବେ କି ।

ଶ୍ୱାସବଶେ ଫୁଲେ ଘୋଣା

ତହିଁ ଲୀଳ ନାକଚଣା

ଉତ୍‌ଫୁଲ ତିଳଫୁଲକୁ ଭୃଙ୍ଗ ଚୁମ୍ବେ କି ।

ଥୋପି ପଡ଼େ ରଙ୍ଗ ଅଧର

ଭସ୍ମହୀନ ପକ୍ୱବିମ୍ବେ ମନ ନ ଧରେ ।୧୯ ।

 

 

ଦମ୍ଭ ଉଦଧି ମନ୍ଥନ

ଅଚଳସ୍ତନ ଚନ୍ଦନ

ଲେପନ ହୋଇ ଶୋଭନ ବସନ ଗଳି ।

ସୁଧାକୋଷ ବେନି ଆଣି

ଢାଙ୍କି କି କାଚ ଢାଙ୍କୁଣୀ

ଭାଳି ଦାୟିତ୍ୱ ଭୋଗକୁ ରଖିଛି ବାଳୀ

ସ୍ପଟିକ ପ୍ରାସାଦ ସଦୃଶୀ

ନବଘନ କାନ୍ତି ଅଛି ତହିଁରେ ମିଶି ।୨୦ ।

 

 

ଯାଉଁଳି ତାଡ଼ ସଜାଡ଼ି

କଳିଆରୀ ଶଙ୍ଖଚୁଡ଼ି

ସୁପ୍ରୀତିରେ ଘେନିବାରୁ କାନ୍ତି ଅଧିକା

ସ୍ପୀତ ନୀଚେ କରସ୍ଥିତି

ନଖେ ମଞ୍ଜୁ ମଞ୍ଜୁଆତି

ଚିତ୍ରିତ ହୋଇଛି ପୁଣି ଚାନ୍ଦ ତାରକା ।

ତୁମ୍ବୀ ଦଣ୍ଡସାର ଭିଆଇ

ବୀଣାହେବ ଗୁଣ ଆରି ଯାଉଛି ବହି ।୨୧ ।

 

 

ଦରଶନେ ରୋମରାଜି

ଦଣ୍ଡେ ସଂଶୟ ଉପୁଜି

କରି ନାହିଁ ବେଣୀ ଫୁଟି ଦିଶୁଛି କିସ ।

ଚାହିଁ କଚ୍ଛପ ଜଘନ

ଭାଜିଲା ସନ୍ଦେହମାନ

ଏ ତାହା ବନ୍ଧନ ରଜ୍ଜୁ କଲା ମାନସ ।

ଊରୁ ଦେଖି ଦୂରୁଁ ସେ ଲୋଭୀ

ମାଂସଳ ଗଉର ପକ୍ୱ ଚୂତ କି ଶୋଭି ।୨୨ ।

 

 

ଶାଢ଼ିଧାଢ଼ୀ ପଡ଼ି ଜଡ଼ି

ନିବିଡ଼େ ନୀବୀ ନିବାଡ଼ି

ଅଛି କେତେ ଛନ୍ଦେ ଭିଡ଼ି ବିବେକ ଭଳି ।

କବିଦମ୍ଭ ଭୁବିଧର

ପବିଛବି ମନୋହର

ଚିତ୍ତ ମତ୍ତ ଦ୍ୱିରଦ ବନ୍ଧନ ଶିକୁଳି ।

ଉପମା ବୁଡ଼ାଇବ କୂଟେ

ଶୋଭାନଦୀକି ଭଉଁରୀ ଦେଇ ପ୍ରକଟେ ।୨୩ ।

 

 

ନିତମ୍ବ ନିଗମ ସ୍ଥାନ

ପାଶ ପାତିଛି ମଦନ

ଧରିବାକୁ ଅକ୍ଷି ପକ୍ଷୀ କରି ମମତା ।

କଲେ କି ନୟନ ମନ

ନୀବୀରେ ତାର ସଦନ

ହେଲେ ସେ ନୀବୀ ସଦନ ଏ ସଂଶୟ ତା

ଅବକାଶ ରଖିଲା ନାହିଁ

ଆଉ ଶୋଭା ଦେଖିବାକୁ ଉଚ୍ଛନ୍ନ ଯହିଁ ।୨୪ ।

 

 

ଭଜୁ ନ ଭଜୁ ବାନ୍ଧବୀ

ଆଗ ମୁଁ ନିଦ୍ରା ଭାଙ୍ଗିବି

ତନୁ ହେଲେ ଛୁଇଁଥିବି ଏ ବଡ଼ ଲାଭ ।

ଯେ ପାରେ ବାଳା ମନାଇଁ

ନିଶ୍ଚେ ମର୍ତ୍ତ୍ୟେ ଇନ୍ଦ୍ର ସେହି

ମନରେ ଭାବନା କରି ପରମ ଶୁଭ ।

ଜାନୁ ଧରି ଦେଲା ଝୁଲାଇ ।

ପୁଂସ କର ଲାଗି ନିଦ୍ରା ବିନାଶ ହୋଇ ।୨୫ ।

 

 

ଉଠି ଭାଙ୍ଗନ୍ତେ ଅଳସ

କି ଶୋଭା କୁଚକଳସ

ଟେକି ହୋଏ କି ମେରୁକି ଜିଣିବା ଗର୍ବେ ।

ଉର୍ଦ୍ଧ୍ୱେଛନ୍ଦି କର ବେନି

ଶୋଭା ଲପନକୁ ଘେନି

ଚନ୍ଦ୍ର କି ବିଦ୍ୟୁପରିଧି ହୋଇଲା ଏବେ ।

ମୁଖ ଜୃମ୍ଭାବଶେ ରାଜିତ

ଦରବିକଶିତ କୋକନଦ ଯେବନ୍ତ ।୨୬ ।

 

 

ନୟନେ ଚଞ୍ଚଳ ମିଶେ

ଗରବଣା ଏଣୀ କି ସେ

ଶର ପ୍ରାୟ ଯାଇ ପୁଂସ ଲାଖ ପଡ଼ିଲା ।

ସେ ସୁନ୍ଦର ପାରାବର

ରସରତନ ଆକର

ମୀନପ୍ରାୟ ହୋଇ ତହିଁ ବେଗେ ବୁଡ଼ିଲା ।

ଲାଜେ ମୁଖ ନୁଆଁଇ ଘନେ

ସମ୍ଭାବନା କଲା ପ୍ରାୟ ଉଠିଲା ଛନ୍ନେ ।୨୭ ।

 

 

ଭାଳୁଛି ନୁହଇ ମାର

ନାହିଁ ଫୁଲ ଧନୁଶର

ସୁଧାକର ନୋହେ ତହିଁ କଳଙ୍କ ଅଛି ।

ଆଉ ଦେବତାମାନଙ୍କୁ

କିମ୍ପା ଆଣିବା ମନକୁ

ମୋହରି ସୁକୃତୁଁ ଏ ପୁରୁଷ ହୋଇଛି ।

ମୋର ପୁଣି ସୁକୃତ କେତେ

ଏମନ୍ତ ଶୋଭା ହେବାରୁ ଜାତ ଜଗତେ ।୨୮ ।

 

 

ନିକଟେ ଗୋକୁଳେ ହରି

ମୋହନ ରୂପକୁ ଧରି

ଥିଲେ ନାଶ କରିଛନ୍ତି ଅବନୀଭାର ।

ଏତେବେଗେ ଅବତାର

କିମ୍ପା ହୋଇବ ତାଙ୍କର

କି ମୂର୍ତ୍ତିମନ୍ତ ଉପମା ଦ୍ରବ୍ୟଙ୍କ ସାର ।

ଏ ରୂପେ ବିଚାରୁଁ ସୁକେଶୀ

କ୍ଷୀର ନୀର ପ୍ରାୟ ମନ ପୁରୁଷେ ମିଶି ।୨୯ ।

 

 

ଏକାଳେ କର କୋରକ

କରି ତରୁଣତିଳକ

ବୋଇଲା ହେ ଜୀବେଶ୍ୱରୀ ବିନୟ ଘେନ ।

ଚରଣେ ଅଳତା ପରି

ପଛେ ପଛେ ଛାଇପରି

ଅନୁସରି ଥିବାକୁ ମୋ ହେଉଛି ମନ ।

ମୋତେ ଦିଅ ବସନ ଭାଗ୍ୟ

ହେଲେଣି ସବୁମତେ ମୁଁ କୃତାର୍ଥ ଯୋଗ୍ୟ ।୩୦ ।

 

 

ଯେବେ ମୋର ଭାଗ୍ୟ ନାହିଁ

ତୋତେ କି ପାରନ୍ତି ଚାହିଁ

ବିଶେଷତ ତନୁ ଛୁଇଁ ଏ କଥା ଭାବ ।

ମୋ ମତେ ମୁଁ ତୋ ସେବକ

ହେଲେଣି କାମପାବକ

ଜାଳିଲେ ଏହି ଅଯଶ କାହାକୁ ହେବ ।

ବିନୟ ପ୍ରଶଂସାକୁ ବାଣୀ

ନାହିଁ ମୁଁ କି କହିବି ତୁ ଦୟାଳୁମଣି ।୩୧ ।

 

 

ମିଥ୍ୟା ନୋହେ ନିଦ୍ରାବ୍ୟାଜେ

ନେତ୍ର ଯମଦାଢ଼କୁ ଯେ

ରଖିଥିଲୁଁ ପକ୍ଷ୍ମକୋଷୁ କରି ବାହାର ।

ହୃଦରେ ମାରି ଓଟାରି

ଘେନିଗଲୁ ଝଟ କରି

ଦେଖ ମୁକୁରେ ରୁଧିରେ ହୋଏ ଜର୍ଜର ।

ହାସ ଔଷଧିଶ ପ୍ରକାଶ

ନକଲେ ନବୀନା ଗଲି ସିନା ମୁଁ ବିନାଶ ।୩୨ ।

 

 

ସେ ରମଣୀ ଚନ୍ଦ୍ରମଣି

ହୋଇଲା ଏମନ୍ତ ମଣି

ଚାଟୂଚନ୍ଦ୍ରେ ଦ୍ରବୀଭୂତ କଲା ନାଗର ।

ହାସ କରିଲା ପରାୟେ

ଶ୍ରୀମୁଖ ପ୍ରସନ୍ନ ହୋଏ

ହେଲା ଜାଣି ବକ୍ର ନେତ୍ରେ ତା ସୀଉକାର ।

କରଧରି ଶିରେ ଲଗାଇ

କୋଳ କରି ସୁରସିକ ପଲ୍ୟଙ୍କେ ନେଇ ।୩୩ ।

 

 

ବସି ବସାଇଲା କୋଳେ

ଲପନ ଚୁମ୍ବିବା ବେଳେ

ଜେମା କରେ ଦେଲା ବେଗେ ରତନମୁଦି ।

ଜେମା କାଢ଼ି ମୋତିମାଳା

ଲମ୍ବାଇଲା ପୁଂସଗଳା

ପରସ୍ପର ବରଣେ ହୋଇଲେ ପ୍ରମୋଦୀ ।

ସେ କାଳକୁ ଅସ୍ତ ଚନ୍ଦ୍ରମା

କୁମାର ସ୍ୱରୂପ ବାଡ଼େ ଲେଖି ପ୍ରତିମା ।୩୪ ।

 

 

ଦେବୀ ଯେ ମାୟା ହରିଲା

ବୀରକୁ ସ୍ୱ-ପୁରେ ନେଲା

ରଜନୀ ବିନାଶ ନିଦ୍ରା ସେକାଳେ ହତ ।

ବଜ୍ର କିମ୍ପା ନ ପଡ଼ିଲା

ଏ ଦଣ୍ଡ କାହିଁକି ହେଲା

ପିଶିନ ଧାତା କି କଲ ଦାରୁଣ କୃତ ।

ରାମ ବୋଲି ବିସ୍ମୟ ହୋଇ

ଉପଇନ୍ଦ୍ର ବୀରବର ଏ ରସ କହି ।୩୫ ।

 

Unknown

ଦ୍ୱାଦଶ ଛାନ୍ଦ

ଲାବଣ୍ୟବତୀର ବିଳାପ

(ରାଗ-କଉଶିକ)

 

ଚେତି ଚତୁରୀ ଚାହିଁଲା ନିଶି ନାଶେ ପାଶେ ନାହିଁ ଦିବ୍ୟ ତରୁଣ ।

ମାରି ହୃଦେ ହାତ ନାଥ ନାଥ ବୋଲି ଅତି ଉଚ୍ଚେ କଲା କାରୁଣ୍ୟ ।

ଖୋଜେ ଅଧୀରେ, ଚେତନା ହତ ସେ ବିଧିରେ ।

ଶେଯ ଲେଉଟାଇ କବରୀ ଫିଟାଇ କର ଭରି କୁଚ ସନ୍ଧିରେ ।୧ ।

 

ପୁଣି ବୋଲଇ ହେ ଜାଣି ମୁଁ ନଥିଲି ଦଇବ ତୁ ଏଡ଼େ ଦାରୁଣ ।

କ୍ଷୁଧାତୁରକୁ ସୁଧା ତୁଲ୍ୟ ଭୋଜନ ପରଶିଲୁ କେଉଁ କାରଣ ।

ଭୁଞ୍ଜି ବସିବା, ବେଳେ କୁଳିଶ ବୃଷ୍ଟି କଲୁ ।

ଯେବେ କଲୁ ତେବେ ପରାଣ ନ ନେଲୁ ଏଡ଼େ ବ୍ୟାକୁଳ କିମ୍ପା ଦେଲୁ ।୨ ।

 

ଏ ବାଣୀ ଶ୍ରବଣେ ଶୁଣି ସଖୀଗଣେ ପଚାରିଲେ ଏ କି ବିଷୟ ।

ତାରତରଳ ନୟନରେ ସରଳ ହୃଦୟା ପୂରାଇଛୁ ଲୁହ ।

ବାଳୀ ରତନ, ବାଳିଶ ପରାୟ ହୋଇଲୁ ।

ପୁରୁଷପଦ ଦିବାକର ଅଗମ୍ୟ ପୁରେ କାହୁଁ ପ୍ରିୟ ପାଇଲୁ ।୩ ।

 

ବୋଲେ ନାଗରୀ ସାଗରେ ସ୍ନାନ କରି ଯେମନ୍ତେ ତୃଷା ନ ତୁଟିଲା ।

କଳ୍ପ ତରୁରେ ଫଳ ନାହିଁ ଯେମନ୍ତେ ତେମନ୍ତେ ଦଶା ତ ଘଟିଲା ।

ଦିବ୍ୟ ପୁରୁଷେ, ତ ଆସି ରସି ବସି ମୋ ପାଶ ।

ଅଙ୍ଗେ ଅଙ୍ଗମେଳେ ରସ ଜାତବେଳେ ବିଚ୍ଛେଦ ହୋଇଲେ କି ଦୋଷେ ।୪ ।

 

ଆଳି ଭାଳିଲେ ଚନ୍ଦନ ମହୀରୁହ ପରାୟ ଏହି ଅନ୍ତଃପୁର ।

ଉରଗ କଞ୍ଚୁକେ ବେଷ୍ଟିତ ହେବାରେ ରାତ୍ରି ଦିବସେ ଭୟଙ୍କର ।

ଅଛି ତହିଁରେ, ପବନ ମାତ୍ର ସ୍ପରଶ ।

ଏ କେଉଁ ଦେବଶେ ଗମ୍ୟ ହୋଇଥିବ ଭେଦିତ ନ ତିବ ମନୁଷ୍ୟ ।୫ ।

 

ଜେମାକୁ ପୁଚ୍ଛିଲେ ତାଣ୍ଡବ ଚିତ୍ରକୁ ଦେଖିଛୁ ତ ଶିବ ସଦନେ ।

ତହିଁ କେଉଁ ଦେଶେ ବଶ ହେଲୁ ଏବେ କି ଅବା ରହିଲୁ ମଦନେ ।

ଶୁଣି ସୁନ୍ଦରୀ, ଶିର କମ୍ପାଇ କଲା ନାହିଁ ।

ଧାତ୍ରୀ ପୁତ୍ରୀ ମନ୍ତ୍ରୀ ସୁତାକୁ ପଚାରିଲା ସ୍ୱପନରେ ଭୁଲ କିମ୍ପାଇ ।୬ ।

 

ଚିକୁର ଶୋଭି ମୁକୁର ପ୍ରତିବିମ୍ବ ଆଲିଙ୍ଗନେ ଯେବେ ଆସିବ ।

ମୃଗତୃଷ୍ଣା ଜଳ ତୃଷ୍ଣାକୁ ନାଶିବ ସ୍ୱପ୍ନ ତେବେ ସତ ଦିଶିବ ।

କହେ ସଚିବ, ସୁତା ସବୁ ବଡ଼ ଦଇବ ।

କାହା ମନେ ଥିଲା ଅଗାଧ ସମୁଦ୍ର ଚଳୁ ଭିତରେ ସମ୍ଭାଇବ ।୭ ।

 

ସେ ପୁଣି ବୋଇଲା ସେ କଥା ସେ ରୂପେଏ କଥା କୁଜ୍‌ଝଟିପ୍ଲବନ ।

ପବନକୁ ଫାଶ ପାତି ବସିଥିଲେ ସେ କାହିଁ ହୋଇବ ବନ୍ଧନ ।

ପୁଣି ସେ କହେ, ଉଷା ଅନିରୁଦ୍ଧ କେମନ୍ତ ।

ସେ ବୋଲେ ସେତେ ଯଦୁପରେ ସେ ଥିଲା ଜାଣିଲେ ଏ କାହୁଁ ସମ୍ଭୂତ ।୮ ।

 

ପରିମଳା ନାମେ ସଜନୀ ବୋଇଲାଜେମାକୁ ଅନାଇଁ ମହୀକି ।

ଆଖି ଥାଉଁ ଦେଖି ନ ପାରେ ସଙ୍କେତ ଭୋଳ ହୁଅ ନାହିଁ ପାଇଁକି ।

ନୋହେ ସ୍ୱପନ, ସତ ଚାହିଁ କିନା ବାଳାକୁ ।

କେଉଁ ଦେବୀର ଏ ମାୟା ହେଲେ ହେବ ଲଭିଛି ବଲ୍ଲଭ ଲୀଳାକୁ ।୯ ।

 

ଗଣ୍ଡମଣ୍ଡଳ ପାଟଳ ଚୁମ୍ବିବାରେ ତାମ୍ବୁଳବୋଳେ ତ ଲାଗିଛି ।

ପାନବଶରେ ରଦବାସ ବିଶେଷ ଶୋଭା ଦନ୍ତ କ୍ଷତେ ହୋଇଛି ।

ଚନ୍ଦ୍ର ଚନ୍ଦନ, ଠାବ ଠାବେ ଅଙ୍ଗେ ଜଡ଼ିଛି ।

କାମକାତରେ ଭିଡ଼ିଛି ତରତରେ କଙ୍କର ପଦରେ ପୀଡ଼ିଛି ।୧୦ ।

 

ଛୁଇଁବା ବେଳରେ ଶ୍ରୀଅଙ୍ଗ ଜେମାର ଦେଇଥିବ ସିନା ଆଦରେ ।

ଯେଉଁ ମୁଦ୍ରିକା ଅନାମିକାମଣ୍ଡନ କେହି ଦେଖିଛ କିଏ ପୁରେ ।

ଯହୁଁ ଦେଖାଇ, ଏ ରୂପେ ସଙ୍କେତ ନିକର ।

ଏ କାଳେ ଜଣେ ଚାହିଁ ବୋଲେ ବାଡ଼କୁ ସେ ପରା ଏ ଚିତ୍ର ସୁନ୍ଦର ।୧୧ ।

 

ଉପମା ସୃଷ୍ଟି ସୃଷ୍ଟି କରି ବିମ୍ବୋଷ୍ଠୀ ଦୁର୍ଲଭ ବଲ୍ଲଭ ରୂପକୁ ।

ଦେଖି ଭାଳିଲେ ପରମେଷ୍ଠୀ ଗୋଟିଏ କଲା କୋଟିଏ କନ୍ଦର୍ପକୁ ।

ସର୍ବ ଜନନୀ, ଅନିମିଷ ହୋଇ ରହିଲେ ।

ନୋହିଲେ କାହିଁକି ଜଗତମୋହିନୀ ମନକୁ ମୋହିଲା କହିଲେ ।୧୨ ।

 

ପ୍ରବୋଧ କଲେ ଏ ବିଧିରେ ସଧୀରେ ବୁଦ୍ଧିରେ ଦେଖାଇ ପ୍ରମାଣ ।

ପୁରୁଷ ପଦେ ଏହାକୁ ସ୍ତିରୀପଦେ ତୋତେ ଧାତା କଲା ନିର୍ମାଣ ।

ଆଉ ଆନରେ, ସଙ୍ଗତି କାହୁଁ ଭିଆଇବ

ତୁଳାପାତ୍ରେଊଣା ଅଧିକପଦାର୍ଥପଡ଼ିଲେକି ସମେ ରହିବ ।୧୩ ।

 

ଏତେ କହି ଦେଲେ ନୀତିକି ବଢ଼ାଇ ସେ ଦିନୁ ବହିଲା କ୍ଷୀଣକୁ ।

ସ୍ୱପନସଙ୍ଗ ପ୍ରସଙ୍ଗ ଚିନ୍ତି ଚିତ୍ର ଚାହିଁ ହରୁଥାଏ ଦିନକୁ ।

ବିଦା ହେବାକୁ, ଶରଧା ହୋଏ ଏହା ଭାବି ।

ପୁଣି ସେ ପୁରୁଷ ପାଶକୁ ଅଇଲେ ଅଞ୍ଚଳେ ଅଞ୍ଚଳ ବାନ୍ଧିବି ।୧୪ ।

 

ବିରହ ଅଧିକ ଧିକ କଲା ବେଶ ହାରା ଭାରାଧରା ଶୟନ ।

ଅପଘନେ ଘର କଲା ସ୍ମରଜ୍ୱର ନୀର ପୂର ହେଲା ନୟନ ।

ମହା ଆକୁଳ, ଜନିତ ହୋଇଲା ନିରତେ ।

ସ୍ତୋକ ସ୍ତୋକ କରି ତନୁକୁ କାଟିଲା ମଦନ ବସାଇ କରତେ ।୧୫ ।

 

ବୋଲଇ ସଖୀରେ ବିଚିତ୍ର ନାଗର ସ୍ନେହସାଗରରେ ମଜ୍ଜିଲି ।

ଅବଶ୍ୟ ଳଭିବି ଭାବରତନୁକୁ ଏମନ୍ତ ଚିତ୍ତରେ ହେଜିଲି ।

ଏତେ ବେଳକୁ, ଜୀବନ ଆଶାକୁ ତେଜିଲି ।

କାମେ ଭ୍ରମେ ପଡ଼ି କରମବଶରେ ସ୍ଥଳ ନପାଇ ମୁଁ ବୁଡ଼ିଲି ।୧୬ ।

 

ଯିବାକୁ ଜୀବ ଶୋଚନା ହେଉ ନାହିଁ ଏହି କଥାକୁ ମନେ ଭାବି ।

ସାଗର ଝାସ ଫଳ ନକି ବିଅର୍ଥ ହେବ ମନାସିବା ପାଇବି ।

କୃପା କରିକି, ଆଉ କର୍ଣ୍ଣଧାର ହୋଇବ ।

କଲା କଥା ଯେହି ଅନ୍ୟଥା କରିଛି ଏମନ୍ତ ଦାରୁଣ ଦଇବ ।୧୭ ।

 

ସଖୀ କହିଲେ ଦୁଃଖ ସହି ଧଇର୍ଯ୍ୟ ହେଲେ କାର୍ଯ୍ୟ ଲଭି ଅବଶ୍ୟ ।

ହରି ଅରିଘାତ ସହି ରହିଲାରୁ ପିଇଛିତ ପୀୟୂଷ ।

ତୁ ଯେ ତୁଷାର୍ତ୍ତୀ-ଚାତକୀ ତୋ ତୃଷା ହରିବ ।

ମଙ୍ଗଳ ଚଳନେ ଉଇଁଲା ଘନ କି ଜଳ ବରଷା ନ କରିବ । ।୧୮ ।

 

ଏ କାଳେ ବଳୟ-ଶୋଭୀ କୁବଳୟ ନୟନୀ ମଳୟ ସମୀରେ ।

ଛଳେ ଭୋଗୀ ପ୍ରୀତି ତୁମ୍ଭଙ୍କୁ ବୋଲୁଛି ସେହି ଗୁଣ ବହ ମୋଠାରେ ।

ଆହେ ପବନ, ବୋଲାଅ ଜଗତଜୀବନ ।

ଏବେ ମୋ ଜୀବନ ନେବାକୁ ହୋଇଛ ଯଥା ସନ୍ନିପାତେ ଜୀବନ ।୧୯ ।

 

ଯହିଁ ତହିଁ ତୋତେ ମଧୁକାଳ ହୋଏ ଦକ୍ଷିଣ ଶବଦ ପ୍ରକଟ ।

ସେତୁହେତୁରେ ଯେଉଁମାନେ ରଖିଲେ କି ନିନ୍ଦିବା ସେତ ମର୍କଟ ।

ମନ୍ଦ ମରୁତ, ବୋଲୁଛି ଯେଣୁ ତନୁ ପୋଡ଼ୁ ।

ଦେବତା ହୋଇଲେ ପୁଣ ମାତା ଗୁଣ ରାବଣ ପରାୟେ ନଛାଡ଼ୁ ।୨୦ ।

 

ଲାଗିଲେ କିମ୍ପା ବ୍ୟଥିତ ନ କରିବୁ କାଳେ ବୋଲାଉ ଖଣ୍ଡଭୂତ ।

ଏତେକ ବିବେକ ଇନ୍ଦ୍ରର ନୋହିଲା ଦେହରୁ ହେବ ବଳବନ୍ତ ।

ଜଳ ପବନ, ଏକ ସିନା ସ୍ତିୁତି ନ ଘେନ ।

ରାମଠାରୁ ଜଣାଯାଉଛି ନିସତ ହେବ ଗଲାବେଳେ ଜୀବନ ।୨୧ ।

 

ପୁଣି ଶୁଣ ପିକବାଣୀ ଗୁଣି ଜଇନିମିନିକିମଣି ବଜ୍ରଘାତ ।

ଚେତନାବଶେ ଅବଶେ ବସେ ଭାଷେ ମୋ ହତରୁ କେଉଁ ମହତ ।

ମୁଁ ଯେ ଅବଳା, ମୋ ବଧ ଜଗତେ କଳୁଷ ।

ବକୁଳ ଆସବ ଅଗୁଁ ଦ୍ୱିଜ ହେଲ ହୋଇଲୁ କି ଜ୍ଞାନ-ବିନାଶ ।୨୨ ।

 

ପଞ୍ଚମସ୍ୱରେ ତୋ ପଞ୍ଚଶର ଥିଲା ପଞ୍ଚତ୍ୱ ଇଚ୍ଛା କରି ମୋର ।

କଳକଣ୍ଠ ନାମ ଆଦ୍ୟବର୍ଣ୍ଣ ଏବେ ଆଶ୍ଲେଷ କଲା କି ଆକାର ।

ଆଗୁଁ ଜାଣି ମୁଁ, ନଥିଲି ଏମନ୍ତ ବୋଲିଣ ।

ବ୍ୟାଧ ପୋଷ ବଧ ବିଚାରିଥିଲି ତୁ କିମ୍ପା ଦେଖାନ୍ତୁ ବଡ଼ପଣ ।୨୩ ।

 

କୁସୁମଶର ତୁ ପୁଣି ବୋଲୁଅଛି ହତ୍ୟା ଘେନିବୁ କି ମୋହର ।

ଏ କେଉଁ ବଡ଼ାଇ ମନୁ ଜାତ ହୋଇ ମନ୍ମଥପଦ ପୁରସ୍କାର ।

ତୁ କି କସ୍ତୁରୀ, ଠାରୁ ଏ ଦୀକ୍ଷାକୁ ପାଇଲୁ ।

ପଶୁସମ୍ଭବ ଅଚେତ ଦ୍ରବ୍ୟ ସଙ୍ଗେ ବିଚାରେ ତୁଳନା ହୋଇଲୁ ।୨୪ ।

 

ଯେ ବୋଲେ ମାର ତାହାକୁ ତୁହି ମାର ନ ମାର ବୋଲେ ମୁଁ ନିରତେ ।

ମୋ ତନୁ ନାଶ କରି ବାସ କରିବୁ କାହିଁ ବିଚାର କରୁ ଏତେ ।

ଦେଖ ଅନଳ, କାଷ୍ଠକୁ ନଷ୍ଟ କରି ଲିଭେ ।

ପ୍ରେତ ହେବାରୁ ପ୍ରେତ ପତି ସମୀପେ ନେବା ବିଚାର କରୁ ଏବେ ।୨୫ ।

 

ଯାହା କୁମାର ତେଡ଼େ ସିଦ୍ଧି କିକରି ଛାଡ଼ିବୁ ନୋହେ ଏ ବେଭାର ।

ଯାହାକୁ ମାର ତହିଁରୁ କେତେ ଭୂତି ପ୍ରାପତ ହେଲାଣି ତୋହର ।

ମୁଁ ତା ହୁଡ଼ୁଛି, ଏହି ସୁକୃତରୁ ନିଶ୍ଚୟ ।

ପୂର୍ବରେ ଭୂତ ସ୍ୱରୂପ ହୋଇଥିଲୁ ଅନୁଚିତ୍ତତ ଚିତ୍ତ ଉଦୟ ।୨୬ ।

 

ରୋଗ ଋଣ ଶତ୍ରୁ ଶେଷକୁ ରଖିଲେ ଆପଣାର ବାଧା ସେ କଥା ।

ଶର୍ବ ସର୍ବଜ୍ଞତା କଲା କଥା ପୁଣି କାହିଁକି କଲେ ସେ ଅନ୍ୟଥା

ନାହିଁ ଶୋଚନ, ହେଲେ କେହି ମୁଁ ହୀନିମାନ ।

ପୁଣି ଜାଣିବେ ବିଷବୃକ୍ଷ ସ୍ଥାପିବା ଉମା କରି ଯେ ଦିନମାନ ।୨୭ ।

 

କାମୀର କେଉଁ ଦେବତାରେ ବିଶ୍ୱାସ ନିଶ୍ୱାସ ଦୁଇ କଥା ନାହିଁ ।

ସିନ୍ଦୁ ଶମ୍ବରେ ସମ୍ବର ବୁଡ଼ାଇଲା ତେବେ ରହିଲୁ ଜୀବେ ତୁହି ।

ଏତେ କହି ସେ, ଖରଶ୍ୱାସ ତେଜି ମଉନ ।

ଆଳୀଅଙ୍କେ ଢଳି ପଡ଼ିଲା ବେଳକୁ କର୍ଣ୍ଣ ଫୁଙ୍କି କଲେ ଚେତନ ।୨୮ ।

 

ସଲିଳ ସିଞ୍ଚିଲେ ସଧୀରେ ବିଞ୍ଚିଲେ ପଲ୍ଲବଶଯ୍ୟାରେ ଶୁଆଇ ।

ଦେଲେ ମୁଣାଳ ବ୍ୟାଳ ମଣି ରମଣୀ ଚମକି ସୁପର୍ଣ୍ଣ ବୋଲଇ ।

କରେ ଭଜନ, ଶିବ ଶିବ ବୋଲି ହନିତା ।

ଗଳାରେ ହାର କରୁ କରୁ ବାହାର ଫୁଟି ଫାଟି ଗଲେ ମୁକୁତା ।୨୯ ।

 

ସହଚରୀଏ ତା ଚରିତ ଜାଣି ହୋଇଲେ ବିଚାରି ।

ଦୂର କରିଣ ଶୁକ ଶାରୀ ପଞ୍ଜୁରି ଉନିଗଲେ ପୁଷ୍ପମଞ୍ଜରୀ ।

ଜଳାକବାଟି, ଉଶୀର ବାଟି କଲେ ହତ ।

ବିଚାରିଲେ ନବବଧୂ ବିଧୂ କେହି ନ ଦେଖିବ ଏହା ଭାବ ତ ।୩୦ ।

 

ଜଣେ କହିଲା ଅତି ଯତ୍ନ କରିଣ ଯୋଗ୍ୟ ମନ୍ଦିରେ ରଖିଥିବା ।

କେ କହେ ଜନନୀ ହକରା ସେ କାଳେ ହେଲେବି ଉପାୟ କରିବା ।

କେଉଁ ସଜନୀ, ବୋଇଲା ଏ ବିଚାର ଭଲ ।

ଘାସ ଦିଆଇ ଶଶ କୃଶ ହରିବା ମାଡ଼ବସୁ ଚନ୍ଦ୍ରମଣ୍ଡଳ ।୩୧ ।

 

କେ କହେ ଏ କିଛି ନୋହେ ଗଗନକୁ କେ ପୁଣି କରିବ ଗମନ ।

ରାହୁ ଯୋଡ଼ି ହେବା ବିମିତ୍ତ କରିବା ଜେରା ଦୈବାତାକି ପ୍ରସନ୍ନ ।

ଶୁଣି ସେ ବୋଲେ, ସେ ପାପୀ ଶରୀର ଆମର ।

ସିଂହିକାସୁତ ଉଦରକୁ ଚିରିବ ପରା ହନୁମାନ ପ୍ରକାର ।୩୨ ।

 

ଚତୁର ସଖୀ ବୋଇଲା ସର୍ବପରି ବିଚାର ଏହିରେ ସଜନୀ ।

କି ମନ୍ତ୍ର ବଶ କରନ୍ତାଇ ରହନ୍ତା ଏ ପୁରେ ଦିବସ ରଜନୀ ।

ମହାମାନ୍ତ୍ରୀକ, ଜନମାନଙ୍କୁ ଗୋ ପଚାର ।

ମନ୍ତ୍ରୀନନ୍ଦନ ବୋଇଲା ଏଥୁ ତହିଁ କିମ୍ପା ବୃଥା କର ବିଚାର ।୩୩ ।

 

ବଡ଼ ହୋଇ କିସ ହୋଇବ ଅର୍ଜିଲା କର୍ମ ସିନା ଭୋଗ ହୋଇବ ।

ସାଗର ମନ୍ଥନେ ଗରଳ ପାଇଲେ ଭୋଗ କଲେଟି ମହାଦେ ।

ଶୁଣି ଏ ବାଣୀ, ସମସ୍ତେ ବୋଇଲେ ପ୍ରମାଣ ।

ଶିରୀଷ ଦେହାରେ ଏହା ଅରଜିଲୁ କଲେ ଅତି ଉଚ୍ଚେ କାରୁଣ୍ୟ ।୩୪ ।

 

ଲାବଣ୍ୟନିଧିର କି ବ୍ୟାଧି ବୃଦ୍ଧି ଏ ଶବ୍ଦ ରାଜା ରାଣୀ ଶୁଣିଲେ ।

ହୋଇ ଉତ୍ସୁକ ଚିକିତ୍ସକ ମନ୍ତ୍ରୀକି ହକରା କରାଇ ଆଣିଲେ ।

ଶୁଣି ସେ ଯାଇଁ, ଦେଖିଲେ ରମଣୀ ରତନ ।

ଜରତା ମୁଦୁସୁଲୀ ଆଗେ କହିଲେ ଏ ଜ୍ୱରକୁ ଏହି ବିଧାନ ।୩୫ ।

 

ରସ ବିନା ଏ ନ ଘୁଞ୍ଚିବ ରୁଚିବ ମଧୁର ଆହାର ହୋଇଲେ ।

ଶାନ୍ତି ହେବ ଚିନ୍ତା ତାପ ରାତ୍ରେ ଚନ୍ଦ୍ରଭାନୁରେ ଏକ ଶଯ୍ୟା କଲେ ।

ରୋଗ ବିଷମ, ରାଗଜନ୍ୟ ହୋଇ ହୋଇଛି ।

ପୁଟପାକରେ ଯେତେକ ଅଉଷଧି ଏ ଗୁଣ ନ କରିବେ କିଛି ।୩୬ ।

 

କତିରେ ଯେତେ ସଖୀ ଥିଲେ ଶ୍ରୁତିରେ ରହିଲେ ବିରସ ମତିରେ ।

ଚତୁରା ନାମେ ମାଳିନୀ ପରବେଶ ଏହି ସମୟେ ଅନ୍ତଃପୁରେ ।

ପୁଷ୍ପ ଚାଙ୍ଗୁଡ଼ା, ଘେନି ସନ୍ନିକଟ ହୋଇଲା ।

ଯେମନ୍ତ ସୁବେଶ ଯହିଁକି ପ୍ରବେଶ, ଆର ଛାନ୍ଦକୁ ସେ ରହିଲା ।୩୭ ।

 

ହେ ରାମ କାମସୁନ୍ଦର ଗୁଣବନ୍ତ ଶିଳୀମୁଖ ଧନୁଧାରଣ ।

ସୀତାମ୍ଭୁଜମୁଖୀ ପ୍ରୀତି ପ୍ରମୋଦିତ ହରି ମିତ୍ରପଣ ପ୍ରମାଣ ।

ଜାଣି ବିରହ, ବିପତ୍ତି ହର ତତପର ।

କହେ ଉପଇନ୍ଦ୍ର ଭଞ୍ଜ ବୀରବର ଏ ଛାନ୍ଦ ଅତି ମନାହର ।୩୮ ।

 

ତ୍ରୟୋଦଶ ଛାନ୍ଦ

ମାଳିନୀର ବେଶ ବର୍ଣ୍ଣନ

(ରାଗ-କଉଶିକ, ମୁନିବର ବାଣୀରେ ଗାଇବ)

 

ଏଥୁ ଅନନ୍ତରେ ରସ, ଶୁଣ ହେ ମାଳିନୀ ବେଶ,

ଟଭାଫାଳ ପରି ଖୋଷା ଖୋଷିଛି ଯୋଷା ଯେ ।୧ ।

 

ଗର୍ଭକ କଲା ଚଉଁରୀ, ପ୍ରକାଶେ ରତ୍ନ ଭଉଁରି,

ଖଞ୍ଜିଅଛି ଗୋଟି ଚମ୍ପା, ଧଇର୍ଯ୍ୟ କମ୍ପା ଏ ।୨ ।

 

ଅନ୍ଧାର ନିଶାରେ ନଭେ, ନିର୍ମଳ ତାରା କି ଶୋଭେ,

ଦିଶଇ ତେମନ୍ତେ ପରା, ଲୋଚନ କାରା ଏ ।୩ ।

 

ଏଥକୁ କେଶ ତ୍ରିଭଙ୍ଗେ, ଧାରା ଦେଖାଇଛି ମାଙ୍ଗେ,

ଘନ ରାହୁ ଭୃଙ୍ଗଶ୍ରେଣୀ, ଅଛି କି ଜିଣି ଏ ।୪ ।

 

ଲଲାଟେ ଚନ୍ଦନ ଚିତା, ସିନ୍ଦୂର ବିନ୍ଦୁ ଶୋଭିତା,

ଚନ୍ଦ୍ର କୋଳେ କି ସବିତା, ଏହି ଭଙ୍ଗି ତା ଏ ।୫ ।

 

ଶ୍ରବଣେ ଚାରୁ କୁଣ୍ଡଳ, ଦୋହଲେ ଗଣ୍ଡମଣ୍ଡଳ

ସୁବର୍ଣ୍ଣ ପାଶୀ ଉପରେ ଚିତ୍ତକୁ ହରେ ଏ ।୬ ।

 

ଫୁଲଗୁଣା, ମାଠଗୁଣା କରଇ ବିବେକବଣା ନାସା

ପୁଟକେ, ପୁଟକେ ଥାଇ ଝଟକେ ଏ ।୭ ।

 

ଲାଞ୍ଜି ବିହୀନେ କଜ୍ଜଳ ନୟନେ ଦିଶେ ଉଜ୍ଜ୍ୱଳ,

ପଦ୍ମେ କି ଭ୍ରମର ଖେଳା ତେମନ୍ତେ ଡୋଳା ଏ ।୮ ।

 

କଣ୍ଠେ ସୁନାକଣ୍ଠି ମାଳି, ପ୍ରବାଳେ ହୋଇଛି ଝଳି,

ପଛକୁ ରୁଚିର ଫୁଲି, ମାନସ ଭୁଲି ଏ ।୯ ।

 

ଉଚ୍ଚ ଘଞ୍ଚ କୁଚ ବେନି, ହେଲା ଦିନୁ ଯଉବନୀ,

ଦେଖିତ ନାହିଁ ଅବନୀ, ଲୋଚନ ବେନି ଏ ।୧୦ ।

 

ମାରିବାକୁ ଯୁବ କୁଳ, କାମ କରି ଅନୁକୂଳ

ଟେକିଛି କି ଶାଢ଼ି ଘେର ତଥା ସୁନ୍ଦର ଏ ।୧୧ ।

 

ବିଦମାଳା ପାଟବତ୍ର ତାଡ଼ରେ ଭୁଜ ଦୀପିତ,

କାମ ଆଦି ଖଡ଼ୁବାହୀ ହସ୍ତରେ ଶୋହି ଏ ।୧୨ ।

 

ବାମକରର ଅଙ୍ଗୁଳି, ତ୍ରିସରି ମୁଦିରେ ଝଳି,

ଚରଣକେ ବଳା ପଟେ, ନାଦ ପ୍ରକଟେ ଯେ ।୧୩ ।

 

ପ୍ରପଦରେ କଂସାମୁଦି, ଶବଦେ ଧଇର୍ଯ୍ୟ

ଖେଳି, ବେଢ଼ରେ ଅଳତା ଚିତ୍ର ବିଚିତ୍ର ଯେ ।୧୪ ।

 

ବ୍ୟକ୍ତି ବିଞ୍ଚଣି ପଣନ୍ତ, ଉର ଉପରେ ଲମ୍ଫିତ,

ବନ୍ଧନ ଛନ୍ଦନ ନୀବୀ, ମୋହନ ଛବି ଯେ ।୧୫ ।

 

ସ୍ତନଊର୍ଦ୍ଧ୍ୱେ କଣ୍ଠ ତଳେ, ମଣିବନ୍ଧ କରମୂଳେ,

ପାଦପରେ ଚିବୁକରେ, କି ମୋହନର ଯେ ।୧୬ ।

 

ହରିତାଳୀ କାଳୀ ଚିତା, ଉକୁଟାଇଛି ବନିତା,

ଦେହ ତ ଅତ୍ୟନ୍ତ ଗୋରା, ତହିଁକି ତୋରା ଯେ ।୧୭ ।

 

ନୋହେ ଉଚ୍ଚ ଖର୍ବ ଅତି, କଥା ଏ ନୋହେ ଯୁବତୀ,

ପୀନ ନୋହି କ୍ଷୀଣ ନୋହି, ଏମନ୍ତ ଦେହୀ ଯେ ।୧୮ ।

 

ବିବର୍ଜିତ ଗଣ୍ଠି ଶିରା, ପାଚିଲା ରସାଳ ପରା,

ବୟସ ଷୋଳ ସତର, ଏଥି ଭିତରେ ଯେ ।୧୯ ।

 

କୁସୁମ ଚାଙ୍ଗୁଡ଼ା କରେ, ଗୋଡ଼ାଇଛନ୍ତି, ଗୋଡ଼ାଇଛନ୍ତି

ଭ୍ରମରେ, ଗଜ ପରାୟେ ମନ୍ଥର, ଗମନ ତାର ଯେ ।୨୦ ।

 

ପଣତ ଦେଇଛି ଶିରେ, ଧରିଛି ଦକ୍ଷିଣ କରେ,

ମୁଖ ହସିଲାର ପ୍ରାୟେ, କି ଶୋଭାପାଏ ଯେ ।୨୧ ।

 

ମନ୍ତ୍ରୀ ସୁତା ଆଗେ ନେଇ, ସୁମନ ସମ୍ଭାର ଥୋଇ,

ଧୀରେ ହର ଉମା ଆଜ୍ଞା, କହିଲା ବିଜ୍ଞା ଯେ ।୨୨ ।

 

ସତ କି ବୋଲି ପଚାରି, କେତକୀଜିତ ଗଉରୀ,

ଛାମୁଁକୁ ନେଇ ସତ୍ୱରେ, ପ୍ରମୋଦ ଭରେ ଯେ ।୨୩ ।

 

ବୋଲେ ଜେମା ହୁଅ ଅପୂର୍ବ, ବିଧାନ,

କହୁଛି ଚତୁରୀ ଆସି, ସୁଧା ବରଷି ଯେ ।୨୪ ।

 

ରାମା ଶୁଣି ବୋଲେ ବସ, କେମନ୍ତେ କଥା ସେ

ଭାଷ, ପୁଣି ଆରମ୍ଭିଲା ତହିଁ ମାଳିନୀ ଯେ ।୨୫ ।

 

ତୋ ଖଟଣୀ ଫଳ ମୋର, ଏଣୁ ଭଲ ବାଞ୍ଛା ତୋର,

ବରକୁ ମୁଁ କହୁଥାଇଁ, ହରେ ଜଣାଇଁ ଯେ ।୨୬ ।

 

ଗଲା କାଲି ଚତୁର୍ଦ୍ଦଶୀ, ହୋଇଥିଲି ଉପବାସୀ,

ଦେଉଳ ଭିତରେ ଯାଇଁ, ଜାଗର ଦେଇ ଯେ ।୨୭ ।

 

ବସିଥିଲି ଉଜାଗରେ, ରଜନୀ ଅଛି ପହରେ,

ଅଳପ ଆସିଲା ଢୋଳ ଏମନ୍ତ ବେଳ ଯେ ।୨୮ ।

 

ଈଷିତେ କଥା ସୁମରି, ଏକ୍ଷଣି ରୋମ ଟାଙ୍କୁରି,

ଶିରେ ଜଟା ଅର୍ଦ୍ଧ ଶଶୀ, ମଞ୍ଜୁଳ ଦିଶି ଯେ ।୨୯ ।

 

କୁନ୍ଦ କ୍ଷୀର ଦର ରୁଚି, ତେଜ ଗଞ୍ଜି ତହିଁ ଶୁଚି,

ହୋଇଛନ୍ତି ଦିଗମ୍ବର, ଭସ୍ମ ଧୂସର ଯେ ।୩୦ ।

 

ପାର୍ବତୀଙ୍କୁ ବାମ କରେ, ଧରିଅଛନ୍ତି ସ୍ନେହରେ,

ଦକ୍ଷିଣ କରରେ ବେତ୍ର, ବିଜେ ତ୍ରିନେତ୍ର ଯେ ।୩୧ ।

 

ସେ ବେତ୍ର ମୋତେ ଛୁଆଇଁ, ତକ୍ଷଣେ ମୋ ଚେତା

ହୋଇ, ଚାହିଁ ଶିବା ଶିବ ରମ୍ୟ, କଲି ପ୍ରଣମ୍ୟ ଯେ ।୩୨ ।

 

ମୁଖ ମୃଦୁହାସେ ପୂର୍ଣ୍ଣ, କଲେ ମୋତେ ଅବଧାନ,

ନୃପଜା ପାଇଁ ତୁ ମୋତେ, ଜଣାଉ ନିତ୍ୟେ ଗୋ ।୩୩ ।

 

ଚନ୍ଦ୍ରମୁଖୀ ଏ ନିଶାରେ, ଶୋଇଥିଲା ଚନ୍ଦ୍ରକରେ,

ମୋର ଆଜ୍ଞାରେ ଯୋଗିନୀ, ପୁରୁଷେ ଘେନି ଯେ ।୩୪ ।

 

ପ୍ରବେଶ ବାଳା ପାଶର, ଚିହ୍ନାଇ ଦେଇ ଅନ୍ତର,

ସେ ପୁଣି ନିଦ୍ରା ଭାଙ୍ଗିଲା, ବିନୟୀ ହେଲା ଯେ ।୩୫ ।

 

ରାମା ସୀଉକାର ବେଳେ, ଆଲିଙ୍ଗନ ହେବା କାଳେ,

ଯୋଗିନୀ ମାୟାର ବଶ, ହରିଲା ପୁଂସ ଯେ ।୩୬ ।

 

ଏଣୁ ବହୁତ ବ୍ୟଥିତ, ହେଉଛି ଜେମାର ଜାତ,

ତୁ ଯାଇ କହ ବାଳାକୁ, ଲଭିବ ତାକୁ ଯେ ।୩୭ ।

 

ମୁଁ ପୁଚ୍ଛା କଲି ଏମନ୍ତ, କେଉଁ ରାଜାର ସେ ସୁତ,

ନାମ ତାର କିସ ପୁଣି, କହିଲେ ଶୁଣ ସେ ।୩୮ ।

 

କର୍ଣ୍ଣାଟ କାଞ୍ଚିନଗରେ, ଶଶିଶେଖର କୋଳରେ,

ହୋଇଅଛି ସେ ଜନମ, ଲୋକାଭିରାମ ଯେ ।୩୯ ।

 

ଚନ୍ଦ୍ରଭାନୁ ତାର ନାମ, କାମିନୀ ମୋହନ କାମ,

ରମଣୀ ତାକୁ ପାଇବ, ସୁଖୀ ହୋଇବ ଯେ ।୪୦ ।

 

ସାଧୁକୁଳ ବ୍ରହ୍ମଚାରୀ, ପରବେଶ କାଲି ପରି,

ଘେନି ତାହାର ସନ୍ଦେଶ, ହେବ ଏ ଦେଶ ଯେ ।୪୧ ।

 

ଏତେ ଆଜ୍ଞାଦେଇ ହର, ହୋଇଲା ବେଳୁଁ ଅନ୍ତର,

ଆଉ ମୋତେ ନିଦ୍ରା ନାହିଁ, ଅଇଲି କହି ଯେ ।୪୨ ।

 

ନାମ ଶ୍ରବଣେ ତାହାର, ହେଲା ଚନ୍ଦ୍ର ଦିବାକର,

ସଂଶୟ ଅନ୍ଧାର ଦୂର, କଳଶ ତାହାର ଯେ ।୪୩ ।

 

ପୁଣି ସେ ଜଳ ପରାୟେ, ଆଶାତରୁ ପଲ୍ଳବାଏ,

ପ୍ରମୋଦ ପଦ୍ମ ପ୍ରକାଶେ, ରବି ସଦୃଶେ ଯେ ।୪୪ ।

 

ଶୁଣି ଯଥା ଘନଘୋଷ, ତୃଷାର୍ତ୍ତ ଚାତକ ତୋଷ,

ବରଷିବ କରି ମତି, ହୋଇ ନୃପତି ଯେ ।୪୫ ।

ତୃଷାର୍ତ୍ତ ଚାତକ ତୋଷ, ବରଷିବ କରି

ମତି, ହୋଇ ନୃପତି ଯେ ।୪୫ । ।

 

କେବଣ ଚକୋର ମୋହୀ, କର୍ପୂରକଢ଼କୁ ଚାହିଁ,

ସେ ଚନ୍ଦ୍ର ପାଇଲେ ଯଥା, ତଥା ଏକଥା ଯେ ।୪୬ ।

 

ଚୂତ ହେଲେ ପଲ୍ଲବିତ, ଭାବି ହେବେ ମୁକୁଳିତ,

ପିକ ଯଥା ଆନନ୍ଦିତ, ହେଲେ ତେମନ୍ତ ଯେ ।୪୭ ।

 

ସନ୍ନିପାତର ନାଟିକା, ଲାଗିଲେ ଯଥା ତାଟକା,

କିଛି କିଛି ହୋଏ ଭିନ୍ନ, ତେମନ୍ତ ମନ ଯେ ।୪୮ ।

 

ବାଳକ ପରାୟ ହୋଇ, ପୁଚ୍ଛା କଲେ ତାହି ତାହି

ମାଳିନୀକି କଲେ ଦାନ, ରତ୍ନବସନ ଯେ ।୪୯ ।

 

ଗିରିଜା ନିମିତ୍ତେ ପୁଣି, ଦେଲେ ସେ ଚିତା କାଚ୍ଛେଣୀ,

ଖଞ୍ଜିଲେ ମନ୍ଦାରମାଳୀ, ଉପନ ବଳି ଯେ ।୫୦ ।

 

ଶମ୍ଭ ଅଙ୍ଗେ ଗୋ ଦୋହନ, ପାଇଁ ଦେଲେ ଧେନୁ

ଦାନ, ବିଲ୍ୱପତ୍ର ଜଳଶାୟୀ, ଭୋଗର ପାଇ ଯେ ।୫୧ ।

 

ବରାଟକ ଦେଲେ ଗଣି, ନାଗ ଚନ୍ଦ୍ର ପାଇଁ ପୁଣି,

ସୁବର୍ଣ୍ଣ ବଣିକ କରେ, ଦେଲେ ସତ୍ୱରେ ଯେ ।୫୨ ।

 

ଚତୁରାକୁ କହେ ଜେମା, ଜଣାଇବ ହର ଉମା,

ଛାମୁରେ ବାଣୀ ଏମନ୍ତ, ମୋର ଶପଥ ଗୋ ।୫୩ ।

 

ଯେବେ ଲଭିବି ସେ ଯୁବା, ମୋ ଜୀବ ଥିବାରେ

ସେବା, ବିଘ୍ନ ହିଁ ନୋହିବ ଦିନେ, ବିଧି ବିଧାନ ଯେ ।୫୪ ।

 

ନ ଥିଲେ ଲଭିବା ଯୋଗ, ମରଣ କରିବେ ବେଗ,

ମୋ ଭୂଷା ଚମ୍ପା ଚଢ଼ାଇ, ପୂଜିବେ ସହି ଯେ ।୫୫ ।

 

ପୁଣିବୋଲେ ସହଚରୀ, ଆତୁର ନୁହ ସୁନ୍ଦରୀ,

ଦୁଇକରେ ଭୁଞ୍ଜେ ଭୋଗୀ, ହେଳେ କି ସୁଖୀ ଗୋ ।୫୬ ।

 

ପକ୍ଷୀ ପକ୍ଷ ଥିଲେ ପାଇ, ଶକ୍ୟାନୁରୂପେ ଗମଇ,

ହେଲାଣି ଏ କାର୍ଯ୍ୟ ପୂର୍ଣ୍ଣ, ସୂଚକମାନ ଗୋ ।୫୭ ।

 

ଦିଶୁଛି ବିଧି ସୁମୁଖ, ସ୍ୱପ୍ନ, ସତ୍ୟ ହେଲା ଦେଖ,

କିଛିକାଳ ଧର ଧୈର୍ଯ୍ୟ, ଲଭିବୁ କାର୍ଯ୍ୟ ଗୋ ।୫୮ ।

 

ହେମନ୍ତ ଋତୁ ପ୍ରବେଶ, ପଦ୍ମବନ କରେ ଧ୍ୱଂସ,

ମୂଳ ଥିବାରୁ ବସନ୍ତେ, ପଲ୍ଳବେ ସତେ ଯେ ।୫୯ ।

 

କ୍ଷୀଣ ହୋଇ କଷ୍ଟ ସହି, ଜୀବମାତ୍ରେ ଥିଲେ ତୁହି,

ଲଭିବୁ ପରମ ଭୋଗ, ଅଛି ଏ ଯୋଗ ଗୋ ।୬୦ ।

 

ମାଳତୀ ଅଗମ୍ୟ ବନେ, ଫୁଟିଲେ ବିଚାର ମନେ,

ଭୃଙ୍ଗେ କି ଭୋଗ୍ୟ ନୁହଇ, ପରାଣ ସହୀ ଗୋ ।୬୧ ।

 

ଏକଥା ଭାବ ତୁ ଚିତ୍ତ, ମଧୁମକ୍ଷିକା ସଞ୍ଚିତ,

ଦେବଭୋଗ୍ୟ ହୁଏ କେହି, ବିଚାର ସହି ଗୋ ।୬୨ ।

 

ଫଣୀ ଜାଗ୍ରତେ ଚନ୍ଦନ, ଥିଲେ ହେଁ କର ଭାବନ,

ଭୋଗ ହେଉଛି କି ନାହିଁ, ପରାଣ ସହୀ ଗୋ ।୬୩ ।

 

ଯେବେଟି କୁସୁମ ଫୁଟେ, ତେବେ ସୁଗନ୍ଧ ପ୍ରକଟେ,

ଯହିଁ ତହିଁ ନଦୀଜଳ, ସମୁଦ୍ରେ ଠୁଳ ଗୋ ।୬୪ ।

 

ଏମନ୍ତ ବଚନ ସିଦ୍ଧି, କରି ମାନସ ପ୍ରବୋଧି,

ଯତନ କଲେ ଲଳନା, ସଖୀ ପାଳନା ଯେ ।୬୫ ।

 

ନାୟକ ସୁଖଦାୟକ, ତା ନାମ କରି ତାରକ,

ଜପିଲା ହୃଦରେ ଧରି, ଅବନୀଶିରୀ ଯେ ।୬୬ ।

 

ମାଳିନୀ ହେଲା ମେଲାଣି, ଗଲା ତିନିପୁର ପୁଣି,

ଏ ଛାନ୍ଦ ହୋଇଲା ଶେଷ, ଅତି ହରଷେ ଯେ ।୬୭ ।

 

ହଂସ ବଂଶକୁ ତୋଷିତ, ସର୍ବଦା

ଶ୍ରୁତିରଞ୍ଜିତ, କର୍ବୁରକାନ୍ତି ଦୀପତ ଯେ ।୬୮ ।

 

ସେ ରାମ ବିଧିରେ ଧ୍ୟାୟୀ, ଭଞ୍ଜ ବୀରବର

କହି, ତୁମ୍ଭ ରଚନା ସମସ୍ତ, ପୂରୁ ଏ ଗୀତ ହେ ।୬୯ ।

 

 

ଚତୁର୍ଦ୍ଦଶ ଛାନ୍ଦ

ଚନ୍ଦ୍ରଭାନୁର ଖେଦ ଓ ଶୋକ

(ରାଗ-କଳହଂସ କେଦାର)

 

ଶୁଣି ରସିକ ରସ ଏଥୁ ଅନ୍ତରେ ।

କୁମାର ଶୋଇଥିଲା ପୁରଚତ୍ୱରେ ଯେ ।

କାତର ହୋଇ ଚାହିଁ ନିଦ୍ରା ବିନାଶେ ।

ନାହିଁ ଯାମିନୀ ନାହିଁ କାମିନୀ ପାଶେ ଯେ ।୧ ।

 

ବସି ଘୋଷିଲା ଥାଇ ତା ଠାରେ ମନ ।

ଏଣୁ ସ୍ୱପନେ ଦେଖା ଦେଲା ସେ ଧନ ଯେ ।

ଉରଦେଶକୁ ଚାହିଁ ଦେଖିଲା ହାର ।

କୁଙ୍କୁମେ ହୋଇଅଛି ସେ ଜରଜର ଯେ ।୨ ।

 

ଆହାରେ ସୁକୁମାରୀ ନୃପକୁମାରୀ ।

ବୋଲି ହୃଦରେ ଦକ୍ଷ କରକୁ ମାରି ଯେ ।

ଜଳକଳସେ ଚନ୍ଦ୍ର ବିମ୍ବକୁ ଧରି ।

ପାରିଲି ନାହିଁ ସୁଧା ଭୋଗକୁ କରି ଯେ ।୩ ।

 

ମନୁ ମୂର୍ଚ୍ଛନ୍ତି ଅବା ସ୍ୱପନ ବୋଲି ।

ଜାଣିଲି ଏହି ଦେହେ କୃତାର୍ଥ ହେଲି ରେ ।

ସାକ୍ଷାତ ପରି ଦେଇ ସ୍ୱପନ ସଙ୍ଗ ।

କରୁତ କାମ ବ୍ୟାଧ କର କୁରଙ୍ଗ ରେ ।୪ ।

 

ସ୍ୱର୍ଗ ସମ୍ପଦ ଯେଉଁ କର୍ମରେ ଥାଇ ।

ବିଚିତ୍ର ମଣେ ବଜ୍ର ପତନେ ତହିଁରେ ।

ତୋର ହୃଦୟ ବନ୍ଧୁ କରୁଣା ସ୍ଥାନ ।

ତହୁଁ ଅଙ୍କୁରି ଯଥା କଠିନ ସ୍ତନ ରେ ।୫ ।

 

ମନକୁ ଯେବେ ପାଶେ ରଖିଲୁ ତୋର ।

କି ଅପରାଧ ମୋତେ କଲୁ ଅନ୍ତର ରେ ।

ଜାଣିବାରେ ମୋ ଦୋଷ ନାହିଁତ କିଛି ।

ଦିଶେ ଯା ଦିଶୁ ପୂର୍ଣ୍ଣ କରୁଣା ଅଛି ରେ ।୬ ।

 

କିଅବା ମୋତେ କାନ୍ତ ବୋଲିବା ପାଇଁ ।

ଲାଜ ପାଇଲୁ ଚାରୁ ଚନ୍ଦ୍ରମାମୁହିଁ ରେ ।

ସେବି ମୁଁ ଥାନ୍ତି ପାଶେ ହୋଇ କୋୟର ।

ଏହା କିମ୍ପା ନ କଲୁ ନାଗରୀବର ରେ ।୭ ।

 

ଶିବ କେମନ୍ତେ ଦେଖ ବହିଲେ ଶିରେ ।

ଶଶୀ ଶବଦ ଥାଉ ଚନ୍ଦ୍ର ସ୍ନେହରେ ଯେ ।

ଏମନ୍ତ ଆଣ ତୋର ଅବଧାନକୁ ।

ପ୍ରଭୁ ସେ ବଡ଼ କରେ ଦାସ ଜନକୁ ରେ ।୮ ।

 

ଭସ୍ମକୁ ଅଙ୍କୁରାଇ ତାହା ନୟନ ।

ତା ଥାଉଁ ଭସ୍ମ ହେଲେ ଆଶାୟୀଜନ ରେ ।

ଏ ଅପଯଶ ଦୋଷ ହେବ କାହାର ।

ଚରଣ ଧରେ ମୁଁ ଯେ ଶରଣ ତୋର ରେ ।୯ ।

 

କଲେ ତୁ ଚିର ଅନୁଗ୍ରହ ହୁଅନ୍ତି ।

ଅଳତା ଚିତ୍ରେ ଚିତ୍ରକାର ହୁଅନ୍ତିରେ ।

ସେବାରେ ଆଳୀ ଫୁଲ ଗୁନ୍ଥାରେ ମାଳୀ ।

ହୋଇ ଲଗାନ୍ତି କାମବଦନେ କାଳୀରେ ।୧୦ ।

 

ପରାଣେଶ୍ୱରୀ ବିନା ଆନ ବଚନେ ।

ଡାକନ୍ତି ନାହିଁ ତୋତେ ରଜନୀ ଦିନରେ ।

ପ୍ରସଙ୍ଗ ବଶେ ଆରମ୍ଭିଲେ ତୁ କୋପ ।

ଛଡ଼ାଉଥାନ୍ତି ଚାଟୂ ପ୍ରକାଶି ତାପ ରେ ।୧୧ ।

 

ଦ୍ରାକ୍ଷାରୁ ସ୍ୱାଦୁ ଘନସାରୁଁ ଶୀତଳ ।

ପିକୁଁ ସୁସ୍ୱର ଲବଣୀରୁ କୋମଳ ରେ ।

ଭାଷା କହିଲା ବେଳେ ନାସା ଫୁଲାଇ ।

ଚକ୍ରବର୍ତ୍ତୀ ପଣକୁ ଗଣନ୍ତି ନାହିଁ ରେ ।୧୨ ।

 

ଏତେ ସହିଲା ନାହିଁ ଖଳ ବିଧାତା ।

ମୁଁ ତାର କେଉଁ ଶତ୍ରୁ ନ କଲା ଚିନ୍ତା ଯେ ।

ତୁଷାର ନାଶ କରେ ଜନମସ୍ଥାନ ।

ତା ଠାରେ ନ ସମ୍ପାଦେ ଏ କୂଟରମାନ ଯେ ।୧୩ ।

 

ଦୁର୍ବଳ ମାରିବାକୁ ସମସ୍ତେ ଆଗ ।

କାମକୁ ମହାଦେବ କଲେ ଅନଙ୍ଗ ଯେ ।

ନୋହିଲା ତାଙ୍କ ଦର୍ପଦଳନ ଭଳି ।

ବିନା ଦୋଷରେ ଗଲେ ମୋତେ ତ ଜାଳିରେ ।୧୪ ।

 

ମିତ୍ରେ ଶୁଣି ବୋଇଲେ ଜୀବନ ରଖ ।

ଜୀବନରୁ କେହି ଅଧିକ କେହି ନ ଲେଖ ହେ ।

ଜୀବନ ଥିଲେ ହୋଏ ସବୁ ପ୍ରାପତ ।

ହୁଅଇ ସମ୍ଭାବିତ ଅସମ୍ଭାବିତ ହେ ।୧୫ ।

 

ଧ୍ରୁବ ବାଳକ ବ୍ରହ୍ମଜ୍ଞାନ କହିଲା ।

ଅଗସ୍ତି କରୋଦରେ ସିନ୍ଧୁ ରହିଲା ଯେ ।

ପକ୍ଷ ନଥାଇ କପି ଗଗନଗତି ।

କର୍ପୂରରୁ ବିରହେ ଜାତ ତପତି ଯେ ।୧୬

 

ବିଷହିଁ ହୋଏ ସନ୍ନିପାତରେ ।

ବାସୁକି ବିନା ପୃଥ୍ୱୀ ଧାରଣ ନରେ ଯେ ।

ରାଜ୍ୟ ନଥାଇ ସର୍ବ ସମ୍ମତେ ରାଜା ।

କନ୍ଦର୍ପ ପାଉଅଛି ପୃଥ୍ୱୀରେ ପୁଜା ଯେ ।୧୭ ।

 

ଜଳ ବିହୀନେ ସବୁକାଳ ପ୍ରକାଶ ।

ସବିତା ବରେ ହୋଇଛି ସାରସ ଯେ ।

ଶବଦ ଶୁଭେ ସର୍ପଶ୍ରୁତି ନଥାଇ ।

ପ୍ରହଲାଦ ମହୀନ୍ଦ୍ର ଜନକଦ୍ରୋହୀ ହେ ।୧୮ ।

 

ଏ କଥାମାନ ଯଥା ହୋଇଛି ଘେନ ।

ତଥା ସତ ହୋଇବ ତୁମ୍ଭ ସ୍ୱପନ ହେ ।

ସ୍ୱପନ ଯେବେ ତୁମ୍ଭେ ସତ ନ କର ।

କହ କାହିଁକି ଅଛି ତା ଦେଲା ହାର ଯେ ।୧୯ ।

 

ଯେବେ ସୁଯୋଗ ନାହିଁ ତୁମ୍ଭ କର୍ମର ।

କାହିଁ ସିଂହଳଦ୍ୱୀପ କାହିଁ ଏ ପୁର ହେ ।

କାହିଁ ସିଦ୍ଧଯୋଗିନୀ କେ କାହିଁ ଥିଲା ।

ସ୍ୱପ୍ନ ପରି ମାୟାରେ ସାକ୍ଷାତ ହେଲା ଯେ ।୨୦ ।

 

ଆରତ ହେଲେ କାର୍ଯ୍ୟ ନୁହଇ ବେଗ ।

କାଳକୁ ଚାହିଁ ଭୋଗ ହୁଅଇ ଯୋଗ ହେ ।

କୁମାର କହେ ମୋର ମୋହିଲା ଚିତ୍ତ ।

ଆରତ ହୋଇବାର ନୋହେ ଆୟତ୍ତ ଯେ ।୨୧ ।

 

ନାରୀରୁ ବଡ଼ ହୋଇ ଜଗତେ ନହିଁ ।

ବାନରୀ ରୂପେ ହେଲେ ପବନ ମୋହି ଯେ ।

ଏକେ ଅଦୃଷ୍ଟରଜା ଦୁଜେ ଧୀବରୀ ।

ପରାଶର ଋଷିର ବିବେକ ହରି ଯେ ।୨୨ ।

 

ଅମୂଲ୍ୟ ରାମାରତ୍ନ ଦେଖା ଉତ୍ତାରେ ।

ବଶ ନୋହିବ କେହୁ ଯୁବା ସଂସାରେ ଯେ ।

ଏମନ୍ତ ପଦାର୍ଥ କି ଳାବଣ୍ୟନିଧି ।

ସ୍ୱପ୍ନେ ତା ପରା ଦେଖି ନ ଥିବ ବିଧି ଯେ ।୨୩ ।

 

ବାଳୀର ଶୋଭା ସୁବେଶକୁ ସ୍ୱବେଶ ।

ଅଧରେ ସମାପତ ହୁଅଇ ହାସ ଯେ ।

ଅରୁଣ କୋଳେ ନବ ଚନ୍ଦ୍ରମା ଦିଶି ।

ବିଜୁଳି ପରି ଯାଇ ସେକ୍ଷଣି ମିଶି ଯେ ।୨୪ ।

 

କାଚ କଳସେ ଯଥା ଜଳା ଗୁପତ ।

ପଡ଼ଲା ପରି ଦିଶେ ନ ପଡ଼ଇ ତ ଯେ ।

ହସିଲାବେଳେ ଖସି ପଡ଼ିଲା ପରା ।

ଖସି ନ ପଡ଼େ କଥା ଅମୃତ ଧାରା ଯେ ।୨୫ ।

 

ତା ନେତ୍ର ଗତାଗତ ଅପାଙ୍ଗ ସରି ।

ଦୁଇ ଦିଗକୁ ଢାଳେ କେମନ୍ତେ କରି ସେ ।

ଅନଙ୍ଗ କି ତୁରଙ୍ଗ ଧାଉଡ଼ି ଦେଇ ।

ତୀର ସନ୍ଧାନେ ଧୈର୍ଯ୍ୟ ଘଉଡ଼ି ନେଇ ସେ ।୨୬ ।

 

ଚାହିଁବା ମାତ୍ରେ ବୁଡ଼ିଯାଇ ଚେତନ ।

କେଡ଼େ ମାଧୁରୀ ତହିଁ ପକ୍ଷ୍ମପତନ ଯେ ।

ଘେନିକି ବେନି ତାଟକଙ୍କୁ ସୁରାବ୍‌ଜ ।

ଉଦିତ ମୁଦିତକୁ ଭଜେ ନୀଳାବ୍‌ଜ ଯେ ।୨୭ ।

 

ସୁସଞ୍ଜ ଘଞ୍ଚ କୁଚ ଯେମନ୍ତ ଦିଶେ ।

କେମନ୍ତ ବୋଲି କୁହା ନ ଯିବ ଶେଷେ ଯେ ।

ଏମନ୍ତ ହେଲେ ବାଣୀ ପବିତ୍ର ପାଇଁ ।

ବର୍ଣ୍ଣନା କରୁଥାଇ ଉପମା ଦେଇ ଯେ ।୨୮ ।

 

ସୁନ୍ଦର ସଦନେ କି ସ୍ୱର୍ଣ୍ଣ ପଞ୍ଜୁରି ।

ଧାତା ରଖିଛି ଅକ୍ଷିପକ୍ଷୀକି ଧରି ଯେ ।

ମେରୁ ଏଡ଼ିକି ବୋଲି ଉଚ୍ଚ ଦେଖାଇ ।

ମନ ମିହିରକର ଛାଡ଼ି ନ ଯାଇ ଯେ ।୨୯ ।

 

ବାଳୀ ଅନେକ ଦାହ କନକ ବଲ୍ଲୀ ।

ଭୁଜାନ୍ତରକୁ କ୍ରୋଡ଼ ସମସ୍ତ ବୋଲି ଯେ ।

ସ୍ତନ ମଧୁର ମଧୁ କୋଷକୁ ଆଣି ।

ସଞ୍ଚିଲେ କି ରୋମାଳି ସରଘାଶ୍ରେଣୀ ଯେ ।୩୦ ।

 

ଶୃଙ୍ଗାର ରସଲତା ରୋମାଳୀ ବ୍ୟାଜ ।

ଫଳିଛି ପ୍ରେମାମୃତ ଫଳ ଉରଜ ଯେ ।

ଇତର ଭାଗ୍ୟେ ପରାପତ ହେବ ସେ ।

ଧନ୍ୟ ବର୍ଣ୍ଣିଳ ସ୍ତନ ମନ୍ତ୍ରୀଜ ଭାଷେ ଯେ ।୩୧ ।

 

ଶ୍ରୀଫଳ ଯେ ଶ୍ରମୀନ୍ତ ପ୍ରଥମୁଁ ହୋଇ ।

ତୃଣରାଜ ପଦକୁ ପଛେ ପକାଇ ଯେ ।୩୨ ।

 

ରୁଦ୍ରଶିବ ହେବାର ସଂଶୟ ଦୂର ।

ଏତେ କାଳକେ ଆସି ହେଲା ମୋହର ଯେ ।

ଯେବେ ଲଭିଲଣି ସେ ସ୍ତନ ସ୍ପରଶ ।

ଜାନୁ ସିଂହାସନେ ବସିବ ଅବଶ୍ୟ ଯେ ।୩୩ ।

 

କୁମାର ବୋଲେ ଆନ ବ୍ୟବସାୟକୁ ।

କରି କି କାର୍ଯ୍ୟ ବର୍ଣ୍ଣୂଥିବା ତାହାକୁ ଯେ ।

କାନ୍ତି ଏମନ୍ତ ଝଳି ତହିଁକି ଚାହିଁ ।

ଭାଲେ ତିଳକ ଲେଖି ହୋଇବ ଯହିଁ ଯେ ।୩୪ ।

 

ପୀୟୁଷ ପିତୁଳାକୁ ସୁନା ରସାଣ ।

ଏକା ଭାବି କି ଧାତା କଲା ଭିଆଣ ଯେ ।

ସଂସାର ସାରସବୁ ଲାବଣ୍ୟମାନ ।

ପ୍ରତିବିମ୍ବ ଦେଖିବ ହେବାକୁ ସ୍ଥାନ ଯେ ।୩୫ ।

 

କି ଗଉରବ ଅନ୍ୟ ଗଉର ଦ୍ରବ୍ୟେ ।

କୁଙ୍କୁମ ଶୋଭା କରେ ଯେ ଅବୟବେ ଯେ ।

ସିନ୍ଧୁକୁ ଗୁରୁ କରି ମନ ଏମନ୍ତ ।

ମିଶିବି ଅଙ୍ଗେ ଜଳେ ଜଳ ଯେମନ୍ତ ଯେ ।୩୬ ।

 

ମମତା ଏହି ଖଗବର ପ୍ରକାର ।

ତା ଆଗେ ବସିଥିବ ଯୋଡ଼ିଣ କର ଯେ ।

ପାର୍ବତୀ ଶିବ ଅର୍ଦ୍ଧଅଙ୍ଗ ପରିରେ ।

ସେ ଆଲିଙ୍ଗନ ହୋଇଥିବ ଶରୀରେ ଯେ ।୩୭ ।

 

ବିଷ୍ଣୁ କୋଳ କମଳା ପରାୟ ସେହି ।

ଅନ୍ତର ହୋଇ ଦଣ୍ଡେ ନ ଯିବ କାହିଁ ଯେ ।

କଳେବରକୁ ଯଥା ନ ଛାଡ଼େ ଛାଇ ।

ମୁଁ ତାକୁ ନ ଛାଡ଼ିବି ତେମନ୍ତ ହୋଇ ଯେ ।୩୮ ।

 

ଯେବେ ଜୀବନେ ଥିବି ଉପାୟ କରି ।

ତପ ହେଳେ ମନାଇ ହର ଗଉରୀ ଯେ ।

ଲଭିବି ବଲ୍ଲଭୀ ରତନ ଅବଶ୍ୟ ।

ଯୋଗେ ସଙ୍ଗମ ନୋହୁଁ ହୋଇଲେ ନାଶ ଯେ ।୩୯ ।

 

ତାକୁ ପାଇବି ଅଛି ଏହି ଭରସା ।

ଚନ୍ଦ୍ର ଲଭିଲା ମଲା ଉତ୍ତାରୁ ଶଶା ଯେ ।

ତା ନାମ କରୁଥିବି ମୁଁ ସୁମରଣ ।

କଲେ ତା ଜୀବ ହେବ ମୋ ସୁମରଣ ଯେ ।୪୦ ।

 

ପୁରୋଧାସୁତ ବୋଲେ ତୋ ଶତ୍ରୁ ମରୁ ।

ଦୁର୍ଗା କୃପାରୁ ଭୋଗ କର ତୁ ଭୀରୁ ଯେ ।

ସାଧୁତ ଶୁକ ବ୍ରହ୍ମଚାରୀ ଯାଇଛି ।

ସେ ଆସିଲେ ଉପାୟ କରିବା କିଛି ଯେ ।୪୧ ।

 

ଦ୍ୱୀପ ସପତ ଶୋଭା ଜମ୍ବୁପ୍ଲକ୍ଷରେ ।

କୁଶ କ୍ରୋଞ୍ଚ ଶାକ ଶଳ୍ମଳୀ ପୁଷ୍କରେ ଯେ ।

ଲବଣେକ୍ଷୁ ସୁରା ଦଧି ଘୃତ ଦୁଗ୍‌ଧ ।

ପୟ ଘେନି ସପତ ସମୁଦ୍ର ସିଦ୍ଧ ଯେ ।୪୨ ।

 

ପୂର୍ବେ ନରରାଜାଏ ଅଛନ୍ତି ଭ୍ରମି ।

ସିଂହଳ ଦ୍ୱୀପେ ଅଛି କରୀନ୍ଦ୍ର ଗାମୀ ଯେ ।

ଏଥିପାଇଁ ଛାଡ଼ିବି କିମ୍ବା ଜୀବନ ।

ଅବିରତେ କରିବା ଉପାୟମାନ ଯେ ।୪୩ ।

 

ସେ ତ ସ୍ୱଭାବେ ସ୍ତୀରୀ ପୁଂସ ଭଜିବ ।

ରସିକ ଜଣେ ସିନା ବିଭା ହୋଇବ ଯେ ।

ଏମନ୍ତ ବଚନରେ ବୋଧିଲେ ଚିତ୍ତ ।

ଏ ଛାନ୍ଦ ଅତି ରମ୍ୟ ହୋଇଲା ପ୍ରାନ୍ତ ଯେ ।୪୪ ।

 

ଦୈତ୍ୟହନ୍ତା ଚତୁର ଭୁଜ ରଞ୍ଜିତ ।

ଚିତ୍ରଭାନୁ ପରାୟ ତେଜ ଜ୍ୱଳିତ ଯେ ।

ହେ ରାମ ନାରାୟଣ ଦୁରିତ ଧ୍ୱଂସ ।

କହଇ ଉପଇନ୍ଦ୍ର ଭଞ୍ଜ ନରେଶ ଯେ ।୪୫ ।

 

ପଞ୍ଚଦଶ ଛାନ୍ଦ

ସିଂହଳରେ ଇନ୍ଦ୍ରଜାଲ ପ୍ରଦର୍ଶନୀ

(ରାଗ-ବସନ୍ତ ଭୈରବ)

 

ଶୁଣ ସୁଜନେ ଏଣୁ ବିଧାତାକୁ ବଡ଼ ବୋଲି

ବ୍ୟାଜେ ଧନ ଅର୍ଜ୍ଜନେ ଅନେକ ଦେଶ ବୁଲି ସେ ।

ସିଂହଳଦ୍ୱୀପେ ପ୍ରବେଶ ହେଲା ନଟବର

ଲୋକବଶକାରୀ ସେ ବିନୋଦ ନାମ ତାର ଯେ ।

ହସ୍ତେ ବାଙ୍କି କାଖେ ଯାକି ଅଛି ସର୍ପପେଟୀ

ଦେହେ ଘଷି ହୋଇଛି ଚନ୍ଦନ ପରା ମାଟି ଯେ ।୧ ।

 

ମଲ୍ଲ ବିଦ୍ୟା ପଣ୍ଡିତ ଫଳିଛି ବାହୁ ବେନି

ତହିଁତ ଶାଭିତ ଯେ ମୟୂରଚୂଳ ଘେନି ଯେ ।

ବକ୍ରଜୁଡ଼ାକୁ ବେଢ଼ିଛି ଅଏଁଳାର ଫୁଲ

ଉଦ୍ଧାରି ଧରିଛି ଭଲା କଳା ଓରମାଳ ଯେ ।

ସୁନାମୋଡ଼ିଆ ପନସକଢ଼ିଆ କୁଣ୍ଡଳ

ଦୋହଲି ଶୋଭା କରୁଛି ତା ଗଣ୍ଡମଣ୍ଡଳ ଯେ ।୨ ।

 

ହସୁଁ ଦିଶେ ସୁନାଖିଲ ଝଲ ଝଲ ଦନ୍ତେ

ପାନେ ପାଚି ଯାଇଛି ସେ ଜମ୍ବୁଫଳମତେ ଯେ ।

ସିନ୍ଦୂର ଚିତାହିଁ ତା ହଟେକେଶ୍ୱର ପଣେ ।

ବିଭୂତି ଘଷିହୋଇଛି ଯୁବକ ଈକ୍ଷଣେ ଯେ ।

ବକ ଶ୍ୟାମଳ ବାନା ତା ଭୁଜଙ୍ଗ ପଇତା

ମହା ମହା ଗୁରୁମାନଙ୍କର ଦର୍ପହନ୍ତା ଯେ ।୩ ।

 

ରୁଣ୍ଡ ଶିକଳୀ ଚରଣେ କର କଙ୍କଣରେ

ବିରାଜିଛି ହେମବାଳୀ ବାମ ଶ୍ରବଣରେ ଯେ ।

ପିନ୍ଧିଛି ପତନୀ ଫେଟା ପରି ନୀବୀ କରି

ରଙ୍ଗପାଟ ଖଣ୍ଡୁଆଏ କଟୀରେ ମାଧୁରୀ ଯେ ।

ବେଢ଼ିଛନ୍ତି ଶିଷ୍ୟ ଉପଶିଷ୍ୟ ବେଶ ହୋଇ

କେ ଚଉତନା କେ ପାଗ ମୁଣ୍ଡେ ମଣ୍ଡିଆଇ ଯେ ।୪ ।

 

ପିନ୍ଧି ଚଳନାକାଛକୁ ବାନ୍ଧିଛନ୍ତି ତାହି

ଭାଲେ କାଳୀ ଚିତା କେ ବିଭୂତିଭୂଷା ଦେହୀ ଯେ ।

କହିଛନ୍ତି ସେ ଦୀର୍ଘ ଶଳାକା ଆଦି ଢୋଲ

ଘଟ ନାଟ ଅରଟା ରଣପା ଯେ ମଞ୍ଜୁଳ ଯେ ।

ମଧ୍ୟବର୍ତ୍ତୀ ପ୍ରେମରୂପା ନାମେ ନଟୀସାର

ବୟସରେ ଷୋଡ଼ଶୀ ବେଶରେ ମନୋହର ଯେ ।୫ ।

 

ସେ ବିଟପୀ ବିଟପୀଧଇର୍ଯ୍ୟା ବିଟପୀକି

ଛେଦନେ କୁଠାର ପରା ମନରେ ତରକି ଯେ ।

ଚିତ୍ତେ କରି ଧରିବାକୁ ଦର୍ପଣ ଝଟକ

ମୁଖ ମାଠି ତଇଳେ କରିଛି ଜକ ଜକ ଯେ ।

ଅଙ୍ଗେ ଅଙ୍ଗେ କରିଅଛି ସେ ବନହଳଦୀ

କାନ୍ତି ହୋଇଛି ପାଚିଲା ଆମ୍ଭ ପ୍ରତିଦ୍ୱନ୍ଦୀ ଯେ ।୬ ।

 

କତୁରୀରେ ଅଳକାକୁ ନୂତନେ ଖଞ୍ଜିଛି

ଫୁଲଗୁଡ଼ାଏ ଜୁଡ଼ାରେ ଯତନେ ମଣ୍ଡିଛି ଯେ ।

ଦଣ୍ଡିଛି ସେ ଜଳଦ ବକାଳୀ ମହୋଜ୍ଜ୍ୱଳ

ବହଳ କରି ଘେନିଛି ନୟନେ କଜ୍ଜଳ ଯେ ।୭ ।

 

ମୃଗହୋଇଲାକୁଅଛି ଚଞ୍ଚଳ ଚାତୁରୀ

ଖେଳା ଭୂମିଯାକବିଞ୍ଚି ହୋଇଛି କସ୍ତୁରୀ

ଅଭ୍ର ଚିତା ଶୁଭ୍ର ହୋଇଅଛି ଭାଲପଟ

ଭାନୁକର ଲାଗି ଛଟକଇ ଝଟଝଟ ଯେ ।

ଜଳେକି ତହିଁ ଜ୍ୱଳନ କାମଡ଼ାଳୀ ବହି

ଆସୁଥିଲା ଉପମାକୁ ସେ ବାମା ଲଭଇ ଯେ ।

ଶରଲକ୍ଷ କଟାକ୍ଷ ତା ପାଇଁ ଯୋଗୀରାଜି ।

ବିନ୍ଧିବା ଭୟେ ଥରିଲେ ମୃଗଚର୍ମ ତେଜି ଯେ ।୮ ।

 

ବେନିପୁଟରେ ତା ଗୁଣା ନାକଚଣା ଅଛି ।

ନାସାଦଣ୍ଡି ଫୋଡ଼ାଇ ଗୁଣାଏ ଲଗାଇଛି ଯେ ।

ତିନି ପୁରେ ମୋତେ ରତି ବିଚକ୍ଷଣା ଗୁଣେ

ନାରୀ ନାହିଁ ବୋଲି ଚିହ୍ନି ବହିଛି ଆପଣେ ଯେ ।

ସୁନା ମଲ୍ଲୀକଢ଼ୀ ଫୁଲ ଜାଲିପଟି କାମ ।

ବାଳାର କରିଛି ଶ୍ରବଣକୁ ମନୋହର ଯେ ।୯ ।

 

ତହିଁରେ ହଲାଇ ସେ ଝଲକ ଝଲକାକୁ

ଆସ ବୋଲି ପାଶକୁ ଡାକଇ ପୁରୁଷଙ୍କୁ ଯେ ।

ଅଧରେ ଯେ କରିଅଛି ପାନରଙ୍ଗ ସଙ୍ଗ

ପ୍ରବାଳ ଉପିଲା ଥୋପି ପଡ଼ଇ କି ରଙ୍ଗ ଯେ ।

କୁଟାଇଛି ଚିବୁକେ ମକ୍ଷିକା ଚାରୁଚିତ୍ର

ଓଷ୍ଠେ ମଧୁ ସଞ୍ଚିବାକୁ ସେ ଉପସ୍ଥିତ ଯେ ।୧୦ ।

 

ଲାକ୍ଷା ଚିଞ୍ଚ ରସେ ପଚାଇଛି ଦନ୍ତରାଜି

ଦେଉଛି ସେ ପରଚିଲା ଡାଳିମ୍ବମଞ୍ଜି ଗଞ୍ଜି ଯେ ।

କାଚମାଳୀ ମୋତିମାଳୀ କଣ୍ଠମାଳୀ ମଞ୍ଜୁ

କମ୍ବୁକଣ୍ଠେ ଲଗାଇ ଅଛି କି କୁନ୍ଦାରଜ୍ଜୁ ଯେ ।

ନବଘନ ହେଲା ପ୍ରାୟ ଗିରିଶୃଙ୍ଗ ଗିଳି

ଉଚ୍ଚକୁଚେ ରାଜିତ ହୋଇଛି ନୀଳଚେଳୀ ଯେ ।୧୧ ।

 

କକ୍ଷଭୁଜ ଅର୍ଦ୍ଧକୁ ବୋଲି ସେ ଅଛି ଗ୍ରାସି

କାଳିନ୍ଦୀରୁ ମୃଣାଳ ବାହାର ପରା ଦିଶି ଯେ ।

ସେ ଭୁଜେ ବାନ୍ଧିଛି ରୂପାସୁତା ବିଦମାଳୀ

ପାଣିରେ ତା ପାଣିକାଚ ମହ୍ନା କଡ଼ିଆଳୀ ଯେ ।

ଅଞ୍ଜନ ଚିତ୍ରେ ରଞ୍ଜନ କରଜ ପାପୁଲି

ଦର୍ପଣବସା ମୁଦିରେ ଦୀପିତ ଅଙ୍ଗୁଳି ଯେ ।୧୨ ।

 

ଅଛି ଜଙ୍ଘିତଳେ ଭିଡ଼ି ଦେଇ କଟୀ ଡୋରେ

ପିନ୍ଧିଛି ସେ ଅତଲସ ଲହଙ୍ଗା ଉପରେ ଯେ ।

ବାନ୍ଧିଅଛି କ୍ଷୁଦ୍ର ଘଣ୍ଟି ବାଜେ ଝମଝମ

କନ୍ଧେ ଉପରାଣ ଜରୀ ଜଡ଼ିତ ସୁଷମ ଯେ

ରଣଝଣ ହୋଇ ଖଞ୍ଜାପାହୁଡ଼େ ଚରଣେ

ଡାକେ ରସିକେ ସଞ୍ଚିତ ଧନ ବିତରଣେ ଯେ ।୧୩ ।

 

ରୋମାବଳୀ ଚାହିଁ ଜନେ ଭ୍ରମ ଉପୁଜଇ

ସ୍ତନପେଟୀରୁ କି କାଳବ୍ୟାଳ ବାହାରଇ ଯେ ।

ମୁଦି ଲଗାଇଛି ତିନି ତିନି ପ୍ରପଦରେ

ଧରିଛି ଅମୃତ ଘଷାଧନ ବେନି କରେ ଯେ ।

ଏମନ୍ତରେ ନଟନଟୀ ରାଜଦ୍ୱାରେ ଯାଇ

ଦେଖିବାକୁ ଲୋକେ ଛନ୍ତି ସଙ୍ଗତେ ଗୋଡ଼ାଇ ଯେ ।୧୪ ।

 

ସିଂହଦ୍ୱାରେ ବସି ବଜାଇଲେ ଢୋଲ ତୁରୀ

ନୃପତି ଛାମୁରେ ଯାଇଁ ଜଣାଇଲେ ଦ୍ୱାରୀ ଯେ ।

ହେବ ବିଭୋ ବନ୍ଧୁ କୁମଦ ବିଧୁ ମହାରାଜ

ଆସିଛି ଇନ୍ଦ୍ରଜାଲିକ କର୍ଣ୍ଣାଟ ତା ରାଜ୍ୟ ଯେ ।

ଶୁଣି ତୁମ୍ଭ ଦାତୃଗୁଣ କରିବାକୁ ହଟ

ଆସୁ ବୋଲିବାକୁ ତହିଁ ନୃପତି ମୁକୁଟ ଯେ ।୧୫ ।

 

ଚାହିଁ ଦେଲେ ପ୍ରତିହାରୀ ଦଶ ବିଂଶ ଧାଇଁ

ଛାମୁରେ ସେ ଭେଟାଇଲେ ନଟ ନଟୀ ନେଇ ଯେ ।

ରାଜା ପଚାରିଲେ ଅହୋ କି କି ବିଦ୍ୟା ଜାଣ

ସେ କହିଲା ଦ୍ୱୀପେଶ୍ୱର ସାବଧାନେ ଶୁଣ ହେ ।

କୁହୁକ ଗୋଟିକାଞ୍ଚନ ସ୍ତମ୍ଭନ ମୋହନ

ବଶ୍ୟ ଉଚ୍ଚାଟନ ଜାଣେ ମୁଁ ଭୋଜ ରାଜନ ଯେ ।୧୬ ।

 

ଗଦ ପଦେ ବିଷ ଝାଡ଼ଣେ ମୁଁ ଧନ୍ୱନ୍ତରୀ

ଗୁରୁଏ ଘେନନ୍ତି ମୋତେ ମହାଗୁରୁ କରି ଯେ ।

ମାୟା ରଚନରେ ମୟ ପରି ମୋତେ ଘେନ

ପୁଣ ଏ ଅଙ୍ଗନାସାରେ ଗୁଣ ଅକଥନ ଯେ ।

ନୃତ୍ୟ ଦେଖିଲେ ବାସୋବା ରମ୍ଭା ପାସୋରିବେ

ଗାନ ଶୁଣିଲେ ବୀଣାକୁ କିମ୍ପା ପ୍ରଶଂସିବେ ହେ ।୧୭ ।

 

ଆମ୍ଭ କୁଳଧର୍ମ ବିଦ୍ୟାରେତ ନାହିଁ ସରି

ତୁମ୍ଭେ କି ଜ୍ଞାନ କରୁଛ କହ ଦଣ୍ଡଧାରୀ ହେ ।

ନୃପତି ବୋଇଲେ ରହ କରିସାରୁ ସନ୍ଧ୍ୟା

ରାମୟଣ ଦେଖାଅ ଜାଣିବା ତୁମ୍ଭ ବିଦ୍ୟା ହେ ।

କେତେବେଳେ ହେଲା ତହିଁ ସନ୍ଧ୍ୟା ଅବଶେଷ

ରାଜା ଅବରାଧନାରୀ ଜଗତୀ ପ୍ରବେଶ ଯେ ।୧୮ ।

 

ବଡ଼ ବଡ଼ଭୀ ମସ୍ତକ ମଣ୍ଡିଲା କୁମାରୀ

କେବଳ ଅଛନ୍ତି ସଙ୍ଗେ ପ୍ରିୟ ସହଚରୀ ଯେ ।

କରିଛି କରୀନ୍ଦ୍ର ଗତି ଏ ପାଞ୍ଚ ସ୍ୱଭାବ

ରାମ ଚରିତ ଦେଖିଲେ କାମ ପୂର୍ଣ୍ଣ ହେବ ଯେ ।

ଏହି କାଳେ ଜାଲିକ ବୋଇଲା ନେତ୍ର ବୁଜ

ନେତ୍ର ବୁଜନ୍ତେ ରଚିଲା ଏ ମାୟାସମାଜ ଯେ ।୧୯ ।

 

ଚାହିଁ ଲୋମଦଗ୍‌ଧ ଜନେ ଲୋମପଦେ ବୋଲେ

ଜରତା ରତାର ଋଷ୍ୟଶୃଙ୍ଗ ଆସି ହେଲେ ଯେ ।

ସେ ଦେଶରେ ବୃଷ୍ଟି କଲେ ତୁଷ୍ଟି ହେଲେ ରାଜା

ଶାନ୍ତା କାନ୍ତା ଦେଇକରି କଲେ ଦିବ୍ୟପୂଜା ଯେ ।

ଦଶରଥ ମନୋରଥ ସାର୍ଥ ହେବା ପାଇଁ

ସେ ମୁନିକି ଘେନିଗଲେ ରଥରେ ବସାଇ ଯେ ।୨୦ ।

 

ଚାରୁ ଚରୁ ସ୍ୱରୂପେ ହୋଇଲେ ପଦ୍ମନାଭ

କଉଶଲ୍ୟା କୈକେୟୀ ସୁମିତ୍ରା ଭକ୍ଷ ଗର୍ଭ ଯେ ।

ଅଭିରାମ ଶ୍ରୀରାମ ଭରତ ଶୁଭରତ

ସୁଲକ୍ଷଣା ଲକ୍ଷ୍ମଣା ଶତ୍ରୁଘ୍ନ ହେଲେ ଜାତ ଯେ ।

କ୍ରତୁ ରକ୍ଷା ହେତୁ ବିଶ୍ୱାମିତ୍ର ଆସି ନେଲେ

ବନେ ତାଡ଼କୀ ଶମନ ଭୁବନେ ପେଷିଲେ ହେ ।୨୧ ।

 

ସୁବାହୁ ସୁବାହୁ ବଳେ ମାରି ମାରୀଚିକୁ

ଆକାଶରେ ଶରେ ଉଡ଼ାଇଲେ ଯେ ଯଶକୁ ଯେ ।

ପଥରେ ପଥରେ ନାରୀ କରି କଲେ ମୋଦ

ଦାସ ବତ୍ସଳ ଦାସରେ ଧୁଆଇଲେ ପଦ ଯେ ।

ଖଣ୍ଡପରଶୁ କୋଦଣ୍ଡ ବେନି ଖଣ୍ଡ କରି

ସୀତା ବିବାହ ନିର୍ବାହ ନୃପଦର୍ପ ହରି ଯେ ।୨୨ ।

 

ବଜ୍ରପରି ଭୃଗୁପତି ଭୃଗୁକୁ ଭେଦିଲେ

ଅଭିଷେକ କରିବା ମମତା ପିତା କଲେ ଯେ ।

ମନ୍ଥରା ମନ୍ଥନେ କାନ୍ତାନୁଜ ଘେନି ସଙ୍ଗେ

ବିଚିତ୍ର ଚିତ୍ର କୂଟରେ ବିହରିଲେ ରଙ୍ଗ ଯେ ।

ବକ୍ର କଲେ ଶକ୍ରସୁତ ଚକ୍ର ନେତ୍ରରାଜି

ଭରତ ପ୍ରବୋଧି ସୁବୁଦ୍ଧିରେ ଗିରି ତେଜି ଯେ ।୨୩ ।

 

ବିରାୟୁଧେ ବୀରୟୁଧେ ବଧ ବିଚାରିଲେ

ଅମଳାନ ବସ୍ତ୍ର ବ୍ରହ୍ମଶସ୍ତ୍ରକୁ ପାଇଲେ ଯେ ।

ଦଣ୍ଡକାରଣ୍ୟକୁ ମଣ୍ଡି ସୂର୍ପଣଖା ଦଣ୍ଡି

ଖର ଖର ଦୂଷଣ ତ୍ରିଶିର ଶିର ଖଣ୍ଡି ଯେ ।

ହେମ ସାରଙ୍ଗ ରଙ୍ଗରେ ଲଙ୍କା ଦଣ୍ଡୀଧାରୀ

ସୀମା ସିତାଂଶୁମୁଖୁକୀ ଉଟଜରୁ ହରି ଯେ ।୨୪ ।

 

ମାର୍ଗରେ ବିନାଶ ଖଗ ଖନଗ ପ୍ରହାରେ

ରହେ ଷାକବତୀ ସୀତା ଅଶୋକ ବନରେ ।

ବାସେ ନ ଦେଖି ସୁମୁଖୀ ମହାଦୁଃଖୀ ରାମ

ବିଳାପ କଳାପ ମାପ କରଣେ କେ କ୍ଷମ ।

ରକ୍ଷଦେଶ ଗମନ ସନ୍ଦେହ ପକ୍ଷୀ କହି

କବନ୍ଧ ବନ୍ଧନେ ପଡ଼ି ତାହା ନାଶ ବିହି ଯେ ।୨୫ ।

 

ଫଳ ଦାନେ ମୋକ୍ଷଫଳ ଲଭିଲା ଶବରୀ

କ୍ଷୀରପାନେ ବର-ବରଜରେ ବାଞ୍ଛା ପୂରି ଯେ ।

କାମ କାମନାକୁ ମୁନି ଚିତ୍ତେ ଜନ୍ମାଇଲେ

ପମ୍ପାସରେ କୋକଶୋକକାରକ ହୋଇଲେ ଯେ ।

ମିତ୍ରବଂଶୀ ମିତ୍ର ବସି ମିତ୍ରପୁତ୍ର ସଙ୍ଗେ

ଭେଦି ଶାଳ ଦୁନ୍ଦୁଭି ଅସ୍ଥିକି ଚାଳେ ରଙ୍ଗେ ଯେ ।୨୬ ।

 

ଶାଖାମୃଗରାଜ ମଗରାଜ କୋଟିବଳ

ଶର ଶରଭରେ କଲେ ବିନାଶ ଚପଳ ଯେ ।

ମାଲ୍ୟବନ୍ତ ଧରଣୀଧରରେ ପୁର ରଚି

ରଘୁବୀର ବିରହେ ବରଷାକାଳ ବଞ୍ଚି ଯେ ।

କୁକ୍‌କୁଟକୁ ମୁକୁଟ ସେ ଗିରିକୂଟେ ଦେଇ

ଲଭି ବଲ୍ଲଭୀ ଉଦନ୍ତ ଦୂତ ପଠିଆଇ ଯେ ।୨୭ ।

 

ଜଳ ସେତୁ କଳେ ଶିଳେନଳେ ଦେଇ ଯଶ

ଳଙ୍କା ବେଢ଼ି ଶଙ୍କା କରାଇଲେ ଦୈତ ବଂଶ ଯେ ।

ବିଷଧରପାଶ ତ୍ରାସ ନାଶ କଲା ବୀଶ

ଅନୀକିନୀ ଅନେକ ହୋଇଲେ ରଣେ ନାଶ ଯେ ।

ଘଟକର୍ଣ୍ଣ ଘଟତ୍ୟାଗ ଅତିକାୟ କ୍ଷୟ

ପୁରୁହୁତଜିତ ହତ ବ୍ରହ୍ମାସ୍ତ୍ର ଉଦୟ ଯେ ।୨୮ ।

 

ହନୁମାନ ଗନ୍ଧମାର୍ଦନ ଗମନ ଲୀଳା

ଭରତ ଉଦନ୍ତ ପ୍ରାପ୍ତ ଲକ୍ଷ୍ମଣ ଜୀଇଁଲା ଯେ ।

ଶ୍ରୀରାମଚନ୍ଦ୍ର ନରେନ୍ଦ୍ର ଶର ସର୍ପ ନେଇ

ଲଙ୍କପତି ଅଙ୍କପେଟୀ ଭିତରୁ ପୁରାଇ ଯେ ।

ଅଭୀଷଣ ବିଭୀଷଣେ ଅଭିଷେକ କରି ।

ବଇଦେହୀ ଦହି ଅନଳରେ ହେମ ପରି ଯେ ।୨୯ ।

 

ପୁଷ୍ପକରେ ପୁଷ୍କର ସକଳ ଗଲେ ଗତି

ଯୋଦ୍ଧାବର ଅଯୋଧ୍ୟାରେ ହୋଇଲେ ନୃପତି ଯେ ।

ଦେଖାଉଁ ଦେଖାଉଁ ରାମାୟଣ ମହୋତ୍ସବ

ଚନ୍ଦ୍ରବଦନୀକି ଦେଖାଇଲା ଅନ୍ୟଭାବ ଯେ ।

କର୍ଣ୍ଣାଟ ରାଜନନ୍ଦନ ରାମ ଆଗେ ଉଭା

ବିଶ୍ୱମ୍ବର ଆଗେ ବିଶ୍ୱକେତୁ ଯଥା ଶୋଭା ଯେ ।୩୦ ।

 

କୁମାରିକି ଶୁଭୁଛି ଏମନ୍ତ ଜଣାଉଛି

ଆନ ବରେ ମୋର ପ୍ରୟୋଜନ ନାହିଁ କିଛି ଯେ ।

ହେ ରାମ ଶ୍ୟାମସୁନ୍ଦର ଅଛ ଦତ୍ତ କରି

ସୁଗ୍ରୀବକୁ ତାରା ବିଭିଷଣେ ମନ୍ଦୋଦରୀ ଯେ ।

ଲାବଣ୍ୟବତୀ ଯୁବତୀ ଶିରୋମଣି ମୋର

ମନୋହାରୀ ହୋଇବ ଏମନ୍ତ କୃପା କର ହେ ।୩୧ ।

 

ସେ ନବୀନା ବିନା ଆନେ ନ ରସେ ମୋ ମନ

ଦହନ କରୁଛି ମୋତେ ମଦନଦହନ ହେ ।

ପ୍ରଭୁ ତୁମ୍ଭେ ବିରହ ବେଦନା ଅନୁଭବୀ

ନ ଘେନିଲେ ଆଉ କାହା ଆଗେ ଜଣାଇବି ।

କରୁଣା ଲୋକନେ ରାମ ଅସ୍ତୁବାଣୀ ଭାଷି

ଦେଖି ଶୁଣି ଏମନ୍ତ ଯେ କସ୍ତୁରୀସୁବାସୀ ଯେ ।୩୨ ।

 

ଆଳୀକି ଦେଖାଇ ଦେଲା ଅଙ୍ଗୁଳି ଦେଖାଇ

ସ୍ୱପନ ସମ୍ପତ୍ତି ପତି ପୁରୁଷ ମୋ ଏହି ଯେ ।

ସଖୀ ବୋଇଲା ସୁନ୍ଦର ସୃଷ୍ଟି ପୁରନ୍ଦର

ଏଥର ଅଇଲେ ପାଶେ ଏ ଉପାୟ କର ଯେ ।

ଉଦ୍ଧତକୁ ବିଚାର ନ କରି କମ୍ବୁକଣ୍ଠୀ

ଭେଟୁଁ ଦେବୁ ଅଞ୍ଚଳେ ଅଞ୍ଚଳେ ଦୃଢ଼ଗଣ୍ଠି ଯେ ।୩୩ ।

 

ବାହୁ ବନ୍ଧନେ ବାନ୍ଧିବୁ ଅତି ଯତ୍ନ କରି

ନ ଯାଇ ପାରିବ ଶେଷ ହୋଇଲେ ଶର୍ବରୀ ଗୋ ।

ରତିଭୋଗ ଯାଏ ଯେବେ ସହିବ ଦଇବ

ସେ ପ୍ରେମ ରଜ୍ଜୁରେ ବାନ୍ଧି ହୋଇଣ ରହିବ ଗୋ ।

ଯେଉଁ ରତିରସ ବଶ କରଇ ବ୍ରହ୍ମାକୁ

ଅଧିକ କି କରିବା ପୁରୁଷ ଭ୍ରମରକୁ ଗୋ ।୩୪ ।

 

ସଜନୀଏ ମଧୁର ବଚନ କହୁ କହୁଁ

ଜଗତୀ ପ୍ରବେଶ ସେ କୁମାର ଚାହୁଁ ଚାହୁଁ ଯେ ।

କୁମାରୀ ବିଚାରେ ସ୍ୱପ୍ନ ସଙ୍ଗ ଦିନ ନିଶି

ସେହି ଶୁଭଲଗ୍ନ ଘେନି ବାହୁଡ଼ି କି ଆସି ଯେ ।

ଏମନ୍ତେ ସେ ରସିକ ପ୍ରକାଶେ ବଚନକୁ

କିଣିଲୁ ଧନ ଜୀବନ ମନ ଲୋଚନକୁ ଗୋ ।୩୫ ।

 

ମଧୁ ବିନା ମଧୁପର ଆନ ଗତି ନାହିଁ

ମଧୁବିନା ଆନେ କି କୁମୁଦ ପ୍ରକାଶଇ ଗୋ ।

ବନ୍ଧୁବିନା ଆନ ଗତି ନାହିଁ ମୋ ଜଗତେ

ଆନକୁ ନ ବରି ଏକା ବରିବୁ ତୁ ମୋତେ ଗୋ ।

ଏତିକି ମାଗୁଣି ମୋ କେତକୀ ବରନାକୁ

ସେ କୁମର କରୁଁ ଏ ବିନୟ ରଚନାକୁ ଯେ ।୩୬ ।

 

ସଖୀ ବୋଲି ଆମ୍ଭ ସଖୀ ସତ୍ୟର ଜନନୀ

ବରଣ ଯେ କରିଛି ମୁକୁତାମାଳା ଘେନି ଯେ ।

କୋଟି କଳ୍ପେ ଏ କଥା ହୋଇଛି ନିକି ଆନ

ଘନ ତେଜି ଗଙ୍ଗାଜଳେ ଚାତକର ମନ ଯେ ।

ତୁମ୍ଭ ପୁରୁଷେ ସହଜେ ଚନ୍ଦ୍ରମା ପ୍ରକାର

ତାରାପତି ହୋଇଲେ କୁମୁଦେ ଭୋଗ କର ଯେ ।୩୭ ।

 

ଚନ୍ଦ୍ରମୁଖୀ କି ରଖିଛି ସଖୀ ଥିଲା ଲାଜ

ମନେ କରେ ଗଳାରେ ବେଢ଼ାଇ ଦେବି ଭୁଜ ଯେ ।

ଜାଣି ତାହା ସହଚରୀ ଅନ୍ତର ହେବାକୁ

କୁହୁକ କୁଶଳୀ ହରି ନେଲା ସେ ମାୟାକୁ ଯେ ।

କୁମାର କୁମାରୀ ରୀତି ଆନକୁ ନ ଦିଶି

ରାମାୟଣ ଚରିତେ ସମସ୍ତେ ହେଲେ ତୋଷୀ ଯେ ।୩୮ ।

 

ପଟ ହାଟକ କଟକ ଘୋଟକ ରତନ

ହାଟ ବାଟ ଜୁର ଶାଢ଼ି ବାସ କଲେ ଦାନ ଯେ ।

ଯେତେଲୋକ ଦେଖୁଥିଲେ ଦେଲେ ସଭା ଜୁର

ସବୁ ରୂପେ ପୂର୍ଣ୍ଣ ହେଲା ମନୋରଥ ତାର ଯେ ।

ବ୍ୟାକୁଳ ଅନଳେ ଦଗ୍‌ଧ କୁଟିଳ କଟାକ୍ଷା

ଶତ୍ରୁ ମିତ୍ର ହେଲା ପ୍ରାୟ ମୋହ କଲା ରକ୍ଷା ହେ ।୩୯ ।

 

କେତେବେଳେ ଏ ରୂପ ଭଜିଲା ଭାବମୟୀ

ଜନନୀ ହକରା କେତେ ଦଣ୍ଡକୁ ବଞ୍ଚାଇ ଯେ ।

ଏ ଉତ୍ତାରୁ ଶଙ୍କା ଉପୁଜାଇ ଦେଲେ ଆଳୀ

ଗୁପତ କଥା ପ୍ରକଟ ହେଲା ନବବାଳି ଗୋ ।

ତୁ ରାଜକୁମାରୀ ତୋତେ ହେବ ବଡ଼ ଲାଜ

ସରିବ ଆମ୍ଭ ମହତ୍ୱ ନ ପାଇବୁ କାର୍ଯ୍ୟ ଗୋ ।୪୦ ।

 

ହଳାହଳ ପାନେ ପ୍ରାଣ ରକ୍ଷା ବାଞ୍ଛା କରୁ

ସନ୍ନିପାତକୁ ସେ ହିତ ହୁଏ ସିନା ଭୀରୁ ଗୋ ।

ତେଜ ରୋଗ ଜନମିଲେ ଆଉ ରକ୍ଷା କାହିଁ

ଚତୁରୀର ଏତେକ ବିବେଦ ହେଉ ନାହିଁ ଗୋ ।

ଏହି ବଡ଼ ଭୟ ତା ନିଗୂଢ଼ ହୋଇ କରି

ପଳାଇଲା ପ୍ରାଣକୁ ରଖିଲା ବେଳେ ଧରି ସେ ।୪୧ ।

 

ନଟ ଯାଇ କେତେ ଦିନେ କର୍ଣ୍ଣାଟେ ପ୍ରବେଶ

କୁମାରକୁ କହିଲା ଦୁର୍ଲଭ୍ୟ କନ୍ୟା ବଶ ଯେ ।

ନାମ ଦେଶ ପଚାରିଲେ ତାହିଁ ପ୍ରକାଶିଲା

କୁମାର ବିଚାରେ ମୋର ସୁକୃତ ଦିଶିଲା ଯେ ।

ଅଘକରୀନ୍ଦ୍ର ପାରିନ୍ଦ୍ର ଅଯୋଧ୍ୟା ନରେନ୍ଦ୍ର

ଭାବ ଛାନ୍ଦ ଶେଷ କଲା ଭଞ୍ଜ ଉପଇନ୍ଦ୍ର ଯେ ।୪୨ ।

 

 

ଷୋଡ଼ଶ ଛାନ୍ଦ

ଚନ୍ଦ୍ରଭାନୁ ମିତ୍ରକୁ ଲାବଣ୍ୟବତୀ ଶୋଭା କହିବା

(ରାଗ-ଗୁଜ୍ଜରୀ)

 

ଇନ୍ଦ୍ରଜାଲିକ ମୁଖୁଁ ଶୁଣି ।

ବଶ ହେବାରୁ ପୃଥୁଶ୍ରୋଣୀ ।

ଚିତ୍ତୋଇ ଶୋଭା ଅନୁରାଗ ।

କିଛି ପ୍ରକାଶେ ମିତ୍ର ଆଗ ।୧ ।

 

ହା ହା ସେ ନରେନ୍ଦ୍ର କୁମାରୀ ।

ଅବନୀ ଶିରୀ ସୁକୁମାରୀ ।

ପଲ୍ୟଙ୍କ ଅଙ୍କେ ଶୋଇଥିଲା ।

ସ୍ୱକୃତି ଦୂତୀ ଭେଟାଇଲା ।୨ ।

 

ସଂସାରେ ଯେତେ ଦୃଷ୍ଟି ଅଛି ।

ତାଠାରେ ପୁଷ୍ଟି ସେ ହୋଇଛି ।

ଏଣୁ ଜଗତ ଜୟରୂପ ।

ପୁଣି କନ୍ଦର୍ପ ରସକୂପ ।୩ ।

 

ତହିଁ ନୟନ ମୀନ ପଡ଼ି ।

କି ଚିତ୍ର ରହିବାର ବୁଡ଼ି ।

ଆଗ ପଛକୁ ସମ ଶୋଭା ।

ଶୋଭାବୃନ୍ଦରେ ହେମପ୍ରଭା ।୪ ।

 

ପ୍ରଭାମାନଙ୍କ ନିଜ ଧାମ ।

ଅନ୍ୟୋଽଅନ୍ୟେ ନାମରୂପ ସମ ।

ସମ ନୋହିଲେ ଆଉ କାହିଁ ।

ମୁକୁର ଦେଖାବେଳେ ଦୁଇ ।୫ ।

 

ଅଳଙ୍କାରକୁ ଅଳଙ୍କାର ।

ନିଶ୍ଚୟ ସେହି ରାମାବର ।

ଭାବାଦି ଯେତେ ଅଳଙ୍କାର ।

ସେମାନେ ଅଳଙ୍କାର ସାର ।୬ ।

 

ଅନୁରାଗର ବିଷ ସେହି ।

ଅନୁରାଗକୁ ଜନମାଇଁ ।

ଯୌବନ ଶୋଭା ସେ କାମିନୀ ।

ଯୌବନ ଶୋଭା ତାହା ଘେନି ।୭ ।

 

ମୁଖ ପ୍ରଶଂସା କଳାକାର ।

ତାହା ପ୍ରଶଂସା ମୁଖ ତାର

ତା ରୂପ ଅସ୍ତ୍ର କରି ଘେନ ।

ରୂପାସ୍ତ୍ର ବୋଲାଇ ମଦନ ।୮ ।

 

ଯୁବାସଂସାର ସଂହାରିଣୀ ।

ଯୋଷାରେ ସଂସାର କାରେଣୀ ।

କୁଙ୍କୁମକାନ୍ତି ଅସମରେ ।

ସଂକୋଚ ବହିଛି ନାମରେ ।୯ ।

 

ସୁନ୍ଦରୀ ପୁରନ୍ଦର ମୋହି ।

ସୁନ୍ଦରୀ ପୁରନ୍ଦର ଏହି ।

ଦେଖି ତା ସର୍ବାଙ୍ଗ ସୁନ୍ଦର ।

ଚିତ୍ତେ ଚିନ୍ତଇ ପୁରନ୍ଦର ।୧୦ ।

 

କି ତପ କରି ପିନ୍ଧା ଶାଢ଼ି ।

ସେ ବାଳା ପ୍ରତିଅଙ୍ଗେ ଜଡ଼ି ।

ଜାଣିଲେ ସେ ତପ ସାଧନ୍ତି ।

ତେତିକିବେଳୁ ହୁଏ ମତି ।୧୧ ।

 

ନିଦ୍ରା ଭଗ୍ନ ସଂଲଗ୍ନ ବେଳେ ।

ଭୃଙ୍ଗୀଏ ଅନୁକୂଳକଲେ ।

ଲୁଟି ଯେ ଗଲେ ଧୈର୍ଯ୍ୟଧନ ।

ପ୍ରଥମେ ଧରି ନେଲେ ମନ ।୧୨ ।

 

ଅଙ୍ଗ ଦେଶରେ ଲାଜ ପ୍ରୀତି ।

ହୋଇଥିବ ଯେ ବେନି ମନ୍ତ୍ରୀ ।

ସେ କେତେବେଳେ ବଳିଆର ।

ହୋଇଲେ ଅନୁଗ୍ରହ ତାର ।୧୩ ।

 

ଉରଜ ପୁର ଚକ୍ରବର୍ତ୍ତୀ ।

ଦେଖାଇ ବିଶେଷ ଉନ୍ନତି ।

ଦେଖାଇ ନେଲା ହାତେ ପତ୍ର ।

ହେଲିବୋଲି ମୁଁ ତୋର ଭୃତ୍ୟ ।୧୪ ।

 

କନକ ମହୀଧର ଠାରୁ ।

ଉଦରେ ରଖିଛି ତା ଭୀରୂ ।

କସ୍ତୁରୀପଙ୍କୁ ବର୍ଣ୍ଣପନ୍ତି ।

ରୋମାଳୀ ବୋଲାଉ ଅଛନ୍ତି ।୧୫ ।

 

ଯହିଁ ଏମନ୍ତ ଧୈର୍ଯ୍ୟବନ୍ତ ।

ଦେଖି ନ ପାରିଲା ଗୁରୁତ୍ୱ ।

ଆଉ କାହାର ତାକୁ ଚାହିଁ ।

ବାଞ୍ଛା ନୋହିବ ଦାସ ହୋଇ ।୧୬ ।

 

ବାଳୀ ଢାଳିଲା ବେଳେ ନେତ୍ର ।

ଜୀବନ ହୋଇଲା ଆରତ ।

ଖେଳି ଆସୁଛି କାଳ ଅହି ।

ଏ ମୋତେ ଦଂଶିବାର ପାଇଁ ।୧୭ ।

 

ପିଛଡ଼ା ପେଡ଼ାମଧ୍ୟେ ଥିଲା ।

କି ରୂପେ ଫିଟି ଏ ଅଇଲା ।

ନ ମାନିବାରୁ ଗଦ ପଦ ।

ନିଶସ୍ତ୍ର ହେଲା ବିଷବୈଦ୍ୟ ।୧୮ ।

 

ଏ କାଳେ ନେତ୍ରବୋଧ ତାକୁ ।

ଢାଳି ଏ ଦେବ ଅମୃତକୁ ।

ଆଜୁଁ ତୁ ହୋଇଲୁ ଅମର ।

ଦେଖି ଏ ଶିରୀ ପ୍ରାପ୍ତ ମୋର ।୧୯ ।

 

ଅନୁରାଗ ଚାହାଁଣୀ ସେହି ।

ଅପାଙ୍ଗ ଥିଲା ସାକ୍ଷୀ ହୋଇ ।

ଶୋଭା ସେ ଦିଶିଲା ଏମନ୍ତ ।

ଫୁଲ୍ଲାରବିନ୍ଦେ ଅଳିଯୁକ୍ତ ।୨୦ ।

 

ଅନଙ୍ଗ ପବନ ବିକାରେ ।

ଝଟତି ଢଳିବା ପ୍ରକାରେ ।

ଘେନି ଶୁକଳ ରଙ୍ଗ କଳା ।

ପଲକ କିବା ଚିତ୍ର କଲା ।୨୧ ।

 

ମୋହର କି ଇତର ପୁଣ୍ୟ ।

ତ୍ରିବେଣୀ ଘାଟେ କଲି ସ୍ନାନ ।

କଟାକ୍ଷ ଅଙ୍କୁଶ ସଦୃଶୀ ।

ମନ ମାତଙ୍ଗକୁ ଆକର୍ଷି ।୨୨ ।

 

ଉଚ୍ଛନ୍ନ ମାହୁନ୍ତ ଆରୋହି ।

ତାର ଆୟତ୍ତ କରି ନେଇ ।

ଜାନୁ ଅର୍ଗଳିର ନିକଟେ ।

ଥିଲା ଶିକୁଳୀ ନୀବୀକୂଟେ ।୨୩ ।

 

ନିବିଡ଼େ ପକାଇଲା ବାନ୍ଧି ।

ଭ୍ରମ ମଦିରା ପାନେ ବୋଧି ।

ଭାବିଲି ସ୍ୱର୍ଗଦ୍ୱାର ଏହି ।

ମୋକ୍ଷ ଏଥିରେ ଅଛି ରହି ।୨୪ ।

 

ସନ୍ନିଧେ ମଧ୍ୟେ ସିଂହସ୍ଥିତ ।

ନୋହିଲେ ହୁଅଇ ଏମନ୍ତ ।

ନିତମ୍ବ ଚନ୍ଦ୍ର ବିମ୍ବ ସତ ।

ସେ ସ୍ଥାନେ ହୁଅନ୍ତା ଉଦିତ ।୨୫ ।

 

ଲଭିଲି ଯେତେ ପୁଣ୍ୟ ତେତେ ।

ଲଂଘିତ ପାରନ୍ତି କେମନ୍ତେ ।

ଜଘନ ଭଦ୍ରାସନ ଗୋପ୍ୟେ ।

ବିଶ୍ରାମେ ଇନ୍ଦ୍ରପଦ ସ୍ଥାପେ ।୨୬ ।

 

ଏହି ଅଭୀଷ୍ଟ କରୁଅଛି ।

ନ ଜାଣି ଧାତା କି ଲେଖିଛି ।

ମନ ବୁଦ୍ଧି ନୟନ ପ୍ରାଣ ।

ତାହାର କିଣା ହେଲେ ଜାଣ ।୨୭ ।

 

ଏଣୁ ମୋ ଭଲ ମନ୍ଦ କର୍ତ୍ତା ।

ନୋହିଲ ନବୀନ ବନିତା ।

ମୋର ଦେହରେ ମୋ ଆୟତ୍ତ ।

କେହି ରହିଲା ଘେନି ଚିତ୍ତ ।୨୮ ।

 

ଦାହ କନକ ବରନୀକି ।

ସୁଭାଗ୍ୟ ଗଲା ମୋର ବିକି ।

ଓଷ୍ଠ ପ୍ରବାଳପାତ୍ରେ ଥିଲା ।

ହାସ ମୁକୁତାରେ କିଣିଲା ।୨୯ ।

 

ସେ ତାହା କିଣି ଗଲା ସିନା ।

ଏବେ ମୁଁ ପାଉଛି ବେଦନା ।

ରତି ରତନ ବରତନ ।

ଦେଇ କରିବାକୁ ଯତନ ।୩୦ ।

 

କେ ଯାଇ ଜଣାନ୍ତା ମୋ ପାଇଁ ।

କରୁଣା କଳ୍ପତରୁ ସେହି ।

ଆହା କରନ୍ତା ଏହା ଶୁଣି ।

ଛାମୁରେ ନିଅଇ ସେକ୍ଷଣି ।୩୧

 

ଦିଅନ୍ତା ଅଶେଷ ସମ୍ପତ୍ତି ।

ଦହନ୍ତା ପାଇବା ବିପତ୍ତି ।

ମନକୁ-ମନାଇ ସେବାରେ ।

ମଜ୍ଜନ୍ତି ମୁଁ ନିଶି ଦିବାରେ ।୩୨ ।

 

ଯାହାର ନାସାଫୁଲା ପଣ ।

ଫୁଲାଇ ଦେଇ ଫୁଲବାଣ ।

ବିଚାରେ ଏ ତୂଣୀ ସମରେ ।

ଅସ୍ତ୍ରେ ତ କମ୍ପାଇବି ଦ୍ୱାରେ ।୩୩ ।

 

ସବୁ ସୁବେଶ ମାନେ ତାକୁ ।

ସେ ପୁଣି ସୁବେଶ ବେଶକୁ ।

ମଳିନ ହୋଇଥିଲି ବେଶେ ।

ଜଗତ ମୋହି ପାରଇ ସେ ।୩୪ ।

 

ପଙ୍କ ମଧ୍ୟରେ ପଦ୍ମ ଥାଇ ।

ଯଥା ରସିକ ଭୃଙ୍ଗ ମୋହି ।

ଘେନନ୍ତି ଦେବାତଏ ଶିରେ ।

ବହନ୍ତି ବିଧୁ ସୂର୍ଯ୍ୟ କରେ ।୩୫ ।

 

ଶର କରିଛି ଶମ୍ବରାରି ।

ରାମା ସୁଷମା ସେହିପରି ।

ସ୍ୱଭାବେ ମୋର ବେନି ଆଖି ।

ଯହିଁ ପଡ଼ଇ ରହେ ଲାଖି ।୩୬ ।

 

ସେ କୋଟି କୋଟି ହୋଇଥିଲେ ।

ସେ ଶୋଭା ଦେଖିଥାନ୍ତି ଭଲେ ।

ଅଙ୍ଗକେ ଶତ ଶତ ରଖି ।

ସୁଖୀ ହୁଅନ୍ତି ଦେଖି ଦେଖି ।୩୭ ।

 

ଯେ ବାଳ ଚରିତ ଅଶେଷ ।

ଏମନ୍ତ କହୁଁକହୁଁ ପୁଂସ ।

ଚାରୁ ପୁରୁଷ କଲା ଆନ ।

ଏ ଛାନ୍ଦ ହୋଇଲା ସମ୍ପୂର୍ଣ୍ଣ ।୩୮ ।

 

ଯେ ବଂଶ ଇଷ୍ଟ ଦୁର୍ଗାଦେବୀ ।

ବରହି କୋଷରୁ ସମ୍ଭବି ।

ମନୁଷ୍ୟ ଏହି ଅଦଭୁତ ।

ଭଞ୍ଜାନୁଭଞ୍ଜ ନାମ ସତ ।୩୯ ।

 

ବିଶିଷ୍ଟ ବଶିଷ୍ଠ ପାଳକା ।

ଶ୍ରୀରାମେ ଦତ୍ତ ରାଜଟୀକା ।

ସେ କୁଳେ ରାଜା ଧନଞ୍ଜୟ ।

ସମସ୍ତ ଗୁଣର ନିଳୟ ।୪୦ ।

 

ଘୁମୁସର ଅଧିପ ପଣେ ।

ଲୋକ ବିଖ୍ୟାତ କବି ଗୁଣେ ।

ତଦ୍‌ଗତ ତାହାଙ୍କ ତନୁଜ ।

ନରେଶ ନୀଳକଣ୍ଠ ଭଞ୍ଜ ।୪୧ ।

 

ତାହାଙ୍କ ଜ୍ୟେଷ୍ଠ ସୁତ ମୁହିଁ ।

ଉପେନ୍ଦ୍ର ଭଞ୍ଜ ନାମ ବହି ।

ତାରକ ମନ୍ତ୍ର ପରସାଦେ ।

ମୋହର କବିପଣ ଉଦେ ।୪୨ ।

 

କଳଙ୍କ ବିହୀନ ମୋ ଗୀତ ।

ଖଳ ରାହୁରେ ଅଦୂଷିତ ।

ବିଚିତ୍ର ସୁଧାକର ଏହି ।

ସୁମନାବୃନ୍ଦ ସୁଖଦାୟୀ ।୪୩ ।

 

ନାରିକେଳ ଯେ ରସପୂର ।

ଭକ୍ଷି ନ ପାରଇ ବାନର ।

ତାର କି ସ୍ୱାଦୁ ଯଶ ନୋହି ।

ପ୍ରସଙ୍ଗୁ ଗଲି ମଧ୍ୟ କହି ।୪୪ ।

 

ସପ୍ତଦଶ ଛାନ୍ଦ

ବ୍ରହ୍ମଚାରୀ ଲାବଣ୍ୟବତୀର ବାର୍ତ୍ତା ନେଇ

ଚନ୍ଦ୍ରଭାନୁ ପାଶେ ପ୍ରବେଶ

(ରାଗ-ଶଙ୍କରାଭରଣ)

 

ବହିତ୍ର ଲାଗିଲା ଯାଇ ସିଂହଳ ଦ୍ୱୀପରେ ।

ସାଧବ ଯୁବତୀମାନେ ଅତି ପ୍ରମୋଦରେ

ଗଲେ ବହିତ୍ର ବନ୍ଦାଇ

ଅର୍ଘ୍ୟସ୍ଥାଳୀମାନ କରେ ହୁଳହୁଳି ଦେଇ ।୧ ।

 

ରତ୍ନାକର ସାଧୁତ ଭଗିନୀ ମେଘମାଳା ।

ଦଇବେ ସେ ଦିନ ଭ୍ରାତୃପୁରେ ଯାଇଥିଲା ।

ତାକୁ ଜାୟା ସଙ୍ଗେ ଦେଖି,

ହୋଇଲା ବୋଇତିଆଳ ଅତିଶୟ ସୁଖୀ ।୨ ।

 

ପୁରେ ପ୍ରବେଶ ଏକାନ୍ତେ ବଲ୍ଲଭୀ ସଙ୍ଗତେ

ହାସ କଉତୁକ ବେଳେ କହୁଛ ସୁଚିତ୍ତେ ।

ଧନ ମୋହ ରାଣ ତୋତେ,

ମୁଁ ଯାହା ବୋଲିବି ତାହା କରିବୁ ତ୍ୱରିତେ ।୩ ।

 

ବିପରୀତ ମାଗିବେ ପରା ଏମନ୍ତ ଘେନି

ଅତି ରସିକା ଚତୁରୀ ଦଣ୍ଡ ହେଲା ତୁନି ।

କହ ଶୁଣିବା ସେ କଥା,

ବୋଇଲା ଲଜ୍ଜିତ ହୋଇ ପୋତିଲା ସେ ମଥା ।୪ ।

 

ନାୟକ କହିଲା ତୋ ନଣନ୍ଦ ମେଘମାଳା ।

ପରିହାସ ତାହାଠାରେ ତୋର ପ୍ରବର୍ତ୍ତିଲା ।

ସେ କୁମାରୀ ପ୍ରାଣ ପରି,

ତୁ ତାହାକୁ କହିବୁ କହିବ ଯାଇକରି ।୫ ।

 

ବିଦ୍ୟାନଗ୍ର ନୃପତି ନନ୍ଦନ ଚନ୍ଦ୍ରଭାନୁ ।

ଲାବଣ୍ୟବତୀର ଶୋଭା ଶୁଣିଲାର ଦିନୁ ।

ହୋଇଅଛି ଅତି ବଶ,

ନ ପାଇଲେ ଜୀବନରେ କ୍ଷଣେ ନାହିଁ ଆଶ ।୬ ।

 

ସୁନ୍ଦରପଣକୁ ଆଉ ଗାରେ କାହିଁ ନାହିଁ ।

କୁଳେ ଉଜ୍ୱଳ ସାମର୍ଥେ ଭୋଗକରେ ମହୀ ।

ଅବିଧିତ ହେବ ବିଭା,

ଭଜ ସେ ରସିକକୁଞ୍ଜରକୁ ମହା ଶୋଭା ।୭ ।

 

ସୁମନା ବୋଇଲା ଦେଖ ଏ ପ୍ରାଣ ଯାହାର ।

ଏ କଥାକୁ କାହିଁ ପାଇଁ ନିୟମ ତାହାର ।

ଏତେ କହି ଗଲା ଉଠି,

ମେଘମାଳା ପାଶରେ ପ୍ରବେଶ ବିମ୍ବଓଷ୍ଠୀ ।୮ ।

 

ବସି ପାଶେ ଘଡ଼ିଏ ମାତିଲା ପରିହାସେ ।

କ୍ରମଶେ କ୍ରମଶେ କରି ପକାଇଲା ବିଷେ ।

ଜେମା ବିଭା ନୋହିବେକି,

କି ଉପାୟ ତାତ ମାତ କରନ୍ତି ଏଥିକି ।୯ ।

 

ସେ ରାମା ତରକି ଥିଲା ବ୍ରହ୍ମଚାରୀ ଶୁକ ।

ଜ୍ୟେଷ୍ଠଭ୍ରାତା ସଙ୍ଗତରେ କରି ଅବଲୋକ ।

ଏବେ ମନରେ ବିଚାରେ,

ଭ୍ରାତା କହି ପଠିଆଇ ଅଛି ଏହା କରେ ।୧୦ ।

 

ମାଳିନୀ କହିବାର ଆସୁଛି ସତ ହୋଇ ।

ମୁଁ କିମ୍ପାଇ ଛାଡ଼ିବିଟି ସଖୀର ବଡ଼ାଇ ।

ପାଞ୍ଚି ଏମନ୍ତ କହିଲା,

ସମେ ବର ମିଳିଲେ ବିବାହ ହେବ ବାଳା ।୧୧ ।

 

ମାନସରେ ହେଲେ ସିନା ମରାଳ ରସିବ ।

ମେଘ ନୀର ହେଲେ ସିନା ଚାତକ ତୋଷିବ ।

ମନେ ମନହିଁ ମିଶିବ,

ଚନ୍ଦ୍ର ହେଲେ ସିନା ଚକୋରକୁ ଉଲ୍ଲାସିବ ।୧୨ ।

 

ଚୂତ ମଞ୍ଜରୀରେ ଯେବେ କୋକିଳ ରସିବ ।

ତେବେ ସିନା ଅତିଅନ୍ତ ସୁନ୍ଦର ଦିଶିବ ।

ଶୁଣି ଏ କହେ ଏମନ୍ତ,

ଏହି ବିଧିରେ ମିଳିଲେ ହେବ କି ସମ୍ମତ ।୧୩ ।

 

ଦ୍ୱିତୀୟା ମୋଲେ ସମ୍ମତ ନୋହିବ କାହିଁକି ।

ବିଧାତା ଘଟାଇ ଦେଇ ଯେ ଯୋଗ୍ୟ ଯହିଁକି ।

ପ୍ରତିବନ୍ଧ ଅଛି ଏତେ,

ସ୍ୱପ୍ନବଶେ ପୁରୁଷେ ଦେଖିଛି ଦିନେ ରାତ୍ରେ ।୧୪ ।

 

ଦୀର୍ଘନେତ୍ରୀ ସତ୍ୟ-ଜନୟିତ୍ରୀ ବୋଲି ଘେନ ।

ଅଙ୍ଗୀକାର କଲା କଥା ନ କରିବ ଆନ ।

ସତ୍ୟେ ବିଷ ଭକ୍ଷି ହର,

ସତ୍ୟେ ଲଂଘି ନାହିଁଟି କୂଳକୁ ଅକୂପାର ।୧୫ ।

 

ଅସୁର ଯୁବତୀ ବୃନ୍ଦାବତୀ ପୂର୍ବେଥିଲା ।

ଶ୍ରୀପତି କେଡ଼େ ସୁନ୍ଦର ବର ନ ରସିଲା ।

ମାୟାଧର କଲେ ମାୟା,

ସତ୍ୟ ଘେନି ଅନଳେ ଦହନ କଲା କାୟା ।୧୬ ।

 

ତଥାପି ହିଁ ଶୁଣିବା ସେ କେମନ୍ତ ସୁନ୍ଦର ।

ପ୍ରଥମା କହେ ଜାଣିଛି କାମାବେଶ ତାର ।

କାଞ୍ଚିପତି ପ୍ରିୟସୁତ,

ଚନ୍ଦ୍ରଭାନୁ ଜେମାର ହୋଇଛି ଅନୁରକ୍ତ ।୧୭ ।

 

ଏତେ ବୋଲି ପ୍ରାଣପ୍ରିୟା ପାଶକୁ ଗମନ ।

ପୁନରପି କହିଲା ସେ ସକଳ ବିଧାନ ।

ଘେନି ବ୍ରହ୍ମଚାରୀ କୀର,

ପୋତପାଳ ବସି କରେ ଏମନ୍ତ ବିଚାର ।୧୮ ।

 

ତ୍ରିବିଧ ଦୂତ ଶାସ୍ତ୍ରରେ ଲିଖିତ ହୋଇଛି

ଦ୍ୱିବିଧ ଦୂତରୁ ଆଉ କାର୍ଯ୍ୟ ନାହିଁ କିଛି ।

ପଡ଼େ ଯେଉଁ କାର୍ଯ୍ୟ ଯହିଁ,

ସେ କାର୍ଯ୍ୟ ନିର୍ବାହ କରେ ପ୍ରତ୍ୟୁତ୍ତର ଦେଇ ।୧୯ ।

 

ପ୍ରଭୁ ପଚାରିଲେ ଶଙ୍କା ନ ଥାଇ ଯାହାର ।

ତାହାକୁ ସଂସାରେ କହି ସୁଶ୍ଲିଷ୍ଠାର୍ଥଚାର

ଦୂତ ହେଲେ ମିଛ କହି,

କାର୍ଯ୍ୟକାଳେ ମିଥ୍ୟା କହିବାର ଦୋଷ ନାହି ।୨୦ ।

 

ନର ବା କୁଞ୍ଜର ବା ଅଶ୍ୱତ୍‌ଥାମା ହତ ।

କାର୍ଯ୍ୟେ କହିଲେଟି ଯୁଧିଷ୍ଠର ସତ୍ୟବନ୍ତ ।

ଆମ୍ଭେ କହିବା ଏମନ୍ତ,

ଚିତ୍ରେ ସ୍ୱପ୍ନେ ଦେଖଛି ବା ତାକୁ ନୃପସୁତ ।୨୧ ।

 

ବ୍ରହ୍ମଚାରୀ କହିଲା ଚାତକ ଯହିଁ ଥାଇ

ସେହି ସ୍ଥାନେ ନିତିନିତି ଘନ ବରଷଇ ।

ସ୍ୱପ୍ନେ ଦେଖିଅଛି ବୀର,

ପରମ କରମବନ୍ତମାନଙ୍କେ ସେ ସାର ।୨୨ ।

 

ବନଦୁର୍ଗା ଉପାସନା ମୋର ସବୁଦିନେ ।

ସେ କହିଲେ ଆସୁ ଆସୁ ଦେଖିଲି ସ୍ୱପନେ ।

ଜାଣ ସାକ୍ଷାତ ପ୍ରକାର,

ବେନି ଚିତ୍ତ ରସିବ କରିଛୁ ପରସ୍ପର ।୨୩ ।

 

ଏତେ ବୋଲି ଶୁକ ଦେଲେ ମେଘମାଳା କରେ ।

ଆଦ୍ୟୁଁ ପ୍ରାନ୍ତଯାଏ କଥନ ସେ ଧୀର ଗିରେ ।

ମେଧାବିନୀ ଘେନି ସଖୀ,

ଅବରୋଧରେ ଯାଇଣ ଭେଟିଲା ସୁମୁଖୀ ।୨୪ ।

 

ପୁଂସ ପ୍ରତିରୂପ ଚିତ୍ରଲେଖା ଯେଉଁ ପୁରେ ।

ତହିଁ ଶୋଇଛି ନବୀନା ପଲ୍ଲବ ଶେଯରେ ।

ବାଡ଼ଚିତ୍ର ଚାହିଁ କୀର,

ହେଲା କାର୍ଯ୍ୟ ବୋଲିଣ ଚିତ୍ତକୁ କଲା ସ୍ଥିର ।୨୫ ।

 

ଅନାଇଲା ସେ ଶୋଭା ହୋଇଛି ଆନ ଆନ ।

କୈଳାସ ପର୍ବତ ପ୍ରାୟ ମେରୁ ପରି ସ୍ତନ ।

ନେତ୍ରେ ପୂରିଅଛି ଜଳ,

ଦୂର କରି ଦେଇଅଛି ଉଜ୍ଜ୍ୱଳ କଜ୍ଜଳ ।୨୬ ।

 

ଫାଟିଫୁଟି ପଡ଼ୁଅଛି ମୁକୁତା ମାଳିକା

ଚନ୍ଦନ ପଡ଼ି ତନୁରେ ହେଉଛି ଫୋଟକା ।

ନଭେ ଦ୍ୱୀତିୟାର ଶଶୀ,

ଉଦୟ ହେଲା ପରାୟ ଶେଯେ ଶୋଭା ଦିଶେ ।୨୭ ।

 

ପାକ କଲା ଶାକ ପ୍ରାୟ ଜଳଜର ପୂର୍ଣ୍ଣ ।

ମୃଣାଳନାଳ ପଡ଼ିଲା ମାତ୍ରେ ଗାତ୍ରେ ଚୂର୍ଣ୍ଣ ।

ଉଶୀରର ଲେପ ଯହିଁ,

ତପତ ଲୋହେ ଜମ୍ବାଳ ପରାୟେ ଶୁଖଇ ।୨୮ ।

 

ରତ୍ନଶାଣେ ବସିଲେ ନ ତୁଟେ ଶୋଭା ଯଥା

ତଥା କ୍ଷୀଣ ହେଲେ ଲଭି ମନମଥ ବ୍ୟଥା ।

ଶୋଭା ହୋଇ ନାହିଁ ହତ,

ରତି ରତିକି ସମାନ ନୋହିଏ ଏମନ୍ତ ।୨୯ ।

 

ଦନ୍ତି-ଦନ୍ତ ପିତୁଳା କି ରଜତ ପିତୁଳା ।

ତୁଳା-କୋମଳାଙ୍ଗୀ ବହିଅଛି ଏହି ତୁଳା ।

ଗଣ୍ଡେ ବହେ ଲୁହଧାର,

ପୋଛିବାରୁ କେବଳ ଦିଶୁଛି ତେତେ ତୋରା ।୩୦ ।

 

ଦେଖିବାକୁ ଲୋକେ ନୋହିବାକୁ ଭ୍ରମଚିତ୍ତ

ରାମା ବହିଛି କି ଏତେ ହେମାଙ୍ଗୀ ସଙ୍କେତ ।

ହାସହୀନେ ଦିଶେ ମୁଖ,

ଦିନ ଥାଇଁ ଉଦୟ କି ବିଶଦ ମୟୂଖ ।୩୧ ।

 

ଶୁକ ଏ ଦଶାକୁ ତାର ଅନାଇ ବିଚାରେ ।

ଧାତାରୁ ଦାରୁଣ ହୋଇ ନାହିଁ ଏ ସଂସାରେ ।

ଏତେ ଦୁଃଖ ତ ଏହାର,

ଏତେ ଏତେ ବିଧି କଲା କେବଣ ବୁଦ୍ଧିର ।୩୨ ।

 

ଭୋଗୀ ଭୋଗକୁ ଯୋଖିଲା ମଳୟ ଅନିଳ ।

ଶିବେ ଭୋଗେ ସିନ୍ଧୁ କଲା ମନ୍ଥନେ ଗରଳ ।

ଦେଲା ରାହୁକୁ ଅମୃତ,

କଳାନିଧି ପରା ଦ୍ରବ୍ୟେ କଳଙ୍କ ଅଙ୍କିତ ।୩୩ ।

 

ତୀର୍ଥରାଜ ଜଳ କଲା ଲବଣ ସହିତ ।

ଧର୍ମେ ନୀଚ ପରାଭବ ବିହିଲା ଯେମେନ୍ତ ।

ତଥା କୋମଳ ପିଣ୍ଡକୁ,

ବିହିଲା ଉଦ୍ଦଣ୍ଡ ଫୁଲ କୋଦଣ୍ଡ ଦଣ୍ଡକୁ ।୩୪ ।

 

ଧୈର୍ଯ୍ୟ ରଖି ନ ପାରି ସେ ପୁଚ୍ଛିଲା ଏସନ ।

ଥୋକାଏ ଦିନ ହୋଇଲି ବୋଲି ପାଶୁଁ ଭିନ୍ନ ।

କ୍ଲେଶ ସ୍ୱଭାବ ହୃଦୟେ,

ନ ବହି କି କଥା ଏହୁ କୁହ ତ ନିଶ୍ଚୟେ ।୩୫ ।

 

ଏ ବଚନେ ଚଞ୍ଚଳ ଲୋଚନେ ବାଳା ଚାହିଁ ।

ଚିହ୍ନିଲା ଆପଣାର ପୋଷିଲା ଶୁକ ତହିଁ ।

ବିଚାରିଲା ଶୁଭ ହେଲା,

ଶିବ ଆଜ୍ଞା ଘଟିଲା ଚତୁରା କହିଥିଲା ।୩୬ ।

 

କାଞ୍ଚି ନଗରକୁ ସଖୀ ନେଇଥିଲା ମାଗି

ଜାଣିଲା ସେ କୁମର ମୋହରେ ଅନୁରାଗୀ ।

କିମ୍ପା ନୋହିଲେ ଅଇଲା,

କହ ବୋଲି ନେତ୍ରାନ୍ତରେ ସଖୀକି ଠାରିଲା ।୩୭ ।

 

କହୁଛି ହେମମଞ୍ଜରୀ ଫଳାଶନ ଚାହିଁ ।

ଯେଉଁଦିନ ସ୍ୱପନେ ଏ ହେଲା ଭୂତ ସ୍ନେହୀ ।

ପ୍ରେତ ଅତନୁ ବିଚାର,

ପ୍ରେତପତି ପାଶେ ନେବ ଜୀବନ ଏହାର ।୩୮ ।

 

ଶୀତଭାନୁ ଏହି ନାମ ଆଦ୍ୟ ଦ୍ୱିଅକ୍ଷର ।

ଛାଡ଼ି ସନ୍ତାପିତ କରୁଅଛି ନିରନ୍ତର ।

ତେଜ ଅନଳ ପ୍ରକାର,

ବହିବାରୁ ଦହି ଦେଉଅଛି କଳେବର ।୩୯ ।

 

ପିକ କଳ ପ୍ରଥମରେ ଆକାର ବହିଛି ।

ଯାମ ହିଁ ଆକାର ବିନା ବାଳାରେ ହୋଇଛି ।

ଜଣା ନ ଯାଇକି ଦଶା,

ଏଣୁ ନଦୀ ବିପରୀତ ହୋଇଲା ସୁଦୃଶା ।୪୦ ।

 

ଶୁକ ଏ ଉତ୍ତର କଲା ଭିତ୍ତିର ଯେ ଲେଖା ।

ଏ ପୁରୁଷ ବିନୁ ତ ଆନକୁ ନାହିଁ ଦେଖା ।

ଏହି ଦେଖିଛି ବାଳାକୁ,

ଚିତ୍ରସ୍ୱପ୍ନେ ଚିନ୍ତା କରେ ନିରତେ ଲୀଳାକୁ ।୪୧ ।

 

ଏହା ବିରହକୁ ତା ବିରହ ଅଛି ବଳି ।

ଅନୁରାଗ ମଧ୍ୟେ ଏ ଦୁହିଁକି ସାର କଲି ।

ଧାତା ସୁନ୍ଦର ସଂସାରେ,

ଜନ୍ମ ରାଜା କରିଅଛି ସ୍ତିରୀ ପୁରୁଷରେ ।୪୨ ।

 

ତା ହୃଦବନରେ ଜଳୁଅଛି କାମାନଳ

ଘନ ହୋଇ ଘନରସବଶରୁ ଶୀତଳ ।

କରୁ କରକରଦନା,

ତପତ ଲୋହ ଜମ୍ବାଳ ଏହାର ବେଦନା ।୪୩ ।

 

ନ ହରିବନିକି ଚନ୍ଦ୍ରଭାନୁ ସେ ବୋଲାଇ

ଉଦୟ ଲଭିଛି ସିନା ଏହି ତାପ ପାଇଁ ।

ଶୁଣି ଏ କଥା ତାହାର,

ବୋଇଲେ ଲଳନାକୁ ପାଳନ ପୁନଃ କର ।୪୪ ।

 

ଦେଇ ଲେଖି ଅତ୍ୟନ୍ତ କାତର କାମୁଁ ରଖ ।

ଶୁକର ଏ ବାଣୀ ଶୁଣି ସର୍ବେ ଲଭି ସୁଖ ।

ସେ ବୋଇଲେ ଆମ୍ଭେ ନାରୀ,

ପ୍ରଥମରେ ଲେଖିବୁଁଟି ପତ୍ରିକା କି କରି ।୪୫ ।

 

ରବି କର ପରଶେ ପଦ୍ମକୁ କରେ ତୋଷ ।

ପଲ୍ଲବିତ ଲତା ଉପସ୍ଥିତେ ମଧୁମାସ ।

ଚୂତ ମୁକୁଳ ଅଶନ,

ହୋଇଲେ ସିନା କହଇ କୋକିଳ ବଚନ ।୪୬ ।

 

ଘନ ଗରଜିଲେ ସିନା ମୟୁର ଅନାଇଁ ।

ଆନନ୍ଦରେ ନୃତ୍ୟକରି ବାଣୀ ପ୍ରକାଶଇ ।

କୀର ବୋଇଲା ଏ ସତ,

ତେବେ ପ୍ରେମପତ୍ର ଯାଇ ଆଣୁ ଆମ୍ଭ ଦୂତ ।୪୭ ।

 

ମେଘମାଳା ପଠିଆଇ ବୋଧି ବ୍ରହ୍ମଚାରୀ ।

ଯେତେ କହିଲେ ତ ଆଗେ କହିବା ବିସ୍ତାରି ।

ଗଲା ସେ କୁମାର ପାଶେ,

ନାରୀ ମାନସ ଉଲ୍ଲାସ ଛାନ୍ଦ ହେଲା ଶେଷ ।୪୮ ।

 

ମହିଷ ବିଜୟୀ ଅତି ସୁରଭି ସ୍ୱରୂପ ।

ସଦାଶିବ ସୁଖଦାନ କରଣେ ଲୋଲୁପ ।

ରାମ ଦୁର୍ଗା ଇଷ୍ଟଦେବୀ,

ଉପଇନ୍ଦ୍ର ବୀରବର ଦୁଃଖେ ନାଶେ ଭାବି ।୪୯ ।

 

Unknown

ଅଷ୍ଟାଦଶ ଛାନ୍ଦ

ବ୍ରହ୍ମଚାରୀ ଚନ୍ଦ୍ରଭାନୁର ପତ୍ର ଘେନି

ଲାବଣ୍ୟବତୀ ପାଶେ ପ୍ରବେଶ

(ରାଗ-ମାଳବ)

 

ଶୁଣ ବିଶୁଦ୍ଧ ବୁଧ ଏଥୁ ଅନ୍ତେ ।

ଚିତ୍ରରୁ ଚିତ୍ର ଚରିତ ସୁଚିତ୍ତେ ।୧ ।

 

କୁମର ଚାରିମିତ୍ର ସଙ୍ଗେ ବସି ।

ବୀଣାଜିଣା ବାଣୀ ପ୍ରସଙ୍ଗେ ଭାଷି ।୨ ।

 

ପ୍ରେମବୀଜ ତାର ରୋପିତ ହୃଦେ ।

ରୋମାଞ୍ଚିତ ବ୍ୟାଜେ ଅଙ୍କୁର ଉଦେ ।୩ ।

 

ତାହାକୁ ବୃଦ୍ଧି କରିବା ପାଇଁ ।

ସ୍ୱେଦ ସଲିଳ ପ୍ରକାଶିତ ହୋଇ ।୪ ।

 

ବୋଲଇ ଅଦ୍ଭୁତସ୍ଥଳୀ ସୁନ୍ଦରୀ ।

ଫୁଲରୁ ଫଳ ଯେଣୁ ଜାତ କରି ।୫ ।

 

ଏ ଘେନି କରଇ ବିବେକ ବଣା ।

ଫୁଲରୁ ଫଳ ଜାତ ଥିଲା ଶୁଣା ।୬ ।

 

ଶଙ୍ଖ ଉପରେ ପଦ୍ମ ବିକଶିତ ।

ଏହି ନୁହଁଇ କି ଅତି ଅଦ୍ଭୁତ ।୭ ।

 

ପଦ୍ମ ମଧ୍ୟରୁ ଶଙ୍ଖ ଜାତ ଶୁଣି ।

ବିଷ୍ଣୁ ବହିଛନ୍ତି ବିଚିତ୍ର ପୁଣି ।୮ ।

 

ନ ଶୁଣି ଚିତ୍ତରୁ ହୋଏ ବିଶୋର ।

ଭାଳି ନିଧି ନାମ ଦେଲେ କୁବେର ।୯ ।

 

ସଂସାରେ ପ୍ରକଟ ହେବାକୁ ଧାତା ।

ସଂଖ୍ୟା ଗଣନାରେ ରଖିଲାକି ତା ।୧୦ ।

 

ପୁଣି ନୟନେ ଯୁଗ ଦେଖିଅଛି ।

କେମନ୍ତ ପ୍ରକାରେ ପାରିବ ମୂର୍ଚ୍ଛି ।୧୧ ।

 

ଏମନ୍ତ ପ୍ରକାରେ କଥନ ବେଳେ ।

ବ୍ରହ୍ମଚାରୀ ଆସି ଛାମୁରେ ମିଳେ ।୧୨ ।

 

ନମସ୍କାର କରି ଦେଇ ଆସନ ।

ସାଧୁ ତ ଶୁକ ନ ଦେଖି ଉଚ୍ଛନ୍ନ ।୧୩ ।

 

ଭାବେ ମୋର ଯେବେ ସୁକୃତ ଥିଲା ।

ସ୍ୱପ୍ନେ ଦର୍ଶନ ବିନଭୋଗ ହେଲା ।୧୪ ।

 

ଏବେତ ସୁକୃତ ହୋଇଛି ଊଣା ।

କାହିଁକି କରିବ ବାଳା କରୁଣା ।୧୫ ।

 

ଦୁର୍ଲଭ ପଦାର୍ଥେ ଦେବାରୁ ମନ ।

ଆଜ ହୋଇଲା ମୋ ମରଣ ଦିନ ।୧୬ ।

 

ସେ ବାଣୀ ସଙ୍ଗେ ଜୀବନ ଯିବଟି ।

ରହି ବ୍ୟାକୁଳ ମୋତେ ନ ଦେବୁଟି ।୧୭ ।

 

ଦ୍ୱିଜ ରୀତି ଦେଖି ବିଚାର କଲା ।

ନ ଭଜିଲା ଶଙ୍କା ଏହାର ହେଲା ।୧୮ ।

 

ଆଶଙ୍କା କାହିଁକି ନଥିବ ପୁଣି ।

ସ୍ୱର୍ଗକୁ ପକାଇଅଛି ନିଃଶ୍ରେଣୀ ।୧୯ ।

 

ପୁଣି ଚନ୍ଦ୍ରକୁ ବଢ଼ାଇଛି ପାଣି ।

ତମ ରଜନୀରେ ଦେଖିବ ପୁଣି ।୨୦ ।

 

କହିଲା ଏମନ୍ତ ବଚନ ଭାଳି ।

କରୁଣା-ବୃକ୍ଷ କି ନିରାଶ ଫଳି ।୨୧ ।

 

ମାନସ ଦେଇ ସେବିଲେ ମହେଶ ।

ପ୍ରାଣୀର ବ୍ୟାଧି କି ନୁହଇ ନାଶ ।୨୨ ।

 

ଯାଚକ ଦାନ ମାଗିଯାଇ କର୍ଣ୍ଣେ ।

ଶୂନ୍ୟେ ଆସିଛି କି ଶୁଣିଛ କର୍ଣ୍ଣେ ।୨୩ ।

 

ମେଘ କି କରେ ଅଳପ ବରଷା ।

ନିଷ୍ଫଳ କାହିଁ ହୋଇଛି ତପସ୍ୟା ।୨୪ ।

 

ଏ ବାଣୀ ରାଜାଜ୍ଞ ଧରି ରଖିଲା ।

ଯମ ପାଶେ ପ୍ରାଣ ପଳାଉଥିଲା ।୨୫ ।

 

ଦୁଷ୍ଟ ସଂଶୟକୁ ପକାଇ ହାଣି ।

ଯାବତ ବିଧିକି ପକାଇ ପୁଣି ।୨୬ ।

 

କନ୍ୟା ସ୍ୱପ୍ନରେ ଯେମନ୍ତ ଦେଖିଲା ।

ବାଡ଼ରେ ଦେବୀ ଚିତ୍ରରେ ଲେଖିଲା ।୨୭ ।

 

ଦଣ୍ଡ ଦଣ୍ଡକରେ ଫୁଳକୋଦଣ୍ଡ ।

ସେଦିନୁ ଯେଉଁ ରୂପେ ଦେଲା ଦଣ୍ଡ ।୨୮ ।

 

କାହିଁକି ବୋଇଲା ପୁରୁଷ ସାର ।

ବାଳାଠାରେ ନାହିଁ ବିନୟ ତାର ।୨୯ ।

 

ଏମନ୍ତରେ ଯେଉଁ ବାଳା ସୌନ୍ଦର୍ଯ୍ୟ ।

ଚାହିଁ ରହିବ ନାହିଁ ପଶୁ ଧୈର୍ଯ୍ୟ ।୩୦ ।

 

ପାଷାଣ ନେବ ତରଳ ପଦବୀ ।

ଏଥି ଉତ୍ତାରେ ଆଉ କି କହିବି ।୩୧ ।

 

ଧାତା ଦାରୁଣ ହେବା ନୁହେଁ ବଡ଼ ।

ନ ଜାଣେ ରସ ଜନ୍ମୁ ବେଦ ଜଡ଼ ।୩୨ ।

 

ଏଥି ଉତ୍ତାରୁ ଆମ୍ଭର ପ୍ରବେଶ ।

ସଖୀ ସଙ୍ଗେ ଦୂତ ପେଷିଲେ ପାଶ ।୩୩ ।

 

ତୁମ୍ଭର ଭାଗ୍ୟ ଅତି ବଳିଆର ।

ଶୁଣିଲାକ୍ଷଣି ହେଲା ସୀଉକାର ।୩୪ ।

 

ଚତୁରୀଗୁଣେ ନ ଦେଲା ଚିଟାଉ ।

ବହୁତ କହି କି ହୋଇବ ଆଉ ।୩୫ ।

 

ଯିବାକୁ ଜୀବ କଣ୍ଠେ ଅଛି ରହି ।

ଲେଉଟାଅ ତାକୁ ପତ୍ରିକା ଦେଇ ।୩୬ ।

 

ଏ ବାଣୀ ଶ୍ରବଣେ ମିତ୍ରକୁ ଚାହିଁ ।

କୁମାର କହିଲା ଗଦ୍‌ଗଦ୍‌ ହୋଇ ।୩୭ ।

 

ଶୁଭୁଛି ଯେତେ ତା ସୁନ୍ଦରୀପଣ ।

ତେଡ଼ିକି ଅଛି ଅନୁରାଗ ପୁଣ ।୩୮ ।

 

ତାକୁ ଦେଖିବାକୁ ବିନୟ ଭାବେ ।

ବଚନେ ଆଉ କି ଜଗତେ ଥିବେ ।୩୯ ।

 

ଭିଆଉଁ ଭିଆଉଁ ବିନୟ ଭାଷା ।

ଶେଷ ହୋଇଯିବ ଜୀବନ ଆଶା ।୪୦ ।

 

ଗଲେ ଏ କଥାକୁ ନାହିଁ ଶୋଚନା ।

ଦୁଃଖ ପାଇବ ମଞ୍ଜୁଳ ଲୋଚନା ।୪୧ ।

 

ଯଥା କଥା କରି ତାକୁ ଜଣାଣ ।

ଲେଖିବା ତୁଳିକା କାଗଜ ଆଣ ।୪୨ ।

 

ଆଣି ଲେଖିଲେ ବିଚାରି ବିଚାରି ।

ପତ୍ରିକା ଘେନିଗଲେ ବ୍ରହ୍ମଚାରୀ ।୪୩ ।

 

କହିବାକୁ ଯେତେ କହିବା ବାଣୀ ।

ଶେଷହିଁଶେଷ ନ କରିବେ ପୁଣି ।୪୪ ।

 

ଦୂତ ସିଂହଳ ଦ୍ୱୀପରେ ପ୍ରବେଶ ।

ସୁମୁଖୀ ଦେଖିଣ ହୋଇଲା ତୋଷ ।୪୫ ।

 

ଅବରୋଧକୁ ସଙ୍ଗେ ଘେନିଗଲେ ।

ପୁର ପ୍ରାଙ୍ଗଣେ ନେଇ ବସାଇଲେ ।୪୬ ।

 

କୁମାରୀ ବସିଛି ସଖୀଙ୍କ ସଙ୍ଗ ।

ଶୁକ କହୁଛି କୁମାର ପ୍ରସଙ୍ଗ ।୪୭ ।

 

ଏ କାଳେ ମିଳି କହେ ଏ ଭାଷକୁ ।

ଯେଉଁ ଗୋସାଇଁ ତୋ ପ୍ରାଣ ପାଶକୁ ।୪୮ ।

 

ଯାଇଥିଲେ ଆଣିଛନ୍ତି ପ୍ରମୋଦେ ।

ମୋହନ ମନ୍ତର ପତର ମୁଦେ ।୪୯ ।

 

ଉଚ୍ଛନେ ବାଳା ପଚାରିଲା କାହିଁ ।

ବୋଇଲା ଆସିଛି ଦ୍ୱାରେ ବସାଇ ।୫୦ ।

 

କି କୃତ୍ୟ କଲୁ ମନ୍ତ୍ରୀ ସୁତା ବୋଲେ ।

ଦେଖିଥିବ ତାକୁ ଦୁଆରପାଳେ ।୫୧ ।

 

ସେ ବୋଲେ ସେ ଜାଣେ ଚକ୍ଷୁବନ୍ଧନ ।

ସ୍ତିରୀ ବୋଲି ଚିହ୍ନି ଛାଡ଼ନ୍ତି ଜନ ।୫୨ ।

 

ଏଥିରେ ହରଷ ଅଧିକ ହେଲା ।

ଦ୍ୱାରନ୍ତର ହୋଇ ଜେମା ରହିଲା ।୫୩ ।

 

ଦ୍ୱିଜକୁ କହିଦେଲା ମେଘମାଳା ।

ନମସ୍କାର କରୁଅଛନ୍ତି ବାଳା ।୫୪ ।

 

ମନୋରଥ ଅସ୍ତୁ ହେଉ ଏ ବାଣୀ ।

କଲ୍ୟାଣ କଲା ଯୋଡ଼ି ବେନିପାଣି ।୫୫ ।

 

ଜଟାରୁ ଚିଟାଉ ବାହାର କଲା ।

ଏଠାରେ ଏ ଛାନ୍ଦ ଶେଷ ହୋଇଲା ।୫୬ ।

 

ରାମଜିତ ରାମ ରାମ ବିନୋଦି ।

ଉପଇନ୍ଦ୍ର ବୀର ସନ୍ତାପ ଛନ୍ଦି ।୫୭ ।

 

ଊନବିଂଶ ଛାନ୍ଦ

ଲାବଣ୍ୟବତୀର ପତ୍ର ପ୍ରାପ୍ତି ଏବଂ ପଢ଼ିବା

(ରାଗ-ଶଙ୍କରାଭରଣ)

 

ଚାହିଁମହୀଦେବ ହସ୍ତରେ ପତ୍ରିକା ବହି ପୁଲକିତ ଗାତ୍ରକୁ ।

କରି ନିଉଛାଳି ବେନି ନେତ୍ରକୁ ।

ଚଞ୍ଚଳେକ୍ଷଣୀ ଅଞ୍ଚଳେ ଉର କର ପାଏଡ଼ା କଲା ସେ ପତ୍ରକୁ ସେ ।

ସୁନ୍ଦରୀ, ଘେନି ଶିରେ ଲଗାଇଲା ସତ୍ୱରେ ।

ଶଶୀ କରଗତ ଚିନ୍ତି ଚିତ୍ତରେ ।

ମୁଦରେ କୁମୁଦ ହାସକୁ ପ୍ରକାଶି ମୁଦ ଭାଙ୍ଗିଲା କି ତରେ ସେ

। ସୁନ୍ଦରୀ ।୧ ।

 

ଯୋଖିଲା ଏମନ୍ତ ଦେଖିଲାଅଲକ୍ତେ ଦେଖିଲେ ଅକ୍ଷର ପନ୍ତିକି ।

କେଉଁ ପୁଟେ ରଙ୍ଗ କଲା ମୋତିକି ।

ବଢ଼ିଲା ଆନନ୍ଦସାଗର ପଢ଼ିଲା ରସଗର୍ଭ ଭାରତୀକି ସେ ।

ସୁନ୍ଦରୀ, ପଦ ପଦକେ ପଦବୀ ପ୍ରଦାନ

ମୋହ ହେଲେ ଶ୍ରୁତି ମନ ନୟନ ।

ମାରଦର ଦୂର ହେବାକୁ ପ୍ରଥମ ଉରଜଶମ୍ଭୁ ବଦନରେ

। ସୁନ୍ଦରୀ ।୨ ।

 

ଅତି ସଉନ୍ଦର୍ଯ୍ୟବତୀ ମୁନି ଧୈର୍ଯ୍ୟ କମ୍ପାକାରୀ ଶମ୍ପା ଗଉରୀ ।

ମହୀ ମହିଳାର ଚମ୍ପାଚଉଁରୀ ।

ଯାହା ସୁଷମା ସମାନ ନୋହି ହର ଅଙ୍ଗେ ଲୁଚିବା ଗଉରୀ ରେ ।

ସୁନ୍ଦରୀ, ଯେଣୁ ପରମାନନ୍ଦ ସମୁଦାୟ

ଦୀପ୍ତି ମଣ୍ଡିତ ସ୍ନେହ ସୁଧାମୟ

ଶୋଭାସିନ୍ଧୁ ଜାତ ରମା କି ଚନ୍ଦ୍ରମା ଛିଡ଼ିନାହିଁ ଏ ସଂଶୟରେ

। ସୁନ୍ଦରୀ ।୩ ।

 

ଶୋଭା ପ୍ରଶଂସାରେ ସଂସାରେ ଜଣେ ତୁ ନାହିଁ ତୋ ରୂପ ସମସରି ।

ଉପମାଏ ରହିଲେ ଅପସରି ।

ବରବର୍ଣ୍ଣନା ବର୍ଣ୍ଣନା ମୁଁ କଲି ଏହି କଥାକୁ ବିଚାରିରେ ।

ସୁନ୍ଦରୀ, କବି ଗଣେଶ ଗଣେଶ ହୋଇବ

ଶେଷ ବଦନକୁ ପୁଣି ରହିବ

ବିଧାତା ଆୟୁଷ ପାଇଲେ ତୋ ଶୋଭା ଲେଶ ଶେଷ ବା କହିବାରେ

। ସୁନ୍ଦରୀ ।୪ ।

 

ସୁରନଗରୀନାଗରୀ ଶିରଭୂଷା ଯୋଷାରତନ ରସାଳସି ।

କେତେବାର ଗଙ୍ଗାର ଥିଲି ଝାସି ।

ଶିର ଦେଇଣ ଶିଶିରକର ଶିର ମନାଇବା ପୁଣ୍ୟ ଦିଶିରେ ।

ସୁନ୍ଦରୀ, ହେଲି ଜଣାଣ ଦେବା ଯୋଗ୍ୟ ମୁହିଁ

ଏ ପୁଣ୍ୟରୁ କି ଏଡ଼େ ଭାଗ୍ୟ ହୋଇ ।

ପ୍ରଭୁ ସେବକକୁ ବଡ଼ କରେ ଅନୁଗ୍ରହ ଫଳ ଏହି ରେ

।ସୁନ୍ଦରୀ ।୫ ।

 

ରଙ୍ଗରାଜୀବ ଚରଣରେ ଶରଣ ପଶିଲି ଏ ଘେନି ଭରସା ।

ଗଜ ନୋହିଲେ ତୋ ଗତି ସଦୃଶା ।

ଶରଣେ ବାରଣ କଲୁ ଅଙ୍ଗୀକାର ବାରଣ ଗତି ପ୍ରଶଂସାରେ ।

ସୁନ୍ଦରୀ, ଆଶା କେବେ ହେଁ ନୋହିବ ଛେଦିତ

ଶ୍ରବଣରେ ହୋଇଲିଣି ମୋହିତ ।

ରସଉଦୟା ସୂହୃଦୟା ଦୟାଳୁ ନାମ ଜଗତେ ବିଦିତ ରେ

। ସୁନ୍ଦରୀ ।୬ ।

 

ମନମୀନ ହୃଦ ସରୋବରେ ଥିଲା କଟାକ୍ଷ ବନଶୀ ପକାଇ ।

ତାର ବଦନେ ପ୍ରେମସୁଧା ଦେଇ ।

ଆକର୍ଷି ନେଇ ଉରଜ କଳସୀରେ ମଦାଳୀସ ଅଛୁ ଥୋଇ ରେ ।

ସୁନ୍ଦରୀ, ତୋର ମନ ମନୋରମ ମନ୍ଦିରେ ।

ମୋର ନୟନେ ରହିଲେ ବନ୍ଦୀରେ ।

ବନ୍ଦୀ ହୋଇଲେ ତ ଏ ଦୁହିଁଙ୍କ ସୁଖ କଥନ ନୋହେ ବନ୍ଦିରେ

।ସୁନ୍ଦରୀ ।୭ ।

 

ବିରହ ଅନଳ ପ୍ରଜ୍ଜ୍ୱଳିତ ଅତି ମୋତେ କରିବ ବୋଲି ଦାହ ।

କିମ୍ପା ନ ଦେହେ ଘେନେ ମୁଁ ସନ୍ଦେହ ।

ତୋ ପ୍ରେମନୀର ହୃଦୟରେ ପଡ଼ିଣ ଯେଣୁ ଜରଜର ଦେହରେ ।

ସୁନ୍ଦରୀ, ଜୀବ ନେବ କାମ ଅଛି କଟାଳି

ଯତ୍ନ କରି ରଖିଅଛି ଏହା ଭଳି ।

ଢଳିଗଲେ ଘଟ ଢାଳିଯିବ ସିନା ପରିପୂର୍ଣ୍ଣ ସ୍ନେହବାରି ରେ

। ସୁନ୍ଦରୀ ।୮ ।

 

ଅବଧାନେ ଅଛି ଦେବରେ ଦେବତା ଭୋଗ ସେ ଦାନ୍ତରେ ବିହୀନ ।

କରେ ନିମିଷ ହତ ଦରଶନ ।

କୁଚ-କାଞ୍ଚନ ଶିଖରୀରେ ବିହାର ଅଧରେ ଅମୃତ ପାନ ରେ ।

ସୁନ୍ଦରୀ, ହୋଇବାରୁ ଊରୁରମ୍ଭାରେ ସ୍ନେହୀ ।

ମୋକ୍ଷପଦ ନୀବୀରେ ଅଛି ରହି ।

ଆଉ ଦୁର୍ଲଭ ହୋଇ ତୋତେ କେ ଅଛି କେବଳ ଦୁର୍ଲଭ ତୁହିରେ

। ସୁନ୍ଦରୀ ।୯ ।

 

ଗୁଣ ସରିତ ସଂଗ୍ରହକୁ ସାଗର ବିଗ୍ରହ ନିଶ୍ଚୟ ତୋହର

ସତେ ରସ ରତନର ଆକାର ।

ତହିଁ ମହତୀ ଯୋଗ ଏବେ ପଡ଼ିଛି ମଜ୍ଜନେ କୃତାର୍ଥ କରରେ ।

ସୁନ୍ଦରୀ, ଏକେ କାମଧେନୁ ପରି ରମ୍ଭୋରୁ ।

ଦୁଜେ ତୁ ଯେ ସୁରତ ସୁରତରୁ ।

କାହାକୁ କହିବି ଦୁର୍ଦ୍ଦଶା ମୋହର ନ ତୁଟିଲେ ଏ ଉତ୍ତାରୁ ରେ

। ସୁନ୍ଦରୀ ।୧୦ ।

 

ଘନେ କୁଳିଶ ଚନ୍ଦନେ ଅହି ଥିଲେ ଭୟରୁ ଚାତକ ପବନ ।

ତହିଁ ସେନେହ ଛାଡ଼ନ୍ତି କି ଘେନ ।

କର୍ମକୁ ଚାହିଁ ନିର୍ଦ୍ଦୟ ହେଲେ ମୋତେ ଛାଡ଼ି ନ ପାରିବି ଧନରେ ।

ସୁନ୍ଦରୀ, କାମ କରୁ ପଛେ କଲେ ଅଶୁଭ

ରାହୁ ପ୍ରାୟ ମୋର ଆଶା ଆରମ୍ଭ ।

ହର ଆଦି ଦେବେ ବିରୋଧୀ ହୋଇଲେ ଛାଡ଼ଇ କି ସୁଧା ଲୋଭରେ

। ସୁନ୍ଦରୀ ।୧୧ ।

 

ହୃଦକେଦାରରେ ଅନୁରାଗ ବୀଜ ଅତି ଯତ୍ନ କରି ବୁଣୁଛି ।

ଭଲ କାଳ ହେଲା ଯହୁଁ ଜାଣିଛି ।

କ୍ରମେ ସେ ଅଙ୍କୁର ଘନରସ ବୃଷ୍ଟି ବିହୀନେ ଦୁଃଖ ହୋଇଛି ରେ ।

ସୁନ୍ଦରୀ ନ କରିବ କି ବରଷା ।

ପଛେ ତୁ ଯେ ମହା ଜ୍ୟୋତିଷ ଯୋଷା ।

ନାସିକା ମୋତି ବୃହସ୍ପତି ଚଳନ ଯୋଗକୁ ଟେକିଛି ଆଶାରେ

।ସୁନ୍ଦରୀ ।୧୨ ।

 

ଅଛି ଯେଉଁ ଜୀବ ବୀଣା ଜିଣା ବାଣୀ କିଣା ଅଙ୍ଗ ଦେଶେ ତୋହର ।

କେଡ଼େ ଭରସା ସନ୍ତପ ବ୍ୟାଧର ।

ଶମନପାଶେ ଉଚ୍ଛନ୍ନ ପାଶେ ଧରି ନେବା ପାଇଁ ତତ୍‌ପର ରେ ।

ସୁନ୍ଦରୀ, କଲି ଗୋଚର ମୋର ଦୋଷ ନାହିଁ ।

ହେବ କାହାକୁ ଏ ଯଶ ସହି ।

ତୋତେ ଏମନ୍ତ ବୋଲିବା ଅଧିକାର ମୁଁ ପାଇଲି କାହିଁରେ

।ସୁନ୍ଦରୀ ।୧୩ ।

 

ନବବନିତା ଅପୂର୍ବ ପୁଷ୍ପଲତା ପ୍ରକାଶ ଷୋଳଜାତି ଫୁଲ ।

ତିଳପୁଷ୍ପ କୁନ୍ଦ ଚାରି କମଳ ।

କୁମୁଦ ବଧୁଲି ପାଟଳୀ ନିଆଳୀ ଚମ୍ପା ଶିରୀଷ ଉତ୍ପଳୀ ରେ ।

ସୁନ୍ଦରୀ, ଷଣକୁସୁମ ଅଶୋକ ମନ୍ଦାର

ଭୋଖି ଭୃଙ୍ଗ ମୁଁ ଚୁମ୍ବନେ ଆତୁର ।

କେତକୀ ବରନା ନାମ ଅଙ୍ଗୀକାର କଲେ ସରିଲାଟି ମୋର

।ସୁନ୍ଦରୀ ।୧୪ ।

 

ଅନଙ୍ଗ ବଧିବା ଇଚ୍ଛା କରି ତୋରେ ବିନ୍ଧି ନ ପାରୁଥିବ ବାଣ ।

ଶୋଭା ଅନାଇଁ କ୍ଷୀଣ ହେବ ଗୁଣ ।

ମୁଁ କି ଉପାୟେ ତୋ ଦରଶନ ଯାଏ ଜୀଇଁବି କହିବି ପୁଣରେ ।

ସୁନ୍ଦରୀ, ବଞ୍ଚିଥିଲେ ଅଛି ଏତେ କାରଣ ।

ଲାକ୍ଷା ଲେଖିବି ଧରି ତୋ ଚରଣ ।

ଚିତ୍ର ଚାହିଁ ତୁ ଯେ ପ୍ରଶଂସା କରିବୁ ସେ ବାଣୀ ହେବ ଶ୍ରବଣରେ,

। ସୁନ୍ଦରୀ ।୧୫ ।

 

ଗଭାକୁ ଶୋଭା ହେବା ଭଳି କୁସୁମ ଗୁନ୍ଥି ଦେଉଥିବି ସୁଗାତ୍ରୀ ।

ଶିବରାତ୍ରି କରିବି ସବୁ ରାତ୍ରି ।

ଆଗ କି ମାଗିବି ସେବା ଜାଣି କୃପା କରୁ ସିନା କୃପାପାତ୍ରୀରେ ।

ସୁନ୍ଦରୀ, ଇଚ୍ଛା ମନ ଭିତରେ ଦେହ ରହୁ ।

ଏ ନୋହିଲେ ବିଧାତା ପକ୍ଷ ହେଉ ।

ଯାଇ ତୋ ପାଶେ ମୋ ସେବା ଦେଖାଇବ ଯୋଗ ବେଗ ହୋଇ ହେଉ ରେ

।ସୁନ୍ଦରୀ ।୧୬ ।

 

କ୍ଷିତି ଥିଲେ ନରପତି ଶୋଭା ପାଇ ରାତି ଥିଲେ ଚନ୍ଦ୍ର ଉଜ୍ଜ୍ୱଳ ।

ପଦ୍ମ ଥିଲେ ସରୋବର ମଞ୍ଜୁଳ ।

ଘେନି ସେହି ମତି ଯୁବତୀ କତିରେ ଥିବା ଯୁବାର ମଙ୍ଗଳରେ ।

ସୁନ୍ଦରୀ, ଲଭି ନାହିଁ ଯେ ବଲ୍ଲଭୀ ସୁରସ

ମହା ସମ୍ପତ୍ତି ଥାଇ ହେବ କିସ ।

ନୟନ ନ ଥାଇ ଦେବ ଦରଶନେ ଗଲା ପ୍ରାୟ ଉପହାସରେ

। ସୁନ୍ଦରୀ ।୧୭ ।

 

ଘେନିରେ ଯୁବତୀ ପରଶ ପରଶୁ ପୁରୁଷ ଳୋହ କରେ ହେମ ।

ଭଙ୍ଗୀବଚନ ହିମଧାମ ସମ ।

ହୃଦୟସ୍ଥଳ ଚନ୍ଦ୍ରକାନ୍ତ ମଣିର ଦ୍ରବୀଭୂତକୁ ସେ କ୍ଷମରେ ।

ସୁନ୍ଦରୀ, ଏହା ଶୁଣିଛି ରସିକ ବଦନ

ଅନୁଭବ ନାହିଁ ମୋର ଏମାନ ।

କି କରି ଜାଣିବି କରୀଜିତଗତି କରିବୁ ଏ ଅବଧାନ ରେ

। ସୁନ୍ଦରୀ ।୧୮ ।

 

ଶିରଫୁଲ ଗଭା କେତେ କାଳ ଶୋଭା କି ଶୀତଳକାରୀ ଚନ୍ଦନ ।

ଏ ବଚନ ତୋହଠାରେ ବନ୍ଦନ ।

କି ବୋଲି ବୋଲିବି ମଶାରୀମଶକ ପରାୟ ଭ୍ରମୁଛି ମନରେ ।

ସୁନ୍ଦରୀ, ବନ୍ଧୁଧନ ତୋତେରେ ପ୍ରେମଶୀଳା

ବୋଲିବି କି ନାହିଁ ଚିତ୍ତ ରସିଲା ।

ଗଲେ ପ୍ରାଣ ରହି ବନ୍ଧୁଧନ ଦୁଇ ଥିଲେ ଅଛି ଏ ଶୁରିଲାରେ

। ସୁନ୍ଦରୀ ।୧୯ ।

 

ଅତି ଦରିଦ୍ର ମୁଁ ବହିତ୍ର ବଣିଜ କରିଛି ଉପାୟ ବଳରେ ।

ଭଲ ମନ୍ଦ ଅଛି କି କପାଳରେ ।

ଦଇବ ସେ ତୁହି ସେ ତୋତେ ଗୋଚର ଦୟାରେ ଲଗା କୂଳରେ ରେ ।

ସୁନ୍ଦରୀ, ମୋର ତସ୍କର ଘେନି ଦର

ପ୍ରାଣଧନ ଲୁଟିବାକୁ ଜିଗିଛି ।

ଅଷ୍ଟସାତ୍ତ୍ୱିକ ଅଣଚାଶ ପବନ ଛିନ୍ନ ଭ୍ରମେ ପକାଉଛି ରେ

।ସୁନ୍ଦରୀ ।୨୦ ।

 

ନେତ୍ରେ କର୍ଣ୍ଣକୁ ଆକ୍ଷେପ କରି ଦଳି ତ୍ରିବିଧେ କରିଛୁ ବନ୍ଧନ ।

ହାସେ ହରି ଚନ୍ଦ୍ର ଦର୍ପ ଦଳନ ।

ଜୀମୂତ ବାହନ ପଦ ଦରଶନ ଜନେ କରୁଅଛୁ ଦାନରେ ।

ସୁନ୍ଦରୀ, ବଚନରେ ଅନୁସରି ଥିବି ଯେ ।

ଦାନୀମାନଙ୍କୁ ଜିଣିଛୁ ଭାବିଯେ ।

ତନୁଦାନକୁ ମୁଁ ଅର୍ଥୀ ହୋଇଅଛି ବୋଲିବୁ ନିକି ନ ଦେବୁ ରେ

। ସୁନ୍ଦରୀ ।୨୧ ।

 

ଦେବୀ ଭେଟାଇଲା ନିଶାର୍ଦ୍ଧ ପଲ୍ୟଙ୍କେ କରିଥିଲୁ ବାଳା ଶୟନ ।

ହା ହା କି ଶୋଭା ଦେଖିଲା ନୟନ ।

ସେହି ତ୍ରୁଟିକେ କୋଟି କୋଟି ମଘବା ସନ୍ତତି କରିଛୁ ଦାନ ରେ ।

ସୁନ୍ଦରୀ, ଯେବେ ଚିର ହୁଅନ୍ତା ସେ ମୁହୂର୍ତ୍ତ ।

ଯୁବାବୃନ୍ଦେ ହୋଇଥାନ୍ତି ସାମନ୍ତ ।

ଭୀରୁ ଊରୁ ଛୁଇଁ ଝୁଲାଇ ଦେବାରେ ନୋହେ ଇତର ସୁକୃତରେ

।ସୁନ୍ଦରୀ ।୨୨ ।

 

ନିଦ୍ରା ବିନାଶ ଅବଶଭର ଘେନି କଷାଇତ ନେତ୍ର ଚାତୁରୀ ।

ମୋତେ ବକ୍ରେ ଅନାଇଲୁଁ କି କରି ।

ଅନୁରାଗ ଜଳେ ବୁଡ଼ାଇ କମଳ ବେଗେ ଢାଳିଦେଲା ପରି ରେ ।

ସୁନ୍ଦରୀ, ଲାଜ ବଶରୁ ରସିକା ସିହାଣୀ ।

ଚାହିଁ ନ ଚାହିଁଲା କଲୁ ଚାହାଁଣୀ ।

ଉଡ଼ି ପୂର୍ଣ୍ଣ ଚନ୍ଦ୍ର ମଣ୍ଡଳୁ ମନ୍ଦିରେ ବସିଲା ପରାୟ ପୁଣିରେ

।ସୁନ୍ଦରୀ ।୨୩ ।

 

ବିନୟରେ ମୋ ଲୟ ଦେଇ ଉଦୟ କଲୁଁ କରୁଣା କିଞ୍ଚିତ ।

ପ୍ରାଣ ରଖିଲା ସେ ସୁଧା ସଞ୍ଚିତ ।

ମାଣିକ୍ୟ କୁହରେ ହୀରା ଝଟକିଲା ପରା ସ୍ମିତିହାସ ଜାତରେ ।

ସୁନ୍ଦରୀ, ମୋର ଜନ୍ମାନ୍ତେ ଖଣ୍ଡତପ ଥିଲା ।

ସେହି ସମୟେ ନିଶି ନାଶ ହେଲା ।

ବଢ଼ିବାରୁ ମହା ସନ୍ତାପ ନୟନେ ମନେ ଆନ ନ ରୁଚିଲାରେ

। ସୁନ୍ଦରୀ ।୨୪ ।

 

ଚତୁରୀ ଚାଟୂକୁ ଚାତୁରୀ କରି ଯେ ଯେତେ ବାଣି କହି ଯୁକତେ ।

ସେକି ସମ ହେବ କାହିଁ ଜଗତେ ।

କରଯୋଡ଼ି ମୁଁ ଜଣାଉଛି ସନ୍ଦେଶ ଦୋଷ ନ ଧରିବୁ ଚିତ୍ତେ ରେ ।

ସୁନ୍ଦରୀ, ସବୁ ସଖୀଙ୍କ ସଙ୍ଖୋଳା ମୋହର

ତୁମ୍ଭ ସଙ୍ଗତ ମୋତେ ଜଣେ କର ।

ମନ ମନାଇଁ ଅବକାଶ ଅନାଇଁ ଘନାଇଁ କହି ଛାମୁରେ ରେ

।ସୁନ୍ଦରୀ ।୨୫ ।

 

ବେଗେ ଦୂତକୁ ମେଲାଣି ଦେଇ ଦେବ ଶ୍ରୀହସ୍ତ ସନ୍ତକ ଲେଖକୁ ।

ପାଇ ପାଇ ମୁଁ ଅଲେଖ ସୁଖକୁ ।

କୃଶ ହେଲେ ଆଶାଦଣ୍ଡ ଆଲମ୍ବନ କରି ଘଉଡ଼ି ଦୁଃଖକୁ ରେ ।

ସୁନ୍ଦରୀ, ଯିବି ଜୀବିତେ ପ୍ରଭୁର ଛାମୁକୁ ।

ବ୍ୟଥା କହି ଦଣ୍ଡାଇବି କାମକୁ ।

ଏମିତି କାମନା ଏ ବିନା ନବୀନା ମିଳୁଛି ଯାହା କର୍ମକୁରେ

। ସୁନ୍ଦରୀ ।୨୬ ।

 

ବଳିଆର ଯେ ତ୍ରିବଳୀ ଶୋଭିନୀକି କହିବାକୁ ଅଛି ଆହୁରି ।

ପ୍ରୀତି ବିରୋଧୀ ଯେତେ ସହଚରୀ ।

ଦଇବେ ହୋଇଲେ ପ୍ରବୋଧ କରିବୁ ତାହାଙ୍କର କର ଧରିରେ ।

ସୁନ୍ଦରୀ, ପର ଉପକାର ଯଶ ଥୋଇଲେ

ଦେବ ମହାଦେବ ବିଷ ଖାଇଲେ ।

ଦେଖ ଭୃତ୍ୟପଦ ହୃଦେ ଧରି ହରି ଭାବଗ୍ରାହୀ ବୋଲାଇଲେ ରେ

।ସୁନ୍ଦରୀ । ୨୭ ।

 

ପଢ଼ି ଏ ପତ୍ର ରୋମାଞ୍ଚିତ ଗାତ୍ର କି ହେଲା ଅନୁରାଗ ଅଙ୍କୁର ।

କିବା ମାଗିବା ଯୁବା ସଙ୍ଗ ବର ।

ଆନନ୍ଦ ଅଶ୍ରୁଜଳର ଅଭିଷେକ କରାଇଲା କୁଚହର ସେ ।

ସୁନ୍ଦରୀ, ଦେଖି ଦ୍ୱିଜକୁ ସେ ମୋତି କଳାପ

ମନେ ଏ କଥା କରି ସଙ୍କଳପ ।

ଏହାରଠାରେ ଏ ହାର ଥିଲେ ଦେଖି ଜାଣନ୍ତି ସିନା ସେ ସନ୍ତାପ ସେ

। ସୁନ୍ଦରୀ ।୨୮ ।

 

ପ୍ରତିଉତ୍ତର ପତ୍ର ଦେଇ ତାଙ୍କୁ କାତର ସାଗରୁ ଉଦ୍ଧର ।

କହେ ଏକାଳେ ବ୍ରହ୍ମଚାରୀ କୀର ।

ଅନୁନୟ ଲେଖ ଛାନ୍ଦ ପୂର୍ଣ୍ଣ ହେଲା ରସିକ ଉଲ୍ଲାସକର ହେ ।

ସୁଜନେ, ରାମ ଲକ୍ଷ୍ମଣ ଅମ୍ବୁଜ ବଦନ ।

ବୃଷାସନଙ୍କର ଯେହୁ ବନ୍ଦନ ।

ବୃଷାସନଙ୍କର ଯେହୁ ବନ୍ଦନ ।

କହେ ଉପେନ୍ଦ୍ରଭଞ୍ଜ ବୀରବର ତାଙ୍କ ପାଦେ ଦେଇ ମନ ହେ

। ସୁଜନେ ।୨୯ ।

 

ବିଂଶ ଛାନ୍ଦ

ଲାବଣ୍ୟବତୀର ପତ୍ର ଘେନି ଶୁକ ବ୍ରହ୍ମଚାରୀ

ଚନ୍ଦ୍ରଭାନୁ ନିକଟରୁ ଗମନ

(ରାଗ-ଚିନ୍ତାଭୈରବ)

 

ଆଣି କାଗଜକୁ ନବବାଳୀ

ଅନୁରାଗ ନ ଲେଖିଲା କାଳୀ

କୁଙ୍କୁମେ ଲିଖିତ ବର୍ଣ୍ଣ ନିଜ ବର୍ଣ୍ଣ ।

ଭାଳି ଆଳୀଙ୍କ ନାମରେ ଛଳି ସେ ।

। ସୁନ୍ଦରୀ ।୧ ।

 

 

ବିଭୋ ବୀରବର ଭୂପସୁତ

ଗଣେଶ୍ୱର ସମାନେ ପଣ୍ଡିତ

ଗୁଣରେ ନାହିଁତ ଅବନୀମଣ୍ଡଳେ

ଏଣୁକରି ଗୁରୁ ପ୍ରଂଶସିତ ହେ ।

।ସୁନ୍ଦର ।୨ ।

 

 

ମହା ମହା ମନୋହର ଧାମ

ଆମ୍ଭେ ବୋଲୁଅଛୁ ଅନୁପମ

ହେମ ତୁଲେ ଗୁଞ୍ଜ ତୁଳନା ପରାୟେ

ଯାହା ଇଚ୍ଛା ବୋଲନ୍ତୁ କାମ ହେ ।

। ସୁନ୍ଦର ।୩ ।

 

 

ଦାତା ପଣ କର୍ଣ୍ଣେ ଅଛୁ ଶୁଣି

ତହିଁକି ଲକ୍ଷ୍ୟ ଦେବାକୁ ପୁଣି

ଯାଚକ ମାନସ ଏ ରୂପେ ସନ୍ତୋଷ,

ଏକା ଏହାର ହେଉ ଧରଣୀ ହେ ।

। ସୁନ୍ଦର ।୪ ।

 

 

ପୁଣି ବଧ କରିବାରେ ଅରି

କର ଯଶକୁ ଅଛ ବିସ୍ତାରି

ଦୟାଳୁ ଗୁଣ ତ ନୁହଇ ଜାଣିବା

ତୁମ୍ଭେ କେଡ଼େ ପର ଉପକାରୀ ହେ ।

। ସୁନ୍ଦର ।୫ ।

 

 

ଯାହା ରତନ କୋଷ ସଞ୍ଚିତ

ସଦା ଅତୁଟ ସମୁଦ୍ରବତ

ଏହି କଥାମାନ ବିଚତ୍ର ମଣିଲୁ

ସେହି ଚୋରାଇ ନେଇ କି ଚିତ୍ତ ହେ ।

। ସୁନ୍ଦର ।୬ ।

 

 

ସ୍ୱପ୍ନେ ଦେଖାଦେଲେ ଯେଉଁ ନିଶା

ହୋଇଥିଲା ସେଦିନ ସୁଦଶା

ଜଳକଳସ ଚନ୍ଦ୍ର ବିମ୍ବ ଧରିବା-

ପରି ଯେହୁ କରୁଥିଲା ଆଶା ହେ ।

। ସୁନ୍ଦର ।୭ ।

 

 

ଏବେଦଇବେ ଦେଲା ସେ ସତ

କେହି ନୋହିବ ପୁଣି ଲୋଭିତ

ଜୀବନ ଯିବ ପାଖରେ ନ ପାଇଲେ

ଏହି ବାଣୀ ହୋଇବ ବିଦିତ ହେ ।

। ସୁନ୍ଦର ।୮ ।

 

 

ଯାର ପହଣ୍ଡକ ଶତେ କୋଶ

ତାର ମେରୁ ଲଂଘିବାକୁ ଆଶ

ଜଳେ ସାଗରସୁତ ପ୍ରାୟ ସଜୀବେ

ତାପାନଳେ ନୋହେ କ୍ଲେଶ ନାଶ ହେ ।

। ସୁନ୍ଦର ।୯ ।

 

 

ହରିହର ସୁପ୍ରସନ୍ନ ଥିବ

ମାର ପୁରନ୍ଦର କରୀ ହେବ

ଭାଗ୍ୟ ଭଗୀରଥ ହୋଇ ଯେବେ ତବ

ସ୍ନେହ ଗଙ୍ଗାଜଳ ମଜ୍ଜାଇବ ହେ ।

। ସୁନ୍ଦର ।୧୦ ।

 

 

ଭାବେ ମହୀ ଅନାଇ ଯାହାକୁ

ଏକାବର ବରିବି ଏହାକୁ

ତାକୁ ସେ ଏକାନ୍ତେ ରସିବ ବୋଇଲେ

ବାଳା ନ ଛାଡ଼ିବେ ଉତ୍ସାହକୁ ହେ ।

। ସୁନ୍ଦର ।୧୧ ।

 

 

ଛଳେ ସେ ଦୟା ସଲିଳରାଶି

ନ କରିବ ମୋତେ ନିକି ଦାସୀ

ଘେନାଇ କହିବା କଥା ଏ ନୁହଇ

ଘେନ ତୁମ୍ଭଙ୍କୁ କେମନ୍ତେ ଦିଶି ହେ ।

। ସୁନ୍ଦର ।୧୨ ।

 

 

ଦୂତ ସଙ୍ଗେ ଅଇଲେ ଦେଖିବ

କଥା ଯଥାର୍ଥ କେବା ଲେଖିବ

କୃଶକଟୀ ଆଗେ ପାଛୋଟି ଯିବାର

ବିଧି ସ୍ତିରୀ କରିଛି ଦଇବ ହେ ।

। ସୁନ୍ଦର ।୧୩ ।

 

 

ଫୁଲ ଭୃଙ୍ଗର ଭୃଙ୍ଗ ଫୁଲର

ଫୁଲ କରଇ କି ଅଭିସାର

ପ୍ରତି ପ୍ରତିନିଧି ମନକୁ ପେଷିଛି

ତାହା ସଙ୍ଗେ ଏବେ ବିଜେକର ହେ ।

। ସୁନ୍ଦର ।୧୪ ।

 

 

ଯେବେ ନାହିଁ ଏତେ ଅନୁଗ୍ରହ

ଜେମା ନେତ୍ରେ କିମ୍ପା କଲ ଗୃହ

ତୁମ୍ଭ ପୁର ତ ଅଳକାରୁ ଅଧିକ

ତହୁଁ ରମ୍ୟ ହେଲା କିଏ କହ ହେ ।

। ସୁନ୍ଦର ।୧୫ ।

 

 

ହୃଦବନେ ଥିଲା ମନମୃଗ

ତହିଁ ବିରହ ଅନଳ ବେଗ

ପଳାଇ ତୁମ୍ଭୁ ଶୋଭାବନେ ପଶିଲା

ତହିଁ ନାହିଁ ପରା ଏ ଉଦବେଗ ହେ ।

। ସୁନ୍ଦର ।୧୬ ।

 

 

ପ୍ରଭୋ ବିଚାର କରିବ ମନ

ସ୍ମର ଶରହିଁ ଏହି ବିଧାନ

ପ୍ରକଟି କୁଜ୍‌ଝଟି ତପନକୁ କୋଟି

ନାଶ କରିଦେଇ ପଦ୍ମବନ ହେ ।

। ସୁନ୍ଦର ।୧୭ ।

 

 

ପରମ୍ପରା ସେ ଜନକୁ ମାରେ

ଈଶ୍ୱରଙ୍କୁ ମାତ୍ର ଜ୍ୱାଳା କରେ

ତୁମ୍ଭେ ବଳବନ୍ତ ଅବଳା କୋମଳା

ଆମ୍ଭ ପ୍ରାଣସଜନୀ ବେଭାରେ ହେ ।

। ସୁନ୍ଦର ।୧୮ ।

 

 

ରାମା ତୁମ୍ଭ ସ୍ନେହୀ ହେଲାଠାରେ

ବିରହ ଯେ ଅଙ୍ଗ ଭୋଗକରେ

ଏ ଊଣା କାହାକୁ ହେବ ମନେ ମନେ

ବସି ଭାବନା କରିବ ଥର ହେ ।

। ସୁନ୍ଦର । ୧୯ ।

 

 

ରାମା ତୁମ୍ଭ ସ୍ନେହୀ ହେଲାଠାରେ

ବିରହ ଯେ ଅଙ୍ଗ ଭୋଗକରେ

ଏ ଊଣା କାହାକୁ ହେବ ମନେ ମନେ

ବସି ଭାବନା କରିବ ଥରେ ହେ ।

। ସୁନ୍ଦର ।୨୦ ।

 

 

ଜାତି ପଦ୍ମିନୀ ହାସକୁ ଚାହିଁ

ନିତି ମହାତ୍ରାସ କରୁଥାଇ

ଚନ୍ଦ୍ର ସେ ହିଂସାରେ ସାନ୍ଦ୍ର ହୋଇ ଏବେ

ଚନ୍ଦ୍ର ତନୁକୁ ଦେଉଛି ଦହି ହେ ।

। ସୁନ୍ଦର ।୨୧ ।

 

 

ଜାଣ ପରା ଇନ୍ଦ୍ରଜାଲ ମାୟା

ସବୁ ଦିଗେ ଦେଖାଇଛ କାୟା

ମାୟା କରି ମାହିବାକୁ ତୁମ୍ଭଠାରେ

ବାଳା ହୋଇ ନାହିଁ କି ବିନୟା ହେ ।

। ସୁନ୍ଦର ।୨୨ ।

 

 

କେତେ କୁସୁମ ଜଗତେ ନାହିଁ

ରବିକର ନ ପାରି ସହି

ତିଳେ ଶେଫାଳିକା ଏ ନବମାଳିକା

ତଥା ବେଦନା ସହି ନୁହଇ ହେ ।

। ସୁନ୍ଦର ।୨୩ ।

 

 

ନୃପସୁତ ତାରା ମଧ୍ୟେ ଶୋହି

ପର ତସ୍କରକୁ ଭୟ ଦେଇ

ଆମ୍ଭ ସଜନୀ ରଜନୀଠାରୁ କାମ

ତମ ନ ଖଣ୍ଡିଲ କାହିଁ ପାଇଁ ହେ ।

। ସୁନ୍ଦର । ୨୪ ।

 

 

ଭାନୁ ଭଜିଲେ ମହିରମଣି

ଯଥା ଅଗ୍ନି ଜାତକରେ ପୁଣି

ତୁମ୍ଭ ପୀରତି ବଶରେ ମହାବ୍ୟଥା

ତଥା ପାଉଛି ରମଣୀ ମଣି ହେ ।

। ସୁନ୍ଦର ।୨୫ ।

 

 

ଆମ୍ଭ ସଖୀ ଅତି ସ୍ନେହାଧୀନ

ଛାଡ଼ିବି କି ହେଲେ ହୀନୀମାନ

ଅନଳେ ଦହିଲେ ସୁବାସକୁ ନିକି

କେବେ ଛାଡ଼ଇ ଚନ୍ଦ୍ର ଚନ୍ଦନ ହେ ।

। ସୁନ୍ଦର ।୨୬ ।

 

 

 

ମନେ କରିଅଛି ପଙ୍କଜାକ୍ଷୀ

ମଲା ପ୍ରୀତିରେ କପୋତପକ୍ଷୀ

ଧନ୍ୟ ଶବଦ ତ ସେ ରୂପ ରହିବ

ଆଗ ସ୍ନେହୀରେ ତାହାକୁ ଲେଖିହେ ।

। ସୁନ୍ଦର । ୨୭ ।

 

 

ମହାଶଙ୍କା ହୋଏ ଏହା ଭାବି

ବୀରଯଶେ ବର୍ଣ୍ଣିଛନ୍ତି କବି

ଅତି କଠିନ ଉରସ୍ଥଳ ବାଜିଲେ

ସବୁ ରୂପେ ହତ ହୁଏ ପବି ହେ ।

। ସୁନ୍ଦର । ୨୮ ।

 

 

ନାରୀବୋଧ ଏହା ଶୁଣିକରି

ହୋଇଥିବ ନାରିକେଳ ପରି

ଦୟାଶୀଳ ନାମ ନାହିଲେ କାହିଁକି

ହୃଦେ ଅଛି ଘନରସ ପୂରି ହେ ।

।ସୁନ୍ଦର ।୨୯ ।

 

 

ଚନ୍ଦ୍ରମାର ଅଶ୍ୱିନୀକୁମାର

ଏମାନେ ଯେ ପରମ ସୁନ୍ଦର

ଏ ମୂର୍ତ୍ତି ହୋଇ କ୍ଷିତିରେ ଉତପତ୍ତି

ବୋଲି ପ୍ରଂଶସା ଖ୍ୟାତ ତୁମ୍ଭର ହେ

। ସୁନ୍ଦର ।୩୦ ।

 

 

ଶୋଭା ଚାହିଁ ଶିଳା ଦ୍ରବୀଭୁତ

କର ଉଚ୍ଛନ୍ନ ଯୁବାର ଚିତ୍ତ

ନୃପ ନନ୍ଦିନୀର ବ୍ୟାଧି ନାଶ କଲେ

ଆମ୍ଭେ ଜାଣିବୁ ଏ କଥା ସତ ହେ

। ସୁନ୍ଦର । ୩୧ ।

 

 

ଯେଣୁ ଗୁଣ ବିଶ୍ରାମ ମଣ୍ଡପ

କାହିର୍ ସ୍ତୁତି ତାଙ୍କ ଅନୁରୂପ

ଆମ୍ଭ ସଖୀ ଯେ ତୁମ୍ଭର ବୋଲାଇବ

କେଉଁ ସ୍ଥାନ କରିଥିଲା ତପ ହେ ।

। ସୁନ୍ଦର ।୩୨ ।

 

 

ଆଉ ଅଧିକ ଜଣାଏ କିସ

କ୍ଷମା କରିବା ଜଣାଣ ଦୋଷ

କମ୍ପ ମୋହ ସ୍ତମ୍ଭ ପ୍ରତିବନ୍ଧ ଘେନି

ଲେଖି ନା ପାରିଲା ରାମାଈଶ ହେ ।

।ସୁନ୍ଦର ।୩୩ ।

 

 

ଶିବରାତ୍ରି ରାମରେ ଉତ୍ସବ

ରାମେଶ୍ୱର ଦେବଠାରେ ହେବ

ଯେବେ କରୁଣାଅରୁଣାଧରୀଠାରେ ଥିବ

ସେଠାକୁ ବିଜେ କରିବ ହେ ।

। ସୁନ୍ଦର । ୩୪ ।

 

 

ପଡ଼େ ପତଙ୍ଗ ସେନେହ ଧାରି

ଯଥା ଅନଳ ତାହାକୁ ଜାରି

ବିଜେ ନ କଲେ ଏ ପୀରତି କୀରତି

ଖ୍ୟାତ ହୋଇବଟି ସେହିପରି ହେ ।

। ସୁନ୍ଦର ।୩୫ ।

 

 

ଲେଖି ଏ ରୂପେ ପତ୍ରିକା ବାଳା

ମନ୍ତ୍ରୀ ନନ୍ଦନା ହସ୍ତକୁ ଦେଲା

ପାଠକରି ଘେନି ରସଗର୍ଭେ ଭାଷା

ଅତି ତୃପତି ହୋଇ ମୁଦିଲା ସେ ।

। ସୁନ୍ଦରୀ ।୩୬ ।

 

 

କରି ବନ୍ଧନ ରୁଚିର ଚୀରେ

ଜତୁ ଦେଲା ଯତନେ ଉପରେ

ଦୁର୍ଗାମାଧବ ସୁମରି ବ୍ରହ୍ମଚାରୀ

କରେ ଦେଲା ଅତି ହରଷରେ ସେ ।

। ସୁନ୍ଦରୀ ।୩୭ ।

 

 

ନେଇ କୀର ଦ୍ୱିଜବର ଆଗେ

ସଖୀମାନେ କହିଲେ ସରାଗେ

ବେଗେ ଆଗମନ ନ କଲେ କୁମାର

ରାମା ନେଲାଟି ଶମନ ଭୋଗ ହେ ।

। ସୁନ୍ଦର ।୩୮ ।

 

 

ଯତ୍ନେ ଘେନିଣ ଅମୂଲ୍ୟ ମୁଦ

ଦୁଇ ଦ୍ୱିଜ ହୋଇଲେ ପ୍ରମୋଦ

ମେଲାଣି ହୋଇ ସାଧବକୁ କହିଣ

କରି ହରିଙ୍କ ମଙ୍ଗଳ ପ୍ରଦ ହେ ।

। ସୁଜନେ ।୩୯ ।

 

 

ଘେନି କାଞ୍ଚି ଶୋଭିନୀ ଉଦନ୍ତ

କାଞ୍ଚିପୁରେ ଗମନ ତୁରିତ

ଉପଇନ୍ଦ୍ର ଭଞ୍ଜ ବୀରବର ଚିତ୍ତ-ଭୃଙ୍ଗ

ରାମ ପାଦପଦ୍ମେ ରତ ହେ ।

। ସୁଜନେ ।୪୦ ।

 

ଏକବିଂଶ ଛାନ୍ଦ

ଚନ୍ଦଭାନୁର ବିରହ ଓ ବର୍ଷା ବର୍ଣ୍ଣନ,

ଚିଟାଉ ପାଠ ପରେ ରାମେଶ୍ୱର ଯାତ୍ରା ବିଚାର

(ରାଗ-ଭୈରବ)

 

ଏଥୁଅନ୍ତେ ଦେଖେ ବୀର ହୋଇଲା ବରଷା ।

ବିଚାର କରଇ ଥିଲା ଏମନ୍ତ ଭରସା ।୧ ।

 

ରସାଳସା ସଙ୍ଗ ହେଲା ଉତ୍ତାରୁ ହୋଇବ ।

କେଡ଼େ ବେଗେ ଏ ଋତୁକୁ କଲା ଦୁର୍ଦ୍ଦଇବ ।୨ ।

 

ବୃଦ୍ଧି ହେଲା ନଦୀମାନ ଲୋକନ କରିବେ ।

କୋଳ ଅବଳମ୍ବ କରି ପଥିକ ତରିବେ ।୩ ।

 

କୋଳ ଅବଲମ୍ବ ନାହିଁ କାମ ସିନ୍ଧୁ କେହି ।

ତରିବି କୋଳ ସ୍ୱରୁପୀକି ଅଛନ୍ତି ବିହି ।୪ ।

 

ସୁମନା ଚୁମ୍ବନେ ଭୃଙ୍ଗ ହେବ ତୋଷମନ ।

ଥାଉ ସୁମନା ଚୁମ୍ବନ ନାହିଁ ଦରଶନ ।୫ ।

 

ଘନରସ ଯୋଗେ ବଦନାବାନଳ ଲିଭେ ।

ଘନରସ ଯୋଗେ ନାହିଁ କି କରିବି ଏବେ ।୬ ।

 

ହୃଦବନ ଦାବାନଳ କେହି ହେବ ଶାନ୍ତି ।

ମୋର କର୍ମ ଘେନି ହେଲା ଅପୂରୁବ ରାତି ।୭ ।

 

ନ ଲିଭଇ ଅଧିକେ ଏବେ ଜଳଇ ଘେନ

ଶିଖୀ ନାମ ଯେ ଦେଇଛି କେକୀକି ସେ ଧନ୍ୟ ।୮ ।

 

କାମୀ ହୃଦ ଖାଣ୍ଡବ ଦହନେ ଏ ପାଣ୍ଡବ ।

କଲାଣି ଶିଖା ପ୍ରକାଶି ଆରମ୍ଭ ତାଣ୍ଡବ ।୯ ।

 

ଆରେ ଶ୍ୟାମା କି କରିବି ତୁହି ପରିତ୍ରାଣ ।

ବୋଲି ମୋହକୁ ଭଜିଲା କୁମର ସେ କ୍ଷଣ ।୧୦ ।

 

ସଖା ମୁଖେ ଜଳ ସିଞ୍ଚି ଅଞ୍ଚଳେ ବିଞ୍ଚିଲେ ।

ଚେତନ ବଶେ ପଲ୍ଳବେ ଶେଯେ ଶୁଆଇଲେ ।୧୧ ।

 

ଏ ସମୟେ ପରବେଶ ବ୍ରହ୍ମଚାରୀ କୀର ।

ଏ ରୀତି ଦେଖି ଭାଷିଲେ ଧୀର ହେବା ବୀର ।୧୨ ।

 

ଉଠ ହେ ରସିକ ଯିବା ସୁନ୍ଦରୀ ସନ୍ନିଧି ।

ଅଙ୍ଗେ ସାଜିଛି ସେ କାମବ୍ୟାଧି ଅଉଷଧି ।୧୩ ।

 

ବାଳ ଶଇବାଳ ନବପ୍ରବାଳ ଅଧର ।

କୋମଳବାହୁ କମଳ ନାଳ ମନୋହର ।୧୪ ।

 

ପ୍ରେମଜଳେ ପୂର୍ଣ୍ଣ ନାଭି ରସକୂପେ ଲେଖ ।

ହାସ ଘନସାର ଅଉଷଧିଈଶ ମୁଖ ହେ ।୧୫ ।

 

ଆହୁରି ରୋଚକ ଦ୍ରବ୍ୟମାନ ଅଛି ସିଞ୍ଚି ।

ମାରଜ୍ୱର ଛାର କେତେ ଯାଇ ସିନା ଘୁଞ୍ଚି ଯେ ।୧୬ ।

 

ଦଶନ ଡାଳିମ୍ବ ବୀଜ ମାତୃଳଙ୍ଗ ସ୍ତନ ।

ବଚନ ସିତାରେ ଆଗ ହରି ନେବ ମନ ।୧୭ ।

 

ମୃତ ପ୍ରାୟ ହୋଇଥିଲା ମହୀପତି ସୁତ ।

ଏ ବାଣୀ ଶ୍ରବଣେ ହେଲା ସଞ୍ଜିବନୀ ମନ୍ତ୍ର ।୧୮ ।

 

ଉଠି ବସି ଅନାଇଲା ଦୂତଙ୍କ ବଦନ ।

ନୂତନ ଅନ୍ଧେ ପ୍ରାପତ ହେଲା କି ନୟନ ।୧୯ ।

 

ଅତି ଦରିଦ୍ର ରତନ ପାଇଲାର ପରି ।

ଶୁକ ଶିର ଚୁମ୍ବି ଦ୍ୱିଜେ ନମସ୍କାର କରି ।୨୦ ।

 

କୃତକୃତ୍ୟ ଦୂତ ହେଲା ଘେନିଲା ଚିଟାଉ ।

ଶୁଣି କେତେ ରସ ଜାତ ଫିଟାଉ ଫିଟାଉ ।୨୧ ।

 

ମୁଦ ଦେଖି ମୁଦ ଲଭି ଲୋଭୀ ହେଲା ନେତ୍ର ।

ପ୍ରେମ ଅଙ୍କୁର ରୋମାଞ୍ଚ ପୂର୍ଣ୍ଣ ହେଲା ଗାତ୍ର ।୨୨ ।

 

ସଙ୍କେତ ଜାଣିମା ପାଇଁ ମନ ଉଦବେଗ ।

କରକୁ ସ୍ତୁତି କରୁଛି ବେଗ ଭାଙ୍ଗ ଭାଙ୍ଗ ।୨୩ ।

 

ଶ୍ରବଣକୁ ଶ୍ରବଣ ଉଚ୍ଛନ୍ନ ହେଉଅଛି ।

ରସ ଆସ୍ୱାଦନକୁ ରସନା ଏକା ଇଚ୍ଛି ଯେ ।୨୪ ।

 

ଜୀବ କଣ୍ଠେ ଅନୁକୂଳେ କଲା ଏହା ଭାବି ।

ଅସୀଉକାରର ଯିବି ସୀଉକାରେ ଥିବି ଯେ ।୨୫ ।

 

କିବା ବାଳା ମୁଦେ ତାକୁ ଶଙ୍ଖେ ପୂରାଇଲା ।

ତାଟଙ୍କ ଚକ୍ର ଆଚ୍ଛାଦି ରଖିବି ବୋଇଲା ।୨୬ ।

 

ସର୍ବ ନେତ୍ରେ ସ୍ତୁତି କଲେ ହୋଇବୁ ତୁ ମୋହି ।

ମୁଦି ଫିଟୁ ଦୁଃଖ ତୁଟୁ ବର୍ଣ୍ଣ ଦେଖ ତୁହି ଯେ ।୨୭ ।

 

ପ୍ରଥମେ ତୋହୋ ପରତେ ଘେନି ସିନା ରସୁ ।

ଆମ୍ଭଙ୍କୁ ଛାଡ଼ିଣ ସୁଖ ଭୁଞ୍ଜୁ କେଉଁ ଯଶୁ ଯୋ ।୨୮ ।

 

ମୁର୍ଖକୁ ବୁଝାଇବାର ଅତି କଷ୍ଟ ଜାଣ ।

କେତେବେଳେ ବିଳମ୍ବ ତାହାରି ଘେନି ପୁଣ ଯେ ।୨୯ ।

 

ନିବିଡ଼ ନୀତିକି ଏହିରୂପେ ଏହି କର ।

ଘେନି ଫେଡ଼ିବି ଜନ୍ମିଲା ଏମନ୍ତ ବିଚାର ଯେ ।୩୦ ।

 

ରଖି ସେ ନ ଦେଲା ଆଉ ଇନ୍ଦ୍ରିୟଙ୍କ ଦ୍ୱନ୍ଦ ।

ଫେଇ ପତ୍ରିକାକୁ ଚାହିଁ ହୋଇଲା ଆନନ୍ଦ ଯେ ।୩୧ ।

 

ବିରଳ ସମବର୍ତ୍ତୁଳ ତା ଅକ୍ଷର ଧାଡ଼ି ।

ନାଗେଶ୍ୱର ପୁଷ୍ପକେଶରରେ ତନୁ ଜଡ଼ି ଯେ ।୩୨ ।

 

ଶ୍ରେଣୀ ଶ୍ରେଣୀ ହୋଇ ଶିଶୁମଧୁକର କି ସେ ।

ଫୁଲ୍ଲପୁଣ୍ଡରୀକେ ବସିଛନ୍ତି ରସବଶେ ଯେ ।୩୩ ।

 

ରଜତପତ୍ରେ କି ଉକୁଟୁଛି ହେମମଲ୍ଲୀ ।

ଫୁଲ ପରା ପଦ ବିଶ୍ରାମିତ ସ୍ଥାନ ଫୁଲି ।୩୪ ।

 

ଜିଣି ଉନ୍ମାଦ ଶ୍ୱସନ ଦହନ ଶୋଷଣ ।

ସମ୍ମୋହନ ଘେନି ପଞ୍ଚବାଣ ପଞ୍ଚବାଣ ଯେ ।୩୫ ।

 

ଚୂତ ନବମାଳିକା ଅଶୋକ ନୀଳୋତ୍ପଳ ।

ପଦ୍ମ ଘେନି ପାଞ୍ଚଜାତି ଫୁଲରେ ମଞ୍ଜୁଳ ଯେ ।୩୬ ।

 

ମନ୍ତ୍ରବଳେ ସେକାଳେ ଅଲକ୍ଷ୍ୟ ଲକ୍ଷ୍ୟ କଲା ।

ଏକଶର ଯାର ମହେଶ୍ୱର ନ ସହିଲା ଯେ ।୩୭ ।

 

ସହିଲା କେମନ୍ତ ଏତେ ମନୁଷ୍ୟ ଶରୀରେ ।

ଘେନେ ପଡ଼ି ଭସ୍ମ ସେ ବିରହକୃଶାନୁରେ ଯେ ।୩୮ ।

 

ମନୁ ଜାତ ମାର ମନ୍ଥେ ମନ ମାରୁ ଜାତ ।

ସାତ୍ତ୍ୱିକ କୁଳ ସିଦ୍ଧିକି ରଖିଲା ନିୟତ ଯେ ।୩୯ ।

 

କୁମାର ପଢ଼ିଲା ପତ୍ର ପୁନଃପୁନଃ କରି ।

ପଦ ପଦକେ ଅଶେଷ ରସ ଅଛି ପୂରି ଯେ ।୪୦ ।

 

ଏଥୁ ଘେନିଲା ତାହାର ରସବତୀ ଗୁଣ ।

ଦୃଷ୍ଟାନ୍ତରୁ ଜାଣିଲା ପଣ୍ଡିତାପଣ ପୁଣ ଯେ ।୪୧ ।

 

ସଖୀମାନେ ଲେଖିବାରୁ ଜାଣିଲା ଚତୁରୀ

ସଙ୍କେତରୁ ଜାଣିଲା ସେ ବିରହେ ଆତୁରୀ ଯେ ।୪୨ ।

 

ଶିଣେ ଭରେ ଲଗାଇଲା ପୁନଃପୁନଃ ପତ୍ର ।

କିଛିକିଛି ସାନ୍ତ୍ୱନା ହୋଇଲା ତେଣେ ଗାତ୍ର ଯେ ।୪୩ ।

 

ସମ୍ଭାବନା କଲା ଗାତ୍ରକୁ ହିଁ ଶାନ୍ତି କଲା ।

ଅଙ୍ଗେ ଅଙ୍ଗେ ଭାଗନେଲେ ଯେଝା ଭାଗ ଦେଲା ଯେ ।୪୪ ।

 

ନେତ୍ର ଦେଖି କର୍ଣ୍ଣ ଶୁଣି ମନ ଘେନି ତୋଷ ।

କର ଫେଇ ମୁଖୁ ପିଇ ଜୀବ ଭୟ ନାଶ ଯେ ।୪୫ ।

 

କହେ ମନ୍ତ୍ରୀ ପୁରୋହିତ ସୁତ ମୁଖ ଚାହିଁ ।

ଶିବରାତ୍ରି କି ଯିବାକୁ ପ୍ରିୟା ଅଛି ଲିହି ଯେ ।୪୬ ।

 

କି ଉପାୟ କରି ଯିବା ପୁଣଣ ଦେଶ ଦୂର ।

ଶୁଣି ସେ କହିଲେ ଅଛି ତହିଁକି ବିଚାର ଯେ ।୪୭ ।

 

ଆମ୍ଭେ ସମ୍ମତ କରାଉ ସିନା ଦଣ୍ଡ ଧାରୀ ।

ଏ କେଉଁ କଥା ସମ୍ମତି କଲା ଯେବେ ନାରୀ ଯେ ।୪୮ ।

 

ପୁଚ୍ଛେ ବୀର ଦୂତେ ଆଉ କି କହିଛି ଯୋଷା ।

କୀର କହେ କି କହିବି ଶୁଣ ତାର ଦଶା ହେ ।୪୯ ।

 

ତର ତର ତୁମ୍ଭ ଭେଟେ କି କାତରତର

ପର ପରତରୁ ଦୁଃଖ ସୁରୁଚି ରତିର ଯେ ।୫୦ ।

 

ଜର ଜର ତନୁ ବାଜି ଫୁଲଶର ଶର ।

ଥର ଥର ହୋଇ ବୋଲେ କଷ୍ଟ ହର ଦର ଯେ ।୫୧ ।

 

ବର ବରନାକୁ ଦହେ ସୁଧାକର କର ।

ସାର-ସାରସପତର ଗନ୍ଧସାର ସାର ଯେ ।୫୨ ।

 

ମାର ମାରଣୁଁ ପୂରାଇଛି ଗାର ଗାର ।

ବାର ବାର ପ୍ରଳାପ ଅନାଇଁ ତାର ତାର ଯେ ।୫୩ ।

 

ଚିର ବିରହ ନାଶ ରସନିଧିର ଧୀର ।

ନ ଜିଇଁବ ଆଉ ହେଲେ ବିଳମ୍ବ ଯିବାର ଯେ ।୫୪ ।

 

ଏ ବଚନେ ଛଇଳ ହୋଇଲା ଛନ୍ନ ଛନ୍ନ ।

ଅଶ୍ରୁ ପୂରେଇ ନୟନ କଲା ଥନଥନ ଯେ ।୫୫ ।

 

ପୁଣି ଶୁଭାଇ ପଢ଼ିଲା ସୁନ୍ଦରୀ ସନ୍ଦେଶ ।

ପଦେ ପଦେ ଅର୍ଥ କରି ଘେନିଲା ସୁରସ ଯେ ।୫୬ ।

 

ସେ ପତ୍ରେ ହୋଇଲା ଜାଣ ବିକଶିତ ପଦ୍ମ ।

ରୋଲମ୍ବ ହୋଇ କୁମାର ମନ କଲା ପଦ୍ମ ଯେ ।୫୭ ।

 

ପ୍ରତିକ୍ଷଣେ ଶୁକ ବ୍ରହ୍ମଚାରୀ ରାମା କଥା ।

କହିବାରେ ଆତୁର ଅଧିକାଧିକ ବ୍ୟଥା ଯେ ।୫୮ ।

 

ଫାଲ୍‌ଗୁନ ଫାଲ୍‌ଗୁନ ପୁନଃ ପୁନଃ ଜପ କରେ ।

ଦୁଃଖ-ଭୀଷ୍ମ ନାଶ ହୋଇବାର ସେ ବିଚାରେ ଯେ ।୫୯ ।

 

ସ୍ତୁତି କରେ ଶିବରାତ୍ରି ପଦ କର ସିଦ୍ଧି ।

ସେହିଠାରେ ଦର୍ଶନ କରାଅ ଭାବିନିଧି ଯେ ।୬୦ ।

 

କେଉଁ ମାସେ କେତେ ଦିନ କ୍ଷୟ ତା ଲେଖଇ ।

ବୃଦ୍ଧି ନୋହିବାରୁ ଚଣ୍ଡୀ କବଚ ଗୁଣାଇ ଯେ ।୬୧ ।

 

ବାଳୀପ୍ରିୟ ହୋଇ କରି ବାଳି ବିନାଶନ ।

ହରି ମିତ୍ର ହୋଇ କରି ହରି ବିଚ୍ଛେଦନ ଯେ ।୬୨ ।

 

ସ୍ୱୟଂ ଚକ୍ରଧର ଚକ୍ରସୁଖ ହତକାରୀ ।

ସେ ରାମଚନ୍ଦ୍ର ଚରଣ ଚିତ୍ତରେ ସୁମରି ଯେ ।୬୩ ।

 

କହେ ଉପଇନ୍ଦ୍ର ଭଞ୍ଜ ବୀରବର ରସ ।

ନୃପସୁତ ଉତ୍ସନକାରକ ଛାନ୍ଦ ଶେଷ ଯେ ।୬୪ ।

 

ଦ୍ୱାବିଂଶ ଛାନ୍ଦ

ଲାବଣ୍ୟବତୀର ବିରହ

(ରାଗ-କାମୋଦୀ । ହଂସଦୂତ ଚଉତିଶା ବାଣୀ)

 

ଦେଖି ନବକାଳିକା

ବକାଳିକା ମାଳିକା

ଆଳୀ କାଳିକା କାନ୍ତ ସ୍ମରି ।

ରକ୍ଷା କେମନ୍ତେ କରି

କରିବା ମତ୍ତକରୀ

ଗତିକି ଏମନ୍ତ ବିଚାରି ।

ସେ ସହଚରୀ ।

ଭାବେ ବଞ୍ଚିଲେ ଏକାଳକୁ ।

କଥା ଥିବ କାଳକାଳକୁ

ଏକେ ତ କ୍ଷୀଣ ଦିନ

ହେଲା ଦୁର୍ଦ୍ଦିନ ଦିନ

ନ ଲଭୁ ବଲ୍ଲଭ ମେଳକୁ ରେ ।୧ ।

 

 

ହିତ ଆନମାନଙ୍କୁ

ସତ କାମୀଜନଙ୍କୁ

ଅହି ପରା ଅହିତ ଏହି ।

ହତ କୃଶାନୁ ସାନୁ-

ମାନରୁ ଭାନୁ ଭାନୁ-

ତାପରୁ ନିସ୍ତାରିଲା ମହୀରେ ।

ସହଚରୀ ।

ବିରହାନଳ ହୃଦସ୍ଥଳେ ।

ଜଳେ ସେ ହତ ନୋହେ ଜଳେ ।

କରୁଛି ଜାତ ଜାତ

ବେଦକୁ ସତ ଶତ-

ହ୍ରଦା-ଛଳରେ ଘନ କୋଳେ ରେ ।୨ ।

 

 

ଯେଉଁ ସୁନ୍ଦରୀ ଦରୀ-

ଭୂତରୁ ଗଣ୍ଡ ଧରି

ଧରିତ୍ରୀ ଶୟନ କରିଛି ।

କଣ୍ଠେ ଜୀବନ ବନ-

ପୂର୍ଣ୍ଣ ନୟନ ଘନ

ଘନ ନିଶ୍ୱାସକୁ ଛାଡ଼ୁଛି ରେ ।

ସହଚରୀ ।

ପକାଇ ଆପଣା ଅଙ୍କର ।

ଲୋଡ଼ିଲେ ନ ଲାଗଇ କର ।

ଯେହୁ ଏଡ଼େ ଦୁର୍ବଳ

ଝଞ୍ଜାନିଳ ପ୍ରବଳ

ଉଡ଼ିଯାଇଟି ଯତ୍ନ କର ରେ ।୩ ।

 

 

ଘୋଟୁଁ ଘଟକୁ ମାର

ଚିନ୍ତେ ଘଟକୁମାର

ପିକ ଡାକକୁ ଶୁଣି ସେହି ।

ଏ ନାଦ ସହି ସହି

ହୋଇ ମହାବିରହୀ

ରହିବ ଜୀବନେଟି କେହିରେ ।

ସହଚରୀ ।

ସ୍ତନିତବେଳେ କର୍ଣ୍ଣେ କର ।

ଦେବତାଉପାୟ କର ।

ପୟୋଧରକୁ ଧର

ବିଚାରି ପୟୋଧର

ଗ୍ରାସେଟି ପୁରାଦରେ ଭର ରେ ।୪ ।

 

 

କରି ପିକକୁ ମୂକ

ମକ ମକ ଶାମୁକ

କାମୁକ ଚମକୁ ନିତ୍ୟେ

ରାମା ହେବାକୁ ଶିବା

ଶିବାଗଣ ପୋଷିବା

ଶିବାଙ୍କୁ ମନାଇବା ବ୍ରତେ ରେ ।

ସହଚରୀ ।

ତୋଷ ଖଣ୍ଡପରଶୁଧର ।

ନିତି ଲିପାଅ ସୁଧା ପର ।

ଧନକୁ ଉପଚାର

ଧନକୁ କି ବିଚାର

ପେଷା ଗୋ ଚାର ନ ପଚାର ରେ ।୫ ।

 

 

ଦେଖ କେକୀକଳାପ

ନାଚେ ଟେକି କଳାପ

ବିପ୍ରଳାପ କରୁଛି କେତେ ।

ଏହା କି ଲବ୍‌ଧ

କରି ଅବଧ ବଧ

ବ୍ୟାଧଙ୍କୁ କହିବା କି ହତେ ରେ ।

ସହଚରୀ ।

ପର୍ଣ୍ଣବାଡ଼ ଲଗୁଡ଼ ପାଶ ।

ଘେନି କରନ୍ତୁ ବେଗେ ନାଶ ।

କରି ଏ ପତ୍ର ଗୋତ୍ର

ବ୍ୟଜନ ଆତପତ୍ର

ଦେବାକୁ ଦେବଙ୍କୁ ମନାସ ରେ ।୬ ।

 

 

ନୁହ ଏଥେଁ ଉଦାସ

ଦାସ କରିବା ଦାସ

ଆଣୁ ଯେ ପାଶେ ପାଶେ ଧରି ।

ଡାକେ କାଳକଣ୍ଟକ

ବିରହିଣୀ କଣ୍ଟକ

ଯାଉ ତା ଉତପାତ ସରି ରେ ।

ସହଚରୀ ।

ଉପାଡ଼ିବା ପୁଷ୍ପଲତାକୁ ।

ବିମନା ନ କର ତୁ ତାକୁ ।

ସୁମନରେ ସୁମନା-

ଶୋଭୀ ଭୃଙ୍ଗ ସୁମନା

ହୋଇ ତାପିବ ସୁମନାକୁ ରେ ।୭ ।

 

 

ମରାଳ ମାନସକୁ

ଯାଉଛି ମାନସକୁ

ଏ କଥା କେବେ ନ ଆଣିବ ।

ଯାର ନାହିଁ ଜୀବେଶ

ତାର ଜୀବ ଜୀବେଶ

ପାଶରେ ପ୍ରବେଶ କରିବରେ ।

ସହଚରୀ ।

ପକ୍ଷୀ ପକ୍ଷରୁ ଉଡ଼ିଯାଇ ।

ଛାଡ଼ିଦେବା ଉପାଡ଼ି ତାହି ।

ଆମ୍ଭ ନେତ୍ର ସମ୍ପତ୍ତି

ପତି ସଙ୍ଗତି ଗତି

ପାଇବାଯାଏ ଥାଉ ରହି ରେ ।୮ ।

 

 

ଜାତ ହୋଇ ସ୍ଫୋଟକ

ଯେ ଝଟକ ହାଟକ

ତନୁରେ ଲାଗିଲେ ଚନ୍ଦନ ।

ଏ ମହୋଜ୍ଜ୍ୱଳ ଜଳ

ଜ୍ୱଳନ ଜନ୍ମସ୍ଥଳ

ଛୁଇଁଲେ କରିବ ଦହନରେ ।

ସହଚରୀ ।

ଏହାକୁ ଯଦି କରିଥିବା

ଭ୍ରମରେ ଚତ୍ୱରେ ନ ନେବା

ହତ ଉଶୀର ବାଟି

କଲା ପରାୟ ବାଟି

ଜଳ କବାଟିକି ନାଶିବାରେ ।୯ ।

 

 

ଏ ଦୁରନ୍ତ ଦର୍ଦ୍ଦୁର

ଚେତନା କରେ ଦୂରେ

ଭିଦୁର କାହିଁ ଆନେ ପଡ଼ି ।

କରମକୁ ଏହାର

ହରହାର ଆହାର

ଗରୁଡ଼ କଲା କିବା ଲୋଡ଼ି ରେ ।

ସହଚରୀ ।

ଅରଜି ଅଛି ଏ ଉତ୍ସବ ।

ଗରଜି ଗରଜି ମରିବ ।

କେ ହେବ ଏ ବରଦ

ହୋଇ ସିଂହ ଶରଦ

ନୀରଦ ରଦ ଦ୍ୱିରଦ ଭାଞ୍ଜିବାରେ ।୧୦ ।

 

 

ଏ କାଳ ଏକା-

ଏକାକୀରେ ପକାଇ ଡକା

ବିଦ୍ୟୁତ୍‌ଫଡ଼କା ଅଛି ବହି

କି କଲେ ଗିରିଟେକା

ଚିତ୍ତ ଚମକ ଟେକା

କରକା ମାରୁଛି ତୁହାର ରେ ।

ସହଚରୀ ।

ଏହି କାମନା ପଉରୋଷ ।

ଏମାନେ ଭିଆଇଛି ରୋଷେ

ଯଥା ନୀପଜାଳକ

ତଥା ହୋଇ ପୁଲକ

ପୁର ସୁତନୁ ତନୁ ଦେଶରେ ।୧୧ ।

 

 

ଯେମନ୍ତ ନୀରଧାର

ତେମନ୍ତ ନିରନ୍ତର

ନୀର ନୀରଜନେତ୍ରୁଁ ବହୁ ।

ପ୍ରତି ପ୍ରତିଦିନରେ ହେଉ ରେ ।

ସହଚରୀ ।

ପିକ ପ୍ରାୟ ବାଣୀ ନ ଫିଟୁ ।

ଅନ୍ଧାର ପ୍ରାୟ ଚିନ୍ତା ଘୋଟୁ ।

ମାର ମାର୍ଗଣ ଗଣ

ପ୍ରହାରେ ପୁଣ ପୁଣ

ମାଳତୀ ସଙ୍ଗେ ଦୃଦ ଫୁଟୁରେ ।୧୨ ।

 

 

ହେଉ କାନ୍ତି ଗୁପତ

ସପତ ହରି ବତ

ପର୍ବତବତ ହେଉ ଜ୍ଞାନ ।

ରଖିଛି ସବୁଠାର

ଏହି ପ୍ରକାରେ ଠାର

ଧୈର୍ଯ୍ୟ କୁଠ କୁଠାର ଘନରେ ।

ସହଚରୀ ।

ଯେତେ ଉପାୟ ଭାଳିବାଇଁ ।

ସେ ଚରିତ କିଛି ନୋହଇ ।

ବୁଦ୍ଧି ସରିତ ତୁରି-

ତକୁ ଘେନ ବାରିତ

ନୃପତି ଆନ କି କରଇରେ ।୧୩ ।

 

 

କେ ପୁଣି ବେଗେ ଯିବ

ଜୀବ ଧବେ କହିବ

ଜୀବଧବେ ନେଉଛି ଜୀବ ।

କେଉଁକାର୍ଯ୍ୟ ଭଜିବ

ପଛେ ଯେମନ୍ତ ଯିବ

ନଦେଖିବ ମୁଖ ରାଜୀବ ରେ ।

ସହଚରୀ ।

ତୁମ୍ଭେ ଚନ୍ଦ୍ର ସେ ଜୀବଞ୍ଜୀବ ।

ଶୁଣିଣ ଉପାୟ ସର୍ଜିବ ।

ଉଚ୍ଚରେ ଥିଲେ ଜୀବ

ଏ ଶୁଭ ଅରଜିବ

ଆସିବା ବିଳମ୍ବ ତେଜିବରେ ।୧୪ ।

 

 

ପୁରୀ ପୂରିଲା ଏହି

କାଳେ ହା ରାବେ ତହିଁ

ସହୀ ନ ସହି ଗଲେ ଧାଇଁ ।

ଅଛି କି ନାହିଁ ତୁଳା-

କରଣେ ପ୍ରାଣ ତୁଳା

ଜାନୁବର୍ତ୍ତୃଳା ନାସେ ଦେଇ ସେ ।

ସହଚରୀ ।

ଚିତ୍ରପିତୁଳା ପ୍ରାୟ ଚାହିଁ ।

ଟେକି ଫୁଙ୍କିଲେ କର୍ଣ୍ଣ ଦୁଇ

ଅର୍ଣ୍ଣ ପର୍ଣ୍ଣରେ ସିଞ୍ଚି

ଶୀର୍ଣ୍ଣ କଟୀକି ବିଞ୍ଚି

ଲଲାଟେ ଚନ୍ଦ୍ରଚୂର୍ଣ୍ଣ ଦେଇ ସେ ।୧୫ ।

 

 

ଚଣ୍ଡୀରିଷ୍ଟ ଖଣ୍ଡନେ

ଚଣ୍ଡୀ ମନାସି ମନେ

ଗ୍ରହଶାନ୍ତିକି ବିଚାରିଲେ ।

ପୀତବସନ କାର୍ତ୍ତ

ସ୍ୱରେ ବହୁତ ଆର୍ତ୍ତ

ସ୍ୱରେ ଭୂସୁରେ ଉତ୍ସର୍ଗିଲେ ସେ ।

ପ୍ରାଣସହି ।

ଭାଳନ୍ତି ପାଇ ଆଉଜୀବ ।

ଆମ୍ଭ ଉରକୁ ଆଉଜିବ ।

ସେତେବେଳେ ଚେତନ

ପାଇ ରାମ ରତନ

ଧୀରେ ବୋଇଲା ଶିବ ଶିବ ସେ ।୧୬ ।

 

 

ସଖୀ ଏମନ୍ତ ମତ୍ତ-

କାଶିନୀ ଚିତ୍ତହିତ

ନିମିତ୍ତ ବଚନ ରଚିତ ।

ପ୍ରସ୍ଥାନ କାନ୍ତ କାନ୍ତ

କେଲ ଉଦନ୍ତ ଦନ୍ତ-

ଶୋଭିନୀ କହିଲେ ସାଧୁତ ରେ ।

ସହଚରୀ ।

ରହିଛନ୍ତି କେରଳ ଦେଶେ ।

ନର୍ମଦାନଦୀ ବୃଦ୍ଧି ବଶେ ।

ଗୁଣମଣିକି ଗୁଣେ

ସନ୍ତାପିତ ଦ୍ୱିଗୁଣେ

ଫଗୁଣେ ହେବ ପରବେଶ ରେ ।୧୭ ।

 

 

ଏହୁ ପ୍ରମାଣ ମାଣ-

ବକ ମୃଗାକ୍ଷୀ ପ୍ରାଣ

ପ୍ରାଣକୁ କେତେଦିନ ରଖ ।

ସମ ଅନୁରାଗରେ

ନାହିଁ କେଉଁ ନଗରେ

ସେହି ନଗରେ ସାର ଲେଖରେ ।

ସହଚରୀ ।

ମହତ ଯେ ଅଟନ୍ତି ସେହି ।

ତୋ ହତ ଶୁଣିବାରୁ ସହୀ ।

ମରଣକୁ ବରଣ

କରିବେ ରଣ ରଣ-

ବାଣଗଣ ତାପକୁ ବହି ।୧୮ ।

 

 

ଏହି ବାଣୀ ତତ୍‌କ୍ଷଣ

ପରାଣକୁ ରକ୍ଷଣ

କ୍ଷଣକାନ୍ତି କାନ୍ତିର ହେଲା ।

ବୀଣାଜୀଣା ବଚନା

ସୁଲୋଚନା ଶୋଚନା

ରଚନା କିଛି ଶାନ୍ତି କଲା ସେ ।

ସହଚରୀ ।

ଜାଗ୍ରତ କ୍ଷଣଦା ବାସରେ ।

ହୋଇଣ ଥାନ୍ତି ତା ପାଶରେ ।

ଫୁଲ ନାରାଚ ନାରା-

ଚକୁ ହେଲା କବଚ

ଦରଶନ ଲୋଭ ଯହିଁରେ ରେ ।୧୯ ।

 

 

ଘନଘୋଷ ଘୋଷଣ

ଷଣପୁଷ୍ପ ଦୂଷଣ

କାନ୍ତି ଶଉଣି ସେ ଦିନୁ ମଣେ ।

ତେଜି ମହୀଶୟନ

ପ୍ରକାଶି ବାତାୟନ

ନୟନ ନିବେଶି ତକ୍ଷଣେ ସେ ।

ସହଚରୀ ।

ମାନଙ୍କୁ ଭାଷଇ ଏ ଭାଷ ।

ବାହାରେ ମୁଦୁସୁଲୀ ପେଷ ।

ହେଲେ କି ମାନବେଶ-

ସୁତ ଆଜ ପ୍ରବେଶ

ଏ ଦେଖ ବୁଝ ଏ ସନ୍ଦେଶ ରେ ।୨୦ ।

 

 

ପୁଂସ ଦୃଶ ସଦୃଶ

ଘେନ ସାରସ ରସ-

କଳା ଚୁମ୍ବନ ଦିନ ରସି

କରି ମୃଣାଳନାଳ

ମାଳ ତମାଳ ମାଳ-

ମଞ୍ଜୁଳା ବସି ନାମେ ଘୋଷି ସେ ସୁକୁମାରୀ ।

କାନ୍ତି ଛଳେ ପିନ୍ଧେ ଅମ୍ବର ।

ହାସ ଛଳେ ଘେନେ କର୍ପୂର ।

ହୋଇ ତଦ୍ଭାବମୟ

ନେଲା ଘନ ସମୟ

ରକ୍ଷା ହେଲେ ସଖୀ ନିକର ସେ ।୨୧ ।

 

 

ଶରଦକାଳେ ସୁଧା-

କର କର ବସୁଧା

ଭୂଷାକୁ ଦେଖାଇ ନ ଦେଲେ ।

ଋତୁହୀନ ତୁହିନ

ନ ପୁଣ ହେତୁହୀନ

କରିବ ବୋଲି ବିଚାରିଲେ ସେ ।

ସହଚରୀ ।

ପଦ୍ମିନୀ ପଦ୍ମବାସୀ ସଖୀ ।

ପଦ୍ମନୟନୀ ପଦ୍ମମୁଖୀ ।

ପଦ୍ମକର ପୟର

ପଦ୍ମପତ୍ର ଉଦର

ପଦ୍ମକୋଷେ ଉରଜେ ଖୋସି ସେ ।୨୨ ।

 

 

ଶୁକପୋତ କପୋତ

ରୁତ ଶୀତ ମରୁତ

କମ୍ପିତ କରୁଥାଇ ପୁନ ।

ଏ ଚିନ୍ତା ଅଦଭୁତ

ଚିତା ହୃଦେ ସଂଭୁତ

ସଜୀବେ ସଜନୀ ଦହନ ହେ ।

ସାଧୁଜନେ ।

ଏ ଛାନ୍ଦ ଏବେ ହେଲା ଶେଷ ।

ବୁଧ ବୋଧକ କି ରହସ୍ୟ ।

ସୁମରି ଉପଇନ୍ଦ୍ର

କହଇ ଉପଇନ୍ଦ୍ର

ଭଞ୍ଜ ବୀରବର ଏ ରସ ଯେ ।୨୩ ।

 

ତ୍ରୟୋବିଂଶ ଛାନ୍ଦ

ଚନ୍ଦ୍ରଭାନୁର ରାମେଶ୍ୱର ଗମନ

(ରାଗ-କଲ୍ୟାଣ ଆହାରୀ)

 

(ତୋ ନାଥ ଏହିକ୍ଷଣି ଥିଲା ପଲ୍ୟଙ୍କେ-ବାଣୀରେ ଗାଇବ)

 

ଦିନକେ ଦିନେଶ ଦଶଦଣ୍ଡ ଭୋଗ ମଣ୍ଡପେ ବସିଛି କୁମାର ।

ସଚିବନନ୍ଦନ ପ୍ରବେଶ ହୋଇଲା ପତନୀ ଶାଢ଼ି ଅଛି ଶିର ।

କହିଲା ।

ପୁରୋଧାସୁତ ଜଣାଇଲା ।

ଶିବଉତ୍ସବ ଦେଖିବାକୁ ତୁମ୍ଭଙ୍କ ତାତ ସନମତି ହୋଇଲା ।୧ ।

 

ଜରତକାମିନୀ ବାଳକ ଜାଳକ କେବଳ ରହିବେ ନଗରେ ।

ସର୍ବ ଅର୍ବ ଦନ୍ତୀ ପଦାତି ସ୍ୟନ୍ଦନ ପନ୍ତି ଯିବେ ତୁମ୍ଭ ସଙ୍ଗରେ ।

ଏଥକୁ ।

ଅଧିକାରୀ ଶାଢ଼ି ମୋହର ।

ଏ ବାଣୀ ଚନ୍ଦ୍ର ଉଦିତେ ଉଛୁଳିଲା ନଗର ଆନନ୍ଦ ସାଗର ।୨ ।

 

ଏ କାଳେ ଡଗରା ଦିଅଇ ନାଗରା ଶୁଣି ନଗ୍ରଜନେ ଉଚ୍ଛନ୍ନ ।

ଲେଖି ନେଲେ ଆସି ମନ୍ତ୍ରୀ ସନ୍ନିଧରୁ ଥିଲା ଯା ବାକି ବରତନ ।

ନୂତନେ ।

ଜଳି କରି ଶସ୍ତ୍ରମାନଙ୍କୁ ।

କେ ଜତୁ ଦିଆଇ କେହୁ ହିଙ୍ଗୁଳାଇ କେ ବନ୍ଧାଇ ଆନ କୋଷକୁ ।୩ ।

 

କେ ଘୃତ ଲଗାଇ କେ କ୍ଷଣ ଶୁଖାଇ କେ ସିଆଇଁ ତହିଁ ତୂଣୀର ।

କବଚ କବାଇ ରାଗ କରି ଟୋପି ବକତର ଏହି ପ୍ରକାର ।

ଶକଟ ।

ଭାରବାହ ବଳୀବର୍ଦ୍ଦକୁ ।

ଥିଲା ଯାହାର ସଜ କଲା ନଥିଲା ମୂଲ୍ୟ କରି ଆଣି ତାହାକୁ ।୪ ।

 

ସୁବର୍ଣ୍ଣ ରୌପ୍ୟ ବରାଟକ ସମ୍ବଳ କମ୍ବଳ ଆଦି ଜରୀଚେଳ

କଂସାଦି ପାତ୍ର ମଞ୍ଜୁଷ ପେଡ଼ି ପେଡ଼ା ଗଣ୍ଡିରାମାନ କରି ଠୁଳ ।

କରି ଯେ ।

ଦ୍ୱିଜରୁ ମାତଙ୍ଗ ପର୍ଯ୍ୟନ୍ତେ ।

ଯେ ଯାହା ବୃତ୍ତିରେ ଆଗମନ ମନ ଉଚ୍ଛନ୍ନ ହୋଇଲେ ସମସ୍ତେ ।୫ ।

 

କୋଷ ଅଧିକାରୀ ଅତି ତୋଷ ଭରି ଅମାର ମଶୁରି ସଜାଡ଼ି ।

ତୂର୍ଣ୍ଣ କରି ପୂର୍ଣ୍ଣ କଲା ସେ ସ୍ୱଭାବେ ସମ୍ଭାରରେ ଗାଡ଼ି ଶଗଡ଼ି ।

ଏମନ୍ତେ ।

ରଜନୀ ହୋଇଲା ପ୍ରବେଶ ।

କ୍ରମଶଃ କ୍ରମଶଃ ତାମସ ବଶରେ ଦୃଶ୍ୟା ଦୃଶ୍ୟ ହେଲା ବିନାଶ ।୬ ।

 

କେତେ କାମୀ ଭୂମି ମଣ୍ଡଳେ କେତେ ମୁହିଁ ଭ୍ରମିବି କାମ କି ପାଞ୍ଚିଲା ।

କଜ୍ଜ୍ୱଳ ମହୋଜ୍ୱଳ ଜନେ ପ୍ରଳୟ କ୍ଷୟ କରିବାକୁ ବାଞ୍ଛିଲା ।

ସ୍ୱର୍ଭାନୁ ।

ଡରେ କି ପଳାଇଲେ ଭାନୁ ।

ତମ-ତନୁରେ ଜଗତ ଗିଳୁଛି କି ଭାବି ଆନ ନାହିଁ ଏ ବିନୁ ।୭ ।

 

ପାଶେ ଥାଇ ଦେଖା ଦେଖି ନୋହି ଦୁଃଖୀ ଭୃଙ୍ଗୀ ଭୃଙ୍ଗ ଧ୍ୱନି ଘୋଷିଲେ

ସଙ୍କେତ ସ୍ଥାନେ ଯାଇଥିବା କାମିନୀ ଚମକି ହୃଦ ଆଉଁସିଲେ ।

ଅସିତେ ।

ତରଗଣ ଏହି ଆର୍ତ୍ତରେ ।

ଧ୍ୱନି କରିବାର ଶୁଣି ବରନାରୀ ଆଶାୟୀ ଅନାଇ ଦୁଆରେ ।୮ ।

 

ଅଞ୍ଜନଦିଗ-ଗଜ ସଜ ଆଜ କି ଯୁଦ୍ଧ ଇଚ୍ଛି ଆମ୍ଭ ସଙ୍ଗରେ ।

ଏହା ବିଚାର ଯେ ରଡ଼ି ଯେ ପ୍ରଚାର ମତ୍ତ ମାତଙ୍ଗ ଆତଙ୍ଗରେ ।

ବକୁଳ ।

ମୂଳେ ଥିବାର ବିରହିଣୀ ।

ଶ୍ରବଣେ ବୋଇଲା କାନ୍ତ ସତ୍ୟବାଦୀ କେ ଘେନି ବୋଲନ୍ତି ସଜନୀ ।୯ ।

 

କର୍ଣ୍ଣାଟ ପୁରଜନେ ଯିବା ଉଚ୍ଛନେ ଉନ୍ନିଦ୍ରେ ଏମନ୍ତ ରାତ୍ରରେ ।

କେ କାହା ପୀରତି ଯୁବତୀ କତିକି ଯିବାକୁ କହୁଛି ଦୂତୀରେ ।

ଭେଟାଇ ।

ଆଜ ପାରିବୁକି ଧନକୁ ।

ଫୁଲଧନୁସୂନ ବଲ୍ଲଭୀ-କାଳରୁ ମୁଁ ଯେ କରିବି ପ୍ରସ୍ଥାନକୁ ।୧୦ ।

 

କେ ଜାର ଦେଖିଲା କୁଳଟାପାଶକୁ ଆଶ କରି ଦିନ ଯାଉଛି ।

ଯୁଗଳ ନୋହିବାରୁ ରାମକୁମର ଯୁଗସରି ମୋତେ ହେଉଛି ।

ଧନରେ ।

କରିଥାଅ ଏବେ କୃତାର୍ଥ ।

ଯାଉଛି ବିଦେଶେ ଯୋଗେ ଦେବଗୁରୁ ଗଲେ ହୋଇତବ ବିଅର୍ଥ ।୧୧ ।

 

କେ ଜାର ଭାଷି ସ୍ନେହେ ଭାବରାଶିକି ଗଣି କଳ୍ପନା ତୋରେ କରି ।

କନ୍ୟା ତୁଳାଅଙ୍ଗୀ ସିଂହକଟୀ ମୀନ ନୟନା କୁମ୍ଭସ୍ତନା ଭାରି ।

ଭ୍ରୁଲତା ।

ଧନୁରେ ପୁଣି ମନୋହର ।

ମକରକେତୁ-ତାପେ ତୋ ପ୍ରେମଜଳେ ମନ-କକଡ଼ା ମଗ୍ନ ମୋର ।୧୨ ।

 

ବିରହ ବିଛା ଘାତ କରୁଛି ମେଷ ବୃଷ କରୁଁ ଦର୍ଶନେ ।

ଏକା ମିଥୁନ ହୋଇଲେ ରେ ନାୟିକା ସବୁ ହେଲା ଗୋ ଅବଧାନେ ।

ଏ ବାଣୀ ।

ଶୁଣି ସେ ହସିଲା ହୋଇଲା ।

ଆଲିଙ୍ଗନ କରି ଇଚ୍ଛାବତୀ ନାରୀ ବକ୍ଷରୂଢ଼େ ବନ୍ଧେ ତୋଷିଲା ।୧୩ ।

 

ପୁଷ୍ପସମୟ ନିକଟ ପରକଟ ରମଣୀ ତୁଲେ ବିଟ ରମି ।

ସଖାକୁ କହେ ବଚନେ ସ୍ନେହାଧୀନା କୋଳେ କୋମଳା ପରିଣାମି ।

ରତିରୁ ବିଜ୍ଞ କରେ ସ୍ତନ କଠିନ ।

ବୋଲି ଜାଣିଲି ସୁବର୍ଣ୍ଣ ସୁବର୍ଣ୍ଣ କି ଅବା ଅଞ୍ଜନ ।୧୪ ।

 

କାହା ବଲ୍ଳଭ ବଲ୍ଲଭୀକି କହୁଛି କି କଲା ଦାରୁଣ ଦଇବ

ମନେ ତ ନଥିଲା ତରୁଣକାଳରେ ତରୁଣୀ ବିଚ୍ଛେଦ ହୋଇବ ।

ଜୀବନ ।

ତେଜି ଯେ ଦଇବ ବଶରେ ।

ଘେନ ଘେନ ଆରେ ପରାଣଦ୍ୱିତୀୟ ଏକ ଅଧିକ ଦିବସରେ ।୧୫ ।

 

ସୁନ୍ଦରୀକି କୋଳେ ବସାଇ ଭାଷେ କେ ରସାଇ ପ୍ରକାଶିଣ ପ୍ରେମ ।

ଦଣ୍ଡଧର ଅନୁଗତ ଭଲ ନୋହେ ସେହି ହୋଇବାର ଉତ୍ତମ ।

ଗୁଣୀ ତୁ ।

ମାଗୁଣୀ ଏତେକ ମୋହର ।

ମନେ ପଡ଼ୁଥିବ ରଜନୀ ଦିବସେ ଜାଣୁ ତା ଯେମନ୍ତେ ମୁଁ ତୋର ।୧୬ ।

 

କେ ପ୍ରିୟାଚିବୁକ ଧରିଣ ଉନ୍ନତି ଛାଡ଼ି ଭାଷିଲା ଏ ବିନତି ।

ଶୀତକରଜା ଶୀତେ କାମ ଈଷିତ ନାରାଚେ ହୋଇଅଛ ଭୀତି ।

କରିବି ।

କବଚ ପାଞ୍ଚ ମୋ ଏସନ ।

ବରବର୍ଣ୍ଣନୀ ସଞ୍ଚା ଥିଲା କରିଣ ଦିଅ ମୋତେ ପିନ୍ଧା ବସନ ।୧୭ ।

 

କେ ପ୍ରଦୀପ ପ୍ରଦୀପକ କରି ପୁରେ ପୁରତେ ପ୍ରିୟାକୁ ବସାଇ ।

ଚିତ୍ରେ ବିଚିତ୍ରେ ଲେଖିଲା ସ୍ୱରୂପକୁ ପ୍ରଭାତ ଦରଶନ ପାଇଁ ।

ସେ ଦେଖି ।

ଧୀର କରି ଏହା ବୋଇଲା ।

ବିଦେହଜା-ପ୍ରିୟ ତୁଲେ ନଗଲେ କି ମୋତେ ସଙ୍ଗେ ନେଲେ କି ହେଲା ।୧୮ ।

 

କାହାର ବାଳୀ ନବୀନା ବିପରୀତ ବିନା ସକଳ ଭୋଗିଥିଲା ।

ମଣି ଦୀପିତକ ଦର୍ପଣ ବିତାନ ଥିଲା ପୁରେ ରତି ବିହିଲା ।

ସେ ଭୋଗ ।

ପାଇଲା ଦଇବ ବଶକୁ ।

ଭାବେ ଅଧିକ ଦେବାକୁ ରଖିଥିଲା ଯିବା ବେଳକୁ ବିଦେଶକୁ ।୧୯ ।

 

କେଉଁ ଦମ୍ପତି ରଖି ସବୁ ସମ୍ପତ୍ତି ବଶୁଁ ମତିରେ ଏହା ଧ୍ୟାୟି ।

ସ୍ମର ଅରାତି ହେବ ରାତି ନ ପାହୁଁ ତାହା ରଜନୀ କରୁ ବିହି ।

ଯେ ପୁଣି

ବିହିଲା ବିଚ୍ଛେଦ ବିପତ୍ତି ।

ପୁଂଲିଙ୍ଗେ ସ୍ତ୍ରୀଲିଙ୍ଗେ ତାହା ଶବ୍ଦ ରୂପ କେବେ ନାହିଥିବ ସମ୍ମତି ।୨୦ ।

 

କେ ପୁଂସ ସତ୍ୱରେ, ଚତ୍ୱରେ ରୋପିତ କଲା ଆଣି ଜାତିଲତାକୁ ।

ପରିଚାରିକାକୁ ଡକାଇ କୋଳେ ବସାଇ ବନିତାକୁ ।

ଏହାକୁ ।

ଯତ୍ନ କରିବାକୁ ସନ୍ତତେ ।

ପ୍ରବାସ ପ୍ରୟାଣ ଦୋଷ ନ ଘେନିବ ଯାଉଅଛି ଅଣାୟତ୍ତେ ।୨୧ ।

 

କେ ଜାୟାପତି ଯୋଗ ହୋଇ ନଥିଲେ ସେ ଉତ୍ସବ କଲେ ସେ ରାତି ।

ନାନାଗତି ରତି ପ୍ରକାଶିଲା ରତିପତି-ଭୋଳରେ ରସବତୀ ।

ରସାନ୍ତେ ।

ରମଣ ମୁଖକୁ ଚାହିଁଲା ।

ମୟୂର କଣ୍ଟକେ ବୃକ୍ଷ ପଟେ ଲେଖି କାମ ବିମନକୁ ହରିଲା ।୨୨ ।

 

କେ ଦମ୍ଭ ହାରି ମନୋହରୀକି କହେ ଏ କଥା ଚିତ୍ର ଲାଗେ ମୋତେ ।

ଜୀବନ ତେଜି ପିଣ୍ଡକୁ ସଙ୍ଗେ ନେଇ ପୁରୁଷ ଜିଇଁବେ କେମନ୍ତେ ।

ଏ ତନୁ ।

ପୁଲକ ପୁଣି ନ ବହିବ ।

ସେ ପୁଣି ଗଦଗଦେ ବୋଇଲା କେ ଜାଣି କି ଭିଆଇ ଅଛି ଦଇବ ।୨୩ ।

 

କେଉଁ ସୁନ୍ଦରୀ କେତକୀ ଦଳୋଦରେ ଦୟିତ ଛାମୁକୁ ଲେଖିଲା ।

ମୁଁ ସେ ଜୀବନଧନ ତୁମ୍ଭଙ୍କୁ ବୋଲିବା ସେହିଠାରେ ସାର୍ଥ ହୋଇଲା ।

ତୁମ୍ଭର ।

ଅଛି ଲୋକମୟ କବଚ ।

ତୁମ୍ଭେ ସିନା ମୋର ଦୂର ହେବ କେହି ସହିବି ବିଷମ ନାରାଚ ।୨୪ ।

 

କେଉଁ ନାରୀ ଚିତ୍ର ପ୍ରତିମାର ପରି କେ ନୟନ ଭରିଲା ।

କେହୁ କି କରିବି ବୋଳି କାନ୍ତ ଗଳା ଧରି ପ୍ରେମ ଭରେ ଥରିଲା ।

କେ କହେ ।

ଯିବା ପଛେ ଆନ ଦେଶକୁ ।

ନ ଗଲେ ଯେବେ ସରୋଷ ହୋଇବେ କରମ ବଶକୁ ।୨୫ ।

 

କେ କହେ ସଖୀଙ୍କି ଚନ୍ଦ୍ରଶେଖରଙ୍କୁ ପୂଜନ କରି ଏଥିପାଇଁ

ପ୍ରିୟ ନ ଯାଉଁ ଜୀବନ ଯାଉ ମୋର ଦୁଃଖୀ ନୋହିବଟି ମୁହିଁ ।

କେ ଭାଳେ

ବିଲଗ୍ନ ହେଳଷ ଭରୁଁ ଉର ।

ନିଦ୍ରା ନ ମାଡ଼ଇ ଏ ନିଶିକି କେହିଁ ବଞ୍ଚିବି କି କର୍ମ ମୋହର ।୨୬ ।

 

କେହୁ ବଲ୍ଲଭେ ନିୟମ କରାଇଲା ଆନ ଯୁବତୀ ନ ଛୁଇଁବ ।

କେ ବୋଇଲା କାମ ଚିତ୍ତେ ମୁଁ ଥିବିଟି ମୋ ପାଇଁ ଦର୍ଶନ କରିବ ।

କେ ହାର ।

ବାହାର କରି କଣ୍ଠେ ଦେଲା ।

ଦେଖୁଥିଲି ମୁହଁ ମନେ ପଡ଼ୁଥିବି ଏମନ୍ତ ଭାବନା ହୋଇଲା ।୨୭ ।

 

କେ ଜାଣି ବିରହଜ୍ୱର ଜାତ ଉରେ ଥୋଇ ପଙ୍କେରୁହ-ଦଳକୁ ।

କିଛି ନ କହି ନାୟକ କରେ ଦେଲା ମେଲାଣି ମାଗିବା ବେଳକୁ ।

କେ ଭାବେ ।

ଅଳପ ହେଲା ମୋ ସଙ୍ଗତି ।

ଦରିଦ୍ର ରତନ ପାଇ ହରାଇଲା ପରାୟହୋଇଲି ବିମତି ।୨୮ ।

 

କେ ଲେଖିଲା ପଟେ ପତିକି ବସାଇ ଆପେ ପାଦ ସେବା କରଇ ।

ଯେତେଦୂରେ ଥିଲେ ଏରୂପେ ଅଗ୍ରତେ ଅଛି ମୁଁ ଏଅକ୍ଷର ଲିହି ।

ବାନ୍ଧିତ ।

ଜୀବବସନେ ପେଡ଼ିପରେ ।

ଥୋଇଲା ଚତୁରୀ କି ସ୍ନେହ ଆତୁରୀ ମାନସ ମୋହିବା ବିଚାରେ ।୨୯ ।

 

କେ ବୋଲେ ମୋହ ପାଇଁ ନ ଭାଳିବ ସାରିବ ବେଳ କାଳେ ମୋତି ।

ତୁମ୍ଭେ ସର୍ବଶୁଭେ ଥିଲେ ସବୁ ଅଛି ନ ମିଳିବେ କେତେ ଯୁବତୀ ।

କେ ସଖୀ ।

ଦ୍ୱାରାରେ ଏମନ୍ତ କୁହାଇ ।

ବାହୁଡ଼ି ଆସି ଯାହାକୁ ବିଭା ହେବ ଏରୂପେ ନୋହିବ ଅସ୍ନେହୀ ।୩୦ ।

 

କେ ପତି ଯିବାକୁ ତୃପତି ମତିରେ ଜାରେ ବୋଲଇ ଦିନେ ଥାଅ ।

ଅନେକ କାଳୁ ବାଞ୍ଛିତ କଲା ସୁଖ ମୋତେ ହେଁ ଦିଅ ତୁମ୍ଭେ ପାଅ ।

କେ ଶାଶୁ ।

ନଣନ୍ଦ ଭୟରେ ପ୍ରିୟକୁ ।

କିଛି ନ କହି ତକ୍ଷଣେ ଜାତ କରି ଈକ୍ଷଣେ ନିବାରି ପୟକୁ ।୩୧ ।

 

କାହା ସହଚରୀ ପୁରୁଷେ ପଚାରି ଯାଉଛ କେଉଁ ଶିବ ଦେଖି ।

ବକ୍ଷରେ ସ୍ୱଚ୍ଛରେ ଶମ୍ଭୁଯୁଗଳକୁ ଜନମ କରିଛି ମୋ ସଖୀ ।

ଏ ବିଧି ।

ତରୁଣ ତରୁଣୀ ଉଚ୍ଛନ୍ନ ।

ବହୁତ ଛାନ୍ଦେ କଲା ତାହା ବର୍ଣ୍ଣନ ତେବେ ହେଁ ନୋହିବ ସମ୍ପୂର୍ଣ୍ଣ ।୩୨ ।

 

ଏମନ୍ତ ନିଶି ଶେଷ ଦରଘୋଷରେ ଦର ଲଭିଲେ ଜାର ବ୍ୟୁହ ।

କୁକ୍‌କୁଟବାଣୀକୁ ଠାରେ ହାଣିଦେଲା ଦମ୍ପତି ସୁଖ ମହୀରୁହ ।

ପ୍ରାଚୀ ଯେ ।

ବହିଲା ଅରୁଣ ବର୍ଣ୍ଣକୁ ।

ଡଗରା ନାଗରା କରାଇଲା ତ୍ୱରା ସାଜ ସାଜ ବୋଲି ସୈନ୍ୟକୁ ।୩୩ ।

 

ବାଜିଲେ ତୂର ସାଜିଲେ ଚତୁରଙ୍ଗ ପ୍ରବେଶ ହେଲେ ସିଂହଦ୍ୱାର ।

କହେ ଜ୍ୟୋତିଷ ମଙ୍ଗଳବେଳ ହେଳଶ ଅନୁକୂଳ କର କୁମାର ।

ସ୍ଥାପିଲେ ।

ରମ୍ଭା ବୃକ୍ଷ କୁମ୍ଭ ପୁରୁତେ ।

ଭୂଷଣେ ଆରମ୍ଭ ରମ୍ଭା ପରି ବେଶ୍ୟା ମୋହିଲେ ସୁମଙ୍ଗଳ ଗୀତେ ।୩୪ ।

 

ରାମାଭିଷେକ ପଟ ଭୃତ୍ୟେ ଦେଖାଇ ଦିଅନ୍ତି ରାମା ହୁଳହୁଳି ।

ବିଧାତା ବିଧାନେ ପୁରୋଧାନନ୍ଦନେ ମଙ୍ଗଳାରୋପଣ କୁଶଳୀ ।

କୀରତି ।

ବନ୍ଦନ ବନ୍ଦିବୃନ୍ଦ କରେ ।

ବାହାର ହୋଇଲେ ନୃପତିନନ୍ଦନ ରାମାରୂପ ଚିନ୍ତି ଚିତ୍ତରେ ।୩୫ ।

 

ପଲ୍ଳବତ୍ରୋଣ ଅଧର ପୟୋଧର ପୂର୍ଣ୍ଣକୁମ୍ଭ ମୀନ ନୟନ ।

ଗତି ହଂସବତ ପାରାବତ ଗଳ ମଙ୍ଗଳ ଅଷ୍ଟକ ବଚନ ।

ଜଘନ ।

ଭଦ୍ରାସନ ଊରୁ କଦଳୀ ।

ଶଙ୍ଖ ମୃଦୁହାସ ଚୁଚୁକ ତ୍ରମୂକ ସର୍ବମଙ୍ଗଳପ୍ରଦ ଭାଳି ।୩୬ ।

 

ସୁକୁମାରୀ ରାଜକୁମାରୀକି ଭାବି କରି ଅମାରି ପରେ ବିଜେ ।

କ୍ଷତ୍ରି ଠାରୁ ଶୂଦ୍ରଯାଏ ପ୍ରଣମିତ କଲ୍ୟାଣ ବାଞ୍ଛା କଲେ ଦ୍ୱିଜେ ।

କଲେ ଯେ ।

ସମ୍ଭାରରେ ସୈନ୍ୟ ଗମନ ।

ମହୀ କମ୍ପନ ପନ୍ନଗପତି ଶଙ୍କି ଧୂଳିରେ ଲୁଚିଲେ ତପନ ।୩୭ ।

 

ସର ପଦ୍ମ ଚକ୍ରବାକ କଲେ ପଦ୍ମ ଅବଲୋକ ମଣି ଶର୍ବାରୀ ।

ରଥାଙ୍ଗ ନାଦେ କଳାପୀ ନାଚେ ମୋଦେ କୁଳଟା ହେଲେ ଅଭିସାରୀ ।

କାକରେ ।

ନିଳୟଗତି ଲୀଳା କରେ ।

କୁଳପାଳିକା ବାଳିକା ଦୀପାଳିକା ପୁରମାନଙ୍କରେ ଜାଳିଲେ ।୩୮ ।

 

ବାଦ୍ୟଦମକ ଖଡ୍‌ଗ ଫରି ଝମକ ଧନୁ ଘୋଷ ଗଜ ଚିତ୍କାର ।

ତୁରଙ୍ଗ ହ୍ରେଷା ଆଶାରେ ପୂର୍ଣ୍ଣ ହେଲେ ଦିଗବନ୍ତୀ କାତର ।

ମଣିଲେ ।

ଗର୍ଜିଆସେ ମହାକେଶରୀ ।

ମଇନାକ ଲୁଚେ ଇନ୍ଦ୍ର ଶତକୋଟି କୋଟି କୋଟି ମାରେ ବିଚାରି ।୩୯ ।

 

ପଥେ ରାଜନ ପ୍ରଜାନନ ସମନ ପୂଜନ କଲେ ସ୍ଥାନେ ସ୍ଥାନେ

ଜଳ ହୀନ ହେଲେ ସରିତ କାସାର ଆନନ୍ଦେ ଶିବ ଗୃଧ୍ରମାନେ ।

ଯାବତ ।

ଯାଦମେବ ସ୍ୱାଦ ଲଭିଲେ ।

ବହୁତ ଦିଗରେ ଯାଇ ସେ କିସ୍କିନ୍ଧ୍ୟା ପୁର ପ୍ରଦେଶକୁ ଲଭିଲେ ।୪୦ ।

 

ବାସବସଦନ ପ୍ରକାର ସେ ବନ କଟକ ସମାନ ଶୋଭନ ।

ନିଶାର୍ଦ୍ଧେ ନିଷାଦେ ଭ୍ରମିଲେ ବିଷାଦେ ହୀନ ହୋଇ ଜନ ଶୟନ ।

ମନୁଜ ।

ରୂପୀ ମନୋଜ ମନୋହର ।

ଦନୁଜତନୁଦାରଣ ରାମ ଚିନ୍ତି କହଇ ଭଞ୍ଜ ବୀରବର ।୪୧ ।

 

Unknown

ଚତୁର୍ବିଂଶ ଛାନ୍ଦ

ଲାବଣ୍ୟବତୀ ନିକଟକୁ ଦୂତ ପ୍ରେରଣ

ଓ ଚନ୍ଦ୍ରଭାନୁର ଶିକାର

(ରାଗ-ପାହାଡ଼ିଆ କେଦାର)

 

ଶୁଣ ସୁମତି ବିନାଶ ରାତି

ପୂର୍ବହରିତ କୁଙ୍କୁମ କାନ୍ତି

ଚେତି ମାଗଧ ଆରମ୍ଭେ ସ୍ତୁତି କୀର୍ତ୍ତିନିକର ଯେ ।

ଟେକି ମୁକୁଟ ଡାକେ କୁକୁଟ

ସେ ବାଣୀ ଭାର୍ଯ୍ୟାପତିକି କୂଟ ।

ସରମାନଙ୍କେ ସାରସ ସ୍ଫୁଟ ଗର୍ଜେ ଭ୍ରମର ଯେ ।

ଉଠି କୁମର କାଠିଲାଗି ହୁଅଇ ଯେ ।

କରଯୋଡ଼ି ସଚିବ ସୁତ ଜଣାଇ ଯେ ।

କହୁଅଛନ୍ତି ଶିକାରୀଜନ

ବହୁ ଜୀବରେ ଏ ବନ ଘନ

ହେବ କି ବିଭୋ ଶିକାରମାନ ଆଜକ ରହି ଯେ ।୧ ।

 

 

ଶୁଣି ଏମନ୍ତ ଚିତ୍ତେ ବଚାରି

ଆଗପେଷିଲେ ସେ ବ୍ରହ୍ମଚାରୀ

ରାଜ ପୁତ୍ରିକା ପାଶେ ବିନୟ ପତ୍ରିକା ଦେଇ ଯେ ।

ତହିଁ ଉତ୍ତାରୁ ଶିକାର ସଜ

ଆଣ ବୋଲନ୍ତେ ନୃପ ଆତ୍ମଜ

ଶୁଭିଲା ଡାକ ସଇନ ସାଜ ତୁରିତେ ତହିଁ ଯେ ।

ପ୍ରଥମରେ ଏ ବଳ ହେଲେ ବାହାର ଯେ ।

ଲୋଧା ଗୋଧାରେ କରି ମଣ୍ଡନ କର ଯେ ।

ଭ୍ରମକ ପଶୁସ୍ତୋମରେ ସେହି

ସୁଚର୍ମ ବର୍ମ ତୋମର ଶୋହି

ବାଜବଇରୀ ହସ୍ତେ ବସାଇ ଭସ୍ମଜର୍ଜର ଯେ ।୨ ।

 

 

ଶବରପନ୍ତି କି ଭୟଙ୍କର

ଯଥା ପରେତରାଟ କିଙ୍କର

ଭୂଷା ବରାଟ ଗୁଞ୍ଜନିକର ମଧୁରେ ମତ୍ତ ଯେ ।

ମନ୍ତର ପଢ଼ି ଧୂଳି ଉଡ଼ାଇ

ଗଲେ ସେ ପଶୁପଦ ଗୋଡ଼ାଇ

ଧମନ ଚାପେ କାଣ୍ଡ ଚଢ଼ାଇ ଟାଙ୍ଗି ଗୃହୀତ ଯେ ।

ବ୍ୟାଧେ ବହିଣ ନଳ ତାଳତାଟିକି ଯେ ।

ନଳିଆଳିରେ ଘେନି ଅଠାକାଠିକି ଯେ ।

ବହି ବାଗୁରା କେ ତହିଁ ତ୍ୱରା

ବହୁତ ମୃଗ ଶାବକ ଧରା

ଶାଖା ବେଷ୍ଟନେ ବଲ୍ଲରୀ ପରା ଲଭି ଦୃଷ୍ଟିକି ଯେ ।୩ ।

 

 

କୁମର ବିଜେ ହୟ ପିଠିରେ

ତାକୁ ସମାନ ନାହିଁ ସୃଷ୍ଟିରେ

ଏମନ୍ତ ହୋଏ କବି ଦୃଷ୍ଟିରେ ସମ୍ଭାବ୍ୟ ତହିଁ ଯେ ।

ସୁବର୍ଣ୍ଣଜରୀକଶା ବାଖର

ପନ୍ନ ଡେଣା କି ବିସ୍ତାରେ ତାର

ଡେଇଁ ଯିବାକୁ ସପ୍ତ ସାଗର ଇଚ୍ଛା କମ୍ପାଏ ଯେ ।

ବୀରବଳକୁ ଲଂଘି ନ ପାରି ରହି ଯେ ।

ମେରୁ ମହୀରେ ବିଶିବ ଯେବେ

ଖୁରିବି ସ୍ଥାନ ନୋହିବ ତେବେ

ତା ଚୂର୍ଣ୍ଣ ଭାବି ରହିବାଠାରେ ଖୂର ମାଇଲା ଯେ ।୪ ।

 

 

ସଙ୍ଗେ ଥିବାର ତୁରଙ୍ଗବଂଶ

ପ୍ରଶଂସା ଆଉ କରିବା କିସ

ଜବକୁ ପବମାନ ସଦୃଶ ପୂର୍ଣ୍ଣ ଲକ୍ଷଣେ ଯେ ।

ହୋଇେଲ ବେଗବନ୍ତ ମାତଙ୍ଗ

ନ ଦିଶେ ସାଦି ସୁଉତ୍ତମାଙ୍ଗ

କୁସୁମଝରା ଏଥୁ ଉତ୍ତୁଙ୍ଗ ଅଟନ୍ତି ପୁଣ ଯେ

ଅତିଶୀଘ୍ରେ ରାଉତ ମାହୁନ୍ତଚୟ ଯେ ।

ବେଢ଼ି ବୀରକୁ କଲେ ଶୋଭା ଉଦୟ ଯେ ।

ପଦାତିପନ୍ତି ସଙ୍ଗେ ଧାଇଁଲେ

ରମ୍ୟ ବିପିନେ ଯାର ପାଇଲେ

ଅଦ୍ଭୁତ ଶୋଭାମାନ ଚାହିଁଲେ ତୋଷ ଉଦୟ ଯେ ।୫ ।

 

 

ନଥିଲା ହୋଇ ପାଦପ ତହିଁ

ଆଉ ଚଉଦ ଭୁବନେ ନାହିଁ

ମରିଚ ଅଳାଇଚ କକ୍କୋଳ ସଘନ ଯହିଁ ଯେ ।

ବୈଦ୍ୟେ ଭାବନ୍ତି ଔଷଧ ପନ୍ତି

ପ୍ରଭାରେ ଅତି ଥିବେ ଯେ ପ୍ରତି

ରଜନୀ ଏଥି ଚାନ୍ଦିନୀରାତି କାନ୍ତିକି ବହି ଯେ

ଫଳେ ହେଠ କମାଳୀ କୁମ୍ଭୀ ଜମ୍ଭୀର ଯେ ।

ଦିଶୁଛନ୍ତି ପ୍ରଣାମ କଲା ପ୍ରକାର ଯେ

ବାରମାସରେ ବିକାଶ ଜାତି

ନୀପ କୁଟଜ ସୁମନାପନ୍ତି

ହୃଦେ ହରଷ ଦେଖାଉଛନ୍ତି କି ନିରନ୍ତର ଯେ ।୬ ।

 

 

ସଫଳ ତହିଁ ଗୁଆ ନାରଙ୍ଗ

ଶ୍ରୀଫଳ ତୁଙ୍ଗ ସମାତୁଳଙ୍ଗ

ଲାଙ୍ଗଳୀ କରମଙ୍ଗାହିଁ ସଙ୍ଗ ବିପୁଳ ଭାବ ଯେ ।

ଶିଶୁଠାବରୁ ଜରତୀ ସରି

ସ୍ତନ ଶୋଭନ ଥିବାରୁ ଧରି

ଉତ୍‌ଫୁଲ୍ଲ ସ୍ତମ୍ଭ ଅଛି ଆଦରି ପୁନ୍ନାଗ ଧବ ଯେ ।

ଅଙ୍ଗବାସ ମାଧବୀ ସୁପରିମଳ ଯେ ।

ହୋଇ ପ୍ରସରୁଅଛି ମନ୍ଦ ଅନିଳ ଯେ ।

ବରାହଦାଢ଼ ନବମାଳିକା

ନୂତନ କରବୀର କଳିକା

ଯଥା ବାଳିକା ନଖମାଳିକା ମହାଉଜ୍ୱଳ ଯେ ।୭ ।

 

 

କୁଞ୍ଜକୁଟୀରମାନ ରୁଚିର

ଯୂଥିକା ମୋତିବିତାନ ଚିର

ପାନ ଖଦିର ଲବଙ୍ଗସ୍ଥିତ କି ମନୋହର ଯେ ।

ଦୀକ୍ଷା ବିହୀନ ଶିକ୍ଷା କନ୍ଦର୍ପ କେଳି ଯେ ।

ତାରା ବସନ୍ତି ପାରାବତହିଁ ଖେଳି ଯେ ।

ପକ୍ୱଣବାସ ଅଶୋକ ଡାଳି

ସ୍ତବକ ରବିଦ୍ୟୋତିରେ ଝଳି

ଭ୍ରମ କରିଣ ଶଶ ହରିଣ ସମ୍ବର ମିଳି ଯେ ।୮ ।

 

 

ଚନ୍ଦ୍ରିକା ଟେକି ନାଚନ୍ତି କେକୀ

ଉର୍ଦ୍ଧ୍ୱରୁ ଖସୁଚନ୍ତି ଚାତକୀ

ଯହିଁ ତମାଳ ତରକୁ ତର୍କି ଜଳଦ କରି ଯେ ।

ଅମ୍ଲାନ ଗୁଳ୍ମ ବଳ୍ମୀକ ମତ

କୁସୁମ ପୀତ ରଙ୍ଗ ଅସିତ

ଶ୍ରେଣୀଭୂତିରେ ସେ ପୁରୁହୂତ କୋଦଣ୍ଡ ପରି ଯେ ।

ମତ୍ତରଦ୍ୱିରଦ ନାଦ ଉଚ୍ଚରେ ଶୁଭି ଯେ ।

ଚମ୍ପା ସମ୍ପାତ ଶମ୍ଫାକୁ ସମ ଲଭି ଯେ ।

ବକୁଳ ମକରନ୍ଦ ବରଷେ ଡାହୁକ

କେ କା ବାଣୀକି ଘୋଷେ

ବକାଳୀ ଗତ ଆଗତବଶେ ସ୍ୱଭାବେ ଶୋଭି ଯେ ।୯ ।

 

 

ପ୍ରଫୁଲ୍ଲ ମଲ୍ଲୀବଲ୍ଲୀକା ମାନ

ତାରା ସହିତେ ନୀଳ ଗମନ

ଛିଡ଼ି ପଡ଼ିଲା ଧରା ଶୋଭନ ପରାୟେ ତର୍କ ଯେ ।

ଅନାଇ ତାହା ଅସିତ ନୀଳ-

ଦାସୀ ପ୍ରକାଶ ରଥାଙ୍ଗକୁଳ

ପ୍ରବେଶ ହୋଇ ମହା ବ୍ୟାକୁଳ ପକ୍ଷ ବିବେକ ଯେ ।

ଚାହିଁ ଚକୋର ଚାଣ୍ଡେ ଚକ୍ଷୁ ଯୁଗ୍ମକୁ ଯେ ।

ରଖେ ଚତୁରପଣେ କାନ୍ତ ଯୋଗକୁ ଯେ ।

ବାରୁଣୀ ପୁଷ୍ପବନ୍ତ ମନ୍ଦାର

ଦେଖି ଆନନ୍ଦ ଦିବାନ୍ଧକାର

ତରୁଦୋଳିକା ଆଦି ବିଚାର କଲେ ରଙ୍ଗକୁ ଯେ ।୧୦ ।

 

 

କିଂଶୁକ ଶୁକ ଯେ ବୃକ୍ଷେ ଥାଇ

ଭ୍ରମରେ ସେହୁ ଭ୍ରମ କରାଇ

ଚୂତପରାଗେ ସେ ଅନ୍ଧ ହୋଇ ହେଉଁ ପତନ ଯେ ।

ଜମ୍ବୁ ବିଚାରେ ଉଡ଼ିଣ ସେ ଯେ

ବିମ୍ବ ପାଶକୁ ବାହୁଡ଼ି ଲାଜେ

ଗଲାରେ ବୋଲି ଜମ୍ବୁକ ଗର୍ଜେ କରି ଲୋକନ ଯେ ।

ଚାହିଁ କସ୍ତୁରୀପଙ୍କେ ପଙ୍କିଲା ମହୀ ଯେ

ସଡ଼ି ପଡ଼ି ଏମନ୍ତ କୋକିଳ ଧ୍ୟାୟି ଯେ ।

ଆଷାଢ଼େ କରି ଏ ରସ ପାନ

କରଇ ମୁଁ ଯେ ପଞ୍ଚମଗାନ

ଏହା ଯା ଜାଣୁ ନାହାନ୍ତି ଆନ ମୋ ଭାଗ୍ୟେ ଏହି ଯେ ।୧୧ ।

 

 

ଡାଳିମ୍ବ ବୀଜେ ତଳ ଅବନୀ

ବୁଣିଲା ପ୍ରାୟ ମାଣିକଚୂନୀ

ଖଞ୍ଜନେ ମିଳୁଛନ୍ତି ଏ ଘେନି କରଣେ ସ୍ଥାନ ଯେ ।

ପଡ଼ି ଗୁଗଗୁଳ ଶାଳନିର୍ଯ୍ୟାସେ

ବଂଶ ଅନଳେ ଧୂମ ପ୍ରକାଶେ

ପୁଳିନ୍ଦ ଅଗ୍ନିଦେବାରେ ତ୍ରାସେ ସରଘାମାନ ଯେ ।

ଉଡ଼ୁଅଛନ୍ତି ଛାଡ଼ି ମଧୁକୋଷକୁ ଯେ ।

କରୀ ମଣ୍ଡଳୀ କରୁଛନ୍ତି ଘୋଷକୁ ଯେ ।

ଯେଣେ ତାହିଁଲେ ନବ ପାଟଳୀ

ଜୟନ୍ତୀ କୁରୁବକ ଶାଳ୍ମଳୀ

ପୁଷ୍ପିତେ କେନ୍ଦୁ ପଲ୍ଲବେ ଝଳି ସେହି ତ୍ରାସକୁ ଯେ ।୧୨ ।

 

 

କୃଷ୍ଣମଞ୍ଜରୀଗଣ ଚରମେ

ହଂସ ସରାଳୀ କାଳିନ୍ଦୀ ଭ୍ରମେ

ବିହାର କରୁଛନ୍ତି ଅଗ୍ୟମେ ସୁମନୋରମ୍ୟେ ଯେ ।

ବ୍ୟାଳେ ମୃଣାଳ ବୃଦ୍ଧି କରନ୍ତି

ହଂସ ସରାଳୀ କାଳିନ୍ଦି ଭ୍ରମେ

ବିହାର କରୁଛନ୍ତି ଅଗ୍ୟମେ ସୁମନାରମ୍ୟେ ଯେ ।

ବ୍ୟାଳେ ମୃଣାଳ ବୃଦ୍ଧି କରନ୍ତି

କଙ୍କ ନକୁଳ ଯେ ନ ଧରନ୍ତି

ପକ୍ଷୀ ଛାୟାକୁ ଡାଳେ ଧାମନ୍ତି ବିଡ଼ଳେ ଶ୍ରମେ ଯେ ।

ଅର୍କପାଷାଣମାନେ ସେ ବନକ୍ଷିତି ଯେ ।

ବଡ଼ ବଡ଼ ହୋଇଣ ପଡ଼ିଅଛନ୍ତି ଯେ ।

ମତ୍ତଗର୍ବିତ ସିଂହ ସ୍ୱଦେହ

ତହିଁ ଅନାଇ ଜାତ ସନ୍ଦେହ

ଆରମ୍ଭି ଆସୁଛନ୍ତି କଳହ ସ୍ୱ ନାଦେ ଅତି ଯେ ।୧୩ ।

 

 

ପତନ ଜାତିଫଳ ଅମୃତା

ପକ୍ୱବଦରୀ ଗଜ ମୁକୁତା

ବିବେକ ନ କରିଣ ମାଡ଼ି ତା ଗମିଲେ ସୈନ୍ୟ ଯେ ।

ଏଳାଦି ଭରଦ୍ୱାଜ ପତ୍ରରେ

ଚିତ୍ରିତ ପଥ କି ବିଚିତ୍ରରେ

ସର୍ବେ ପ୍ରଶଂସା କଲେ ଚିତ୍ତରେ ଏ ବନ ଧନ୍ୟ ଯେ ।

ଅତି ମୁଖଚହଳ ନିଶାଣଘାତେ ଯେ ।

ହେଲେ ଚକିତ ପଶୁ ପତଙ୍ଗ ଯେତେ ଯେ ।

ଛାଡ଼ୁଁ ସେ ବନ ସେ ବନଧର

ମାଡ଼ି ଆସିଲା ମଣି ସାଗର

ଅତ୍ୟନ୍ତ ଲୋଳ ପତାକା ଚୀର କଲ୍ଲୋଳ ପ୍ରତେ ଯେ ।୧୪ ।

 

 

କରୀ ମଣିଲେ ମକରୀ କରି

ତୁରଙ୍ଗ ତହିଁ ଶଫରୀ ପରି

କୂର୍ମ ସୁଚର୍ମ ସୁଷୁମ ଫରୀ ଉଷ୍ଣୀଷ ଫେନ ଯେ ।

କୃପାଣ ଝଟଝଟ ଝଟକ

ବହଇ ଯତ୍ନ ରତ୍ନ ଝଟକ

ଭ୍ରମ ପଦାତି ଭଉଁରୀ ଠିକବାଦ୍ୟ ବର୍ଣ୍ଣନ ଯେ ।

ପୂରି ଏସନ ସୈନ୍ୟ ସେ ମହାରଣ୍ୟ ଯେ ।

ପଞ୍ଚକୋଶ ମଧ୍ୟରେ ରଖିଣ ସ୍ଥାନ ଯେ ।

ଘଞ୍ଚରେ ଯାଇଁ ବାଡ଼ ବେଢ଼ାଇ

ଉଚ୍ଚରେ ବୃକ୍ଷେ ମଞ୍ଚା ବନ୍ଧାଇ

ଯନ୍ତା ବସାଇ ଟୋପ ଖୋଳାଇ ଜଗିଲେ ଜନ ଯେ ।୧୫ ।

 

 

ପଳାଉ ଜୀବେ ଯହିଁରେ ସ୍ଥିତି

ବହି ସେ ଦନ୍ତୀଦନ୍ତ ଆକୃତି

ତହିଁ ମର୍କତଶୀଳାର ଜ୍ୟୋତି ଯାଇଛି ନଭେ ଯେ ।

ଟେକି ଅଛି କି ଏଥିକି କର

ପିଇବ ଆଣି ସ୍ୱର୍ନଦୀ ନୀର

କରଟଦନ୍ତ କଟକେ ତାର ପେଚକ ଶୋଭେ ଯେ ।

ଧାତୁ ଧାରା ଶବଳମାଳା ସଦୃଶୀ ଯେ ।

ଜଳପ୍ରବାହ ଦାନଜଳ ବରଷି ଯେ ।

ପିପ୍‌ପଳ ଅଶନକୁ ଗୃହୀତ

କରି ସୁନ୍ଦୂରେ ତିଳକେ ଯୁତ

ଦିବସବନ୍ଧୁ ଯହିଁ ମାହୁନ୍ତ ପରାୟେ ଦିଶି ଯେ ।୧୬ ।

 

 

ସେ ଗ୍ରାବୁଁ ଜୀବ ସତ୍ତ୍ୱରେ କାଳୀ

ଦେଇ କୁହାଟ ଟମକ ଢାଳି

ଫିଙ୍ଗିଲେ ସାଦି କୁନ୍ତ ଶାବେଳୀ ବିନ୍ଧିଲେ ତୀର ଯେ ।

ପ୍ରତି ନଳୀରୁ ଗୁଳି ବାହାରି

ଧାଡ଼ି ଦେବାରେ ବାଜ ବଇରୀ

ମାଡ଼ି ବସିଲେ ପକ୍ଷୀ କି ଧରି କି ମନୋହର ଯେ ।

ଜାଲେ ପଡ଼ିଲେ ଆର୍ତ୍ତେ ପଶୁନିକର ଯେ ।

ଗର୍ଭେ ପଡ଼ିଲେ କେତେ କେତେ କୁଞ୍ଜର ଯେ ।

ମାରରେ ମାର ଏ ବୀର ଗିର

ପୂରିତ ହେଲା ଅମରପୁର

ସାଜିଲା ଅବା କେଉଁ ଅସୁର ଭାବିଲା ସୁର ଯେ ।୧୭ ।

 

 

ଭଲ୍ଲରେ ଭଲ ଭଲ୍ଲ ଭୂଷିଲେ

ମଲ୍ଲ ଯୁଝିଲେ ଶାର୍ଦ୍ଦୂଳ ତୁଲେ

ଖଡ଼ଗ ଚୋଟ ପରୀକ୍ଷା କଲେ ଖଡ଼ଗ ପରେ ଯେ ।

ଶରଭ ଶରଭରେ ବିନାଶି

ବାରଣ କଲେ ଭୂଦାର ନିଶି

ସୁଦାଢ଼ ଯମଦାଢ଼ ପ୍ରକାଶି ଅତି କୋପର ଯେ ।

ଛାଡ଼ିଶଲ୍ଲକିପଲ ଶ୍ୱାନ ହିଁ ହଂସେ ଯେ ।

ମହୀ କି ଲାଲ ଦିଶେ କୀଲାଲ ବଶେ ଯେ ।

ସର୍ବାଙ୍ଗ ରଙ୍ଗ କଲେ ଜନାଳି

ଗଜ ବରଛା କୁରଙ୍ଗ ନଳି

ଯାଗରେ ଫଗୁ ପିଚିକା ଖେଳ ଅତି ହରଷେ ଯେ ।୧୮ ।

 

 

କୁମର ରଚୁଁ ମୃଗୟା ରସ

ଳଭିଣ ତ୍ରାସ ପୁଛେ ମହୀଷ

ଅଛି କି ନାହିଁ ମୋର ଆୟୂଷ ବୁଝ ଜୀବେଶ ହେ ।

ଶଙ୍କର ଶଶାଙ୍କର ଉର

ବାତ ଉଶନ ଦୁର୍ଗା ପୟର

ବହିଲା ସେହି ଦଣ୍ଡକ ଧର ବର୍ଣ୍ଣିବା କିସ ଯେ ।

ସ୍ୱାମୀ କରଇ ତାର ସଖୀକି ସ୍ଥିର ଯେ ।

ଖଣ୍ଡା ଶବଦ ଅଛି କିଛି ନ ଡର ଯେ ।

ସର୍ବଜ୍ଞପଣେ ବିଧି ଶିଖାଇ

କରି କୁମର ଉଦନ୍ତ ତୁହି

ଲାବଣ୍ୟବତୀ ଛାମୁକୁ ଯାଇ ମରାଳବର ଯେ ।୧୯ ।

 

 

ମୃଗୟା ଶେଷ ଯୁବ ନରେଶ

ବାହୁଡ଼ି ହେଲେ ବସା ପ୍ରବେଶ

ମେଦ ବଣ୍ଟାଇ ମୋଦ ଅଶେଷ ସଚିବସୁତ ଯେ ।

କୋଷେ ରହିଲା ଗନ୍ଧମାର୍ଜାର

ବରାଙ୍ଗ ଗଜ ମୋତି ଚାମର

ଖଡ଼ଗପାତ୍ର ଦତ୍ତ ଭୂସୁରଗଣେ ସତ୍ୱର ଯେ ।

ତୋଷି ବୈଷ୍ଣବ ଦ୍ୱିପୀ ଅଜିନ ଦେଇ ଯେ ।

ଶିଶୁଲାଳସୀ ଲୋକେ କରଜ ନେଇ ଯେ ।

ବଜ୍ରକବଚ ଗଣ୍ଡକ ଜାତି

ଲଭେ ମାହୁନ୍ତ ରାଉତପନ୍ତି

ପଦଗ ପକ୍ଷଦାନେ ତୃପତି ବିଶେଷେ ହୋଇ ଯେ ।୨୦ ।

 

 

କରୀ-ଦଶନ ଲଭି ତକ୍ଷକେ

ଶୃଙ୍ଗ ପ୍ରଦାନ କୁନ୍ଦକାରକେ

ଚର୍ମକାରକୁ ଚର୍ମ ଉତ୍ସୁକେ ନିଅ ବବୋଇଲେ ଯେ ।

ବରାହ ଲୋମ ପାଟରା ଲୋକେ

ମୃଗନାଭିକ ପାଇ ବଣିକେ

ମନ୍ତ୍ରୀନନ୍ଦନ ଗୁଣ ଅଧିକେ ପ୍ରଶଂସା କଲେ ଯେ ।

ତହିଁ ନଳ ଗଉରୀ ଶଉରୀ ବିଧି ।

ପାକ ଲୋକ ନିଜର କରିଣ ସିଦ୍ଧି ।

ପ୍ରଭାତେ ସୈନ୍ୟ ସାଜି ଗମନ

ଶୁଭିଲା ଉଚ୍ଚେ ନାଗରାସ୍ୱନ

ଶ୍ରୀରାମ ନାମ ଉପେନ୍ଦ୍ର ବ୍ୟାଧି ଔଷଧି ଯେ ।୨୧ ।

 

ପଞ୍ଚବିଂଶ ଛାନ୍ଦ

ଲାବଣ୍ୟବତୀର ପତ୍ର ପାଠ ଓ ଉତ୍ତର ପ୍ରଦାନ

(ରାଗ-ଘଣ୍ଟାରବ)

 

ଫାଲ୍‌ଗୁନ ଶୋଭା ପ୍ରକାଶି

ଶିଶିରେ ବସନ୍ତ ମିଶି

ବାଳବାମାତନୁ ସୀମାକୁ ଆଶ୍ଲେଷ

ଯୌବନ କଲା କି ଆସି ।୧ ।

 

କୁଜଝଟି ରେଣୁ ବିହାର

କ୍ରମେ କ୍ରମେ ହେଲା ଦୂର

ନୂତନ ସ୍ତବକ ସ୍ତନ ଅଙ୍କୁରିଲା

ପିକବାଣୀ କି ମଧୁର ।୨ ।

 

କାନ୍ତି କେତକୀ ମାଧୁରୀ

ନିଆଳୀ କରଜ ପରି

ଡୋଳା ଚଞ୍ଚରୀକେ ଚଞ୍ଚଳ ଚାତୁରୀ

ଆଣିଲା ବିଶେଷ କରି ।୩ ।

 

କାମେ ଭୟ ଉପୁଜାଇ

ପୁନ୍ନାଗେ ଉତଫୁଲ୍ଲ ଦେଇ

ଦର ବିକଶିତ ମଲ୍ଲୀ ମୃଦୁହାସ

ପଲ୍ଳବ ଓଷ୍ଠ ଦେଖାଇ ।୪ ।

 

ଏକାଳେ ସିଂହଳ ଈଶ

ମତି କରି ଅତି ତୋଷ

ବୋଇତେ ଚାଳିଦେଲେ ଅନ୍ତଃପୁରସ୍ଥ

ରାମେଶ୍ୱରଦେବ ପାଶ ।୫ ।

 

ସେ ମହୀପତି କୁମାରୀ

ପରାବାର ହେଉଁ ପାରି

କି କରିବି ମୁହିଁ ନ ଗଲା ଏହି ଚିନ୍ତା

ସାଙ୍ଗସଖୀଙ୍କି ପଚାରି ।୬ ।

 

ଏକେତ ନଗର ଦୂର

ଦୂଜେ ସେ ନାଗରବର

ଯୁବାମଣି ଅବା ବିଜେ ନ କରିବେ

ସରିଲା ସଂସାର ମୋର ।୭ ।

 

ମୁଁ ଯେ ରାଜସୁତା ହୋଇ

ଦୁର୍ଲଭେ ମନ ବଳାଇ

ଆକାଶ ପ୍ରକାଶ ଚନ୍ଦ୍ର ଧରିବାକୁ

ନିଃଶ୍ରେଣୀ କାହିଁ ଖୋଜଇ ।୮ ।

 

ଏମନ୍ତ ବିଚାର ବେଳେ

କାମକଳା ଆସି ମିଳେ

ବୋଲେ ଦୀର୍ଘ ନେତ୍ରୀ ଏ ଯାତ୍ରା ଭିଆର

ତୋର ବିଭାହେବ ଛଳେ ।୯ ।

 

ପୂରିଲା କାମନା ତୋର

ବରିବୁ ମନକୁ ବର

ଚନ୍ଦ୍ର ଆନନୀ ଜନନୀ ଡାକି ମୋତେ

କହୁଥିଲେ ଏ ବିଚାର ।୧୦ ।

 

ଗଲା ପ୍ରତିବନ୍ଧୁ ସବୁ

ଆଉ କି ଚିନ୍ତାର୍ଥୀ ହେବୁ

ବାଳା ଗୁପ୍ତେ ମାଳା ଦେଲେ ପୁଂସବାହୁ

ଗଳାକୁ ମାଳକରିବୁ ।୧୧ ।

 

ଏକାଳେ ବହିତ୍ର ବେଳା

ଲଭିଲା ଆରୋହୀ ଦୋଳା

ଯିବାକାଳେ ବ୍ରହ୍ମଚାରୀ ସହଚରୀ

ହସ୍ତରେ ପତ୍ରିକା ଦେଲା ।୧୨ ।

 

ଦିବ୍ୟ ମନ୍ଦିରେ ଉତୁରି

ପଲ୍ୟଙ୍କେ ସବୁ ଚତୁରୀ

ଦ୍ୱିଦନ୍ତଗମନା କରେ ସେ ଉଦନ୍ତ

ଦେଲା ଯେ ହେମମଞ୍ଜରୀ ।୧୩ ।

 

ଦେଖିଲା ପଦ୍ମ ମଧ୍ୟର

ଦେଖିଲା କାଳୀ ଅକ୍ଷର

ପାରନ୍ଦ୍ରି ମଧ୍ୟା ପଚାରି ନ ପାରିଲା

ନ ଆସିବା ଆସିବାର ।୧୪ ।

 

ଏ ପାଞ୍ଚ ଦେଲା ପକାଇ

କାତର ଅନ୍ତର ହୋଇ

ବହୁତ ଦିନ ନଳିନ ହୋଇ

ଥିଲେ ମଳିନତା ଥାନ୍ତା ପାଇ ।୧୫ ।

 

ଅବନୀ ଶିରୀ ସୁନ୍ଦରୀ

ଈଶ୍ୱରୀ ନବ କିଶୋରୀ

ଲୀଳାବିଳାସୀ ଭୃତ୍ୟ ଚିତ୍ତଉଲ୍ଲାସୀ

ନାଗରୀ ସଂସାର ଶିରୀ ।୧୬ ।

 

ଆନନ୍ଦଦାୟିନୀ କାମେ

ଜ୍ଞାନହାରିଣୀ ତା ବାମେ

କୁନ୍ଦ ସୁନ୍ଦର ରଦନାକୁ ଚଉଦ

ବ୍ରହ୍ମାଣ୍ଡରେ ନାହିଁ ସମେ ।୧୭ ।

 

ତୋଷ ରାଜହଂସ ଚିତ୍ତ

ରହିଥିଲେ ଯହିଁ ସତ

ଜାଣୁ ଜାଣୁ ମଣି ମାନସରୋବରେ

ବରଷାରେ ଉପଗତ ।୧୮ ।

 

ହାଟଝଟକ ଦେହା

ଇନ୍ଦୁହାସୀ ଗୁରୁସ୍ନେହା

ଛାଡ଼ିବ ଗୁମାନ ମାନସୁଁ ମଦନ

ତୁ ହୋଇଲାକ୍ଷଣି ସାହା ।୧୯ ।

 

ତାରକାଶୋଭୀ ବାଳାକୁ

ହାର କରିବି ଗଳାକୁ

କରିଛି ମନେ ଗୁଣବନ୍ତ ମାଳିକା

ରତନ ରସକାଳକୁ ।୨୦ ।

 

ରଘୁନାଥଙ୍କୁ ଜଣାଇ

ଏତେ ପଢ଼ିଦେଲା ଚାହିଁ

ଅନ୍ତରଲିପିରେକି ମନ୍ତର ଏଥି

ରସିକ ଅଛିକି ଲିହି ।୨୧ ।

 

‘‘ଅଇଲି ଆଜ୍ଞାକୁ ତୋର

ଯାହା ଇଚ୍ଛା ତାହା କର’’

ପାଦୁଁ ପାଦୁଁ ବର୍ଣ୍ଣେ ବର୍ଣ୍ଣେ ଘେନି

ହେଳଶ ଘନଜଘନା ଜର୍ଜ୍ଜର ।୨୨ ।

 

ସଖୀଙ୍କି ଜଣାଇ ଦେଲା

ଚିଟାଉ ରଚନା କଲା

ଚତୁରୀ ଗୁରୁଚେଟିନୀ ଜଣେ ଘେନି

ଶିବ ମନ୍ଦିରକୁ ଗଲା ।୨୩ ।

 

ଏକାଳେ କୁମରବର

ପ୍ରବେଶ ପ୍ରାସାଦ ଦ୍ୱାର

ଚାହିଁ ବିଚାରଇ ମେରୁ ଏ ଉରଜ

ପରା ଧରାବନିତାର ।୨୪ ।

 

ମନ୍ଦାକିନୀଧାର ହାର

ଶୋଭା କରୁଛି ଅମ୍ବର

ବିଚିତ୍ର ଚିତ୍ରଚନ୍ଦ୍ରାଲେପ ଉଜ୍ଜ୍ୱଳ

ଦରଶନେ ମନୋହର ।୨୫ ।

 

ତହୁଁ ଭିତରକୁ ଗଲା

ହର ଦରଶନ କଲା ।

ଚମ୍ପାଗୋରୀ ଅନୁକମ୍ପା କରିବାକୁ

କେତେ ଚମ୍ପା ଚଢ଼ାଇଲା ।୨୬ ।

 

କୁମର ତହୁଁ ବାହାରି

ଆଗେ ଅଛି ବ୍ରହ୍ମଚାରୀ

ଉମା ଦରଶନେ ବାଳାବାମା ଦେଲା

କେତକୀ ପ୍ରସାଦ କରି ।୨୭ ।

 

ଘେନିଲା ହୃଦେ ଲଗାଇ

ମୁଦେ ଅକ୍ଷରକୁ ଚାହିଁ

ଉଲ୍ଲସି ହୋଇ ଉଠିଲା ଲୋମ ତା’ର

ଏତିକି ହୋଇଲା କହି ।୨୮ ।

 

ଶ୍ରୀକଣ୍ଠ ଅନ୍ଧକଘାତୀ

ଗଙ୍ଗାଧର ମୁକ୍ତାକାନ୍ତି

ଅଙ୍କର ଖଟ୍ୱାଙ୍ଗ ଲୁବ୍‌ଧ ଉମାରସେ

ଛିଦ୍ରେ-ଶୟଭୂଷ ପ୍ରୀତି ।୨୯ ।

 

ଅଛି ପତ୍ର କରେ ଧରି

ମଣ୍ଡିଲା କରି ଅମାରୀ

ଶିଶୁ ଅଙ୍ଗନା ସେହିଠାରୁ ବାହୁଡ଼ି

ପରବେଶ ଅନ୍ତଃପୁରୀ ।୩୦ ।

 

ଲେଖି ବିଧି ଦେବା ତହିଁ

ସମସ୍ତ ସଖୀଙ୍କ କହି

ପତ୍ର ପାଇବାରୁ ଯେମନ୍ତେ ବୋଇଲା

ପୁଲକାଇ ଦେଇ ଦେହୀ ।୩୧ ।

 

କେ ବୋଲେ ସୁବର୍ଣ୍ଣ ଚାହିଁ

ମାର ଥିବ ତନୁ ଦେହି

ସେ ତାପ ହରଣେ ହରନାମମାନ

ବିଶେଷରେ ହେଲା କହି ।୩୦ ।

 

କେ ବୋଇଲା ଏଥେ ଅଛି

ଶ୍ରୀଅଙ୍ଗ ମୁଁ ସଙ୍ଖାଳୁଛି

ସମସ୍ତେ ଘେନିଲେ ଏହି ଭାଷା

ତାର ରସାନୁଭବୀ ହୋଇଛି ।୩୩ ।

 

ଭାଗ୍ୟେ ଆମ୍ଭ କୋମଳାଙ୍ଗୀ

ହୋଇଛି ତା ପ୍ରାଣସଂଗୀ

କୋପକଲାବେଳେ କୋପନା

ନାମରେ କହୁଥିବ ଦେଇ ଭଙ୍ଗୀ ।୩୪ ।

 

ଏମନ୍ତ ନୃପ ନନ୍ଦନ

ପ୍ରବେଶ କେଶର ବନ

ମଣ୍ଡନ କରି ମଣ୍ଡପ ଘେନେ

ବାଳା ପତ୍ର ପଢ଼ି ପୁନଃ ପୁନଃ ।୩୫ ।

 

ହେ ପ୍ରଭୋ ଆମ୍ଭ ସଜନୀ

ସୁନ୍ଦର ରାକା ରଜନୀ

ଏ ପୁର ଆକାଶ ପ୍ରକାଶ ଲଭିଲା

ତୁମ୍ଭେ ଚନ୍ଦ୍ରହେବା ଘେନି ।୩୬ ।

 

ହୃଦକୁମୁଦ ଏହାର

ଆଗୁଁ ତ ଉତ୍‌ଫୁଲକର

ଏ ନିଶା ଲୋଚନ ଚକୋର ତୃଷାକୁ

ବିଳମ୍ଭ ନ କରି ହର ।୩୭ ।

 

ବିଧାତା ବିଧାନ ଏହି

ଶ୍ୟାମା ଭାବନା କରଇ

ସଙ୍ଗେ ସଙ୍ଗେ ତୁମ୍ଭେ ନଗରଚରମ

ନଗକୁ ମଣ୍ଡିବ ଯାଇ ।୩୮ ।

 

ପଢ଼ି ଜର ଜର ହୋଇ

ବୋଇଲା ମିତ୍ରଙ୍କୁ ଚାହିଁ

କେମନ୍ତ ସନ୍ଦର୍ଭ ରସଗର୍ଭଭାଷ

ବାଳାମଣିଠାରେ ଥାଇ ।୩୯ ।

 

ଚତୁରୀଗୁଣରେ ଦେଖ

ସଖୀଏ ସୁନ୍ଦରୀ ଯୋଖ

ଏଥି ଭୃଙ୍ଗ ସଙ୍ଗ ଦୁର୍ଲଭ ବୋଲିଟି

ଳେଖିଲେ କେତକୀ ଲେଖ ।୪୦ ।

 

ସଖା କହେ ଶଙ୍କା ଏତେ

କରନ୍ତି ତାତ ସମ୍ମତେ

ଶୁକ ପଚାରୁ ସାକ୍ଷାତ ହୋଇବାକୁ

କେଉଁ ସ୍ଥାନରେ କେମନ୍ତେ ।୪୧ ।

 

ବାମେ ବାମାବର ସ୍ଥିତି

ଦକ୍ଷିଣେ ଲକ୍ଷ୍ମଣ ଯତି

ମଧ୍ୟେ ବିଜେ ଯେଉଁ ଶ୍ୟାମଳ ସୁନ୍ଦର

ତାଙ୍କୁ ଉପଇନ୍ଦ୍ର ଚିନ୍ତି ।୪୨ ।

 

ଷଡ଼ବିଂଶଛାନ୍ଦ

ଚନ୍ଦ୍ରଭାନୁଙ୍କର ସ୍ତ୍ରୀ ବେଶରେ ସାକ୍ଷାତ ଓ

ସିଂହଳ ମନ୍ତ୍ରୀ ଉତ୍ସବ ସ୍ଥାନକୁ ଗମନ

(ରାଗ-ଚିନ୍ତା ଦେଶାକ୍ଷ)

ପଙ୍କଜ ବଦନେ ଲୁଳେ କଜ୍ଜଳ ଜଳେ-ବାଣୀ

 

ମେଧାବିନୀ ପୁଣି ଗତି ଅନ୍ଥଃପୁରୀକି ।

ଭେଟିଲା ରାଜକୁମାରୀ ସୁକୁମାରୀକି ।୧ ।

 

ପଚାରିଲା ପ୍ରିୟ ସହଚରୀ କି ତହିଁ ।

ସାକ୍ଷାତ ଦର୍ଶନ ହେବ କେମନ୍ତେ ହୋଇ ।୨ ।

 

ବିଚାରି ମନ୍ତ୍ରୀନନ୍ଦନା କଲା ଉତ୍ତର ।

ନାରୀବେଶ ଧରିବେ ମଦନ ସୁନ୍ଦର ।୩ ।

 

ନାରୀବେଶ ବୋଲି ଏତେମାତ୍ର କରିବେ ।

ତଳକୁ ସେ କୋମଳ ବାଳକୁ ବାନ୍ଧିବେ ।୪ ।

 

ନୀଳନିଚୋଳ ଓଢ଼ଣି ଥିବେ ସର୍ବାଙ୍ଗେ ।

ଚାଳିବେ ବାମାଚରଣ ଚାଲିଲେ ଆଗେ ।୫ ।

 

ମଞ୍ଜୁ ମଞ୍ଜିରେ ଖଞ୍ଜିବେ ସୁରଙ୍ଗ ପାଦେ ।

ଦ୍ୱାସ୍ଥେହେବ ନାରୀଭ୍ରମ ଏତେକ ଉଦେ ।୬ ।

 

ଚତୁରାବନ୍ଧୁ କାମିନୀବୃନ୍ଦରେ ମିଶି ।

ହେଜିଥିବେ ଯିବାବେଳକୁ ପଶି ।୭ ।

 

ଜେମା ଦରଶନବେଳେ ରାମା ମାତର ।

ପୂରଥିବେ ସିନା ସେ ପ୍ରସାଦ ଭିତର ।୮ ।

 

ସ୍ୱରୂପେ ଆମ୍ଭଙ୍କୁ ଦେଖାଦେଇ ତାରିବେ ।

ଆସିବା ବେଳକୁ ଏହି ବିଧି କରିବେ ।୯ ।

 

କୀର ଭାଷେ ଯାହା ବୋଲେ ଜୀବନ ଦେବ ।

ନାରୀବେଶେ କିମ୍ପା ଅଙ୍ଗୀକାର ନୋହିବ ।୧୦ ।

 

ତରୁଣମଣୀ ତରୁଣୀ ନୋହିବ ତେବେ ।

ପୁରୁଷ ହୋଇ ଶୁଝିବ ଭାବେ ସ୍ୱଭାବେ ।୧୧ ।

 

ବୀଣାଭାଷୀ କିଣା ସିନା ତରୁଣବର ।

ତାହା ଊଣା ଅଧିକେ କରୁଣା ଏହାର ।୧୨ ।

 

ରାମନାମ କବଚରେ କବଚି ଦେହୀ ।

ଫୁଲବାଣ ବାଣଗଣ ସେ ପୁଣ ସହି ।୧୩ ।

 

ବାତ୍ସାୟନ ଋଷି ଅନୁଷ୍ଟୁପ ଛନ୍ଦରେ ।

ରତି ବୀଜ ମହାଦେବ ଦେବତା କରେ ।୧୪ ।

 

ବୋଲେ ମୁଖରଖ ଚନ୍ଦ୍ରଜିତ ବଦନା ।

ତରଙ୍ଗନେତ୍ରୀ ମୋ ନେତ୍ର ସମ୍ପତ୍ତି ସିନା ।୧୫ ।

 

କୋକିଳବଚକୁ ପଦେ ଶ୍ରବଶ ଛୁଇଁ ।

ଅଧର ଧରି ଅରୁଣାଧରୀ ବୋଲଇ ।୧୬ ।

 

କମ୍ବୁକଣ୍ଠୀ ମୋର କଣ୍ଠମାଳାର ବତ ।

ବୋଲି କଣ୍ଠ ଛୁଇଁଦେଇ ଭାବ କେମନ୍ତ ।୧୭ ।

 

ନାସିକାକୁବୋଲେ ଅତି ତୋଷିବା ତୋର ।

ରାସରାଜ ପୁରବାସୀ ରସିକାବର ।୧୮ ।

 

ହୃଦୟରେ କର ଭୂଷା ଉଦୟ କରି ।

ନୀରଜକଢ଼ି ଊରଜ ରକ୍ଷା ତୋହରି ।୧୯ ।

 

ମଧ୍ୟେ ସିଂହମଧ୍ୟମା ରମ୍ଭୋରୁ ଊରୁରେ ।

ଭୁଜେ ବିସଭୁଜ ଧନୁଭୂରୁ ଭୂରୁରେ ।୨୦ ।

 

ଉଦରେ କୃଶଉଦରୀ ପଦ କହଇ ।

ପକ୍ଷୀ ଜନ୍ତୁ ସିନା କେତେ କହିବି ମୁହିଁ ।୨୧ ।

 

ମନ୍ତ୍ରୀଜା ବୋଇଲା ସେ ପୁରୁଷ ଭ୍ରମର ।

ଅଧିକା ହେଲା ଏମନ୍ତ ହେବା ତାଙ୍କର ।୨୨ ।

 

ପଲ୍ଳବ ବିକାଶ ଏହା ଭ୍ରମର ପାଇଁ ।

ଆମ୍ଭ ସଖୀ ବେଦନା କି ହୋଇବ କହି ।୨୩ ।

 

ପଲ୍ଳବ ଶେଯରେ ଶୁଆଇବା ବେଳରେ ।

ସନାଳ କମଳ ଯେଉଁ ହୃଦୟସ୍ଥଳରେ । ୨୪ ।

 

ବୋଲଇ ନୁହଇ ଆନ ବହିଛି ବିହି ।

ମଙ୍ଗଳ ଗ୍ରହ ସର୍ବଦା ଶୁଭଦ ନୋହି ।୨୫ ।

 

ତପସ୍ୟା କି କେବେ ହୋଇଅଛି ବିଫଳ ।

ଉପଚାର ସୁବାହୁ ସନାଳ କମଳ ।୨୬ ।

 

ସବୁ ଉପଚାର ଏହି ପ୍ରକାରେ ବ୍ୟର୍ଥ ।

ଏ ତାପ ନାଶନେ ଏକା ବୀର ସମର୍ଥ ।୨୭ ।

 

ଆଜ ରଜନୀରେ କରାଇଁବୁ ସାକ୍ଷାତ ।

ଏତେବେଳ ଯାଏ ଥିଲା ଆମ୍ଭ ଆୟତ୍ତ ।୨୮ ।

 

ଏଣିକି ଏଣୀନୟନା କରମେ ଯାହା ।

ଧାତା ଲେଖିଥିବ ଭୋଗ କରିବ ତାହା ।୨୯ ।

 

ଶୁକ ବୋଇଲା ସୁକର୍ମବନ୍ତ ଏ ବେନି ।

ଦେଖ ତାତ ସନମତ ହେବ ଏ ଘେନି ।୩୦ ।

 

ଏତେ କହି ଫଳାଶନ ମେଲାଣି ହେଲା ।

କୁମାର ଛାମୁରେ ଯାଇଁ ସବୁ କହିଲା ।୩୧ ।

 

ସିଂହଳେଶ୍ୱର ମନ୍ତ୍ରୀକି ପ୍ରେଷିତ କଲେ ।

ସେ ଆସି ଯୁବା ନରେଶ ଘେନିଣ ଗଲେ ।୩୨ ।

 

ରାଜା ସଙ୍ଗେ ସଙ୍ଗ ହୋଇ ସୁନ୍ଦରଈଶ ।

ପ୍ରସାଦେ ଉତ୍ସବସ୍ଥାନେ ହେଲେ ପ୍ରବେଶ ।୩୩ ।

 

ନୃପତିସମୂହ ରୁଣ୍ଡୀଭୂତ ସେଠାରେ ।

ଚୋଳ କୁନ୍ତଳ କେରଳ ମହ୍ଲାର ।୩୪ ।

 

ମତ୍ସ୍ୟ କଚ୍ଛ ଡାହାଳ କୁଶଳ ଚୋଡ଼ଙ୍ଗ ।

ବିଦେହ ବିଦର୍ଭ ଅଙ୍ଗ ବଙ୍ଗ କଳିଙ୍ଗ ।୩୫ ।

 

ମଗଧ ନିଷେଧ ମହାରାଷ୍ଟ୍ର ଶ୍ରୀହଟ୍ଟ ।

ରାଜୁରାତି ନିହୁତି ମାଳବ ସୌରାଷ୍ଟ୍ର ।୩୬ ।

 

କମ୍ବୋଜ ଲାହୁର ଚେଦି ଭୋଟ ଦ୍ରାବିଡ଼ା ।

ମରୁ ନେପାଳ ଉତ୍କଳ ଲୋମଶ ଗୌଡ଼ା ।୩୭ ।

 

ରାଜାଏ ବୀରକୁ ଦେଖି କଲେ ପ୍ରଂଶସା ।

ଛାଡ଼ିଲେ ଲାବଣ୍ୟବତୀ ଲଭିବା ଆଶା ।୩୮ ।

 

ଯେମନ୍ତ ଉତ୍ସବ ହୋଇଅଛି ସେ ସ୍ଥାନ ।

ନାହିଁ ନଥିବ ନୋହିବ ଏ ଅନୁମାନ ।୩୯ ।

 

ତମୋନୁଦ ପ୍ରଦୀପର ଗଣନା ନାହିଁ ।

ଚନ୍ଦ୍ର ଉଦିଆ ପ୍ରକାଶ ବିଶେଷ ତହିଁ । ।୪୦ ।

 

ସେହି ଆଲୋକରେ ଅବା ତାମସୀ ନିଶି ।

ଚାନ୍ଦନୀ ରାତିକି ସବୁ ପ୍ରକାରେ ହସି ।୪୧ ।

 

ବାଣଗଣ କିରଣେ ଶୋଭିତ ତାରା ।

ବିଧୁକୁ ଖୋଜନ୍ତି ଯୁଦ୍ଧ କରିବେ ପରା ।୪୨ ।

 

ମୁଖର ମୁଖରବରେ ଭାଷେ ସାଗର ।

କେଉଁ ସିନ୍ଧୁ କଲା କି ପ୍ରଳୟ ସଂହାର ।୪୩ ।

 

ତୂରନାଦେ ଲଙ୍କା ପୁରବାସୀ ଆତୁର ।

ଚିତ୍ତେ କରି ହନୁମନ୍ତ ରଡ଼ି ପ୍ରକାର ।୪୪ ।

 

ରାଜସୂୟ ଯାଗ ପରି ସେଠରେ ।

ଜନଗହଳରେ ହୋଇଅଛି ସୁନ୍ଦର ।୪୫ ।

 

ନଟ କରେ ନାଟ ନାଟ ହଟ କରାଇ ।

ରାଟଠାରୁ ପାଟଶାଟୀ ବରାଟ ପାଇଁ ।୪୬ ।

 

ଭାଟ କବିତ୍ୱ ପଟଳେ କହନ୍ତି କୀର୍ତ୍ତି ।

ସାଧୁ ବିଧୁଶେଖରଙ୍କୁ କରନ୍ତି ସ୍ତୁତି ।୪୭ ।

 

ଥୋଣ୍ଟେ ଖଣ୍ଟ ପରକଟ ନିକଟ ହୋଇ ।

କଳକଣ୍ଠି କଣ୍ଠ କରେ ନିଏ ଛିଣ୍ଡାଇ ।୪୮ ।

 

ନଟ ବିଟପୀଙ୍କି ନେତ୍ରନ୍ତରେ ଠାରନ୍ତି ।

ଗଣିକାକୁ ଧନିଏ ସୁବର୍ଣ୍ଣ ଦେଖାନ୍ତି ।୪୯ ।

 

ଦୁଷ୍ଟନଷ୍ଟ ବ୍ୟୁହ କଳହରେ ଉନ୍ମତ୍ତ ।

କୁଳକା ହଟ ବିଷୋଦ କରେ ଉଦିତ ।୫୦ ।

 

ପାଟରାପଟଳ ନାନାବାଟେ ଭ୍ରମନ୍ତି ।

ପାଟ କୁହାଟରେ କ୍ରୟ ବିକ୍ରେ କରନ୍ତି ।୫୧ ।

 

କାନ୍ତକଟୀବାସ ଧଟୀ ଦୃଢ଼ରେ ଧରି ।

ଖର୍ବଟକ ନାରୀଚୟ ବିହାର କରି ।୫୨ ।

 

କଟକନାରୀ ଛଟକ କହି ନୁହଇ ।

ହାସଝଟକେ ନିଅନ୍ତି ମନକୁ ମୋହି ।୫୩ ।

 

ଯଜମାନ ଦ୍ୱିଜମାନେ ଘେନି ଗମନ୍ତି ।

ହର ଦରଶନରେ ଉଚ୍ଛନ୍ନ ହୁଅନ୍ତି ।୫୪ ।

 

ଯୁବା ପୁରୁଷ ସୁନ୍ଦରୀ ଯୁବତୀ ଚାହିଁ ।

ପଛେ ଗୋଡ଼ାଇ ମଦନେ ହୁଅନ୍ତି ମୋହି ।୫୫ ।

 

କେ କାହାକୁ ନିଷେଧ ସେ ନୋହେ ବିହିତ ।

ହର ଦରଶନେ ଆସି କର ଦୁରିତ ।୫୬ ।

 

ଯେ ଯାହାକୁ କାଳାନ୍ତରେ ଦେଖି ନଥିଲେ ।

ସେହି ସମୟରେ ଚତୁରାକ୍ଷ ହୋଇଲେ ।୫୭ ।

 

ବସନ ଭୂଷଣ ଯେ ଯାହାର ସଞ୍ଚିତ ।

ସେ ଦିନ ହୋଇ ଅଛନ୍ତି ସର୍ବ ଭୂଷିତ ।୫୮ ।

 

ହାଟର ଝଟକ କହିବାର ନୁହଇ ।

ଜନନୀ ଜନକ ଛାଡ଼ି ସବୁ ମିଳଇ ।୫୯ ।

 

ଉରଜ କୁମ୍ଭକାରକ ନାରୀ ବିବେକୀ ।

ଲୁଚାଇ ଉରଜ କୁମ୍ଭ ସଂପୁଟି ବିକି ।୬୦ ।

 

ଚନ୍ଦ୍ରଚାମରୀ ସୁନ୍ଦୂର ବିକନ୍ତି ଯହିଁ ।

ନାଗର ପୁରୁଷେ ତାକୁ ଭଙ୍ଗିରେ କହି ।୬୧ ।

 

ହାସ କେଶ ଅଧରେ ଦେଖାଇ ଅଙ୍ଗୁଳି ।

ଏହାଛଡ଼ା ଏହା ବିକି କିପାଇଁ ବାଳି ।୬୨ ।

 

ଗୁଡ଼ାକାର ବାଳୀଙ୍କ ପସରା ସନ୍ନିଧେ ।

ଶିତାରୁ ସ୍ୱାଦୁ ଅଛିକି ପୁଚ୍ଛନ୍ତି ବୁଧେ ।୬୩ ।

 

ସେ ବୋଲନ୍ତି ଅଛି ଏ ପ୍ରବାଳ ମଧ୍ୟରେ ।

ତେମନ୍ତ ସ୍ୱାଦୁ ପଦାର୍ଥ ନାହିଁ ବଧୁରେ ।୬୪ ।

 

ବର୍ଣ୍ଣିଲେ ତ ସରିବାର ପ୍ରସଙ୍ଗ ନୋହି ।

ଚରିତ୍ରମାତ୍ରକ କୀଛି ବୋଲାଇଁ କହି ।୬୫ ।

 

କୁମାରୀ ଦର୍ଶନକୁ ଉଚ୍ଛନ୍ନ କୁମର ।

ମନକୁ ମନ୍ଥନ ତାର କରଇ ମାର ।୬୬ ।

 

କେଶରବନକୁ ସେ ଗମନ ତ୍ୱରିତ ।

ସିଂହଳେଶ ପାଶେ ମନ୍ତ୍ରୀସୁତ ପ୍ରେଷିତ ।୬୭ ।

 

ସେ ଯାଇଁ କହିଲା ରାଜ୍ୟ କର୍ଣ୍ଣାଟପୁରେ ।

ଅନ୍ତଃପୁରନାରୀଛନ୍ତି ବୀର ସଙ୍ଗରେ ।୬୮ ।

 

ସେ ଦରଶନ କରିବେ ନୃପତି ।

ପରୀକ୍ଷା ହକାରୀ ଆଜ୍ଞା ଦେଲେ ତଡ଼ତି ।୬୯ ।

 

ଯେତେବେଳେ ଅବରୋଧ ଦର୍ଶନହେବ ।

ଏହାଙ୍କ ଅନ୍ଥଃପୁରସ୍ଥଗଣ ଛାଡ଼ିବ ।୭୦ ।

 

ବୀର ପାଶେ ଆଗମନ ସଚିବ ସୁତ ।

କହିଲା ନୃପତି ସୀଉକାର ଉଦନ୍ତ ।୭୧ ।

 

ମାଳିକ କାମିନୀଗଣ ସଙ୍ଗ ବିଚାରି ।

ରତ୍ନମୟ ହାନ୍ଦୋଳା ଆରୋହଣ କରି ।୭୨ ।

 

ପ୍ରବେଶ ହେଲେ ଦେଉଳ ପଶ୍ଚିମଦ୍ୱାରେ ।

ବେତ୍ରକ ନିଷେଧ କରିଦେଲେ ସତ୍ୱରେ ।୭୩ ।

 

ସେ ଚାରିମିତ୍ର ପ୍ରକାର ଅନ୍ତରେ ରହି ।

ରାଜଜେମା ବିଜୟପଥକୁ ଅନାଇଁ ।୭୪ ।

 

ଏକାଳେ ନୃପ ଆଜ୍ଞାରେ କୁମାରୀ ବିଜେ ।

ପୁରଦ୍ୱାରେ ନାନାବିଧି ବାଦ୍ୟ ହିଁ ବାଜେ ।୭୫ ।

 

ସୁଖାସନ ବେଢ଼ି ପରୀଚାରୀ ନିକର ।

ଚଳାନ୍ତି ମୟୂର ପୁଚ୍ଛ ଖଦି ଚାମର ।୭୬ ।

 

ଚନ୍ଦ୍ରସୂର୍ଯ୍ୟ ତାରାସୁତ ଉହାଡ଼ି କଳା ।

ନୀଳଗିରି ଦରୀରୁ କି ବିଜେ କମଳା ।୭୭ ।

 

ଯେତେ ନକଟେ ବାଜଇ ବାଦ୍ର ନିସ୍ୱନ ।

ତେତେ ସଜାଡ଼ି ବିନ୍ଧୁଛି ଶର ମଦନ ।୭୮ ।

 

ତେତିକି ମନ ଆନନ୍ଦ ବୃଦ୍ଧି ହେଉଛି ।

ଉଚ୍ଛନ୍ନ ସରିତ ଉତ୍କଟକୁ ପାଉଛି ।୭୯ ।

 

ପୟେକାର ମୁଦୁସୁଲୀ କଞ୍ଚୁକୀ ନିକର ।

ଆଡ଼ହୋ ଆଡ଼ୋହ ଡାକେ କରି କାତର ।୮୦ ।

 

ମଣିମା ଡାକ ଅଣମା ସୁଖଦାୟିନ ।

ପ୍ରବେଶ ପଶ୍ଚିମଦ୍ୱାରେ ହାନ୍ଦୋଳାମାନ ।୮୧ ।

 

ଘଣ୍ଟିନାଦେ କର୍ଣ୍ଣଟେକେ ଯେମନ୍ତେ ମୃଗ ।

ତତ୍ପରା ବୃଦ୍ଧି ନୃପତିସୁତଉଦ୍‌ବେଗ ।୮୨ ।

 

ମନରେ ଭାବନା କରି ଧନ୍ୟ ଏ ନିଶି ।

ଯେଣୁ ଏ କଳାପ୍ରବୀଣା ମୋ ମନ ତୋଷି ।୮୩ ।

 

ଚତୁରଦଶୀର ନିଶି ହୋଇ ତରୁଣୀ ।

ଦୂତି ହୋଇ ଭେଟାଉଛି ନବ ତରୁଣୀ ।୮୪ ।

 

ବିରହୀ ବତ୍ସଳା ସବୁକାଳେ ଦରଶ ।

ତାଙ୍କୁ ଚନ୍ଦ୍ରତାପେ ବୋଳି କରେ ବିନାଶ ।୮୫ ।

 

ପୂର୍ଣ୍ଣ ପକ୍ଷଦିନ ବୋଲି ଏ ପୂର୍ଣ୍ଣପକ୍ଷ ।

ମୋତେ କଲା ଦେଖି ଅତି ଦୀନ ଅରକ୍ଷ ।୮୬ ।

 

ରାମ ଜାଣେ ଯେତେସୁଖ ଜାତ ଏକାଳେ ।

ସୀତା ମାଳ ଘେନି ବର ଆସିବା ବେଳେ ।୮୭ ।

 

ଉପଇନ୍ଦ୍ର ବୀରବର ତାଙ୍କ କୋୟର ।

ଏଣୁ ହେଲା କିଛି ବର୍ଣ୍ଣିବାକୁ ଗୋଚର ।୮୮ ।

 

 

ସପ୍ତବିଂଶ ଛାନ୍ଦ

ଲାବଣ୍ୟବତୀ ସ ଚନ୍ଦ୍ରଭାନୁର ଦେବାଳ୍ୟରେ ସାକ୍ଷାତ

(ରାଗ-ବସନ୍ତବରାଡ଼ି)

 

ବିରଞ୍ଚି ରଚିଛି ଏ ସଂସାର ସାର ସୁନ୍ଦରୀଯାକ ଏକକରି ।

ଶ୍ରୀଧାମ ମୁଖ ସ୍ୱଭାବେ ରାଗଲତା ସୁକାନ୍ତିରେ କରି ଗଉରୀ ।

ସର୍ବଦା-

ସୁଭଦ୍ରା ସେ ଯେ ମନ୍ଦୋଦରୀ ।

ଗମ୍ଭାଊରୁ ସୀତା ମଧୁରବଚନା ତାରାତନୁ କରେ ମାଧୁରୀ ।୧ ।

 

ପଲ୍ୟଙ୍କ ଅଙ୍କରୁ ଉତୁରୀ ଝଲକି ଏମନ୍ତ ଚତୁରୀ ରତନ ।

ଋଷି ବସିବେ ସଂସାର କରିବାକୁ ଯୋଗ ହେଲେ ନେତ୍ର ପତନ

ଭାଳିବେ ।

ଏ ଚତୁରୀ କାମକତୁରି

ନାଗରୀ ନାମରିପୁମଧ୍ୟା ମଞ୍ଜୁଳ ନଗରୀ ସୁରସ ସାଗରୀ ।୨ ।

 

ଅବନୀବନିତା ମଘବାପଦକୁ ପଦକୁ ଚାଳିବାରେ ଦେଇ ।

କିଙ୍କିଣୀ କିଣିକିଣି କି ଅଣିମାଦି ସୁଖଶ୍ରୁତିକି ଦେବା ପାଇଁ ।

ଡାକିଲେ ।

ହଂସକେ ହଂସ କେ ସମାନ

କର ଏ ଗିତିକି ସମର ଦ୍ୱିରଦ ମଦ କରଇ ଯେ ମର୍ଦ୍ଦନ ।୩ ।

 

ଅତନୁ ସ୍ୟନ୍ଦନ ଚନ୍ଦନ ଶୀତଳ ତନୁକୁ ରଞ୍ଜାଇ ।

ପହଣ୍ଡ ମଣାଇ ସଙ୍ଗୀତ ପ୍ରବୀଣା ସଙ୍ଗିନୀଏ ବୀଣା ବଜାଇ ।

କୁମାର ।

ଥିବା ସ୍ଥାନକୁ ଅନୁସରି ।

ଶୋଭାଙ୍ଗୀକି ପାନ ଭାଙ୍ଗି ଦେଇ ମନ ତୋଷୁଅଛି ମନ୍ତ୍ରୀକୁମାରୀ ।୪ ।

 

ଅମରମୋହିନୀ ଭ୍ରମର କେଶନୀ ମେଘମାଳ ଚାଳେ ଚାମର ।

ବିମ୍ବବିଡ଼ମ୍ବ ଡାଳିମ୍ବପୁଷ୍ପାଧରୀ ଧରିଛି ଧାତ୍ରୀ ପୁତ୍ରୀ କର ।

ଆଗରେ ।

ପରିଚାରିକାଏ ମଞ୍ଜୁଳ ।

ଦିହୁଡ଼ି ଜ୍ୟୋତିରେ ଘଉଡ଼ି ନେଉ ସେ ଅଛନ୍ତି ଅନ୍ଧାରପଟଳ ।୫ ।

 

ସୁରସିକ ରସନିଧିର ସନ୍ନିଧି ଏ ବିଧିରେ ହେଉଁ ପ୍ରବେଶ ।

ମହା ଅନୁଭୂତ ଶୋଭା ସେ ଦେଖିଲାସମ୍ଭୂତ ଉପମା ଅଶେଷ ।

ମଧୁର ।

ହାତ ବିରାଜିତ ଅଧରେ ।

କି ରତିଜିତ କୀରତି ଉଦେ ବାଳା କରୁଛି ଅରୁଣ ମଧ୍ୟରେ ।୬ ।

 

ତାଟଙ୍କ ହୀରା ଝଟକ ଦୀପ ପରା ଲପନ ଶୋଭାକୁ ଦେଖାଇ ।

ଦର୍ପକଦର୍ପଣ ଦର୍ପହର ବୋଲି ଅଳକା ଅକ୍ଷରେ ଲେଖାଇ ।

ରହିଲା ।

ସେହି କବି କି ମୋତି ହୋଇ ।

ଆନନ୍ଦ ବିନାରେ ଆନ ନବୀନାରେ ଦୃଷ୍ଟିପାତ ନାହୁ ଧିକାଇ ।୭ ।

 

ରସିକା ମଣିର ସେ ନାସିକାଫୁଲେ ତିଳଫୁଲେ କରେ ଧିକ୍‌କାର ।

ବିରହ ଅନଳ ପ୍ରଜ୍ୱଳ ହେବାକୁ ଯନ୍ତ୍ର ତାଇଦେଲା ପ୍ରକାର ।

କୁଟିଳ ।

କୁନ୍ତଳ କି ଶୋଭା ଦିଶୁଛି ।

ବାଳିକା ମଲ୍ଲିକା ମାଳିକା କବରୀ ଘନ ଶବରୀକି ହସୁଛି ।୮ ।

 

ଦରକଣ୍ଠନୀର ଦରକମ୍ପା ଶିର ଝଲକା ଝଲକ ଥରଇ ।

ଜାନୁବର୍ତ୍ତୃଳ ତୁଳା ହୋଇ ଅବଳା କାହିଁ ନାହିଁ ନାହିଁ କରଇ

ସୁନ୍ଦରୀ ।

ସୃଷ୍ଟିରେ ବାଳା ଚକ୍ରବର୍ତ୍ତୀ ।

ହୋଇଛି ବୋଲି କି କର୍ଣ୍ଣ ଧରିଅଛି ସୁଜ୍ୟୋତି ମୋତିଫୁଲ ଛତି ।୯ ।

 

ତାମର ବାସୀ ପ୍ରେମରସବାସୀ ପୁସ୍ତକ ପରାୟେ ଏ ଘେନି ।

ଅମୂଲ୍ୟ ଗୁଣରେ ସଂଯୁକ୍ତ ହୋଇଣ ସୁମନା ସୁମନ ମୋହିନୀ ।

ଲଲାଟେ ।

ଚିତ୍ରକ କର୍ପୂରେ କସ୍ତୁରୀ ।

ମାଣିକ୍ୟ ମରକତ ସିନା ଫୁଙ୍କିଛି ସୁନାପାଟରେ କି ସୁନାରୀ ।୧୦ ।

 

କମଳଦଳେ ଢଳ ଢଳ କାଳିନ୍ଦୀ ଜଳ ପରା ଡୋଳା ଢଳୁଛି ।

କଜ୍ଜଳ ସୂତ୍ରରେ ଲାଗି ନୀଳମଣି ସାରଣି କି ଅବା ଢଳୁଛି ।

ଭ୍ରୁଲତା ।

ଚାପେ କରି ଶର ସନ୍ଧାନ ।

ଧୌର୍ଯ୍ୟ-କୁରଙ୍ଗକୁ ମୃଗୟା ରଙ୍ଗରେ ବାନ୍ଧି ଆସୁଛି କି ମଦନ ।୧୧ ।

 

ସେକାଳେ ବଦନ ମଦନରାଜନ ନାଟ ସଦନ ସୁରଞ୍ଜନ ।

ନୁପୁର ବାଦ୍ୟନାଦେ ବାଦେ ନାଚନ୍ତି ଯୋଷା ପୋଷା ବେଦି ଖଞ୍ଜନ ।

କାହିଁକି

ନରତେ କୋଣକୁ ଯାଉଛି ।

ଚାହିଁକି ଉତ୍ତଂସ ଅନଳ ସରାଗେ ସେହିଦିଗେ ମୀନ ଧାଉଁଛି । ୧୨ ।

 

ଏ କେଉଁ ଚରିତ ତ୍ୱରିତ ତ୍ୱରିତ ଦୁଇଦିଗକୁ ସେ ଯାଉଛି ।

କି ଅବା ଅମୃତ କୁଣ୍ଡରେ ମଜ୍ଜାଇ ପୁରୁଷ ମନକୁ ମୋହୁଛି ।

ନବୀନା ।

ଧଇର୍ଯ୍ୟ ବନ୍ଧକୁ ଭାଙ୍ଗଇ ।

କଳାବତୀ କଳା କମଳ ବୃଷ୍ଟିକି ଦୃଷ୍ଟି ଯେ ପରେ କରିଯାଇ ।୧୩ ।

 

ଅତିହିଁ ବିସ୍ଫାରିତ ଲୋଳ ଲୋଚନବତୀ ମୁଖଶୋଭା ଗ୍ରାସିବ ।

ବିଚାରିଲା ଚାରିମୁଖ ମାର ମାର ସଂସାର ରଚନା ନାଶିବ ।

ଏଣୁ କି ।

ସୀମା ବାରଣ କରି ଗାର ।

ଅଞ୍ଜନେ ଦେଇଛି ଆଉ ନ ବଢ଼ିବୁ ତେବେ କର୍ଣ୍ଣଗତ ସଂଚାର ।୧୪ ।

 

ବିଧି ବଚନ ନ ମାନିଲା ଲୋଚନ ସହଜେ ସ୍ୱଇଚ୍ଛା ବିହାରୀ ।

ରଖୁ ନ ରଖୁ ତରୁଣ ସୃଷ୍ଟିଯାକ ଜାଣନ୍ତୁ ଆୟତ୍ତ ତାହାରି ।

ଏଥିକି ।

ହୋଇଛି କି ନୀଳ ଲୋହିତ ।

ନୀଳ ଲୋହିତ ଆଗରେ ପଡ଼ିଗଲେ ସମ୍ପାଦିତ କାମ ମହତ ।୧୫ ।

 

ଝୀନ ବସନ ଫୁଟି ଦିଶେ ପ୍ରସନ୍ନ ରୋମାଳୀ ପୟୋଧର ଦୁଇ ।

ଶୃଙ୍ଗାର ରସଲତା ଊର୍ଦ୍ଧ୍ୱେ ବିଧାତା ପ୍ରମାମୃତ ଫଳ ଫଳାଇ ।

ପଦ୍ମିନୀ ।

ଯେଣୁ କୋରକ ବେନି ବହି ।

ସେ ଯେବେ ଫୁଟିବେ ଏ ତେବେ ଚୁମ୍ବିବେ ଭୃଙ୍ଗପନ୍ତି ଏହି ଆଶାୟୀ ।୧୬ ।

 

ସ୍ୱୟମ୍ଭୁ ଶମ୍ଭୁ କମ୍ବୁଧର ସୁତକୁ ଦୟାରୁ ସଞ୍ଜୀବନୀ ମନ୍ତ୍ର ।

ସେହି ସ୍ଥାନେ ଦେଇ ମନୋଭାବ କଲେ ଏମନ୍ତ ଘେନୁଅଛି ଚିତ୍ତ ।

ନିକଟେ ।

ରହିଛି ଅହି ହୋଇ ସ୍ୱଚ୍ଛ ।

ଯୁବା ବଇକୁଣ୍ଠ ବଡ଼ଭୀକି କିବା ଇନ୍ଦ୍ରନୀଳମଣି ପାବଚ୍ଛ ।୧୭ ।

 

ଲାବଣ୍ୟ ନୀରେ ଯୌବନ ଧୀରେ ମଜ୍ଜନ ହୋଇ କି ରହିଛି ।

ଜନ ଅଦମ୍ଭକର କୁମ୍ଭ କରକୁ କେବଳ ମାତ୍ର ଦେଖାଇଛି ।

ଏଣୁଟି ।

ଗଇରୀକରେ ସେ ଚିତ୍ରିତ ।

ଯେ ହେବ ମାହୁନ୍ତ ନଖାଙ୍କୁଶ ଘାତ କରିବ କେତେ ତା ସୁକୃତ ।୧୮ ।

 

ସୁକଣ୍ଠା କଣ୍ଠୀରବ ମଧ୍ୟା ହୃଦରେ ରସ ରତନ ଗଣ୍ଠି ଥୋଇ ।

ଜଗିଛି କି ଅବା କାମ ଅଦିକାରୀ ମର୍କତ ଦଣ୍ଡ ଡେରିଦେଇ ।

ଚଉର ।

ମନ ପଶି ଏଣୁ ନ ପାରି ।

ନିଶି ଦିବସରେ ବସିଅଛି କେଉଁ ପ୍ରକାରେ କରିବଟି ଚୋରୀ ।୧୯ ।

 

ଏକେ ମନକୁ ଅଗମ୍ୟ ହେଲା ଦୁଜେ କଠିନ ସଙ୍ଗେ କର ପ୍ରୀତି ।

କବି ପଣହିଁ ଅତ୍ୟନ୍ତ ଟାଣ ହେଲା ଏଣୁ ବର୍ଣ୍ଣିବାରୁ ନିବର୍ତ୍ତ ।

କୁମର ।

ଚାହିଁ ବେଳୁଁ ବେଳ ଲୋଲୁପ ।

ନୟନେ ଅୟନ ପଥିକ କଲା ଯେ ଏକା ରସିକବର ରୂପ ।୨୦ ।

 

ଯାବତ ବ୍ରତଫଳ ହେଲା ସଫଳ ତୀର୍ଥଫଳ ହିଁ ଯେ ମିଶିଲା ।

ଦେବ ଦରଶନ ଦାନ ପୁଣ୍ୟମାନ ସେହି ସେହିଠାକୁ ଆସିଲା ।

ଋଣୀ ଯେ ।

ହୋଇଥିଲେ ପୁଂସରତ୍ନରେ ।

କୋଟିଗୁଣ କରି ଲେଖି ଦେଇଗଲେ ଆଖିଠାର ଅତି ଯତ୍ନରେ ।୨୧ ।

 

ସର୍ବାଙ୍ଗ ଉଲ୍ଲସି ଉଠି ସ୍ୱେଦଜଳେ ଦ୍ରବିଗଲା ନିଶ୍ଚେ ତାହାର ।

ନିହାରକର ବିହାର ଚାହିଁ କଇରବ ଚନ୍ଦ୍ରମଣି ପ୍ରକାର ।

ହୋଇଲେ ।

ଲାଖ ବିଷମ ବିଶିଖକୁ ।

ଦୁଃଖକୁ ପଛକୁ ପକାଇ ସେଇ ସେ ଲଭିଲେ ଅଲେଖସୁଖକୁ ।୨୨ ।

 

ପ୍ରିୟ ସହଚରୀ ଆଜ୍ଞା ଅନୁସରି ତରୁଣ କେଶରୀ ଥିବାକୁ ।

ଧର ପାନ ବୋଲି ଡାହାଣେ ଯାଚିଲା ପାଞ୍ଚିଲା ନେତ୍ର ପଡ଼ିବାକୁ ।

ସେ ଲାଗେ ।

ଶୁକ ପଢ଼ିଦେଲା ଏ ଭାଷା ।

ସୁମନା ରସାତୁର ହୋଇ ଭ୍ରମର ଏ ଦିଗେ କରିଅଛି ଆଶା ।୨୩ ।

 

ବକ୍ର କରି ଗ୍ରୀବା ଚାହିଁ ଦେଲା ଯୁବା ରମଣୀ ରମା ସୁଲକ୍ଷଣୀ ।

ଅକ୍ଷୀଣାଙ୍କହୀନ ଚନ୍ଦ୍ରମା ଦକ୍ଷିଣାବର୍ତ୍ତକ ହେଲା କି ସେକ୍ଷଣି ।

କି ଶୋଭା ।

ଦିଶିଲା ସିହାଣୀ ଚାହାଁଣୀ ।

ନେତ୍ରପାତରେ ହରଷ ରସ ଅନୁରାଗକୁ ଢାଳିଦେଲା ଆଣି ।୨୪ ।

 

ଅତୁଲ୍ୟ ଚତୁରୀ ଜାଣିବା ପାଇଁକି ସୁରସିକ ଏଡ଼େ ଗୁଣିକ ।

ଏକାବେଳକେ କି ମୂଲ୍ୟ ବୋଲି ଦେଖାଇଲା ହୀରା ନୀଳା ମାଣିକ୍ୟ ।

ଅଞ୍ଜନ ।

ସୁତ୍ରେ ଗୁନ୍ଥି ତିନି କମଳ ।

ବରଣମାଳା କରିଦେଲା ବାରଣଗମନୀ ହୋଇ କି ଚଞ୍ଚଳ ।୨୫ ।

 

ଚାହିଁଲା ନ ଚାହିଁଲା ହୋଇ ଲାଜରୁ ମୁଖକୁ ଥୋଇଲା ଉରଜେ ।

ସେ ପତି ପ୍ରାପତ ଇଚ୍ଛା କରି ନାରୀ ଶମ୍ଭୁ ପୂଜିଲା କି ନୀରଜେ ।

ଳବଣୀ

ପିତୁଳା ପ୍ରେମଶିଲା ସତ ।

ବୀର ଏହିନାମ ବିପରୀତ ହୋଇ ତରଳିତ କଲା ତୁରିତ ।୨୬ ।

 

ବିଦ୍ୟୁ ଝଟଳ ଲୀନ ହେବା ପରାୟେ ମଂଜୁ ଚାହାଁଣି ସଂହାରିଲା ।

ଝଟକେ ଛଟକେ ସଙ୍ଗରେ ମନାଇ ମନ ନେତ୍ରକୁ ଘେନିଗଲା ।

ପୋଷିଲା ।

କ୍ଷୁଧାରୁ ସୁସ୍ୱାଦୁ ଅଶନେ ।

ପ୍ରେମମଞ୍ଜରୀ ସ୍ତନ ବେନି ପଞ୍ଜୁରୀ ମଧ୍ୟେ ରଖି ପକ୍ଷୀ ବିଧାନେ ।୨୭ ।

 

ବାଳା ମନ ନେତ୍ର କୁରଙ୍ଗ ସୁରଙ୍ଗ କରୁଥିଲେ ତନୁବନରେ ।

ମାର ନିନ୍ଦିତ କୁମାର ଶୋଭାଜାଲେ ପଡ଼ିଲେ ଅତି ଉଚ୍ଛନ୍ନରେ ।

ଯିବାକୁ ।

ଫିଟି ନ ଦିଶିଲା ଉପାୟ ।

ଯେ ଯାହା ଅର୍ଜଇ ସେ ତାହା ଭୁଞ୍ଜଇ ଏଥି ଅଛି କେଉଁ ସଂଶୟ ।୨୮ ।

 

ସେ ରମଣୀ ହେଲା ଚକ୍ରବାଡ଼ଗିରି ଚରଣ ଅରୁଣ ଅମ୍ବୁଜେ ।

ଲଭି ନ ପାରଇ ମନ୍ଥରଗମନା ଚାହିଁ ନ ଚାହିଁ ଭାବ ଲାଜେ ।

ଦୁହିଁଙ୍କ ।

ମୃଦୁହାସ ହେଲା ଜାହ୍ନବୀ ।

ଚତୁର ନୟନେ ମଜ୍ଜନ ଅନିଶେ ମହାବାରୁଣୀ ଯୋଗ ଲଭି ।୨୯ ।

 

ହୋଇଲେ ସେ ବେନି ଶୋଭା ରତ୍ନାକର ଦରଶନ ଲୋଭା ନୟନେ ।

ପ୍ରେମରତନ ପତନ କରି ଖୋଜୁଅଛନ୍ତି ସେ ଅନବଚ୍ଛିନ୍ନେ ।

ମଦନ ।

ମହାକୃପଣ ଜନ ପରି ।

ସେ ବେନି କାମଧେନୁ କଳ୍ପପାଦପ ଯେଣୁ ବାଞ୍ଛାକୁ ସିଦ୍ଧି କରି ।୩୦ ।

 

ପ୍ରବେଶ ସେଠାରେ ହୋଇଲା କୁଠାର ପ୍ରାୟ ଜରତା ମୁଦୁସୁଲୀ ।

ଅଲେଖ ସୁଖ ମହୀରୁହ ଛେଦନେ ବଦନେ ଏମନ୍ତ ଉଚ୍ଚାରି ।

ଶୁଣ ଗୋ ।

ମନ୍ତ୍ରୀନନ୍ଦନା ଚାରୁଭୀରୂ ।

ଜନନୀ ଆଜ୍ଞା ପରସନ୍ନ ଆନନୀ ସତ୍ୱର ଦରଶନ ସରୁ ।୩୧ ।

 

ପିତା ପୁତ୍ର ମାତା ଦୁହିତାର ଏକ ସଙ୍ଗେ ଶିବ ଦର୍ଶନ ।

ଦୋଷ ହୋଇଅଛି ଅଶେଷ ପୁସ୍ତକେ ଏ ବଚନେ ରାହୁ ଯେସନ ।

ଗିଳିଲା ।

ହରମସ୍ତକ ଭୂଷଣକୁ ।

ବାହୁନିଲା ବେଗେ ଶିବ ଦେଖି ରାମ ଜଣାଇ ହୃଦକଷଣକୁ ।୩୨ ।

 

ମଦନେ ଆବେଶ କୁମାର ପ୍ରବେଶ ହୋଇଲା କେଶର କାନନ ।

ଯେଣେ ଅନାଇଲେ ତେଣେ ଦିଶୁଅଛି କେବଳ ସୁନ୍ଦରୀ ଆନନ ।

କହଇ

ଉପଇନ୍ଦ୍ର ଭଞ୍ଜ ଏ ରସ ।

ଶ୍ରୀରାମେ ମାଳା ଜାନକୀ ଦେବାକାଳ ଉତ୍ସବକୁ ଭାବି ମାନସ ।୩୩ ।

 

ଅଷ୍ଟବିଶଂ ଛାନ୍ଦ

ସିଂହଳ ଦେଶର ପୁରୋହିତ ସହିତ

ଚନ୍ଦ୍ରଭାନୁର କଥୋପକଥନ
(ରାଗ ବସନ୍ତ)

 

ଏଥୁ ଅନନ୍ତରେ ଯେ ଯାମିନୀ ହେଲା ଶେଷ

ବିଚ୍ଛେଦୀ ଚକ୍ର କାମିନୀ ପାଶେ ପରବେଶ ଯେ ।

ଶଶୀ ମନୋହାରୀ ନିଶି ସଙ୍ଗ କଳା ପାପ

ବଶେ ଦିବସେ ମିଳନହେଳା ଜ୍ୟୋତିଦୀପ ଯେ ।୧ ।

 

ଅରୁଣମଣ୍ଡଳ ଉଦେ ତୁଟିନାହିଁ କିଛି

କାଳି ବାରୁଣୀ ସେବିବା ରଙ୍ଗ ଆଙ୍କି ଅଛି ଯେ ।

କକୁଭ ପ୍ରାଙ୍ଗରେ ନିଜ ପତି ବିଜେ ଚାହିଁ

ପଦ୍ମିନୀ ହସିଲା ଦରମୁକୁଳିତ ହୋଇ ଯେ ।୨ ।

 

ଗର୍ଜି ଭୃଙ୍ଗରାଜି କୁମୁଦିନୀ ପାଶୁଁ ଗଲେ

କୁଳଟା ହାଟକୁ ତାର ପରକାଶ କଲେ ଯେ ।

ବିଟପ କି ଛାଡ଼ିଅଛି ନିର୍ଲଜ୍ଜ ସ୍ୱଭାବ

ପରେ ପ୍ରକଟ କଳେ ଆପଣା କଲାଭାବ ଯେ ।୩ ।

 

ଏ ସମୟେ ସିଂହଳ ଭୂପାଳ ନିଦ୍ରାହତ

ନିତ୍ୟକର୍ମ ଡାକିସାରି ନିଜ ପୁରୋହିତ ଯେ ।

କହିଲେ କର୍ଣ୍ଣାଟ ଯୁବରାଜ ପାଶେ ଯିବ ।

ପାଟ ଶୁଣାଇ ତା ମନ ସନ୍ତୋଷ କରିବ ହେ ।୪ ।

 

ଆମ୍ଭ କନ୍ୟା ଯାଚିବା ନୋହିବ ସନମତ

କରିବ ଯେମନ୍ତ କର ଉପାୟ ତେମନ୍ତ ଯେ ।

ଶୁଣ ଯେ କାର୍ଯ୍ୟକୁଶଳାଚାର୍ଯ୍ୟଆଗମନ

ତେଣେ ନୃପସୁତ କରି ପଲ୍ଲବେ ଶୟନେ ଯେ ।୫ ।

 

ବାଳ ଶୋଭା ଦରଶନେ ତନୁ ଧ୍ୟାନ କରି

ଏସନ ପ୍ରସଙ୍ଗମାନ ମନରେ ବିଚାର ଯେ ।

ଦେବଙ୍କୁ ଦୁର୍ଲଭ ଯେଉଁ ରମଣୀ ରତନ

କେହି ହେବି ମୁହିଁ ତାହା ସଙ୍ଗକୁ ଭାଜନ ଯେ ।୬ ।

 

ଦର୍ଶନ ପାଇଲି ସୀଉକାର କରାଇଲି

ଯୁବାସୃଷ୍ଟିରେ ମୁଁ ରାଜଛାତ୍ର ଧରାଇଲି ଯେ ।

ରସିକ ସଂସାରେ ତ ଥୋଇଲି ପ୍ରଶଂସାକୁ

ବଶ କରି ବୋଲି ଅତି ଉତ୍ତମ ଯୋଷାକୁ ଯେ ।୭ ।

 

ଜନ୍ମାନ୍ତେ ତ୍ରିଶୂଳୀ କରି ଶୂଳୀଙ୍କୁ ମନାଇ

ଗଙ୍ଗା ସାଗର ସଙ୍ଗରେଅଙ୍ଗ ଥିଲି ଦାହି ଯେ ।

ସେ ସୁକୃତ ବାଳାରୂପେ ଚିତ୍ରେ ଲେଖାଇଲା

ବିଧାତା କି ଋଣୀ ହୋଇଥିଲା ଦେଖାଇଲା ଯେ ।୮ ।

 

ଅସମ୍ଭାବିତ ସାହସ କରିଅଛି ମୁହିଁ

ମନକୁ ନ ଆସେ ଏ ସଫଳ ହେବ କେହି ଯେ ।

ଆସିବ ମୁକରବିମ୍ୱ କେହି ଆଲିଙ୍ଗନେ

ପାରଦ ରହିବ ମୁଠା ଭିତରେ କେସନେ ଯେ ।୯ ।

 

କେତକୀ କୁସୁମେ କେହି ବିହରିବ ଅଳି

ପାତକୀକି ହେବ ପୁରନ୍ଦର ପଦ ଭଳି ଯେ ।

ଲୋଷ୍ଟ୍ରେ ନଷ୍ଟ କରି ଯେବେ ହୋଇବ ଗିରିକି

ସାଧିବି ଜୀବନେ ଥାଉଁ ହରବଇରୀକି ଯେ ।୧୦ ।

 

ବିନାଶ ହୋଇବ ଯେବେ କସ୍ତୁରୀରୁ କଳା

ଘେନେ ବିନାଶ ହୋଇବ ମୋ ବିରହଜ୍ୱାଳା ଯେ ।

ଭେଳା ପକ୍ଷ ବିନା ଏକ ନିଶ୍ୱାସେ ସାଗର

ତରିଲେ ଳଭିବ ଅବା ଶୋକ ସିନ୍ଧୁ ପାର ଯେ ।୧୧ ।

 

ପଶ୍ଚିମେ ଉଦୟ ଯେବେ ହୋଇବ ମିହିର

ତେବେ ବା ହୋଇବ କନ୍ୟାତାତ ସୀଉକାର ଯେ ।

ରାମାମଣି ସୀଉକାର ହୋଇଲାଣି ଯଦି

ତାତ ସୀଉକାରେ କିମ୍ପା ଏତେ ପ୍ରତିବାଦୀ ଯେ ।୧୨ ।

 

ଯେଉଁ କର୍ମେ କର୍ପୂରୁ ହୋଇଛି ଅଗ୍ନି ଜାତ

ସୁମନ କରିଛି ଅଶନି ସମ ଘାତ ଯେ ।

ସେହିକର୍ମେ ସ୍ୱପ୍ନଧନେକରିବି ବାଣିଜ୍ୟ

ସଫଳ ହୋଇବ ତେବେ କାମନା ସମାଜ ଯେ ।୧୩ ।

 

ଇଚ୍ଛା କରୁଅଛି ଅରୁଣର ସୁଧାପାନ

ସ୍ଥିରକରି ବିଜୁଳି କରିବି ଆଲିଙ୍ଗନ ଯେ ।

କରେ ଧରି ଚୁମ୍ୱିବା ଇଚ୍ଛଇ ସୁଧାକର

ହେମଫୁଲୁଁ ଗନ୍ଧ ଲଭିବାକୁ ମନ ମୋର ଯେ ।୧୪ ।

 

ପିକଠାରୁ କଥା ଶୁଣିବାକୁ ସ୍ନେହ ଅତି

ମନ୍ଦରକୁ କମଳେ ଘୋଡ଼ାଇ ଲୋଡ଼େ ମତି ଯେ ।

ଚମ୍ପକ ଭ୍ରମର ମେଳ କରିବାକୁ ମନ

ନକ୍ଷତ୍ରମାଳା କରିବ ମହୀ ଉଦ୍ଦୀପନ ଯେ ।୧୫ ।

 

ବିନା ମେଘେ ଘନରସ ବରଷା ହୋଇବ

ଭସ୍ମ ହୋଇଥିବା ଜନ ମୂର୍ତ୍ତିକି ପାଇବ ଯେ ।

ଏମନ୍ତ ବିଚାର ବେଳେ ଜଣାଇଲା ଦ୍ୱାସ୍ଥ

ଭେଟିବେ ବୋଲିଣ ଦ୍ୱିଜୋତ୍ତମେ ଉପଗତ ଯେ ।୧୬ ।

 

କାହିଁର ସେ ବୋଳି ମନ୍ତ୍ରୀସୁତ ବିଚାରିଲା

ବେତ୍ରକର ଏହି ଦେଶପୁରୋଧା ବୋଇଲା ଯେ ।

ଆସନ୍ତୁ ସେ ବୋଲି ଆଜ୍ଞା ଦେଲେ ମିତ୍ର ବେନି

ରାଜା ସୀଉକାର ହେଲା ପରା ଚିତ୍ତେ ଘେନି ଯେ ।୧୭ ।

 

ବିପ୍ରେ ଆଣି ପରବେଶ ଦ୍ୱାରପାଳ କରେ

କଲ୍ୟାଣ ବାଞ୍ଛିଲେସେ ନୃପଜ ନମସ୍କାରେ ଯେ ।

ଆସନ ପାଇ ବସୁଧାଦେବ ଅତି ତୋଷୀ

ଛାମୁରେ କରିବୁ ପାଠଶାଠ ବୋଲି ଭାଷି ଯେ ।୧୮ ।

 

ନୃପଜ ପ୍ରଶଂସା ଶ୍ଳୋକ ପ୍ରଥମେ ପଠନ

କୁମାର ବୋଲିବା ଖ୍ୟାତି ବେନି ରସେ ଘେନ ଯେ ।

ବିଧୁସମ ଯଶ ପରଚକ୍ର ଦରକାର

କଲା ଯେ ବିବିଧ ଶ୍ଳେଷ ଘେନି ଅଙ୍ଗୀକାର ଯେ ।୧୯ ।

 

ତଦୁତ୍ତାରେ କାମଶାସ୍ତ୍ର ରସ ପକାଇଲା

କାମିନୀ ବର୍ଣ୍ଣନା ଅତିଶୟ କରି କଲା ଯେ ।

ରାମା ନ ମୋହିଲା ହୋଇ ଚଉଦ ଭୁବନ

ଆନ ନାହିଁ ଥିଲେ ଥିବେ ନଫୁସକ ଜନ ଯେ ।୨୦ ।

 

ବିକଳ୍ପ ନଥିଲେ ବ୍ୟାକୁଳତା ତାଙ୍କ ଅଛି

ଭାଳୁଛନ୍ତି ଆମ୍ଭର ଜୀବନ ନୋହେ କିଛି ଯେ ।

ସ୍ୱର୍ଗ ଅପବର୍ଗରୁ ଅଧିକ ସୁଖ ନାହିଁ

ରତି ସୁଖ ସଙ୍ଗେ ସେ ସମାନ ହେବ କେହି ଯେ ।୨୧ ।

 

ସ୍ୱର୍ଗସୁଖ ଇନ୍ଦ୍ର ବଡ଼ ଯାହା ଭୁକ୍ତମାନ

ସେ ରତି ଲୋଭୁଁ ଶାପେଟି ସହସ୍ର ଲୋଚନ ଯେ ।

ଅପବର୍ଗ ବ୍ରହ୍ମର ଆୟତ୍ତ ବୋଲି କହି

ରତିରସେ ବହ୍ମଲୀନ ପୁଣ ଅଛି କହି ଯେ ।୨୨ ।

 

କେଉଁଠାରେ ବୋଲିବ ବା ଶୁଣ ଦୃଷ୍ଟାନ୍ତର

ଯୋଗମାୟା ଆଶ୍ରୟ ପୁରୁଷ ଗଦାଧର ଯେ ।

ଗୋପାଙ୍ଗନା ଲମ୍ପଟ ନିଷେଧି ଆଚରଣେ

ଶିବ ଅର୍ଦ୍ଧଅଙ୍ଗ ଗିରିସୁତା ପ୍ରତିକ୍ଷଣେ ଯେ ।୨୩ ।

 

ରତିପଦେ ଶୃଙ୍ଗାର ରତିପଦରେ ସ୍ନେହ

ବେନି ରତିରୁ ପୃଥୁଳ ନିତମ୍ବିନୀ ଦେହ ଯେ ।

ନାରୀ ପଦ୍ମିନୀ ଚିତ୍ରିଣୀ ଶଙ୍ଖିନୀ ହସ୍ତିନୀ

ଚାରିଜାତି ପ୍ରଧାନ ଆଉ ଶଙ୍କରୀ ଘେନି ଯେ ।୨୪ ।

 

ଦେବ ଗନ୍ଧର୍ବ ଯକ୍ଷ ପ୍ରେତ ସର୍ତ୍ତ୍ୱାଦି କ୍ରମେ

ଯେପୁଂସର ଯେତେ ଭାଗ୍ୟ ସେ ଲଭି ତା ରମେ ହେ ।

ହୀରା ନୀଳା ମାଣିକ୍ୟ ମୁକୁତା ବିଦ୍ରୁମର

ମୂଲ୍ୟ ଅଛି ମୂଲ୍ୟ ନାହିଁ ସ୍ତିରୀରତନର ଯେ ।୨୫ ।

 

ଫୁଲାଇ ନାସା ଡ଼ୋଳାକୁ ଖେଳାଇ ନେବାର

ମୁଖ ହଲାଇ ଗେହ୍ଲାର ଭାଷା କହିବାର ଯେ ।

ଚିବୁକେ ତର୍ଜ୍ଜନୀ ଦେଇ ହୋଇବାର ଊଭା

ନେତ୍ର ଦେଖିଥିବ କମି ଏପରି ଆନ ଶୋଭା ଯେ ।୨୬ ।

 

ନୀବୀ ଫେଡ଼ାବେଳେ କରିବାର ନାହିଁ ନାହିଁ

ବଚନ ସମ ସୁସ୍ୱର ବାଣା ପିକେ କାହିଁ ଯେ ।

ବିପରୀତ ମାଗୁଁ କେ ଜାଣଇ ବୋଲିବାର

ସଞ୍ଜିବନୀ ମନ୍ତ୍ର ସମ ନିକି ତା ତୁଲର ଯେ ।୨୭ ।

 

ଶୟନରେ ଆଣିକରି କୋଳେ ଆଣିବାର

ଅଣିମାଦି ସୁଖ ନିକି ସମ ତା ସଙ୍ଗର ଯେ ।

ରତିକାଳେ ମୁଦି ଫେଡ଼ିବାର ନେତ୍ର ଦୁଇ

ଜଳ ନୀଳୋତ୍ପଳକୁ ଧିକ୍‌କାର କରୁଥାଇ ଯେ ।୨୮ ।

 

ଏତିକି ହେଉ ବୋଲିଣ ଭିଡ଼ିବାର କ୍ଷଣେ

ସେ ସୁଖ ପାଇବା ଯୁବା କେଉଁ ରାଜପଣେ ଯେ ।

ଯାହାଠାରେ ଅଭିଳାଷ କରେ ଯାହା ମନ

ସେହି ତାର ସକଳ ସୁଗତି ଘେନି ଯେ ।୨୯ ।

 

ମୁଗ୍‌ଧାରୁ ମଧ୍ୟା ପ୍ରକଳ୍‌ଭା ଯାଏ ସୀମନ୍ତିନୀ

ପୁରୁଷର ହୁଅଇ ଅଶେଷ ସୁଖଦାନୀ ଯେ ।

ଉଦୟରୁ ଅସ୍ତଯାଏ ଚନ୍ଦ୍ରିକାମଣ୍ଡଳ

ଯଥା କରଇ ଚକୋର ସୁଖକୁ ସଫଳ ଯେ ।୩୦ ।

 

ଯୁବତୀକୁ ଜାତ ଲୋଭ ଲୋଭୁଁ ପ୍ରୀତି ଲେଖ

ପ୍ରୀତିରୁ ସୁରତି ଜାତ ପୀରତିରୁ ସୁଖ ହେ ।

ପ୍ରାଣଛାଡ଼ି ହୋଏ ସ୍ତିରୀ ଛାଡ଼ି ନୋହେ କେବେ

ରାବଣାଦିଠାରୁ ଶୁଣିଥିବ ତ ପ୍ରସ୍ତାବେ ଯେ ।୩୧ ।

 

ପୁଣି ନେତ୍ର ବୁଜିକରି ରସ ଆସ୍ୱାଦନ

ହୃଦେ ଘେନି ପୁଂସ କହେ ହେବ ଏବିଧାନ ଯେ ।

ସୁଖୀ ହୋଇଥିବ ନୃପ ଉପଜୀବୀ ନୋହି

ବିଦ୍ୟାଥିବ ଦିବ୍ୟସ୍ତିରୀ ମିଳିଥିବ ତହିଁ ଯେ ।୩୨ ।

 

କି ହେବ ଇନ୍ଦ୍ର ହୋଇଲେ ସର୍ବ ସମ୍ପଦରେ

ସ୍ତିରହୀନ ଠାରୁ ପାପୀ ନାହିଁ ଏସଂସାରରେ ଯେ ।

ରସିକ ବୋଲିଣ ବୋଲି ଏହି ପୁରୁଷକୁ

ଯେ ଘେନିଣ ଥାଇ ଏତେ ଲକ୍ଷଣ ବଂଶକୁ ଯେ ।୩୩ ।

 

ଦୋଷ କଲେ ରମା ରୋଷ ନ ଘେନଇ ମନେ

ଦାସ ପ୍ରାୟ ଚାଟୂ ବିରଚଇପ୍ରିୟା ମନେ ଯେ ।

ପଛ ନ କରଇ ତାକୁ ଶୟନେ ଗମନେ

ଜାଣିଥାଇ କାମଶାସ୍ତ୍ର ବହୁତ ବିଧାନ ଯେ ।୩୪ ।

 

କରିନାହିଁ ଯେ ଦର୍ଶନ ବାଳା ବିବସନ

ଅନ୍ଧ ସେହୁଜନ ଥାଇ ନିର୍ମଳ ନୟନ ଯେ ।

ଯୋଷା ପରିହାସ ଭାଷା ଯେହୁ ନ ଶୁଣିଛି

କର୍ଣ୍ଣ ନୋହେ କୁହର ଯୁଗଳ ସେ ବହୁଛି ଯେ ।୩୫ ।

 

ଯେ କରିନାହିଁ ସୁନ୍ଦରୀ ବିମ୍ୱାଧର ପାନ

କି ସ୍ୱାଦ ଜାଣିଛି ଧିକ ତାହାର ଜୀବନ ଯେ ।

ମହା ମହା ଦାନ ଦେଇ ନାହିଁଯେଉଁ କରେ

ସେ କାହିଁ ପଡ଼ିବ ରସବତୀ ଚିବୁକରେ ଯେ ।୩୬ ।

 

ସ୍ୱୟମ୍ଭୁ ଶମ୍ଭୁ ସେବାରେ ଯାହା ତନମନ

ସେ ସ୍ପରଶ କରଇ ସାରସ କୋଷ ସ୍ତନ ହେ ।

କହୁଥିଲେ ସରିବାର ନାହେ ଏ ଚରିତ

ସ୍ମରଶାସ୍ତ୍ର ଅଳଙ୍କାରେ ଯେ ପ୍ରତିପାଦିତ ହେ ।୩୭ ।

 

ତୁମେ ରାଜପୁତ୍ର ଯୁବା ସୁନ୍ଦର ରସିକ

ତୁମ୍ଭଙ୍କୁ କି ଅଗୋଚର କାବ୍ୟରୀତିଯାକ ହେ ।

ଏକା କାବ୍ୟରୀତି କିମ୍ପା ଅନୁଭବୀ ପୁଣି

ଯାହାସେବା ନିପୁଣ ନୃପତି ସୁତାଗଣ ଯେ ।୩୮ ।

 

ତହିଁକି ପ୍ରତିଊତ୍ତର କଲା ଋତୁଧ୍ୱଜ

ବିଭା ହୋଇ ନାହିନ୍ତି ଆମ୍ଭର ଯୁବରାଜ ଯେ ।

ସମେ କନ୍ୟା ନ ମିଳିଲା ପୃଥିବୀ ମଣ୍ଡଳେ

ଊଣା ଅଧିକ ଦ୍ରବ୍ୟ କେ ପାତ୍ରେ ରହେ ତୁଲେ ଯେ ।୩୯ ।

 

ପାରିଲେ ଲଗାଅ ତୁମ୍ଭ ରାଜପୁତ୍ରୀ ଅଛି

ସୁନ୍ଦରୀ ବୋଲି ଶବଦ ଲୋକେ ପ୍ରକଟିଛି ହେ ।

ଦେଖିଲ ଯେଡ଼େ ସୁନ୍ଦର ଆମ୍ଭ ନୃପାତ୍ମଜ

ଯେ ହେଉ ସେ ହେଉ କରନ୍ତାଇ ବିଭାକାର୍ଯ୍ୟ ହେ ।୪୦ ।

 

ଦ୍ୱିଜ କହେ କି ମରଇଁ ମରଇଁ

ଏଡ଼େ ସୁକୁମାର ଦେହ ମାର ପ୍ରହାରଇ ହେ ।

ହେଲେହେଲା କି ହେଲା କି ଦୁହେଁ ବଡ଼ ରାଜା

ରାଜପୁତ୍ରେ ବିଭା ସିନା ରାଜାର ତନୁଜା ହେ ।୪୧ ।

 

ତଥାପି ଲାବଣ୍ୟବତୀ ତ୍ରିପୁରାଳଙ୍କାର

ସୁନ୍ଦର ପଣେ ତାହାର ନାହିଁ ସମ ଆର ହେ ।

ଭୟରୁ କି ସମ ସ୍ନେହୀ କରିବାକୁ ତପ

ବନେ ପଶିଛନ୍ତି ଯାଇଁ କମଳକଳାପ ହେ ।୪୨ ।

 

ଏମନ୍ତ ମୁଖ ନୟନ ରୁଚିର ତାହାର

ବୁଧେ ବୋଲନ୍ତି ମଦନମୋହନ ସର ଯେ ।

କବି ଗଣେଶ ବର୍ଣ୍ଣନା ନ ପାରନ୍ତି କରି

ଗୁଣ ସ୍ମରଣ କରନ୍ତି ଜପମାଳି ଧରି ହେ ।୪୩ ।

 

ଅଧିକ ନେତ୍ର ବହିଲେ ବୃଷ ବୃଷାସନ

କରିବାକୁ ଶୋଭାବତୀ ଶୋଭା ଦରଶନ ହେ ।

ବିଧି କୁମାର ଅନ୍ତନ ମୁଖାଧିକ ହୋଇ

ବିଚାରନ୍ତି ତାହା ଶୋଭା ବର୍ଣ୍ଣବାର ପାଇଁ ହେ ।୪୪ ।

 

ଏସନ ଯେଉଁ ସୁନ୍ଦରୀ ଇତର ତପରେ

ପରାପତ ହୁଅଇ କି ଶରୀରୀ ଜନରେ ଯେ ।

ସୁନ୍ଦରୀମା ପଣ ଯେବେ ଘେନିବେ ନୃପତି

ବିଭା କରି ନ ପାରିବେ ମନୋହରବତୀ ଯେ ।୪୫ ।

 

ନାକ ନାଗେ ସମ ନାହିଁ ଥାଉ ଆଉ ଧରା

ବର ଖୋଜି ମନ୍ତୀକି ହୋଇଲା ମହା ଭାରା ହେ ।

ତା ବିଚାରେ କୁଳିନଗଣେ ମିଳିଲେ ପୁଂସ

ନୃପେ ପ୍ରବର୍ତ୍ତାଇ ବିଭା କରିବା ଅବଶ୍ୟ ହେ ।୪୬ ।

 

ତୃଷାର୍ତ୍ତୀ ସିନା ସଲିଳ ପାଶେ ଉପଗତି

ପାଣି ତୃଷାର୍ତ୍ତୀ ପାଶକୁ ଆସେ କି ଘେନ ତ ହେ ।

ନଦୀ ସନ୍ନିଧିକୁ ଜଳପାନ କରିଗଲେ

ତାହା ଅସନମତ ହୋଇଛି କେଉଁ କାଳେ ହେ ।୪୭ ।

 

ଆପଣେ ଆମ୍ଭ ସଙ୍ଗତେ ହେଉ ଆସିବାକୁ

ନୃପ କହି ନିର୍ବାହ କରିବା ଏକାର୍ଯ୍ୟକୁ ଯେ ।

ଏ ଉତ୍ତାରେ ଋତୁଧ୍ୱଜ ସଙ୍ଗତରେ ଯାଇ

ସଚିବଙ୍କୁ ଘେନି ନୃପ ଛାମୁରେ ପକାଇ ଯେ ।୪୮ ।

 

ସେ ବୋଇଲେ ସବୁରୂପେ ଆମ୍ଭର ସମ୍ମତ

ଜାତକ ବିରୁଦ୍ଧେ ନାହିଁ କେବଣ ଆୟତ୍ତ ଯେ ।

ପାଟଯୋଷୀ ଡାକି ଭଲ ବେଳକୁ ଜାଣିଲେ

ଉତ୍ତମ ଶୁଝିଲା ବେନି ଜାତକ ବୁଝିଲେ ଯେ ।୪୯ ।

 

ନୃପ ଆଜ୍ଞା ଦେଲେ ପୁରେ ଯିବା ହୁଅ ସଜ

ମନ୍ତ୍ରୀକି ଘେନି କୁମାର ପାଶେ ଗଲେ ଦ୍ୱିଜ ହେ ।

ନୃପତି ସମ୍ମତ ଶୁଣି ହୋଇଲେ ହରଷ

ଚିର କ୍ଷୁଧାର୍ତ୍ତ ପାଇଲା କି ପୀୟୂଷରସ ହେ ।୫୦ ।

 

ତେଣେ ଅରୁରଅଧରୀ ପୀନପୟୋଧରୀ

ଏକାନ୍ତେ ବସି କୁମାର ଦର୍ଶନ ସୁମରି ଯେ ।

କେତେ ଅଦଭୁତ ଶୋଭା ଦେଖିଲା ନୟନ

ଉପମାକୁ ସମ ହୋଇ ନାହିଁତ ବଚନ ଯେ ।୫୧ ।

 

ଏ ସମୟେ ପରବେଶ ହେଲା ଚନ୍ଦ୍ରାବଳୀ

ତାପ ଧ୍ୱଂସିଦେଲା ଏବଚନାମୃତ ଢଳି ଯେ ।

କର୍ଣ୍ଣାଟ ଯୁବରାଜକୁ ତୋତେ ଦେବା ପାଇଁ

କଥା ହୋଇ ରାଜା ମନ୍ତ୍ରୀ ଦେଲେ ପଠିଆଇ ଯେ ।୫୨ ।

 

ସତେ କି ବୋଲି କେତକୀବରନା ପଚାରି

ଆନ ଅଛି ବୋଇଲା ସୁନ୍ଦରୀ ସହଚରୀ ଯେ ।

ସୁନ୍ଧୁରଗତି ଆନନ୍ଦ ସିନ୍ଧୁ ଉଛୁଳିଲା

କେତେ ଦେବତାଙ୍କୁ କେତେ ଭୋଗ

ମନାସିଲା ଯେ ।୫୩ ।

 

ଦରଶନ ଭାବନା ହୋଇଲା ଆନ ତାର

ବିରହଉତ୍‌କଣ୍ଠିତା ହୋଇଲା ବାମାବର ଯେ ।

ଅନୁରାଗ ରତ୍ନ ଦେଇ ମନ ନୋହେ ତୋଷ

ପୁନଃ ପୁନଃ କଲା ପ୍ରିୟସଖୀଙ୍କି ଆଶ୍ଳେଷ ଯେ ।୫୪ ।

 

ଆହେ ରାମ କରୁଣାସାଗର ଚାପଧର

ଖର-ପ୍ରଖର ଦୂଷଣ ତ୍ରିଶିର ପ୍ରହାର ହେ ।

ମୁନିଜନ ତୋଷ ଜନପଦସ୍ଥିତ କର

ଉପଇନ୍ଦ୍ର ଭଞ୍ଜ ବୀରବର ତାପ ହର ହେ ।୫୫ ।

 

 

ଊନତ୍ରିଂଶ ଛାନ୍ଦ

ସଖୀମାନଙ୍କ ରହସ୍ୟ

କଥୋପକଥନ

(ରାଗ-ନଳିନୀଗୌଡ଼)

 

ସିଂହଳେଶ ତୋଷଭରଚାଳିଦେଲା ଅନ୍ତଃପୁର

ନାରୀ ବହିତ୍ରେ ବସାଇସୁନ୍ଦରୀଚିତ୍ତେ ଭାଳଇ ।୧ ।

 

କୁମର ବାହୁଡ଼ି ଯିବକାହିଁକି ଥିବ ଏ ଜୀବ

ପଡ଼ିବି ସିନ୍ଧୁ ମଧ୍ୟରଏବିଚାର ସବୁ ସାର ।୨ ।

 

ମନାସି ମୁଁ ଝାସିଥିବିଜନମାନ୍ତରେ ପାଇବି

ଆନ ବିଧିରେ ମରଣହେଲେ ହେବ ଅକାରଣ  ।୩ ।

 

ଏ ବିଚାର ମୂଳ କରିବିଜେ ବିହିତ୍ରେ ସୁନ୍ଦରୀ

ନିଜ ତାହା ତାହା ରୂପଅନାଇଁ ଲଭିଲେ ତାପ ।୪ ।

 

କହିଲଊେ ସଖୀଙ୍କି ଛଳିକି ଦିଶୁଛି ନବବାଳୀ

ତାତ କର୍ଣ୍ଣାଟେଶ ସୁତବରକଲେ କାଲି ସତ ।୫ ।

 

ଆସିବେ ରହିଲେ ପଛେବହିତ୍ରେ ବସାଇ ସ୍ୱଚ୍ଛେ

ଏବେ ନ କଲେ ଯତନପାଇବଟି ନିନ୍ଦାମାନ ।୬ ।

 

ଏବାଣୀ ଶୁଣି ତକ୍ଷଣଜେମାର ଜୀବ ରକ୍ଷଣ

ସମୁଦ୍ର ହୋଇଲେ ପାରି ସନ୍ତୋଷେ ଚଳିଲେ ପୁରୀ ।୭ ।

 

କୁମାର ଘେନି ନୃପତିପରି ହୋଇ ପୁରେ ସ୍ଥିତି

ଦିବ୍ୟପୁରେ ବସା ଦେଇରଖିଲେ ହରଷ ହୋଇ ।୮ ।

 

ସର୍ବ ନୃପତି ନିରାଶବାହୁଡ଼ି ଗଲେ ସ୍ୱଦେଶ

ନିରାଶ ଅମୃତ ପାନେଯେମନ୍ତେ ଅସୁରମାନେ ।୯ ।

 

ସିଂହଳ ଦ୍ୱୀପକୁ ଦେଖିଯୁବରାଜ ଅତି ସୁଖୀ

ଭାଳିଲେ ଲାବଣ୍ୟବତୀଜନ୍ମସ୍ଥାନ ଯେଉଁ କ୍ଷିତି ।୧୦ ।

 

ତାକୁ ସ୍ୱର୍ଗସମ କାହିଁବୋଲିବା ଆଶ୍ଚର୍ଯ୍ୟ ନୋହି

ଏଣୁକରି ଅନୁପମାସଂସାରେ ନାହିଁ ଉପମା ।୧୧ ।

 

ଶୁଭିଲା କିନ୍ନରୀ ଗୀତଏଥିବାଣୀଧ୍ୱନି ମତ

ହୋଇଥିବ ବାଳାମଣିଏମନ୍ତ ମନକୁ ଆଣି ।୧୨ ।

 

ଲେଖିଲା ସେ ମନେ ମନଅଛି ଆଉ କେତେ ଦିନ

ମୋ ଅଙ୍କ ପଲ୍ୟଙ୍କ କରିବସିବ ଅବନୀଶିରୀ ।୧୩ ।

 

ରସିକ ଚାଟୂକୁ ଶୁଣିହସିବ ଅଳପ ପୁଣି

ଦିଶିବ ମୁଖ ଯେସନସେହିକୋଳରେ ପ୍ରସନ୍ନ ।୧୪ ।

 

ସେ ଶୋଭା ସନ୍ଦର୍ଭ ତିଳେନଥିବ ଚନ୍ଦ୍ରମଣ୍ଡଳେ

ହୋଇବ ପଦ୍ମ ମୁକୁରକାହିଁକି ତୁଳନା ତାର ।୧୫ ।

 

ମୋତେ ଚାହିଁବ ଶ୍ରଦ୍ଧାରେନେଉଥିବ ନେତ୍ରାନ୍ତରେ

ଡ଼ୋଳା ଖେଳାଇ ଖେଳାଇସେ ଯେ ଲାଜ ଲାଜ ହୋଇ ।୧୬ ।

 

ଅନନ୍ତ ତୁରଙ୍ଗ ଲୀଳାହେବ ଅବା କେତେ ତୁଳା

ମତ୍ତ ଖଞ୍ଜନ କୁରଙ୍ଗୀକାହିଁପାଇଲେ ସେ ଭଙ୍ଗୀ ।୧୭ ।

 

ଯେଉଁ ଭଙ୍ଗୀ ଅନୁସରିଭୃଙ୍ଗ କମଳେ ବିହରି

ନିଳୋତ୍ପଳ ବାତେ ଚଳେଇଚ୍ଛାରେ ଭୁଜଙ୍ଗ ଖେଳେ ।୧୮ ।

 

ଚାହିଁକି ସନ୍ତୋଷ ହେବିସୁର ଚୁମ୍ବନ ମୁଁ ଦେବି ।

ନେବ ମୁଖ ଆଡ଼େ କରିତନୁରେ ପୁଲକ ଭରି ।୧୯ ।

 

ସୁବର୍ଣ୍ଣ ପନସ ସମଦିଶୁଥିବ ମନୋରମ

ଭାଳିବି ପକାଇ ହୃଦେକି କାର୍ଯ୍ୟ ଇନ୍ଦ୍ରର ପଦେ ।୨୦ ।

 

ଏମନ୍ତ ଭାବନା ବେଳେମାଳାକାର ନାରୀ ମିଳେ

ବହିଛି ଫୁଲ ଚନ୍ଦନପ୍ରୀତିଯୁକ୍ତ ବାଣୀମାନ ।୨୧ ।

 

ଶୁକ ଯେ ଦେଲା ଚିହ୍ନାଇଁଆନନ୍ଦେ ପୁଂସ ଅନାଇଁ

ଶୋଭା ସେ ଚନ୍ଦନ ଫୁଲେଅଙ୍ଗକୁ କଲା ଚପଳେ ।୨୨ ।

 

ବୋଇଲା ଏ ଦ୍ରବ୍ୟେ କରଜୀବନ ପ୍ରଭୁର ମୋର

ଲାଗିଥିବାରୁ ଶୀତଳକରିବି ବିରହାନଳ ।୨୩ ।

 

ନୋହିଲେ ଏ ଦ୍ରବ୍ୟମାନେଦହୁଥିଲେ ନିଶି ଦିନେ

ଚତୁରା ହସିଲା ହୋଇମଧୁରେ ଭାଷିଲା ତହିଁ ।୨୪ ।

 

ଏହି ବଚନରେ କିଣିପକାଇଲା ରାମାମଣି

ସୂଚିଶରେ ଭେଦମାରଗୁଣବନ୍ତ ମାଳାକାର ।୨୫ ।

 

ଏବିଧିରେ ନିତି ନିତିବୃଦ୍ଧି ହେଲା ବେନି ପ୍ରୀତି ।

ଶୁଣିମା ଏଥି ଉତ୍ତାରୁମହାଦେବୀଙ୍କ ଆଜ୍ଞାରୁ ।୨୬ ।

 

ମାତାମହୀ ପୁରୁ ଆସିଥିଲା ସେ ଜରତା ଦାସୀ

କଉତୁକୀ ନାମ ତାରପରିହାସ ସ୍ୱଭାବା ।୨୭ ।

 

ବଶୀକରଣାଦି ବିଧିଜାଣଇ ନାନା ଔଷଧି

ଜେମାପୁରକୁ ଗମନକହଇ ଯତ୍ନ ବିଧାନ ।୨୮ ।

 

ସଖୀମାନଙ୍କୁ ବସାଇହେଳା କଥା ନ କୁହଇ

ଜେମା କ୍ଷୀଣ କଳେବରଅତି ବଳିଆର ବରି ।୨୯ ।

 

ସଙ୍ଗେ କେହି ବିହରିବଏମନ୍ତ ତୁମ୍ଭେ କରିବ

ଦେବ ଶିତା ମେଥିକ୍ଷୀରେନିତି ପ୍ରଭାତ କାଳରେ  ।୩୦ ।

 

ବିଦର୍ଯ୍ୟା ଚୂର୍ଣ୍ଣ ଦିବସେରବିକରେ ଥୋଇ ତୋଷେ

ମଧୁନବନୀତ ଯୁକ୍ତେଅଶନକୁ ଦିଅ ରାତ୍ରେ ।୩୧ ।

 

ମନ୍ତ୍ରୀଜା ବୋଇଲା ଶୁଣିଶାଣେ କ୍ଷୀଣ ହେଲେ ମଣି

ଶୋଭା କି ତୁଟାଇ ତାରମନରେ କର ବିଚାର ।୩୨ ।

 

ଗଜ ବଳବନ୍ତ ହୋଇଅଙ୍କୁଶ କି ନ ମାନଇ

ଶଶୀ କ୍ଷୀଣ ଯେ ହୁଅଇକଳା ତା ବୃଦ୍ଧି କରଇ ।୩୩ ।

 

ପ୍ରଥମା ବୋଇଲା ତେବେଏମନ୍ତ କର ଗୋ ଏବେ

ଖଡ଼୍‌ଗ ସାଧନା ବଶରକର୍କଶ ବଲ୍ଲଭ କର ।୩୪ ।

 

ତିଳତୈଳ ଡ଼ାଳିମ୍ବରରସଯୁକ୍ତ ତହିଁ କର

କାର୍ପାସ ତୁଳାଯେ ଦେବଉରଜ କଠିନ ହେବ ।୩୫ ।

 

ଦ୍ୱିତୀୟା ବୋଇଲା ଶୁଣଯେଉଁ ଉରଜ କଠିନ

କମଠ ପୃଷ୍ଠ ସ୍ୱଭାବମେରୁ ଗର୍ବ କରେ ଖର୍ବ ।୩୬ ।

 

କାହିଁକି ଏହା କରିବାନାୟକ କର ପୀଡ଼ିବା

ପ୍ରଥମା ବୋଇଲା ଶୁଣିଏମନ୍ତ କର ଗୋ ପୁଣି ।୩୭ ।

 

ଗନ୍ଧ-ଉତ୍ପଳ ବିଡ଼ଙ୍ଗକଟୁ ତୈଳ କର ସଙ୍ଗ

ଲେପନ କେଶେ କରିବଅତ୍ୟନ୍ତ କୁଟିଳ ହେବ ।୩୮ ।

 

ସୈନ୍ଧବ ପିପ୍‌ପଳୀ ନେଳୀଚୂରିବାସେ ଛାଣି ଦଳି

ଲେପନ କେଣେ କରିବଅତ୍ୟନ୍ତ ପ୍ରଳମ୍ବ ହେବ ।୩୯ ।

 

ଦ୍ୱିୀତୀୟ ବୋଇଲା ଭଲକୁଟିଳ ପ୍ରଳମ୍ବ ବାଳ

ନଦୀ ଲହରୀ ଚାମରେବିବନ୍ଧ କାଳେ ଧିକ୍‌କାରେ ।୪୦ ।

 

ବନ୍ଧନେ ଜଗତ ଜନମନ କରଇ ବନ୍ଧନ

କି ହୋଇବ ଅଧିକାରେବିଚାର କର ମନରେ ।୪୧ ।

 

ପ୍ରଥମା କଲା ଉତ୍ତରମୁଖବାସକୁ ବିଚାର

ଜାତିଫଳ ନାଗେଶ୍ୱରଗୁଡ଼ତ୍ୱକୁ ଘନସାର ।୪୨ ।

 

ଅଳାଇଚ ନଖୀ ଭରିପାନେ ଦିଅ ବିଡ଼ି କରି

ଦ୍ୱିତୀୟା ବୋଲେ କି କାର୍ଯ୍ୟଯଉଁ ଲପନ ଅମ୍ୱୁଜ ।୪୩ ।

 

ଶ୍ରୀକୃଷ୍ଣ ପଦ ତୁଳସୀପଲ୍ଲବ ପରାୟ ବାସି

ଆଘ୍ରାଣେ ପରମାନନ୍ଦଲଭିବ ପୁଂସ ମିଳିନ୍ଦ ।୪୪ ।

 

ପୁଣି ଯେ ପ୍ରଥମା ଭାଷେଶ୍ରମେ ସ୍ୱେଦ ଗନ୍ଧ ନାଶେ

କର ଏହି ଉପଚାରଚନ୍ଦ ନାଗକେଶ୍ୱର ।୪୫ ।

 

ଅଭୟା ହରିଦ୍ରା ସଙ୍ଗେଲେପନ କର ଗୋ ଅଙ୍ଗେ

ଦ୍ୱିତୀୟା ବୋଲେ କି କହଯେଉଁ ତନୁ ମହ ମହ ।୪୬ ।

 

ପଦ୍ମ ପ୍ରାୟ ବାସୁଥାଇତହିଁ ଦୁର୍ବାସନା କାହିଁ

କସ୍ତୁରୀଗନ୍ଧା ବିନିତାସ୍ୱାଭାବେ ଗନ୍ଧର୍ବସତ୍ୱା ।୪୭ ।

 

ଯା ଅଙ୍ଗ ଗଉର ଝଳିନଯାଇଅଛି ବିଜୁଳି

ଏଣୁ ଲକ୍ଷଣ ବିଚାରିକହି ଗଇରିକ ଗୋରୀ ।୪୮ ।

 

କଥାରେ ନ ପାରି ଜିଣିପ୍ରଥମା ଏମନ୍ତ ଭଣି

ନବୀନ ଯୁବତୀ ଏହିରତିଭାବ ଜାଣି ନାହିଁ ।୪୯ ।

 

କାମଶାସ୍ତ୍ର ପୋଥି ହସ୍ତେଦିଅ ଝୁଲୁଥାଉ ନିତ୍ୟେ

ବନ୍ଧଚିତ୍ର ଭିତ୍ତି ନାହିଁବସିବା ଶୋଇବା ତହିଁ ।୫୦ ।

 

ପ୍ରତିକ୍ଷଣେ କରୁଥାଉକୁସୁମେ ସମୟେ ନେଉ ।

ଶୁଣି ଅପରା ହସିଲାସଧୀରେ ବାଣୀ ଭାଷିଲା ।୫୧ ।

 

ଶିଖୀ ଚିତ୍ରହଂସ ଶ୍ୱେତକେ କରିଅଛି ଘେନ ଚିତ୍ତ

ଯାହା ପଢାଇଲା ସାରୀସ୍ମରଶାସ୍ତ୍ର ଅର୍ଥକରି ।୫୨ ।

 

ତା ହାତେ ପୋଥି ଦେବାକୁଶୁଣିଲଇଁ ଅଭାଗ୍ୟକୁ

ଶୁଣି ସେ ହୋଇ ମଉନଚଳିଲା ରାଣୀ ସଦନ  ।୫୩ ।

 

ଶ୍ୟାମକମଳ ଶ୍ୟାମଳକପଟ କମଳ ବାଳ

ଉପଇନ୍ଦ୍ର ବୀରବରଚିନ୍ତେ ଚିତ୍ତେ ନିରନ୍ତର ।୫୪ ।

 

ତ୍ରିଂଶ ଛାନ୍ଦ

ଲାବଣ୍ୟବତୀର ବିବାହ

(ରାଗ-କଳଶା)

 

ଏଥୁ ଅନନ୍ତରେ ଶୁଣ ସୁବୁଦ୍ଧି କଳାପ

ଭୃତ୍ୟ ନିର୍ମାଣିଲେ ଛାୟା ମଣ୍ଡପ ମଣ୍ଡପ ହେ ।୧ ।

 

ଛାୟା ମଣ୍ଡପ ବେଢ଼ିଲା ପରି ପରିବାରୀ

ମଣ୍ଡପ ଯେମନ୍ତେ ତହିଁ ପ୍ରଧାନ ସୁନ୍ଦରୀ ଯେ ।୨ ।

 

ସେ ତମାଳଶାଖାକେଶୀ ଏଚାମରକେଶୀ

ସେ ପୁଷ୍ପଗୁଚ୍ଛାରେ ଏ ମୁକୁତାଗୁଚ୍ଛେ ହସି ଯେ ।୩ ।

 

ସେ ନାରୀକେଳ ଉରଜ ଏକଳସସ୍ତନୀ

ସେ ଦନ୍ତକମନୀୟା ଏ ହୀରକବଦନୀ ଯେ ।୪ ।

 

ସେ ପଲ୍ଲବ ଅଧରୀ ଏ ବିଦ୍ରୁମ ଅଧରୀ

ସେପତନୀ ବାସେ ଶୋଭା ଏହା ବାସ କରି ଯେ ।୫ ।

 

ସେ କସ୍ତୁରୀଚିତ୍ରକେ ଏ ମିହ୍ନାଚିତ୍ରେ ଶୋହି

ସେ ବଜ୍ୟନେ ରଞ୍ଜନ ପର୍ପଣ ମୁଖୀ ଏହି ଯେ ।୬ ।

 

ଏମନ୍ତ ଦେଖି ସିଂହଳପତି ତୋଷଭର

କଥନୀୟ ନୁହଇ କି ଭିଆଣ ସମ୍ଭାର ଯେ ।୭ ।

 

କେତେଦିନେ ପରବେଶ ଶ୍ରୀହରି ବାସରେ

ଉତ୍ସବେ ଅତି ଉତ୍ସୁକ ହେଲେ ନାରେଶ୍ୱର ଯେ ।୮ ।

 

ପ୍ରତିଦ୍ୱାରେ ରମ୍ଭାତରୁ ଦିବ୍ୟ ତ୍ରୋଣମାନ

ରମ୍ଭାପରି ବାରନାରୀ ମଙ୍ଗଳଗାୟନ ଯେ ।୯ ।

 

ପ୍ରଦୋଷ ନାଶରେ କଲେ ଗନ୍ଧଷଣ ବିଧି

ଭୂଦେବନନ୍ଦିନୀ ସାତ ପାଟବସ୍ତ୍ର ପିନ୍ଧି ହେ ।୧୦ ।

 

ନାପିତୀ ନୂତନସୂର୍ପରୋପି ନାରିକେଳ

ନବଚେଳ ପ୍ରଦୀପ ବଦରୀ ଦୂର୍ବାଦଳ ଯେ ।୧୧ ।

 

ଘେନି ବାହାରିଲେ ଉଚ୍ଚେ ହୁଳହୁଳି ଦେଇ

ଗୀତ ଇଚ୍ଛା ସୁଖେ ବାଣୀ କି ଅବା ବଜାଇ ଯେ ।୧୨ ।

 

ବାଜଇ ବିବିଧ ବାଦ୍ୟ ଦେବୀ ଗନ୍ଧଷିଳେ

ସପତଗୃହ ବୁଲିଣ ସଲିଳ ତୋଳିଲେ ଯେ ।୧୩ ।

 

ବର ନବରକୁ ଯାଇଁ କଲେ ଗନ୍ଧଷଣ

ସେହି ସଙ୍ଗେ ବରଦାସୀ ବଜାଇ ଘୋଷଣା ଯେ ।୧୪ ।

 

ଆସି କନ୍ୟା ମନ୍ଧିରେ ହୋଇଲେ ପରବେଶ

ଗନ୍ଧଷିଲେ ଦେଇ ଭୂଷା ଗନ୍ଧିପୁଷ୍ପ ବାସ ଯେ ।୧୫ ।

 

ବାହୁଡ଼ିଲେ ଯାଇ ସେ ପୁରେ କଥା ପରସ୍ପରେ

ଏମନ୍ତ ସୁନ୍ଦରୀ ଥିଲା ଜନମି ସଂସାରେ ଯେ ।୧୬ ।

 

ଚନ୍ଦ୍ରମୁଖେ ନୟନଯୁଗଳେ ଦେଲେ ଚାହିଁ

ଶିଶୁକୁରଙ୍ଗ ଯେମନ୍ତେ ପରତେ ହୁଅଇ ଯେ ।୧୭ ।

 

ଡ଼ୋଳାଭୃଙ୍ଗ ଚାଳି ଅନାଇଲେ ସେ ବଦନ

ବିକାଶ ସାରସ ପରା ଦିଶେ ଶୋଭାବନ ହେ ।୧୮ ।

 

ଦୁହିଁଙ୍କି ଏକାବେଳେ ଚାହିଁଲେ ଏସନ

ମୋହନ ପାଶରେ ପଡ଼ି ଚଞ୍ଚଳଖଞ୍ଜନ ଯେ ।୧୯ ।

 

ଲାବଣ୍ୟସରରେ ମୀନ ଖେଳିଲା ପରି

ପ୍ରଧାନ ଲାବଣ୍ୟବତୀ ତ୍ରିଭୁବନଶିରୀ ଗୋ ।୨୦ ।

 

ଦାସୀ କଥା ହେବାକୁ କୁମର ସାବଧାନ

ତାକୁ ମୁଁ ପାଉଛି ବୋଲି ଉଲ୍ଲାସାଇ ମନ ଯେ ।୨୧ ।

 

କନ୍ୟାପୁରେ ଦ୍ୱିଜନାରୀକଥା ପରସ୍ପରେ

ନଥିଲା ତ ଫୁଲଶର କନ୍ଦର୍ପ ହସ୍ତରେ ଗୋ ।୨୨ ।

 

କାହାକୁ ପ୍ରହାରିଛି କି ତେବେ ଥାନ୍ତି ଚାପ

ନୋହିଲେ ଦହିତ କି କରିଛି ହର କୋପ ଗୋ ।୨୩ ।

 

ଜଣେ ବୋଇଲା ସେ ଅଛି ନ ପାରିଲୁ ଦେଖି

ଧନୁଶର ନାମଟି ହୋଇଛି ଭୂରୁ ଆଖି ଗୋ ।୨୪ ।

 

ଉମାକାର୍ଯ୍ୟେ ଯାଇ ପାଇଥିଲେ ଅପଯଶ

ଏଣୁ ରାମା ନାଶରେ କି ଅଛି ପଉରୁଷ ଗୋ ।୨୫ ।

 

ନୃପସୁତା ଚତୁରୀ ଉତ୍ତରିଲା ଯୁକତେ

ମଲାଇଁଟି ଯେତେ ନବବୟସୀ ଜଗତେ ଗୋ ।୨୬ ।

 

ଏମନ୍ତେ କଥା ଶ୍ରବଣେ ସୁନ୍ଦରୀ ଉନିଦ୍ର

ସେ ମୋ ପ୍ରଭୁ ଭାବି ବଢ଼େ ଆନନ୍ଦ ସମୁଦ୍ର ଯେ ।୨୭ ।

 

ଏମନ୍ତ ରଜନୀ ଶେଷ ସମୟରେ ତହିଁ

କୋକିଳସ୍ନାନ ସେ ବର କନ୍ୟାକୁ କରାଇ ଯେ ।୨୮ ।

 

ଦଧିଗୁଡ଼ ଭକ୍ତ ଭୁକ୍ତ ଅନୁରକ୍ତ ବଶେ

କନ୍ୟାଲବଣଚଇରୀ ପୂଜିଲା ହରଷ ଯେ ।୨୯ ।

 

ଚଉଁରୀ ନୋହେ କରିଛି ଗଉରୀକି ସେବା

ପୁରୁଷ ଈଶ୍ୱର ସଙ୍ଗମକୁ ମୋତେ ଦେବା ଗୋ ।୩୦ ।

 

ଦଣ୍ଡେ ଏ ବିଳମ୍ବ ନୋହୁ ବେଗେ ହେଉ ଇଚ୍ଛା

ବୈଦ୍ୟ ଯଥା ମନାସିଲା ବ୍ୟାଧିମନ୍ତ ବାଞ୍ଛା ଗୋ ।୩୧ ।

 

ଏସମୟେ ପରବେଶ ନୃପତି ନନ୍ଦନ

ବିବିଧ ବାଦ୍ୟନାଦରେ ଦୁଆରେ ସଘନ ଯେ ।୩୨ ।

 

ସିଂହଳେଶ ଜ୍ୟୋତିଷ କହିଲା ଏହି କାଳ

ପ୍ରବେଶ ହେଲାଟି ବିଭା ଅନୁକୂଳ ବେଳ ହେ ।୩୩ ।

 

ମୀନକେତୁ ନାମ କୁମରକୁ ପଠିଆଇ

ଅଣାଇଲେ ସରଣୀବରଣୀ କରି ତହିଁ ଯେ ।୩୪ ।

 

ଜ୍ୟେଷ୍ଠ ଶୁକଳ ଦ୍ୱାଦଶୀ ସୋମବାର ହୋଏ

ସଙ୍କ୍ରାନ୍ତି କାଳକୁ ଭୋଗ ଦିବସ କୋଡ଼ିଏ ଯେ ।୩୫ ।

 

ସ୍ୱାତୀ ତାର ତୁଳଚନ୍ଦ୍ରଶୁଭେ ନାମେ ଯୋଗ

ସେଦିନ ବେଳାର ଷଡ଼ଘଡ଼ି ହୋଏ ଭୋଗ ଯେ ।୩୬ ।

 

ରବି ବୁଧ ଶୁକ୍ର ମିଥୁନରେ ହୋଏ ସ୍ଥିତି

କକଡ଼ା ଲଗ୍ନର ମଗ୍ନ ଉଚ୍ଚେ ବୃହସ୍ପତି ଯେ ।୩୭ ।

 

ଚନ୍ଦ୍ରକେତୁବର୍ତ୍ତୀ ତୁଳେ ଶନିଶ୍ଚର ମୀନେ

ମଙ୍ଗଳ ମଙ୍ଗଳ ତାର ତୃତୀୟରେ କନ୍ୟେ ଯେ ।୩୮ ।

 

ସ୍ୱର୍ଭାନୁ ମକରେ କରେ ବିସଳାସକୁ ତୋଷେ

ଏହିକାଳେ ବର ବିଭା ମଣ୍ଡପରେ ବସେ ଯେ ।୩୯ ।

 

ସ୍ୱରଶଙ୍ଖ ଶଙ୍ଖ ବାଜେ ଅସଂଖ୍ୟ ମାଧୁରୀ

ଘଣ୍ଟପହଟ କଂସାଳତାଳ ତୂରୀ ଭେରୀ ଯେ ।୪୦ ।

 

କର୍ଣ୍ଣାଳ କାହାଳ ବିଜିଘୋଷ ବେଣୁ ଚମ୍ପା

ମୁରଜ ଡିଣ୍ଡିମ ଦୁନ୍ଦିଭିରେ ମହୀ କମ୍ପା ଯେ ।୪୧ ।

 

ବୀଣା ରବା ତାଳ ତାଳ ମୃଦଙ୍ଗ ମର୍ଦ୍ଦଳ

ସ୍ୱରମଣ୍ଡଳ ଅମୃତ ବାଏ ଗୁଣିକୁଳ ଯେ ।୪୨ ।

 

ଗଣକଗଣ ମଙ୍ଗଳାଷ୍ଟକ ପଢ଼ୁଛନ୍ତି

ମଙ୍ଗଳଗୀତ ଗାବନ୍ତି ଗଣିକାଯୁବତୀ ଯେ ।୪୩ ।

 

ବନ୍ଦିବୃନ୍ଦ ବନ୍ଦନା କରନ୍ତି ଅତି ଉଚ୍ଚେ

ବେନିକୁଳ ପୁରୋହିତ ବସି କର୍ମେ ରଚେ ଯେ ।୪୪ ।

 

ଏକାଳେ ମୁଖଡ଼ିଣ୍ଡିମ ଶୁଭେ ଅନ୍ତଃପୁରେ

କୁମାର ବିଚାରେ ମାର କି ମୋ ମରଣରେ ଯେ ।୪୫ ।

 

ଧନୁର୍ଗୁଣ ଟଙ୍କାରି ସରୋଷେ ଆସୁଅଛି

ବାଳ ସାହା ହେବାର କି ଜାଣିନାହିଁ କିଛି ।୪୬ ।

 

ଏସମୟେ ପରିଚାରୀ ବାରିଜଗନ୍ଧାକୁ

ଲବଣଚଉଁରୀ ଅର୍ଥେ ଆଣିଲେ ସେଠାକୁ ଯେ ।୪୭ ।

 

ଅନ୍ତରପାଟ ଅନ୍ତରରେ ତରଳାକ୍ଷୀ ରହି

ତରଳନୟନ ଅନ୍ତେ ବଲ୍ଲଭକୁ ଚାହିଁ ଯେ ।୪୮ ।

 

ଲବଣ ତଣ୍ଡୁଳ ସହ ପୁରୁଷକୁ ମାରି

ବିଦ୍ୟୁ ପ୍ରାୟ ବାହୁଡ଼ିଲା ଚଞ୍ଚଳଚତୁରୀ ଯେ ।୪୯ ।

 

ଉଚ୍ଚାଟ ମନ୍ତ୍ରଧୂଳିକି ପକାଇ ଯେ ଯୁବା-

ଚିତ୍ତ ଧରି ପଣନ୍ତରେ ବାନ୍ଧି ନେଲା କିବା ଯେ ।୫୦ ।

 

କୃଶକଟୀକି ପାଛୋଟି ଯାଅ ବୋଲି ମନ

ପଠାଇଦେଲା କି ବା ରସିକରତନ ଯେ ।୫୧ ।

 

ବହୁତ ବିନୟ ହୋଇ କହୁଛି ସେ ତାକୁ

ବିଳମ୍ବ ନକରି ଘେନିଆସ ବନିତାକୁ ଯେ ।୫୨ ।

 

ବରକନ୍ଧ ଯଜ୍ଞୋପବୀତକୁ ଏହିକାଳେ

କନ୍ୟପାଶେ ନିରୋପଣ ଦ୍ୱିଜମାନେ କଲେ ଯେ ।୫୩ ।

 

ଚତୁରୀ ଯେ ବିଚାରିଲା ଆସିଛନ୍ତି ନେଇ

ଆପଣା ବ୍ୟାଜରେ ଯଜ୍ଞୋପବୀତକୁ ଦେଇ ଯେ ।୫୪ ।

 

ସେହିକ୍ଷଣି ରଙ୍ଗେ ଯେ କୁରଙ୍ଗେକ୍ଷଣୀ ବିଜେ

ବେଢ଼ିଛନ୍ତି ଚଉପାଶେ ସଜନୀ ସମାଜେ ଯେ ।୫୫ ।

 

ସୁବେଶିତ ବେଶ ବିଧି ନୋହିଲାଇଁ କହି

ଅଳଙ୍କାର ଅଳଙ୍କାର ଯେଣୁ ଚନ୍ଦ୍ରମୁହିଁ ଯେ ।୫୬ ।

 

ଧୀରେ ବିଭାମଣ୍ଡପେ ପ୍ରବେଶ ଆସି ହେଲା

ବାମ ଦକ୍ଷିଣ ବିଚାରି ନ ବସଇ ବାଳା ଯେ ।୫୭ ।

 

ବାମଦେବ ବାମ ବାମଅଙ୍ଗୁ ଅଛି ହୋଇ

ସତ ନ ବଳଇ କେହି ବାମ ହେବି ମୁହିଁଯେ ।୫୮ ।

 

ଏ ବିଚାର କଲା ଭାବି ପୁରୋହିତ ସୁତ

ବିଧାତା ବିଧାନ ଶ୍ଲୋକ ପଢ଼ଲା ତ୍ୱରିତ ସେ ।୫୯ ।

 

ଶ୍ରବଣେ, ବସିଲା ବର ସମୀପେ ବନିତା

ପୁରୁଷ ଘେନିଲା ଏତ ପରମପଣ୍ଡତା ଯେ ।୬୦ ।

 

ବେଦାକ୍ତ ମନ୍ତ୍ର ବିଧିରେ ଆରମ୍ଭିଣ କର୍ମ

କ୍ରମରେ ଉଦିତ କଲେ କାନ୍ତ କାନ୍ତ ନାମ ଯେ ।୬୧ ।

 

ବଶିଷ୍ଠ ଅରୁନ୍ଧତୀ ଶ୍ରୀରାମ ସୀତା ପରି

ଶିବ ପାର୍ବତୀ ଏଲକ୍ଷ୍ୟ ସମାନକୁ କରି ଯେ ।୬୨ ।

 

ଦ୍ୱିଜେ ବିଜ୍ଞେ ନାରିକେଳ ବାଦୀ ଯେଣେ ସ୍ତନେ

ବିଚାରିଣ ନିବେଶିଲେ ତାହାକୁ ଦହନେ ଯେ ।୬୩ ।

 

ମଧୁଶଯ୍ୟା କାଳେରେ ଯେ ତେଜ୍ୟା କରିବାକୁ

ଲାଜା ହେମ ନ କଳେଟି ଦହିବେ ଲଜ୍ଜାକୁ ଯେ ।୬୪ ।

 

କାନ୍ତା କାନ୍ତ କରପଦ୍ମ କୋକନଦ ଶିରୀ

ଚୋରି କରିଥିଲେ ବୋଲି କୁଶବନ୍ଧ କରି ଯେ ।୬୫ ।

 

ପରାଭବ ଅନ୍ତେ ଦ୍ୱିଜସୁତ ଫେଡ଼ି ଦେଲା

ମନୋଭାବ ପରାଭବ ଯାହା ହେଉଥିଲା ଯେ ।୬୬ ।

 

ଛୁଆଇଁଲେ କୁମାରକୁ କୁମାରୀ ଚରଣ

ମନ୍ମଥ ଭୟରୁ ନିଶ୍ଚେଁ ପଶିଲା ଶରଣ ଯେ ।୬୭ ।

 

କମ୍ବୁରେ ଅମ୍ବୁ ତୋଳିଣ ଦେଳା କନ୍ୟା ତାତ

କଣ୍ଠକୁ ସମାନ ନୋହି କି ଅବା ରୋହିତ ଯେ ।୬୮ ।

 

ବିଭାବିଧି ଶେଷ ଯହୁଁ ହେଲା , ବିଧିରେ

ବରକନ୍ୟା ଘେନି ଗଲେ ଅବରୋଧ ପୁରେ ଯେ ।୬୯ ।

 

ଆଜ ଯୁତ ହେବେବେନି ଏ ବ୍ୟାଜରେ ତହିଁ

ଯୁତ ଖେଳାଇ ସ୍ୱର୍ଣ୍ଣ ବରାଟିକା ଦେଇ ଯେ ।୭୦ ।

 

ଅନ୍ତଃପୁରସ୍ଥକୁ କଲା ବ୍ୟାକୁଳ ମଦନ

ଜଗତମୋହିନ ରୂପ କରି ଦରଶନ ଯେ ।୭୧ ।

 

ଜ୍ଞାତି ଭଗ୍ନୀ ଲେଖା ଜେମା ସ୍ନାନ ଭଗ୍ନୀ ଯେତେ

ଦାସୀ କରିଦେବେ କି ବିଚାର କରେ ଚିତ୍ତେ ଯେ ।୭୨ ।

 

ସେବା ବେଳେ କରପଦ ଲାଗିବେ ଉରଜେ

ପରମ ଗତିକି ଆମ୍ଭେ ପାଇବା ସହଜେ ଯେ ।୭୩ ।

 

ଜରତୀ ଜାଳିଲେ ଚିତ୍ତେ ଗଲାଣି ବୟସ

ନ ହେଳେ ଳୁଚି ପଳାଇ ଯାଆନ୍ତୁ ଅବଶ୍ୟ ଯେ ।୭୪ ।

 

ତରୁଣୀ ଏ ମନାସନ୍ତି ଭୋଗ ଦେବୁ ଦେବେ

ହେ ପ୍ରଭୁ ଆମ୍ଭଙ୍କୁ ଜେମା ସଙ୍ଗତରେ ଦେବେ ଯେ ।୭୫ ।

 

ଭୋଗ ନୋହିଲେ ତ ହେଉଥିବ ଦରଶନ

ଚନ୍ଦ୍ରମା ଉଲ୍ଲାସେ ଯଥା କୁମୁଦିନୀ ବନ ଯେ ।୭୬ ।

 

ଏମନ୍ତ ଭୋଜନ ସ୍ଥାନେ ହେଲେ କନ୍ୟାବର

ଜରତୀ ଦ୍ୱିଜବନିତା କହିଲା ସେଠାର ଯେ ।୭୭ ।

 

ପଞ୍ଚବାଣ ତ୍ରାସରୁ ତରିଲ ପଞ୍ଚଗ୍ରାସୀ

କର ଏବେ ହରଷରେ ଜାୟାପତି ବସି ଯେ ।୭୮ ।

 

ସେ ବିଧି ଶେଷେ ବିଜୟ ବାହାରେ କୁମର

ବନ୍ଦାଇଳା ରତ୍ନ ଦେଲେ ମନ୍ତ୍ରସୁତା କର ଯେ ।୭୯ ।

 

ସେତିକିବେଳେରୁ ସେ ଜେମାର ସହଚରୀ

ଆରମ୍ଭିଲେ ସୁବେଶକୁ ବିଚାରି ବିଚାରି ଯେ ।୮୦ ।

 

କେତେ ସଖୀ ମଣ୍ଡିଗଲେ ମଧୁଶଯ୍ୟାପୁର

ଏହିକାଳେ ଉତ୍ସବକୁ ଧ୍ୟାୟି ଶ୍ରୀରାମର ଯେ ।୮୧ ।

 

କହେ କବି ଭଞ୍ଜ ବିରବର ଦିବ୍ୟ ରସ

ଆହେ ରାମ ଅବିଘ୍ନେ ଏ ଗୀତ କର ଶେଷ ହେ ।୮୨ ।

 

ସୀତା ସହିତ ମୋ ଚିତ୍ତୁଁ ନାହିବ ଅନ୍ତର

ଅଭୀଷ୍ଟକୁ କରିଅଛି ନିରନ୍ତର ହେ ।୮୩ ।

 

Unknown

ଏକତ୍ରିଂଶ ଛାନ୍ଦ

ପ୍ରଥମ ମିଳନ ଉପଲକ୍ଷେ ନବଦମ୍ପତିଙ୍କର

ଅନୁଚିନ୍ତା ଓ କେଳିପୁର ସଜାଇବା

ରାଗ-କଉଶକ

ହରି ଚଉତିଶା-ବାଣୀ

 

ଶୁଣ ସୁଜନେ କୁମାର ମାର ବଶେ ଦିବସ ନାଶକୁ ଭାବି

ଚତ୍ୱରେ ଯାଇସତ୍ୱରେ ଚାହେଁ ଛାଇ ଅସ୍ତ ହୋଇବାକୁ ରବି, ସେ ବୀର

ମନେ ସ୍ତୁତି କରଇ ଅପାର ସେକେଉଁପ୍ରକାରେ ନୁହଇ ସ୍ଥିର ସେ

ତନୁ ପୁଲକି ଉଠଇ ତାର ଯେ ।୧ ।

 

ବୋଲଇ ହେ ମିତ୍ର ପଦ କର ସ୍ୱାର୍ଥ ମୋଡାରେ ସୁଦୟା ବହି ।

ଘେନି ତୁମ୍ଭେ ମୁଁ ଦୀନମଣି ସ୍ୱଭାବେ ପୁଣି ତ ପଦ୍ମିନୀ ସ୍ନେହୀ, ହେ ଦେବ

ସବୁକାଳେ ମିତ୍ରପଣ ଥିବମୋତେ ଦିବସ୍ପତି ପଦ ଦେବ

ଯେତେବେଳେ ବନ୍ଧୁ ଭେଟ ଦେବ ।୨ ।

 

ପୁଣି ବିଚାର ମୋ ଦୂତ ହୋଇ କେ ଆସନ୍ତା ଶୀତ ଘେନି ।

ଭାନୁ ଦିନ ସଙ୍ଗେ କ୍ଷୀଣକୁ ଭଜନା ହୁଅନ୍ତା ଦୀର୍ଘ ରଜନୀ, ସେ ଏତେ

କହି ଦିଅନ୍ତା ଚନ୍ଦ୍ର ମରୁତେପଶି ଗବାକ୍ଷେ ବାଳା ପଣନ୍ତେ ସେ

ଆଜ ଯୁବାଙ୍କୁ ତୋଷ ରତାନ୍ତେ ସେ ।୩ ।

 

ଧାତା ବେଭାରେ ସୁରସଭା ମଧ୍ୟରେ ହରିଲା ବାରରମଣୀ

ଯଥା ଦୁଷ୍ଟଲୋକ ବୃଦ୍ଧ ହେଲେ କହେ ବାଳକେ ତିଆରି ବାଣୀ, ସେ ତଥା

ଦିନେ ନିଷେଧିଲା ରତି କଥା ସେପାସୋରିଲା କି ମଦନ ବ୍ୟାଥା ସେ

ତାର ବିଧି ବୋଲାଇବା ବୃଥା ସେ ।୪ ।

 

ନବତରୁଣୀ କାମସିନ୍ଧୁ ତରୁଣୀତରଣୀକି ଚାହିଁ ଭାବେ

ଫୁଲ କୋଦଣ୍ଡ ଦଣ୍ଡ ତ ନ ତୁଟିଲା କେତେ ଦଣ୍ଡ ପୁଣି ଥିବେ, ଏଭାନୁ

କେତେ ବେଦନା ସହିତ ତନୁତ ତୁଟିବ ସନ୍ତାପ କୃଶାନୁ ।

ପ୍ରେମରସ ସେଚନ ବିହୀନୁ ସେ ।୫ ।

 

ଯେବେ ସଂସାରୀ ଅଭିସାରୀ ତାହାଙ୍କ ନିଶ୍ୱାସ ବତାସ ହୋଇ

ଜଳଧି ହୁତାଶେ ଉଡ଼ାଇ ତପନ ପକାଇ ଦିଅନ୍ତା ନେଇ, ସେ ତେବେ

ମନ ସନ୍ତୋଷ ହୁଅନ୍ତା ଭାବେନିଶି ହୋଇଥାନ୍ତା ରାତ୍ର ଦିବେ ।

ହୁଅନ୍ତା ଯେ ତନୁ ଭିନ୍ନ ଲବେ ସେ ।୬ ।

 

ଆରତ ନିନାଦ କଲେ କୋକନାଦ ମଧ୍ୟେ ସମୟେ ରବି

ଆକାଶ ସର କୋକନାଦ ପରାୟେ ଧରି କୋକନାଦ ଛବି ସେ ଖରେ

ଶୋଭାହେଳେ ଚରମ ଭୂଧରେକାମ ଜଗତଜୟ କାମରେ

ଜବାଦକ ବାରୁଣୀ ଶିରେ ସେ ।୭ ।

 

ସ୍ତିରୀ ପୁରୁଷ ଅନୁରାଗୁଁ ଅଧିକ କେ ହେବ ମନରେ ଭାଳି

ଦ୍ୟୁମଣି ବିଶାରେ କି ନଗ ଗୁଣିକ ଆଗ ଫୁସରାଗ ତୁଳି, ସେଢାଳି

ଦେଲା ତେଣୁ ରଙ୍ଗ ଦୀପାବଳୀପୁଣି ବାରୀ ଅନୁରାଗ ତୁଳି ।

ସେ ତ ମଞ୍ଜିଷ୍ଠା ରାଗରୁ ଝଳି ସେ ।୮ ।

 

ବାରୁଣୀ ତରୁଣୀ ସଙ୍ଗେ ଫଗୁ ଖେଳି ସିନ୍ଧୁ ମଜନକୁ ଗଲା

ସେହି ରାଗରଙ୍ଗ ଯୁଗତେ ହୃଦରେ ପ୍ରକାଶ କଲା , ତା ଚାହିଁ

ନୃପନନ୍ଦନ ଆନନ୍ଦ ହୋଇଗଣ୍ଡଦେଶେ ଲୋମ ଉଲ୍ଲସଇ ।

ଏହି ଭାବନାମାନ କରଇ ସେ ।୯ ।

 

ସଖୀ ବେଢ଼ି ଚନ୍ଦ୍ରମୁଖୀକି ମୋହର ବେଶ କରୁଥିବେ ପରା

ରସିବାକୁ ରସେ ଆସିବାକୁ ପାଶେ କରିବନି ଚିତ୍ତ ତ୍ୱରା, ମୁଁ ଧନ୍ୟ

ଆଜ ଛୁଇଁବି ତା ଅପଘନପୁରି କହିବି ଚାଟୂ ବଚନ ।

ସତତ ଦେବି ଆଲିଙ୍ଗନ ସେ ।୧୦ ।

 

ତୁଚ୍ଛ ଜୀବ ରହିବାକୁ କେତେ ଦାନ କରିବ ପରାଣ ସଖୀ

ଚୁମ୍ବ ଆଲିଙ୍ଗନ ଓଷ୍ଠପାନ ଦାନ ବାସ ନ ପାରିବ ରଖି, ତା ଦେଖି

ମୁଁ ଯେ ହୋଇବି ପରମସୁଖୀସେ ଯେ ଉରେ ଉର ଦେବ ଯୋଖି

ମନମନକୁ ହୋଇବ ସାକ୍ଷୀ ।୧୧ ।

 

ବାଳା ବିଚାରଇ ପରାଣ ପତିଙ୍କି କି କରି ଦେବିଟି ରତି

ଦେଖିବେ ପରା ମୋ ସ୍ତନ ଜଘନକୁ କି ହେଉଛି ଆଜି ରାତି, ସେ ଭାବି

ଦେବୀମାନଙ୍କୁ ଉପନ ଦେବିଜୀବ ଥିବାଯାକେ ଥିବି ସେବି ।

ଦୀପ ସେକାଳେ ଯିବଟି ଲିଭି ସେ ।୧୨ ।

 

ବଳିଆଇଁ ବାସ ରଖି ନ ପାରିବି ସ୍ୱଭାବେ ଅବଳା ମୁହିଁ

ଉଦ୍ଧତ କଥା ଏ ନବୀନ ସଙ୍ଗମେ କରିବାର ନାହିଁନାହିଁ, ହେ ବିଧି

କାନ୍ତେ ନ ହେବ ବିବାସ ବୁଦ୍ଧିସବୁ ରଚନା ତୁମ୍ଭର ସିଦ୍ଧି ।

ରସତନମନ ରସନିଧି ସେ ।୧୩ ।

 

ଯାମିନୀଘେନି ଅନ୍ତର ହେବା ଦୋଷ ଚନ୍ଦ୍ର ଛଡ଼ାଇବା ପାଇଁ

ତାର କୁମୁଦିନୀ ପାଶକୁ ପ୍ରଦୋଷ-ଦୂତୀ ଆଗ ପଠିଆଇ, ସେ କାଳେ

ତାର ବଚନ ମନ୍ତର ବଳେକେହୁ ହସିଲା ଝଳକ ଛଳେ ।

କେହୁ ରସିଲା ଦରମୁକୁଳେ ।୧୪ ।

 

ସେ ସମୟେ ଚାରି ପାଞ୍ଚ ସହଚରୀ ବିଚାରି ମଣ୍ଡନ୍ତି ପୁର

ରସିକ ବିଧୁ ବଧୂ ମଧୁଶଯ୍ୟାକୁ ଯେ ହୋଇବ ମନୋହର, ସେ ଚାରୁ

କର୍ମେ ବିଶ୍ୱକର୍ମାମୟ ଗୁରୁଧନ୍ୟ ପୁଣ୍ୟଜନପତି ପୁରୁଁ ।

ଦେଖି ନେତ୍ର ବଶ କରେ ଦୂରଁ ।୧୫ ।

 

ବାସବ ସବୁ ଦେଖିଲେ ଗଉତମ ଉତ୍ତମ ବୋଲି ଭାଷିବେ

ଲଙ୍କା ଲୋକମାନେ ହନୁମାନେ ମାନସରେ ପ୍ରଶଂସିବେ , ସେ ହର

ଚିତ୍ତୁଁ ନ ଗଳା ଏ ମନୋହରଭ୍ରମେ ଶ୍ମଶାନେ ନ କରି ଘର ।

ଚାହିଁ ବଶ ନୋହିବ କେ ନର ।୧୬ ।

 

ସୁଧାଂଶୁ ପରି ମୋତିସୁଧା ବସୁଧା ବିଶୁଦ୍ଧ ରଜତ ବାଡ଼

ପ୍ରତି କୋଠିରେ କଳା ଚଉଷଠିରେ ପ୍ରତିମାମାନ ନିବାଡ଼, ସେ ଝଳି

ବନ୍ଧହୁଡ଼ ହୋଇବାକୁ ଭାଳିମିନାଲତା କରିଛି ଝଳି ।

ପ୍ରତେ ବନେ କି କରନ୍ତି କେଳି ।୧୭ ।

 

ଶ୍ରମଘର୍ମ କ୍ଷୀଣେ ଦକ୍ଷିଣେ ଗବାକ୍ଷ ଆଗମ ପ୍ରାଣେ ରଞ୍ଜନ

ସ୍ତମ୍ଭ ଆରମ୍ଭ ରମ୍ଭୋରୁ ଉଭା ଶୋଭା କରେ ଚାଳିତ ବ୍ୟଞ୍ଜନ, ସେ ଚାଳ

ମହା ରମଣୀୟ ମଣିଜାଳହୋଇଛନ୍ତି ଅତି ଜ୍ୟୋତିଶୀଳ ।

ପରେ ମନୋହର ହେମଢ଼ଳି ।୧୮ ।

 

ଯହିଁ କାଚବାଡ଼ ଚତ୍ୱର ଲୋକନେ ସତ୍ୱର ସଳିଳ ଭ୍ରମ

ବଇଡୁର୍ଯ୍ୟ ଉଜ ପଙ୍କଜ ସ୍ପଟିକ କୁମୁଦସ୍ପୁଟରେ ରମ୍ୟ, ସେ ଘେନ

ତହିଁ ହଂସକରେ ବ୍ୟର୍ଥସ୍ନାନମଧୁପାଳି ମିଳି କରେ ସ୍ୱନ ।

ବଶ ନ କରିବ କାହା ମନ ।୧୯ ।

 

ଯହିଁନୀଳମଣି ସୋପାନର ମଣି ଗତି ସୁଖମଣି କେକୀ

ମଧୁର ନାଦ ଆଳାପରେ ନାଚନ୍ତି କଳାପ ଟେକି, ସେ ପୁରୀ

ମହୀମଣ୍ଡନାର ସହଚରୀକଲେ ମଣ୍ଡନ କେମନ୍ତ କରି ।

କିଛି କହିବା ତହିଁ ମାଧୁରୀ ।୨୦ ।

 

ନନ୍ଦତନୟ ବିନୟ ଭାନୁଜାକୁ ଭାନୁଜା ତଟରେ ଚାହିଁ

କନକଜିତାଙ୍ଗୀ ଜନକସୁତାକୁ ରାମଚନ୍ଦ୍ର ଚାଟୁଆଇ, ସେ ସ୍ୱଚ୍ଛ

ଶିବ ଗୋଡ଼ାଇ ମୋହିନୀ ପଛଇନ୍ଦ୍ରସୂର୍ଯ୍ୟ ଧୈର୍ଯ୍ୟ କରେ ତୁଚ୍ଛ ।

ମାୟା ନାରୀ ରୂପରେ ଶ୍ରୀବତ୍ସ ।୨୧ ।

 

କିନ୍ନରୀ ସଙ୍ଗରେ କୁବେର ବିହରି ବାନରୀ ସଙ୍ଗରେ ବାତ

ଶୋଭାଧନ୍ୟା ମେନା ମୀନାକ୍ଷୀକି ଚାହିଁ ବିଶ୍ୱାମିତ୍ର ତପହତ, ଏବିଧି

ଚିତ୍ରମାନ ହୋଇଅଛିସିଦ୍ଧିଆଣି ଛିଟ ଯବନିତା ବାନ୍ଧି ।

କଲେ ପ୍ରାଙ୍ଗଣ ଶୋଭାକୁ ବୃଦ୍ଧି ।୨୨ ।

 

ଚିତ୍ତ ମୋହିତ ଲୋହିତ ପୀତ ଶ୍ୱେତ ବାସେ ତେଲଙ୍ଗୀ ମଣ୍ଡଣି ।

ଉତ୍ତମ କରି ଚାମର ଖଦି ଫୁଲ ମାଳିକା ଖଞ୍ଜିଲେ ପୁଣି, ସେ ଗୁଣୀ

ଯାହା ପାଶକୁ ଯେ ଶୋଭା ଜାଣିଚାନ୍ଦ ଦର୍ପଣ ଖଞ୍ଜିଲେ ଆଣୀ

ଯଥା ଅର୍ଦ୍ଧେନ୍ଦୁ ତାରକ ଶ୍ରେଣୀ ।୨୩ ।

 

ହରିବାରଣ ଖୁରାତଳେ ସେ ହୀରା ହୀରା ବାରଣକୁ ଥୋଇ

ଯତନ ରତନ ପଲ୍ୟଙ୍କ ଅଙ୍କରେ କୋମଳ ଶେଯ ସଜାଇ, ସେ ଆଳୀ

ବିଶେଷତ ଶଙ୍କା ଏହାଭାଳିଶିଖୀ ଚନ୍ଦ୍ରକ ବିଞ୍ଚଣା ନାହିଁ ।

ତାହା ପକାଇଥିବା ଗୋ ତହିଁ ।୨୫ ।

 

ସେବତୀଦଳ ବିଞ୍ଚି ସିଞ୍ଚି ଅତରେ ଶେଯାଇଲେ ଝୀନବାସ

ଏହି ବିଧାନରେ ଅବନୀ ଶଯ୍ୟାକୁ ବିରଚନ କଲେ ବେଶ, ସେ ନାରୀ

ବାରିପୂର୍ଣ୍ଣକଲେ କାଚଝରୀନାନା ଜାତି କୁସୁମକୁ ଭରି ।

ଥୋଇଗଲେ ସନ୍ନିକଟ କରି ।୨୬ ।

 

କୁନ୍ଦନ ପାତ୍ରରେ ଚନ୍ଦନ କର୍ପୂର ଅତର ପନିର ଚୁଆ

ଲବଙ୍ଗ ଖଦୀର ପୂଗଚୂର୍ଣ୍ଣ ପୂର୍ଣ୍ଣ ଭଙ୍ଗାପାନ ପାଶେ ଥୁଆ, ସେ ଦୀପ

ଜିରାପଞ୍ଜୁରୀମଧ୍ୟରେ ଗୋପ୍ୟରଖିଗଲେ ସେ ଭିତ୍ତି ସମୀପ ।

ବାଳାହରଷକୁ ଅନୁରୂପ ।୨୭ ।

 

ଗୃହ କପୋତୀ ପଢ଼ା ସାରୀସଂଘାତ ଭଳି ପଞ୍ଜରୀକି ନେଲେ

ରଜନୀ ଥିବା ଯିବାର ଜାଣିବାକୁ ପୁରପାଶେ ଲମ୍ୱାଇଲେ, ସେ ପୁଣି

ସୀତାପତି ରଘୁବଶଂମଣିଦିବ୍ୟ କାର୍ମୁକ ସାୟକପାଣି ।

ଉପଇନ୍ଦ୍ର ବୀରମଣୀ ଭଣି ।୨୮ ।

 

ଦ୍ୱାତ୍ରିଂଶ ଛାନ୍ଦ

ସଖୀମାନେ ଲାବଣ୍ୟବତୀକୁ

ବେଶ କରି କେଳିପୁରକୁ ନେବା

(ରାଗ-ମାଳବ)

 

ରସିକ ଚାତକ ସୁଖ ଘନରସଦାୟୀ ।

ଏ ଛାନ୍ଦକୁ ଶୁଣିମା ସୁଜନେ ମନ ଦେଇ ଯେ ।୧ ।

 

କାନ୍ତ କାନ୍ତ ପ୍ରମୋଦ ସଜନୀରୂପେ ଆସି ।

ଜଗତକୁ ଆଚ୍ଛାଦି ରଜନୀ ପରକାଶି ଯେ ।୨ ।

 

ପିକ ନାଦେ କହିଲା କନ୍ଦର୍ପ ଅନୁକୁଳ ।

କଲାତରୁଣଦମ୍ପତି ବେଗେ ହୁଅମେଳ ଯେ ।୩ ।

 

ଏସମୟେ ଉଦୟ ହୋଇଲେ ସୁଧାକର ।

କିରଣରେ ପ୍ରତିଦିଶ ଦିଶିଲା ସୁନ୍ଦର ଯେ ।୪ ।

 

ତ୍ରିଯାମା ଆଲିଙ୍ଗନରୁ ଏହି ଅନୁମାନ ।

କଳା ଦେହେଁ ଯେମନ୍ତ ଚନ୍ଦନ ବିଲେପନ ଯେ ।୫ ।

 

କାଚଭିତ୍ତି ସ୍ପଟିକ ସୋପାନ ବିମ୍ବାଧରେ ।

କ୍ଷୀରାର୍ଣ୍ଣବ ମିଶିଲା କି ଭାନୁସୁତା ନୀରେ ଯେ ।୬ ।

 

ରବି ତାପ ଶାନ୍ତି ଅର୍ଥେ କିବା ପରମେଷ୍ଟୀ

ଘନସାର ଚୂର୍ଣ୍ଣରେ ପୂରିତ କଲା ସୃଷ୍ଟ ଯେ ।୭ ।

 

ଖଣ୍ଡପରଶୁ ଭୂଷଣ ଖଣ୍ଡପରଶୁ ଧର ।

ସୁଧାରେ ଧବଳି ହେଲା କି ବସୁଧାପୁର ଯେ ।୮ ।

 

ପ୍ରଦୋଷ ସଙ୍ଗରେ ଯେ କ୍ଷୀଣଦାର ହୋଇଥିଲା ।

ଏଣୁ କି ତ୍ରିପଥ ଗଙ୍ଗାଜଳେ ସ୍ନାନ କଲା ଯେ ।୯ ।

 

ହୀରକ ରଥପଦ କି ବିଶ୍ୱଜୟ ପାଇଁ

ଚନ୍ଦ୍ରବ୍ୟାଜେ ମନସିଜ ଫିଙ୍ଗିଛି ବୁଲାଇ ଯେ ।୧୦ ।

 

ପୂର୍ବରୁ ତ ପାରାବାରୁ ଦେଇଅଛି ପାଣି ।

ଅନାଇଁ ବିଯୋଗୀ କଲେ ମିଳାଇ ଭାଳେଣୀ ଯେ ।୧୧ ।

 

ଦେଖି-ପ୍ରାଚୀ-ନିଷାଦ ପଦ୍ମିନୀ ବ୍ୟଭିଚାର

ଛଡ଼ାଇ ନେଇଛି ଏକ ତାଟଙ୍କ କି ତାର ଯେ ।୧୨ ।

 

ମୋତି ନିର୍ମିତ ମର୍କତ ନାୟକ ବିରାଜି ।

କଳଙ୍କବୋଲେ ଯେ ଏହା ନ ପାରଇ ହେଜି ଯେ ।୧୩ ।

 

ଗଗନ କାନନେ ଅଙ୍କୁରାଇ ଅଛି ଧାତା ।

ରଜତ ଆଳବାଳରେ କି ତମାଳଲତା ଯୋ ।୧୪ ।

 

ପୁଣି ନିର୍ମଳ ତାରକା ଘେନି ସେ ଗଗନ ।

ପ୍ରଫୁଲ୍ଲିତ ମଲ୍ଲୀବାଟୀ ପରାୟ ରଞ୍ଜନ ଯେ ।୧୫ ।

 

ଯାମିନୀ ନବକାମିନୀ ମୁଖକଳାକର ।

ଚାରୁ ଲୋଚନରେ ହୋଇଅଛି ମନୋହର ଯେ ।୧୬ ।

 

ଲୋଭେ ପାରଦ ଗର୍ଭରୁ ଉଛୁଳି ଧଇଲା ।

ନଭେ ବଞ୍ଚିହୋଇ କି ତାରକା ବେଲାଇଲା ଯେ ।୧୭ ।

 

ନିଶ୍ଚେ ଜାଣିଲି ପୁଷ୍କର ଆକାଶ ମଣ୍ଡଳ ।

କି ଜଳପୃଷନ୍ତିମାନ ପଡ଼ି ଢଳ ଢଳ ଯେ ।୧୮ ।

 

ବିଶଦ କେଶରେ ପୁଣି ବିଭାଜମାନେ ସେ ।

ମତ୍ତ ମଧୁବତ୍ର ତହିଁ ଚୁମ୍ବେ ଲୋଭବଶେ ଯା ।୧୯ ।

 

ନିଶାରେ ପ୍ରକଟ ବୋଲି ପ୍ରସାର ହୋଇଛି ।

ରତିକାଳ ବୋଲି କି ହୃଦରେ ଦେଖାଉଛି ଯେ ।୨୦ ।

 

ତାରାକୁଳ ଛଳେ ଯୁବାଜୟ ଯଶ ବଞ୍ଚି ।

ଜାଣିଲି ମାର ଚନ୍ଦ୍ରର ସୁମିତ୍ରତା ଅଛି ଯେ ।୨୧ ।

 

ଉଦ୍ଦୀପନକାରକ ଚାନ୍ଦନୀ ନିଶି ଦେଖି ।

କଲେ ବେଶ ଜେମାକୁ ଚତୁରୀ ପ୍ରାଣସଖୀ ଯେ ।୨୨ ।

 

କେଶ ବାନ୍ଧୁଁ ପଚାରିଲେ ରମଣୀମଣିକି ।

ସଜାଡ଼ିବା ଜୁଡ଼ା କିବା ବାନ୍ଧିବା ବେଣୀକି ଯେ ।୨୩ ।

 

ନାସିକାରେ ମୋତି ଦେଇ ଚେତାଇଲା ତାକୁ ।

ଏନାଟ ଆରମ୍ଭ କରେ କିଙ୍କିଣୀ ବାଦ୍ୟକୁ ଯେ ।୨୪ ।

 

ଭଙ୍ଗୀକଲେ ସଙ୍ଗିନୀ ମଣ୍ଡିବା ବେଳେ ହୀରା ।

ଅଛି କି ନାହିଁ ଗୋ ଏଥି ସ୍ନେହ ପୂର୍ବ ପରା ଗୋ ।୨୫ ।

 

କସ୍ତୁରୀ ଗୋଳୁ ସଜନୀ ଆରମ୍ଭିଲେ ଛଳ ।

ଉରଜ-ଚକ୍ରକୁ ପରା ନ ସହିବା କାଳେ ଯେ ।୨୬ ।

 

ଅଞ୍ଜନା ରଞ୍ଜୁନ ବୋଇଲା କେ କେତେ ।

ଏ ଶର ବିଷାଇବାକୁ ଯୁବ ଧୈର୍ଯ୍ୟ କେତେ ଯେ ।୨୭ ।

 

ଅତୁଲ୍ୟ କଟକ ମଣ୍ଡି ବୋଲନ୍ତି ବିଚାର ।

ଭେଟୁଁକର ଗ୍ରହଣ ଯେ କରିବ କୁମାରୀ ଗୋ ।୨୮ ।

 

ସୁବେଶ ସମ୍ପୂର୍ଣ୍ଣ ହୋଇଯାଏ ଠାବେ ଠାବେ ।

କେତେ କହିବା କହିଲେ ଯେତେ ହାସ ଭାବେ ଯେ ।୨୯ ।

 

ଦର୍ପଣ ଦେଖାଇ ସଖୀଗଣେ ପ୍ରଶଂସଇ

ଏ ବେଶକୁ ସୁନ୍ଦରୀ ଉତ୍ତମ କାନ୍ତ ପାଇ ଯେ ।୩୦ ।

 

ମଣ୍ଡିଲା ପରାୟେ କାମ କନକ ପରଭା ।

ବାସ ପିନ୍ଧାଇବାକୁ ତାହାକୁ କଲେ ଉଭା ଯେ ।୩୧ ।

 

ନିବିଡ଼େ ନୀବୀ ନିବିଡ଼ୁ ଭିଡ଼ି ବଦନକୁ ।

ଆଳୀ ପୁଚ୍ଛେ ଏଡ଼େକୋପ ପରା ମଦନକୁ ଗୋ ।୩୨ ।

 

ଯେଡ଼େ ଦୃଢ଼ କଲେ ଚୀର ପାରଇ କି ରଖି ।

ବୃଦ୍ଧି ସରିତକୁ ବାଲିବନ୍ଧ ନିକି ସଖୀ ଗୋ ।୩୩ ।

 

ତେତେ କିଆରି କହୁଛି କେଉଁ ସହୀ ।

ଦେହଳୀ ବଳି ସମୟରେ ତହିଁ ଗୋ ।୩୪ ।

 

ନାଥ ହାତ ଧରି ଚାଟୂଆଇ ନେବେ ତୋତେ ।

ମଥାଟେକି କଥା ନ କହିବୁ କଦାଚିତେ ଗୋ ।୩୬ ।

 

କେ ବୋଲଇ ଅବଳା କୋମଳ ବୋଲି ତୁହି ।

ନୋହିବୁ କାତର କାନ୍ତ ବଳବନ୍ତ ଚାହିଁ ଗୋ ।୩୭ ।

 

ପ୍ରଚଣ୍ଡ କିରଣେ ରବି ତୋଷଇ ନଳିନ ।

ଅଳି କେଳିରେ ନୁହଇ ଶିରୀଷ ମଳିନ ଯେ ।୩୮ ।

 

ଏ କାଳେ କେଳି ମନ୍ଦିରେ ବିଜୟ ନାଗର ।

ଦେଖିଲା ସେ ଶୋଭା ମହା ଉଦ୍ଦୀପନକର ଯେ ।୩୯ ।

 

ବିଚାରଇ ଏକ୍ଷଣି ଆସିବ ସୁଲକ୍ଷଣୀ ।

ନାହିଁ ତାର ଚାଟୂକୁ ଚାତୁରୀ ହୋଇ ବାଣୀ ଯେ ।୪୦ ।

 

ବୋଲନ୍ତି ଅବା ମୁଁ ପିଣ୍ଡ ତୁ ମୋର ଜୀବନ ।

ପିଣ୍ଡକୁ ପରାଣ ଛାଡ଼େ ଘେନିବ ବିମନ ଯେ ।୪୧ ।

 

ନୟନ ପ୍ରତିମା ବୋଲି ଭାଷିଲା ହସିବ ।

ଯାହାକୁ ଚାହିଁ ସେ ଦିଶେ ପ୍ରତିବିମ୍ବ ଯେ ।୪୨ ।

 

ରଙ୍ଗଚରଣେ ଶରଣଜନ ମୁଁ ତୋହର ।

ବୋଇଲେ ସେ ସ୍ନେହାଧୀନା ହୋଇବ କାତର ଯେ ।୪୩ ।

 

ତାକୁ କାତର କରାଇ କେଉଁ ବଡ଼ପଣ

ଏହିପରି ସିନା ଯେତେ ବିନୟ ଭିଆଣ ଯେ ।୪୪ ।

 

ଏ ରୂପେ ଭାବ ଭାବନା କରୁଁ ନୃପସୁତ ।

ସଖୀଏ ଭାଷିଲା ମିଳି ସୁନ୍ଦରୀପୁରତ ଯେ ।୪୫ ।

 

ଉଠ ଉଠ ନ କର ମଦନମଦାଳସୀ ।

ନାଥ ପଥ ଚାହିଁଥିବେ ପଲ୍ୟଙ୍କରେ ବସି ଯେ ।୪୬ ।

 

ବିଳମ୍ବର କାରଣ କି ପ୍ରଳମ୍ବକୁନ୍ତଳା ।

ପାହିଯିବ ରଜନୀ ନ ସରୁ ପ୍ରେମଲୀଳା ଯେ ।୪୭ ।

 

ଦରହାସୀ ହେବୁ ଦର କ୍ଷୁଧାତୁର ପରି ।

ଏହାଶୁଣି ବଦନ ନୁଆଇଁ କୃଶୋଦରୀ ଯେ ।୪୮ ।

 

ଛଳିଲା ଆଳୀଏ ରମ୍ଭା ସଙ୍ଗୀତ ।

କାମନା ସଫଳେ ମୁଖ ପୋତିବା ଉଚିତ ଯେ ।୪୯ ।

 

କେ ବୋଇଲା ଦଇବ ନେଇ ତା ସନ୍ନିଧାନେ ।

ଯାହା ଲପନକୁ ଦେଖି ନାହିଁ ଏସ୍ୱପନେ ଯେ ।୫୦ ।

 

କି କରିବି କି ବୋଲିବି ବିଳମ୍ବ ଏଥିକି ।

ଏ ବିଚାର ଛିନାଇ ବାହାର ହେବାଟିକି ଯେ ।୫୧ ।

 

କେ ଭାଷଇ ନ ଆସଇ ଏକଥା ମନକୁ

ଯାହା ବୋଇଲେ ଛାଡ଼ି ଦେବ ପିନ୍ଧା ବସନକୁ ଯେ ।୫୨ ।

 

ତାହା ପାଶେ ଯିବାକୁ କରୁଛି କିମ୍ପା ଲାଜ ।

ନ ଜାଣେ କି ସେ ନାଶ ହୋଇବ ବୋଲି ଆଜ ହେ ।୫୩ ।

 

ରହିଥିଲେ କେହି ଦେଉଥିବ ଏହି ବାଣୀ ।

ଗମନ ମନ୍ଥର ଏହାଶୁଣି ଗୁଣମଣି ଯେ ।୫୪ ।

 

କେଳିପୁର ଦିଶୁ ଅତି ମନ୍ଦ କଲା ଚାଲି ।

ହସିବ ହସିଲା ହୋଏ ସଜନୀଏ ବୋଲି ଯେ ।୫୫ ।

 

ଆମ୍ଭ ସଙ୍ଗେ ଥିବାକୁ କି ହେଉ ରହ ରହ ।

ତୁ ଛାଡ଼ିଲୁ ବୋଲି ଆମ୍ଭେ ଛାଡ଼ିବୁଁ କି ସ୍ନେହ ଗୋ ।୫୬ ।

 

ତୋତେ କାନ୍ତକୁ ସମର୍ପି ଦେଖାଯାଏ ଥିବୁଁ

ରହ ସ୍ଥାନ ନିକଟରୁ ସହଜେ ରହିବୁଁ ଗୋ ।୫୭ ।

 

ଜଣେ ବୋଇଲାରେ ଏମାନଙ୍କ କଥା ସ୍ମରି ।

ଭାବ ଦାନେ କୃପଣ ନୋହିବୁ କୃଶୋଦରୀ ଗୋ ।୫୮ ।

 

ଶିଖାଇ ଦେବାର ବୁଦ୍ଧି କେତେବେଳେ ଥାଇ ।

ହଂସ ଶ୍ୱେତ ଶିଖା ଚିତ୍ର କି ରହିଛି ସହୀ ଗୋ ।୫୯ ।

 

କଥା କଥାକେ ଏଣିକି ଭିଆଇବା ଛନ୍ଦ ।

ଯେତେ ମନ ଘେନିଲେ ପାଇବ ନିକି ହୃଦ ଗୋ ।୬୦ ।

 

ଏତେବୋଲି ଚାଲ ବୋଲି କେ ରସିକନିଧିକି ।

ଶୁଭିଲା ନୂପୁର ନାଦ କାନ୍ତ ସନ୍ନଧିକି ଯେ ।୬୧ ।

 

ପ୍ରଥମେ ପାଞ୍ଚିଲା କାମଜୟତୂରବାଜି ।

ମୋହ ଉପରକୁ କି ଆସୁଛି ଦଣ୍ଡ ସାଜି ଯେ ।୬୨ ।

 

ଘଣ୍ଟି ନାଦେ ମୃଗ ପ୍ରାୟ ଟେକିଲା ଶ୍ରୁତିକି ।

ଜାଣିଲା ଆସଇ ରସବତୀ ମୋ କତିକି ଯେ ।୬୩ ।

 

ଦ୍ୱାରପାଶେ ଆସି କାନ୍ତ ଦେଖିଲା ସୁନେତ୍ରା ।

ରତି କି ଆସଇ କରି ନାରୀ ରଥଯାତ୍ରା ଯେ ।୬୪ ।

 

ଲୀଳା କରୁଅଛି କିବା ହେବ ପୁଷ୍ପଲତା ।

ଏ ଉତପାତୁଁ ପଡ଼ିବ ଚୋଳେ ଚଞ୍ଚଳତା ଯେ ।୬୫ ।

 

କାଞ୍ଚି ଅସ୍ଥିର କୁନ୍ତଳ ଆକର୍ଷଣ ହେବ ।

ମାଳବରେ ଛିନ୍ନ ଭିନ୍ନ ଦଶା ପଡ଼ିଯିବ ଯେ ।୬୬ ।

 

ଅଙ୍ଗଦେଶରେ ହୋଇବ ଅଶେଷ ସଙ୍ଗର ।

ପୁଣି କାମପ୍ରଭା ଖେଳାଇଲା ପରକାର ଯେ ।୬୭ ।

 

ଚୋର କରିଅଛି ବାଳା ସର୍ବ ଶୋଭାଶିରୀ ।

ଏଣୁ ଆଣୁଛନ୍ତି କି ମଦନ ପାଶେ ଧରି ଯେ ।୬୮ ।

 

ଦନ୍ତ ନଖ ବାହୁ ପାଶେ ଦଣ୍ଡକୁ ପାଇବା ।

ବିଶେଷତ ପ୍ରେମଧନ ଦେଇ ମୁକୁଳିବ ଯେ ।୬୯ ।

 

ହୋଇଲା ମଦିରାନେତ୍ରା ମନ୍ଦିର ସମୀପ ।

ଗଲା ତ ମୋ ବଡ଼ପଣ ବିଚାର କନ୍ଦର୍ପ ଯେ ।୭୦ ।

 

ବେନି ହୃଦୟ ଲାଖକୁ କଲା ଯେ ପ୍ରକାର ।

ରୋମାଞ୍ଚ ବ୍ୟାଜେ କି ପୂର୍ଣ୍ଣ ଅପଘନେ ଶର ଯେ ।୭୧ ।

 

ରୁଧିର ଛଳେ କି ସ୍ୱେଦଜଳ ପରକାଶ ।

ନୋହିଲେଟି ସ୍ତମ୍ଭ ବଶେ ସେ ବେନି ଅବଶ ଯେ ।୭୨ ।

 

ଏଠାରୁ ଏ ମନୋରମ ଛାନ୍ଦ ହେଲା ଶେଷ ।

ସୀତା ମଧୁଶଯ୍ୟା ଅର୍ଥେ ଯେ ରାମ ଉଲ୍ଲାସ ଯେ ।୭୩ ।

 

ତାଙ୍କ ଚରଣ ପଙ୍କଜେ ମନ ଅବିରତ ।

ଉପେନ୍ଦ୍ର ଭଞ୍ଜ ବୀରବର କହେ ଗୀତ ଯେ ।୭୪ ।

 

ତ୍ରୟୋତ୍ରଂଶ ଛାନ୍ଦ

କେଳିପୁର ରହସ୍ୟ ବର୍ଣ୍ଣନା

(ରାଗ-ପଞ୍ଚମବରାଡ଼ି)

 

କର୍ଣ୍ଣ ମନ ମହୋତ୍ସବରସ ସାବଧାନ ।

ହୋଇ ଶୁଣ ସୁରସିକ ତରୁଣ ସୁଜନ ହେ । ।

ଚକ୍ରବାଡ଼ ପରି ଦେହଳୀକି ବାଳା ତହିଁ ।

ଅମ୍ୱୁଜ ଅରୁଣ ପଦ ନ ପାରେ ବଳାଇ ଯେ ।୧ ।

 

ନଦୀ ଯାଇ ସୁନ୍ଧୁ ସଙ୍ଗମରେ ଲଭି ।

ସେତୁ ଲଙ୍ଘି ନ ପାରିବା ଲକ୍ଷଣ ବଲ୍ଲଭୀ ଯେ । ।

ଏ କିସ ଗୋ ଭାଷି ସଜନୀଏ ଦେଲା ପେଲି ।

ବଲ୍ଲଭକୁ ଶୁଣାଇ ଏମନ୍ତ ବାଣୀ ଯେ ।୨ ।

 

ଅମର ଭୋଗ କରନ୍ତି .ରଖି ଶଶୀଶେଷ ।

ଲତାକୁ କଳିକା ଛାଡ଼ି ତୋଳି ସୁମନସ ଯେ । ।

ଦାରୁଭେଦକ ଭ୍ରମର ପଦ୍ମଫୁଲେ ଶୋଇ ।

ପୁନଃ ପୁନଃ ବସି ଭୋଗ ଉପଯୋଗ ପାଇ ଯେ ।୩ ।

 

ତୁମ୍ଭେ ତ ରସିକସିଂହ ହରିଣୀ ସୁକେଶୀ,

ବଳବନ୍ତରେ କି ଯଶ ଅବଳା ଧରସି ଯେ । ।

କେ ଛଳିଲା ହେଲା ଜେମାର ପ୍ରାଣସଖୀ ।

ତାହା ଦୁଃଖେ ଦୁଃଖୀ ଆମ୍ଭେ ତାହା ସୁଖେ ସୁଖୀ ଯେ ।୪ ।

 

ଆମ୍ଭେ ଜଣାଇବାର ଅଧିକ କଥା ସିନା ।

ଯେ ତାହାର ତାକୁ କି ନ ଲାଗେ ତା ବେଦନା ଯେ । ।

ଏତେ କହି କପାଟ ଓଟାରି ଆଣି କିଳି ।

ପୁର ପରିସରରୁ ଅନ୍ତର ହେଲେ ଆଳୀ ଯେ ।୫ ।

 

ମୋହିନୀ ପୀୟୂଷକୁମ୍ଭ ବସନେ ଘୋଡ଼ାଇ ।

ଇନ୍ଦ୍ର ଆଗେ ଉଭା ହେଲା ପ୍ରାୟ ଶୋଭା ପାଇ ଯେ । ।

କାନ୍ତ ଦେଖି ଏକାନ୍ତ କରକୁ ଧରି କରେ ।

ମନ୍ଦ ପବନରେ ଯଥା ପଦ୍ମଲତା ଥରେ ଯେ ।୬ ।

 

ମାଳୀ ଚମ୍ପକ ମାଳିକା ଘେନିଲାର ପରି ।

ସେନେହବଶରେ ତାକୁ ସେ କୋଳରେ ଧରି । ।

ଲାଜବଶେ ସେ ଯେ ଶେଯେ ଖସି ବସେ ତହିଁ ।

ବଲ୍ଲଭ ଚାଟୁ ଆରମ୍ଭେ ଅଧୋମୁଖ ହୋଇ ଯେ ।୭ ।

 

ହେଠ କଲେ ବଦନ ଚନ୍ଦ୍ରକୁ କୃଶକଟୀ ।

ଆଉ କେହି ଯିବ ମୋ କାମ ତମ ତୁଟି ଗୋ ।

ତା ଶରକୁ ନ କଲେ ନୟନ ପ୍ରତିଶର ।

ନିରନ୍ତର ହେଉଥିବା ସିନା ଜରଜର ଗୋ ।୮ ।

 

ବାରଣଗତି ଚରଣ ଶରଣ ଜନରେ ।

ଉଚିତ ପ୍ରଭୁ କପଟ ରଖିବା ମନରେ ଯେ । ।

ତୋ ବାହାରେ ନାହିଁ ଆହା କରିବାକୁ ସାହା ।

ଯାହା ଇଚ୍ଛା ତାହା କର ଜଣାଇବି କାହା ଗୋ ।୯ ।

 

ଏବିନୟ ବାଣୀକି ଦ୍ୱିତୀୟା ତିଥିରେ ତାର ।

ପକିଛି ଉଦେ କରାଇଲା ହାସ ସୁଧାକର ଯେ । ।

ଚାରୁ ଚକୋର ଈକ୍ଷଣ ବିଳାସ ଉଲ୍ଲାସ ।

କ୍ଷଣିକେ ଭିତରେ କରିଗଲା ପରକାଶ ଯେ ।୧୦ ।

 

ମୃଦୃଅଙ୍ଗୀ ଅଙ୍ଗୀକାର ଏ ଭଙ୍ଗୀରୁ ଜାଣି ।

ନେଇ ଚିବୁକେ ପୁରୁଷେ ନିବେଶିଲେ ପାଣି ଯେ । ।

ଭୋଳ ହୋଇ କୋଳ କରି ମୁଖ ଟେକିଲା ।

ଯୋଗଭଙ୍ଗୀ ଭଙ୍ଗୀସ୍ଥାନ ଥୟ ନ ରଖିଲା ଯେ ।୧୧ ।

 

ଭ୍ରମରେ ଏହି ଭ୍ରମରେ ସାରସ ।

ଚୁମ୍ୱନ୍ତି ଭାବି ଚୁମ୍ବନ ଦେଇ ସେ ହରଷ ଯେ । ।

ଅଙ୍ଗୀକାର କରି ହାର କରି ଆଲିଙ୍ଗନ ।

ଧିକ କଲା ଘନସାର ଚନ୍ଦନ ଲପନ ଯେ ।୧୨ ।

 

ମନ ତାର ଅଧର ପାନରେ ମତ୍ତ ଲଭେ ।

ରସନାରେ ରସ ଆସ୍ୱାଦନ କରି ଭାବେ ଯେ । ।

ଏ ଥାଉ ଅମୃତ ପିକ କି ଲଭନ୍ତି ଦେବେ ।

ମଧୁପଦେ ମଦମତ୍ତ ପିଶୁନ ଦାନବେ ଯେ ।୧୩ ।

 

ଭାଳିଲା ଏ ମେରୁ ଉରଜ ଧରି କରେ ।

ବାଞ୍ଛା କରି ଆଉ କେଉଁ ସ୍ୱର୍ଗ ପ୍ରାପତରେ ଯେ । ।

କରଜ ଚଳାଇ ତନୁ ଶୋଭାକୁ ଚାହିଲା ।

ଭାଳେ ଏକକାଳେ ନୀପଫୁଲେ ନିସ୍ତାରିଲା ଯେ ।୧୪ ।

 

ଗତିବେଶେ ଦେଖି ତା ଚଞ୍ଚଳ ଛଟକକୁ ।

ମନେ ମନେ ନିନ୍ଦାକଲା ବିଦ୍ୟୁଝଟକକୁ ଯେ । ।

ବେଳୁ ବେଳ ମଦନେ ଆତୁର ସେ ଚତୁର ।

ନିବିଡ଼ ନୀବୀବନ୍ଧରେ ପକାଇଲା କର ଯେ ।୧୫ ।

 

ନିଷେଧିଲା କରଭୋରୁ କରିକରେ କର ।

କରୀଧରି ହୋଏନି କି ମୃଣାଳ ସୂତ୍ରର ଯେ । ।

ଫୁସ ବକ୍ଷମୂଳେ ଟିପି ଦେଇ ନଖମୁନ ।

କୁଚାଗ୍ରେ ସମଗ୍ର କଲା ରସନା ଚାଳନ ଯେ ।୧୬ ।

 

ଦଶନେ ଦଂଶନ କରି ଗଣ୍ଡମଣ୍ଡଳକୁ ।

ଚାଳିଦେଲା ଚନ୍ଦ୍ର ଥିଲା ଶରୀର ସ୍ଥଳକୁ ଯେ । ।

ଶୀତ୍କାର ଭଜି ରସିକ ହୋଇଲା ଅଜ୍ଞାନ ।

ବିଶେଷତଃ ମାଦକ ପାନରେ ଯଥା ଜନ ଯେ ।୧୭ ।

 

ଖୋସି ଦେଲା ଲଲାଟପଟରେ ନେତ୍ର ଦୁଇ ।

ବିବସନ କଲା କାନ୍ତ ଏ ସମୟ ଚାହିଁ ଯେ । ।

ତନୁ ତନୁ ଭିନ୍ନ ହେବ କରି ଏ ବିଚାର ।

ଆପଣା ପିନ୍ଧିଲା ବସନହିଁ କଲା ଦୂର ଯେ ।୧୮ ।

 

ସେ ଶୋଭାରେ ଲୋଭା ହୋଇ ମନେ କଲା ପୁଣ ।

ସୁବର୍ଣ୍ଣ ବର୍ଣ୍ଣକୁ ନିଶ୍ଚେ ଏକାଳେ ରସାଣ ଯେ । ।

ବନ୍ଧଯୋଗେ ଧରି ଉରେ ଉର ଲଗାଇଲା ।

ଜହ୍ୱ ଚାଳି କର୍ଣ୍ଣ ଧୀର କରି ଫୁଙ୍କିଦେଲା ଯେ ।୧୯ ।

 

ଉରଜ ମଧୁ କରଜ ଆଣିଲା ଚଳାଇ ।

ନାଭିରେ ଦେଲେକନିଷ୍ଠାଙ୍ଗୁଳିକି ବୁଲାଇ ଯେ । ।

ନିତମ୍ୱେ ହାମ୍ପୋଳି ଠୁଙ୍କୁ ଚେତନା ବସିଲା ।

ଭିଡ଼ି ମହାମତ୍ତେ ରାମା ସୁରତେ ରସିଲା ଯେ ।୨୦ ।

 

ରତିପତି ଛଳେ ରତି ପତି ବିରଚିତ ।

କଙ୍କଣ ନୂପୁର ନାଦେ ପୁର ଉଛୁଳିତ ଯେ ।

ପରସ୍ପରେ ହୋଇଲେ ଅଧର ପିଆପିଇ ।

ଏଣୁ ତେଣୁ ତହିଁରେ ଚୁମ୍ୱନ ଦିଆଦେଇ ଯେ ।୨୧ ।

 

ହାର ଜିଣି ମୁକୁଳି ପଡ଼ିଛି ବାସ ବେନି ।

ସେହି ଯାଇଛନ୍ତି ସଙ୍ଗେ ସଙ୍ଗେ ଲଜ୍ଜା ଘେନି ଯେ ।

କେଳତିଜନନୀ ଜରା ଭୀରୁ ଗୁରୁବାଦ ।

ସାକ୍ଷୀକରି ରଖିଛନ୍ତି ପ୍ରଦୀପ ପ୍ରସିଦ୍ଧ ଯେ ।୨୨ ।

 

ରାଜସୁତ ରାଜା ହେଲି ହୁଏ ତୋଷି ।

ସୁତନୁ ବିଶାଳ ଜାନୁ ସିଂହାସନେ ବସି ଯେ । ।

 କେ ନଖରେ କ୍ଷତ କରେ କେ ପୀଡ଼ଇ ଦନ୍ତେ ।

କଲେ ଉତ୍ତାନ ପାର୍ଶ୍ୱଶୟନ ବନ୍ଧ ଯେତେ ଯେ ।୨୩ ।

 

ରମଣୀ ଇଷି ବଚନେ ପୁରୁଷ ହୁଂକୃତ ।

ବାଳା ନଖକ୍ଷତକୁ ପୁରୁଷ ମୁଷ୍ଟିଘାତ ଯେ । ।

କି କରନ୍ତି କି ବୋଲନ୍ତି ନ ପାରନ୍ତି ଜାଣି ।

ପିତ୍ତରୋଗ ହୋଇଲେ ଅଧିକ ଯଥା ପ୍ରାଣୀ ଯେ ।୨୪ ।

 

ସନ୍ନିପାତି ପ୍ରାୟେ କ୍ଷଣେ କ୍ଷଣେ ଚନ୍ଦ୍ରନାଡ଼ି ।

ବାତକୀ ପରାୟେ ବେପଥୁରେଛନ୍ତି ଜଡ଼ି ଯେ । ।

ଇଚ୍ଛାହୁଏ ମନ୍ଦଶୀତ ଗନ୍ଧବହ ବହୁ ।

ଏବଡ଼ କାମନା ଏକା ରଜନୀ ନ ପାହୁ ଯେ ।୨୫ ।

 

ଏମନ୍ତ ଯେ ଦର୍ପଣ ଚାନ୍ଦୁଆ ପୁରେ ଥିଲା ।

ନଗରୀ ଚାହିଁଲା ଯୋଗେ ଓଲଟ ଦିଶିଲା ଯେ । ।

 ଲାଜେ ବୁଜି ନେତ୍ର ମହାବ୍ୟାକୁଳତା ମତି ।

ସତେ ହେଁ ଆରମ୍ଭ କଲେ ବିପରୀତ ରତି ଯେ ।୨୬ ।

 

ପୁଣି ଚକ୍ଷୁ ଫେଡ଼ିଦେଇ ଆରତ ହୋଇଲା ।

ଖସିବା ବେଳକୁ କାନ୍ତ ମୋ ଆନ ବୋଇଲା ଯେ । ।

ରହିଲା ଅଣଆୟତ୍ତେ ସେସେହି ଠାଣିରେ ।

ନୃତ୍ୟ ଅଧିକାର ଦେଲା ନାସିକମଣିରେ ଯେ ।୨୭ ।

 

ସେ ରତିମଧୁକୁ ଏ ଯେ ବରଷା ପ୍ରାୟକ ।

କିଙ୍କିଣୀ କେଳିନାଦରେ ମୂକ ବନପିକ ଯେ । ।

ଯୋଷାମୁଖେ ସ୍ୱେଦବିନ୍ଦୁ ଚାହିଁ ଲୋଭ ।

ଇନ୍ଦୁ ଅମୃତ ବିନ୍ଦୁ ବହିଲା ପ୍ରାୟ ଶୋଭା ଯୋ ।୨୮ ।

 

କୁଚଗିରି ମାଡ଼ି ପଡ଼ିବାକୁ କରି ଭୟ ।

ବିସ୍ତାରିତ କରିଛି ଛଇଲ କର ଦ୍ୱୟ ଯେ । ।

ଗାଢ଼ରତେ ଯଥା ଭୀତ ଥିଲା ଯୁବତୀର ।

ଭାଜି ଯାଇ ଥାଇ ନିକି ସୁରକଟୀ ମୋର ଯେ ।୨୯ ।

 

ଏମନ୍ତ ସମୟେ ଚାହିଁ ବାଳା ଅବଶକୁ ।

ପୁଣି ପୁରୁଷ ଆରମ୍ଭେ ପ୍ରକୃତ ରସକୁ ଯେ । ।

ବିଚାରିଲା ମୋତେ ଏଥି ଯଶ ନାହିଁ ଆଜି ।

ଧନୁଶର ପକାଇ ପଳାଇ ମନସିଜ ଯେ ।୩୦ ।

 

ବଲ୍ଲଭ ନେତ୍ର ବଞ୍ଚାଇ ଯୁବତୀ ରତନ ।

ତରତରେ ବେଢ଼ ଦେଇ ପିନ୍ଧିଲା ବସନ ଯେ ।

ପୁରୁଷ ଚଳେ ଆଦର କରି ତତପରେ ।

ପ୍ରିୟାକୁ ଘେନି ଶୟନ ପଲ୍ୟଙ୍କ ଉପରେ ସେ ।୩୧ ।

 

ଶ୍ରମଘର୍ମ ଯୋଗକରି ନଖକ୍ଷତ ଜ୍ୱାଳା ।

ଶ୍ରମ ହେଲା ଏ ଘେନି ନ ଲଭେ ନିଦ୍ରା ବାଳା ଯେ । ।

ଚାଟୂ କହେ ପ୍ରିୟ କଥା ଶୁଣିବାକୁ ପ୍ରିୟ ।

ଏ ସକାଶୁଁ ନିଦ୍ରା ତାକୁ ନ କଲା ଆଶ୍ରୟ ଯେ ।୩୨ ।

 

ନିର୍ଲ୍ଲଜ କାମମଗଧରାଜା ପ୍ରାୟ ହୋଇ ।

ପୁଣି ଧାଡ଼ି ଦେଇ ଚିତ୍ତ ଉଚ୍ଛନକରାଇ ଯେ । ।

ଏଣୁ ପ୍ରକାଶିଲେ ରତି ପୁଣି ସେ ଦମ୍ପତି ।

ସେ ରାତି ଯାକ ଲଭିଲେ ଅଶେଷ ସମ୍ପତି ଯେ ।୩୩ ।

 

ରାମାକୁ କୋଳେ ବସାଇ ଫଡ଼ି ବାତାୟନ ।

ରତାନ୍ତେ କରୁଅଛନ୍ତି ବ୍ୟଜନ ଚାଳନା ଯେ । ।

କାହାରି କରରେ ସ୍ନେହ କେ ନ ଦେଲେ ରଖି ।

ବେନି ତନୁ ଜଡ଼ିତ ଶୟନେ ମହାସଖୀ ଯେ ।୩୪ ।

 

ଏ ସମୟେ ନିଶି ନାଶ କଲେ ମନ୍ଦଘୋଷ ।

ଦର ଶବଦେ ଲଭିଲେ ବିଟପୀ ବିରସ ଯେ । ।

ନିଶ୍ୱାସ ବାରି ଗଣକା ବିଟ ପାଶୁଁ ଗଲେ ।

ଦୀପ ମିଳନ ଅନାଇଁ ବଧୂଏ ଉଠିଲେ ଯେ ।୩୫ ।

 

ବାସରଶଯ୍ୟା ନାରୀଶ ନିଶ୍ୱାସ ପକାଇ ।

ଆକାଶକୁ ଚାହିଁ ତାର ମଳିନ ଅନାଇଁ ଯେ ।

ହାର ଶିଥିଳ ତାମ୍ୱୁଳ ତିକ୍ତ ଜାଣି ରାମା ।

ମନେ ମନେ ବିଚାରିଲା ବିନାଶ ତ୍ରିଯାମା ଯେ ।୩୬ ।

 

କେମନ୍ତେ ଚାହିଁବି ଯାଇ ସଜନୀଙ୍କ ମୁଖ ।

ସୁଖକୁ ତ ଅଧିକ ହୋଇବ ଲାଜ ଦୁଃଖ ଯେ ।

ତାହାଙ୍କ ନ ଉଠୁଁ ଯିବି ବିଚାରି ଉଠିଲା ।

ଇଷି ଭାଷି ଅଙ୍କ ମୋଡ଼ି ହୋଇ ବାହାରିଲା ଯେ ।୩୭ ।

 

ବାଳା ପଛେ ପଛେ ଧବ ଶୋଭା ଦେଖିବାକୁ ।

ଆସିବା ବେଳକୁ ସେହି ଦ୍ୱାର ନିକଟକୁ ଯେ । ।

ଜାଣି ସିହାଣୀ ରହିଲା ପଛ ହେଲା ବୋଲି ।

କେ କାହାକୁ ନ ଯାନ୍ତି ସେନେହ ବଳେବଳି ଯେ ।୩୮ ।

 

ଉଭାରେ ଉଭାରେ ଫୁସ କଲା ଆଲିଙ୍ଗନ ।

ବୋଇଲା ପାଶୁଁ ଯିବାକୁ ନ ବଳଇ ମନ ଗୋ ।

ଛାଡ଼ି ଗଲେ ଜୀବ ଛାଡ଼ି ଏ ପରତେ ।

ଶୁଭିଲା ସଖୀମାନଙ୍କ ଚହଳ ଏମନ୍ତେ ଯେ ।୩୯ ।

 

ତରୁଣୀ ଚଞ୍ଚଳ ଯଥା ଯୂଥବଣୀ ଏଣୀ ।

ମୁଖେ ଚୁମ୍ୱ ଦେଇ ଫୁସ ହୋଇଲା ମେଲାଣି ଯେ । ।

ମିତ୍ରଙ୍କ ସଙ୍ଗତେ ଯାଇ ହେଲା ପରବେଶ ।

ହାସ୍ୟ ନ କଲେ କରେ ଦେଖାଇ ଆଦରଶ ଯେ ।୪୦ ।

 

ତଦୁତ୍ତାରେ କେଳିପୁରୁଁ ବାହାର ସୁନ୍ଦରୀ ।

ମନ୍ଦେ ମନ୍ଦେ ଆସେ ଭିତ୍ତି ଅବଲମ୍ବ କରି ଯେ । ।

ଅଳସ ଚାତୁରୀ ପ୍ରିତୟସଖୀ ପ୍ରତିଭାଷା ।

ଆର ଛନ୍ଦେ ଶୁଣିବ ଏ ଛାନ୍ଦ ହେଲା ଶେଷ ଯେ ।୪୧ ।

 

ଜାନକୀ କୁଚ କୁଙ୍କମ ଅଙ୍କିତ ହୃଦୟ ।

ମୁନିଜନ ଚିତ୍ତ କାମ ବିକାର ଉଦୟ ଯେ । ।

ତାରକ ତାରକ ମନ୍ତ୍ର ଯାହା ନାମ ଶୁଣି ।

ଉପଇନ୍ଦ୍ର ବୀରବର ସେହି ରାମ ଗୁଣ ଯେ ।୪୨ ।

 

ଚତୁତ୍ରିଂଶ ଛାନ୍ଦ

କେଳିପୁର ବାହୁଡ଼ା ଏବଂସଖୀମାନଙ୍କର ପରିହାସ

(ରାଗ- କଲ୍ୟାଣ ଆହ ବା ବସନ୍ତ ବରାଡ଼ି)

 

କେଳିସଦନକୁ ବାହୁଡ଼ି ପଥ ହୁଡ଼ି ଆସିବା ବେଳେ ସୁକେଶୀ ଯେ ।

କୋକିଳଭାଷୀ ଭାଷିଲା ଏମନ୍ତ କେଉଁ ପରିହାସୀ ହସି ଯେ ।

ସୁନ୍ଦରୀ,

କହ କହ ମହୀଶୋଭୀରେ ।

କରୁଛି ବିଚାର କେଉଁ ସୁକୃତରୁ ଭ୍ରମର କେତକୀ ଲଭିରେ ।୧ ।

 

କ୍ଷତିପତିରଣ ପରାଜୟ ତୂର ପରାୟ ନୂପୁର ବାଜେ ରେ ।

ଖସି ପଡ଼ିବାର ନିତମ୍ୱ ଉପରୁ ଭଲା ଏବସନ ରାଜେ ରେ ।

ସୁନ୍ଦରୀ,

ଖେଦି ପାଇ ଯୁଦ୍ଧବଶେ ରେ ।

ଖସି ଯାଉଛି କି ଯୋଦ୍ଧା ମସ୍ତକରୁ ଉଷ୍ଣୀଷ ଏମନ୍ତ ଦିଶେ ରେ ।୨ ।

 

ଚାରୁ ଚଞ୍ଚଳ ଲକ୍ଷଣ କ୍ଷଣେ କ୍ଷଣେ ଭଜୁଅଛି ସୁଲକ୍ଷଣାରେ ।

ଗଜରିପୁ ଆଗେ ପଡ଼ିଥିଲା ଏଣୀ ହୋଇଛି କି

ଗଣବଣାରେ

ଗତି କଥା ଘେନିରେ ସୁନ୍ଦରୀ ।

ପୁଣି ପୁଣି ପରାଭବ ଭୀତି ଚିତ୍ତେ ତରତରେ ବିନ୍ଧେ ଶରରେ ।୩ ।

 

ଘେନିଛି କୋକ ନାଦ ମଦ ମର୍ଦ୍ଦନେ କରିଛି ରଙ୍ଗ ଆସ୍ପଦରେ ।

ଘନେ ଦଣ୍ଡିବ ମଦ କଳମଦିର ବ୍ୟକ୍ତ କି ମଦନମଦରେ ।

ସୁନ୍ଦରୀ,

ଘେନାଘେନି ତୋର ଭଲା ରେ ।

ଘୋରି ବିଭାବରୀ ବିନିଦ୍ରିତ କରି ପଦ୍ମ ମୁଦ୍ରିତ ନ କଲା ରେ ।୪ ।

 

ନିଟିଳେ ମୃଗମଦ ରହି ରହିଛି ଜାତ ହୋଇ ସ୍ୱେଦପନ୍ତିରେ ।

ନିଶ୍ଚେଁ ଅଳକା ଅହିହର ତରଳ ଗରଳ କରିଛି ବାନ୍ତିରେ ।

ସୁନ୍ଦରୀ,

ନୋହିଲେ ହେବ ଏମନ୍ତରେ ।

ନିଶୀଶ କଳଙ୍କ ନାଶ କରୁଥିଲା ପ୍ରକାଶ ବିଧିରେ ଭୀତିରେ ।୫ ।

 

ଚଟୁଳ ନୀରବିନ୍ଦୁ ଧାଡ଼ିହୋଇ ଯେ ରହିଛି ଅଳକା ତଳରେ ।

ଚନ୍ଦ୍ର ଅର୍ଦ୍ଧକୁ ଗ୍ରାସ କରି ରାହୁ କି ଛାଡ଼ିଣ ଗଲା ଚନଳରେ ।

ସୁନ୍ଦରୀ,

ଚୋଖଦନ୍ତଯୋଗେ ତାର ରେ ।

ଚିନ୍ତନ କରୁଛି ସ୍ପୋଟକ ନିକର ଦିଶେ ମନୋହର ତର ରେ ।୬ ।

 

ଛିଡ଼ିପଡ଼ିଲା ସୁଜ୍ୟୋତି ମୋତିମାଳି ବାଳି ନ ଜାଣିଳୁ ତହିଁରେ ।

ଛଇଳନିତୀ ତାହା ପତି ସୁରତି ଶିକ୍ଷା ଯେତେବେଳେ ଦେଇରେ ।

ସୁନ୍ଦରୀ,

ଛଟକାକ୍ଷି ଗୁଣଶାଳୀ ରେ ।

ଛଦ୍ମେ ନ ଜାଣିବ ବାସ ପ୍ରକାରରେ କରିଥିବି ନିଉଛାଳି ରେ ।୭ ।

 

ଜାହ୍ନବୀ ଲଭିଲା ମାନ ଶାମୁକାରରେ କସ୍ତୁରୀ କାଳିନ୍ଦୀ ଚାହିଁରେ ।

ଜାଣାଯିବାକୁ ନଖପଦ୍ମ ବିଶଦ ମୟୂଖ ନାୟକ ବିହିରେ ।

ସୁନ୍ଦରୀ,

ଜବାଧରୀ ଚନ୍ଦ୍ର ମୁହଁରେ ।

ଜଳଜ ପାଣିରେ ପୂଜା କରିବାକୁ କାମବ୍ୟାହିତ ପାଇଁ ରେ ।୮ ।

 

ଝଲକା ଅଙ୍କୁଶ ପ୍ରାସ ଲଭିଛି କି ଯଉବନ କରୀ କୁମ୍ଭରେ ।

ଝିସନିବାସ ସୁତରେ ମର୍ଦ୍ଦିହେଲା ମହୀ ମହୀଧର ଦମ୍ଭରେ ।

ସୁନ୍ଦରୀ,

ଝଲିଛି ଚିତ୍ତେ ଏ ଚିତ୍ରରେ ।

ଝଟକ ହାସିନୀ ଘର୍ମେ ଲଭିଗଲା ମର୍ମେ ଲେଖିଥିଲା ଚିତ୍ରରେ ।୯ ।

 

ନୀଳ କୁନ୍ତଳ ଫିଟି ଲୋଟେ ଚରମେ ବିରହାଗ୍ନି ପ୍ରେମନୀର ରେ ।

ନିଷ୍ଠାକଲୁ ଶାନ୍ତି କି ସେ ଧୂମପନ୍ତି ଉର୍ଦ୍ଧ୍ୱେ ଅଧୋଗତି ତାରରେ ।

ସୁନ୍ଦରୀ,

ନୟନ କରଇ ବଶରେ ।

ନବ ବିକଚ ନଳିନ ମଧୁ ପିଇ ଉଡ଼ିଲେ କି ଅଳି ବଂଶରେ ।୧୦ ।

 

ଟେକ କରୁଣା ହେବା ପାଇଁ ଅରୁଣାଧରୁ ଫୁରୁଣାରେ କିବା ରେ ।

ଟିକାଏ ଗଲା ରତିରେ କି ପତିକି କଲୁ ଏଚାମରେ ସେବାରୀ ।

ସୁନ୍ଦରୀ,

ଟାହି ନୁହଇ ଏ ଗିର ରେ ।

ଟହକହାସ କୁଟିଳ ଲୋକ ନିକି ବନ୍ଧନ ମୁକ୍ତ ବେଭାରରେ ।୧୧ ।

 

ଠିକେ ପତନ ହୋଏ ବାଳା ରତନ ଯତନ ଫୁଲ ମାଳିକା ରେ ।

ଠାଠିକ ଦିଶେ ଅମ୍ଭୁଜରୁ କି ଖସେ ଅବନୀକି ବକାଳିକା ରେ ।

ସୁନ୍ଦରୀ,

ଠଣ ସେ ପୁଣ ଏପରା ରେ ।

ଠୁଳେ ଗଙ୍ଗାରୁ ଜଳ ଆଣି ଘନ କି ପତନ କରଇ ଧରାରେ ।୧୨ ।

 

ଡମ୍ବରୁ ମଧ୍ୟା ମହୋଜ୍ଜ୍ୱଳ ତାମ୍ୱୁଳ ବୋଳ ତୋ ନିର୍ମଳ ଗଣ୍ଡରେ ।

ଡାଳିମ୍ୱକୁସୁମ ବିମ୍ବ ମନୋରମ କି ଅବା ମୁକୁର ଖଣ୍ଡରେ ।

ସୁନ୍ଦରୀ,

ଡୋଳା ବଶ କରେ ପୁଣିରେ ।

ତାହା ଉତ୍ତୀର୍ଣ୍ଣ ରସାଣ ହେବ ପାତ୍ରେ ସ୍ଥିତିକି ମାଣିକ୍ୟ ମଣିରେ ।୧୩ ।

 

ଢଳି ଚାହାଁ ରଙ୍ଗ ଅଧରେ ଝରୁଛି ଦନ୍ତ କ୍ଷତ ବଶେ ରକ୍ତ ରେ ।

ଢାଳେ ହୃଦୟ ସୁଖେ ମୁଖେ କରେ କି ନିଶି ଅନୁରାଗ ବ୍ୟକ୍ତରେ ।

ସୁନ୍ଦରୀ,

ଢମାଳି ନୋହେ ଏସତ ରେ ।

ଢଳହଳ ଚୂତପଲ୍ଲବେ ଯେମନ୍ତ ମତ୍ତ ପିକ ଚଞ୍ଚୁଘାତରେ ।୧୪ ।

 

ଅମୂଲ୍ୟ କୁନ୍ଦ ସୁନ୍ଦର କାଶ ମନ୍ଦହାସ ଲେଶମାତ୍ର ନାହିଁରେ ।

ଆନନ୍ଦ ଚନ୍ଦ୍ରମା କେବଣ କାରଣେ କିରଣ ହେଲା କୁନ୍ଦାଇ ରେ ।

ସୁନ୍ଦରୀ,

ଅତ୍ୟନ୍ତ ରସିକ ସେହି ରେ ।

ଅମୃତ ଭାବି ଓଷ୍ଠମଧୁ ସହିତ ପିଇଗଲା ପରା ତହି ରେ ।୧୫ ।

 

ତନୁରେ ଠାବେ ଠାବେ ଲାଗି ଚନ୍ଦନ ଏହି ପ୍ରତୀତ କରାଇ ରେ ।

ତୋତେ ଏଶୋଭା ଦେଇଗଲା ସ୍ତନକୁଙ୍କୁମ ପାଲଟ ନେଇରେ ।

ସୁନ୍ଦରୀ,

ତଥା ତୋ ଅଙ୍ଗ ଶୋଭନ ରେ ।

ତରୁଣ କୁଞ୍ଜର କରମର୍ଦ୍ଦନରେ ଯେମନ୍ତ ପଦ୍ମିନୀ ବନରେ ।୧୬ ।

 

ସ୍ଥୁଳ ଜାନୁରେ ଦୀପ୍ୟମାନ ଅନେକ ପ୍ରଖର ନଖର ଗିରାରେ ।

ଥୟ ଏଇଙ୍ଗିତ ସଙ୍ଗୀତ ଜାଣେ ସେ କଳା ପ୍ରସାରିଲା ପରା ରେ ।

ସୁନ୍ଦରୀ,

ଥରୁଅଛୁ କିମ୍ପା ଡରି ରେ ।

ଧିରେ କହିଥା କରୁଛି କି ବଲ୍ଲଭ ଚିତ୍ତରତନକୁ ଚୋରି ରେ ।୧୭ ।

 

ଦେହେ ଦିଶୁଛି କଙ୍କଣ ଚିହ୍ନମାନ ରଞ୍ଜନ ଦୃଶୀ ରେ ।

ଦିବ୍ୟ ଦାହ ହେମ ପିତୁଳାକୁ କାମ ସୂଚିକାମ କଲା ବସିରେ ।

ସୁନ୍ଦରୀ,

ଦେଖି ମୁଁ ହେଲିଣି ତୋଷ ରେ ।

ବଲ୍ଲଭ ହୃଦକଷଟିରେ ଥିବ ସେ ପ୍ରୀତିବାନମାନ କଷିରେ ।୧୮ ।

 

ଧରି ମଧ୍ୟ ଧୀରେ ଅଶକତ ଭରେ ଆସିବାରୁ ମୁଁ ଯେ ହେଜି ରେ ।

ଧୂର୍ଜ୍ଜଟି ଡମ୍ବରୁ ସରି ସରୁକଟୀ ଆହା ସେ ଗଲା କି ଭାଜିରେ ।

ସୁନ୍ଦରୀ,

ଧରାଧର ଯେହୁ ଟେକି ରେ ।

ଧବ ଭାରା ନିକି ସହି ନ ପାରିଲା ଘେନିଛି ଅଛି ଏଥିକି ରେ ।୧୯ ।

 

ନିବିଡ଼ ନୀବୀ ତ ମହା ଅସ୍ତବ୍ୟସ୍ତ ଖୋସିଲେ ଖସି ପଡ଼ଇ ରେ ।

ନାଗର ଶ୍ରୀକର ଦର ଏତେ ଦୂର କରି ସ୍ଥାନେ ନ ରଖଇ ରେ ।

ସୁନ୍ଦରୀ,

ନ ରହେ ଏହା ଶୁଣିକି ରେ ।

ନ କଲା ମୋତେ ବନ୍ଧନ ଅବକାଶ ନୋହିବ ଆଉ ଏଣିକି ରେ ।୨୦ ।

 

ପୁଣି ତ ପଣନ୍ତ ମହୀରେ ଲୋଟିଛି ଭାଳେ ଅସମ୍ଭାଳ ଦେଖିରେ ।

ପାଦେ ପଡ଼ି ଶାଢ଼ି କହେ ପତି ସଙ୍ଗ ବେଳେ ପାରିବୁକି ରଖିରେ ।

ସୁନ୍ଦରୀ,

ପଚାରିଛି ଏତେ ମୁହିଁରେ ।

ପାଇ ନାହାନ୍ତି ସ୍ଥାନ ଯହିଁ ଏମାନେ ଲଜ୍ଜା ରଖିଥିବ କାହିଁରେ ।୨୧ ।

 

ଫୁଲ୍ଲାରବିନ୍ଦ ମୁଖେ ନାହିଁ ପ୍ରସନ୍ନ କାନ୍ତେ ପରାଜୟ ଇଚ୍ଛିରେ ।

ଫୁରୁଣା ହୁଏ ଫୁଲଧନୁ ଚିଣିଲୁ ଏଥେ ପୁଣି ଯଶ ଅଛିରେ ।

ସୁନ୍ଦରୀ,

ଫେଡ଼ି କହୁଅଛି ଜାଣି ରେ ।

ସ୍ପୁଟେ ରଟୁଥିଲା ବଳା ଫୁଲଧନୁ ପଳା ପଳା ପୁଣିରେ ।୨୨ ।

 

ବିଧୁ ବିଧୁନ୍ତୁଦ ମୁଖୁଁ ଏହିକ୍ଷଣି ବାହାରିଲା ପରା ମୁଖରେ ।

ବିଧିରହେ ଚିକୁରଶୋଭୀ ମିଛ ହେଲେ ମୁକୁର ଅଣାଇ ଦେଖ ରେ ।

ସୁନ୍ଦରୀ,

ବିଚାରେ ଏଥି କି ଗୋଳରେ ।

ବୋଲନ୍ତି ତୋତେ ସୁକୁମାରୀ ଏ ଦୁଃଖ ସୁହାଇଲା ଭାବଭୋଳ ରେ ।୨୩ ।

 

ଭତ୍ତି ଧରି କରୁ ଗମନ ମଣୁଛୁ ପହଣ୍ଡକ ଶତକ୍ରୋଶ ରେ ।

ଉର ଦେଇ ଅପସରେ ଅବସର ପାଇଲୁ ଏବେ ତୁ ବଶରେ ।

ସୁନ୍ଦରୀ,

ଭାବ ତାର କି ସେ ଅରି ରେ ।

ଭାଙ୍ଗୁ ଦରବିକଶିତ କୋକନାଦ ମଦ ଜୃମ୍ଭାକୁ ଆଦରି ରେ ।୨୪ ।

 

ମହା ଅଳସଭରେ କୁଚ କଳସ ଲୋଡ଼େ ମେରୁ ଦର୍ପ ହରି ରେ ।

ମର୍ଦ୍ଦନ ତାଡ଼ନ କରଜପୀଡ଼ନ କେତେ ବେଗରେ ପାଶୋରି ରେ ।

ସୁନ୍ଦରୀ,

ମୁହିଁ ଶିଖାଉଛି ତୋତେ ରେ ।

ମନ୍ଦ କରିବାପରେ ନୋହେ ଉଚିତ କରୁଥିବୁ ଦିବ୍ୟଚିତ୍ତ ରେ ।୨୫ ।

 

ଯଶ ଅଯଶ ବିଚାର ଅନୁଗ୍ରହ ବିଗ୍ରହ ନିଗ୍ରହ କର ରେ ।

ଯୁବତୀ ରତିଗଣ ଭାବି ନିତମ୍ବ ଉରଜ ମିଶିଲା ଉର ରେ ।

ସୁନ୍ଦରୀ,

ଯୁକ୍ତ ଏ ପାଇବ ଶାଢ଼ୀ ରେ ।

ଯୋଗ ବେଗେ ଆଗେ କର ବହି କଲା ତାକୁ ଦିଅ ମଣିଚୁଡ଼ିରେ ।୨୬ ।

 

ରଙ୍ଗବଶେ ହୋଇ ଆତଙ୍ଗ ନୟନ ବୁଜି ହେଲା ଅତି ସୁଖେ ରେ ।

ରମଣୀ ଚତୁରୀ ଶିରୋମଣୀ ଆଣି କାଳି ଦେବା ତାର ମୁଖରେ ।

ସୁନ୍ଦରୀ,

ରତେ କେଶ ଅସମ୍ଭାଳ ରେ ।

ରମ୍ୟ ଚରମେ ପଳାଇ ଲୁଚିଥିଲା ବାନ୍ଧିବା ତାହାକୁ ଭାଳ ରେ ।୨୭ ।

 

ଲାବଣ୍ୟ ବିମ୍ୱ ବିଡ଼ମ୍ବ ଅଧର ତୋ ଘାତକ ହୋଇଛି ଅତି ରେ ।

ଲାଳସେ ଏତେ ତାମ୍ୱୁଳ ଅଉଷଧି ଦେଇଣ କର ତୃପତି ରେ ।

ସୁନ୍ଦରୀ,

ଲାଖ ପ୍ରାୟ ଆଦ୍ୟ ପ୍ରାନ୍ତରେ ।

ଲଳିତ ଅଙ୍ଗ ଯେ ରହିଥିଲା ଯାକୁ ଚନ୍ଦନେ କର ଲେପିତ ରେ ।୨୮ ।

 

ବିଚାରେ ପବନ ଘନସାର ଅଗ୍ନିସମେ ଦେଉଥିଲେ ପୀଡ଼ାରେ ।

ବ୍ୟାଜକି ଆଜ ସେ ସୁଖଦାହେଲାକୁ ସିନା କରୁଅଛି ଲୋଡ଼ା ରେ ।

ସୁନ୍ଦରୀ,

ବିବେକ କି ଶୋଭାନିଧିରେ ।

ବିଧୁ ଅସ୍ତବ୍ୟସ୍ତ କରିଥିବା ସାଧୁ ସବୁ ଚକ୍ର ହେଲା ସାଧିରେ ।୨୯ ।

 

ଶୟନ କର ନୟନରୁ ଜାଣିଲୁଁ ରାତ୍ର କଲୁଁ ଶିବରାତ୍ର ରେ ।

ଶ୍ରୀ ଅଙ୍ଗକୁ ତେବେ କିଛି ଶାନ୍ତ ହେବ ଅଶେଷ ସୁରସପାତ୍ରୀ ରେ ।

ସୁନ୍ଦରୀ,

ଶ୍ରଦ୍ଧା ଏକା ଅଛି ତହିଁରେ ।

ଶଶୀହାସୀ ସେ ବିଧି ସ୍ୱପ୍ନେ ଦେଖିବୁ ପାସେରିବା କଥା ନୋହିରେ ।୩୦ ।

 

ଷଡ଼ାନନ ତାତ ଆଦି ଦେବତାଙ୍କୁ ଏ ପୁରୁଷ ସଙ୍ଗ ଆଶେ ରେ ।

ଷୋଡ଼ଶୀ ଯେତେ ଦ୍ରବ୍ୟ ଥିଲୁ ମନାସି ଦେବୁ ଏହି ଦିବସେ ରେ ।

ସୁନ୍ଦରୀ,

ଷଣକୁସୁମ ସୁକାନ୍ତି ରେ ।

ଷଡ଼ାର୍ଦ୍ଧପୁରେ ପ୍ରମଦା ମାତ୍ରେ ନାହିଁ ତୋ ସମାନ ଭାଗ୍ୟବତୀ ରେ ।୩୧ ।

 

ସାରସଗତି ସଖୀଭାଷ ବଶରେ ମଜ୍ଜିଲା ହୀରା ସରିତେ ଯେ ।

ସତେ ଉରଜ କଲା ଚନ୍ଦ୍ରଶେଖର ମୁଖ ନିବେଶ ତୁରିତେ ସେ ।

ସୁନ୍ଦରୀ,

ସଧୀରେ ସଖୀରେ ଯାଇ ସେ ।

ସମୀର ବହିଲା ସ୍ଥାନରେ ବସିଲା ଆଶ୍ୱାସନା କଲେ ସହୀ ଯେ ।୩୨ ।

 

ହାଟକ ଝଟକ ଗୋରୀ ଦେଲା ସେ ଛଟକେ ନୀତି ବଢ଼ାଇ ଯେ ।

ହସ୍ତୀ ଦଶନେ ପଲ୍ୟଙ୍କ ଅଙ୍କରେ ସେ ନିଃଶଙ୍କେ ଦେଲେ ଶୁଆଇ ଯେ ।

ସୁନ୍ଦରୀ,

ହେଲା ପୂର୍ଣ୍ଣ ମନୋରଥ ଯେ ।

ହେଳା ନ କଲା ଫୁସଲୀଳା ଭାବନା ଲବମାତ୍ର ହୃଦୟପଥ ଯେ ।୩୩ ।

 

କ୍ଷିତିମଣ୍ଡଳ ମଣ୍ଡନ କ୍ଷୀଣୋଦର ଭାବନା ବଶରେ ଫୁସ ଯେ ।

କ୍ଷଣଦା କ୍ଷଣପ୍ରାୟ ଗଲା ଚିଚାରେ କାହିଁଥିଲା ଏ ଦିବସ ଯେ ।

ସୁଜନେ,

କ୍ଷିପ୍ରେ ଚିନ୍ତି ରାମଚନ୍ଦ୍ର ଯେ ।

କ୍ଷମେ ଉପଇନ୍ଦ୍ର ଭଞ୍ଜ ବୀର କହେ ଅଘ କରୀନ୍ଦ୍ର ପାରିନ୍ଦ୍ର ହେ ।୩୪ ।

 

ପଞ୍ଚତ୍ରଂଶ ଛାନ୍ଦ

ଦେବତାଙ୍କର ଅଭିଶାପ ପ୍ରଦାନ

କନ୍ୟାବରର ସ୍ୱଦେଶ ପ୍ରବେଶ

(ରାଗ-କଳଶା)

 

ଏଥୁ ଅନନ୍ତରେ ଜନେ ଶୁଣ ଦିବ୍ୟରସ

ପୁରେ ସପତ ମଙ୍ଗଳାହେଲା ତହିଁ ଶେଷ ଯେ ।୧ ।

 

ପଡ଼ିଲା ପରମ ଅଷ୍ଟମଙ୍ଗଳାରେ ।

ନୋହିଲା ସେଦିନ ଭେଟ ପୁରୁଷ ବାଳାରେ ଯେ ।୨ ।

 

ବସି ବିଚାର କରଇ ରସିକ ରତନ

ଉତ୍ସବେ କାହିଁକି ହେଲା ଏଡ଼େ ହୀନ ଦିନ ଯେ ।୩ ।

 

ମୋତେ ହରିତାଳୀ ଗୋରୀ ହରିତାଳି କରି

ପରି ବରି ଦେବ ଦୁଃଖ ଏ ଘୋର ଶର୍ବରୀ ଯେ ।୪ ।

 

କୁହୁ ନୋହି ଜଗତରେ ମୋ ଠାରେ ହୋଇଲା

ବଦନଇନ୍ଦୁ ଦର୍ଶନ ଏଣୁ ବିରୋଧିଲା ଯେ ।୫ ।

 

ଏକାଳେ ଜ୍ୟୋତିଷ ସୁତ ପାଶେ ପରବେଶ

ବୋଇଲା ମନ୍ତ୍ରୀ ସୁତକୁ ମନ୍ତ୍ରୀ କରି ବେଶ ଯେ ।୬ ।

 

ସୁତ ବିଭା କରିଦେବ ନେଉଅଛି ବରି

ଚିତ୍ତ ଚିନ୍ତା ଆନ ଏସନ୍ଦେଶ ଶୁଣିକରି ଯେ ।୭ ।

 

ଋତୁଧ୍ୱଜ ବିଭାପୁଣି ପୁରୋହିତ ସୁତା

ମୋତେ ଆଗୁ ଏ ଦେଶ କରିଛି ଯୋଗ ଧାତା ଯେ ।୮ ।

 

ରତ୍ନାକର ସାଧୁତା ଆମ୍ଭର ଅତି ସ୍ନେହୀ

ତାହାର ଭଗ୍ନୀକି ମାଗ ପୁରନ୍ଦର ପାଇଁ ଯେ ।୯ ।

 

ଶୁଣି ତୋଷ ହୋଇ ଧରାପତି ପ୍ରିୟସୁତ

ସେ କାର୍ଯ୍ୟ ନିର୍ବାହକଲା ପାଶୁ ପେଷି ଦୂତ ଯେ ।୧୦ ।

 

ତିନିମିତ୍ର ବିଭାବିଧି ଶୁଭେ ହେଲା ସିଦ୍ଧି

ପୁଣି ଅତି ହରଷ ହୋଇଲା ରସନିଧି ଯେ ।୧୧ ।

 

କାମକଳା ମେଘମାଳା ହାରାବଳୀ ନାମ

ସପତି ହେବାରୁ ସେ ହୋଇଲେ ପୂର୍ଣ୍ରକାମ ଯେ ।୧୨ ।

 

ଆଉମାନେ ଦାସୀ ମୁଖୁଁ ଶୁଣିଲେ ବାରତା

ଦେବେ ଯଉତୁକେ ବୀରେ ଏଣୁ ଦୂରଚିନ୍ତା ଯେ ।୧୩ ।

 

ଏମନ୍ତ କେତେ ଦିବସ ଶେଷ କଲେ ତହିଁ

ସିଂହଳ ଭୂପାଳେ ପୁରୋହିତ ସୁତ କହି ଯେ ।୧୪ ।

 

ବୋଇଲା ଯେ କର୍ଣ୍ଣାଟ ସେ ସିଂହଳ ପ୍ରଦେଶ

ଏମନ୍ତ ଅବଧାନରେ କର ନରଈଶ ଯେ ।୧୫ ।

 

ଶଶିଶେଖର ରାଜ୍ୟର ଏକମାତ୍ର ପୁତ୍ର

ଅଛି ପ୍ରତିମାକୁ ପଠିଆଇ ରଖି ନେତ୍ର ଯେ ।୧୬ ।

 

ଅବଧାନ କଳେ ଏବେ ହୋଇବୁଁ ମେଲାଣି

ଦଣ୍ଡଧର ହରଷ ହୋଇଲେ ଚିତ୍ତ ଶୁଣି ଯେ ।୧୭ ।

 

ଯଉତୁକ ସମ୍ଭାର ଘେନାଇ ସଚିବକୁ

ପ୍ରେକ୍ଷିତ କଲେ ତୁରିତ କୁମାର ପାଶକୁ ଯେ ।୧୮ ।

 

ଚାହିଁ ସେ ସମ୍ଭାର ଯୁବରାଜ ହୋଇ ତୋଷ

ଦେଇଛି ଧନଦକୋଷ ପରି ରତ୍ନକୋଷ ଯେ ।୧୯ ।

 

କରୀ ହୟ ହରିଚୟ ଯାନ ସମାନରେ

ଲକ୍ଷ ସଂଖ୍ୟକ ଦେଇଛି ସହଜ ଚିତ୍ତରେ ଯେ ।୨୦ ।

 

କାମଧେନୁ ପରି ଧେନୁ ସବତ୍ସା କରିଣ

କୋଟି ପରିମିତ ଘେନିଛନ୍ତି ବ୍ରଜଗଣ ଯେ ।୨୧ ।

 

କଥା କୁହା ପିକ ସାରିକା ଅନେକ

ଅଶେଷ ମଞ୍ଜୁଷ ଚର୍ମ ଆଡ଼େଣୀ ସାୟକ ଯେ ।୨୨ ।

 

ବସନ ପେଡ଼ାମାନଙ୍କ ସଂଖ୍ୟା ହେବ ନାହିଁ

ହାନ୍ଦୋଳା ସ୍ୟନ୍ଦନ ଯହିଁ ଗଣା ନାହିଁ ଯେ ।୨୩ ।

 

ଏ ବିଧିରେ ପଦାର୍ଥ ସମର୍ପି ଜଣାଇଲା

ସଭୂଷଣ କରି ଦାସୀ ସହସ୍ରେକ ଦେଲା ।୨୪ ।

 

ଯାଉଛନ୍ତି ଏ ବାହାରେ ପ୍ରିୟସଖୀଗଣ

ଯାହାକୁ ଲାବଣ୍ୟଲକ୍ଷ୍ମୀ କଳୁ ସମର୍ପଣ ହେ ।୨୫ ।

 

ତାହାକୁ ପଦାର୍ଥ ଦେଇ ନାହିଁ ତୋଷିବାକୁ

ଶିବର ଆଉ କି ଇଚ୍ଛା ଲଭିଲେ ଶିବାକୁ ଯେ ।୨୬ ।

 

ଯାହା ଆଜ୍ଞାରେ ହୋଇଛି ଦେଇ ଇନ୍ଦ୍ର ପଦ

ଶ୍ମଶାନେ ଭ୍ରମି ସେ ଇଚ୍ଛା ନ କଲେ ସମ୍ପଦ ଯେ ।୨୭ ।

 

ଏ ବିଧିରେ ଘେନା ଘେନି ଅନେକ ରତନ

ସଜ କରିଦେଲା ସେ ବହୁତ ପୋତମାନ ଯେ ।୨୮ ।

 

ମାତା କୋଳକରି ପ୍ରିୟାସୁତାକୁ ତିଆରି

ତଦୁତ୍ତାରେ ରତ୍ନ ହାନ୍ଦୋଳାରେ ବିଜେ କରି ଯେ ।୨୯ ।

 

ବୋଇତରେ ବିଜେ କଲା ଯୁବରାଜ ସଙ୍ଗେ

ଅଛନ୍ତି ପରିଚାରିକା ସଖୀ ସଙ୍ଗେ ରଙ୍ଗେ ଯେ ।୩୦ ।

 

ଜେମା ଭ୍ରାତା ଆଦି ମନ୍ତ୍ରୀ ଘେନି ବାହାରିଲେ

ସେଦିନ ସବଳହୋଇ ସିନ୍ଧୁ ପାରିହେଲେ ଯେ ।୩୧ ।

 

ନାରଦ ମୁଖୁଁ ଶୁଣିଲେ ଅମର ନିକର

ଅତୁଲ୍ୟ ଶୋଭା ନାରୀ ଏଥିଲା ମର୍ତ୍ତପୁର ଯେ ।୩୨ ।

 

କାଞ୍ଚିପତି ସୁତ ଚନ୍ଦ୍ରଭାନୁ ହେଲା ବିଭା

ଦେବେ ପଚାରିଲେ କହ ସେ ସୁନ୍ଦରୀ ଶୋଭା ଯେ ।୩୩ ।

 

ଋଷି କହେ କି କହିବି କିଛିମାତ୍ର ଶୁଣ

ନୀଳ ଧବଳ ଚଞ୍ଚଳ ବୃଷାଳ ତା ଗୁଣ ଯେ ।୩୪ ।

 

ଅତିରଙ୍ଗ ଗହଳ ପକ୍ଷ୍ମଳ ପୁର ନେତ୍ର

ଗୁଣେ ଗୁରେ ଲଭି ହେଲେ ଏମାନେ ପବିତ୍ର ଯେ ।୩୫ ।

 

ଇନ୍ଦୀବର ପୁଣ୍ଡରୀକ ଖଞ୍ଜରୀଟ ମୀନ

ମଦିର ଅନ୍ୟ ନେତ୍ରକୁ ହୁଅନ୍ତି ସମାନ ହେ ।୩୬ ।

 

ସିହାରୀ ଚାହାଣୀ ଶର ବିନ୍ଧିବା ଛଟକ

ଚାହିଁ ନ ଚାହିଁବ କି ସେ ବିଜୁଳି ଝଟକେ ଯେ ।୩୭ ।

 

ଡ଼ୋଳା ଚଞ୍ଚଳ ରସିକ ନାସିକାକୁ ଚାହିଁ

ଅନ୍ତପଳାୟିତ ଶ୍ରୁତି ଚତାହିଁ ଲେଉଟାଇ ଯେ ।୩୮ ।

 

ଏତେମାତ୍ର ନେତ୍ର ପ୍ରଶଂସାକୁ ଶୁରି ସୁରେ

ଲାବଣ୍ୟବତୀ କି ବୋଲି କଥା ପରସ୍ପର ଯେ ।୩୯ ।

 

ସେହି ବୋଲି ବାହାରିବା ବେଳେ ମୁନିବର

ଶର ପରେ ମାର ତହିଁ ପ୍ରହାରିଲା ଶର ଯେ ।୪୦ ।

 

ନିଶ୍ୱାସ ପକାଇ କର ସିଞ୍ଚାଡ଼ି ବିସ୍ମୟ

ନରେ ନିକି ଭୋଗ ହେଲା ଏଡ଼େ ଶୋଭାମୟ ଯେ ।୪୧ ।

 

ଆମ୍ଭ ଆଶା ବିଫଳକୁ ନେଲା ତ ଦଇବ

ଅବଶ୍ୟ ତାହା ବିଚାର ବିଚ୍ଛେଦ ହୋଇବ ଯେ ।୪୨ ।

 

ସୁର ରମଣୀଙ୍କ ମହାଶଙ୍କା ହେଲା ଦୂର

ଭାବିଲେ ବିଚ୍ଛେଦ ଶାପ ନୁହଇ ବେଭାର ଯେ ।୪୩ ।

 

ନଳ ଦମୟନ୍ତୀ ପ୍ରାୟ କିଛିଦିନ ଭିନ୍ନ

ହୋଇ ପୁଣି ଲଭନ୍ତି ବିପୁଳ ଭୋଗମାନ ଯେ ।୪୪ ।

 

ନିଶ୍ୱାସଉଦ୍ଭବା ଚଣ୍ଡୀସିନ୍ଧୁ ଦେଶେ ଯାଇ

ଉପକାରେ ରହିଲା ରାଜ୍ୟରେ ପୂଜାପାଇ ଯେ ।୪୫ ।

 

ଏଥୁ ଅନନ୍ତରେ ତହିଁ ନୃପତି କୁମାର

କେତେଦିନ ପରବେଶ ଆପଣା ନଗର ଯେ ।୪୬ ।

 

କର୍ଣ୍ଣାଟ ରାଜନ ଣୁଣି ଅତି ତୋଷ ହେଲେ

ସଚିବଙ୍କୁ ହକରାଇ ପୁର ମଣ୍ଡାଇଲେ ଯେ ।୪୭ ।

 

ମହୋତ୍ସବେ ଅନ୍ତଃପୁରେ ନେଲେ କନ୍ୟା ବର

ଏହି ବିଧି ମନ୍ତ୍ରୀ ପୁରୋହିତ ସାଧୁତର ଯେ ।୪୮ ।

 

ନନନ୍ଦ ନିଷେଧେ ପୁର ସ୍ୱୟଂ ସୁକୁମାରୀ

ଯତ୍ନ ରତ୍ନଭୂଷଣ ବସନେ ବୋଧକରି ଯେ ।୪୯ ।

 

ଶାଶୁକୁ ଓଳଗି ବାସ ନିଉଛାଳି କଲା

ପୁରସିନ୍ଧୁ ହୁଳହୁଳି ନାଦେ ଉଚ୍ଛୁଳିଲା ଯେ ।୫୦ ।

 

ନାରୀ ପ୍ରଶଂସାକଲେ ଏସଂସାର ସାର

ଜଗଜ୍ଜୟ ଜଙ୍ଗଦ ମୂର୍ତ୍ତିକ ମଦନର ଯେ ।୫୧ ।

 

କୁନ୍ତଳ କାଳିନ୍ଦୀଜଳ ଉଜ୍ଜ୍ୱଳ

କିଏ ତମ ତାମସ ଖତମାଳ ଯେ ।୫୨ ।

 

କି ଚାମର ଭ୍ରମର ଅମରବର ମଣି

ଶୁଚି ସୁରୁଚି କସ୍ତୁରୀ ଶିଖପୁଚ୍ଛ ଜିଣି ଯେ ।୫୩ ।

 

ଚକୋରପାଳିକା କିବା ଆଳିକା ଅଳକ

ଲଲାଟପଟ ଅର୍ଦ୍ଧେନ୍ଦୁ ଅନଙ୍ଗ ଫଳକ ଯେ ।୫୪ ।

 

କର୍ଣ୍ଣ ଚୂତଫଳଫାଳ କିଂଶୁକ ପାଟଳୀ

କିବା ବିଷ୍ଟର ଲୁ କାର ପାଶ ଖଟଦୋଳି ଯେ ।୫୫ ।

 

ଗଣ୍ଡ ଖଣ୍ଡଚନ୍ଦ୍ର ଆଦରଶ ପାଳି ଦିଶି

ଚାରୁ ଭୂରୁ କମାଣ ପରଶୁ ଶିଶୁଶଶୀ ଯେ ।୫୬ ।

 

ନାସିକା କୀର ତୂଣୀର ତିଳଫୁଲ ତୁଳ

ଚିବୁକ ଚତୁର୍ଥୀ ଚନ୍ଦ୍ର ନାଗରଙ୍ଗ ଫଳ ଯେ ।୫୭ ।

 

ନେତ୍ର କୁରଙ୍ଗ ତୁରଙ୍ଗ ନୀଳ ଇନ୍ଦ୍ରବର

ମୀନ ଖଞ୍ଜନ ନଳିନୀ ମାର୍ଗଣ ମଦିର ଗୋ ।୫୮ ।

 

କଳା ଡ଼ୋଳା ଖେଳା ଇନ୍ଦୀବର ଲୀଳା ନିନ୍ଦି

ଅନ୍ତ କୁନ୍ତ ଶାଣିତ ତରୁଣ ମର୍ମଭେଦୀ ଯେ ।୫୯ ।

 

ଚାରୁ ଝଳକ ପଲକ ପତନ ଚାତୁରୀ

ସାକ୍ଷାତରେ ଦର୍ପକର ଦର୍ପକ କତୁରୀ ଗୋ ।୬୦ ।

 

ଅଧର ବାଳା ଅରୁଣ ପ୍ରବାଳୁଁ ପ୍ରବଳ

କି ବିମ୍ୱ ଡ଼ାଳିମ୍ବପୁଷ୍ପ ମାଣିକ୍ୟ ହିଙ୍ଗୁଳିରେ ।୬୧ ।

 

ବନ୍ଧୁକ ସନ୍ଧ୍ୟାରେ ମହିର ମନ୍ଦାର ସିନ୍ଦୂର

ପୁଣି ଅନୁରାଗ ଜନ୍ମସ୍ଥଳ ପରକାର ଗୋ ।୬୨ ।

 

ହାସ କାଶ ପୀୟୂଷ କର୍ପୂର ଚନ୍ଦ୍ରକର

କିଏ କୁମୁଦ ହିଣ୍ଡୀର ଦର ହରଧର ଗୋ ।୬୩ ।

 

ଦଶନ କୁନ୍ଦକୋରକ କରକ ହୀରକ

ମୋତିପନ୍ତି ସୁଧାବିନ୍ଦୁ ତଣ୍ଡୁଳ ତୁଳିକ ଗୋ ।୬୪ ।

 

ମୁଖବାସ ଝଳି ଆହାଲାଦ ମନୋହର

ଏକତନୁ କମଳ ପର୍ପଣ ନିଶାକର ଗୋ ।୬୫ ।

 

କମ୍ୱୁ କପୋତ ମଙ୍ଗଳକୁମ୍ଭ ଗ୍ରୀବାଗଳ

ଚରମପ୍ରଭାନିଜ୍ଜଳ ନଦୀ ରମ୍ଭାଦଳ ଗୋ ।୬୬ ।

 

ଭୁଜ ଚମ୍ପାମାଳ ବିଧି ମୃଣାଳ ବଲ୍ଲରୀ

କର କୋକନାଦ କେନ୍ଦୁ ପଲ୍ଲବକୁ ସରି ଯେ ।୬୭ ।

 

ଗନ୍ଧଫଳୀ ଅଙ୍ଗୁଳି କରଜ ଜାତି କଳୀ

ବାଣୀ ବେରୁ ପିକଶୁକଥିବ ଦଳି ଯେ ।୬୮ ।

 

ଉରଜ କନ୍ଦୁକ ଚନ୍ଦ୍ରବାକ ସଂପୁଟକ

କି ସ୍ୱୟମ୍ଭୁ ଶମ୍ଭୁ ତମ୍ଭୁ ଅମ୍ୱୁଜ କୋରକ ଯେ ।୬୯ ।

 

ସାତକୁମ୍ଭ କୁମ୍ଭୀରମ୍ଭା କୋଷ

ମୁଦ୍ରିତ ଛତ୍ର ବୋଇତ୍ର ସ୍ୟନ୍ଦନ କଳସ ଗୋ ।୭୦ ।

 

କାମ ନୃପର ଟୋପର ଉଲଟ ନିଶାଣ

କି ମଲ୍ଲସାଧନ ଚକା ପ୍ରସ୍ତର ଘଟଣ ଗୋ ।୭୧ ।

 

କି ନାରିକେଳ ଶ୍ରୀଫଳ ତାଳ ମାତୁଳଙ୍ଗ

ପୀୟୂଷକୋଷ କି ମେରୁ ସରି ଗୁରୁତୁଙ୍ଗ ଯେ ।୭୨ ।

 

ଉଦର ଲାବଣ୍ୟସର ସାରସପତର

ତ୍ରିବାଳୀ ସୋପାନ କିବା ତ୍ରିବେଶୀ ରୁଚିର ଗୋ ।୭୩ ।

 

ରୋମଲତା ଧୂମଲତା ଶଇବାଳ ଲତା

ନୀଳପିପୀଲିକା ଅଳିଆଳିକା ଶୋଭିତ ଯେ ।୭୪ ।

 

ନୀଳମଣିମାଳା ଭେଳା ମରକତଦଣ୍ଡ

ପଟ୍ଟିଶ ଡ଼େରି ଥୋଇଛି କି ଫୁଲକୋଦଣ୍ଡ ଗୋ ।୭୫ ।

 

ମଧ୍ୟ ସିଂହ ଡ଼ମ୍ବରୁ ଳୁ ବର୍ଣ୍ଣ ଅଣୁ ପବି

ଚାରିଅଙ୍କ କୁଶମୁଦ୍ରା ବିସର୍ଗ ଛବି ଗୋ ।୭୬ ।

 

ନାଭି ଟୋପି ଗୁଣକୋଟି ଜଳଭ୍ରମ

ନିତମ୍ୱ ସୁଧାଂଶୁ ବିମ୍ୱ ରଥାଙ୍ଗକୁ ସମ ଗୋ ।୭୭ ।

 

ରତି ଯଜ୍ଞ ଅର୍ଘ୍ୟସ୍ଥାଳୀ କିବା ପାନ ପତ୍ର

ସୁସଞ୍ଚ ସ୍ପୀଚ ଲକ୍ଷଣ ଯନ୍ତ୍ରତୁମ୍ୱୀ ମାତ୍ର ଯେ ।୭୮ ।

 

ମଣ୍ଡପ କଚ୍ଛପ ଯଜ୍ଞବେଦୀ ଭଦ୍ରାସନ

ହେମପାତ୍ରୀ କାମପୁର ଚତ୍ୱର ଜଘନ ଯେ ।୭୯ ।

 

ଗୁରୁ ଊରୁ ରମ୍ଭାତୁର ଅର୍ଗଳି ପୁଳିନ

କରଭ ଉଡପ ଜାନୁ ଗୁଳୁଫ ବନ୍ଧନ ଗୋ ।୮୦ ।

 

ଅଙ୍ଗୁଳି ଅଶୋକକଳି ନଖ ଭାନୁମଣି

ପଦ ସ୍ଥଳପଦ୍ମ ତଳ ମନ୍ଦାରକୁ ଜିଣି ଗୋ ।୮୧ ।

 

ଗଉରୀ ଗଉରୀକାନ୍ତ ଦେଇଅଛି ଦଳି

ଶମ୍ପା ଚମ୍ପା ସମ୍ପାକ କୁସୁମ ହେମଝଳି ଗୋ ।୮୨ ।

 

ଗଉରୀ ହରିଦ୍ରା ହରିତାଳ ଷଣଫୁଲ

କେତକୀ କଞ୍ଜକେଶର କେହି ହେବ ତୁଲ ଗୋ ।୮୩ ।

 

କୋମଳେ ତୁଳା ଲବଣୀ ଶିରିଷ ଧିକ୍‌କାରୀ

କରୀଶିରେ ପଦ ଦେବ କରୀଗତି କରି ଗୋ ।୮୪ ।

 

ବାସେ ଉତ୍ପଳ କୁସୁମ ଅନ୍ୟେ ମନୋରମା

କାହା ଆଖି ଦେଖିନାହିଁ ଏମନ୍ତ ସୁଷମା ଯେ ।୮୫ ।

 

ଏବିଧି ପ୍ରଶଂସି ପୁରେ ରଖି ଶୋଭାନିଧି

ଦମ୍ପତି କରନ୍ତି କେଳି ତହି ନାନାବିଧି ଯେ ।୮୬ ।

 

ସିଂହଳଦ୍ୱପ ନୃପଜ ମନ୍ତ୍ରୀକି ମେଲାଣି

କେତେଦିନ ଅନ୍ତେ ଯହିଁ କଲେ ନୃପମଣି ଯେ ।୮୭ ।

 

ଗଉତମ ନାରୀର ଉତ୍ତମ ଗତିଦାୟୀ

ଉପଇନ୍ଦ୍ର ବୀରବର ସେ ଶ୍ରୀରାମ ଧ୍ୟାୟି ଯେ ।୮୮ ।

 

ଷଟ୍‌ତ୍ରିଂଶ ଛାନ୍ଦ

ନବଦମ୍ପତିଙ୍କର କୌତୁକ ବର୍ଣ୍ଣନା

ରାଗ-ରାଜବିଜେ

ତାଳ-ରୂପକ

 

ପ୍ରବେଶ ସୁରଭି ଘନର ସମୟ ଜଡ଼ବର ସୁରଞ୍ଜନ

ସୁଖଦାତା ଘନସାର ପ୍ରକାଶରେ ହରିତାପ ପ୍ରଭଞ୍ଜନ ହେ ସାଧୁ ।୧ ।

 

କମଳତୋଷ ଦାନକର ହୋଇଲା ଦିନକୁ ଦୁର୍ବହ କରି

ସୁବାସ ସୁମନାରେ ସ୍ନେହ ଅଧିକ ସକଳ ଜନ ଆଦରି ।୨ ।

 

କଳକଣ୍ଠ ରବ ଦିଗନ୍ତେ ଶୁଭଇ ଅନଙ୍ଗ ପ୍ରବଳ ଯହିଁ

ହେଲା ଶୋଭାବନ ବିହାର ଯହିଁରେ ଆନେ ମନ ନ ରସଇ ।୩ ।

 

ପୁଷ୍କରେ ସାରଙ୍ଗ ଲୀଳା ପ୍ରକାଶିଲେ ନାୟିକା ବିଚ୍ଛେଦୀ ଛନ୍ନ

ଆଶାରେ ଦୃଷ୍ଟି ପକାଇ ସେ ଭିତ୍ତିରେ ଲେଖି ବଶେ କଷ୍ଟଦିନ ।୪ ।

 

ନଗରେ ବରହୀ ଦୀପ୍ତମାନ ହେଲେ ସଂଯୋଗ ଲୀଳା ପ୍ରକାଶ

ଜନ ନୟନ କଦାଚିତ ଆଉ ଜୀମୂତ ନୋହିଲା ଦୃଶ୍ୟ ।୫ ।

 

ଏମନ୍ତ କାଳମାନଙ୍କେ ନୃପସୁତ ନୃତ୍ୟ ନନ୍ଦିନୀର ସଙ୍ଗେ

ଚାନ୍ଦିନୀ ମଶାରୀ ଜଗତେ ଅଙ୍କରେ ବିହାର କରଇ ରଙ୍ଗେ ।୬ ।

 

ଏକ ଲବ ନବପଲ୍ଲବ ଅଧରୀ ପାଶରୁ ନୁହଇ ଭିନ୍ନ

ଅଙ୍ଗ ସୁବାସ ଶୀତଳ ନିନ୍ଦା କରୁଥାଇ କର୍ପୂର ଚନ୍ଦନ ।୭ ।

 

ଅଧରପାନେ ଅମୃତ ଅଛି ଜାଣେ ସକଳ ମଧୁର ଘେନି

ଭାବଇ ସ୍ୱୟମ୍ଭୁ କମ୍ଭୁକଣ୍ଠୀ ଉରଜ ଅଭୟ ଦାନୀ ।୮ ।

 

ସକଳ ଚାତୁରୀ ଉପରେ ଚରତୁରୀ କହଇ ଚତୁରବାଣୀ

ଅଣମାଦି ସୁଖ ବଡ଼ କରି ଗଣ ଚୁମ୍ୱନ ଦେବାର ଆଣି ।୯ ।

 

ଲେଖଇ ନୀବୀମୋକ୍ଷକୁ ମୋକ୍ଷ କରି ନିରତେ ମନରେ ତାର ।

ଭାବେ ଦମ୍ପତି ବଡ଼ ସମ୍ପତ୍ତିକ ଭୋଗ କରେ ପୁରନ୍ଦର ।୧୦ ।

 

ନୀରଦକୁନ୍ତଳ ପରାୟ ଚାମର ଗତି ପରାୟ ଦ୍ୱିରଦ

ନୟନ ପରାୟ କୁରଙ୍ଗ କାହିଁକି କରି ତରଙ୍ଗ ବିନୋଦ ।୧୧ ।

 

ଜଘନ ପରାୟ ସିଂହାସନ ସ୍ତନ ପ୍ରାୟ ପୂର୍ଣ୍ଣକୁମ୍ଭ କାହିଁ

ଚକ୍ରବର୍ତ୍ତୀଏ ସମାନେ ସୁଖ ଅଭିଷେକ କାଳେ ପାଇ ନାହିଁ ।୧୨ ।

 

ଏମନ୍ତ ସ୍ନେହୀ ଜାନୁ ବିନା ଆସନ ଉର ବିନୁ ଆନ ଶଯ୍ୟା

ନଦେଇ ହରିଲା ଦିବା ରଜନୀକି ବଶ କରି ଦୃଷ୍ଟିରଜା ।୧୩ ।

 

ଚଞ୍ଚଳେକ୍ଷଣୀ ଯେ ଅଞ୍ଚଳେ ବାନ୍ଧିଲେ ତା ମନ ପ୍ରକାଶି ପ୍ରେମ

ଥାଉ ଶୟନେ ନ ଦେଖଇ ଅୟନେ ଆଉ ଚରମ ।୧୪ ।

 

ସୋପାନ ଆରୋହଣେ କରପଇଠ ଯାଚି ଭାଙ୍ଗି ଦେଇ ପାନ

ରତାନ୍ତେ ବ୍ୟଜନେ ବିଞ୍ଚି ଛଡ଼ାଇଲେ କରେ ଚନ୍ଦନ ଲେପନ ।୧୫ ।

 

ପ୍ରାତଃରୁ ଉଠି ସୁମରଣ କରନ୍ତି ଦୁହିଁଙ୍କର ନାମ

ମୁଖ ନିରେଖିଲା ଉତ୍ତାରୁ ଦେଖନ୍ତି ଦେବପଟ ଏଡ଼େ ପ୍ରେମ ।୧୬ ।

 

ବାରନ୍ତି ନେତ୍ରକୁ ପଲକ ଥିବାକୁ ପୁଲକ ହେବାକୁ ଅଙ୍ଗ

ରଖିଦେବ ନାହିଁ ତାର ବସନକୁ ଆଲିଙ୍ଗନ ଅନୁରାଗେ ।୧୭ ।

 

ଶୟନକାଳେ ବେନିହୃଦମଧ୍ୟରେ ନଗଳେ ମୃଣାଳସୂତା

କୁସୁମକାଳେ ଏକପୁରେ ଥିଲେ ହେଁ ତନୁ ଅନ୍ତରକୁ ଚିନ୍ତା ।୧୮ ।

 

ନିନ୍ଦନ୍ତି ଧାତାକୁ ବଡ଼ ଦାରୁଣ ସେ ଏକଥା କାହୁଁ ବିଚାରି

ତାରା ଚନ୍ଦ୍ର ପରା ଭୋଗ ତ କରଇ କୁମୁଦ ଚନ୍ଦ୍ରମା ପରି ।୧୯ ।

 

ନିଶାପତି ଦୀପଜ୍ୟୋତି ଯହିଁ ଦୂତୀ ହୋଇ ଛଡ଼ାଇ ସଙ୍କୋଚ

ପଞ୍ଚନାରାଚ ପାଞ୍ଚ ତାଙ୍କ ନପାଇ ଦୁହେଁ ଦୁହେଁଙ୍କ କବଚ ।୨୦ ।

 

କ୍ଷୀର ନୀର ପରା ଅଭେଦ ପୀରତି ବେନି ତନୁ ଏକ ପ୍ରାଣ

ଦର୍ପଣ କରି ହୃଦରେ ପ୍ରତିବିମ୍ବେ ମନେ କଲା କଥା ପୁଣ ।୨୧ ।

 

ନାଗବଲ୍ଲୀଦଳ ବେନିଭାଗ କରି ଭୁଞ୍ଜନ୍ତି ରଞ୍ଜନ୍ତି ଚିତ୍ତ

ବଚନ ପ୍ରତିପଦରେ ରସଗର୍ଭ ହୋଇଥାଇ ଯେ ଇଙ୍ଗିତ ।୨୨ ।

 

ମଧୁ ମାଧବରେ ଜଳଯନ୍ତ୍ରପୁରେ ନଳଦବାଡ଼ ରଚନ

ଅତର ଚନ୍ଦନ ଚୁଆରେ ପିଚିକା କରନ୍ତି ଭାବେ ସେଚନ ।୨୩ ।

 

କୁସୁମଶେଯ ଚନ୍ଦ୍ର କରେ ଶୟନ ଏଣୁ ନିଦ୍ରା ନ ଆସଇ

ଯେଣୁ ମନ ଶଙ୍କା ବିବସନ ପାଇଁ ବେନି ଜନଙ୍କର ଥାଇ ।୨୪ ।

 

ବରଷାରେ ବିଦ୍ୟୁ ଝଟଝଟ କେକୀ ନାଟକୁ ଚାହାନ୍ତି ସୁଖେ

ଅତି ତାମସ ଦିବସ ନିଶାମଣି ଋତୁକୁ ପ୍ରଶଂସି ମୁଖେ ।୨୫ ।

 

ରଖି ନ ପାରନ୍ତି ବିଧି ନିଷେଧକୁ ଭେକ ଡାହୁକ ଶବଦ

ଶୁଣନ୍ତି ମଣନ୍ତି କାହୁଁ ଭିଆଇଲା ଅନଙ୍ଗ ତେଲଙ୍ଗୀ ବାଦ୍ୟ ।୨୬ ।

 

ଶରଦ ଋତୁରେ ଚତ୍ୱର ଭ୍ରମନ୍ତି କର ଧରାଧରି ହୋଇ

ମାଳତୀ ମଧୁପ ପ୍ରୀତିକି ଲଭନ୍ତି ଏହି ନାମ ଛଳି ଦେଇ ।୨୭ ।

 

ନିଜ ଅନୁରାଗ ଅଧିକେ ଦେଖାଇ ସେକାଳେ ରମାରତନ

ସବୁଠାରେ ଜୀବଧନ ପାଇଁ ପ୍ରିୟା ତେଜଇ ସିନା ଜୀବନ ।୨୮ ।

 

ବିଚାର ତରୁଣ ବୋଲାଇ ଦାରୁଣ ଜିଅଁଇ ସିନାରେସଖୀ

କାମ ବିନା ରତି ଚନ୍ଦ୍ର ବିନୁ ରାତି ନ ପାରିଲେ ଜୀବ ରଖି ।୨୯ ।

 

ହିମ ଶଶିରେ ଅଗୁରୁ ଧୂମ ପୁରେ କରି ହସନ୍ତି ଜ୍ୱଳିତ

ନିଶାରେ ନିଶାରେ ଆଦର ତେଜନ୍ତି ତନୁ ଉଷୁମରୁ ସତ ।୩୦ ।

 

ଭାବନ୍ତି ବେନି ଯେ ଧନ୍ୟ ଦମ୍ପତିକି ବିପତ୍ତି ନାହିଁ ଏକାଳେ

ବହୁତ ବାସ ବାରଣିର ସମ୍ପତ୍ତି ଊରୁ ତରୁଣୀର ବଳେ ।୩୧ ।

 

ଭାବୁଥିବେ ଦିନ ବିରହୀ ଆମ୍ଭକୁ ଜଳ ସ୍ଥଳେ ଗତି ନାହିଁ

ବିଛା ମକର ବିଷମ ଘାତ ସହି ଜିଇଁବା କେମନ୍ତେ ହୋଇ ।୩୨ ।

 

ବିଧି ଭାବ ଭକ୍ତି ନାନା ବିବିଧ ବିଳାସ ପ୍ରକାଶ ଯେତେ

ପଛେ ତ ପାଞ୍ଚଛାନ୍ଦେ ବ୍ୟକ୍ତ ହୋଇବ ଶୁଣିବ ପୁଣି ପଣ୍ଡିତେ ।୩୩ ।

 

କହିବ ଦିନକ ରସ ରହସ୍ୟକୁ ଶୁଣ ଦେଇକର ମନ

ପଶା ଖେଳିବା କି ବାଳୀ ବୋଲିବାକୁ ଛଳିଲା ଫୁସ ରତନ ।୩୪ ।

 

କରଚରଣ ପାଲି ଛକ ଚିତ୍ରକ ସ୍ତନ ସାରେ ଶୋଭା ପାଉ

ବିଦ୍ୟୁବିଜିତ କାନ୍ତ ଦାନ ଯହିଁରେ କି ଖେଳିବ ଆଉ ।୩୫ ।

 

ବେନି ଜନରୁ ଜଣେ ହେଁ ନ ହାରିବ କୁସୁମଶର

ମନେ ବିଚାର ତ ଏଡ଼େ ସୁଖ ଛାଡ଼ି ଆଉ ନିକି କରିବାର ।୩୬ ।

 

ଶୁଣି ରସିକା ରମଣୀ ଯେ ବୋଇଲା ଏ ଭଙ୍ଗୀକି କେ ପାରିବ

କାହିଁ କଥା ନେଇ କାହିଁ ଲଗାଇବ ତହିଁକି ଉତ୍ତର ଥିବ ।୩୭ ।

 

ଏ ସମୟରେ ବୀରମାତା ବଧୂକୁ ଦେଖିବା ପାଇଁ ନିଅଇ

ପ୍ରିୟା ପ୍ରତିପଟ ପେଡ଼ିରେ ଥିଲା ତା ଫେଡ଼ି ପୁରୁଷ ଦେଖଇ ।୩୮ ।

 

ଏହି ସମୟରେ ଚରମେ ଭରମବରନା ପ୍ରବେଶହେଲା ।

ପୁଣି କେ ସଦୃଶା ହେଲାଣି ସପତ୍ନୀ ହେବା ଶଙ୍କା ଘେନିଲା ।୩୯ ।

 

ସ୍ୱଭାବେ କୋପନା ଚନ୍ଦ୍ରମା ଲପନା ନ ମଣିଲା ନିଜ ସ୍ନେହ

ଜଳେ ପ୍ରତିବିମ୍ୱ ନିରେଖି କେଶରୀ ଯେମନ୍ତ କଲାକ କୋହ ।୪୦ ।

 

ମାନ ଆରମ୍ଭ ରମ୍ଭୋରୁ କଲା ଥାଉଁ ମଦନ ପରା ବିପକ୍ଷ

କହେ ଉପଇନ୍ଦ୍ର ଭଞ୍ଜ ବୀରବର ରାମଚନ୍ଦ୍ର ରକ୍ଷ ରକ୍ଷ ।୪୧ ।

 

 

Unknown

ସପ୍ତତ୍ରିଂଶ ଛାନ୍ଦ

ମାନଦର୍ଶନେ ଚନ୍ଦ୍ରଭାନୁର ଚାଟୂକ୍ତି

(ରାଗ – କାଳୀ)

 

ଅତି କାତରେ ନିଜ କାନ୍ତରେ ଶଙ୍କା ଚିତ୍ତରେ ଲଭି

କୋପ ଅଙ୍କୁର ମହୀ ମୁକୁର କଲାଚିକୁର ଶୋଭୀ ।

ରତିଆବେଶୀ ରତନବେଶୀ ଗଣ୍ଡେ ନିବେଶି କର

ନୟନ ନୀରରୁହରୁ ବୀର ତେଜିଲା ନିରନ୍ତର ।୧ ।

 

ଶ୍ୱାସ ପ୍ରଖରେ ବହେ ଦୁଃଖରେ ଧରା ନଖରେ ଚିରେ

ଓଷ୍ଠ କମ୍ପନ ହାସ ସ୍ୱପନ ମ୍ଳାନ ଲପନ ଧରେ ।

ଦେଖି ନାଗର ଆସ ଆଗର ଅନୁରାଗର ବଶେ

ଅତି ଆରତି ହୋଇ ପୀରତି ଯୁକ୍ତ ଭାରତୀ ଭାଷେ ।୨ ।

 

ତୋର ସୂଚିତ ଅନଉଚିତ ମାନ ସଞ୍ଚିତ ଯେଣୁ

ରେ ସର୍ବଭୂତ ମୋହି ଅଦ୍ଭୁତ ମାନ ସମ୍ଭୂତ ଏଣୁ ।

ଉଦେ କମଳ କୋଳ କମଳ ଧର ନିର୍ମଳ ପ୍ରୀତି

ଧୈର୍ଯ୍ୟ ଭଞ୍ଜନ ମୋତି ରଞ୍ଜନ କରେ ଖଞ୍ଜନ କାନ୍ତି ।୩ ।

 

ବସନ୍ତେ କଳକଣ୍ଠ ବିକଳ ଏ କଳି ସକଳ ମତେ

ଶାଶୁ ବିରାଜମାନ ନାରାଜ ମଦନରାଜ ହିତେ ।

କେ ତୋ ସମାନ କାହାକୁ ମାନ ଘେନ ତୋ ମାନସର

ତୋ ବିନା ଗତି ନାହିଁ ଜଗତୀ ମଧ୍ୟେ ସୁଗତି ମୋର ।୪ ।

 

ମୋ ନିବେଦନା ଘେନ ବେଦନା ଚନ୍ଦ୍ର ବଦନା ବର

କର ବିକାଶ କୁସୁମ କାଶ ହାସ ପ୍ରକାଶ କର ।

ରେ ବୀଣାଭାଷି ବାଣୀ ନ ଭାଷି ବସିଲେ ଭାସିଗଲି

କୋଳରେ ହାର କରୁ ବାହାର ଏବେ କାହାର ହେଲି ।୫ ।

 

ରସଉଦୟା ମୃଦୁ ହୃଦୟା ପରି ତୋ ଦୟାବାରି

କରୁ ନିରାଶ ରବିଗରାସ ମୋତେ ପରାସ କରି ।

ମୁଁ ଯେ ସ୍ତବକସ୍ତନା ସେବକ ପାଦଯାବକ ପରି ।

ଏବେ ଖଣ୍ଡନ ସୁଖ ଦଣ୍ଡନା ମହୀମଣ୍ଡନା ଗୋରି ।୬ ।

 

ସବୁ ଭରସା ତୁ ମୋରୀ ରସାଳସା ସାରସନନା

ନୋହେ ଏ ଉତ୍ତକାଶିନୀ ମତ ମୁଁ ତୋ କେମନ୍ତ ଅନା ।

ଚାରି ଦ୍ୱିଗୁଣ ମଙ୍ଗଳାଗୁଣ ଆଜ କି ଗୁଣବତୀ

ଦରିଦ୍ରଧନ ତୁ ମୋର ଧନ କର ନିଧନ ଭୀତି ।୭ ।

 

ଭଜୁଛି ବିନାଶକୁ ନବୀନାମୁହଁ ତ ବିନା ଦୋଷେ

ଦଣ୍ଡି ଯାହାକୁ ମଣ୍ଡି ତାହାକୁ ମୃଦୁଦେହାକୁ ଭାଷେ ।

ଧରୁଛି ପଦ ନାଶ ବିପଦ ଇନ୍ଦ୍ରସମ୍ପଦ ଦତ୍ତ

ରଚି ରମଣୀ ରସିକ ନାସିକାମଣି ନୃତ୍ୟ ।୮ ।

 

ଲେଖ ମକରୀ ସୁବେଣୀ କରି ଦିଅଇ କରୀ ଗତି

ଅଛି ରସନା ଆନେ ରସନା ହୁଅ ପ୍ରସନ୍ନମତି ।

ନୃପନନ୍ଦନା ଜଗଦ୍‌ବନ୍ଦନା ଭିଡ଼ି ଚନ୍ଦନାଙ୍କତେ

ନୋହେ ଭୂଷଣ ରୋଷେ ଦୁଷଣ ଦେଉ କଷଣ କେତେ ।୯ ।

 

ସୁରସଲତା ପାଦେ ଅଳତା ମଞ୍ଜୁଳଲତା କୃତେ

ଆରେ ହେମାଙ୍ଗି ସୁଉତ୍ତମାଙ୍ଗି ଥିଲେ ଯେ ମାଗି ତୋତେ ।

ମୋର ବର୍ତ୍ତନ ସୁଧା ଯତନ ମହୀପତନ କରୁ

ହେଠ ଅଧରୁ କେଉଁ କ୍ରୋଧରୁ ଚିତ୍ତେ ନ ଧରୁ ଭୀରୂ ।୧୦ ।

 

ନକର ଦଣ୍ଡ ବିଳମ୍ବ ଦଣ୍ଡ ହେଲେ ଅଦଣ୍ଡମୁହିଁ

ବାହୁପାଶରେ ବାନ୍ଧି ପାଶରେ ରଖି ତୋଷରେ ତୁହିଁ ।

କୁଚମନ୍ଦର ଠେଁସି ହୃଦର ନିଅ ମୋ ଦର ନାହିଁ

ନ କରତ ତହିଁ କରତ ତନୁ ନିରତ ସହି ।୧୧ ।

 

ଦୁଃଖ ସିହାଣି ବକ୍ରଚାହାଣୀ ଖଡ଼ଗେ ହାଣି ପକା

ଭାବେ ନିଉନ ନୋହେ ମୁଁ ଭିନ୍ନ ନୁହଁ ମଉନ ଏକା ।

ପରେ ପ୍ରଭାବ ଦିଅଇ ଭବ ମଧ୍ୟରେ ଭବମୋହି

ହେବ କୀରତି ନିନ୍ଦିତ ରତି ରମ୍ୟମୂରତି ସହୀ ।୧୨ ।

 

ସେବେ ଅଳପଦିନୁ କଳପ ତୁ ଯେ କଳ୍ପତରୁ

ପୂର୍ଣ୍ଣ ନ କର ବାଞ୍ଛା ନିକର ମୋର କି କରମକରୁ ।

ରବି କିରଣେ ଥିଲେ ବାରଣେ ଆହା କାରଣେ ଭାବେ

ନାହିଁ ଜଗତେ କେହି ଯୁଗତେ ତୋ ବିନୁ ଗତେ ଏବେ ।୧୩ ।

 

ରେ ପ୍ରେମକଳା କୁଟିଳ କଳା ତୋ କେଶ କଳାପର

ଯହୁଁ ରହିଲେ ନିନ୍ଦା ନୋହିଲେ ସେ ଯେ ମୋହିଲେ ସୁର ।

ମନ୍ଦ ଉଦର ହାସେ ସୁନ୍ଦର ତୋହ ଆଦରବଶେ

ମୁଁ କି ଅସାର ଏଥୁଁ ସଂସାର ସାର ଘୋଷେ ।୧୪ ।

 

ରାମାରତନେ ପ୍ରେମରତନେ ହୋଇ ଯତନେ ବିକି

ଦୁଃଖ ପାଇଲି କାହିଁ ନୋହିଲି ତ୍ୟଜ୍ୟ ହୋଇଲି ନିକି

କୃପା କୃପଣ ଏପ୍ରଭୁପଣ ଶୋଭା ପର୍ପଣ ମୁଖି

ପକାଇ ନ ଦେ ସନ୍ତାପ ନ ଦେ ପିକନିନାଦେ ସଖୀ ।୧୫ ।

 

ଊରୁବର୍ତ୍ତଳା ଡ଼ୋଳା ପିତୁଳା ମୋର କି ତୁଳା ତୋତେ

ଏହି ଭାବନା ମୁଁ ପିଣ୍ଡ ବନଜାକ୍ଷି ଜୀବନ ସତେ ।

ହେବି ମୁଁ ବାଳା ପ୍ରାୟ ଅବଳା ସ୍ନେହ ପ୍ରବଳା ଘେନ

ଛନ୍ଦ ଚରଣେ ତ୍ୟକ୍ତକରଣେ ନାହିଁ ଶରଣେ ଆନ ।୧୬ ।

 

ଜଳଦରସେ ଚାତକ ରସେସେ ନ ବରଶେ ଯେବେ

ଯାଇ ଆଶାରେ ସନୀକାସାରେ ମହାତୃଷାରେ କେବେ ।

ନପାଇ ମଧୁ ଭୁଳନ୍ତି ମଧୁକର କି ମଧୁରକୁ

ଡ଼ରେ ମୁଁ ବିଧୁ କୁମୁଦ ବିଧୁହାସୀ ତୋ ବିଧୁରକୁ ।୧୭ ।

 

ଚନ୍ଦ୍ର ଯାମିନୀ ଦେଖି ଦାମିନୀକାନ୍ତି କାମିନୀବନ୍ଧୁ

ନୋହୁ ଫୁରୁଣା କିମ୍ପା ଅରୁଣାଧରି କରୁଣାସିନ୍ଧୁ ।

କେଳିଆରାମ କି ଅଭିରାମ ଅନାରେ ରାମଦୃଶା

ଆଜ ଶୋକରେ ବଶେ ନ କର ଚକ୍ରବକାର ଦଶା ।୧୮ ।

 

ତୋ ଏ ଚରିତ ନିଶ୍ଚେ ସରିତ ସ୍ନେହବାରିତ ହୋଇ

ଚାରୁଜଘନେ ଦୁଃଖ ସଘନେ ଶକ୍ୟ ଲଙ୍ଘନେ ନାହିଁ ।

ମାନ ରଜନୀ ଅନ୍ତ ସଜନୀ ମୋ ସୁଖ ଜନ୍ମି ଭଲେ

କେ ମୋ ରକ୍ଷଣେ ନାହିଁ ଈକ୍ଷଣେ ଲୋତକ କ୍ଷଣେ ଥିଲେ ।୧୯ ।

 

ବିଚାରେଁ ଧୀରେ ରସନିଧିରେ ଅଛି ବିଧିରେ ଦୋଷ

କରେ ବାଳିକା ଗୁନ୍ଥାମାଳିକା ଚିତ୍ର ଆଳିକା ନାଶ ।

କାମ ପ୍ରବଳେ ସୁରତି ବଳେ ରଚେ ଶବଳେକ୍ଷଣି

ଦୀପପ୍ରକାରେ ଚନ୍ଦ୍ରମାକରେ ବିବାସ କରେ ପୁଣି ।୨୦ ।

 

କରେ କରଜକ୍ଷତ ଉରଜ ଚାରୁ ନୀରଜ କଢ଼େ

ମୁଁ ନ ଛାଡ଼ଇ ଓଷ୍ଠ ପୀଡ଼ଇ ଭୁଜେ ଭିଡ଼ଇ ଗାଢ଼େ ।

ତୋର ନିସତ ନ ଘନେ ସତ ଦୋଷୀ ମୁଁ ସନ୍ତତର

ମୋ କଷ୍ଟ ଗରିଷ୍ଠରେ ନାଗରି କ୍ଷମା ସାଗରି ହର ।୨୧ ।

 

ଲବ ଅନ୍ତର ବଶେ କାତର ହୋଇ ମାତର ଗୋରୀ

ନୋହେ କପଟ ଦେଖି ଲମ୍ପଟ ତୋ ରୂପପଟ ଧରି

ସପତ୍ନୀଦର ଘେନି କି ଦରକଣ୍ଠି ସାଦରତ ରୋଷେ

କିସ ଏ ଥରେ ଭାବ ତ ଥରେ ହୃଦ ପଥରେ ଦିଶେ ।୨୨ ।

 

ଏହି ବଚନ ମୃତ ରଚନା କଲେ ଶୋଚନା ଦୂର

ବକ୍ରେ ଚାହିଁଲା ମନ ମୋହିଲା ନେତ୍ରୁ ରହିଲା ନୀର ।

ବଳେ ବାହାର ହେଲା ବାହାର ହାସ ନିହାର ଭାନୁ

ଛାଡ଼ି ହୁଡ଼ିଲା କଥା ପୋଡ଼ିଲା ବୋଲି ଜଡ଼ିଲା ତନୁ ।୨୩ ।

 

ଫୁଲଶାୟକ ବଶ ନାୟକ ପ୍ରେମଦାୟକ ବାଳା

ନୋହେ କହିତ ଅଶେଷ ହିତ ଯେତେ ବିହିତ ଲୀଳା

ସେ ବିଚକ୍ଷଣ କଲେ ଯେ ପରାୟେ କ୍ଷଣଦାକୁ

ବାସ ହରିଲେ ସେ ବିହରିଲେ ବେଗେ ତରିଲେ ଦକୁଁ ।୨୪ ।

 

ତପସ୍ୟାଭଙ୍ଗୀ କୋପିତଭଙ୍ଗୀ ଖ୍ୟାତ ତ୍ରିଭଙ୍ଗୀଛନ୍ଦ

ବୁଧମୋହନ ଖଳଗହନ ନାଶେ ଦହନ ଛାନ୍ଦ ।

ହେ ରାମ ଘନଶ୍ୟାମ ସଘନ ଦୁରିତ ଘନହର

ଭଞ୍ଜ ଉପେନ୍ଦ୍ର ତାପ ଦ୍ୱିପେନ୍ଦ୍ର ହରି ନୃପେନ୍ଦ୍ର ଦର ।୨୫ ।

 

 

ଅଷ୍ଟତ୍ରିଂଶ ଛାନ୍ଦ

କେଳି ପ୍ରଶଂସା

ରାଗ-ପଞ୍ଚମ ବରାଡ଼ି ।

ଗୋପୀଜନ ବାଣୀରେ ଗାଇବ

 

ସୁରତି ଶେଷ ପୀରତି-ନିଧିକି ଆଗରେ ପତି

ବସାଇ ବସି ପଲ୍ୟଙ୍କେ ପରେ ।

ଆବେଶ ହୋଇ ସୁବେଶକରି ସାରି ସେ ଜୀବେଶ

କରକୁ ନିବେଶି ଚିବୁକରେ ।

ସେ ମନୋହର ।

ଏକେ ବସନ୍ତ ଚାନ୍ଦିନୀ ନିଶି ।

ସନ୍ଦର୍ଭ ସୁଗର୍ଭ ହାସୀଶୋଭାଗୁଣକୁ ପ୍ରଶଂସି

ରସଗର୍ଭ ବଚନକୁ ଭାଷି ସେ ।୧ ।

 

ମନ୍ଦରସ୍ତନା ସୁନ୍ଦରୀ-ପୁରନ୍ଦରୀ କୃଶାଦରୀ

ଦରିଦ୍ର ମୁଁ ତୁ ନିଧି ପ୍ରତିମା ।

ଦର୍ପକ ଦର୍ପ ବର୍ଦ୍ଧିନୀଧନୀ ଦର୍ପଣବଦନୀ

ଅଶେଷ ଅନଙ୍ଗରଙ୍ଗସୀମାରେ ।

ଜୀବେଶ୍ୱରୀ ।

ତୋତେ ଉପମା ହୋଇ ତୁହି ।

ସାରଭାଗ ତୋ ଶ୍ରୀମୁଖସେ ସିଠା ଶୀତମୟୂଖ

ତୋଷେ ଦେବଙ୍କୁ ଅମୃତ ଦେଇ ରେ ।୨ ।

 

ରାମା କଳ୍ପନା ପାଞ୍ଚିଳାରମା ଉମା ନିର୍ମାଣିଲା

ଅସ୍ତ ବଳିବାକୁ ଆଗ ବହି ।

ହେମ ପିତୁଳା ନିର୍ମାଣି ରସରେ ରସ ରସାଣି

ଭାବହାବ ଯୋଗେ ଜୀବ ଦେଇରେ ।

ଜୀବେଶ୍ୱରୀ ।

ଶୋଭା ଚାହିଁ ହୋଇଲା କାତର ।

ବାନ୍ଧୁ, ବାନ୍ଧୁ ସୁକୁନ୍ତଳହେଲା ଚିକ୍‌କଣ କୁଟିଳ

ସ୍ୱେଦ କମ୍ପ ବହିବାର କର ରେ ।୩ ।

 

ଗଣେଶ ତୋ ଲୋଭାଚାହିଁଗଣେ କରେ ମାଳା ନେଇ

କେଉଁ ଅଙ୍ଗେ କି ଉପମା ଦେବି ।

ଅଶେଷ ମୁଖ ବହିଲାଶେଷ କହି ନ ପାରିଲା

ଦେଖି ରସିକ ନାସିକା ଛବିରେ ।

ଜୀବେଶ୍ୱରୀ ।

ଗୁଣେ ଶୋଭା ଅକଥନ ତୋର ।

ଗୁରୁସ୍ତନି ରମ୍ଭାଊରୁଏହି ଶବଦ ଶ୍ରୁତିରୁ

ରମ୍ଭା କଲେ ସ୍ୱର୍ଗେ ଅଳଙ୍କାର ରେ ।୪ ।

 

ଧନ୍ୟତୋ ନୟନ ରଙ୍ଗନୀଳ ଧବଳ ସୁରଙ୍ଗ

ତିନିବର୍ଣ୍ଣ ତ୍ରିଭୁବନେ ତୋଷେ ।

ଶୁଣି ଶ୍ରୀପତି ଶଙ୍କରସବିତା କମଳାକର

ନିଉଛାଳି କରିବାର ଆଶେ ରେ ।

ଜୀବେଶ୍ୱରୀ ।

ସେ ଊତ୍ତାରୁ କରିବେ ଏ ସ୍ତୁତି ।

ସ୍ମର ଶରରେ ତୁ ଈଶଆମ୍ଭେ ତ ସୁରସ ବଶ

ପାରିଲେ ବିନାଶ କର ଯତିରେ ।୫ ।

 

ତୋ ପରା ଚାଲିବା ଇଚ୍ଛିଇନ୍ଦ୍ର ଗଜେନ୍ଦ୍ର ଚଢ଼ିଛି

ମୁନି ଶାପ ତାପ ଲୋପ ମନୁ ।

ତପ କରି କେତେ କାହିଁ କେଉଁ ଦେବତାମନାଇଁ

ମୁହିଁ ତୋତେ ଲଭିଲି ସୁତନୁ ରେ ।

ଜୀବେଶ୍ୱରୀ ।

ନରେନ୍ଦ୍ର ତୁ ବରେନ୍ଦ୍ର କୁମାରୀ ।

ଅନଙ୍ଗ ଭୁଜଙ୍ଗ ପର ବିରହ ସନ୍ତାପ ମୋର

ସ୍ପରଶେ ହରିଛୁ ଯେଣୁ କରି ଯେ ।୬ ।

 

ଅନବରତରେ ହାସ-ବଦନ ରଦନ ବାସ

ରସ ରହସ୍ୟ ସ୍ୱରୂପ ପ୍ରିୟେ ।

ନଭ ଗଙ୍ଗାଜଳ ଆଣିସୁରଙ୍ଗ ପ୍ରୀତି ବରଣି

ନିରତେ ଢାଳି ହୋଇଲା ପ୍ରାୟେ ରେ ।

ଜୀବେଶ୍ୱରୀ ।

ଚାହିଁ ମୁଁ ମଜ୍ଜନ ହୋଇ ତହିଁ ।

ବିଶେଷ କାମ କଳୁଷସହଜେ କରିଛୁ ନାଶ

ସୁଗତି ତୁ ମୋ ସୁମତିଦାୟି ରେ ।୭ ।

 

ହେଜୁଥାଇଁ ମନେ ମନତୁ ମୋ ଅମୂଲ୍ୟ ରତନ

ବୋଲନ୍ତି ଯେ ରତ୍ନ ମୂଲ୍ୟ ହୋଇ ।

ନାଶକଲୁ ଏ ସଂଶୟରମଣୀୟ ରତ୍ନମୟ

ଅର୍ଥେ ରମଣୀ ରତ୍ନ ବୋଲାଇ ରେ ।

ଜୀବେଶ୍ୱରୀ ।

ପଦ୍ମରାଗ ଓଷ୍ଠ ପାଦ ପାଣି ।

ହାସ ଦନ୍ତ ହୀରା ମୋତି ଭୂରୁ ଡୋଳା ରୋମପନ୍ତି

ଚିକୁର ଅଳକା ନୀଳମଣିରେ ।୮ ।

 

ଭଲା ବିବେକ ବିନ୍ଧାଣିକଠିନ ଗୁଣକୁ ଛାଣି

ଘଟସ୍ତନ କଲା ତୋ ଘଟନା ।

ହୃଦୟେ ପଦକ ମୋରବାନ୍ଧିବା ହେବାକୁ ତୋର

ଅବୟବ ଯାକ କଲା ସୁନାରେ ।

ଜୀବେଶ୍ୱରୀ ।

ଏଣୁ ଦିବ୍ୟଗୁଣେ ତୁ ରଞ୍ଜନ ।

ଫନ୍ଦା କରି ତୋତେ ପାଇକିଛି ମୋର ଚିନ୍ତା ନାହିଁ

ଏ ଘେନ ବୋଲାଇ ସିନା ଧନ୍ୟ ରେ ।୯ ।

 

ଛଇଳ ଭ୍ରମର ବୋଲି ବୋଲିବାକୁ ମୋତେ ବାଳି

ଛଳ ମୋ ନୋହିବ ଜଣାଉଛି ।

ଶ୍ରୀମୁଖ ଚଞ୍ଚଳ ନେତ୍ରବେନିପଦ୍ମ ବିକଶିତ

ଅଧର ବଧୁଲୀ ଚୁମ୍ୱିଛି ରେ ।

ଜୀବେଶ୍ୱରୀ ।

କାନ୍ତ କେତକୀ ଉତ୍ପଳବାସ ।

ଉରଜ ନୀରଜକୋଷପ୍ରଫୁଲ୍ଲ ମଲ୍ଲିକା ହାସ

ନୋହିଲା ମୋ କେଉଁଫୁଲେ ଆଶା ରେ ।୧୦ ।

 

ପ୍ରିୟ ତୋର ସଙ୍ଗ ନୋହୁଚମ୍ପାମାଳା ପରା ବାହୁ

ଭାବ ଲୋଡ଼େ ଗଳେ ବାନ୍ଧିବାକୁ ।

ଚନ୍ଦ୍ର ଚନ୍ଦନ ଲେପନକରୁଥାଇଁ ଅପଘନ

କିଣେ ପୀତାମ୍ୱର ପିନ୍ଧିବାକୁ ରେ ।

ଜୀବେଶ୍ୱରୀ ।

ଲଗାଇ ପଦପଲ୍ଲବେ ଶିର ।

ପ୍ରିୟା ତୋ ପ୍ରତିମାଦେଖିଲା ଦିନୁଁ ତ୍ରିଯାମା

ଦିନେ ଏହା ବ୍ୟବସାୟ ମୋର ରେ ।୧୧ ।

 

ଯାବତ ଶୋଭା ସଂଗ୍ରହପାତ୍ର ବିଗ୍ରହେ ବିଗ୍ରହ

ଲାଗିଲା ଯେଉଁ ସ୍ୱପନ ଭ୍ରମେ ।

ନିଶ୍ଚେ ସେ ସ୍ୱପ୍ନ ଦେବୀରମହାମହ ଉପକାର

ବୁଝି ନୋହିବ ସହସ୍ରେ ଜନ୍ମେରେ ।

ଜୀବେଶ୍ୱରୀ ।

କସ୍ତୁରୀ ସୁଗନ୍ଧା ସୁକୋମଳା ।

ଚତୁରୀ ଶ୍ରେଣୀରେ ମଣିବୋଲି ତୋ ଚାତୁରୀ ବାଣୀ

ପ୍ରେମ ପତ୍ରିକାରେ ଜଣାଇଲା ରେ ।୧୨ ।

 

ଘେନରେ ହରିଣଦୃଶିମାନସ ହଂସେ ନ ରସି

ହଂସର ମାନସ ସବୁ ଫନ୍ଦା ।

ଭାନୁ ଜଳଦ ଜଳଦଚାତକ ଚନ୍ଦ୍ର କୁମୁଦ

ପ୍ରୀତି ଲକ୍ଷ୍ୟ ଯାକ କଲୁ ନିନ୍ଦା ରେ ।

ଜୀବେଶ୍ୱରୀ ।

ଅଛି ପୁଣି କି ବିଚ୍ଛେଦ ତାଙ୍କର

ଦେହକୁ ନ ଛାଡ଼େ ଛାଇ ଛାଇ ଦେହ ନ ଛାଡ଼ଇ

ଧନ୍ୟ ତୋର ଅନୁରାଗ ସାରରେ ।୧୩ ।

 

ଫୁଲ ଭ୍ରମରେ ବାଞ୍ଛଇଭ୍ରମର ଫୁଲ ଇଚ୍ଛଇ

ମଧୁ ଦେହ ଫୁଲ ତୋଷ କରେ ।

ଅନୁସରଇ ଭ୍ରମରତୋର ମୋରଏ ପ୍ରକାର

ସ୍ନେହ ନ ତୁଟିବ ଜୀଇଁବାରେ ରେ ।

ଜୀବେଶ୍ୱରୀ ।

ନିଷ୍ଠାକରି ଜାଣେ ମୁଁଏକଥା ।

ମାଜିଲା ମୁକୁର ପରିନିର୍ମଳ ତୋହୃଦ ଗୋରୀ

ପ୍ରତିବିମ୍ବେ ମୋର ହୃଦ ବ୍ୟଥାରେ ।୧୪ ।

 

ଦାନଶ୍ରେଷ୍ଠ ଭାବବତୀଦର୍ଶନେ ହେବ ସମ୍ପତ୍ତି

ଲୋଚନ ଯୁଗକୁ ଯାଚି ଦେଉ ।

ସମ୍ପୂର୍ଣ୍ଣ ପ୍ରେମ ରତନ ସଂପୁଟକ ପ୍ରାଣଧନ

ଭାବଭୋଳ କରେ ଦେଇ ଯାଉ ରେ ।

ଜୀବେଶ୍ୱରୀ ।

ପଚାରୁଛି କହିବୁଟି ସତ ।

ଶିରୀଷ କୁସୁମ ଦେହୀକାହିଁ ପାଇଁ କରୁ ନାହିଁ

ମାଗିଲା ବେଳକୁ ବିପରୀତରେ ।୧୫ ।

 

ମଧ୍ୟ ତୃଣାଙ୍କୁରଠାରୁସରୁ ଭାଜିବାକୁ ଡରୁ

କିବା ଭୀରୁ ଏ ନୋହଇ କିଛି ।

ବହେ କୁଚ ମେରୁଭାରକେଶରୀ ପ୍ରଶଂସା ତାର

କୁଳିଶ ହୋଇ ପ୍ରଶଂସା ଅଛିରେ ।

ଜୀବେଶ୍ୱରୀ ।

ହେଜିପାରି ନାହୁଁ ଭାବଭୋଳେ ।

ମୁକୁର ବିତାନେ ରତିଉଲଟ ଦେଖି ଯୁବତୀ

ବେଳେ ବଞ୍ଚିଛୁ ମୋ ପୁଣ୍ୟଫଳେ ରେ ।୧୬ ।

 

କହିବାକୁ ଅଗୋଚରସେ ଶୋଭା ପୁଣି ତୋହର

ଉଲଗ୍ନ ସୁଲଗ୍ନେ ହୋଇଥିଲା ।

ଉଚ୍ଚେ ଉଶନା ଉଦିତମୋ ସୁଖରାଶିରେ ମିତ

ନାସାମଣି ଯାହା ଝଲକିଲା ରେ ।

ଜୀବେଶ୍ୱରୀ ।

ଇନ୍ଦ୍ରପଦ ପଦତଳେ ଦେଲା ।

କାମଚକ୍ରବର୍ତ୍ତୀ ପଣେଅଧିକାରୀ ଯୁବାଗଣେ

ତାକୁ ଈଷିତରେ ଜଣାଇଲା ରେ ।୧୭ ।

 

ସବୁ ବଡ଼ପଣ ପ୍ରାଣ-ବନ୍ଧୁ ଘେନି ମୋର ଜାଣ

କହୁଥିଲେ ଯଉଁ ଚନ୍ଦ୍ରବାତ ।

ସେ ତୋହାର ସଙ୍ଗମାତ୍ରେ ସୁଖଦ ହେଲେ ରତାନ୍ତେ

ବହୁତ ରୂପେ ହରିଲେ ଶାନ୍ତିରେ ।

ଜୀବେଶ୍ୱରୀ ।

ତୋ ବଡ଼ିମା ଅଖିଳରେ ସାର ।

ଝଲକ ଭଲ୍ଲ ପ୍ରକାରଯଉଁ ଭୃଙ୍ଗ ପିକସ୍ୱର

ସେହି ଏବେ ଶୁଭିଲା ମଧୁର ରେ ।୧୮ ।

 

ଏରୂପେ ଚାଟୂ ପ୍ରକାଶିବଲ୍ଲଭ ବଲ୍ଲଭୀ ତୋଷି

ଅନୁଗ୍ରହ ଚୁମ୍ୱ ଆଲିଙ୍ଗନେ ।

ଲଭି ହେଲା ହରଷିତନିୟମ କଲା ଏମନ୍ତ

ରସବତୀ ନ କରିବୁ ମାନ ରେ ।

ଜୀବେଶ୍ୱରୀ ।

ପରବାସ ନ କରିବି କେବେ ।

କଲା ଏମନ୍ତ ସମ୍ମତଶଙ୍କା ହୋଇଗଲା ହିତ

ମାତିଲା ବିଳାସ ମହୋତ୍ସବ ରେ ।୧୯ ।

 

ମିଥିଳା ନବ ସଙ୍ଗମକାଳେ ଯେ କଲେ ନିୟମ

ଏକପତି ଏକପତ୍ନୀ ବତ୍ର ।

ଜଗତେ ସେହୁ ଦମ୍ପତିସାଧୁଙ୍କ ସୁଖ ସମ୍ପତ୍ତି

ମଧୁର ଆକୃତି ଆଲୋକିତ ସେ ।

ତାଙ୍କ ପାଦ ।

ମହାବିପଦକୁ ନାଶକରେ ।

ଚିତ୍ତେ ଚିନ୍ତି ଉପଇନ୍ଦ୍ରଭଞ୍ଜ ପରମ ଆନନ୍ଦ

କହେ ରସିକ ଜନଙ୍କ ହିତ ହେ ।୨୦ ।

 

ଊନଚତ୍ୱାରିଂଶ ଛାନ୍ଦ

ଦେବଶାପବଳେ ଚଣ୍ଡୀ ଦ୍ୱାରା

ସ୍ତ୍ରୀ ପୁରୁଷର ବିଚ୍ଛେଦ ବର୍ଣ୍ଣନ

 

(ରାଗ- ମୁଖାବରୀ । ଆଷାଢ଼ ଶୁକ୍ଳବାଣୀରେ

ମତାନ୍ତରେ ରାଗ- ଚିନ୍ତାମୁଖାରୀ । ଛାନ୍ଦ ଚଉତିଶାବାଣୀ )

 

ଏଥୁଅନ୍ତନରେସାଧୁଜନେ ଶୁଣ ।

ଦୁଷ୍ଟ ପୁଲୋମ କାଳକେୟ ଗଣ ।

ମେଳ ହୋଇ ସେ ସଂସପ୍ତକ ସଙ୍ଗ ।

ନାଶକରନ୍ତି ଋଷିବୃନ୍ଦ ଯାଗ ।

ରକ୍ଷା ଚନ୍ଦ୍ରଭାନୁ ।

ଏହି ଶବଦ ଶୁଭିଲା ଗଗନୁ ।୧ ।

 

ସର୍ବଜ୍ଞ ସହଜେ ମୁନି କଳାପା

ଯୋଗବଳେ ଜାଣି ଦେବଙ୍କ ଶାପ ।

ନିଶ୍ୱାସିକା ଚଣ୍ଡୀସୁନ୍ଧୁ ଦେଶରେ ।

ଥିଲା ମିଳିଲେ ରାତ୍ରେ ତା ପାଖରେ ।

ମନାଇଁ ତାହାକୁ ।

ପୋଷିଲେ ଚନ୍ଦ୍ରଭାନୁ ହାରିବାକୁ ।୨ ।

 

ମଧୁର ମାଧବେ ମନ ଉଲ୍ଲାସେ ।

ମାନସ ବଳାଇ ବନବିଳାସେ ।

ରସେ ଦୟବନେ କାବେରୀକୂଳେ ।

କୁମାର କୁମାରୀ କ୍ରୀଡ଼ନ୍ତି ଭୋଳେ ।

ଦେଖଇ ସେ ଶୋଭା ।

ସୁମନ ମନ କରୁଅଛି ଲୋଭା ।୩ ।

 

କଳକଣ୍ଠ କାଳକଣ୍ଠ ବିହରି ।

ଭ୍ରମରେ ହୋଇଛି ମହାମାଧୁରୀ ।

ବହୁଛି ସାରସଗନ୍ଧ ସମୀର ।

ସ୍ୱାଦୁରେ ସଘନ ଅମୃତ କର ।

ଯୋଗୀମନ ମୋହି ।

କାମଶରାଳିରେ ଛନ୍ନ କରାଇ ।୪ ।

 

କାନ୍ତ କାନ୍ତା ତହିଁ ବିହାର କରେ ।

କୁଞ୍ଜକୁଟୀରେ ଅମ୍ୱୁଜକୁଟୀରେ ।

ଅନୁସରି ଅନୁସରି ଉଚିତ ଚୁଆ

ଚନ୍ଦନେ ପିଚିକା ରୁଚିତ ।

ସୁମନ ମଣ୍ଡପ ।

ବିନା ଅଳଙ୍କାର ଯହିଁ ସୁମନ ।୫ ।

 

କ୍ଷଣେ ଭିନ୍ନ ନୋହିପ୍ରିୟ କିଶୋରୀ ।

ବଡ଼ଭୀ ବିଳାସ ପାସୋରି ।

ପ୍ରବାଳ ନାବରେ ଭାବରେ ବସି ।

ପରିବାଦିନୀ ବାଦନ ପ୍ରକାଶି ।

ବୋଲଇ କୁମର ।

କେଳି ପ୍ରବୀଣ ତୁ ବୀଣା ମୋହର ।୬ ।

 

ଅଶେଷ ଭାବ କରିବାରୁ ଜାତ ।

କେ ସରି ଅଛି ରଞ୍ଜିବାକୁ ଚିତ୍ତ ।

ଏଣୁ କରି ସାରଗୁଣା ମଞ୍ଜୁଳା ।

ସ୍ୱର୍ଣ୍ଣକକ୍ଷ ତୁମ୍ବୀ ବହିଛୁ ବାଳା ।

ହେଉଛି ମୋ ମନ ।

ଶୁଣିବା ଥରେ ହେଲେ ଗୀତ ଗାନ ।୭ ।

 

ଚତୁରୀ ସ୍ନେହଚାତୁରୀ ବଢ଼ାଇ ।

ଦଣ୍ଡେ ଛାଡ଼ିଦେଇ ଶୁକ ପଢ଼ାଇ ।

ବନପ୍ରିୟ ଭଳି ମୁନି ବିଭୂତି ।

ସପତ ସ୍ୱର ବିସୋରି ଦିଅନ୍ତି ।

ତା ରସିକ ଜାଣି ।

ସ୍ନେହଭରେ ଉରେ ଲଗାଇ ଆଣି ।୮ ।

 

କୋଳେ ବସାଇବା ବେଳେ ନାଗର ।

ହୃଦରୁ ତରଳ କରଇ ଦୂର ।

ଜାଣି ହସିଲା ହୋଇଲା ନାଗରୀ ।

ମଧୁରେ ଭାଷଇ ଚିବୁକ ଧରି ।

ମାଡ଼ୁଥାଇ ଡ଼ର ।

ଚିତ୍ର ଚାହିଁ ଦିନୁଁ ହେଲା କାତର ।୯ ।

 

ଗୁରୁତର ପ୍ରୀତି ଦେଖିଲେ ଦେବୀ ।

ଅଙ୍ଗନାର ଅଙ୍ଗେ ଅନାଇ ଭାବି ।

ଫୁଲରୁ ଫୁଚଲ ଋତନୁ ରତନ ।

ଫଳୁଁ ଫଳ ଜାତ ଅତି ଯତନ ।

ପ୍ରକାଶରେ ହାସ ।

ଯହିଁ ମନ ସେହି ପରା ଦୃଶ ।୧୦ ।

 

ଚାରି ସୁମନ ସୁକାନ୍ତି ଏ ବହି ।

ସ୍ତ୍ରୀରି ମାନଙ୍କର ଅମୂଲ୍ୟ ଏହି ।

ତିନି ପକ୍ଷୀରେ ଗାତ୍ର ଘଟିତ ।

ତନୁ ଏ ନିନ୍ଦୁଥିବ ବେନିପତ୍ର ।

ଆଉ କଳେବର ।

ବିଧାନ ହୋଇଛି ପଞ୍ଚ ଫଳରେ ।୧୧ ।

 

ଚିତ୍ତେ ଚିନ୍ତାଭର ଶ୍ୱାସ ଯୋଗିନୀ ।

ଲବେ ଅନ୍ତର ତ ନୁହନ୍ତି ବେନି ।

କି କରି ହରିବି କୁମାରବର ।

ଶାପକି ବ୍ୟର୍ଥ ହେବ ଦେବଙ୍କର ।

ବିଚାରି ମରାଳୀ ।

ହୋଇ କରୁଥାଏ ସେ ବେନି କେଳି ।୧୨ ।

 

ଏମନ୍ତେ ତହିଁ କୁସୁମ ସମୟେ ।

ବାଳା କୁସୁମ ସମୟ ଉଦୟେ ।

ଚାରି ମିତ୍ରଙ୍କ କୁମର ଡ଼କାଇ ।

ଚାରି ସଜନୀଙ୍କି ନୃପଜା ନେଇ ।

ଭିନ୍ନ ଭିନ୍ନ ହୋଇ ।

ଦିନରେ କେଳି ବିରଚିଲେ ସେହି ।୧୩ ।

 

ଏକାଳେ ବହି ପ୍ରଚଣ୍ଡ ପବନ ।

ରଜେ ବୁଜି ହୋଇଗଲେ ନୟନ ।

ମିତ୍ର ସହ କୁମାରକୁହରିଲା ।

ଇଳାବୃତ୍ତ ଖଣ୍ଡ ବନେ ରଖିଲା

ନିବପର୍ତ୍ତିଲା ବାତା । ସୁନ୍ଦରୀ

ଜାଣିଲା ଅନ୍ତର କାନ୍ତ ।୧୪ ।

 

ମନେକଲା ସେ ଅମର ପୁରୁଷ ।

ମେଳ କରିଥିଲା ମୋ ଭାଗ୍ୟବଶ ।

ଅପସରୀ ରସରଙ୍ଗ ଚିତ୍ତୋଇ ।

ମୋହ ପାଶରୁ କି ଅପସରି ଯାଇ ।

ମୁଁ ଅଭାଗ୍ୟବନ୍ତ ।

ଖଣ୍ଡ ତପଫଳ କଲା ଏମନ୍ତ ।୧୫ ।

 

ଯାହାକୁ କରିଥାଇ ପ୍ରାଣ ସରି ।

ତାକୁ ନିକି ଏଡ଼େ ନିରାଶ କରି ।

ଦାସୀ କରି ହେଲେ ରଖିଲ ନାହିଁ ।

ଭ୍ରମର ପ୍ରୀତି କେତେକାଳ ଥାଇ ।

କି ସେନେହ କଲ ।

ଛାଡ଼ିଲ ପରା କରି ଛଡ଼ାଫୁଲ ।୧୬ ।

 

ଏଡ଼େ କପଟକୁ ନୁହଇ ଭଳି ।

ଅନ୍ତର ହେବାକୁ କି ଦୋଷ କଲି ।

ତନୁ ପୁଲକ ନ ସହିଲା ଜନେ ।

ଏ ହଟ କରିଛ କି ଘେନି ମନେ ।

ମୁଁ ଆରମ୍ଭିମାନ ।

ଘେନିବି ନାହିଁଟି ଚାଟୂ ବଚନ ।୧୭ ।

 

ଏମନ୍ତ ଭାଷି ଲୁଚିଥିବେ ବୋଲି ।

ଖୋଜିଲେ ସେକାଳେ କାନନ ବୁଲି ।

କାହିଁ ନ ପାଇଲା ତରୁଣ ଈଶ ।

ବେଳୁ ବେଳ ଉଡ଼ିଗଲା ସାହସ ।

ସେ ଜ୍ୟୋତିଷ ବାଳୀ ।

ଶକୁନେ ଜାଣିଲା ବିଚ୍ଛେଦ ବୋଲି ।୧୮ ।

 

କର୍ଣ୍ଣାଟ ଜନକ ଜନକ ତାର ।

ଶୁଣି ଏ ଗୋଳ ହୋଇଲେ କାତର ।

ଇଷ୍ଟ ଦେବୀକୁ ଉଭା କରାଇଲା ।

ବିବୁଧ ଶାପୁଁ ବିଚ୍ଛେଦ ଜାଣିଲେ ।

ପୁରୋହିତ ସୁତା ।

ବଦନୁ ଜାଣିଲା ନବବନିତ ।୧୯ ।

 

ସେହିଠାରୁ ସେ ଶୋଭା କୁବଳୟ ।

ଏକା ରଖିଲା କରର ବଳୟ ।

ନୀର ନିଳୟ ନେତ୍ର କୁବଳୟ ।

କରି କୁମାର ଠାରେ କଲା ଲୟ ।

ତା ଗୁଣ କଳାପ ।

ମୃଣାଳ ନାଳ ମାଳେ କରେ ଯେ ।୨୦ ।

 

ତେଣେ ମାୟା ଦୂର କୁମର ଚାହିଁ ।

ଶୋଭା ମନ୍ଦିର ମଦିରାକ୍ଷୀ ନାହିଁ ।

ନିଜ ଆରାମ ଅଭିରାମ ପରି ।

ସେ ସ୍ଥାନ ବନ ହୋଇଛି ମାଧୁରୀ ।

ବୋଲଇ ରେ ଧନ ।

କାହିଁ ଲୁଚିଅଛୁ ଦେଖା ବଦନ ।୨୧ ।

 

କାହିଁକି ଦାସରେ ଏଡ଼େ କପଟ ।

କପଟ ଭିତରେ ଯାଉଛୁ ଘଟ ।

ଘଟ ଆଉ କେତେ ଦିନ ରହିବ ।

ଜୀବ ଯେବେ ଭିନ୍ନ କଲା ଦଇବ ।

ବୁଡ଼ିଲା ଚେତନା ।

ଭୋଗ ନ କରନ୍ତିଟିକି ବେଦନା ।୨୨ ।

 

ଭୋଗକରୁଥାଇ ଯୋଗରେ ମୁହିଁ ।

ଯୋଗରେ ଶିବ ଯୋଗାରେ ମନାଇଁ ।

ଯାହା ହେଲା ତାର ମୋର ବିଚ୍ଛେଦ ।

ନୋହିଲା କାହିଁ ପାଇଁ ଶିରଚ୍ଛେଦ

ଯୁବାଙ୍କୁ ଯୁବତୀ ।

ବିଚ୍ଛେଦରୁ ଆଉ ନାହିଁ ବିପତ୍ତି ।୨୩ ।

 

କାନ୍ତ ବୋଲିବାକୁ ପାଇଲେ ଲାଜ ।

ଦାସ ହୁଅନ୍ତିସ କିମ୍ପା କଲୁ ତ୍ୟଜ୍ୟ ।

ନାହିଁ ତୋର ମୋ ତିଳକ ଅନ୍ତର ।

ତରୁଣୀ ତିଳକ ତିଳକ ମୋର ।

ଘେନରେ ବନିତା ।

ମୁଁ ତୋର ପୟର ଅଳତା ଲତା ।୨୪ ।

 

ମଞ୍ଜିଷ୍ଠା ରଙ୍ଗ କି ଝୀନ ବସନୁ ।

ଧୋଇ ଦେଲେ ଛାଡ଼ିଯାଏ ସୁତନୁ ।

ସେହି ପରକାରେ ପଙ୍କଜ ମୁହିଁ ।

ଛାଡ଼ିଲେ ତୁ ତ ମୁଁ ଛାଡ଼ିବି ନାହିଁ ।

ମୋ ସବୁ ଭରସା ।

ରସ ମଧ୍ୟରେ ଏକ ରସାଳସା ।୨୫ ।

 

ପୁଣି ଭ୍ରମେ ଭ୍ରମେ ବିପିନ ସ୍ଥଳେ ।

ଯେଉଁ ପାଦପରେ ପଲ୍ଲବ ବଳେ ।

ଝିଙ୍କାରୀ ଝିଙ୍କର ଶୁଣଇ ଯହିଁ ।

ମନେକରେ ବାଳାମଣି ଆସଇ ।

ଲୁଚିଥିଲା କାହିଁ ।

ମୋହର ମାନସ ବୁଝିବା ପାଇଁ ।୨୬ ।

 

ଯେଉଁ ଲତାପରେ ଭାଷନ୍ତି ପିକେ ।

ପ୍ରତେ ପରାଣବନ୍ଧୁ ପରା ଡ଼ାକେ ।

ନିକଟକୁ ଯାଇଁ ରମଣମଣି ।

ଲତା କୋଳକରି ଧରଇପୁଣି ।

ପୁନଃ ପୁନଃ ଚୁମ୍ୱେ ।

ହସ ଓଠ ଛବି ପୁଷ୍ପ ପଲ୍ଲବେ ।୨୭ ।

 

ଛାଡ଼ି ଦେଇଣ ଉଡ଼ିଗଲେ ପିକ ।

ପ୍ରିୟାକୁ ସୁମରି କରଇ ଶୋକ ।

ପୁଲକାଇ ଦେଉଥାଇ ଶରୀର ।

ତାହାରି ଭାବେ ହୋଇ ଜର ଜର

ଫୁଲମାଳା କରି ।

ତମାଳେ ମଣ୍ଡଇ କେଶ ବିଚାରି ।୨୮ ।

 

ନାରୀକେଳ ଫଳ ନାରୀ ଉରଜ ।

ସମାନୋଜ ଦେଖାଇ କରଜ

ଆଲିଙ୍ଗନେ ତୁହିଁ ବିଲଗ୍ନ କରୁ ।

ଏବେ ଧନ ଭିନ୍ନ ତୋର ଯୋଗରୁ

କରଗତ ହେଲେ ।

ଏଥର ଏ ଦଣ୍ଡ ପାଇବୁ ଭଲେ ।୨୯ ।

 

କହଇ ବୃକ୍ଷଙ୍କୁ ଅଛୁ ପାବନୀ ।

ଜାମ୍ୱବ ଡ଼ାଳିମ୍ୱ କୁନ୍ଦକୁ ଘେନି ।

ପୁଣି ପନସ କଞ୍ଚନ ଚନ୍ଦନ ।

ଏହି ହୋଇଛନ୍ତି ମହା ରଞ୍ଜନ ।

ଦିଅ ମୋ ବନିତା ।

ଶ୍ରୀରାମଙ୍କୁ ଦେଲେ ହଜିଲା ସୀତା ।୩୦ ।

 

ଯେଣୁ ସାଧୁ ନାମ ସ୍ମରଣ କଲା ।

ଶୂନ୍ୟେ ବଲ୍ଲକୀ ଶବଦ ଶୁଭିଲା ।

ଯୁବରାଜନ ମନରେ ନ ଭାଳ ।

ବାଳା ଲଭିବ କାରୁଣ୍ୟ ସମ୍ଭାଳ ।

ଅମର ଶାପରେ ।

ହେବ ବିଚ୍ଛେଦ ମାତ୍ର ସମ୍ୱତ୍ସରେ ।୩୧ ।

 

ନାରଦ ମୁଖ ଗଲା ଦିଶି ଦିଶି ।

ହେତୁ ପ୍ରସାରିଲା ସେଠାରେ ବସି ।

ଜାଣିଲା ନୁହଇ ନିଜ ଭବନ ।

କାବେରୀ ତଟ ରସୋଦୟ ବନ ।

ଦିଶେ ମେରୁଗିରି ।

ମହୀମହିଳା ଉଚ୍ଚସ୍ତନ ପରି ।୩୨ ।

 

ଅର୍ଦ୍ଧଭାଗରେ ଚନ୍ଦ୍ର ସୂର୍ଯ୍ୟ ଗତି ।

ରତନ ଶୃଙ୍ଗମାନ ଜଳୁଛନ୍ତି ।

ମନେକଲା ଏ ଇଳାବୃତ୍ତଖଣ୍ଡ ।

କନକଧୂଳି ମଣିଶିଳ ଗୁଣ୍ଡ ।

ଭ୍ରମି ତା ଦେଖଇ ।

ଚାରିମିତ୍ର ସଙ୍ଗେ ବ୍ୟାକୁଳହୋଇ ।୩୩ ।

 

ଦେଖିଲେ ତାକୁ ଗନ୍ଧର୍ବ କିନ୍ନରେ ।

ଏମନ୍ତ ଆଶଙ୍କା କଲେ ମନରେ ।

ଦେଖିବେ ଯେବେ ଏ ଫୁସମାଧୁରୀ ।

ଭ୍ରଷ୍ଟା ହୋଇବେ ଆମ୍ଭ ମନୋହରୀ

ଡାକି ତାକୁ ନେଲେ ।

ଅମୂଲ୍ୟମଣି ଗୁହାରେ ଥୋଇଲେ ।୩୪ ।

 

ସ୍ତିରୀ ପୁରୁଷ ଅନୁରାଗ ତୁଳା ।

ହେବା ପାତ୍ର ବିହିତ ବିଚ୍ଛେଦ କଲା ।

ବେଦ-ଜଡ଼ ହେଲେ ରସିକପଣ ।

ବଡ଼ ହୋଇଅଛି ସୁଜନେ ଜାଣ ।

ଏ ବିଚିତ୍ର ଛାନ୍ଦ ।

କହିଲା ରାମ ଉପଇନ୍ଦ୍ର ।୩୫ ।

 

ଚତ୍ୱାରିଂଶ ଛାନ୍ଦ

ବିରହେ ଗ୍ରୀଷ୍ମଋତୁ ବର୍ଣ୍ଣନ

(ରାଗ- ବଙ୍ଗଳାଶ୍ରୀ)

 

ଗ୍ରୀଷମ ସମୟ ପ୍ରବେଶ ହୋଇଲା ନବୀନା ଦୂତୀ ପ୍ରକାର ।

ପତି ସଙ୍ଗତେ ଶୁଆଇ ଚନ୍ଦ୍ରକରେ ଲାଜ କରାଇଲା ଦୂର ।

ବିରହିଚିତା ପରାୟ ଦିଶେ ଦିଶେ ଦିଶିଲେ ବନ ଅନଳ ।

ରଜ ନିକର ପବନ ବହି ଦେବଦୀପକୁ କଲା ଆକୁଳ ।୧ ।

 

ସରିତ ହୋଇଲେ ଜରତୀ ପରାୟ ଘନରସ ବିହୀନରେ ।

ରସିକ ରସାଧବ ପ୍ରାୟ ସରସୀ ମହିଷୀ ଆଲିଙ୍ଗନରେ ।

ମୃଗ ପ୍ରକଟ ରସନା କଲେ ବିପରୀତ ରତା ପ୍ରାୟ ହୋଇ ।

ପତ୍ରାବଳୀ ହୀନେ ରତାନ୍ତ ନାୟିକା ସମାନ ତରୁ ଏ ବହି ।୨ ।

 

ଜନେ ଚନ୍ଦ୍ରମାରେ ରାଜିତ ହୋଇଲେ ଚାନ୍ଦିନୀ ନିଶା ଯେମନ୍ତ ।

ତୁଳାରାଶିରେ ଯୁକ୍ତ ହେଲେ ଶାଳ୍ମଳୀ ମୃଗ ମଳି ସମବ୍ରତ ।

କରେ ତାପିତ କଲେ ରବି ମଣ୍ଡଳ ପ୍ରତାପୀ ରାଜା ଯେସନ ।

ଭୁଜଙ୍ଗ ପକ୍ଷ ଛାଇରେ ରଖି ଶିଖୀ କୁଳଟାନାରୀ ସମାନ ।୩ ।

 

କାମ ଚଳାଇଲା ସରଣୀ ଝାମରେ ନାଗରୀ ଦୋଷୀ ବିଦେଶୀ ।

ନବୋଢ଼ା ଗାଢ଼ ସୁରତି କାଳ ପ୍ରାୟ ଭୃଙ୍ଗ ମଲ୍ଲୀ ଭାଷି ।

ଧୀବର ରମା କଳେବର ପରାୟ ଗନ୍ଧେ ସିନ୍ଧୁବାର ଫୁଲ ।

ଝିଙ୍କାରି ଝଙ୍କାର ଝୁଣ୍ଟିଆ ଶବଦେ ବିପନ ନର୍ତ୍ତକୀ ତୁଲ ।୪ ।

 

ଏତେ ପ୍ରଭଞ୍ଜନ ରଞ୍ଜନ ହୋଇଲା ଜୀବନ ଭିତରେ ପଶି

ବିନାଶିଲେ ଭାନୁ ସନ୍ତାପକୁ ଶଶୀ ଦିବସ ତାପକୁ ନିଶି ।

ଶ୍ଲେଷ୍ମ ଆଶ୍ରିତ ଗାୟକ ସ୍ୱର ପ୍ରାୟ ଶୁଭିଲା କୋକିଳ ନାଦ ।

ଏ ଋତୁ ଚାହିଁ ଚନ୍ଦ୍ରଭାନୁ ବିଚାର ଲଭି ବଲ୍ଲଭୀ ବିଚ୍ଛେଦ ।୫ ।

 

ପରେ ପରେ ଆଣି ପରତେ କରାଇ ବିଧାତା ବିଧାନ ଦେଖ ।

ପୀରତି ହୋଇ କଥାଏ ଉପୁଜଇ ପରଶ ପରମ ସୁଖ ।

ପ୍ରାଣରୁ ଅଧିକ ଯେଉଁ ଘେନା ଘେନି ତାହା ଯାହା କରେ ଭିନ୍ନ ।

ପବି ପତନ ଶିରେ ଚିନ୍ତା ନ ରେ ଜାଣିଲି ଅତି ପିଶୁନ ।୬ ।

 

ମନ ଜାଣିବାକୁ ପ୍ରିୟା ସମ ଜଣେ ଖୋଜିଲେ ନ ଥିବ କାହିଁ ।

ମୋ ମନ ଘେନୁଛି ପ୍ରୀତି ଘେନିବାକୁ ତାହାରି ସମାନ ସେହି ।

ତାହା ପ୍ରତିବିମ୍ୱ ସୁନ୍ଦରପଣକୁ ତାକୁ ପ୍ରତିତୁଲ୍ୟ ଅଛି       

ଏମନ୍ତ ପଦାର୍ଥ ପାଇ ହରାଇଲେ ପଶୁ କି ପାରିବ ମୂର୍ଚ୍ଛି ।୭ ।

 

ଜାଣି ନ ଥିଲାକୁ ଏ ରସ ଏମନ୍ତ ସ୍ମରକୁ ଦହିଲେ ହର ।

ଜାଣିଲା ଦିନରୁ ଯୁବତୀକି କଲେ ଅର୍ଦ୍ଧ ଅଙ୍ଗେ ଅଙ୍ଗୀକାର ।

ଆଜନ୍ମ ବ୍ରହ୍ମଚାରୀ ପଣେ ତେ ବଡ଼ ବୁଝି ଋଷ୍ୟଶୃଙ୍ଗ ଠାରୁ ।

ନିଜ ଦୀକ୍ଷ ଛାଡ଼ି ଶିକ୍ଷା କଲେ ରସ ରୂପାଜୀବା କରି ଗୁରୁ ।୮ ।

 

ସୁଧା ସ୍ୱାଦୁ ପାଇ ଶିରଚ୍ଛେଦ ରାହୁ ନ ଛାଡ଼ିଲା କଦାଚିତ ।

ପ୍ରୀତି ଏମନ୍ତ ଚନ୍ଦ୍ରମଣି ପାଷାଣ ଚନ୍ଦ୍ର ଚାହିଁ ଦ୍ରବୀଭୂତ ।

ପ୍ରୀତି ଅନ୍ତର ଯେମନ୍ତ ହୋଇ କଷ୍ଠ ହେଲେ ଫାଟିଯାନ୍ତା ସତେ ।

କାହିଁ ଘଟନା ହୋଇଛି ଘଟ ମୋର ଗୋଚର ନୋହିଲା ମୋତେ ।୯ ।

 

ଏହା ସୁମରିବାଠାରୁ ମରିବାର ଭଲ ଘେନୁଅଛି ମନେ ।

ଆଜଯାଏ ଆଜମନ ସୁଖୀ ଦୁଃଖ ଦେଖି ନ ଥିଲା ସ୍ୱପନେ ।

ନୀରଜେ କଢ଼ ଉରଜରେ କରଜ କ୍ଷତ କଲେ ବୋଲେ ଇଷି ।

ବିଷମବିଶିଖ ବିଶିଖକୁ ଲାଖ ସେ ହୋଇଲା ଏବେ ଆସି ।୧୦ ।

 

ମୋ ଭାବ ଭାବନା କରି କରୀଗତି ନୀର ନିରତରେ ବହି ।

ମୃଗ ଖଞ୍ଜନ ଗଞ୍ଜନ ଆଖିରେ ତା ଅଞ୍ଜନ ରଖିବ ନାହିଁ ।

ଲୁଚି ହୋଇଯାଏ ନିଉଛାଉ ଯେଉଁ ବଦନକୁ ଇନ୍ଦୁ ।

କରୀବର କର ପତନ କମଳ ମଳିନ ବହିବ ବନ୍ଧୁ ।୧୧ ।

 

ହୃଦ ବିନୁ ନିଦ କୁମୁଦହାସୀକି ପଲ୍ୟଙ୍କେ ଆସଇ ନାହିଁ ।

ଚଞ୍ଚଳ ଅଞ୍ଚଳେ ମହୀରେ ମହିଳା ପଲକେ ଶୋଇବ କେହି ।

ଘଡ଼ି ଘଡ଼ିକରେ ନାଡ଼ି ଛାଡ଼ି ଯାଇ ହେଉଥିବ ପରା ମୋହ ।

ବିରହେ ତପତ ହୋଇଥିବ ନବ-ସପତ-ବୟସୀ ଦେହ ।୧୨ ।

 

କିଶୋରୀ ତିଳକ ପାଶୋରୀ ଦେବନି ତିଳକ ରଚନା ବିତ୍ତୁଁ ।

ତିଳକ ଯୁଗ ପରାୟ ନ ସରିବ ଯୁଗଳ ନୋହିବା ହେତୁ ।

ରତି ସଦୃଶା ସୁଦୃଶାକୁ ଦଶା ଦେଲା ଦାରୁଣ ଦଇବ ।

ଚିତ୍ତେ ପରତେ ନ ଥିଲା ମୋର ସହୀ ଅନ୍ତର ସତେ ବୋଇବ ।୧୩ ।

 

ଦିନକ ଦିନକ କନକ ଅଙ୍ଗୀର ଅନେକ ଭାବକୁ ଧ୍ୟାୟି ।

ଜୀବ ଥିବାଯାକ ଜୀବିକା କରି ମୁଁ ବୁଲୁଥିବି ଯୋଗୀ ହୋଇ ।

ଚାରୁଶୀଳା ନାମ ଉଚ୍ଛାରୁଁ ଉଚ୍ଚାରୁଁ ମାରୁ ଏକା ମୋତେ ମାର ।

ରସିକ ସଂସାର ସଧ୍ୟରେ ପ୍ରଶଂସା ସାର ହୋଇ ରହୁ ମୋର ।୧୪ ।

 

ରସଲତା ପାଦେ ଅଳତା ରଞ୍ଜିବା ପାଇଁ ପଢ଼ାଇଲେ କର ।

ବଧୁଲୀ ଅଧରୀ ଧରିଣ ବୋଲଇ କୁସୁମେ କବରୀ କର ।

ବେଣୀଟି ବୋଲି କହିବାକୁ ଜାଣି ତା ନୋହିବ କାହିଁକି କହି ।

ଅସନମତ ସନମତ ସେ ମତ୍ତକାଶିନୀ ଭାଷାରେ ଥାଇ ।୧୫ ।

 

ଧର ପାନ ବୋଲି ଯାଚିଲା ବେଳକୁ ମାଗିଲେ ଅପୂର୍ବ କରି ।

ଏହି କଥା ନିକି ଜୀବିକା ହେଲା କି ରସିକାବର ଉଚ୍ଛାରି ।

ଅବଳା ବଳା ଫାଟିଗଲା ଖଞ୍ଜି ମୁଁ ରଞ୍ଜିବା ବିଚାରଁ ମନ ।

ଆନନ କମ୍ପାଇ ଆନ କଥା ନାହିଁଚବୋଲି ଯେ ପକାଇ ଆନ ।୧୬ ।

 

ମଦାଳସା ଓଷ୍ଠ ଗୋଜି କରୁଥାଇ ଲାଳସୀ ହୋଇ ।

ପିକବାଣୀ ପାନପିକ ପକାଇବା ବ୍ୟାଜରେ ଲାଜେ ବଞ୍ଚାଇ ।

ଧନକୁ ସମ ମନକୁ ଆଣିମାକୁ ନୋହିବେ ସର୍ବଜ୍ଞମାନେ ।

କସ୍ତୁରୀ ଗୋଳୁଁ ମୁଁ ଚତୁରୀ ସ୍ତନକୁ ଚୋଳେ ଆଚ୍ଛାଦିଲା ଦିନେ ।୧୭ ।

 

ଘେନି ରସାଳ ରସାବଳୀ ଭାଷିଲା ଚିତ୍ର କରି ଦିଅ କି ନା ।

ବୋଇଲି ଆନ ନ ଜଣାଇଁ ନାରୀ ମୁଁ ନାରିକେଳ ଚିତ୍ର ବିନା ।

ଜାଣିଛି ବୋଲି ଆଣିଛି କି ଭଙ୍ଗୀକି ଅଳପ ହସିଲା ହୋଇ ।

ଯେଣେ ଅନାଇଲେ ତେଣେ ନ ଦିଶଇ ଜଣେ ସିନା ଚନ୍ଦ୍ରମୁହିଁ ।୧୮ ।

 

ମନେ ନାହିଁ ସୁମନରଜ କି କବରୀ ଧୂପିତ ଧୂମ ।

ଲାଗି କୋମଳାଙ୍ଗୀ ଜଳନୟନୁ ଜଳ ଯେ ହେଲା ଜନମ ।

ବିରସ ହୋଇ ସାରସଫୁଲ ନେଇ ଳଗାଇ ଦେବାକୁ ଶିରେ ।

ପୋଛିଲା ନେତ୍ର ପୁଚ୍ଛିଲା ମନପଥ ଅଛିଟିକି ଜୀବନରେ ।୧୯ ।

 

କିସ ବିଚାରିଲା ପୁଣି ପଚାରିଲା ଜଳେ ଜାତ ମୀନ ବୋଲି ।

ତେତିକି ବେଳକୁ ଭ୍ରୁବଲ୍ଲୀ କମ୍ପିଲା ନାସିକା ଉଠିଲା ଫୁଲି

ବୋଇଲା ସୁତନୁ ଆଞ୍ଚିଲାକୁ ଧନୁ ପାଞ୍ଚିଲି ଏକଥା ମୁହିଁ ।

ପାଣି ଦେଉଥିଲୁ ଶାଣିବା ବାଣକୁ ବାନ୍ଧିବି ବିନ୍ଧିବୁ କାହୁଁ ।୨୦ ।

 

ମୁଁ ନିକି ସହ ମୁନିଙ୍କି ବିନ୍ଧି କହ କି ଯଶ ଅଛି ତହିଁରେ ।

ଅଛି କାରଣ ସ୍ମର ଅନୁସରଣ କରିଛି ପ୍ରହାର ହରେ ।

ଚତୁରଦଶ ଭୁବନ ମୋହିନୀ କି ଚତୁର ପଣ ବିହିଲା ।

ତହିଁକି କିଛି ନ କହି ତା ସ୍ତନକୁ ଚାହିଁଲା ହୋଇ ରହିଲା ।୨୧ ।

 

ଏହି କାଳେ କାଳେ ଚନ୍ଦନୀ ଉପରେ ଚାରୁଭୂର ଥାଇ ଶୋଇ ।

ହେଉଥାଇ ମନ ବାଳା ବିବସନ ଦର୍ଶନ କରିବା ପାଇଁ ।

ଚିତ୍ତକୁ ଆସୁଛି ହିତକୁ ରଚିଲା କୃଷ୍ଣ ସପତମୀ ନିଶି ।

ବନ୍ଧୁ ମୋ ବନ୍ଧ ସଂଯୋଗେ ଥାଉ ଥାଉ ଆକାଶେ ପ୍ରକାଶେ ଶଶୀ ।୨୨ ।

 

ଏଣେ ମରୁଥାଇ ଏଣୀଈକ୍ଷଣୀ ଯେ ମନ ମିଶିବାକୁ ନେତ୍ରେ ।

ତେଣେ ନେଉଥାଇ କରକ ରଦନୀ କର ଢାଙ୍କିବାକୁ ନେତ୍ରେ ।

ହେଲାଟି ବୋଲି ଯେ ଲାଜେ ନେଇଥାଇ ମୋ ଉର ନିକଟେ ମୁଖ ।

ମୁହିଁ ବୋଲୁଥାଇ ନ ପାଇ ପାଇଛି ନୟନ ପରମ ସୁଖ ।୨୩ ।

 

ଭାବ ଉପରେ ଯେ ଭାବ ଉପୁଜିଲା ରତାନ୍ତେ ଶ୍ରାନ୍ତେ ଆହୁରି ।

ଲଜ୍ଜା କାତରେ ତରତର ତରୁଣୀ ପିନ୍ଧିଲା ବାସ ମୋହରି ।

ମୁଁ ଯେ ଭାଷିଲି ଦିଶି ଦିଶି ସୁଭାଗ୍ୟ ଏଣିକି ଆସୁଛି ସିନା ।

ମୋହପରା ହୋଇବାକୁ ହୋଇଲାନି ପରାଣେଶ୍ୱରୀ କାମନା ।୨୪ ।

 

ଶ୍ରବଣେ ତରକି କର କି ଭାବରେ କୋରକୀକୃତ ସେ କଲା ।

ପଣନ୍ତେ ପଣନ୍ତେ ପିନ୍ଧି ବୋଧି ମୋତେ ବାସ ପାଲଟାଇ ନେଲା ।

ସେ ଉଭା ଶୋଭାରେ ଲୋଭା ହେଲା ଆଖି ଆନ କି ଦେଖିବ ଆଉ ।

ଗୁଣ ହେଉଅଛି ପୁଣ ହେବ କି ସେ ଉତ୍ସବ ଜୀବନେ ଥାଉ ।୨୫ ।

 

କେତକୀ ଗୋରୀ ଚରମ ମନୋରମ ଏତିକି ଦେଖିଛି ମୁହିଁ ।

ହେମ ରମ୍ଭାପତ୍ର କାମପ୍ରଭା ମାତ୍ର କି ଉପମା ଦେବା ତହିଁ ।

ଉରପରୁଁ ଚୀର ଦୂର କରି କରୁଁ ତନୁ ପୀଡ଼ନେ ଯତନ ।

ମୋର ପ୍ରବେଶରେ ଲଜ୍ଜା ଆବେଶରେ ପଛକରି ଉଭାଧନ ।୨୬ ।

 

ନିୟମ ଲଙ୍ଘିଲୁ ଅମରମୋହିନୀ ବୋଲି ମୁଁ ବୋଲିବା ବେଳେ ।

ହୃଦ କଷିଟିରେ କାନ୍ତି କନକକୁ କଷିଲା କୁଙ୍କମ ଛଳେ ।

ପ୍ରେମମଞ୍ଜରୀ ପଢ଼ା ସାରୀ ପଞ୍ଜରୀ ସେ ଦିନ ଆଦ୍ୟରୁ ଦ୍ୱାରେ ।

ମୋ ଯିବା କହିବା ପାଇଁ ଲମ୍ୱାଇ ଯେ ସୁବେଶ ହୁଅଇ ପୁରେ ।୨୭ ।

 

ଅଳକା ରେଖୁଥିଲା ବସି ଝଲକାନନୀ ଯେ କର୍ତ୍ତରୀ ଘେନି ।

କରିବି ନିବିଡ଼ ନୀବିମୋକ୍ଷ ଭାବି ପଛୁଗଲି ହୋଇ ତୁନି ।

ବିମ୍ୱଓଷ୍ଠ ବିମ୍ୱ ଦେଖି ଆଦରଶେ ହରଶେ ଧରି ମୋ କର ।

ଚୋର ଗଲାଟି ଧର ବୋଲି ସେ ଧରାମଣ୍ଡନା ଭାଷିଲା ଗୀର ।୨୮ ।

 

କିଞ୍ଚିତ ଦୋଷକୁ ଉଚିତ ଏ ଦଣ୍ଡ ବାନ୍ଧବୀ ବାନ୍ଧ ତୋ ଭୁଜେ ।

ବୋଲିବାକୁ ମୋର ସଙ୍ଗୀତ ପାଠିନୀ ଭଲା ଇଙ୍ଗିତ କଲା ଯ ।

ନଚାଇ ଭୂରୁ କୋଦଣ୍ଡ ତେବେ ଦଣ୍ଡ ସିନା ସେ ନୋହେ ତା ଭାବ ।

ଉନ୍ନତି ଛାଡ଼ି ବିନତି ହେଲେ ଆଉ ମାଗିଲେ ଥରେ କେ ଦେବ ।

 

କେମନ୍ତ ପୀରତି ସୁରତି ଶ୍ରୀକାନ୍ତ ପ୍ରାନ୍ତ କରୁଥାଇ ମୋର ।

କୁନ୍ଦନ କୁମ୍ଭକୁଚେ ଲେପି ଚନ୍ଦନ ଠେସି ଦିଏ ହୃଦୟର ।

କି କଲ ବୋଲି ଲାଗିଲା ନ ଲାଗିଲା ହେଜୁଥାଇ ସେ ନବୀନା ।

ସେ ହୃଦ ବେଦନା କଲେ ନିବେଦନା ଘେନିବ କେ ତାହା ବିନା ।୩୦ ।

 

ଏ ରୂପେ ଭାବିନୀ ଭାବକୁ ଭାବନା କରୁଁ କରୁଁ ଭଜେ ମହୀ

ସଖା ଆଶ୍ୱସନା ରଚିଲେ ମୁଖରେ ନୀର ସିଞ୍ଚି ବିଞ୍ଚି ଦେଇ ।

ସମସ୍ତେ ନେତ୍ର ଲୋତକେ ପୂରାଇଲେ ଚେତି ଏବାଣୀ ପ୍ରକଟ ।

ଲାବଣ୍ୟବତୀ ବତିଶାର୍ଦ୍ଧ ବୟସୀ କଉଁଦିନ ହେବ ଭେଟ ।୩୧ ।

 

ଏ ଋତୁ ଚାହିଁ ମକରକେତୁ ତାପେ ଆରତ ନୃପ କୁମାରୀ ।

ବସି କାନ୍ତଗଣ ଗୁଣି ପୁଣ ପୁଣ ଧନରେ ବିଚାର କରି ।

କ୍ଷତି ଭିତରେ ଯୁବତୀକି ତେମନ୍ତ ପତି ମିଳିବାର ପୁଣ୍ୟ ।

ପ୍ରଭୃତ୍ୱ ଥିଲେ ଭୃତ୍ୟଠାରୁ ଅଧିକ ବିନୟୀ ରସିକ ଧନ୍ୟ ।୩୨ ।

 

ଦିନେ ବନେ ଭ୍ରମି ତପନ ତାନରେ ବିରସ ମୋର ଲପନ ।

ଦେଖି ସଖୀକି ପୁଚ୍ଛିଲେ ମୋର ଶିର ଅମ୍ଳାନ ଗଭା ତ ମ୍ଳାନ ।

ରଖି ନ ପାରି ଧଇର୍ଯ୍ୟ ନିଜ ଶିର ଛାଇ ମୋ ପାଦକୁ କଲେ ।

ଆଉ ଦିନ କଲେ ଏ ରୂପେ ଅବଶ୍ୟ ରୁଷି ବସିବି ମୁଁ ବୋଲେ ।୩୩ ।

 

ସେ ଦିନୁ ଭାନୁ ଥିବାରେ ଯେ ସଦନୁଁ ବାହାର ନ କର ମୋତେ ।

କୋଟିକ ରତନ ଦେବାରୁ ଅଧିକ ଗୋଟିକ ବଦନ ସତେ ।

ଦିନେ ପଚାରିଲେ ଭିନ୍ନେ ଭଙ୍ଗୀକରି ଯୁବତୀ ପୁରୁଷ ପ୍ରାଣ ।

ତାହା ବିନୁ ଗାତ୍ର ଯାହା ରହେ ଚିତ୍ର ଏକଥା ନୋହେ କି ପୁଣ ।୩୪ ।

 

ଦୁର୍ଗା ପଦ୍ମନାଭ କରନ୍ତୁ ଏଶୁଭ ବଲ୍ଲଭ ମନେ ଏ ପ୍ରୀତି ।

ନ ପଡ଼ୁ ପୋଡ଼ୁ ଏ ବିଚ୍ଛେଦ ବିପତ୍ତି ବୋଲି ସେ ଭଜିଲେ କ୍ଷତି ।

ଲଳନା ପଲ୍ଲବ ଚାଳନା କରିଣ ମୁଖେ ଦେଲେ ଶୀତବାରି ।

ଚେତୁଁ ଶୁଭସ୍ୱପ୍ନ ହେତୁକୁ କହିଲେ ଝସକେତୁ ତାପ ହରି ।୩୫ ।

 

ଏ ରସେ ମନ ନ ଘେନଇ ଯାହାର ସେହି ନର ପଶୁ ଘେନ ।

ଯଉଁ ରସରେ ବ୍ରହ୍ମା ବଶ ହୋଇଛି କାହିଁକି ତାହା ସମାନ ।

ଜାନକୀ ରାମ ବିଶେଷ କରି ଜାଣେ ଭାବି ତାଙ୍କ ଶ୍ରୀପୟର ।

କହେ ଉପଇନ୍ଦ୍ର ଭଞ୍ଜ ବୀରବର ଛାନ୍ଦ ରସ ରତ୍ନାକର ।୩୬ ।

 

ଏକଚତ୍ୱାରିଂଶ ଛାନ୍ଦ

ବିରହେ ବର୍ଷା ଋତୁ ବର୍ଣ୍ଣନା

(ରାଗ-ବରାଡ଼ୀ)

(ଆଷାଢ଼ ଶୁକ୍ଳ ବାଣୀରେ )

 

ପ୍ରବେଶ ହୋଇଲା ବରଷାକାଳ ।

ପ୍ରମାଦମାନଙ୍କ ଜନମସ୍ଥଳ ।

ଜଳଦ ଉଜ୍ଜ୍ୱଳ କାନ୍ତି ଶାର୍ଦ୍ଦୂଳ ।

ସୁଖେ ବିରହିଲେ ଶିଖରୀଚୂଳ ।

ଗର୍ଜିତା ସନ୍ତତ ।

ପ୍ରକାଶି ଝଳି ବକାବଳୀ ଦନ୍ତ ।୧ ।

 

କୁରଙ୍ଗ ତୁରଙ୍ଗ ଥିଲା ସକାଶେ ।

ଚନ୍ଦ୍ର ସୂର୍ଯ୍ୟ ଲୁଚି ରହେ ଆକାଶେ ।

ମୁନିଏ ମୃଗଚର୍ମ ଥିଲା ଦକୁଁ ।

ହିମାଳୟ ତଳୁଁ ଗଲେ ଶୃଙ୍ଗକୁ ।

ରକ୍ଷପନ୍ତି ଲୀନ ।

ଆଗ କରି ସେ ଗିଳି ଦେଲା ଦିନୁ ।୨ ।

 

ଡାହୁକମାନେ ଡାକ ଦେଲେ ତହିଁ ।

ସିଂହ ଆସୁଅଛି ସନ୍ଦେହ ନାହିଁ ।

ଶୁଣି ବିଯୋଗିନୀ ଲଭି ଦରକୁ ।

ଛିନ୍ନଇ ହାର ଘୋଡ଼ାଇ ଉରକୁ ।

ସେ ମିଥ୍ୟା ନକଲେ ।

କାଳିକାକୁ ଯେଣୁ ଅନାଇଁ ଦେଲେ ।୩ ।

 

ବିଧାତା ବିଧାନ ଚିତା ବିଜୁଳି ।

କାଷ୍ଠାବଳୀ ଯୋଗ ଉଠିଲା ଜଳି ।

ଝଞ୍ଜି ନିଜ ଲାଗି ପ୍ରଭା ପ୍ରକାଶି ।

ସଜୀବରେ ଦହି ହୁଏ ବିଦେଶୀ ।

ତହୁଁ ଅଗ୍ନିଗଣ ।

ଉଡ଼ି ବୋଲାଇଲେ ଜ୍ୟୋତିରଙ୍ଗଣ ।୪ ।

 

କରକାଲୋଷ୍ଟ୍ର ପତନ ବହୁତ ।

ଯୁବାଙ୍କୁଳାଗିଲା ଅନଙ୍ଗ ଭୂତ ।

ଇନ୍ଦ୍ରକୋଦଣ୍ଡ ଦଣ୍ଡ ନଭେ ରାଜି ।

ମାନିନୀ ମାନ ଦମ୍ଭ କୁମ୍ଭ ଭାଜି ।

ସେ ବିନା ପ୍ରହାରେ ।

ଏହା ଦେଖିଲା ନ ଥିଲା ସଂସାରେ ।୫

 

ନଦୀ ନାଗ କଲେ ବେଗ ଗମନ ।

ଲହରୀ ରସନା ଫୁକାର ସ୍ୱନ ।

ଫେନ କଞ୍ଚୁକ ଭ୍ରମ ଚକ୍ରେ ଶୋହି ।

ସାଗର ବିଳେ ରହିବାକୁ ଯାଇ ।

ତା ଚାହିଁ ଚପଳେ ।

ପଳାଇ ଗଲେ ମୁରୁକୁ ମରାଳେ ।୬ ।

 

ପରଅପର ଏହି ଠାରେ ନାହିଁ ।

ଦେଖ ବେନି କୂଳ ଗ୍ରାସ କରଇ ।

ପଥିକ ନିକର ଚାହିଁ ଶଙ୍କିଲେ ।

ଉଡ଼ୁପ ଭୂଷଣ ନାମେ ଡାକିଲେ ।

ଆହୁରି ଦୁର୍ଦ୍ଦର ।

ନିରତେ ଆରମ୍ଭି ଆରତ ସ୍ୱର ।୭ ।

 

ଟେକି ଶିଖଣ୍ଡ କେକୀ ଷଣ୍ଢମତ ।

ନାରୀମଣ୍ଡଳୀ ମଧ୍ୟେ କଲା ନୃତ୍ୟ ।

ଦେଖି ସୁମନା ଗଣିକା ନିକର ।

ଦରବିକାଶ ହାସେ ମନୋହର ।

ଚାହିଁ ସେ ମତ୍ତକୁ ।

ବାକ୍ୟ ସ୍ପରିଲା ପରଭୃତକୁ ।୮ ।

 

ଏଋତୁ ଚାହିଁ କୁମାର ବିରହୀ ।

ମିତ୍ର ବଦନକୁ ଅନାଇ କହି ।

ବିଜୁଳି କାମୁକୀ ଘନାଳିନଳୀ ।

ସ୍ତନିତ ଢୁ ଶଦ୍ଦ କୁଳିଶ ଗୁଳି ।

ମହୀଧର ଲାଖ ।

ପଥର ଫୁଟି ଯାଉଅଛି ଦେଖ ।୯ ।

 

ଜାଣିଲି ମୋ ହୃଦ ଅତି କଠିନ ।

ଫାଟି ନ ଯିବାରୁ ପ୍ରିୟା ବିହୀନ ।

ନ ଫୁଟିବ ଭାଳି କୁସୁମ ବାଣ ।

ମାମ କରିଛି ଏ ଅସ୍ତ୍ର ଭିଆଣ ।

ରକ୍ଷା ହେବ କେହି ।

ଆଉ ତ ମୋତେ ବୁଦ୍ଧି ଦିଶୁନାହିଁ ।୧୦ ।

 

ସଖା ବୋଇଲେ କି ବିଚାର ଆଉ ।

ବାଳାମଣି ନାମ ସୁମନ୍ତ୍ର ଥାଉଁ ।

ସ୍ୱଭାବେ ମନ ଏକଲୟ ଯହିଁ ।

ବିଶେଷେ ମଜ୍ଜିଲା ଦୁଃଖକୁ ପାଇ ।

ବିଚାରଇ ମନେ ।

ମୁଁ ନିକି ମୂର୍ଚ୍ଛି ପାରିବି ଜୀବନେ । ।୧୧ ।

 

ଦିନ ଦିନକର ପୀରତି ରୀତି ।

ଚିତ୍ତୁ ଆଣକୁ ଏ ବରଷା ଦୂତୀ ।

ହୋଇ ହେଲା ସିନା ।

କେହି ବଞ୍ଚିବ ସ୍ନେହ ପରାଧୀନା ।୧୨ ।

 

ଦିନେ ଜାନୁରେ କରଭରା ଦେଇ ।

ସୁତନୁ ଇନ୍ଦ୍ରଧନୁ ଥିଲା ଚାହିଁ ।

ଗୋକୁଳଈଶ ରସ ମନେ ଭାବି ।

ପଛୁଁ କୋଳକରି ଧରନ୍ତେ ନୀବୀ ।

ଭୀତି ଉପୁଜାଇ ।

ଭିତ୍ତି ଅନ୍ତରେ ଥିବେ ପରା ସହୀ ।୧୩ ।

 

ଦିନେ କାମିନୀ ଯାମିନୀ ନ ପାହୁଁ ।

କୁସୁମ ବିକାଶେ ଅନ୍ତର ହେଉଁ ।

ହୃଦ ବିଲଗରୁ ଭାଜିଲା ନିଦ ।

ଡାକିଲା ବନ୍ଧୁ ବୋଲି ଲଭି ଖେଦ ।

ସେ ଶୁଭିଲା ନାହିଁ ।

ଦାମିନୀ ଝଟକ ହେଲା ଦେଖାଇ ।୧୪ ।

 

ଏଡ଼େ ବଞ୍ଚନା କାହିଁକି ଦାସରେ ।

ବୋଲି ଯାନ୍ତେ ପ୍ରାଣବନ୍ଧୁ ପାଶରେ ।

ତ୍ରପାରେ ପ୍ରକାଶ କରି ହାସକୁ ।

ଆଚ୍ଛାଦି ଲାବଣ୍ୟ ଅଙ୍ଗେ ବାସକୁ ।

ମହୀକି ଅନାଇଁ ।

କିଛି ନ କହି ସେ ପଙ୍କଜ ମୁହିଁ ।୧୫ ।

 

ଫିଙ୍ଗିଲା ଫୁଲ ଝଲକ କମ୍ପାଇ ।

ଭାଷିଲା ଏ ଶରେ ଭାସିଲା ମୁହିଁ ।

ଭୃଙ୍ଗ ଚୁମ୍ୱଇ ପୃଷ୍ପବତୀ ଲତା ।

ବୋଲିବାକୁ ବୋଲିଅଛି ବିଧାତା ।

କି ବିରସ ମୋତେ ।

ବିଚ୍ଛେଦ ସହି ନୋହିଥିଲା ଏତେ ।୧୬ ।

 

ଦିନେ ଦୁର୍ଦ୍ଦନେ ପାହିବାରୁ ରାତି ।

ଜଣା ନ ଯିବାରୁ ଆରମ୍ଭ ରତି ।

ସେକାଳେ ପଢ଼ିଲା ପଞ୍ଜୁରୀ କୀର ।

ଜାନୁ ଛନ୍ଦିଦେଇ ମଧ୍ୟରେ ମୋର ।

ତୁନି କରି କହେ ।

ବିଧି ନିଷେଧ ନ ମାନିବ କିହେ ।୧୭ ।

 

ମୁହିଁ କହିଲି ଲାବଣ୍ୟନିଧିକି ।

ଏ ନିକି ବଡ଼ ବିଧ ଅବିଧିକି ।

ଏତେକେ ଧନ ଜାଣିଲା ମୋ ମନ ।

ରତାନ୍ତଯାଏ ଦେଲା ଆଲିଙ୍ଗନ ।

ଉପୁଜାଇ ରତି ।

ପ୍ରତିଅଙ୍ଗ ଶୋଭା ଦିଶିବା ଭୀତି ।୧୮ ।

 

ଦିନେ ଅତି ପ୍ରାତୁଁ ପକ୍ୱବିମ୍ୱୋଷ୍ଠୀ 

ଗଲାଗୋପ୍ୟପୁରେ ମୋ ପାଶୁ ଉଠି ।

ଉରଜେ କରଜ ଚିହ୍ନ ଦେଖଇ ।

ମୁହିଁ ଗବାକ୍ଷେ ଚାହିଁବାକୁ ଯାଇଁ ।

ସେହି ଦିଗେ କେକୀ ।

ସ୍ୱନାଦେ ଡାକିଲା ପୁଚ୍ଛକୁ ଟେକି ।୧୯ ।

 

ତାକୁ ଅନାଉଁ ଯେ ଦେଖିଲା ମୋତେ ।

ଅପରାଧ କ୍ଷମାକର ବୋଲନ୍ତେ ।

ମୁଖ ନ ଟେକିଲା ତ୍ରପା ତ୍ରାସରେ ।

ହାସ ପ୍ରକାଶିଲା କୃପାବେଶରେ ।

ତା ସେହି ଚାତୁରୀ ।

ନୟନେ ମୋର ରହିଅଛି ପୂରି ।୨୦ ।

 

ଦିନେ ଜାଳିଦେଇ ଦୀପାବଳୀକି ।

ବଳେ ବିବସନ କରୁଁ ବାଳୀକି ।

ଚମକିଲା ହୋଇ ଲଜ୍ଜା ଆକୁଳେ ।

ପ୍ରଦୀପ ହତ ହେଲା ଝଞ୍ଜାନିଳେ ।

ଲଭିକି ସନ୍ତୋଷ ।

ରସାଳସା ହେଲା ରସରେ ବଶ ।୨୧ ।

 

ଦିନେ ଯେ ପାଶକୁ ଅଣାଇ ପଶା ।

ଖେଳିବା କି ବୋଲି ବୋଇଲା ଯୋଷା ।

ମୁହିଁ ବୋଇଲି ବସି ହୁଡ଼ କର ।

ଶୁଣି ସୁନ୍ଦରୀ ଦେଖାଇଲା ହାର ।

ମୁହିଁ ବୋଇଲି ଧନ ।

ନ ଜାଣୁ କି ଯହିଁ ଥାଇ ମୋ ମନ ।୨୨ ।

 

ତହିଁକି କଲା ଭଙ୍ଗୀ ରଚନା ।

ହେଲେ ହେବ ପଛେ ହାରିଲେ ସିନା ।

ଖେଳ ଆରମ୍ଭ ଅତି ଅନୁରାଗେ ।

କଳକଣ୍ଠୀ ହାରିଲା ଯୋଗେ ।

ପଣ ମାଗୁଁ ସଖୀ ।

ବୋଇଲାଆସେ ସଖୀଠାରେ ଶିଖି ।୨୩ ।

 

ଏବେ ଇନ୍ଦ୍ରଧନୁ ଉଇଁତ ଥିବ ।

ବିଦ୍ୟୁ ଝଟକିବା ଅନ୍ଧାର ହେବ ।

ପ୍ରକଟ କେକୀ ନାଟ ଝଞ୍ଜାବାତା ।

ହେବେନି ଜନେ ପାଶେ ଖେଳେ ରତ ।

ଚିନ୍ତି ଏ ଭାବକୁ ।

ବିଦାରି ହେଉଥବ ପରା ବୁକୁ ।୨୪ ।

 

ଛିଡ଼ି ନ ଥିବ ମୋ ଗୁନ୍ଥିଲା ହାର ।

ଲିଭି ନ ଥିବ ସ୍ତନୁ ନଖଗିରା ।

ଫିଟାଇବ ନାହିଁ ମୋ ବନ୍ଧା ବେଣୀ ।

ଚେତାଉଥିବ ପ୍ରୀତି ପ୍ରତିକ୍ଷଣି ।

ପ୍ରମୋଦେ ପ୍ରମାଦ ।

ପକାଉଥିବ ପ୍ରକାଶେ ଜଳଦ ।୨୫ ।

 

ଦରଶନ ମାତ୍ରେ ରସବତୀକି ।

ଚିତୁଆଇଁ ଥିବ ଏହି ପ୍ରୀତିକି ।

ପୟୋଧର ଗିରି ଗ୍ରାସିବ ଚାହିଁ ।

ପୟୋଧର ବେନି କରେ ଘୋଡ଼ାଇ ।

ସିଆଣୀ ବୋଲିଛି ।

କବିଙ୍କ ଉପମା ନୁହଇ କିଛି । ।୨୬ ।

 

ନୂଆ କାଚ ଚୂଡ଼ୀ ଲଗାଇଥିଲା ।

ସଞ୍ଚା ନ ଦିଶିଲା ଗାଢ଼େ ଭିଡ଼ିଲା ।

ପାନକଳ ପୂରିଥିଲା ଯେ ତୁଣ୍ଡେ ।

ବୋଳ ନ ଲାଗିଲା ଚୁମ୍ୱିଲା ଗଣ୍ଡେ ।

ସେ ଏମନ୍ତ ଚେତୁ ।

ଚାହୁଁ ଚାହୁଁ ତାର ବୁଡ଼ିଲା ହେତୁ ।୨୭ ।

 

ସଖାଏ ପଦ୍ମତଳ୍ପରେ ଶୁଆଇ ।

ଚେତନା ବସରେ ଏମନ୍ତ ଧ୍ୟାୟି ।

ହାହାରେ କୋମଳା ସ୍ନେହଅଧିନା ।

ଜାତିଦଳେ ଶଯ୍ୟା କରି ରଚନା ।

ରତେ ଥାଇ ମନ ।

ପ୍ରବେଶ ହେଲେ ମୁଁ ତା ସନ୍ନିଧାନ ।୨୮ ।

 

ପାଛୋଟି ନିଅଇ ଆସନ ତେଜି ।

କର ଧରୁଥାଇ ମୁଁ ଉଚ୍ଛନ୍ନ ଭଜି ।

କୋଳେ ବସାଇ ଧରୁଥାଇ ନୀବୀ ।

ବ୍ୟାଜେ ବୋଲଇ ଆଜ ନ ପାରିବି ।

ଏ ରସ ଭାବନ୍ତେ ।

ଫୁଲ ଭାବଯାକ ପଆଡ଼ିଲା ଚିତ୍ତେ ।୨୯ ।

 

ଦିନେ ଯେ ପ୍ରୀତିଗୀତ ଯୋଡ଼ି ବାଳା ।

ବସି କେତକୀ ପତ୍ର ଲେଖୁଥିଲା ।

ଏତେକ ପଢ଼ିଲି ପଛରେ ଯାଇ ।

ପ୍ରିୟ ପାଇଛି ମୁଁ ଗଙ୍ଗାରେ ଦାହି ।

ତା କି କରି ଜାଣି ।

ଚଉଁରୀ କରି ଚିରିଲା ରମଣୀ ।୩୦ ।

 

ବୋଇଲିରେ ଶିଖୀ ଶିଖଣ୍ଡକେଶୀ ।

ଶିଖିବାକୁ ଥିଲା ମୋ ମନ ରସି ।

ମଥା କିମ୍ପାଇ ନ ଜାଣିଲା ପରି ।

କେଉଁକଥା କି ବୋଲି ସେ ପଚାରି ।

କହିଛି ପ୍ରାଣକୁ ।

ଲୁଚିଯାଇ ତୋ ଉଦର ପଣକୁ ।୩୧ ।

 

ଦିନେ ସେ ଗୁନ୍ଥି ସୁମନା ମାଳାକୁ ।

ଶୀକରେ ଦେଇ ବୋଇଲି ବାଳାକୁ ।

ଆଜିଠାରୁ ତୋର ମୋର ମାଳତୀ ।

ହୋଇ ନ କଲା ସେ ବଦନ ପୋତି ।

କେଶୁ କରୁବକ ।

ଦେଖାଇ ବୋଇଲା ଏନାମେ ଡାକ ।୩୨ ।

 

ସୁନ୍ଦରୀ ଯେଡ଼େ ଗୁଣବତୀ ତେଡ଼େ ।

ଜୀବନ ପ୍ରଭୁ ମୋ ବିନୟୀ କେଡ଼େ ।

ଥାଉ ଥାଉ ଏ ଘେନା ଘେନି ଭାବ ।

ମନୁ ଜୀବ ଯିବାଯାଏ ନ ଯିବ ।

ଦଇବ କି କଲା ।

କାହିଁ ବିଚ୍ଛେଦ ଦଣ୍ଡ ରଖିଥିଲା ।୩୩ ।

 

ଫୁଟିଲାଣି ଏବେ ଜାତି କେତକୀ ।

ମାଳତୀ ଚାହିଁ ଚିତୋଇ ଏତିକି ।

ଶୋକ ଜଳଧିରେ ବୁଡ଼ି ରହିବ ।

ଲୋତକ କଲ୍ଲୋଳେ ଭସାଇ ଦେବ ।

ଧଇର୍ଯ୍ୟମାନଙ୍କୁ ।

କି ଦଶା ପଡ଼ିଲା ପ୍ରାଣ ଧନକୁ ।୩୪ ।

 

ଏକାଳେ ସେହି ନେତ୍ର ମୁଞ୍ଚି ନୀର ।

କୁମାରୀ କୁମାର ଭାବେ ଜର୍ଜର ।

ଚିତ୍ତେ ଚିତୋଇଲା ଏତିକି ସ୍ନେହ ।

କ୍ଷଣ କ୍ଷଣକରେ ହୋଇଲା ମୋହ ।

ଚିତ ଦଣ୍ଡେ ଦଣ୍ଡେ ।

ଏହି ବାଣୀମାନ ଉଚ୍ଛାରି ତୁଣ୍ଡେ ।୩୫ ।

 

ପାସୋରିଲେ ମୋତେ କୃପା ଜଳଧି ।

ରଖିଲେ କି ଫୁସ ଭ୍ରମର ସିଦ୍ଧି ।

ମୋହିଲା ଅବା କେଉଁ ମନୋହରୀ ।

ନ ଜାଣନ୍ତି ବା ପଥ ତଥ୍ୟ କରି ।

ନ ଯାଇ ଜୀବନ ।

ପ୍ରିୟତନୁ ହେଲା ବଜ୍ରୁଁ କଠିନ ।୩୬ ।

 

ଚନ୍ଦନ ପାଟିଏ ଥିବ କପାଳେ ।

ତନୁ ପୂରିଥିବ କମଳନାଳେ ।

ଏ ବିଧି ବିରହ ବେଶରୁ ଯୁବା ।

ମାର ହର ଭ୍ରମ କରୁଛି ଅବା ।

ବିଳମ୍ୱ ଏଥିକି ।

ଏମନ୍ତ ବୋଲି ଭଜିଲା କ୍ଷିତିକି ।୩୭ ।

 

ନଳ ଦମୟନ୍ତୀ ଜାଣେ ଏ କଥା ।

ସମର୍ଥ ରାମ ହରିବାକୁ ବ୍ୟଥା

ଚିତ୍ତରେ ତାଙ୍କ ନିରନ୍ତର ଧ୍ୟାୟି ।

ଉପଇନ୍ଦ୍ର ବୀରବର କହଇ ।

ଏ ବିଚିତ୍ର ଛାନ୍ଦ ।

ହୃଦକୁମୁଦ ଉଲ୍ଲାସ କୁ ଛାନ୍ଦ ।୩୮ ।

 

ଦ୍ୱଚତ୍ୱାରିଂଶ ଛାନ୍ଦ

ବିରହରେ ଶରତ ଋତୁର ବର୍ଣ୍ଣନା

ରାଗ- ଦେଶାକ୍ଷ ।

ଚକ୍ରକେଳି ବାଣୀରେ

 

ଦେଖି ନାରଦ ଦ୍ୱିରଦ ଶରଦ ।

ଋତୁ କେଶରୀ ପ୍ରସରି ବିଶଦ ।୧ ।

 

ଚାହିଁ ତମସ ନାଶ ବନଦେଶ ।

ସ୍ପୁଟେ ପ୍ରକାଶ କଲେ କାଶହାସ ।୨ ।

 

ଛାର ଭେକ ଡାକ ଶୁଣିମା କର୍ଣ୍ଣ ।

ଯାଇଥିଲେ ମାନସେ ଏହିମାନେ ।୩ ।

 

ଯହୁଁ ସେମାନେ ଗଲେ ଗର୍ଜି ଗର୍ଜି ।

ମହୀ ପ୍ରବେଶ ହେଲେ ହଂସରାଜି ।୪ ।

 

କେହି ଖଦ୍ୟୋତ ସଙ୍ଗେ ଉଦେ ହେବ ।

ଲାଜ ତାରକା ଲୁଚିଥିଲା କିବା ।୫ ।

 

ତାଙ୍କ ସ୍ନେହରୁ ଅବିଦିତ ଶଶୀ ।

ଏବେ ନିର୍ମଳେ ଆକାଶେ ପ୍ରକାଶି ।୬ ।

 

ବୃକ୍ଷ ମତ ହୋଇ ଋଷଭ ସ୍ୱରେ ।

କହୁଛନ୍ତି କି ଏମନ୍ତ ବ୍ୟାଜରେ ।୭ ।

 

ଦେଖ ଦେଖ ଭଜିଲେଟି ଲୀନକୁ ।

କେକୀ ଷଣ୍ଢମତ କେତେଦିନକୁ ।୮ ।

 

ଦିଶେ ଦକ୍ଷିଣେ ଅଗସ୍ତି ସୁନ୍ଦର ।

ଲେଉଟିଛି ଭାବି ରୋଷ ମନ୍ଦର ।୯ ।

 

ପଦ୍ମ ଅନୁରାଗ କେମନ୍ତ ଭାବି ।

ଉଦେ ମେଘ ଭିତରେ ଥିଲେ ରବି ।୧୦ ।

 

କୁଳବଧୂ ଶୁଭେ କୋଦରେ ।

ଯେହୁ ପଥିକ ହୃଦସ୍ଥଳେ ହାର ।୧୧ ।

 

ଏ ଋତୁକୁ ଚାହିଁ ନୃପନନ୍ଦନ ।

ପ୍ରାଣବନ୍ଧୁ ଭାବ କଲା ଧିଆନ ।୧୨ ।

 

ସେହି ଶରଦ ରାତି ସେ ଚନ୍ଦ୍ରମା ।

ସେହି ପ୍ରକାରେ ହୋଇଛି ସୁଷମା ।୧୩ ।

 

ସେହି ମୁହିଁ ଜୀବନେ ଅଛି ପୁଣି ।

ଏତ ବିଚିତ୍ର ଦୂର ମୋ ତରୁଣୀ ।୧୪ ।

 

ଏଥେଁ ଦେଇଛି ଭାବମାନ ଯେତେ ।

ଏହିକ୍ଷଣି ସେ କଲା ପ୍ରାୟପ୍ରତେ ।୧୫ ।

 

ମହା ଦରିଦ୍ର କରେ ଦେଇ ନିଧି ।

ଏକି ଦୁର୍ଦ୍ଦଶା ହରି ନେଲେ ବିଧି ।୧୬ ।

 

ଦିନେ ଚୁମ୍ୱନ ଦେଇ ଚୁମ୍ୱ ମାଗୁଁ ।

ନାହିଁ ନ କଲା ଅତି ଅନୁରାଗଁ ।୧୭ ।

 

ଦେବ ବୋଲି ଅଧର କରୁ ଗୋଜ ।

ସେହି ସମୟେ ବାରିଦେଲା ଲାଜ ।୧୮ ।

 

ମୁଁ ଯେ ବୋଇଲି ବେଳେ ଦେଇ କିନା ।

ଲାଜ କାହାକୁ ମୁଁ ତୋ ଦାସ ସିନା ।୧୯ ।

 

ଧୀରେ ଗୀର ପ୍ରକାଶ କଲା ତହିଁ ।

ଚୁମ୍ୱ ଦେବାରେ ମୋତେ ଆସୁନାହିଁ ।୨୦ ।

 

ଆଜିଯାଏ ସେ ଚତୁରୀ ବଚନ ।

ନେତ୍ର ମନେ କରିଅଛି ସଦନ ।୨୧ ।

 

ସେହି ଦିନ ପ୍ରଥମେ କଥା ଶୁଣା ।

ଦିନେ ସାରୀ ପଢ଼ାଉଁ ସୁଲକ୍ଷଣା ।୨୨ ।

 

ଜାଣି ଲୁଚି ମୁଁ ଶୁଣିଥିଲି ସ୍ୱଚ୍ଛେ ।

ସାରି ପଢ଼ି ଯେ ଦେଲା କାନ୍ଥ ପଛେ ।୨୩ ।

 

ସଲଜ୍ଜିତେ ଜିତେନ୍ଦ୍ରିୟ ମୋହିନୀ ।

ଦେଇ ଚାରୁ ଚିବୁକରେ ତର୍ଜ୍ଜନୀ ।୨୪ ।

 

ନାସାଫୁଡ଼କୁ ଫୁଲାଇଲା କର ।

ଅଧୋମୁଖେ ରହିଲା କୃଶୋଦର ।୨୫ ।

 

ନବସପତ ବୟସୀକି ମୁହିଁ ।

ମୋହ ଶପଥ ପକାଇଲି ତହିଁ ।୨୬ ।

 

ମଥା ଟକି କଥା କହ ବୋଲନ୍ତେ ।

କିସ କହିବି କହିଦିଅ ମୋତେ ।୨୭ ।

 

ବୋଲିବାରେ ସଙ୍ଗତେ ମଣିମାଦି ।

ସୁଖ ଦେବାକୁ ଥିଲା ଯେ ସମ୍ପାଦି ।୨୮ ।

 

ଲବେ ଛାଡ଼ି ନ ପାରଇ ତୁଲକୁ ।

ଲଙ୍ଘି ନ ପାରଥ ମୋର ବୋଲକୁ ।୨୯ ।

 

ଦିନେ କର୍ଣ୍ଣେ କହିଲି ତୁନି କରି ।

ଚନ୍ଦ୍ରକରେ ରତି ଦେବ ସୁନ୍ଦରୀ ।୩୦ ।

 

ସେହିକ୍ଷଣି ସେ କଲା ପ୍ରତିଭାଷ ।

ବୋଲ କେବେ ନ କରିବି ପ୍ରବାସ ।୩୧ ।

 

ମୁଁ ବୋଇଲି କାମ ଅଛି ଜୀବନେ ।

ତୋତେ ଛାଡ଼ି ପାରିବି କେସନେ ।୩୨ ।

 

ଯେବେ ମନରେ ଶଙ୍କା ତୋ ବାନ୍ଧବୀ ।

ଯେଉଁ ନିୟମ ବୋଲିବୁ କରିବି ।୩୩ ।

 

ବାଣୀ ପ୍ରମାଣ ନିୟମ କାହିଁକି ।

ନେତ୍ର ଡାଳି ଯେ ବୋଇଲା ତହିଁକି ।୩୪ ।

 

କେତେ ସିହାଣୀ ଲୋଡ଼ିଲା ବଞ୍ଚାଇ ।

ରାତ୍ର ଚନ୍ଦ୍ରକରେ ଶେଯ ପକାଇ ।୩୫ ।

 

ତହିଁ ମିଳୁ ମୁଁ ହରଷେ ଅନାଇଁ ।

ପାନ ପିକ ଦେଲା ଆଗେ ପକାଇ ।୩୬ ।

 

ବାସେ ପୋଛି ପୁଣି ଭାଳେ ସିନ୍ଦୂର ।

ମୋର ହୃଦ କରାଇଲା କାତର ।୩୭ ।

 

ଏତେ ବୁଦ୍ଧି ସ୍ପୁରିଲା ଯୋଗ ତହିଁ ।

ମୁଁ ଯେ କହିଲି କହ ମୋତେ ଚାହିଁ ।୩୮ ।

 

ଏବଚନ ବଳେ ହାସ ବାହାର ।

କରାଇଲା ଚନ୍ଦ୍ର ମୁଖୁଁ ତାହାର ।୩୯ ।

 

ରକ୍ଷା ପାଇଲା ବୋଲି କୋଳ କଲି ।

ମୁଁ ଯେ ଶେଯପର ଘେନିଗଲି ।୪୦ ।

 

ନାହିଁ ନାହିଁ ଭାଷୁଥିଲା ମୋ ଧନ ।

ଗତି ବିହି ମୁଁ କଲି ବିବସନ ।୪୧ ।

 

ଏକେ କେତକୀ ଶ୍ରୀଅଙ୍ଗରୁ ଗୋରା ।

ଶଶୀକରେ ଦିଶିଲା କେଡ଼େ ତୋରା ।୪୨ ।

 

ରସାଣିଲା ହେମକୁ କୋଟି ଗୁଣେ ।

ନିନ୍ଦା କରୁ ଯେ ଥିଲା ଝଳିପଣେ ।୪୩ ।

 

ଏହି ସମୟେ ଶଯ୍ୟାରୁ ନାଗରୀ ।

ଘେନି କର୍ପୂର ରଜ ନେତ୍ରେ ମାରି ।୪୪ ।

 

ତେଣେ ବୁଜିହୋଇଗଲା ମୋ ଆଖି ।

ଭଲ କରି ମୁଁ ନ ପାରିଲି ଦେଖି ।୪୫ ।

 

କର ଧରିବା ବେଳକୁ ଶୋଭାଙ୍ଗୀ ।

ଭଙ୍ଗୀ ବଶେଯେ ଦେଇଥିଲା ଫିଙ୍ଗି ।୪୬ ।

 

ଯୋଗେ ପଡ଼ିଲା ସେ କାମସଦନେ ।

ଲବଣୀରୁ କମଳ କରି ମନେ ।୪୭ ।

 

ନଖ ଚଳାଇ ଦେବାର ତହିଁରେ ।

ରୋମଙ୍କୁର ହୋଇଲା ଯେ ଦେହରେ ।୪୮ ।

 

ଦିଶୁଥିବ କଦମ୍ୱ ପୁଷ୍ପ ପରି ।

ଏ କିସ ଗୋ ବୋଲିବାର ଚାତୁରୀ ।୪୯ ।

 

ଯିବ ସହସ୍ରେ ଜନ୍ମ କି ପାସୋର ।

ଅମୃତରୁ ବାଣୀ ମଧୁର ।୫୦ ।

 

ଆଉ ଭେଟିବି ନୋହୁଛି ପରତେ ।

ଭେଟ ହେବ ଉପାୟ ଅଛି ଏତେ ।୫୨ ।

 

ଭସ୍ମ ଉଡ଼ାଇ କୃପାରେ ପବନ ।

ନେଇ ପକାନ୍ତି କାନ୍ତ ସନ୍ନିଧାନ ।୫୩ ।

 

କିସ ବୋଲି ବାଳା କରନ୍ତା ଦୃଷ୍ଟି ।

ତହିଁପରେ ହୁଅନ୍ତା ସୁଧା ବୃଷ୍ଟି ।୫୪ ।

 

ହୋଇ ମୂର୍ତ୍ତିମନ୍ତ ମୁଁ ଚାହିଁ ମୁଖ ।

କର ଯୋଡ଼ି କହନ୍ତି ସବୁ ଦୁଃଖ ।୫୫ ।

 

ଆହା ବୋଲି ସାହା ହୋଇ ସୁମୁଖୀ ।

ମୋତେ କରନ୍ତା ସେହିକ୍ଷଣି ସୁଖୀ ।୫୬ ।

 

ମୋର ଭରସା ହୋଇଛି ଏଥକୁ ।

ଜୀବ ଦେଇଛି ଭସ୍ମ ମନ୍ମଥକୁ ।୫୭ ।

 

ତହୁଁସବୁରୂପେ ମୁଁଯେ ଅଧିକ ।

ନିତ୍ୟ ଅନୁସରିଲାର ସେବକ ।୫୮ ।

 

ମନ ମୋହର ଭ୍ରମୁଛି ନିରତେ ।

ମଶା ମଶାରୀ ପଡ଼ି ଯେମନ୍ତେ ।୫୯ ।

 

ମୁହିଁ ଭ୍ରମର ସଙ୍ଗେ ହେଲି ମତି ।

ସେହୁ ମାଳତୀ ବିରହ ଯେମନ୍ତ ।୬୦ ।

 

ଏତେ ବୋଲୁଁ ବୋଲୁଁ ସ୍ତମ୍ଭ ଭଜିଲା ।

ହାହା ପ୍ରିୟେ ବୋଲି ଶ୍ୱାସ ତେଜିଲା ।୬୧ ।

 

ଦହି ନ ପାରୁଛି କାମ ଅନଳ ।

କରେ ତୋ ଭାବ ଭାବନା ଶୀତଳ ।୬୨ ।

 

ପୁଣି ପ୍ରିୟ ସ୍ୱରୂପ ଲେଖି ପଟେ ।

ସ୍ନେହବଶେ ଲଗାଇ ହୃଦତଟେ ।୬୩ ।

 

ପଟ ପ୍ରସଙ୍ଗ ମନରେ ହୋଇଲା ।

ତାହା ସେଦିନ କି ହେଲା ବୋଇଲା ।୬୪ ।

 

ବନ୍ଧ ପିତୁଳା ଦେଖୁ ଦେଖୁ ବସି ।

ଗଣ୍ଡେ ଅଇଲା ଯେ ଲୋମ ଉଲ୍ଲସି ।୬୫ ।

 

ହସି ପର୍ଣ୍ଣପାଶେ ଦେଲା ବଦନ ।

କି କହିବି କରିଛି ମୋର ମନ ।୬୬ ।

 

ପ୍ରେମସିନ୍ଧୁ କାମ ଅନାୟତ୍ତରେ ।

ଜିହ୍ୱା ଚାଳିବା ଶ୍ରବଣ ଭିତରେ ।୬୭ ।

 

ନିଧି ନିଷେଧ ଅନଳେ ଆହୁତି ।

କରି ରଚିଲେ ଦିବସେ ସୁରତି ।୬୮ ।

 

କୁଚଅଗ୍ର ବୁଲାଇଲା ରସନା ।

ବେଳୁଁ ବେଳ ହେଲା ହତ ଚେତନା ।୬୯ ।

 

ମୃଦୁ ଥିଲା ଫଡ଼େଉଥିଲା ଲୋଚନ ।

ପୁନଃ ପୁନଃ ଭାଷି ହୁଁ ହୁଁ ବଚନ ।୭୦ ।

 

କଟୀ ସଙ୍ଗତେ ମଦନ ମନ୍ଦିର ।

ଚମକାଇବା କେଡ଼େ ସୁଖକର ।୭୧ ।

 

ମଧ୍ୟ ତନୁକୁ ଜାନୁ ଭୁଜେ ଛନ୍ଦି ।

ମଦ ହତଯାଏ ସେ କଲା ବନ୍ଦୀ ।୭୨ ।

 

ଡୋଳାପିତୁଳା ସେ ଦିନୁ ଘଉଡ଼ି ।

ନେତ୍ର ରହିଲା ସେହି ଶୋଭା ଜଡ଼ି ।୭୩ ।

 

ଏହା ଚିନ୍ତା ଫାଟିଯାରେ ବୋଇଲା ।

ପୁନଃ ପୁନଃ ହୃଦେ କରମାଇଲା ।୭୪ ।

 

ତେଣେ ନୃପକୁମାରୀ ସୁକୁମାରୀ ।

ବସି ଏକାନ୍ତେ କାନ୍ତକୁ ସୁମରି ।୭୫ ।

 

ଆହା ଦିନ ବଞ୍ଚୁଥିବେ କେମନ୍ତେ ।

ଦଣ୍ଡେ ମୂର୍ଚ୍ଛି ନ ପାରନ୍ତି ସେ ମୋତେ ।୭୬ ।

 

ଦିନେ ମନେ ଜାଣିବାକୁ ପତିର ।

ଲୁଚି ରହିଲା ଗୁପତ ମନ୍ଦିର ।୭୭ ।

 

ବଳା ନୂପୁର କିଙ୍କଣୀ ବାହାର । ଆଗୁଁ କରି ବିଚାର ।୭୮ ।

 

ଆସି ଭାଷି ପରାଣେଶ୍ୱରୀ ବୋଲି ।

ଖୋଜିଲେ ଯେ ଅନେକ ପୁର ବୁଲି ।୭୯ ।

 

ଲୋଡ଼ି ପାଇ ପ୍ରକାଶି ଏ ଭାଷା ।

କାହଁଗଲୁ ପ୍ରାୟେ ଦେଇ କି ଦଶା ।୮୦ ।

 

ବୋଲିବାକୁ ନେତ୍ରଁ ନୀର ବାହାର ।

ଅଛି ଏ ପୁରେ କେହିଦେଲା କୀର ।୮୧ ।

 

ତାହା କହିବାକୁ ତାଙ୍କ ଆରତ ।

ଶୁଣି ମୁଁ ନ ପାରିଲି ଚିତ୍ତ ।୮୨ ।

 

ପୋଛି ପଣନ୍ତେ ନୟନ ଜଳକୁ ।

ଧାଇଁ ଯାଇ କାଳେ କଲାବେଳକୁ ।୮୩ ।

 

ବୋଇଲେ ତୁ ଆଉ ଥରେ କପଟ ।

ରସେ ଏ ରୂପେ ହୋଇଲେ ଲମ୍ପଟ ।୮୪ ।

 

କାନ୍ତ ବୋଲି ଡାକିବା ଆଜ ଲୋପ ।

ହୁଅନ୍ତରେ ରସବତୀ କଳାପ ।୮୫ ।

 

ମୁଁ ଯେ ବୋଇଲି ଯାଇକିନା ଊଣା ।

ଚୁମ୍ୱ ଦେଇ ଚିତ୍ତ କଲି ଫୁରୁଣା ।୮୬ ।

 

ଏହି ଭାବ ଗୋଟିକ ସୁମରଣ ।

କର ଲଭନ୍ତି ଏ କ୍ଷଣି ମରଣ ।୮୭ ।

 

ପ୍ରିୟ ନିନ୍ଦା ଯେ ନ ପାରନ୍ତି ସହି ।

ଜୀବ ରଖିଛି ସେକଥାକୁ ମୁହିଁ ।୮୮ ।

 

ରଙ୍ଗ ଅଧର ଅମୃତ ପିଇଛି ।

ତାହା ବ୍ୟର୍ଥ କରିବି ମୃତ୍ୟୁ ଇଚ୍ଛି ।୮୯ ।

 

ଏହା ବୋଲି ସେ ପ୍ରଳୟକୁ ଯାଇ ।

ଶୀତ ଉପଚାରେ ସଖୀ ଚେତାଇ ।୯୦ ।

 

ଚେତି ସୁନ୍ଦରୀ ବୋଲୁଛି ଏମନ୍ତ ।

ମହାସୁନ୍ଦରବର ମୋର କାନ୍ତ ।୯୧ ।

 

ମୋତେ ମାଇଲେ ମରିବୁ ମଦନ ।

ମୁଁ କି ବୋଲିବି ତୁ ତାଙ୍କ ସମାନ ।୯୨ ।

 

ଏହା ବୋଲୁଁ କଥାଏ ମନେ ପଡ଼ି ।

ତାହା ଭାବନା କରି ଗଲି ସଢ଼ି ।୯୩ ।

 

ଦିନେ ଏହି ଶରଦ ରଜନୀରେ ।

ବସିଥିଲୁ ଯେ ଚୂନ ଚାନ୍ଦନୀରେ ।୯୪ ।

 

ଚାହିଁ ଶଶୀକି ମୋର ବଦନକୁ ।

ସମାନ ଆଣିଲେ ତାଙ୍କ ମନକୁ ।୯୫ ।

 

ବଳ ଦେଖିବା ଛଳେ ମୋର ପାଦ ।

ନ ଛାଡ଼ିଲେ ବୋଲୁଁ ଏ କି ପ୍ରମାଦ ।୯୬ ।

 

ଚନ୍ଦ୍ରମୁଖୀ ଯେ ବୋଲଇ ବାନ୍ଧିବି ।

ଛାଡ଼ିଲି ଏ ଦୋଷ ବୋଲ ଛାଡ଼ିବି ।୯୭ ।

 

କହିବାର ଘେନାଘେନି ବଚନ ।

ତୁଲେ ସମ ନୋହେ କୋଟି ରତନ ।୯୮ ।

 

ଏହା ଚିନ୍ତନ କରୁଁ କରୁଁ ମନ ।

ନେତ୍ର ନୀରରେ ଜର ଜର ସ୍ତନ ।୯୯ ।

 

ଅନୁଭବୀକି ଗୋଚର ଏ ରସ ।

ବୁଝାଇଲେ ମୂର୍ଖ ହେବ ସନ୍ତୋଷ ।୧୦୦ ।

 

ପଶୁ ସହିବାର କଷ୍ଟ ନୁହଇ ।

କଲେ ବିଚ୍ଛେଦ କରି କାହିଁ ପାଇଁ ।୧୦୧ ।

 

ତାଙ୍କ ବେଳକୁ ଅନ୍ତର କୋଳରୁ ।

ନ କରନ୍ତି କମଳାଙ୍କୁ ସ୍ନେହରୁ ।୧୦୨ ।

 

ସ୍ନେହ ଦେବ ସରସିଜ ଚରଣ ।

ଉପଇନ୍ଦ୍ର ବୀରବର ଶରଣ ।୧୦୩ ।

 

ଛାନ୍ଦ ନାମ ରସିକ ରତ୍ନମାଳା ।

ଶୁଭେ ଏବେ ଏଠାରୁ ଶେଷ ହେଲା ।୧୦୪ ।

 

Unknown

ତ୍ରିଚତ୍ୱାରିଂଶଛାନ୍ଦ

ବିରହ ହେମନ୍ତ ଋତୁର ବର୍ଣ୍ଣନା

(ରାଗ-କୁମ୍ଭକାମୋଦୀ)

 

ହେମନ୍ତ ଋତୁ ପ୍ରବେଶ ହୋଇ ହେଲା ନବୀନ ବିଧାତା ।

ବେନି ତନୁ ଏକ କଲା ଶୟନରେ ପୁରୁଷ ବନିତା ।

ଜଳ ଆଦର ଅନଳରେ ନିବେଶି ଅନିଳ ଅସ୍ନେହ ।

ଜଳରେ କରାଇ ପୁଷ୍ପବତୀ କଲା ସେବତୀ ସନ୍ଦେହ ।୧ ।

 

ପ୍ରଦୀପ ଛଳେ ଜଳାଇଲା ମନ୍ଦିରେ ହସନ୍ତିମାନଙ୍କୁ ।

ନିଶି ନିଦ୍ରାବେଳେ ନତ କରାଇଲା ଉନ୍ନତ ଜନଙ୍କୁ ।

ଚନ୍ଦ୍ର ଚନ୍ଦନରେ ଆଦର ତୁଟାଇ ରଖିଲା ବସନେ ।

ସମସ୍ତ ତନୁକୁ ଆଚ୍ଛାଦିତ କଲା ଯୁବତୀ ପିଧାନେ ।୨ ।

 

ଦିନ କ୍ଷୀଣ କଲା ରଜନୀ ବୃଦ୍ଧିକି କରାଇ ହରଷେ ।

ସକଳ ଅଙ୍ଗେ ବେପଥୁ ଜାତ କଲା ପବନ ସ୍ପରଶେ ।

ରବି କିରଣରେଆଦର କରାଇ ଚନ୍ଦ୍ରମା ପ୍ରକାରେ ।

ଜାନୁ ଆଲିଙ୍ଗନ କରାଇଲା ଏକା ଦରିଦ୍ର ଜନରେ ।୩ ।

 

ସକଳ ଗାତ୍ର ମସୃଣ କରି ଦେଲା କରଟନିକରରେ ।

ଶୁକ ଶିଶୁଙ୍କୁ ପାଳନକୁ ଉଦୟ କରାଇ ଲୋକରେ ।

କର ଘେନାଇଣ କୃଷକ କୁଳକୁ କରାଇ ଅଋଣୀ ।

କପୋତ ଋତେ କୁହାଇ ଏ କାଳକୁ ଗତିଟି ତରୁଣୀ ।୪ ।

 

କେଦାର ସମ୍ପତ୍ତି ସଦନରେ ସ୍ଥିତି ସତ୍ୱରେ କରାଇ ।

ମନ୍ଦିରେ ପ୍ରତିମନ୍ଦିରେ ମଶାରିରେ ସଖୀଙ୍କି ଶୁଆଇ ।

ଘନ ପ୍ରତିବନ୍ଧଗିରିଙ୍କି ଘୋଡ଼ାଇ କୁଜ୍‌ଝଟି ପ୍ରକାଶେ ।

ଏଋତୁ ଚାହିଁ କୁମାର ବିଚାରଇ ବିରସ ମାନସେ ।୫ ।

 

କି କରିବି ଏ ତୁହିନ ଋତୁ ହୀନ ପଦ୍ମିନୀ ନାଶନ ।

ପ୍ରିୟା ମୋ ପଦ୍ମନୀ ପଦ୍ମପାଣି ପାଣି ସୁବାସ ତେସନ ।

ପଦ୍ମ ପରା ଆଖି ପଦ୍ମମୁଖୀ ପଦ୍ମ ପତର ଉଦରୀ ।

ତାହା ଅଭାବେ ସ୍ୱଭାବେ ମୋ କି ଗତି ଏଥକୁ ମୁଁ ଦରି ।୬

 

ଦାରୁବ୍ରହ୍ମରୁ କେ ବଡ଼ ଘୋଡ଼ା ଲାଗି ଜାଡ଼କୁ ଡରିଣ ।

ଅନଳ କୋଣକୁ ଆଶ୍ରେ କଲେ ଭାନୁତେଜସ୍ୱୀ ହୋଇଣ ।

ଜନ ମଧ୍ୟଗତେ ଶରଣ ପଶିଲା ଅନଳ ଆରତେ ।

ଗୋରୀ କୁଚ ଗିରି ଦରୀ ପାଶେ ନାହିଁ ବଞ୍ଚିବି କେମନ୍ତେ ।୭

 

ବିଧି ବୋଲନ୍ତି ବିଧାତାକୁ କାହିଁକି ଅବିଧ କଲା ତ ।

ଅମୃତ ଭୁଞ୍ଜାଇ ପିଚୁ ମର୍ଦଛଦ ତାମ୍ୱୁଳ ଦେଲା ତ ।

ଏହି ସମୟେ ଯେତେ ରୂପ ଭାବକୁ ଦେଇଛି କିଶୋରୀ ।

ବ୍ରହ୍ମପଦବୀ ପାଇଲେ ତ ନ ଯିବ ମନରୁ ପାସୋରୀ ।୮ ।

 

ଉଷୁମ କୁସୁମହାସୀ ଅଙ୍ଗୁ ଜାତ ଶୀତକୁ ନାଶଇ ।

ପିନ୍ଧିଛି ପତନୀ ଏ ଭ୍ରମ କି ରଙ୍ଗେ ଅଙ୍ଗରେ ମିଶଇ ।

ନୀଶାରେ ନିଶାରେ ଅନାଦର ହେଲେ ରଚେ କି ପୀରତି ।

ଗୁଣ ତ ଅପାର ପଣନ୍ତ ଘୋଡ଼ାଇ ଦିଅଇ ସୁରତି ।୯ ।

 

ମଶାରି ଉଦରେ ଅନ୍ଧାର ଆଲୋକ ଦୀପ ତ ଥିବାରେ ।

ଆଜନ୍ମ ସଖୀ ସୁଖଦାୟୀ ହୁଅଇ ସୁରତି ଦେବାରେ ।

ତାହା ମୋହର ପ୍ରଶଂସା ହୋଇଥାଇ ଯାମିନୀ ବୃଦ୍ଧିକି ।

କିଛି ଅବକାଶ ହେବ ବୋଲି ବନ୍ଧମାନଙ୍କ ବିଧିକି ।୧୦ ।

 

ଯେତେ ମୋହିପରି ତେତେ ବିଧିରସ ହୁଅଇ ଜନିତ ।

ଏଣୁ ବିଚାରୁଛି କ୍ଷୀର ଉପକାର ପରାଣ ଧନୀ ତ ।

ଇକ୍ଷୁରସ ଜାତ ଦ୍ରବ୍ୟ ପ୍ରାୟ ବେଳୁ ବେଳ ସେ ମଧୁର ।

ଏଡ଼ିକି ଅଭାଗ୍ୟବନ୍ତ ମୁଁ ସେ ବାଳା ହୋଇଛି ଅନ୍ତର ।୧୧ ।

 

ଦିନେଟି ଉରୁଁ ଉର ଦୂର ହୋଇଲା ଅଚେତ ବଶରେ ।

ଝଟ ପରା ନିଦ୍ରା ଭାଜିଗଲା ମୋର ଜାଡ଼ର ତ୍ରାସରେ ।

ମନେକଲି ପୁଷ୍ପବତୀ ହୋଇ ପାଶୁଁ ଗଲା କି ସଜନୀ ।

କି ଦଣ୍ଡ ପଡ଼ିଲା ଏ କାଳେ କି ରୂପେ ନେବି ଏ ରଜନୀ ।୧୨ ।

 

ଲୋଡ଼ୁ ଶେଯରେ କୁଚେ ହସ୍ତୁ ପଡ଼ିଲା ହେଲି କି ଆବେଶ ।

ମୃତ୍ୟୁ ପାଇଥିଲା ପିଣ୍ଡରେ ପୁଣି କି ପରାଣ ପ୍ରବେଶ ।

ଅଣିମାଦି ସୁଖ ଆଣିକରି ଆଣି କୋଳକୁ ପାଇଲି ।

ସେହି ପ୍ରକାରେ ନିଧୁବନ ଭବନେ ନୀବୀକି ଫେଇଲି ।୧୩ ।

 

ମଲିଟି ବୋଲି ଭିଡ଼ି ଧରି ମୋତେ ସେଅଳପ କମ୍ପିଲା ।

ଆଜ ଏକି ରଙ୍ଗ ବୋଲି ସେ ସୁରଙ୍ଗ ଅଧର ଚାପିଲା ।

ମଦନ ଆଣିକି ଭାଙ୍ଗିଲି ସେ ଦିନ ସମସ୍ତ ରୂପରେ ।

ରସ ଜାଣିବାକୁ ଯୁବତୀ ନ ଥିବ ଜଗତେ ତା ପରେ ।୧୪ ।

 

ବାନ୍ଧିବାକି ଦିନେ ବନ୍ଧ ବିଧାନରେ କୋଳରେ ବସାଇ ।

ମୋ ମୁଖ ପାନ ତା ମୁଖେ ଦେଲି ଓଷ୍ଠ ଓଷ୍ଠରେ ମିଶାଇ ।

ମୋ ମୁଖେ ତୁ ଦିଅ ଲେଉଟାଇ ବୋଲି ନ କଲା ସମ୍ମତ ।

ବୋଇଲା ପଣତ ପ୍ରସାରି ମାଗୁଛି ନ ବୋଲ ଏମନ୍ତ ।୧୫ ।

 

ମୁଁ ବୋଇଲି ବନ୍ଧୁ ଅଧରବିଧୁରୁ ମଧୁକୁ ମୁଁ ନ ପାଇ ।

ଏଥକୁ ବିରୋଧି ଲାବଣ୍ୟନିଧିରେ ହେଉଛୁ କିମ୍ପାଇ ।

ବୋଇଲା ଦେବତା ପ୍ରତିଷ୍ଠା ସରଘା ଉଚ୍ଛିଷ୍ଟ ରସରେ ।

ତେମନ୍ତ ହୋଇଅଛି କି ଆଉ କଥା ବିହୀନ ଦୋଷରେ ।୧୬ ।

 

ଭାଷାରେ ଜିଣି ନ ପାରି ମୁଁ ପ୍ରିୟାର ଚୁମ୍ୱିଲି ଲପନ ।

ଆଉ ସେ ବିଧିରେ କେଳି ରଚିବାର ଦେଖିଲା ସ୍ୱପନ ।

ନିଦ୍ରାହିଁ ହେଲେ ନୟନେ ନ ଆସଇ ସ୍ୱପନେ ସଙ୍ଗତି ।

ହେଉଥିଲେ ମୋର ହେଉଥାନ୍ତା ଟିକିଏ ରୂପେ ସୁଗତି ।୧୭ ।

 

ତାମ୍ୱୁଳ ଭାଙ୍ଗି ବଢ଼ାଇ ଦେଉଁ ଦିନେ ସେ ଅନୁରାଗରୁ ।

ଯାଚିକି ତୁଚ୍ଛା କର କାମ କାତରେ ବଶେ ମୋ ଭାଗ୍ୟରୁ ।

ଚେତାଇ ଦେଲି କକ୍ଷତଳେ ଚଳାଇ ମୁଁ ତୀକ୍ଷ୍‌ଣ କରଜ ।

ଲାଜ ପାଇଲା ପରି ହୋଇ ନୁଆଁଇ ବଦନ ସରୋଜ ।୧୮ ।

 

ପୁରେ ରହି ଯାଇ କପାଟେ ପାରୁଶେ ବକ୍ରରେ ଅନାଇ ।

ମନକୁ ମୋର ଅଧୀନ କରି ନେଲା ତକ୍ଷଣେ ମନାଇ ।

ଅର୍ଦ୍ଧଅଙ୍ଗ ଅଙ୍ଗୀକାର ହେଉଛି କି ଭାଷୁଁ ମୁଁ ସହୀକି ।

ଶରୀରଯାକ କାହାର କହ ପ୍ରିୟା ଭାଷିଲା ତହିଁକି ।୧୯ ।

 

ବିଶେଷତ କିଣା ବୀଣା ବଚନନୀରେ ଏଗୀରେ ହୋଇଲି ।

ପଲ୍ୟଙ୍କ ଅଙ୍କ କର ଧରି ନେଇ ସୁରସ ବିହିଲି ।

ନୀବୀ ବାନ୍ଧୁ ବାନ୍ଧୁ ଅଧର ଭିଡ଼ଇ ସ୍ୱଭାବେ ରଦନ ।

ବୋଇଲି କାହାକୁ ଏଡ଼େ କୋପ ପକାଇଲାଣି ମଦନ ।୨୦ ।

 

ତହିଁକି କହିଲା ମୁଁ ନିକି ଭାଜନ ଏମନ୍ତ ଭଙ୍ଗୀକି ।

ଘେନାଘେନିରେ ତୁଲ ହୋଇ ନାହିଁତ କୋମଳ ଅଙ୍ଗୀକି ।

ବନ୍ଧ ଭେଦରେ ଲାଗିଥିଲା ଅଳତା ଲଲାଟେ ଚାହିଁଲା ।

ପୋଛି ଦେଇ ମୋତେ ସଖୀକି ବୋଲନ୍ତେ ବୋଲି ସେ ଚାହିଁଲା ।୨୧ ।

 

ମୁଁ ବୋଇଲି କି ବୋଲନ୍ତେ କିମ୍ପା ତୁ ମୋର ଶିରର ଭୂଷଣ ।

ତୁ ଅବା ମନକୁ କି ଘେନିଛୁ ମୋତେ କୁହଇ ଭୂଷଣ ।

ଏ ବଚନେ କୃତକୃତ୍ୟ ହେଲା ପରା ହୋଇଲା ଜୀବନ ।

ଲୁଚି ହୋଇଯାଇ କି ନା ବୋଲି ଦେଲା ଅମୂଲ୍ୟ ଚୁମ୍ୱନ ।୨୨ ।

 

କବରୀ କରିଦିଅ ମୋତେ ପ୍ରତ୍ୟକ୍ଷେ ନ ବୋଲେ ବାଳିକା ।

କୁନ୍ଦର କରବୀର କୁସୁମ ମିଶାଇ ବିରଚି ମାଳିକା ।

ସୁନ୍ଦରମାଳା ହେଲା ବୋଲି ଦେଖାଇ ଧଇର୍ଯ୍ୟ ଖଣ୍ଡନା ।

ରମଣୀ ହୃଦୟମଣୀ ମୁଁ କେଶ କରନ୍ତେ ମଣ୍ଡନା ।୨୩ ।

 

ଅନୁଗ୍ରହ ପାଇଲାର ଭୃତ୍ୟ ପରି ଓଳଗି କରଇ ।

କେମନ୍ତ ଘେନାଘେନି ଘେନି ସୁମନା ମନକୁ ହରଇ ।

ଚାହୁଁ ସ୍ନେହ ବଶେ ବସାଉଁ କୋଳେ ମୁଁ ଲାବଣ୍ୟବତୀକି ।

ଥରେ କେତେ ଖସିବସି ଅବନୀରେ ବଢ଼ାଇ ପ୍ରୀତିକି ।୨୪ ।

 

ଆଉ ପାଇବିକି ଯୁବତୀ ବରକୁ ନୋହୁଛି ପରତେ ।

ଯୋଗୀ ହୋଇ ଯାଇ ଦେଲା ଭାବ ମାନ ଜପିବି ନିରତେ ।

ବାଞ୍ଛାତରୁ ତଳେ ବସି କାଶବାସୀ ତୋଷି ଏ କାମନା ।

ଗଙ୍ଗାସାଗରେ ଝାସ ହେଲେ ଲଭିବ ଗଜେନ୍ଦ୍ର ଗମନା ।୨୫ ।

 

ଯେଉଁ ରୂପେ ହସେ ମୁଖୁଁ ସୁଧା ଖସେ ଦିଶେ ସେ ଦିଶୁଛି ।

ଯେଉଁ ରୂପେ ଆସେ ପୁରତେ ମୋ ବସେ ମନେ ସେ ପଶୁଛି ।

ଯେଉଁ ରୂପେ ଭାଷେ ବଚନ କର୍ଣ୍ଣେ କି ଏ କ୍ଷଣି ଦହୁଛି ।

ତେବେ ଅତ୍ୟନ୍ତ ଶୀତଳ କରୁଥିଲା ଏବେ ତ କହୁଛି ।୨୬ ।

 

ଏଣୀ ନୟନାକୁ ପାଇଲେ ଏଣିକି ଏମନ୍ତ କରିବି ।

ଦଣ୍ଡେ ହେଁ ନ ଛାଡ଼ି ଚକ୍ଷୁ ନ ପିଛାଡ଼ି କୋଳରେ ଧରିବି ।

ମୁହିଁ ସଖୀ ହୋଇ ନୀତିକି ବଢ଼ାଇ ଦେବି ଯେ ତାହାର ।

ନିୟମ ପକାଇ ପଞ୍ଚଗ୍ରାସୀ ପରି କରିବି ଆହାର ।୨୭ ।

 

ଦିବସ କାଳରେ ରତି ସିନା ନାହିଁ କରିଛି ଦଇବ ।

ଭୁଜେ ଭୁଜ ଛନ୍ଦାଛନ୍ଦି ହୋଇ ହୃଦ ଉପରେ ଶୋଇବ ।

ବର୍ତ୍ତି ଥିବା ଯାକ ବ୍ରତୀ ହୋଇଥିବି ତାହାକୁ ପାଇଲେ ।

ରତି କେବଳ ନିଷେଧ ନ କରିବ ଏମନ୍ତ ହୋଇଲେ ।୨୮ ।

 

ରାତି ତ ରାତି ଦିବସ ଏହି ମତି କରିବି ମୋ ମନ ।

ଯେବେ ଗାଉଥିବ ଛାଇ ପ୍ରାୟେ ପଛେ କରିବି ଗମନ ।

ଗଣ୍ଠି ଦେଇଥିବି ବସନେ ବସନ ରଜନୀ ଦିବସେ ।

ଏମନ୍ତ ଯତ୍ନ କରିଥିଲେ ଆଉ କି ଅନ୍ତର ହେବ ସେ ।୨୯ ।

 

ବିଚାରୁ ବିଚାରୁ ଭୀରୂଭାବମାନ ଲଭିଲା ମୋହକୁ ।

ଶୀତ ଉପଚାରରେ ସଖାଏ ସାନ୍ତ୍ୱନା କଲେ ତା ଦେହକୁ ।

ଜ୍ଞାନବଶେ ଭାଷେ ଏରୂପେ ଦିନେତ ବିଅର୍ଥ ମରଣ ।

ଲଭିବି ପ୍ରିୟା ଆହା କଲେ ସିନା ମୁଁ ଲଭନ୍ତି କାରଣ ।୩୦ ।

 

ବୁଝାଉ ଥାଇ ଜୀବ ତୋତେ କେତେ ମୁଁ ନ କଲୁ ବୋଲରେ ।

ଥାଉ ଥାଉ ଜୀବେଶ୍ୱରୀ ସୁକୁମାରୀ ସୁନ୍ଦରୀ ତୁଲରେ ।

କହୁ କହୁ ପ୍ରିୟା ବୋଲି ତାକୁ ଚାହୁଁ ଚାହୁଁ ତା ମୁଖକୁ ।

ଯାଇଥିଲେ ପାଇଥାନ୍ତି ତୁ ପରମ ନିର୍ବାଣ ସୁଖକୁ ।୩୧ ।

 

ତେଣେ ନୃପସୁତା ବିରହ ଆରତେ କହଇ ସଖୀକି ।

ସତେ ପରାଣ ଈଶ୍ୱରଙ୍କୁ ବାରେ ମୁଁ ପାଇବି ଦେଖିକି ।

ଅଭିନ୍ନ ବୋଲି ଡାକୁଥାନ୍ତି ମୋତେ ସେ କି ଘେନି ମନରେ ।

ଅକାର ହରଣ କଲାତ ବିଧାତା ଅଳପ ଦିନରେ ।୩୨ ।

 

ଏକା ହୋଇ ଏ କଠୋର ଯାମିନୀରେ କେମନ୍ତେ ଶୋଇଲେ ।

ନୃପତି ନନ୍ଦନ କଷଣ ସହ ସେ ନୁହନ୍ତି ଦଇବେ ।

ନ ପୁଣି ମୋ ଆଶା ଛାଡ଼ି ଆନେ ଆଶା କରି ସେ କୁମାର ।

ଦିନ ବଞ୍ଚୁଥିବେ କେମନ୍ତେ ଆସିବେ ପୁରୁଷ ଭ୍ରମର ।୩୩ ।

 

ଏମନ୍ତ ହୋଇଥିଲା ତ ଭଲ କଥା ଥିବାର ସେ ଜୀବେ ।

ଦିନ ଦିନକ ପୀରତି ଭାବି ମୋର ଲୋତକ ତେଜିବେ ।

ମୋହ ପ୍ରସଙ୍ଗ ଦିନେ ଦିନେ ବଲ୍ଲଭୀ ଆଗରେ କହିବେ ।

ଆଉ ନିକି ଜୀବେ ଥିବ ବନ୍ଧୁ ତୋର ଆକୁଳ ହୋଇବ ।୩୪ ।

 

ସଖୀ ଜେତାଇ କହିଲେ ରେ ସଜନୀ ତୁହି ତ ଗୁଣିକ ।

ଜଉ ବିଦମାଳ ଘେନାଇଁ ଯେ ପୁଣି ବହଇ ମାଣିକ୍ୟ ।

ଦିନକ ପଥ ମାସକେ ନ ସରିବ ଦୁର୍ବଳ ବଶରେ ।

ତୋର ଆଶାରେ ଆସି ସେ ହୋଇବେନି ନିକଟ ଦେଶରେ ।୩୫ ।

 

ସ୍ୱପନେ ଦେଖିଲି ଜନକ ନନ୍ଦିନୀ ସ୍ୱରୂପେ କାମିନୀ ।

କହିଲେ ନିକଟେ କାନ୍ତକୁ ଲଭିବ କରନ୍ଦ୍ରୀ ଗମନୀ ।

କହେ ଉପଇନ୍ଦ୍ର ବୀରବର ଆଶା ଏଣୁ ତା ଉଦିତ ।

ରସିକ ଭ୍ରମର ତୋଷଦ ମାଳତୀ ଏ ଛାନ୍ଦ ବିଦିତ ।୩୬ ।

 

ଚତୁଃଚତ୍ୱାରିଂଶ ଛାନ୍ଦ

ବିରହେ ଶିଶିର ଏବଂ ବସନ୍ତ ଋତୁ ବର୍ଣ୍ଣନ

(ରାଗ- ବିଚିତ୍ରଦେଶାକ୍ଷ)

 

ଶିଶିରକାଳ କାଳ ପ୍ରାୟ ପ୍ରବେଶ ନାଶ କଲା ପଦ୍ମିନୀକି ।

ଦିନବନ୍ଦୁ ପରା ପତି ଥାଉଁ ବାଜେ ନଗର ପାଶେ ତହିଁକି ।

ଶିବାଧ୍ୱନି ଡେଙ୍ଗୁରକ ।

ବିଯୋଗୀ ଶୁଣି ଉତ୍ସୁକ ।୧ ।

 

ତୁଷାର ଜଳରେ ପ୍ରଳୟ ରଚିଲା ବିଦେଶୀ ନ ପାଇ ସ୍ଥଳ

ମକର ମୁଖରୁ ଆଉକି ବଞ୍ଚିବା ଭାବି ସେ ହେଲା ବିକଳ

ରଜନୀ ପାଶରେ ଜନ ।

ବନ୍ଧନ ପରା ଶୟନ ।୨ ।

 

ଏମନ୍ତ ଋତୁକୁ ଚାହିଁ ନୃନସୁତ ଲୋଚନେ ଲୋତକ ଭରି

ଘେନି ମାଘକୁ ବାଘକରି ମନରେ କରୁଅଛି ପୁରଃସରି ।

ମୋତେ ନ କଲେ ଆହାର ।

ପୂରିବ ତୁମ୍ଭ ଉଦର ।୩ ।

 

ବାଳାଦୁଃଖେ ଦୁଃଖୀ ବାଳସୁଖେ ସୁଖୀ ସମସ୍ତ ପ୍ରକାର ମୁହିଁ

ମୋ ଆୟୁଷ ପାଇ ଜିଇଁଥାଉ ପଛେ ଶବଦ ଅମ୍ବୁଜ ମୁହିଁ ।

ଏ ରୂପେ ଯେଉଁବାଳାକୁ ।

ଦେଖିବ ତେଜିବ ତାକୁ ।୪ ।

 

ଶ୍ରାବଣଗିରି ଶୋଭାକୁ ବହିଥିବ ଯାହାର ଉତ୍ତୁଙ୍ଗ ସ୍ତନ ।

ଲୋତକ ଜଳରେ ଜରଜର ହୋଇ ନ ଥିବ ପତ୍ରାଳି ପୁନଃ

ରାମା କାମ କୋପଭରୁ ।

ବିଗତି ପରାୟ ତରୁ ।୫ ।

 

ଅର୍ଦ୍ଧଶଶୀ ଅର୍ଦ୍ଧ ନବଜଳଧର ଖଣ୍ଡେ ଗଲା ପ୍ରାୟ ପଶି

ବଢ଼ି ଯାହାର ଅଚଳ ବଳିଥିବ ଝଳି ଅଳକକୁ ଗ୍ରାସି ।

ତାଟଙ୍କ କଟକ ଦୁଇ ।

ଯେ ମାତ୍ରକ ଥିବ ବହି ।୬ ।

 

ସଖୀ ଅବା ଲେଖି ଦେଉଥିବେ ନୟନେ କଜ୍ଜ୍ୱଳ ଗାର

ମଧୁକ ପୁଷ୍ପ ଭୃଙ୍ଗପରି ସେ ଜଳ ଗଣ୍ଡେ ରହିଥିବ ଯାର ।

ଦେଖି ସେ କମଳ ନାଡ଼ ।

ସୁମରୁଥବ ଗରୁଡ଼ ।୭ ।

 

କଷିଟି ପାଷାଣେ କାରବାନିସୁନା ଗିରାପରା ହୋଇ ସେହି ।

ପଙ୍କଜ ପଲ୍ଲବ ଶେଯେ ଶୋଇଥିବ ମୋହରି ବଲ୍ଲଭୀ ସେହି ।

ଛାଡ଼ିବୁ ତାକୁ ମାତର ।

ଏତିକି ପ୍ରାର୍ଥନା ମୋର ।୮ ।

 

ତୁ ଅବା ବୋଲିବୁ ତୋର ସୃଷ୍ଟି ବୁଡ଼ିବ ଗଲାଠାରୁ ତୋର ଜୀବ

ତା ଶୁଭ ଏଥିକି ବାଞ୍ଛାକରଇ ମୁଁ ମୋତେ ସେ ଗତି କରିବ ।

ଜଳଦାନ ଲୋତକରେ ।

ରୋଦନସ୍ୱନ ବାକ୍ୟରେ ।୯ ।

 

ଆହୁରି କଥାଏ ଯଥା ଏକ ନାମ ଅଶ୍ୱିନୀକୁମାର ଦୁଇ

ସେହି କଥା ପ୍ରକାରେ ତା ପ୍ରାଣ କେବଳ ଯୁଗଳ ଦେହୀ ।

ଯେବେ ମୋର ପ୍ରାଣ ଯିବ ।

ବାଳା ଦେହେ ସମ୍ଭାଇବ ।୧୦ ।

 

ଜବାଧରୀ ଦେହ ଇତର ନୁହଇ ଯୁବାକୁଣ୍ଠ ପୁର ।

ପରମ ପଦବୀ ଏମନ୍ତ ବୋଇଲେ ଭୋଗ ନୋହିବ କି ମୋର ।

ଏସନ ଭାବନା କରି ।

ଶିଶିର ଋତୁକୁ ହରି ।୧୧ ।

 

ଏ ଅନ୍ତେ ମନୋହର ହୋଇ ପ୍ରବେଶ ହୋଇଲା ଋତୁ ରାଜନ

ପଞ୍ଚମ ସ୍ୱରରରେ ପରଭୃତ କଲେ ମଙ୍ଗଳ ଗୀତ ଗାୟନ ।

ଝିଙ୍କାରିଝଙ୍କାରସ୍ୱର ।

ବାଜିଲା ବିଜୟ ତୂର ।୧୨ ।

 

ନବପଲ୍ଲବ ଚଳିତ ଛଳେ ଚାଳେ ଖଦି ତରୁ ପରିକର

କୁବେଲି ମୂଳ ଚାମର ପରି ସେହୁ ନିରତେ କରି ଆଦର ।

ଉଡ଼େ କୁସୁମ ପରାଗ ।

ପ୍ରକାଶ ଚର୍ଚ୍ଚରୀ ରଙ୍ଗେ ।୧୩ ।

 

ଭୃଙ୍ଗଧ୍ୱନିଛଳେ ନବ କମଳିନୀମାନେ ଦେଲେ ହୁଳହୁଳି

ନାଗେକେଶ୍ୱରୀ ପାଦପ ପୁଷ୍ପଛଳେ ଧଇଲା କି ଛତ୍ର ତୋଳି

କାନନ ମଗରେ ଜଳି ।

ସୁନାରୀ ବଜ୍ର ପାଟଳୀ ।୧୪ ।

 

ମଲ୍ଲିକା ଆଳିକା ଚମ୍ପା ନିଆଳିକା ନବୀନ କୁସୁମବତୀ

ତଥାପି ମହିଷୀ ସଲିଳ ଅଙ୍କରେ ଶୟନେ ବଳାଇ ମତି ।

ମଳୟ ପବନ ଚାର ।

ସଧୀରେ ଆଗେ ପ୍ରଚାରେ ।୧୫ ।

 

କାମସେନା କି କେତକୀକଢ଼ ଯମଦାଢ଼କୁ କରି ବିକୋଷ ।

ବିଦେଶୀ ପରେ ତର୍ଜ୍ଜନା ଏକ କରେ ଏଥିରେ କରିବି ନାଶ ।

ଛୁରିଅନା ହୋଇ ବାଣୀ ।

ପ୍ରକଟ ହୋଇଲା ପୁଣି ।୧୬ ।

 

କାମମିତ୍ର ମନ୍ତ୍ରୀ ଏମନ୍ତ ଶିଖାଇ ବିଦେଶୀ ଗୋତ୍ର ନ ରଖ

ଜ୍ଞାନ ଧନମାନ ଲୁଟି କରିବାକୁ ଲେଖିବା ସନ୍ତକ ଲେଖ ।

ସମ୍ପାଦି ଏଣୁ କେତକୀ ।

ବିଯୋଗୀ ବଡ଼ ପାତକୀ ।୧୭ ।

 

ଏ ରସମୟ ସମସ୍ତକୁ ଅନାଇଁ ବିକଳେ ଲାବଣ୍ୟବତୀ

ବିଚାରେ ଏ ଯୁବାବୟସେ ଏ ମାସେ ମୋର କୋଳେ ନାହିଁ ପତି ।

କେମନ୍ତେ ବଞ୍ଚିବି ଦିନ ।

କି କଲେ ପଦ୍ମଲୋଚନ ।୧୮ ।

 

ଚନ୍ଦନ ପିଚିକା ସଜାଡ଼ି ମାରନ୍ତି ମୋ ଉର କରି ଯେ ଲାଖ

ତାହା ବଞ୍ଚାଇ ମୁଁ ନଚାଇଲେ ଭୂରୁ ଜନମନ୍ତି କେଡ଼େ ସୁଖ

ବୋଲନ୍ତି ଚାପରେ ବାଣ ।

ସନ୍ଧି କରିବୁ ରଣ ।୧୯ ।

 

ରତିଶ୍ରମରେ ଘର୍ମ ହେଲେ ବାହାର ପୁଚ୍ଛନ୍ତି ବାଧିଲା କିରେ

ଶେଷରେ ବାସରେ ପୋଛିଦେଇ ଚୁମ୍ୱଦିଅନ୍ତି କେଡ଼େ ସ୍ନେହରେ ।

ଲେପନ୍ତି ଚନ୍ଦନ ତନୁ ।

ସେ ଭାବ ଯିବ ମନୁ ।୨୦ ।

 

ଏ ଭାବ ସୁମରି ନିଶ୍ଚେ ଏବେ ମଲିଦିନେ ନାଗେଶ୍ୱର ଗୁଣ୍ଡ

ମୁଚୁଳି କରିବା ବ୍ୟାଜରେ ଅଣାଇ ମୋର ଉରଜରେ ମଣ୍ଡି ।

ଆଲିଙ୍ଗନରେ ପ୍ରମୋଦେ ।

ହୃଦ ଲଗାଇଲେ ହୃଦେ ।୨୧ ।

 

ମୁହିଁ ଅଳପ ହସିଲା ହୋଇଲାକୁ ବୋଇଲ ଦିଶିବ ଶୋଭା

ନିତି ଆରାମକୁ ଯାଇଁ ଏହିପରି କରିବା କନକ ପ୍ରଭା ।

ରହିଲି ମୁଁ ଲାଜ ପାଇ ।

ବୋଇଲେ କର ତୁ ହୋଇ ।୨୨ ।

 

ଏମନ୍ତ କହୁଁ ସେ ସହୀକି ମହୀକି ମହିଳାରତନ ଢଳି ।

ଏ ଋତୁ ଆଗମେ ଭାଳି ନ ପାରିଲା ବଲ୍ଲଭ ବଲ୍ଲଭୀ କେଳି ।

ସୁମରି ଶ୍ରୀ ରାମଚନ୍ଦ୍ର ।

କହେ ଭଞ୍ଜ ଉପଇନ୍ଦ୍ର ।୨୩ ।

 

ପଞ୍ଚଚତ୍ୱାରିଂଶ ଛାନ୍ଦ

ଚନ୍ଦ୍ରଭାନୁର କୀର୍ତ୍ତି ଓ ଯୁଦ୍ଧ ବର୍ଣ୍ଣନ

(ରାଗ-ବିଭାଗ ଗୁଜ୍ଜରୀ )

 

ଏ ଅନ୍ତେ ଶୁଣ କୋବିଦେଚନ୍ଦ୍ରଭାନୁ କୀର୍ତ୍ତି ଉଦେ

ଏତେ ସ୍ଥାନେ ଚନ୍ଦ୍ର ହେବ ହେ ।

ଜମ୍ୱୁ ପ୍ଳକ୍ଷ କୁଶ କ୍ରୌଞ୍ଚଶାକ ଶାଳ୍ମଳୀରେ ଘଞ୍ଚ

ହୋଇ ପୁଷ୍ପରକୁ ବୋଲି ଯିବ ହେ ।୧ ।

 

ଏଥିରେ ନୁହନ୍ତେ ଠାବବିଳେ ପଶି ତଳେ ଯିବ

ଅତଳ ନିତଳ ବିତଳକୁ ହେ ।

ଗଭସ୍ତି ମହାକ୍ଷ ଘେନସୁତଳ ପାତାଳ ସ୍ଥାନ

ନିରତେ କରିବ ଉଜ୍ଜ୍ୱଳକୁ ହେ ।୨ ।

 

ପାଦ ବିଧୁ ପାବଚ୍ଛରେଦେଇ ଗମିବ ସ୍ୱଚ୍ଛରେ

ଊର୍ଦ୍ଧ୍ୱକୁ କୀର୍ତ୍ତି ପଟଳତାର ହେ ।

ଭୂର୍ଭୂବସ୍ୱ ମହାଜନତପ ସତ୍ୟାଦି ଭୁବନ

ଗ୍ରାସେ ହୋଇ ପୃଥୁ କଳେବର ହେ ।୩ ।

 

ଫୁଟିବ ବ୍ରହ୍ମାଣ୍ଡ ଭାଣ୍ଡଅତି ବୃଦ୍ଧି ହୋଇ ପିଣ୍ଡ

ଉପରକୁ ଯିବ ସେ ବାହାରି ହେ ।

ପ୍ରଳର ଅବକାଶଯହିଁରେ ନାହିଁ ତ ଯଶ

ଚିର ହୋଇ ରହିବ ବିହରି ହେ ।୪ ।

 

ଯେବଣ ଉତ୍ତର କୁରୁ-ବାସୀ ଅସ୍ରପ ଭୟରୁ

ରମ୍ୟକ ଭଦ୍ରାସ୍ୱ ନିଦ୍ରା ନୋହ ଯେ ।

କମ୍ପୁଥାଇ କିଂପୁରୁଷଏଳାବୃତ ହରିବିଷ

କେତୁମାଳ ଉଚ୍ଛନ୍ନ କରାଇ ଯେ ।୫ ।

 

ପାଦଘାତେ ଟଳେ ଯାରହିରଣ୍ମୟ ନିରନ୍ତର

ହିମାଳୟ ତଳ ଋଷି ଗ୍ରାସି ହେ ।

ହେ ଭାରତ ଖଣ୍ଡବୀର ଚନ୍ଦ୍ରଭାନୁ ରକ୍ଷାକର

କୋଟି ପରିମିତ ଉଚ୍ଚେ ଭାଷି ହେ ।୬ ।

 

ଉପସ୍ଥିତ ଅଦଭୁତେସ୍ୟନ୍ଦନେ ହେଲା ପୁରତେ

ଦିବ୍ୟାୟୁଧେ ହୋଇଛି ମଣ୍ଡିତ ଯେ ।

ସୂତ ହେଲା ମନ୍ତ୍ରୀ ସୁତପାଶେ ଆଉ ତିନି ମିତ

ଗଲାସେ ଅରି କରି ଖଣ୍ଡିତ ଯେ ।୭ ।

 

ରିପୁବଳ ଚାହିଁ ବପୁପ୍ରକାଶ କରଣେ କୋପୁଁ

ଅଟ୍ଟହାସ ପରକାଶ କଲା ହେ ।

ସ୍ପୁଟ କୋକନାଦ ପ୍ରାୟେନେତ୍ରଯୁଗ୍ମ ଶୋଭାପାଏ

ବାହାସ୍ପୋଟ ପୁନଃ ପୁନଃ ଦେଲା ହେ ।୮ ।

 

ଅଧରେ ରଦନ ତହିଁଚାପରେ ରୋପ ବସାଇ

ବୀରକେଶରେ ପକାଇ କର ହେ ।

ଅଶନି ଅଭେଦ ପିଣ୍ଡ-ମାନ କଲା ଖଣ୍ଡ ଖଣ୍ଡ

ଶରଯ ଉପରେ ପ୍ରହାରି ଶର ହେ ।୯ ।

 

ତହିଁ କାଣ୍ଡ ଜଳଧରଇନ୍ଦ୍ରଧନୁ ଜଳପରା

ପୁଣି ପୁଣି ଧ୍ୱନିତ ସ୍ତନିତ ହେ ।

କର କୃପାଣ ଝଟକଶମ୍ପା ଚହଟ ଛଟକ

ବାଟୁଳି କରକାବଳୀ ମତ ହେ ।୧୦ ।

 

ଏମନ୍ତ ବୃଷ୍ଟି ସମ୍ପାଦିତତ୍କାଳେ ଏମନ୍ତ ନଦୀ

କବନ୍ଧ ନାଟ ପ୍ରକଟ ହୋଇ ଯେ ।

କୀଲାଲ କି ଲାଲ ଫଳଜମ୍ୱାଳ ହେଲା ଆବିଳ

ପତାକା ଲହରୀ ଶୋଭା ଯହିଁ ହେ ।୧୧ ।

 

ସ୍ୟନ୍ଦନ ତରଣୀ ଶିରଉତ୍ପନ୍ନ କୁମ୍ଭୀ କୁମ୍ଭାର

ମୀନ ତୁରଙ୍ଗ ବସନେ ଫେନ ହେ ।

ଚର୍ମ ଆଡ଼ଣୀ କମଠଭୁଜ ତୁରଙ୍ଗ ପ୍ରକଟ

ପତ୍ତି ଆର୍ତ୍ତବର ଭେକ ସ୍ୱନ ହେ ।୧୨ ।

 

ପରିପନ୍ଥା ଦମ୍ଭ ତଟ ବିଟପୀ ହୋଇଲେ ଭ୍ରଷ୍ଟ

ବୁଡ଼େ ଦୁଷ୍ଟକୁଳେ ଚାହିଁବାରେ ହେ ।

ରବି ରଥ ମଧ୍ୟ ପଥପୂର୍ଣ୍ଣ ହେଲା ଦେବସୁତ

ଶ୍ରମ ହେଲେ ରଥ ବାହିବାରେ ଯେ ।୧୩ ।

 

ଚାଳନା କରି ଚାମରବ୍ୟଥା ଅପସରିବାର

ମଳୟାଦି ଗନ୍ଧସାର ଶେଷ ହେ ।

ଚଇତ୍ରରଥ ନନ୍ଦନହୋଇଲେ ପୁଷ୍ପ ବିହୀନ

ଅତି ସଘନ ଶମନିବାସ ହେ ।୧୪ ।

 

କେଶ ମୁକୁଳା ବିବାସଦର୍ଶନେ ତୃଣ ଅଜସ୍ର

ପଳାୟିତ ରିପୁ କମ୍ପ ବଶେ ହେ ।

ସ୍ତିରୀ ଧରି ନାରୀମଧ୍ୟ କେ ନିବାସ କରି

ଲତା ବୃକ୍ଷ ବୀର ପ୍ରାୟେ ଦିଶେ ହେ ।୧୫ ।

 

ଅରି ନାରୀଏ ତ୍ୱରିତରୋଦନ ସ୍ୱରେ ପୂରିତ

ହରିତମାନଙ୍କୁ ତହିଁକଲେ ହେ ।

କଶ୍ରୁରେ ପଙ୍କିଳ ମହୀହେବାରେ ହାଳିକେ ଚାହିଁ

କୃଷି କାରଣେ ଉତ୍ସାହୀ ହେଲେ ହେ ।୧୬ ।

 

କଚାଡ଼ୁଁ କର କଙ୍କଣବିଞ୍ଚି ହେଲେ ରତ୍ନ ଗଣ

ବୁଣିଲାର ପ୍ରାୟ ଶସ୍ୟ ବୀଜ ହେ ।

ଚିତ୍ତରେ କରୁଣା କରିଛାଡ଼ିଦେଲା କେତେ ଅରି

ନବରସେ ନବଗ୍ରହ ଏହି ହେ ।୧୭ ।

 

ଦେଖି ନୃପଜ ଚରିତଦେବଙ୍କୁ ଦେବେ କଥିତ

ନବରସେ ନବଗ୍ରହ ଏହି ହେ ।

କୃପାରେ ସୁର ନିଶ୍ଚୟବୀରସେ କେତୁ ପ୍ରାୟ

ଆଦି ରସେ କବିପଣ ବହି ହେ ।୧୮ ।

 

ଅଦ୍ଭୁତେ ମଙ୍ଗଳେ ସତହାସ୍ୟରେ ମନ୍ଦ ବିଦିତ

ଭୟାନକେ ତମ ପରି ଜାଣ ହେ ।

ଗ୍ରହବୀର ବୀଭତ୍ସରେବୁଧ ଏ ରୌଦ୍ର ରସରେ

ଶାନ୍ତରେ ଚନ୍ଦ୍ରପରି ଜାଣ ହେ ।୧୯ ।

 

ଏଶତ୍ରୁ ସିଂହ ରାଶିରେକ୍ରୀଡ଼େ ଆମ୍ଭ ଉପକାରେ

ଏବେ ହେଉ କନ୍ୟାରେ ଏ ଯୋଗ ହେ ।

ଶାପକାଳ ହେଲା ଲୋପବିନାଶ ମାନସ ତାପ

ପୁରେ କରୁ ମହାମହ ଭୋଗହେ ।୨୦ ।

 

ଏସନ ସନ୍ତୋଷ କ୍ଷଣେରଥ ଉଡ଼ିଲା ଗଗନେ

ଭ୍ରଥଖଣ୍ଡେ ଛାଡ଼ି ଅନ୍ତର୍ଦ୍ଧାନ ହେ ।

ପିଶାଚ ପ୍ରେତ କୁଷ୍ମାଣ୍ଡଜମ୍ୱୁକଡାକିନୀ ରୁଣ୍ଡ

ଗୃଧ୍ରବୃନ୍ଦ ମଣ୍ଡିଲେ ଶ୍ମଶାନେ ହେ ।୨୧ ।

 

ଭୂତ ମଧ୍ୟରେ ଅଧପଏ ତିନିହେଁ ଚଣ୍ଡରୂପ

ଅଘୋରଘଣ୍ଟ କପୋଳଘଣ୍ଟ ହେ ।

ଚାହିଁ ବିସ୍ମୟ ହୋଇଲେକି କୃତ୍ୟ କଲା ବୋଇଲେ

ଏକାଳେ ପ୍ରେତ ହେବେ ତୁଷ୍ଟ ହେ ।୨୨ ।

 

ଭାରତେ ଏ ରୂପେ ରକ୍ତନଦୀ ହୋଇଥିଲା ବ୍ୟକ୍ତ

ବୋଲି ଚଣ୍ଡରୂପ ପ୍ରଚାରିଲା ଯେ ।

କଳ୍‌କି ମାରଣରେ ଏତେଶବ ଦେଖିଥିଲି ନେତ୍ରେ

ଆଲୋକିତ ଭୋଜି ପ୍ରେତେ ଦେଲା ଯେ ।୨୩ ।

 

ପିଇଲେ ରୁଧିର ପଣାପରିରେ ପ୍ରେତ ଅଗଣା

ମଣ୍ଡାପରି ମୁଣ୍ଡ ଚୋବାଇଲା ଯେ ।

ପାଇଲା ଯେ ଭୁଜ ପାଦୁମତ୍ସ୍ୟ ଉପହାର ସ୍ୱାଦୁ

ନଖ କଣ୍ଟକ ବାହାର କଲେ ଯେ ।୨୪ ।

 

ଘୃତପରି ପ୍ରେତ ଲିହିନୃତ୍ୟକଲେ ଗୀତ ଗାଇ

ହୃଦେ ମେଦ ବ୍ୟଞ୍ଜନ ସୁସ୍ୱାଦେ ହେ ।

ମାତିଲେ ଜରତାମାନେପିଞ୍ଜା ମାଂସେ ଶରମୁନେ

ପ୍ରବର୍ତ୍ତିଲେ ବୀର ଆର୍ଶିବାଦେ ହେ ।୨୫ ।

 

ପ୍ରେତରଙ୍କୁ ନିଃଶଙ୍କରେଶବ ପକାଇ ଅଙ୍କରେ

ଚରଣେ ଲମ୍ୱାଇ ବସିଛନ୍ତି ଯେ ।

କରନ୍ତି କବଳ ପଳଦେଖାଇ ଆପଣା ବଳ

ମାଡ଼ି ପାଦେ ଶବ ଶିବାପନ୍ତି ଯେ ।୨୬ ।

 

ଶ୍ୱାନ ପାଞ୍ଚ ସାତରୁଣ୍ଡଓଟାରନ୍ତି ମୃତ୍ୟୁ ପିଣ୍ଡ

ଖଣ୍ଡ ଖଣ୍ଡ କର ଘେନିଯାଇ ହେ ।

ଲୁଚାଇ ଗୁଳ୍ମ ତଳରେପୁଣି ହିଁ ସେହି ପ୍ରକାରେ

କୌଣସି ମଧ୍ୟକୁ ଆସେ ଧାଇଁ ହେ ।୨୭ ।

 

ଗୃଧ୍ରେ ଯେ ହୋଇ ଫୁରୁଣାଚଞ୍ଚୁକୁ ବିସ୍ତାରି ଡ଼େଣା

ହଲାଇ ମତ୍ତ ପିଶିତାଶନେ ଯେ ।

ଯେ ଯେତେ ପାରିଲେ ତେତେବହିଲେ ଭୋଜନ ଅନ୍ତେ

ପ୍ରେତେ ବହୁଳ କାଳ ବଞ୍ଚନେ ହେ ।୨୮ ।

 

କଇଳାସ ଦେଖି ଶୂନ୍ୟଜାଣିଲେ ପଞ୍ଚବଦନ

କେତେସୁକଲ୍ୟାଣ କଲେ ତୋଷ ସେ ।

ଆଶୀର୍ବାଦ କରିବାକୁମୁନିଦେଖି ବୀରକୁ

ପ୍ରବେଶହେଲେ କର୍ଣ୍ଣାଟ ଦେଶେ ସେ ।୨୯ ।

 

ଜରତ ବିମ୍ୱ ଅଧରଭରତ ଜ୍ୟେଷ୍ଠ ସୋଦର

ନିରତେ ମୋ ଚିତ୍ତେ କର ସଦ୍ମ ହେ ।

କହେ ଉପଇନ୍ଦ୍ର ଭଞ୍ଜପ୍ରଭୋ ରଘୁବଂଶ ରାଜ

ଅଯୋଧ୍ୟା ରାଜନ ପରଂବ୍ରହ୍ମ ହେ ।୩୦ ।

 

ଷଷ୍ଠ ଚତ୍ୱାରିଂଶ ଛାନ୍ଦ

ଚନ୍ଦ୍ରଭାନୁର ସ୍ୱଦେଶ ଗମନ

ଓ ଲାବଣବତୀ ସହ ମିଳନ

(ରାଗ- କଳସ, ଆଶାବରୀ )

 

ଗୁଣବନ୍ତେ ଏ ଗୀତମଣିକି ମାଳାକାର ।

ନିର୍ଗୁଣେ ଏ ଘେନିବାକୁ ନାହିଁ ମୋ ବିଚାର ହେ ।୧ ।

 

କୁମର ଦେଖି ସ୍ୱଦେଶାଗତ ପୁରୁଷକୁ ।

ପଚାରିଲେ ନିଜ ରାଜ୍ୟ ଶୁଭ ସନ୍ଦେଶକୁ ଯେ ।୨ ।

 

ସେ କହିଲା ସର୍ବ ଶୁଭ ମନ୍ଦ ଏତେ ମାତ୍ର ।

ସିଂହଳ ନୃପତି ଜେମା ଅତି କ୍ଷୀଣ ଗାତ୍ର ହେ ।୩ ।

 

ନ ରହୁଛି ନିଜ ନୟନରେ ଆଉ ନୀର ।

ନ ଉଠୁଛି ଅବନୀ ଶୟନୁ ନିରନ୍ତର ଯେ ।୪ ।

 

ନବଦ୍ୟ ତାପ ଲଭିଛି ନୃପତି କୁମାରୀ ।

ବିଳାପ କଳାପ ତାର ଭୂତାବେଶ ପରି ଯେ   ।୫ ।

 

ପଦ୍ମନୀରେ ଉପଚାର କରିବାକୁ ଘେନ ।

ସରସୀମାନେ ହେଲେଣି ପଦ୍ମିନୀ ବିହୀନ ଯେ ।୬ ।

 

କାଳିପରି ପରାଣ ତେଜିବା ପରି ସେହି ।

ଦେହଳୀ ବଳି ଚଳିବା ଭଳି ବଳାନାହିଁ ଯେ ।୭ ।

 

ହା ରାବରେ ସଦନ ତ ଦଣ୍ଡେ ଶୂନ୍ୟ ନାହିଁ ।

ହା ରାବରେ ଭୁଜଙ୍ଗମ ଭ୍ରମ ଉପୁଜାଇ ଯେ ।୮ ।

 

ଚତ୍ୱାରେ ଦେଖଇ ପୁଚ୍ଛିବାକୁ ତୁମ୍ଭ ବାର୍ତ୍ତା ।

ବଳିଭୁଜେ ବଳିଦେଇ ତ୍ରବଳି ଶୋଭିତା ଯେ ।୯ ।

 

ଯେତିକି ବିଳମ୍ୱ ତୁମ ପ୍ରଳମ୍ୱ କୁନ୍ତଳା ।

ତେତିକି ତେତିକି କରୁଅଛି ଜୀବେ ହେଳା ଯେ ।୧୦ ।

 

କେଉଁ ଭାଗ୍ୟେ ଜିଇଁଅଛି ନୁହଇ ଗୋଚର ।

ଦୂର କଲାଣି ସମସ୍ତ ଆହାର ବିହାର ଯେ ।୧୧ ।

 

ବିହାର ଏତିକି ତୁମ୍ଭ ରୂପ ଦିଶେ ଦିଶି ।

ଉଠି କୋଳ କରିବାକୁ ହୁଅଇ ଲାଳସୀ ଯେ ।୧୨ ।

 

ଆହାର ଏତିକି ତବ ରସ ଆସ୍ୱାଦଇ ।

ତର୍କୁଛି ଲଭିବା ଲୋଭ ଅଛିକି ଜିଆଇଁ ଯେ ।୧୩ ।

 

ବେନିଅଳଙ୍କାରରୁ ବେନି ହୋଇଛି ମଣ୍ଡନ  ।

କରରେ ଅତୁଲ୍ୟ ପ୍ରତି ଅଙ୍ଗରେ ତପନ ଯେ ।୧୪ ।

 

ଜୀବେ ଅଛି ଶୁଣିବାରୁ ହରଷ ଲହରୀ ।

ବିରସ ସରିତୁଁ ତାର ବାହାର ବିହରି ଯେ ।୧୫ ।

 

ସେ ରସିକ ସିନ୍ଧୁଜାତି ତୁରଙ୍ଗ ଅଣାଇଁ ।

ଆରାହଣେ ପବନ ପରାୟେ ଉଡ଼ିଯାଇ ଯେ ।୧୬ ।

 

ଯାଉ ଯାଉ ବିଚାର କରଇ ମନେ ମନେ ।

କରୀବର ଗମନା କରିବ ପରା ମାନ ଯେ ।୧୭ ।

 

ତେତିକି ବେଳକୁ ବୁଦ୍ଧି ସ୍ପୁରିଲାଟି ମୋତେ ।

ବନ୍ଧୁ ମୁଁ ବିଚ୍ଛେଦ ହୋଇଥିଲି କି ଆୟତ୍ତେ ଗୋ ।୧୮ ।

 

ଶିବ କରିବେ ଏ ଶିବ ଏମନ୍ତ ବେଳରେ ।

ଭେଟ ହୋଇବଟି ମୋର ବାନ୍ଧବୀ ତୁଲରେ ଯେ ।୧୯ ।

 

ମୋ ପାଶକୁ ଦୂତ କରୁଥିବା ମଦାଳସୀ ।

ଭୃଙ୍ଗ ଅବା କୋକିଳ ସରସ ରସଭାଷୀ ଯେ ।୨୦ ।

 

ଅଜାଣେ ମୁଁ ପଛୁଁ ଯାଇ କରିବି ଆଶ୍ଳେଷ ।

ନ ପାଇବ ସୁମୁଖୀ ମନକୁ ଅବକାଶ ଯେ ।୨୧ ।

 

ଆହେ ନବଗ୍ରହେ ବନ୍ଧୁ ଦରଶନ ବେଳେ

ମୋର ରାଶି ଏକାଦଶେ ରହ ଏକମେଳେ ଯେ ।୨୨ ।

 

ଲେଖୁଥିବ ମୋ ପାଶକୁ ସପ୍ରେମ ଚିଟାଉ ।

ନ ଜାଣୁ ତା ନିକଟକୁ ସୌଭାଗ୍ୟ ଭେଟାଉ ଯେ ।୨୩ ।

 

ବେଗେ ବୋଲିବି ଅଇଲା ତୋ ଲୋଡ଼ିଲା ଦାସ ।

ନ ପାଇବ ସୁମୁଖୀ ମାନକୁ ଅବକାଶ ଯେ ।୨୪ ।

 

ଦୁର୍ଗାମାଧବ କରିବେ ଏମନ୍ତ ମଙ୍ଗଳ ।

ମୋ ସ୍ୱରୂପ ପଟେ ଦେଖି ହୋଇ ଭାବେ ଭୋଳ ହେ ।୨୫ ।

 

ଗୋଜ କରୁଥିବ ନିଜ ଅଧର ଚୁମ୍ୱନେ ।

ଉରଜ ମୂଳକୁ ଚାଳି ଦେବି ନଖମୁନେ ଯେ ।୨୬ ।

 

ଚମକି ଚାହିଁଲାବେଳେ ଜନ୍ମିବ ହରଷ ।

ନ ପାଇବ ସୁମୁଖୀ ମାନବ ଅବକାଶ ଯେ ।୨୭ ।

 

ଯେତେ ଜନ୍ମେ ଯେତେ ପୁଣ୍ୟ କରିଛି ମୁଁ ଠୁଳେ ।

ମିଳି ଥିବଟି ସୁନ୍ଦରୀ ମେଳ ହେବା କାଳେଯେ ।୨୮ ।

 

କେଉଁଦିନ ଆସିବେ ମୋ କାନ୍ତ ପରବାସୀ ।

ବୋଲି ଦେବାବେଳେ ବାଳା ଖଡ଼ୀକି ମନାସି ଯେ ।୨୯ ।

 

ଆଗେ ମିଳି ବୋଲିବି ମୋ ଛାର ଅପରାଧୀ ।

ଲୁଚିଯାଇ ତୋ ପ୍ରଭୁ ପଣକୁ କୃପାନିଧି ଗୋ ।୩୦ ।

 

ଶୁଣ ଏ ବାଣୀ ଅଧିକ ଦ୍ରବିବ ମାନସ ।

ନ ପାଇବ ସୁମୁଖୀ ମାନକୁ ଅବକାଶ ଯେ ।୩୧ ।

 

ଲକ୍ଷ୍ମୀନୃସିଂହ କରନ୍ତୁ ଶୁଭ ଏବେ ।

ଯେତେବେଳେ ସଖୀ ଶୁଭ ସ୍ୱପ୍ନ ବିହୁଥିବେ ହେ ।୩୨ ।

 

ଆଜି ଆସିବେ ବଲ୍ଲଭ ଶୁଣି ତୋଷ ହୋଇ ।

ବାଳା ମାଳା ହୁଡ଼ ରଖିଥିବେ ସତ ପାଇଁ ଯେ ।୩୩ ।

 

ସାକ୍ଷୀ ହେଉଥିବ ଜଣେ ମିଳି ସହଚରୀ ।

ତତେବେଳେ ପ୍ରବେଶ ମୁଁ ହେଲେ ଯାଇଁ କରି ଯେ ।୩୪ ।

 

ସଖୀ ଡାକି ଦେଲେ ଅନ୍ନ ନିଉଛାଇ ଆସ ।

ନପାଇବ ସୁମୁଖୀ ମାନକୁ ଅବକାଶ ଯେ ।୩୫ ।

 

ଏସନ ବିଚାରମାନ କରଇ ମାନସ ।

ସରିଲା ସରଣୀ କାଞ୍ଚି ନଗ୍ରେ ପରବେଶ ଯେ ।୩୬ ।

 

ଠାବେ ଠାବେ ପଡ଼ିଅଛି ସମର ଚରିତ ।

ସଂସପ୍ତକ କାଳକେୟ କରିବାର ହତ ଯେ ।୩୭ ।

 

ବୀର ଅଦଭୁତ କୀର୍ତ୍ତୀ କବିତ୍ୱ ବଚନେ ।

ସ୍ଥାନେ ସ୍ଥାନେ ପଢ଼ୁଛନ୍ତି ବୋଧକାରମାନେ ଯେ ।୩୮ ।

 

ସେ କବିତ୍ୱ ଆବେଶରେ ତୁଷ୍ଟ ନରେଶ୍ୱର ।

ପ୍ରବେଶରେ ଅଭିଷେକ କରିବେ କୁମର ହେ ।୩୯ ।

 

ଶୁଣି ମନେ କରିଅଛି ସେ ଯୁବାଭୁଜାନି ।

ଆଶୀର୍ବାଦ କରି ଗଲେ ସୁରମୁନି ଯେ ।୪୦ ।

 

ଯିବରେ ଛଟକ କେହି ନ ଦେଖିବେ ନେତ୍ରେ ।

ଧନ୍ୟ ଅଶ୍ୱ ଧନ୍ୟ ସାଦୀ ବୋଇଲେ ସମସ୍ତ ଯେ ।୪୧ ।

 

ସଦନ ଦ୍ୱାର ଦ୍ୱାସ୍ଥରେ ନମସ୍କାର ପାଇ ।

ଉତରି ସେ ଶୁଦ୍ଧାନ୍ତ ଗମନେ ତ୍ୱରା ହୋଇ ଯେ ।୪୨ ।

 

ତହିଁ ଶିଳ୍ପକାରିକାୟେ କଥା ପରସ୍ପର ।

କି କରିବାଟି ହୋଇଲା ଅସର ବାସର ଯେ ।୪୩ ।

 

ଅସର ହୋଇବ କେବେ ମନସିଜ ସୁଖ ।

ପାଞ୍ଚ ନୋହେ ପାଞ୍ଚ ପାଞ୍ଚ କୋଟି ତା ବିଶିଖ ଯେ ।୪୪ ।

 

ମାଳିନୀ ବୋଲୁଛି ନିତି ମାତ୍ର ଆସୁଥାଇ ।

ବରଷେ ହୋଇଲା ପୁଷ୍ପବାଟି ନ ସରଇ ଗୋ ।୪୫ ।

 

ଚେଟୀଏ ବୋଲନ୍ତି ବନ୍ଦୀ ମୋକ୍ଷ ଶୁକ ଶାରି ।

ବାଟି ବାଟି ଉଶୀର ଗଲାଣି ହସ୍ତ ସରି ଗୋ ।୪୬ ।

 

ପ୍ରୌଢ଼ା ସଜନୀକି ତହିଁ ନବେଢ଼ା ପଚାରେ ।

ଫୁଲଶର ଭେଦ କେହି ଗିରିସ୍ତନା ଉରେ ଗୋ ।୪୭ ।

 

ସେ ତାହାକୁ ପ୍ରତିଭାଷ କରୁଛି ତହିଁକି ।

ଗଣନାରେ ଅମ୍ୱୁଜ ଯୋଡ଼ାଏ ଅଛିଟିକି ଗୋ ।୪୮ ।

 

ଶୁଖିଲା ମୃଣାଳ ନାଳେ ଚତ୍ୱର ସଘନ ।

ପାକ କଲା ଶାକ ପରି ନବଛଦ ମାନ ଗୋ ।୪୯ ।

 

କର୍ପୂର ଚନ୍ଦନ କେ ଗୋଳୁଛି କେ ଚଳୁଛି ।

ସ୍ପୋଟିକ ଜନ୍ମିବ ଏଥୁଁ ନୁହଇ ଏ କିଛି ଗୋ ।୫୦ ।

 

ବ୍ୟଜନ ଧରିକି ବଞ୍ଚିବାକୁ ସ୍ନେହଭରେ ।

ଉଡ଼ି ଯାଉଥାଇ ନିକି ବୋଲି କେ ନିବାରେ ଯେ ।୫୧ ।

 

କେ ବୋଲେ କାହାକୁ ମୁଁ ଯାଉଛି ସ୍ନାନ କରି ।

ମୋହଗଲେ ମୁଖେ ନ ସିଞ୍ଚିବ ଶୀତବାରି ଗୋ ।୫୨ ।

 

ବରଷା ପ୍ରାୟ ମଣିଲା ପ୍ରମାଦ ପଡ଼ିବ ।

ଅଙ୍କରେ ପକାଇ ଶ୍ରବଣରେ ଫୁଙ୍କିଦେବ ଗୋ ।୫୩ ।

 

କେବଣ ସଜନୀ ହୋଇ ସଜଳ ଲୋଚନା ।

ନବ ପଲ୍ଲବରେ ଶେଯ କରୁଛି ରଚନା ଯେ ।୫୪ ।

 

କେ ସଖୀ ପାଶରେ ବସି କରେ ଆଶ୍ୱାସନା ।

ବୋଲେ କଥା ତ ନ କହୁ କରକରଦନ ଯେ ।୫୫ ।

 

ଭଲ ନ ଦେଖିଲୁ ଦିନେ ନାଗରୀ ତିଳକ ।

ଏହି କଥା ହିଁ ତୋହର ନ ଗଲା କାଳକ ଗୋ ।୫୬ ।

 

କ୍ରୋଧଭରା ହୋଇ କେଉଁ ସଜନୀ ବୋଲୁଛି ।

କେ ତାହା ଭୋଗିବ ଯାହା ଆପେ ଅରଜିଛି ଗୋ ।୫୭ ।

 

ଆଉ କେ କହିଲା ଏହା ବୋଇଲ କି କର ।

ସମଦ୍ରବ୍ୟେ ଅନୁରାଗୀ ହୋଇଲ ସୁନ୍ଦରୀ ଯେ ।୫୮ ।

 

ରସାଣ ହେମ ଅଙ୍ଗୀକି ଥିଲା ଗୋଚର ।

ବଲ୍ଲଭ ହୃଦୟ ହେବ ପାଷାଣ ପ୍ରକାର ଗୋ ।୫୯ ।

 

କେ ବୋଲୁଛୁ ରସିକ ରତନ ରଘୁବୀର ।

ବିଦେଶୀ ହୋଇଲେ ସୀତା ଘେନି ସଙ୍ଗତରେ ଯେ ।୬୦ ।

 

ଏହି କାଳେ ସେ ପୁର ସୋପାନେ ବୀର ମିଳି ।

ମଦନ ସୁନ୍ଦର ବିଜେ କଲେ ଜଣେବୋଲି ଯେ ।୬୧ ।

 

ଏ ବାଣୀ ଶ୍ରବଣେ ବିମ୍ୱଓଷ୍ଠୀ ଉଠିବାକୁ ।

ମନେ କରୁ ପ୍ରାଣନାଖ ଗମିଲା ସେଠାକୁ ଯେ ।୬୨ ।

 

ମଲି ମଲି ଅନାୟତ୍ତ ହେଲି ଏହା କଲି ।

ଲବଣୀ ପିତୁଳାକୁ ବିଷମ ଶରେ ଦେଲିଯେ ।୬୩ ।

ଯେ କଲା ବିଚ୍ଛେଦ ବଜ୍ର ପଡ଼ୁ ତାର ଶିରେ ।

 

ଏତେ ବୋଲି କୋଳ କରି ତୋଳିଲା ସତ୍ୱରେ ଯେ ।୬୪ ।

 

ହୃଦରେ ଲଗାଉଁ ଶୀତଳକୁ ଲଭି ବାଳା ।

ବିବେକ ପ୍ରସରି କାନ୍ତ ମୁଖକୁ ଚାହିଁଲା ଯେ ।୬୫ ।
 

ବେନି ନେତ୍ର ଚକୋର ମୁଖ ହିଁ ଚନ୍ଦ୍ର ଶତ ।

ଆନନ୍ଦ ଅଶ୍ରୁ ଜଳରେ କଲା ଦ୍ରବୀଭୂତ ହେ ।୬୬ ।

 

ଶୋଭା ରତ୍ନମୟ ଭୂମି ବେନି ଅପଘନ ।

ଛଦ୍ମ ନୋହେ ସଦ୍ମ କଲେ ନୟନ ଖଞ୍ଜନଯେ ।୬୭ ।

 

ପଦ୍ମିନୀର ଆଲିଙ୍ଗନ ଦୋହଦ ହୋଇଲା ।

ଫୁସତନୁ ନୀନଫୁଲ ପୁଲକାଇ ଦେଲା ଯେ ।୬୮ ।

 

ପ୍ରତିମା ପରାୟେ ବେନିଦଣ୍ଡ ସ୍ତମ୍ଭୀଭୂତ ।

ରାମଚନ୍ଦ୍ର ଉପଇନ୍ଦ୍ର କହେ ଗୀତ ହେ ।୬୯ ।

 

ସପ୍ତଚତ୍ୱାରିଂଶ ଛାନ୍ଦ

ଲାବଣ୍ୟବତୀ ଓ ଚନ୍ଦ୍ରଭାନୁଙ୍କ

ବିରହଜନିତ ଦୁଃଖ ବର୍ଣ୍ଣନା

(ରାଗ- ଖଣ୍ଡକାମୋଦୀ)

 

ରାମା ବସାଇ ଆଗେ ରସାଇ ଅନୁରାଗେ ଚାଟୂ କରୁଛି ପତି ଯେ ।

ବିଚ୍ଛେଦ ହେଲାଦିନୁ କି ଦଣ୍ଡ ଫୁଲଧନୁ ଦେଲାଟି ଦିନ ରାତି ରେ ।

ପ୍ରାଣବନ୍ଧୁ, କେମନ୍ତ ବଞ୍ଚିଥିଲୁ ରେ ।

ସ୍ୱପନେ ଦୁଃଖ ଦେଖିନାହିଁ ଆଜନ୍ମ ସୁଖୀ ମୋଲାଗି ଦୁଃଖୀ ହେଲୁରେ ।୧ ।

 

ଯେଣିକି ଚାହେଁ ମୁହିଁ ସେ ଦିଗେ ଦିଶୁ ତୁହି ଯେମନ୍ତ ହସୁଥାଉ ରେ

ଆଉଜାଇ ଅଙ୍କରେ ବସିବ ପଲ୍ୟଙ୍କରେ ନ ଥିଲା ମନେ ଆଉ ରେ ।

ପ୍ରାଣ ବନ୍ଧୁ, ସର୍ବ ଲାବଣ୍ୟସିନ୍ଧୁ ରେ ।

ମୋର କି ଭାଗ୍ୟ ଥିଲା ଧାତା ତୋତେ ରଖିଲା ମଦନ ବିନ୍ଧୁ ବିନ୍ଧୁରେ ।୨ ।

 

ଯେଉଁ ନୟନ ଭଙ୍ଗୀ ଯୋଗୀନ୍ଦ୍ର ଯୋଗଭଙ୍ଗୀ ଅଙ୍ଗୀକାର କରିଛି ରେ ।

ଭାବ ସୁମରି ତହିଁ ଅଶ୍ରୁଥିଲୁ ପୂରାଇ ଏ ଗୁଣ ହେବ ମୂର୍ଚ୍ଛିରେ ।

ପ୍ରାରବନ୍ଧୁ , ମଲିଟି ଏଡ଼େ କ୍ଷୀଣରେ ।

ବଳୟ ଅଛି କରେ ତୋ ଊଣା ରତିଶିରେ ଦେଉଛି ସ୍ନେହୀପଣେ ରେ ।୩ ।

 

ଅବନୀରେ ଅଞ୍ଚଳ ପାତି ପରା ଚଞ୍ଚଳ ହୋଇ ଶୟନ କରୁ ରେ ।

ସେ କଥା ମାନ ଗୁଣି ଗୁଣି କହୁଛି ପୁଣି ଧିକ ମୋ ଜିଇଁବାରୁରେ ।

ପ୍ରାଣବନ୍ଧୁ, ଏକଥା ଅଛ ହୁଡ଼ିରେ ।

ତୋ ବିନୁ ଜିଇଁବାର ଦୋଷକୁ କ୍ଷମାକର କହୁଛି କର ଯୋଡ଼ିରେ ।୪ ।

 

କି ଦେଖିଲା ଏ ଆଖି ଫୁଟି ନ ଯାଇ ସଖୀ ହୃଦ ଫାଯି ନ ଯାଇ ରେ ।

ମୃତ କରି ଦର୍ଶନ ପିତୁଳାର ପରସନ୍ନ ତୁ ପୁଣି ଅଛୁ ବହିରେ ।

ପ୍ରାଣବନ୍ଧୁ, କାଳ କି ନ କରଇ ରେ ।

ସବୁ ସହଇ ଅନାୟତ୍ତ ମୀନନୟନା ଘେନ ବିବେକୀ ତୁହି ରେ ।୫ ।

 

କେଡ଼େ ପ୍ରସନ୍ନ ମୁଖ ପଦ୍ମ ଶୀତାମୟୂଖ ଦର୍ପଣ ଦର୍ପହାରୀ ରେ ।

ଚରଣ ପରିଚାର ପାଇଁ ନାଗରୀବର ହେଲୁ ତ ଏତେ ସରି ରେ ।

ପ୍ରାଣବନ୍ଧୁ, ନାହିଁ ଲେଶ ହରଷ ରେ ।

ଲବ ଅନ୍ତର ସୁହା ନ ଯାଉଥିଲା ଆହା ପୂର୍ଣ୍ଣ ହେଲା ବରଷରେ ।୬ ।

 

ଭିନ୍ନ ଦିନୁ ବନ୍ଧନ କରି ନାହୁଁ ସୁମନ ଦେବାର ଥାଉଁ କେଶରେ ।

ଲୁଚିଯାଇ ତୋ ଭାବ କେବେ ବୁଝି ନୋହିବ ସହସ୍ରେ ଅଂଶୁ ଅଂଶରେ ।

ପ୍ରାଣବନ୍ଧୁ, ମନେ ବିଚାରୁଥାଇଁ ରେ ।

ଇନ୍ଦ୍ର ସମ୍ପତ୍ତି ଦେଲା ଦରିଦ୍ରହୀନ କଲା କି ଅବିବେକୀ ବିହିରେ ।୭ ।

 

ପାଶେ ଥିଲା ଦିନରେ ମୋ ଭୋଜନ ଉତ୍ତାରେ ତୁହିଁ ଭୋଜନ କରୁ ରେ ।

ଦୂରେ କିମ୍ପା ଆହାର ନ କରିଥିବୁ ଦୂର ଜାଣିଲି ଦୁର୍ବଳରୁ ରେ ।

ପ୍ରାଣବନ୍ଧୁ, କେଉଁ ଧର୍ମେ ବର୍ତ୍ତିଲୁରେ ।

ପରାଣ ପ୍ରତିଆଶା ସତେ ଛାଡ଼ିଣ ଯୋଷା ମୋତେ ବୁଡ଼ାଇଥିଲୁ ରେ ।୮ ।

 

ଗରଳ ହୋଏ ହିତ ରୋଗବଶେ ଯେମନ୍ତ ତୋ ରକ୍ଷା ସେହି ଭାବରେ ।

ବରଷାକାଳେ ଘନ ଗର୍ଜ୍ଜନକୁ ବଞ୍ଚନ ମୋହିହିଁ ହୋଇଥିବରେ ।

ପ୍ରାଣବନ୍ଧୁ, ନୟନେ ଅଶ୍ରୁପରି ରେ ।

ଶରଦ ଶଶଧର ନୋହିଥିବା ତୋହର ଦରଶନ ଶର୍ବରୀ ରେ ।୯ ।

 

ବିରହ ଅଗ୍ନିଜାତ ହୃଦୁଁ ହୋଇ ସନ୍ତତ ଜାଣି ନ ଥିବୁ ଶୀତରେ ।

ପ୍ରାଣବନ୍ଧୁ, ନ ବଞ୍ଚାଇଲେ ତୋତେ ରେ ।

ସିଞ୍ଚିଲେ ମଧୁହାରୀ ମୋର ଘେନି ଗୁହାରୀ କିଞ୍ଚିତେ କୃପା ଚିତ୍ତେ ରେ ।୧୦ ।

 

ନ ଆସୁଥିବ ନିଦ ନିଶିରେ ଲଭି ଖେଦ ଚିତ୍ତେ ପଡ଼ି ମୋ ସ୍ନେହରେ ।

କି ବୋଲିଥାଉ ମୋତେ ମନେ ତୁ ସତେ ଆନ ଅଛିଟି କହ ରେ ।

ପ୍ରାଣବନ୍ଧୁ, ଯାହା ବୋଲନ୍ତି ଜନରେ ।

ପ୍ରିୟାର ମୁଁ କୋୟର ବାଲ୍ୟକାଳକୁ ତୋହର ମୁହିଁଟି ଏକା ଘେନରେ ।୧୧ ।

 

ବୋଲିବାକୁ ନିଷ୍ଠୁର କ୍ଷୋଭନାହିଁ ମୋହର ମନକୁ କରି ସାକ୍ଷୀରେ ।

ତୋତେ ଧିଆଇଁ ଯେତେ ଆକୁଳ ହୋଇ ଚିତ୍ତେ ଜାଣୁତ ଥିବୁ ଦେଖି ରେ ।

ପ୍ରାଣବନ୍ଧୁ, ଦୁଃଖକାଳେ ତୋହର ରେ ।

ସେବାକୁ ଆସିନାହିଁ ଏଣୁ ଅପ୍ରାଧି ମୁହିଁ ବିଚାରି ଦଣ୍ଡ କର ରେ ।୧୨ ।

 

ଥାଉଁ ମୋ ଆୟତ୍ତ କେହି ବଳନ୍ତା ଚିତ୍ତ ଭିନ୍ନ ହେବାକୁ ସହୀରେ ।

ତେବେ ଦୂରେ ରହିଣ ମନ ନୟନ ପ୍ରାଣ ତୋହର ପାଶେ ଥାଇ ରେ ।

ପ୍ରାଣ ବନ୍ଧୁ, ଏବେ ସେ ଅନୁଭବରେ ।

ବିପତ୍ତି ବିଚ୍ଛେଦରୁ ବଡ଼ ହୋଇ ରମ୍ଭାରୁ ଧାତା ବିହି ନ ଥିବରେ ।୧୩ ।

 

ଦେହ ଉପରେ ମନ ପ୍ରଭୁ ପ୍ରମାଣ ଧନ ମନର ପ୍ରଭୁ ପ୍ରୀତି ରେ ।

ପ୍ରୀତିର ପ୍ରଭୁ ନାରୀ ତାଙ୍କ ପୁଣି ପାସୋରୀ କେହୁ ଧରିବ ଧୃତି ରେ ।

ପ୍ରାଣବନ୍ଧୁ, ପୁଣି ଆରତୀ ମୁହିଁରେ ।

ମନକୁ ଅନୁରୂପେ ଯୁବତୀ ମିଳେ ତପେ ଏଣୁ ଦୁର୍ଲଭ କହିରେ ।୧୪ ।

 

ଯେଉଁ ରୂପ ଅନାଇଁ ପଶୁ ପାଷାଣ ଦୁଇ ବଶ ତରଳ ହେବ ରେ ।

ପୁରୁଷ ମଧ୍ୟ ସାର ଲୋକ ବୋଲନ୍ତି ମାର ଚିତ୍ର ମଣୁଛି ଏବେ ରେ ।

ପ୍ରାଣବନ୍ଧୁ, ତୋହ ସମ୍ମୁଖେ ରହି ରେ ।

ପ୍ରହାର କଲା ଶର ସେ ଏଡ଼ିକି ନିଷ୍ଠୁର ହାତ ଚଳିଲା କେହି ରେ ।୧୫ ।

 

ଦେହ ମନ ଭିତରେ କ୍ଷଣେ ରହୁ ମାତର ଏମନ୍ତ ପାଞ୍ଚେ ନିତି ରେ ।

ବେଗେ ଦେବାକୁ ବାତେ ସ୍ତୁତି କରଇ କେତେ ପାଶେ ଆସିବାମତି ରେ ।

ପ୍ରାଣବନ୍ଧୁ, ତୋ ରୂପ ପଟେ ଲେଖିରେ ।

ପ୍ରାତୁଁ ଉଠି ଅନାଇଁ ନାମ ତାର ଜପଇଁ ଗତି ନ ଥାଇ ସଖୀ ରେ ।୧୬ ।

 

ମୁଁ ହେବାର ଏମନ୍ତ ଯେଉଁ ଅଧିକ ମିତ ଥାଇ ତୋ ଅବଧାନେ ରେ ।

ଏକଥା ବଡ଼ ସିନା ମୋତେ ଗୁଣି ବେଦନା ସହୁ ତୁ ଦିନେ ଦିନେ ରେ ।

ପ୍ରାଣବନ୍ଧୁ, ତୋତେ ତୁ ପଟାନ୍ତର ରେ ।

ମୋହେ ଅଶେଷ ତପ ପୁଣ୍ୟ ନାରୀ ସ୍ୱରୂପ ହୋଇଛୁ ରାମାବର ରେ ।୧୭ ।

 

ଯେ ଜନ ନାରୀ ହିତେ ରହେ ପୁଣି ଜୀବିତେ ଦିନମାନଙ୍କୁ ବଞ୍ଚେରେ ।

ଇନ୍ଦ୍ର କରେ ଯେ ଥାଇ ସେ କୁଳଶ ନୁହଇ ସେହି କୁଳୀଶ ନିଶ୍ଚେ ରେ ।

ପ୍ରାଣବନ୍ଧୁ, ନାରୀ ପୁରୁଷ ଦୁଇରେ ।

ଘେନି ଏକ ଜୀବନ କେବଳ ତନୁ ଭିନ୍ନ ଯୋଗେ ଏକତ୍ୱ ହୋଇ ରେ ।୧୮ ।

 

ନବ ରସରେ ସାର ଆଦ୍ୟେ ଲେଖି ଶୃଙ୍ଗାର ରତି ପରମ ସୁଖ ରେ ।

ଯିବା ପାଇଁ ପାସୋର ବଳ୍ଲଭୀ ନାମ ସାର ଦେଇଛି ଶାସ୍ତ୍ରେ ଦେଖ ରେ ।

ପ୍ରାଣବନ୍ଧୁ, ସେ ନିକି ମୂଚ୍ଛିବାର ରେ ।

ଥିଲା କେଉଁ ଦୁର୍ଦ୍ଦଶା ରଥାଙ୍ଗ ପ୍ରାୟ ନିଶା ଦେବାକୁ ତୋର ମୋର ରେ ।୧୯ ।

 

ଦରଶନରୁ ଦୂର ହେଲିଣି ପାଇବାର ମୋର ଅଶେଷ ବ୍ୟଥା ରେ ।

ଭିନ୍ନ ନୋହେ ଏ ଖେଦ ତୋର ମୋର ବିଚ୍ଛେଦ ହୋଇ ରହିଲା କଥାରେ ।

ପ୍ରାରବନ୍ଧୁ, କରିବେ ପରା ହାସ୍ୟରେ ।

ରସିକେ ପ୍ରିୟାହୀନେ ଏ ରହିଲା ଜୀବନେ ଏଥି ଉପାୟ କିସରେ ।୨୦ ।

 

ବଲ୍ଲଭ ମୃଦବାଣୀ ଶୁଣି ତରୁଣୀମଣି ଧୀରେ କହେ କି ସ୍ନେହା ସେ ।

ସେ ଦୁଃଖ ପୋଡ଼ି ଯାଉ ଶତ୍ରୁ ହିଁ ନ ପାଉ ଚିତ୍ତ ପାସୋର ତାହା ଯେ ।

ପ୍ରାଣବନ୍ଧୁ, ଚିତ୍ତକୁ କୁନ୍ତ ପରା ସେ ।

ଏମନ୍ତ ବୋଲିହସି ବକ୍ରେ ଚାହିଁଲାରସି ରମଣୀରତ୍ନ ହୀରା ସେ ।୨୧ ।

 

ଦୁହେଁ ଦୁହିଁଙ୍କି ବେଶ କରିବାରେ ଲାଳସ ଏମନ୍ତଦିନ ଶେଷ ଯେ ।

କାମ ବିଜୟକାଳ ଦେଲାଟି ଯୁବାକୁଳ ଶୁଭିଲା ଦରଘୋଷ ଯେ ।

ଶଠଭୃଙ୍ଗ, ଉଠିଲା ପଦ୍ମ ତେଜି ଯେ ।

ଛାଡ଼ି ଏକ ସୁହାଗ ଆରକେ ଅନୁରାଗ ପ୍ରାୟେ କୁମୁଦ ଭଜି ଯେ ।୨୨ ।

 

ଅଭିସାରିକା ଦୀପ ଫଣି ମଣି କଳାପ ତେଜିଲେ ଶ୍ୱାସ ଯେ ।

ଧରା ପଡ଼ିଲା ଚୋର ପ୍ରାୟେ ଗଣିକାବର ମନେ ଜନ୍ମତ ତ୍ରାସ ଯେ ।

ଦ୍ୱିଜମାନେ, ସନ୍ଧ୍ୟା ବନ୍ଦନା ସାଧୁ ଯେ ।

ସାରଣା କଲେ ଧନ ଧନୀଆଳୀ ରାଜନ ପରାୟ ବାରବଧୂ ଯେ ।୨୩ ।

 

ନବରସେ ରସିକ ରାମାମଣି ମାଣିକ୍ୟ ଭୋଜନେ ହେଲେ ତୋଷ ଯେ ।

ତହିଁ ଉତ୍ତାରେ ହାସ-ଗର୍ଭ ବଚନ ରସ ବଶରେ ପରକାଶ ଯେ ।

କାନ୍ତକାନ୍ତ, ସଉଧେ ପରବେଶ ଯେ ।

ଦିବ୍ୟ ପର୍ଯ୍ୟନ୍ତ ଅଙ୍କେ ପ୍ରମୋଦରେ ନିଃଶଙ୍କେ ପ୍ରବେଶ କଲେ ରସ ଯେ ।୨୪ ।

 

ଷାଠିଏ ଚାରି ବନ୍ଧ ବିଚାରି ହେଲେ ବୋଧ ଛଇଳି ରାମା ଫୁସ ଯେ ।

ନିଦ୍ରା ନାଶେ ସ୍ୱପନ ବିପତ୍ତି ଯଥା ଭିନ୍ନ ତଥା ବିସ୍ମରି କ୍ଳେଶ ଯେ ।

ନିଶାପ୍ରାନ୍ତ, ପୂର୍ବେ ସବିତା ସ୍ଥିତ ଯେ ।

ଦିନ ଧରଇ ପାଟଛତ୍ର ହୋଇଲା ରାଟ ଏ କଥା ଅଦଭୁତ ଯେ ।୨୫ ।

 

ଏଣୁ କି ଲାଜ୍ଜା ଚରମାଚଳେ ରାକା ଲୁଚିଲେ ଅତି ବେଗେ ସେ ।

ତାରା ତା ଦାରା ଯେଣୁ ମଳିନ ବେଶ ତେଣୁ କୌଶିକ ମନ୍ତ୍ରୀ ଭାଗେ ସେ ।

ସେହିକାଳେ, ଦିନ ଡ଼ଗରା କାକ ଯେ ।

ଗଲାରେ ଧର ମାର କହିଲେ ନିରନ୍ତର ଉଚ୍ଚେ ଯା ଦେଲେ ଡାକ ସେ ।୨୬ ।

 

ଏକାଳେ ତେଜି ଶଯ୍ୟା କାଠି ଲାଗିକି ରାଜା ଆସେ ମନ୍ତ୍ରୀକ ମିଳି ଯେ ।

ଆଦ୍ୟୁଁ ପ୍ରାନ୍ତ ପର୍ଯ୍ୟନ୍ତେ ସର୍ବ କହୁ ପୁରତେ ତୋଷ ସିନ୍ଧୁ ଉଛୁଳି ଯେ ।

ନୃପତି, ନଗରଜନେ ସୁଖୀ ଯେ ।

ମୁଦୁସୁଲୀରେ ଶୁଣି ଆନନ୍ଦ ହେଲେ ରାଣୀ ସଫଳ କଲେ ଆଖି ଯେ ।୨୭ ।

 

କୁମର କୀର୍ତ୍ତି ସ୍ୱଚ୍ଛ ହୋଇ ପ୍ରକଟ ମତ୍ସ୍ୟ ମଘ ଆଦି ଦେଶରେ ଯେ ।

ମିତ୍ର ନୃପତି ଯେତେ ହରଷ ହେଲେ ଚିତ୍ତେ ଭୟ ଳଭିଲେ ପରେ ଯେ ।

ସାଧୁଜନେ , ଶୁଭେ ଏ ଛାନ୍ଦ ଶେଷ ଯେ ।

ଶରଣ ରାମଚନ୍ଦ୍ର କହଇ ଉପଇନ୍ଦ୍ର ବୀରବର ଏ ରସ ହେ ।୨୮ ।

 

ଅଷ୍ଟଚତ୍ୱାରିଂଶ ଛାନ୍ଦ

ଚନ୍ଦ୍ରଭାନୁଙ୍କର ରାଜ୍ୟାଭିଷେକ

ଓ ରାଜ୍ୟଶାସନ ପ୍ରଣାଳୀ

(ରାଗ- ମଙ୍ଗଳ)

 

ଶୁଣ ହେ ଚରିତ ଅବଶେଷରେ ।

କର୍ଣ୍ଣାଟ ମହୀପତି ତୋଷରେ ।୧ ।

 

ଦାନବ ପିଶିତ ଦାନ ପ୍ରେତକୁ ।

ଦେବାର ଆଣି ଚିତ୍ର ଚିତ୍ତକୁ ।୨ ।

 

ଏକାଳେ ଯଶରେ ମଣ୍ଡିଲା ଧାରା ।

ଶ୍ରୀରାମ ପାର୍ଶ୍ୱ ମାରୁତି ପରା ।୩ ।

 

ଏଣୁ ଆନନ୍ଦ ହୋଇ ଦଣ୍ଡଧର ।

ସଚିବ ସଙ୍ଗେ କରି ବିଚାର ।୪ ।

 

ନୃପତି ପଦବୀ ଦେଇଣ ପୁତ୍ରେ ।

ଚଳିଲେ ପୁରୁଷୋତ୍ତମ କ୍ଷେତ୍ରେ ।୫ ।

 

ଯାହା ସମାନରେ ଅସମ ରତି ।

ହେଲାରୁ ଅଳପକୁ କହନ୍ତି ।୬ ।

 

ପଟ୍ଟମହିଷୀ ସେ ଲାବଣ୍ୟବତୀ ।

ହୋଇଲା ଗୁଣନିଧାନ ମନ୍ତ୍ରୀ ।୭ ।

 

ବସନ୍ତକ ହେଲା ଜ୍ୟୋତିଷରାଜ ।

ପୁରୋଧା ଋତୁଧ୍ୱଜ ଆଚାର୍ଯ୍ୟ ।୮ ।

 

ସେ ନରେଶ୍ୱର ପାଳିବାରେ ଦେଶ ।

ନୋହିଲା ଆଉ ମିଥ୍ୟାବକାଶ ।୯ ।

 

ଦିବସ ନାମରେ ଦିନ ରହିଲା ।

ଦୀନକୁ ଦଣ୍ଡେ ଆଶ୍ରୟ କଲା ।୧୦ ।

 

ଭସ୍ମ ଚିତାରେ ମାତ୍ରାଶୋଭା ବହି ।

ଯାଜ୍ଞିକ ଦ୍ୱିଜ ଲଲାଟେ ତହିଁ ।୧୧ ।

 

ଆଶ୍ରେ କଲା ମନ୍ଦ ମଳୟାନିଳେ ।

କଳଙ୍କ ଯାଇ ଚନ୍ଦ୍ର ମଣ୍ଡଳେ ।୧୨ ।

 

କୁଟିଳ ନଦୀ ବୀଚିରେ ଲୁଚିଳେ ।

ବିଟପୀ ବୃକ୍ଷ ହୋଇ ବଞ୍ଚିଲେ ।୧୩ ।

 

କଳୀ ସ୍ଥାନ କଲା ପୁଷ୍ପବଲ୍ଲୀକି ।

ମଧୁପ ପଦ ଶୋଭା ଅଳିକି ।୧୪ ।

 

ଶରଣ କଲଊା ବୈଦ୍ୟକୁମାରଣ ।

ଇନ୍ଧନେ ଦେଖାଦେଲା ଦାରଣ ।୧୫ ।

 

ରହିଲା କୂଳ ଲଙ୍ଘନ ସରିତେ ।

ଶ୍ରୁତିରେ ଚୋର ଶବଦ ସତେ ।୧୬ ।

 

ବିସ ଭକ୍ଷଣ ହଂସ ରହେ ଏକା ।

ସ୍ତନରେ କରପୀଡ଼ା ଆଶଙ୍କା ।୧୭ ।

 

ବନ୍ଧନ ରହିଲା ବାହୁରେ ମାତ୍ର ।

ମୃଗୟା ଯହିଁ ହୋଇଲା ଚିତ୍ର ।୧୮ ।

 

ରଣନିପୁଣେ ରହିଲେ ପ୍ରମାଦେ ।

ନାଗରୀ କଟୀ କିଙ୍କିଣୀ ନାଦେ ।୧୯ ।

 

କେବଳ ମଦନ ବଇରୀ ପଦେ ।

ପାଞ୍ଚଇ ତାକୁ ଜିଣିବା ବାଦେ ।୨୦ ।

 

ନ୍ୟାୟବଳ ରାଜା ଆଗ ପଦାତି ।

ଦୁର୍ବଳ ଶଙ୍କା ତହିଁରେ ସ୍ଥିତି ।୨୧ ।

 

ଜାତ ହୋଇ ଳୋଭ ପ୍ରେମଧନରେ ।

ଉଚ୍ଛନ୍ନ ଋତୁ ତିନିଦିନରେ ।୨୨ ।

 

ନୀବୀ ମୋକ୍ଷକାଳେ ଉପୁଜେ ନାହିଁ ।

ମାଗିବା ଦ୍ରବ୍ୟ ଚୁମ୍ୱନ ଯହିଁ ।୨୩ ।

 

ଲାଳସା ହୋଇଣ ପର ସ୍ତିରୀରେ ।

ଚାହିଁବା ରହେ ଚିତ୍ର ନାରୀରେ ।୨୪ ।

 

ନ ଛାଡ଼ିଲା ମାଡ଼ ପଶା ସାରକୁ ।

ବିମୁଖ କର୍ଣ୍ଣ ଜପବାରକୁ ।୨୫ ।

 

ଶୁକ ଶକୁନି ଚରଣେରେ ଦେଖି ।

ଶିକୁଳ ପରି ଶାଙ୍କୁଳୀ ଯୋଖି ।୨୬ ।

 

କାରା ହୋଇ ଯହିଁ ପଞ୍ଜୁରୀ ଅଛି ।

ଭିତ୍ତିକି ଏକା ଗୃହ ଧରିଛି ।୨୭ ।

 

ବନ୍ଦୀ ଯହିଁକୀର୍ତ୍ତୀ ବନ୍ଦନ ଜନ ।

କାହିଁକି ଜଣାଯିବ ଏମାନ ।୨୮ ।

 

ଭରମ ହୋଇଛି ଶୁଦ୍ଧ ସୁବର୍ଣ୍ଣ ।

ଭୂତହିଁ ପଞ୍ଚ ପ୍ରକାରେ ଘେନ ।୨୯ ।

 

କୁଣ୍ଡ ଦେଖା ଦୁର୍ଗାତ୍ସବେ ସହଜେ ।

ଗୁଡ଼ରୁ ଖଣ୍ଡେ ମାତ୍ର ଉପୁଜେ ।୩୦ ।

 

ପରାଭାବ ଏକ ପ୍ରକାର ।

କରିଛି ଯେଉଁ ନର ଈଶ୍ୱର ।୩୧ ।

 

ଚନ୍ଦ୍ର ସୂର୍ଯ୍ୟ ତ୍ରାସ ଶିରେ ରାଜିତ ।

ସର୍ବଦା କଞ୍ଚୁକରେ ବେଷ୍ଟିତ ।୩୨ ।

 

ସଘନ ପୃଥୁ କାର୍ତ୍ତସ୍ୱର ପାତ୍ର ।

ରଜନିକରେ ଭୂଷିତ ଗାତ୍ର ।୩୩ ।

 

ମହିଷୀ ସଙ୍ଗେ ନଗର ବିଳସି ।

କେବଳ ଜନ ମନକୁ ତୋଷି ।୩୪ ।

 

ମର୍ତ୍ତ୍ୟ ତ ଏହାର ଅସାଧ୍ୟ ନାହିଁ ।

ସ୍ୱର୍ଗେ ବା କଟକାଇ କରାଇ ।୩୫ ।

 

ନିତି ଦେବାର୍ଚ୍ଚନା ସରିବା ଯାଏ ।

କରଇ ମେରୁ ଦାନକୁ ଭୟେ ।୩୬ ।

 

ବ୍ରହ୍ମା ବୋଧ ଯହୁଁ ଦେବ ଶାସନ ।

ସେ କିମ୍ପା ଭାଙ୍ଗିଦେବ ଭବନ ।୩୭ ।

 

ହୟ ଆରୋହିଲେ ଯେଉଁ ନୃପତି ।

ଲଭଇ ହରିହୟ ଏ ଭୀତି ।୩୮ ।

 

ବଳୀ ଯେବେ ତୁମ୍ଭେ ବଳିକି ମାର ।

କହିବା ଜୀବ କହେ ବିଚାର ।୩୯ ।

 

ଅଶ୍ୱଖୁର ରେଣୁ ଉଡ଼ିବା ଚାହିଁ ।

ପୋତିବ ମୋତେ ସାଗର ଧ୍ୟାୟି ।୪୦ ।

 

ଧାତା ହୁଡ଼ ଯେହୁରତନ କର ।

ବୋଇଲା ଥାଉ ଏହା ଭଣ୍ଡାର ।୪୧ ।

 

ସାର୍ବଭୌମପଦ ବୀର ବହିଲା ।

ଉତ୍ତର ଦନ୍ତୀ ଭୟ ପାଇଲା ।୪୨ ।

 

ମୁଁ ନୁହଇ ବୋଲି ଛାଡ଼ିଲା ରଡ଼ି ।

ବରଷା କାଳେ ସେ ଘଡ଼ଘଡ଼ି ।୪୩ ।

 

ହୋଇଲା ସେ ରାଜା ଏମନ୍ତ ତ୍ୟାଗୀ ।

ଜାଣିଲେ ନାହିଁ ଯାଚକେ ମାଗି ।୪୪ ।

 

କେ ଯିବ କଳ୍ପତରୁ ସନ୍ନିଧାନ ।

କାମନା ହେଲା ଉତ୍ତାରୁ ପୂର୍ଣ୍ଣ ।୪୫ ।

 

ଉଚ୍ଚ ନୋହିଥିଲେ ପଲ୍ଲବମାନ ।

କରନ୍ତେ ଅବା ମୃଗ ଅଶନ ।୪୬ ।

 

ମିଳନ୍ତେ ଫଳ ଥିଲେ ପକ୍ଷୀଗଣ ।

ବିଅର୍ଥ ହେଲା ତା ଦାତାପଣ ।୪୭ ।

 

ପ୍ରତାପ ତ୍ରାସିଲା ବଡ଼ବାନଳେ ।

ପଡ଼ିଲା ଯାଇ ସମୁଦ୍ରଜଳେ ।୪୮ ।

 

କେ ଦେଖିବ ତାକୁ ଯେ ଲୁଚିଅଛି ।

ହୃଦ ସନ୍ତାପ ତା ଜଳୁଅଛି ।୪୯ ।

 

ଯଶକୁ ହାରିଣ କୁମୁଦ ବିଧୁ ।

ହୋଇଲେ ପରସ୍ପରକୁ ବନ୍ଧୁ ।୫୦ ।

 

ଅଳିକଳଙ୍କ କାଳିକି ଧଇଲେ ।

ଗଙ୍ଗା ହିଁ ଅଙ୍କେ ପଙ୍କକୁ ବହିଲେ ।୫୧ ।

 

ହର ବିଚାରିଲେ ଗଙ୍ଗା ଚନ୍ଦ୍ରକୁ ।

ପ୍ରଭାବ କୀର୍ତ୍ତୀ କଲା ବେଳକୁ ।୫୨ ।

 

ଅବଶ୍ୟ ଏହାକୁ ଥିବ ତ ଛୁଇଁ ।

ଥିବ ଏ କିଛି ଶୀତଳ ପାଇ ।୫୩ ।

 

ପୁଣି ତା କୀର୍ତ୍ତୀ ଶାନ୍ତି ରସ ଠାବ ।

ଗରଳ ତାପ ଶାନ୍ତି କରିବ ।୫୪ ।

 

ଏମନ୍ତ ବୋଳିଣ ବହିଲେ ଶୀର୍ଷେ ।

ଚନ୍ଦ୍ରମାଚୁଡ଼ ଗଙ୍ଗାଧର ସେ ।୫୫ ।

 

ଶ୍ରବଣେ କେଳି କଉତୁକ ତାରା ।

କିନ୍ନରୀ ହୋଇ ଉଚ୍ଛନ୍ନ ଭରା ।୫୬ ।

 

କିଂ ପୁରୁଷକୁ ଅନୁସ୍ୱାର ଦୂର ।

କରିଣ ଦେଲେ ପ୍ରାନ୍ତେ ଏକାର ।୫୭ ।

 

ସ୍ୱାଧୀନ ଭର୍ତ୍ତୃକା ନାରୀ ପାଇଛି ।

ନାୟକ ଅନୁକୂଳ ହୋଇଛି ।୫୮ ।

 

ସବୁ ପ୍ରକାର ଏକଡାବ କରିଛି ବିହି ।

ମଞ୍ଜିଷ୍ଟା ରାଗ ଉଦିତ ତହିଁ ।୫୯ ।

 

ଯାହା ଗୁଣ ରତ୍ନାଳଙ୍କାର ହେଲା ।

ମଣ୍ଡନ ଲୋକମାନ ସେ କଲା ।୬୦ ।

 

କହୁଥିଲେ ସେ ତ ନୋହିବ ଶେଷ ।

ସମ୍ପୂର୍ଣ୍ଣ ଛାନ୍ଦ ଅଠଚାଳିଶ ।୬୧ ।

 

ନାନା ଅଭିଧାନ ବିଧାନ ପରି ।

ନାଟକ କାବ୍ୟ ଅଙ୍ଗେ ମାଧୁରୀ ।୬୨ ।

 

ଦୃଷ୍ଟି ସୃଷ୍ଟିରେ ହୋଇଛି ବିଚିତ୍ର ।

ରସିକ ଚିତ୍ତ ମୋହନ ମନ୍ତ ।୬୩ ।

 

ଖଳ ଗର୍ବ ତୃଣ ଦାବ ଦହନ ।

ପଥିକ ମୂର୍ଖ ଅଗମ୍ୟ ବନ ।୬୪ ।

 

ଧନୀ ବଣିକ ପସରା ସମାନ ।

ବିବିଧ ରସଦ୍ରବ୍ୟରେ ପୂର୍ଣ୍ଣ ।୬୫ ।

 

ଉପଇନ୍ଦ୍ର ଭଞ୍ଜ ମନମୁକୁଦ ।

ବିଚିତ୍ରକର୍ମା ଶ୍ରୀରାମଚନ୍ଦ୍ର ।୬୬ ।

 

ରଜନୀ ଦିବସେ ବିକାଶ କରି ।

ଅଧିକ ପଦ ଏଣୁ ବିହରି ।୬୭ ।

 

ପ୍ରବନ୍ଧ ଦୁଇ ସହସ୍ର ତିନିଶ ।

ଷାଠିଏ ଏକପଦରେ ଶେଷ ।୬୮ ।